Unknown

 

 

 

 

 

 

 

 

 

 

ଜାତୀୟ ଜୀବନର ଆତ୍ମବିକାଶ

(ଦ୍ୱିତୀୟ ଖଣ୍ଡ)

ଗୋବିନ୍ଦ ଚନ୍ଦ୍ର ମିଶ୍ର

 

 

 

 

 

 

 

‘‘ମେରେହୀ ହାଥସେ ଆଶ୍ରମକୀ ନୀବ୍‌ ଡାଲନେକୀ ଥୀ ।

ଅବ୍ ନୀବ୍ ଡାଲନେବା କାର୍ଯ୍ୟ ମେରେ ସାଥୀ କରେଁଗେ ।

ଅଉର ଓହ୍ ମଇନେହୀ କିୟା ମାନା ଜାୟ । ’’

 

–ମୋହନଦାସ ଗାନ୍ଧି

 

ପଞ୍ଚମ ଭାଗ

ପ୍ରଥମ ପରିଚ୍ଛେଦ

ଡିଫେନ୍ସ ଅଫ୍ ଇଣ୍ଡିଆ ଆକ୍‌ଟ

 

‘Defence of India Act’ ଆଇନ ବଳରେ କଲିକତାରେ ଧରପଗଡ଼ ଭାରି ଚାଲିଛି । ଅନେକ ଯୁବକ ଛାତ୍ର ଧରା ହୋଇ ଅନ୍ତରୀଣ ବନ୍ଦୀ ରୂପେ ଅଟକ ଅଛନ୍ତି । କଟକରେ ବାବୁ ଆଶୁତୋଷ ରାୟ ବୋଲି ଜଣେ ଓକିଲ ଥିଲେ । ତାଙ୍କର ପୁଅଙ୍କ ନାମ ଶଶାଙ୍କଶେଖର ରାୟ-। ସେ କଲିକତାରେ ଏମ୍.ଏ. ପଢ଼ୁଥିଲେ । ତାଙ୍କୁ ଧରି ପୋଲିସ ଅଟକ ରଖିଛି । ସେ ତାଙ୍କ ଘରେ ଅନ୍ତରୀଣ ବନ୍ଦୀରୂପେ ରହିଛନ୍ତି । ତାହାଙ୍କ ନିକଟରୁ କେତେକ ବିଷୟ ପଚାରି ବୁଝିବାର କୌଣସି ଆବଶ୍ୟକ ପଡ଼ିଲା । ଏହି କାର୍ଯ୍ୟଟି ସାଧନ କରିବା ପାଇଁ ଉପରେ ହୁକୁମ ଜାରୀ ହେଲା । ମତେ କଟକ ଯାଇ ଶଶାଙ୍କ ବାବୁଙ୍କ ସହିତ ଦେଖା କରିବାକୁ ହେବ । ମୁଁ କଟକ ଯାଉଛି କିପରି ? ଓଡ଼ିଶାରେ ମୋ ନାମରେ ଓ୍ୟାରଣ୍ଟ ଜାରୀ ଅଛି । କଟକ ଗଲେ ମୁଁ ଧରା ପଡ଼ିବି, ଏଥିରେ ସନ୍ଦେହ କରିବାର କିଛି ନାହିଁ । ସେ ଯାହା ହେଉ ଯେ କୌଣସି ପ୍ରକାରେ ଏହି କାର୍ଯ୍ୟଟି ମତେ ସାଧନ କରିବାକୁ ହେବ । ଏହା ହେଉଛି ମୋର ଦ୍ୱିତୀୟ ପରୀକ୍ଷା ।

 

କଟକ ଆସି ମୁଁ ସୂତାହାଟରେ ଲୁଚି ରହିଲି । ଶଶାଙ୍କ ବାବୁଙ୍କ ସହିତ ଦେଖା ସାକ୍ଷାତ କିପରି ହେବ ସେହି ମୋର ଭାବନା । ସେ Home intern ହୋଇ ଥିବାରୁ ଘରୁ ବାହାରକୁ ଆସୁ ନ ଥିବେ । ସବୁବେଳେ ଚୋରା ପୋଲିସ ତାଙ୍କ ଘରଠାରେ ପହରା ଥିବ । ବାହାର ଲୋକଙ୍କ ସହିତ ଦେଖା କରି କଥା ହେବା ତାହାଙ୍କୁ ମନା । ତାଙ୍କର ବାପ ଭାଇ ମଧ୍ୟ ବଡ଼ ସାବଧାନ ରହିଥିବେ । ଏପରି ଅବସ୍ଥାରେ ତାହାଙ୍କ ସହିତ ସାକ୍ଷାତ କରି କୌଣସି ଗୁପ୍ତ ବିଷୟ ପଚାରି ବୁଝିବା ଅସମ୍ଭବ ପରି ବୋଧ ହେଲା । ଯାହାହେଉ ଦୁଇ ତିନି ଦିନ କଟକରେ ରହିଲା ପରେ ଦିନେ ସନ୍ଧ୍ୟାରେ ଅଚାନକ ଭାବରେ ତାଙ୍କ ଘରଠାରେ ଉପସ୍ଥିତ ହେଲି । ତାଙ୍କ ଦାଣ୍ଡଘରେ ଗୋଟିଏ ଦୁଇଟି ପିଲା ଆଲୋକ ଜାଳି ବସି ପଢ଼ୁଥାନ୍ତି । ମୋପରି ଜଣେ ଅଚିହ୍ନା ଲୋକକୁ ହଠାତ୍ ଦେଖି ପିଲା ଦୁଇଟି ବିସ୍ମୟରେ ମତେ ଚାହିଁ ରହିଲେ । “ଶଶାଙ୍କ ବାବୁଙ୍କ ସହିତ ମୋର କାମ ଅଛି, ତାଙ୍କୁ ଟିକିଏ ଡାକି ଦିଅ ।” –ଏହା କହିବାରୁ ଉକ୍ତ ପିଲା ଦୁଇଟି ଶଶାଙ୍କ ବାବୁଙ୍କ ବାପାଙ୍କୁ ଡାକ ପକାଇଲେ । ପିଲା ଦୁଇଟିର ଡାକ ଶୁଣି ଶଶାଙ୍କ ବାବୁଙ୍କ ବାପା ଆସି ମୁଁ କିଏ, ଏବଂ କ’ଣ ପାଇଁ ଆସିଛି ବୋଲି ପ୍ରଶ୍ନ କଲେ । ମୁଁ କହିଲି, “ଶଶାଙ୍କ ବାବୁଙ୍କୁ କେତେକ କଥାପଚାରି ବୁଝିବାର ଅଛି । ଆପଣ ତାଙ୍କୁ ଡାକି ଦିଅନ୍ତୁ । ମୁଁ ଥାନାରୁ ଆସିଛି ।” ମୁଁ ଥାନାରୁ ଆସିଛି ଶୁଣି ତାଙ୍କ ବାପା ଟିକିଏ ଡରିଗଲେ । ଇତି ମଧ୍ୟରେ ଶଶାଙ୍କ ବାବୁ ଆସି ଉପସ୍ଥିତ ହୋଇଗଲେ । ସେ ମୋତେ ହଠାତ୍ ଦେଖି ଟିକିଏ ଅବାକ୍‌ ହୋଇଗଲେ । ତାଙ୍କର ମୋତେ ଚିହ୍ନିବାରେ ଅବା ମୋର ଏପରି ଭାବରେ ତାଙ୍କ ଦୁଆରେ ଉପସ୍ଥିତ ହେବାର କାରଣ ତାଙ୍କର ଅଜଣା ରହିଲା ନାହିଁ । ସେ ତାଙ୍କ ବାପାଙ୍କୁ କହିଲେ, “ଉନି ଥାନାଥେକେ ଏସେଛେନ୍; ଆପନି ଯାନ୍; କି ଆଛେ ଆମି ବୁଝେ ଯାଛି ।” କିନ୍ତୁ ତାଙ୍କ ବାପା ଛାଡ଼ି ଯିବା ସହଜ ନୁହେଁ । ଥାନାରୁ ପୁଣି କାହିଁକି କିଏ ଆସିଲା ଏହା ଦେଖି ସେ ଭୀତ ହୋଇଛନ୍ତି । ତେଣୁ ସେ ଆମ୍ଭ ଦୁହିଁଙ୍କି ଛାଡ଼ି ଗଲେ ନାହିଁ । ମୁଁ ଦେଖିଲି ବ୍ୟାପାର ବିଷମ ଆକାର ଧାରଣ କରୁଛି, କାଳ ବିଳମ୍ବ କଲେ ସବୁ ଧରା ପଡ଼ିଯିବ । ତେଣୁ ହଠାତ୍ ମୁଁ ପଚାରିଲି, ଶଶାଙ୍କବାବୁ, ସକାଳେ ଆପଣ ବୁଲିବାକୁ କୁଆଡ଼େ ଯାନ୍ତି, କେତେବେଳେ ଯାନ୍ତି ଏବଂ କାହା ସହ ବାଟରେ କଥା ହୁଅନ୍ତି କି ନାହିଁ ? ଏହିପରି କେତୋଟି ପ୍ରଶ୍ନ ପଚାରି ତାହାର ଉତ୍ତର ନେଇ ମୁଁ ସେଠାରୁ ପଳାଇ ଆସିଲି । ତହିଁଆରଦିନ ସକାଳୁ ଖାନ୍‌ନଗର ଶ୍ମଶାନରେ ଯାଇ ଉପସ୍ଥିତ ହେଲି । ଶଶାଙ୍କ ବାବୁ ସକାଳ ଆଠଟା ବେଳକୁ ବୁଲିବାକୁ ଗଲେ । ସେହିଠାରେ ମୋର ଯାହା ତାଙ୍କ ଠାରୁ ବୁଝିବାର ଥିଲା, ତାହା ପଚାରି ବୁଝି, ସେହିଦିନ ରାତି କଲିକତା ଫେରିଲି ।

 

କଟକରୁ ଫେରି କଲିକତାରେ ଅଛି । କଲେଜରେ ନାମ ଲେଖାଇ ଅଧ୍ୟୟନ କରିବାର ଯୋଗାଡ଼ କରୁଛି । ଏଥର କଲିକତାକୁ ଆସି ରବୀନ୍ଦ୍ରନାଥ ଠାକୁରଙ୍କ ଯୋଡ଼ାଶଙ୍ଖ ଘରଠାରେ ରହିଛି । ଦିନେ ସକାଳୁ ମୋର ଜନୈକ ବନ୍ଧୁ ଆସି ମତେ ଡାକି ନେଲେ । ମୁଁ ତାଙ୍କୁ ଦାଦା ବୋଲି ଡାକେ । ତାଙ୍କର ନାମ କ’ଣ ଜାଣେ ନାହିଁ । ସେ ହେଉଛନ୍ତି ଜଣେ ବିପ୍ଳବବାଦୀ କର୍ମୀ । ସେ ମଧ୍ୟସ୍ଥର କାର୍ଯ୍ୟ କରନ୍ତି । ମୋଠାରେ କିଛି କାର୍ଯ୍ୟ ଥିଲେ ଏହି ବନ୍ଧୁଟି ଆସି ମତେ ଗୋଟଏ ନିର୍ଦ୍ଦିଷ୍ଟ ସମୟରେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ଉପସ୍ଥିତ ହେବାପାଇଁ କହିଯାନ୍ତି । ଏହିପରି ନିର୍ଦ୍ଦିଷ୍ଟ ସମୟ ଓ ନିର୍ଦ୍ଦିଷ୍ଟ ସ୍ଥାନରେ ଉପସ୍ଥିତ ହେଲେ ଜଣେ ଦୁଇଜଣଙ୍କ ସହିତ ଦେଖା ସାକ୍ଷାତ ହୁଏ । ଯେଉଁମାନଙ୍କ ସହିତ ଦେଖା ସାକ୍ଷାତ ହୁଏସେମାନେ ମୋର ମୁଖଚିହ୍ନା ଲୋକ, କିନ୍ତୁ ସେମାନଙ୍କ ନାମ ମୁଁ ଜାଣେ ନାହିଁ ।

 

ସେ ଯାହା ହେଉ ଆଜି ସକାଳେ ଯେଉଁ ବନ୍ଧୁଟି ମତେ ଡାକିବାକୁ ଆସିଲେ, ସେ ମତେ ନେଇ ବିଡନ୍ ଷ୍ଟ୍ରିଟର ଗୋଟିଏ ଗଳିରେ ଥିବା ଗୋଟିଏ ଦୋତାଲା କୋଠା ଘରେ ଛାଡ଼ିଦେଇ ଚାଲିଗଲେ । ଘରର ତଳ କୋଠରୀରେ ମୁଁ ବସି ରହିଲି । ସେ ଘରେ ଜଣେ କେହି ପରିବାର ନେଇ ରହିଲାପରି ଜଣାପଡ଼ୁଥାଏ । ମୋର ଜନୈକ ମୁଖଚିହ୍ନା ଲୋକ ସେ ଘରୁ ବାହାରି ଗୋଟିଏ ପିଅନ୍ ପୋଷାକ ପିନ୍ଧିବାକୁ ମତେ ଦେଲେ । କଲିକତା କରୋପରେସନର ପିଅନ୍‌ମାନେ ପିନ୍ଧିଲା ପୋଷାକ ପରି ଖାକି କନାରେ ଗୋଟିଏ ନୂଆ ପୋଷାକ ତିଆର ହୋଇଥାଏ । ମୁଁ ଭଲ ପିଅନ ପୋଷାକ ପିନ୍ଧି ଖଣ୍ଡିଏ ଚଦର ଘୋଡ଼େଇ ହୋଇ ପଡ଼ିଲି । ଘୋଡ଼େଇ ହେବାର ଉଦ୍ଦେଶ୍ୟ ବାଟରେ ପୋଷାକଟି ଯେପରି ଚିହ୍ନା ନ ପଡ଼ିବ । ଅନ୍ୟ ବନ୍ଧୁଟି ଗୋଟିଏ ପୋଷାକ ପିନ୍ଧି, ମାପିବାର ଖଣ୍ଡିଏ ଫିତା, ଗୋଟିଏ କମ୍ପାସ ବାକ୍‌ସ ଓ ଗୋଟିଏ କାଗଜ ଲଥି ଫାଇଲ ଲୁଚାଇ କରି ଧରିଲେ । ଦୁହେଁ ଗଳିରାସ୍ତା ଦେଇ ବଡ଼ ବଜାରରେ ଆସି ଉପସ୍ଥିତ ହେଲୁ । ବଡ଼ବଜାରରେ ଗୋଟିଏ ଗଳି ଭିତରେ ଜନୈକ ମାରବାଡ଼ି ଘରେ ଉପସ୍ଥିତ ହେଲୁ । ତାହାଙ୍କ ଇଙ୍ଗିତରେ ମୁଁ ଘୋଡ଼େଇ ହୋଇଥିବା ଚଦରଟି ବାହାର କରିଦେଲି ଏବଂ ତାଙ୍କ ହାତରୁ କାଗଜ ଲଥିଟି ଧଇଲି । ସେ ହେଲେ କଲିକତା କରୋପରେସନର ଜଣେ ଓଭରସିଅର, ମୁଁ ହେଲି ଜଣେ ପିଅନ୍ । ଏହିପରି ବେଶରେ ଜଣେ ମାରବାଡ଼ି ଘରେ ଉପସ୍ଥିତ ହେଲୁ । ଉକ୍ତ ମାରବାଡ଼ି ଘରବାଲାର ଦରବାନ୍ ଆମ୍ଭେମାନେ କିଏ, କୁଆଡ଼େ ଆସୁଛୁ ବୋଲି ପଚାରିବାରେ ମୋର ବନ୍ଧୁଟି ଉତ୍ତର କଲେ, “ଆମ୍ଭେମାନେ କରୋପରେସନ ଲୋକ । ଏ ଘରର ଆସେସମେଣ୍ଟ ନେଇ କେତେକ କାର୍ଯ୍ୟ ଅଛି । ବାବୁ ସାହେବଙ୍କୁ ଟିକିଏ ଡାକିଦିଅ ।” କରୋପରେସନରୁ ଆମ୍ଭେମାନେ ଆସିଛୁ ଶୁଣି ଦରବାନ ଯାଇ ଉକ୍ତ ମାରବାଡ଼ି ଭଦ୍ରବ୍ୟକ୍ତିଙ୍କୁ ଡ଼ାକିଆଣିଲା । ସେ ଆସିବାକୁ ତାହା ସହିତ ଦୁଇଚାରିପଦ କଥା ହୋଇ, ତା’ର ଘରକୁ ଫିତା ଟାଣି ମାପ କରାଗଲା । ଦୁଇ ଚାରି ଜାଗା ମାପିବା ପରେ, ଉକ୍ତ ମାରବାଡ଼ି ଭଦ୍ରବ୍ୟକ୍ତିଙ୍କର ପାଣି କଳ କେତୋଟା ଓ କେତେଜାଗାରେ ଅଛି, ବିଜୁଳିବତୀ ମୋଟରେ କେତେଟା ତାଙ୍କ ଘରେ ଜଳେ, ବିଜୁଳିପଙ୍ଖା କେତୋଟା ଅଛି, ଇତ୍ୟାଦି ପ୍ରଶ୍ନ ପଚରାଗଲା । ତା’ରପର ଟେଲିଫୋନ୍ କେତୋଟାକେଉଁଠାରେ ଅଛି ପଚାରି ବୁଝିବାରେ, ଜଣାଗଲା ଯେ ଗୋଟିଏ ତଳ ଅଫିସ ଘରେ, ଆଉ ଗୋଟିଏ ତିତାଲା ଉପରେ ଅଛି । ତା’ରପର ସଦର ରାସ୍ତା ନିକଟରୁ ତାଙ୍କ ଘର କେତେ ଦୂରରେ ଇତ୍ୟାଦି ସମ୍ୱାଦ ବୁଝି ଆମ୍ଭେ ଦୁହେଁ ସେଠାରୁ ଫେରିଲୁ । ସେ ସ୍ଥାନ ଛାଡ଼ିଆସିଲା ପରେ ଦୁହେଁ ଦୁଇଟି ଭିନ୍ନ ଭିନ୍ନ ରାସ୍ତା ଦେଇ ବସାକୁ ଫେରିଲୁ । ଆମ୍ଭେ ଦୁହେଁ ଏପରି ବେଶ ପିନ୍ଧି ସେଠାକୁ ଯିବାର କାରଣ କ’ଣ ମୁଁ ବୁଝିପାରିଲି ନାହିଁ । ତାହାର ରହସ୍ୟ ଏବେ ମଧ୍ୟ ମୁଁ ବୁଝିନାହିଁ । କିନ୍ତୁ ଅନୁମାନ କରି ଜାଣୁଛି, ରାଜନୈତିକ ଡକାଇତି କରିବା ପାଇଁ ମାରବାଡ଼ି ଘର ସୁବିଧା ହେବ କି ନାହିଁ, ଏହି ଉଦ୍ଦେଶ୍ୟରେ ବୋଧହୁଏ ଏପରି କରାଯାଇଥିଲା ।

 

ସେ ଯାହା ହେଉ ଏହି ଘଟଣା ପରେ ମୁଁ ଉପଲବ୍‌ଧି କଲି ଯେ ଏ ଦଳର ବିଶ୍ୱାସ ମାତ୍ରା ଟିକିଏ ମୋ ପ୍ରତି ବେଶି ହେଲା । କାରଣ ଜଣେ ଦୁଇଜଣ ଲୋକଙ୍କୁ ଚିହ୍ନିବାର ସୁବିଧା ମତେ ଦିଆଗଲା । ଜଣକଠାରୁ କୌଣସି ସମ୍ବାଦ ନେଇ ଅନ୍ୟ ଜଣକୁ ଦେବାର କାର୍ଯ୍ୟ ମଧ୍ୟ ମତେ ଅର୍ପଣ କରାଗଲା । କ୍ରମଶଃ ମୁଁ ଏହିସବୁ କାର୍ଯ୍ୟରେ ବିଶେଷ ଭାବରେ ଜଡ଼ିତ ହୋଇ ପଡ଼ିଲି । ଦିନ ରାତି ମୋ ମନରେ ଏହି ଚିନ୍ତା ଖେଳିଲା । କର୍ମପନ୍ଥା ମଧ୍ୟ ମତେ ଅନେକ ଦେଖାଗଲା । ଗୋଟିଏ କର୍ମପଦ୍ଧତି ମୁଁ ଶୁଣାଇଥିଲି । ସେ ସବୁ ଆଜି ଆଉ ଉଲ୍ଲେଖ କରିବାର କୌଣସି ପ୍ରୟୋଜନ ନାହିଁ । ମନର ଅବସ୍ଥା ସେତେବେଳେ ଯାହା ଥିଲାବର୍ତ୍ତମାନ ତାହା ନାହିଁ । ସେଥିରୁ ମଧ୍ୟ ମୋର ବିଶ୍ୱାସ ଉଠିଯାଇଛି । ସୁତରାଂ ସେ ସବୁର ଆଲୋଚନା ମୋର ଏହି ଆତ୍ମଜୀବନୀରେ ବିଶେଷ ଭାବରେ ଦର୍ଶାଇବାପାଇଁ କୌଣସି ଆବଶ୍ୟକତା ମୁଁ ବୋଧ କରୁନାହିଁ ।

 

କେବଳ ଏଠାରେ ଏତିକି କହିପାରେ ଯେ ବଙ୍ଗଳା ଦେଶରେ ବିପ୍ଳବବାଦୀ ଯେତେ ସବୁ କାର୍ଯ୍ୟ କରୁଥିଲେ, ସେମାନେ ସମସ୍ତେ ଗୋଟିଏ ଦଳଭୁକ୍ତ ନ ଥିଲେ । ପ୍ରତ୍ୟେକ ଦଳର କାର୍ଯ୍ୟପ୍ରଣାଳୀ, ନିୟମାବଳୀ କିମ୍ୱା କେତେଜଣ କେଉଁ ଦଳରେ ଅଛନ୍ତି ସେ ସବୁ ଜାଣିବାର କୌଣସି ଉପାୟ ନ ଥିଲା । ପ୍ରତ୍ୟେକ ଦଳର କାର୍ଯ୍ୟକୁ ଦୁଇଚାରିଜଣ ଚାଳକ ନିୟନ୍ତ୍ରିତ କରନ୍ତି । ଚାଳକମାନେ ମଧ୍ୟସ୍ଥ ଲୋକଦ୍ୱାରା ଦଳଭୁକ୍ତ ଅନ୍ୟାନ୍ୟ କର୍ମୀଙ୍କଠାରୁ କାର୍ଯ୍ୟ ଆଦାୟ କରନ୍ତି । ସବୁ ମଧ୍ୟସ୍ଥ ଲୋକେ ମଧ୍ୟ ଚାଳକଙ୍କୁ ଜାଣିବାର ଉପାୟ ନାହିଁ । ମଧ୍ୟସ୍ଥ ଓ ଚାଳକ ମଧ୍ୟରେ ଭିତରି ଲୋକ ରହି ମଧ୍ୟ ମଧ୍ୟସ୍ଥ କାର୍ଯ୍ୟ କରନ୍ତି । ଗୋଟିଏ ଦଳରେ ଅନେକ ମଧ୍ୟସ୍ଥର କାର୍ଯ୍ୟ କରନ୍ତି । ଜଣେ ମଧ୍ୟସ୍ଥ ସହିତ ୩ । ୪ ଜଣ କର୍ମୀଙ୍କ ଚିହ୍ନା ପରିଚୟ ଥାଏ । କେତେଜଣ ମଧ୍ୟସ୍ଥଙ୍କୁ ଜଣେ ଚାଳକଙ୍କ ଆଦେଶ ଅନୁସାରେ କର୍ମ କରିବାକୁ ହୁଏ । ଏହି ଘଟଣା ପରେ ମୁଁ ଜଣେ ସାମାନ୍ୟ ମଧ୍ୟସ୍ଥର କାର୍ଯ୍ୟ କରିଥିଲି । ମଧ୍ୟସ୍ଥର କାର୍ଯ୍ୟ ହେଉଛି, ଦୁଇଚାରିଜଣ କର୍ମୀଙ୍କୁ ଚିହ୍ନିବା; ସମ୍ୱାଦ ନେବା ଆଣିବା କରିବା । ସ୍ଥାନ ଓ ସମୟ ଜାଣି ଦୁଇଜଣଙ୍କୁ କୌଣସି ସ୍ଥାନରେ ମିଳନ କରାଇବାର ସ୍ଥିର କରିଦେବା । କିନ୍ତୁ ଯେଉଁମାନେ ଏକତ୍ର ହୋଇ କଥା ହେବେ, ସେମାନଙ୍କ ନିକଟରେ ମଧ୍ୟସ୍ଥ କାର୍ଯ୍ୟ କରୁଥିବା ଲୋକ ରହିବ ନାହିଁ, କିମ୍ୱା ସେମାନେ କେଉଁ ବିଷୟରେ କ’ଣ କଥା ହେଲେ ତାହା ମଧ୍ୟ ମଧ୍ୟସ୍ଥ ଜାଣିପାରିବ ନାହିଁ । ମଧ୍ୟସ୍ଥ କେବଳ ସେମାନଙ୍କୁ ଚିହ୍ନିବ, ସେମାନେ ରହିଥିବା ସ୍ଥାନ ଜାଣିବ । ଏତିକି କାର୍ଯ୍ୟ କରିବାପାଇଁ ଦାୟିତ୍ୱ ଦେବା ପୂର୍ବରୁ କର୍ମୀଙ୍କୁ ଭଲକରି ପରୀକ୍ଷା କରାଯାଏ ଏବଂ ଏପରି ଭାବରେ ତାହାକୁ ଏଥିରେ ଜଡ଼ିତ କରିଦେବାକୁ ହୁଏ ଯଦ୍ଦ୍ୱାରା ଏଥିରୁ ସହଜରେ ସେ ଆଉ ଖସି ଯାଇ ପାରିବ ନାହିଁ । କେହି ଯଦି ଖସି ବାହାରିଗଲା, କିମ୍ୱା କୌଣସି ବିଶ୍ୱାସଘାତକତା କଲା ତେବେ ତାହାଦ୍ୱାରା ଦଳର ବିଶେଷ କିଛି କ୍ଷତି ହୁଏ ନାହିଁ ।

Image

 

ଦ୍ୱିତୀୟ ପରିଚ୍ଛେଦ

ସତ୍ୟବାଦୀ ଯିବା ସଂକଳ୍ପ

 

ମାଟ୍ରିକ ପରୀକ୍ଷା ଦେଇ ମୁଁ କଲିକତାଠାରେ ଅଛି । City Collegeର ଲାଇବ୍ରେରୀରେ କାର୍ଯ୍ୟ କରୁଛି । କଲେଜ ଲାଇବ୍ରେରୀର ଗୋଟିଏ ସୂଚୀପତ୍ର ତିଆର ହୋଇ ଛାପାହେବାର ଥାଏ । ଏହି ସୂଚୀପତ୍ର ତିଆରି କରିବା କାର୍ଯ୍ୟରେ ସାହାଯ୍ୟ କରିବାକୁ ମୁଁ ନିଯୁକ୍ତ ହୋଇଥାଏ । କଲିକତାରେ ରହିବା ପାଇଁ କୌଣସି ଗୋଟିଏ କାର୍ଯ୍ୟ ଖୋଜି ବାଛି ନେବାର କଥା । ପରୀକ୍ଷା ଫଳ ପ୍ରକାଶ ପାଉ ପାଉ ୩/୪ ମାସ ଚାଲିଯିବ । ଇତି ମଧ୍ୟରେ କଲେଜରେ ନାମ ଲେଖାଇ ହେବ ନାହିଁ । ଏଣୁ ମୁଁ ଏହି କାର୍ଯ୍ୟଟି ଖୋଜି ବାଛି ନେଇଥାଏ ।

 

ଏହିପରି ଭାବରେ କଲିକତାରେ ଥିବା ସମୟରେ ମୋର ଜନୈକ ଶାନ୍ତିନିକେତନର ପ୍ରିୟ ବନ୍ଧୁ ଦେଖା ହେଲେ । ତାଙ୍କର ନାମ ସରସୀ ଦତ୍ତ । ତାଙ୍କର ଛୋଟ ଭାଇଟିର ନାମ ନଳିନୀ ଦତ୍ତ । ଏହାଙ୍କ ଭଉଣୀ ମିସ୍ ଦତ୍ତ ଡ଼ାକ୍ତରୀ ପାସ୍ କରି, ଶାନ୍ତିନିକେତନରେ ଡ଼ାକ୍ତରୀ କରୁଥିଲେ । ଏହି ଭାଇ ଭଉଣୀଙ୍କ ସହିତ ମୋର ଭଲ ପରିଚୟ ଥିଲା । ଏମାନେ ଖ୍ରୀଷ୍ଟିୟାନ । କିନ୍ତୁ ସରସୀ ବାବୁ ବି.ଏ. ପାସ କରିଛନ୍ତି । କଲେଜରେ ଅଧ୍ୟୟନ କଲାବେଳେ ସ୍ୱାମୀ ବିବେକାନନ୍ଦଙ୍କର କିଛି ପୁସ୍ତକ ପଢ଼ି ତାଙ୍କ ମନ ବଦଳି ଯାଇଛି । କଲେଜରୁ ବାହାରି ସେ ରାମକୃଷ୍ଣ ମିଶନରେ ଯୋଗ ଦେଇଛନ୍ତି । ଏଣୁ ଏହି ଭାଇ ଭଉଣୀ ସମସ୍ତଙ୍କ ବିଚାର ବୃଦ୍ଧି ବର୍ତ୍ତମାନ ହିନ୍ଦୁଧର୍ମମାର୍ଗାବଲମ୍ୱୀ । ଯେଉଁ ସୁରେନ୍ଦ୍ରନାଥ ମିତ୍ର ମତେ ପ୍ରଥମେ ସଙ୍ଗରେ ନେଇ ଶାନ୍ତିନିକେତନ ଯାଇଥିଲେ, ସେ ଶାନ୍ତିନିକେତନରେ ବର୍ତ୍ତମାନ ଶିକ୍ଷକ । ସେ ସ୍ୱାମୀଜୀଙ୍କର ଜଣେ ଭକ୍ତ । ଅନେକ ସମୟରେ ଏହି ସୁରେନ ବାବୁଙ୍କ ବସାରେ ସରସୀ ବାବୁ ପ୍ରଭୃତି ଆମ୍ଭମାନଙ୍କର ମିଳନ ହୁଏ । ଖ୍ରୀଷ୍ଟିୟାନ ମିସନାରୀମାନେ କିପରି ଏ ଦେଶ ଲୋକଙ୍କୁ ଖ୍ରୀଷ୍ଟିୟାନ କରାଇ ନେଉଛନ୍ତି ଆଦି କଥାଠାରୁ ଆରମ୍ଭ କରି ରାମକୃଷ୍ଣ ମିଶନର ସନ୍ନ୍ୟାସୀମାନେ ଆମେରିକାରେ କିପରି କାର୍ଯ୍ୟ କରୁଥିଲେ ଇତ୍ୟାଦି କଥାର ବହୁତ ଆଲୋଚନା ପଡ଼େ । ସରସୀ ବାବୁ ଓ ତାଙ୍କର ଭାଇ ଭଉଣୀ ସମସ୍ତେ ରାମକୃଷ୍ଣ ଦେବଙ୍କ ଭକ୍ତ ପାଲଟିଛନ୍ତି । ଏହିପରି କେତେ କାରଣରୁ ତାହାଙ୍କ ସହିତ ମୋର ଟିକିଏ ଘନିଷ୍ଠତା ଜନ୍ମିଯାଇଥାଏ ।

 

ତାଙ୍କ ସହିତ କଲିକତାରେ ମୋର ଦେଖା ହେଲା ବେଳକୁ ସେମାନେ ଶାନ୍ତିନିକେତନ ଛାଡ଼ି ଆସିଲେଣି । ସରସୀ ବାବୁ ରାମକୃଷ୍ଣ ମିଶନ ଛାଡ଼ି, ପୁଣି ଖ୍ରୀଷ୍ଟିୟାନମତାଗ୍ରହୀ ହେଲେଣି ବୋଲି ମତେ ଜଣା ନାହିଁ । ସେ ମତେ ତାଙ୍କ ଗ୍ରାମକୁ ଯିବାପାଇଁ ଆଗ୍ରହ ପ୍ରକାଶ କଲେ । ତାଙ୍କର ପୂର୍ବ ସ୍ନେହ ମନେ କରି ମୁଁ ତାହାଙ୍କ ସହିତ ତାଙ୍କ ଗ୍ରାମକୁ ଗଲି । ସେ ଗ୍ରାମଟି ନାମ ମୋର ମନେ ପଡ଼ୁ ନାହିଁ । ସେଠାରେ ଖ୍ରୀଷ୍ଟିୟାନମାନଙ୍କର ଗୋଟିଏ ଅନୁଷ୍ଠାନ ଅଛି । ସରସୀ ବାବୁ ସେହି ଅନୁଷ୍ଠାନରେ ଯୋଗ ଦେଇଛନ୍ତି । ତାଙ୍କର ଭଉଣୀ ଦିଲ୍ଲୀରେ ପୁଣି ଉନ୍ନତ ଡ଼ାକ୍ତରୀ ବିଦ୍ୟା ପଢ଼ୁଛନ୍ତି-। ତାଙ୍କର ସାନଭାଇ ନଳିନୀ ସେଠାରେ ଅଛି । କିନ୍ତୁ ଏମାନଙ୍କର ପୂର୍ବ ମତିଗତି ଏକାବେଳକେ ବଦଳି ଯାଇଛି । ମତେ ସେଠାରେ ପାଇ ଖ୍ରୀଷ୍ଟିୟାନ କରିବା ପାଇଁ ବହୁତ ଚେଷ୍ଟା କରାହେଲା । ବହୁତ ପ୍ରଲୋଭନ ଦେଖାଇଲେ । ବସିବା, ଶୋଇବା, ଚାଲିବା, ବୁଲିବା, ସବୁବେଳେ ଖ୍ରୀଷ୍ଟିୟାନ ଧର୍ମ ଗ୍ରହଣ କରିବାପାଇଁ ମତେ ପ୍ରବର୍ତ୍ତାଇବାକୁ ଲାଗିଲେ । ଅନ୍ୟ କିଛି କଥା ନାହିଁ, କୌଣସି ଆଲୋଚନା ନାହିଁ, କେବଳ ଗୋଟିଏ କଥା-ମତେ କିପରି ଖ୍ରୀଷ୍ଟିୟାନ କରିବେ । ଏ ବ୍ୟବହାରରେ ମୁଁ ଅତିଶୟ ଉତ୍ତ୍ୟକ୍ତ ହୋଇ ଉଠିଲି । ସେଠାରେ ସାନ ବଡ଼ ସମସ୍ତଙ୍କ ସହିତ ବହୁତ ଯୁକ୍ତିତର୍କ ଲାଗିଲା । ସେମାନଙ୍କ ପ୍ରଲୋଭନରେ ନ ଭୁଲି ସେଠାରୁ ମୁଁ ଚାଲି ଆସିଲି । ସେହିଦିନୁ ଏହି ପରିବାର ସହିତ ମୋର ଆଉ କିଛି ସଂବନ୍ଧ ନାହିଁ । ମୋର ସ୍ନେହ ସଂବନ୍ଧ ସେହିଦିନୁ ସବୁ ଛିଣ୍ଡି ଯାଇଛି ।

 

କଲିକତା ଫେରିଲି । ମତେ ଖ୍ରୀଷ୍ଟିୟାନ ଧର୍ମରେ ଦୀକ୍ଷିତ କରାଇବା ପାଇଁ କେତେକ ଖ୍ରୀଷ୍ଟଧର୍ମପ୍ରଚାରକ ଚେଷ୍ଟା କରୁଥିବା କଥା କ୍ରମଶଃ ମୋର ବନ୍ଧୁମାନେ ଜାଣିବାକୁ ପାଇଲେ । ବର୍ତ୍ତମାନ କଲିକତାର ଅବସ୍ଥା ଦିନକୁ ଦିନ ଭୟଙ୍କର ଆକାର ଧାରଣ କରୁଛି । ଗତ ଦୁଇବର୍ଷ ମଧ୍ୟରେ ଅନେକ ଷଡ଼ଯନ୍ତ୍ର ମାମଲା ଚାଲିଲାଣି । ବିପ୍ଳବୀଦଳ ମଧ୍ୟରୁ ଅନେକ ଧରାପଡ଼ି ଜେଲ, ଦ୍ୱୀପାନ୍ତର, ଫାଶୀ, ସଜା ସବୁ ପାଇଲେଣି । କଲିକତାରେ ପ୍ରତିଦିନ ଘର ଖାନତଲାସୀ ଓ ଧରପଗଡ଼ ଚାଲିଛି । ଏହାରି ଫଳରେ ମୋର ଅନେକ ଚିହ୍ନା ପରିଚିତ ବନ୍ଧୁ ସବୁ ଧରା ହୋଇ ଅଟକ ରହିଲେଣି । ବିପ୍ଳବୀ ଦଳ ସହିତ ମୋର ସଂବନ୍ଧ ବେଳେ ବେଳେ ଛିଣ୍ଡି ଯାଉଥାଏ । ମୋ ସହିତ ମଧ୍ୟସ୍ଥର କାର୍ଯ୍ୟ କରୁଥିବା କର୍ମୀ ଧରା ହୋଇଗଲେ ସଂବନ୍ଧ ଛିଣ୍ଡି ଯାଏ । ପୁଣିଜଣେ କୌଣସି ଉପାୟରେ ମତେ ଖୋଜି ମୋର ସଂବନ୍ଧ ଯୋଡ଼ିଦିଏ । ଏପରି ହେବାଦ୍ୱାରା ମୋର ବିପ୍ଳବୀ ଦଳ ସହିତ ସଂବନ୍ଧ ଥିବାର ସମ୍ୱାଦ ପୋଲିସ ଜାଣି ସାରିଲାଣି । ମତେ ଧରିବାକୁ ମଧ୍ୟ କଲିକତାରେ ପୋଲିସ ଅନୁସନ୍ଧାନ ଆରମ୍ଭ ହୋଇଗଲାଣି । କଲିକତାରେ ରହିବା ପାଇଁ ମୋର ଆଉ ସ୍ଥାନ ନାହିଁ । ଅନେକ ସମୟରେ ମତେ ଲୁଚି ରହିବାକୁ ପଡ଼ୁଛି । ଦିନ ତମାମ ମୁଁ କଲିକତା ନଗରୀରେ ଇତସ୍ତତଃ ବୁଲୁଥାଏ । ରାତ୍ରିରେ ଯାଇ ମୁଁ ଯେଉଁ ସ୍କୁଲରେ ନାମ ଲେଖାଇଥିଲି, ସେହି ସ୍କୁଲରେ ରହେ । ସ୍କୁଲଘରଟିରେ କେହି ନ ଥାନ୍ତି । ଘର ଜଗିବାକୁ ଦୁଇଟି ହିନ୍ଦୁସ୍ଥାନୀ ଦରବାନ୍ ରହିଥାନ୍ତି । ସେହି ହୀନ୍ଦୁସ୍ଥାନୀଦରବାନ୍ ଦୁଇଟିଙ୍କୁ ଫୁସୁଲେଇ ମୁଁ ଯାଇ ରାତିରେ ରହିଯାଏ ।

 

ଏହିପରି ଭାବରେ ମାସେକାଳ ବିତିଗଲା । କ୍ରମଶଃ ମୁଁ ଉପଲବ୍‌ଧି କଲି ଯେ ଜର୍ମାନୀ ଯୁଦ୍ଧ ଶେଷ ନ ହେବା ପର୍ଯ୍ୟନ୍ତ ପ୍ରକାଶ୍ୟରେ ମୁଁ ଆଉ ରହିବାକୁ ସ୍ଥାନ ପାଇବି ନାହିଁ । କିଛି ସମୟ ମତେ ଆତ୍ମଗୋପନ କରି ଲୁଚି ରହିବାକୁ ପଡ଼ିବ । କେତେକ ବନ୍ଧୁ ମଧ୍ୟ ମତେ ଏହିମର୍ମରେ ଉପଦେଶ ଦେଲେ । ବର୍ତ୍ତମାନ ଆତ୍ମଗୋପନ କରି ରହିବା ଏବଂ ସଂବନ୍ଧ ଯୋଡ଼ି ରଖିବା ହେଉଛି ଏକମାତ୍ର କାର୍ଯ୍ୟ । ମୁଁ ଖ୍ରୀଷ୍ଟିୟାନ ହେବାପାଇଁ ମତେ ପ୍ରବର୍ତ୍ତାଇବା କଥା ମୋର କେତେକ ବନ୍ଧୁ ଶୁଣିଥାନ୍ତି । ବର୍ତ୍ତମାନ ଅବସ୍ଥାରେ ମୁଁ ଖ୍ରୀଷ୍ଟିୟାନ ଧର୍ମ ଗ୍ରହଣ କଲେ ଭଲ ହୁଅନ୍ତା ବୋଲି କେହି କେହି ବନ୍ଧୁ ମତେ ସୂଚନା ଦେଲେ । ଏ ସୂଚନାର ଅର୍ଥ ଏବଂ ଉଦ୍ଦେଶ୍ୟ ମୁଁ କିଛି ବୁଝି ପାରିଲି ନାହିଁ-। ପରେ ମତେ ବୁଝାଇ ଦିଆଯାଇଥିଲା । ଏପରି ଗୋଟିଏ ପ୍ରସ୍ତାବରେ ପ୍ରଥମେ ସମ୍ମତି ପ୍ରଦାନ କରିବା ସହଜ ନୁହେଁ । କିନ୍ତୁ ଅନେକ କଥା ଭାବି ଖ୍ରୀଷ୍ଟିୟାନ ଧର୍ମ ଗ୍ରହଣ କରିବା ପାଇଁ ମୁଁ ଶେଷରେ ସ୍ୱୀକୃତ ହୋଇଥିଲି । ଖ୍ରୀଷ୍ଟିୟାନ ଧର୍ମ କେବଳ ଗ୍ରହଣ କରିବାକୁ ହେବ ତାହା ନୁହେଁ ଆବଶ୍ୟକ ହେଲେ ଜନୈକ ଖ୍ରୀଷ୍ଟିୟାନ ରମଣୀକୁ ବିବାହ କରିବାକୁ ହେବ, ଏହା ମଧ୍ୟ ମୋର ବନ୍ଧୁମାନେ ପରାମର୍ଶ ଦେଲେ । ଏଥିରେ ମଧ୍ୟ ମୁଁ ଏକମତ ହେଲି ।

 

ଏହିପରି ପ୍ରସ୍ତାବକୁ ମୁଁ ସମର୍ଥନ କଲି, ଏହା ଜାଣିଲେ ଯେ କେହି ବିସ୍ମିତ ହୋଇଯିବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । କିନ୍ତୁ ବହୁତ ଭାବିଚିନ୍ତି ଏଥିରେ ମୁଁ ରାଜି ହୋଇଥିଲି । ମୁଁ ଭାବିଲି, ମୋର ମନ ଓ ହୃଦୟ ଯଦି ଅଚଳ, ମୁଁ ଯଦି ମୋର ଆଦର୍ଶକୁ ଭୁଲି ନ ଯାଏ ଏବଂ ମୋର ଉଦ୍ଦେଶ୍ୟ ଯଦି ସତ୍ ଓ ମହତ୍, ତାହାହେଲେ ଆଦର୍ଶର ସାଧନ ପାଇଁ ପ୍ରତ୍ୟେକ କାର୍ଯ୍ୟ କରିବାକୁ ପଶ୍ଚାଦ୍‌ପଦ ହେବା ଉଚିତ ନୁହେ । ଦେଶ ସ୍ୱାଧୀନତା ଲାଭ କରିବାପାଇଁ ଯେତେବେଳେ ଯାହା ଦରକାର ପଡ଼ିବ ତାହା କରିବାକୁ ହେବ । ଦଳର ପରିପୁଷ୍ଟି ଓ କାର୍ଯ୍ୟ ସାଧନା ପାଇଁ ଯଦି ଡକାୟତି କରିବା ଅନ୍ୟାୟ ନୁହେ, ସରକାରୀ କର୍ମଚାରୀଙ୍କୁ ହତ୍ୟା କରିବା ଯଦି ଅନ୍ୟାୟ ନୁହେ, ତେବେ ଖ୍ରୀଷ୍ଟିୟାନ ଧର୍ମଗ୍ରହଣ କରି, ଖ୍ରୀଷ୍ଟିୟାନ ରମଣୀକୁ ବିବାହ କରିବା କଦାପି ଅନ୍ୟାୟ ହୋଇ ନ ପାରେ । ଏହିପରି ଭାବରେ ନାନା ପ୍ରକାର ଯୁକ୍ତି ମନରେ ପ୍ରବେଶ କଲା । ଖ୍ରୀଷ୍ଟିୟାନ ହୋଇ ମତେ ଯେଉଁ କାର୍ଯ୍ୟଭାର ଗ୍ରହଣ କରିବାକୁ ପଡ଼ିବ, ତହିଁର ଗୁରୁତ୍ୱ ଉପଲବ୍‌ଧି କରି ମୁଁ ଏହିପରି ପ୍ରସ୍ତାବରେ ସମ୍ମତି ପ୍ରଦାନ କଲି ।

 

ଖ୍ରୀଷ୍ଟିୟାନ ହୋଇ ମତେ କି କାର୍ଯ୍ୟ ସାଧନ କରିବାକୁ ହେବ ? କଲିକତାରେ ଜନୈକ ଖ୍ରୀଷ୍ଟିୟାନ ପରିବାର ପରି ମତେ ରହିବାକୁ ହେବ । ଗୋଟିଏ ଖ୍ରୀଷ୍ଟିୟାନ ହୋଟେଲ ସ୍ଥାପନ କରିବାକୁ ପଡ଼ିବ । ଏହା କରି ପାରିଲେ ଅନେକ ଗୁପ୍ତ କାର୍ଯ୍ୟ ସାଧିତ ହୋଇ ପାରିବ । କେତେ ଜଣ ବଡ଼ ବଡ଼ ବିପ୍ଳବବାଦୀଲୋକଙ୍କୁ ମୁଁ ଲୁଚାଇ ରଖି ପାରିବି । କେତେକ ଜିନିଷ ପତ୍ର ନିରାପଦରେ ରହି ପାରିବ । ଡ଼ାକରେ ଚିଠିପତ୍ର ଦ୍ୱାରା ଅନେକ ସମ୍ୱାଦ ନେଣ ଦେଣ କରିବା ପାଇଁ ସୁବିଧା ହେବ । ଏସବୁ କାର୍ଯ୍ୟ କରିବାକୁ ହେଲେ ପୋଲିସର ଦୃଷ୍ଟି ପଡ଼ିବା ସହଜ ନୁହେଁ । କିନ୍ତୁ ଜଣେ ଖ୍ରୀଷ୍ଟିୟାନପରିବାର ରୂପରେ ରହି ଗୋଟିଏ ଖ୍ରୀଷ୍ଟିୟାନ ହୋଟେଲ କରିପାରିଲେ ଏସବୁ କରିବା ପାଇଁ ବହୁତ ସୁବିଧା ଓ ସୁଯୋଗ ନିଶ୍ଚୟ ଘଟିବ । ପୋଲିସ ସନ୍ଦେହର ସହଜ କାରଣ କିଛି ରହିବ ନାହିଁ । ଏଥିପାଇଁ ମୋର ଖ୍ରୀଷ୍ଟିୟାନ ଧର୍ମଗ୍ରହଣ କରିବା ଓ ଖ୍ରୀଷ୍ଟିୟାନ ରମଣୀ ବିବାହ କରିବା ପ୍ରସ୍ତାବ । ଅନ୍ୟାନ୍ୟ କର୍ମୀ ଯେବେ ଭୀଷଣ କାର୍ଯ୍ୟ କରି ଜୀବନ ଦେବାକୁ କୁଣ୍ଠିତ ନୁହନ୍ତି, ତେବେ କର୍ତ୍ତବ୍ୟ କର୍ମ ସାଧନ ପାଇଁ ମୋର ଖ୍ରୀଷ୍ଟଧର୍ମ ଅବଲମ୍ୱନ କରିବା ଲାଗି ପଶ୍ଚାଦ୍‌ପଦ ହେବା ଉଚିତ ନୁହେଁ ।

 

ମାଟ୍ରିକ ପରୀକ୍ଷା ପରେ ମୁଁ city college (ସିଟି କଲେଜ) ପୁସ୍ତକାଳୟରେ କାର୍ଯ୍ୟ କରୁଥିଲି । ପୋଲିସ ଅନୁସନ୍ଧାନ ହେତୁ ସେ କାର୍ଯ୍ୟଟି ମତେ ଛାଡ଼ି ଦେବାକୁ ପଡ଼ିଲା । ବିପ୍ଳବୀ ଦଳ ସହିତ ମୋର Link (ସଂବନ୍ଧ) ଛିଣ୍ଡିଗଲା । ଛିଣ୍ଡିଗଲା ଖିଅ ଯୋଡ଼ିବାର କୌଣସି ସଂକେତ ମିଳିଲା ନାହିଁ କିମ୍ୱା ଆଶା ମଧ୍ୟ ରହିଲା ନାହିଁ । କଲିକତାରେ ରହିବା କଠିନ ଜଣାଗଲା । ହଠାତ୍ କଲିକତା ଛାଡ଼ିବାକୁ ବାଧ୍ୟ ହେଲି । ମୁଁ ପୁଣି ଶାନ୍ତିନିକେତନରେ ଯାଇ ହାଜର ହେଲି । ବୋଲପୁର ଶାନ୍ତିନିକେତନ ଗ୍ରୀଷ୍ମାବକାଶ ନିମିତ୍ତ ବନ୍ଦ ଥାଏ । ସେଠାରେ କେତୋଟି ଛାତ୍ର ରହିଥାନ୍ତି ।

 

ଆଜିପର୍ଯ୍ୟନ୍ତ ଶାନ୍ତିନିକେତନକୁ ଯେତେଥର ଆସିଛି ପ୍ରତ୍ୟେକ ଥର ମୁଁ ଜନୈକ ଛାତ୍ର ଭାବରେ ରହେ । କିନ୍ତୁ ମାଟ୍ରିକ ପରୀକ୍ଷା ଦେଇ ପାସ କଲା ପରେ ଶାନ୍ତିନିକେତନରେ ଛାତ୍ର ଭାବରେ ରହିବାର ମୋର ସ୍ଥାନ ନାହିଁ । ସେତେବେଳକୁ ଶାନ୍ତିନିକେତନରେ ବିଶ୍ୱଭାରତୀ ଅନୁଷ୍ଠାନ ସ୍ଥାପିତ ହୋଇ ନାହିଁ । ତାହା ହୋଇଥିଲେ, କିଏ କହିବ ମୋର ଜୀବନର ଗତି କେଉଁ ଆକାର ଧାରଣ କରିଥାନ୍ତା । କାରଣ ବିଶ୍ୱଭାରତୀରେ ରହି ଅଧ୍ୟୟନ କରିବାର ସମସ୍ତ ସୁବିଧା ମୁଁ ପାଇ ପାରିଥାନ୍ତି । ଶାନ୍ତିନିକେତନରେ ବିଶ୍ୱଭାରତୀ ସ୍ଥାପିତ ହୋଇଥିଲେ କଲିକତାରେ ରହିବାକୁ ହୋଇ ନ ଥାନ୍ତା ଏବଂ ବିପ୍ଳବବାଦୀ ହୋଇ ପାରିଥାନ୍ତି କି ନା ସନ୍ଦେହ । ସେ ଯାହାହେଉ ଶାନ୍ତିନିକେତନରେ ଉପସ୍ଥିତ ହୋଇ ମୁଁ ସ୍ୱଇଚ୍ଛାରେ ରହିଥିବା ଛାତ୍ରମାନଙ୍କର ଖାଇବା ପିଇବା ବୁଝିବାର ଭାର ଗ୍ରହଣ କଲି । କୌଣସି କାର୍ଯ୍ୟ ନ କରି ଶାନ୍ତିନିକେତନରେ ରହି ଗୋଟିଏ ବୋଝ ହେବା ମତେ ଭଲ ଲାଗିଲା ନାହିଁ । ଏପରି ସ୍ୱଇଚ୍ଛାରେ କାର୍ଯ୍ୟ ଭାର ଗ୍ରହଣ କରିବାର ଦେଖି ଶାନ୍ତିନିକେତନର ପ୍ରଧାନ ଅଧ୍ୟକ୍ଷ ମୋ ଉପରେ ବଡ଼ ସନ୍ତୁଷ୍ଟ ହୋଇଥିଲେ । ଏହି କଥା ସେ ମଧ୍ୟ କବି ମହୋଦୟଙ୍କର କର୍ଣ୍ଣଗୋଚର କରାଇଥିଲେ ।

 

ଶ୍ରୀଯୁକ୍ତ ରବୀନ୍ଦ୍ରନାଥ ଠାକୁର ମଧ୍ୟ ମୋର ଏପରି ଭାବରେ କର୍ମଭାର ବହନ କରି ସୁଚାରୁ ରୂପେ କର୍ମ ପରିଚାଳନା କରିବା କଥା ଶୁଣି ମତେ ଡକାଇ ବହୁତ ପ୍ରଶଂସା କରିଥିଲେ । ଶାନ୍ତିନିକେତନରେ ରହି ଆଶ୍ରମର ମାନେଜର କାର୍ଯ୍ୟଭାର ବହନ କରିବାକୁ ସେ ଅନୁରୋଧ କରିଥିଲେ, ଏବଂ ଘରୋଇ ଭାବରେ କେତୋଟିବିଷୟ ଅଧ୍ୟୟନ କରିବା ପାଇଁ ଉପଦେଶ ଦେଇଥିଲେ । ତାଙ୍କର କଥାକୁ ଭାଙ୍ଗି ଅନ୍ୟ କିଛି କହିବା ଅବା କରିବା ମତେ ଅସମ୍ଭବ ଜଣାଗଲା । କବି ମହୋଦୟଙ୍କ କଥାରେ ମୁଁ ବୋଲପୁର ଶାନ୍ତିନିକେତନ ଭୋଜନାଳୟର ପରିଚାଳନା ଭାର ଗ୍ରହଣ କଲି । ଏହି କାର୍ଯ୍ୟ ପ୍ରାୟ ଦୁଇମାସ ପର୍ଯ୍ୟନ୍ତ ମତେ କରିବାକୁ ପଡ଼ିଥିଲା । ତା’ରପର କେତେକ କାରଣରୁ ଏହି କାର୍ଯ୍ୟ ମତେ ଛାଡ଼ିଦେବାକୁ ପଡ଼ିଲା । କବି ମହୋଦୟଙ୍କର ଇଚ୍ଛାନୁସାରେ ଏହ୍ଲାବାଦ ଯାଇ, ସେଠାରେ ଥିବା ଇଣ୍ଡିୟାନ୍ ପ୍ରେସରେ, ପ୍ରେସ କାର୍ଯ୍ୟ ଶିଖି ଆସି ଶାନ୍ତିନିକେତନରେ ଗୋଟିଏ ପ୍ରେସପରିଚାଳନାର ଭାର ଗ୍ରହଣ କରିବାର କଥା ହେଲା । କିନ୍ତୁ ମୁଁ କ’ଣ କରିବି କିଛି ସ୍ଥିର କରି ନ ପାରିବାରୁ ଏହ୍ଲାବାଦ ଯିବାର ସ୍ଥିର ହୋଇ ନ ଥାଏ । କବି ମହୋଦୟଙ୍କ କଥାରେ ମୁଁ ସବୁ ଭୁଲି ଯାଉଥାଏ । ବୋଲପୁର ଶାନ୍ତିନିକେତନର ଜଳବାୟୁରେ କବିଙ୍କର କବିତା ଫୁଟି ଉଠୁଥିଲା ପରି ବୋଧ ହୁଏ । ସେଠାରେ ରହିଲେ ମୁଁ ସବୁ ଭୁଲିଯାଏ । ସେଠାରେ ସାରା ଜୀବନ ରହିବାର ଗୋଟିଏ ସୁବିଧା ସୁଯୋଗ ପାଇବାର ପ୍ରଲୋଭନ ପାଇଲେ ମନ ଟିକିଏ ଆହୁରି ଭୁଲିଯିବା ସ୍ୱାଭାବିକ । କେବଳ ମୁଁ ଇତସ୍ତତଃ ହେଉଥିବାରୁ ଯିବାର ବିଳମ୍ବ ଘଟୁଥାଏ ।

 

ଏହି ସମୟରେ ପଣ୍ଡିତ ଗୋପବନ୍ଧୁ ଦାସ ବୋଲପୁର ଶାନ୍ତିନିକେତନ ଦେଖିବାପାଇଁ ଯାଇ ଉପସ୍ଥିତ ହେଲେ । ତାଙ୍କ ସଙ୍ଗରେ କଲିକତାରେ ଓକିଲାତି ପଢ଼ୁଥିବା ଦୁଇଟି ଓଡ଼ିଆ ଛାତ୍ର ମଧ୍ୟ ଯାଇଥାନ୍ତି । ଗୋପବନ୍ଧୁ ବାବୁ ଶାନ୍ତିନିକେତନରେ ଦୁଇଦିନ ରହିଥିଲେ । ସେ ଯେଉଁ ଦୁଇଦିନ ରହିଲେ, ସବୁବେଳେ ମୁଁ ତାହାଙ୍କ ସହିତ ରହୁଥିଲି । ଏହା କହିବା ଅନାବଶ୍ୟକ,ଏହି ଦୁଇଦିନ ତାହାଙ୍କଠାରୁ ଓଡ଼ିଶା ବିଷୟରେ ନାନା କଥା ଶୁଣିବାକୁ ପାଇଥିଲି । ଦଶପଲ୍ଲା ବିଷୟ ନେଇ ମୁଁ କିପରି କ’ଣ ଚେଷ୍ଟା କରିଥିଲି, କଲିକତାରେ ରହି କିପରି ମାଟ୍ରିକ ପରୀକ୍ଷା ଦେଇ ପାସ କରିଛି ଇତ୍ୟାଦି କଥା ତାହାଙ୍କୁ ଶୁଣାଇଲି । ମୋର ଅଧ୍ୟବସାୟ କଥା ଶୁଣି ଗୋପବନ୍ଧୁ ବାବୁ ମତେ କୁଣ୍ଢାଇ ପକାଇଲେ । ମୋର ପ୍ରେସ କାର୍ଯ୍ୟ ଶିଖି ଯିବାର କଥା ଶୁଣି ମତେ ସତ୍ୟବାଦୀକୁ ଯାଇ କାର୍ଯ୍ୟ କରିବା ପାଇଁ ଅନୁରୋଧ କଲେ । ଶାନ୍ତିନିକେତନରେ ରହି କୌଣସି କାର୍ଯ୍ୟ କରିବା ଅପେକ୍ଷା ଓଡ଼ିଶାକୁ ଫେରି ଯାଇ ସତ୍ୟବାଦୀରେ ରହି କିଛି କାର୍ଯ୍ୟ କରିବା ମୋ ପକ୍ଷରେ ଉଚିତ ବୋଲି କହି ଗୋପବନ୍ଧୁ ବାବୁ ମତେ ଅନେକ କଥା କହିଲେ । ସତ୍ୟବାଦୀକୁ ଯିବା ଆବଶ୍ୟକ ହେଲେ ମୁଁ ନିଶ୍ଚୟ ଯିବି ବୋଲି ସ୍ୱୀକାର କଲି । ମୋର ପ୍ରତିଶ୍ରୁତି ଶୁଣି ଗୋପବନ୍ଧୁ ବାବୁ କହିଲେ, ମୋ ପରି ଲୋକ ସବୁବେଳେ ଲୋଡ଼ା, ଏବଂ ମୋର ସତ୍ୟବାଦୀକୁ ଯିବା ନିହାତି ଦରକାର । ଗୋପବନ୍ଧୁ ବାବୁଙ୍କର ଏହି ଉକ୍ତିର କୌଣସି ଜବାବ ଦେଇ ପାରିଲି ନାହିଁ । ସେ ଶାନ୍ତିନିକେତନରୁ କଲିକତା ଫେରିଲେ । ଗୋପବନ୍ଧୁ ବାବୁ ଆସିଲା ପରେ, ତାଙ୍କ କଥା ସବୁ ମନେ ପଡ଼ି ମୋ ମନ ଅସ୍ଥିର ହେଲା । ମୁଁ କ’ଣ କରିବି କିଛି ସ୍ଥିର କରି ପାରିଲି ନାହିଁ । ସତ୍ୟବାଦୀକୁ ଗଲେ, ମୁଁ ମୋର ଆଦର୍ଶ ଅନୁସାରେ କାର୍ଯ୍ୟ କରିବାକୁ କେତେଦୂର ସୁବିଧା ପାଇବି ତାହା ଭାବି କିଛି ସ୍ଥିର କରି ହେଲା ନାହିଁ-। ଏହି କାରଣରୁ ଗୋପବନ୍ଧୁ ବାବୁଙ୍କ ସହିତ ମୁଁ ସତ୍ୟବାଦୀକୁ ଫେରିଲି ନାହିଁ । ଏହାର କିଛି ଦିନ ପରେ ବୋଲପୁର ପୋଲିସ ମୋ ବିଷୟରେ କେତେକ କଥା ଜାଣିବା ପାଇଁ ଶାନ୍ତିନିକେତନରେ ଅନୁସନ୍ଧାନ କଲା । ମାତ୍ର ମୁଁ ସେତେବେଳକୁ ସେଠାରେ ରହିଥିବା ସଂବାଦ ପୋଲିସକୁ ଜଣା ନାହିଁ-। ପୋଲିସ ମୋତେ ଅନୁସନ୍ଧାନ କରୁଥିବାର ଜାଣି ଶାନ୍ତିନିକେତନର ଅଧ୍ୟକ୍ଷ ମତେ ସେହି ସ୍ଥାନ ଛାଡ଼ି ଚାଲି ଯିବାପାଇଁ ପରାମର୍ଶ ଦେଲେ । ମତେ ଶାନ୍ତିନିକେତନ ଛାଡ଼ିବାକୁ ହେଲା ।

 

ଶାନ୍ତିନିକେତନ ଛାଡ଼ି କଲିକତାରେ ଉପସ୍ଥିତ ହେଲି । ମାତ୍ର କେଉଁଠାରେ ରହିବି, କ’ଣ କରିବି କିଛି ସ୍ଥିର କରି ପାରିଲି ନାହିଁ । ଦିନଯାକ ଏଠି ସେଠି ହୋଇ ବୁଲେ । ରାତ୍ରିରେ ଯାଇ ସେହି ଖେଲାତ୍‌ଚାନ୍ଦ ଇନ୍‌ଷ୍ଟିଚିଉଟରେ ଶୁଏ । ସେତେବେଳକୁ ଅନେକ ଓଡ଼ିଆ ଛାତ୍ର କଲିକତାରେ ଏମ. ଏ. ଓ ବି. ଏ. ପଢ଼ୁଥାନ୍ତି । ପାଟନା ଇଉନିଭରସିଟି ସ୍ଥାପିତ ହୋଇ ନ ଥାଏ । କଟକକଲେଜରେ ଏ ଦୁଇ ବିଷୟ ପଢ଼ିବାପାଇଁ କ୍ଲାସ ନ ଥାଏ । ପଞ୍ଚାନନ ଘୋଷ ଗଳିର ୯ ନମ୍ୱର କୋଠାଟି ବହୁଦିନୁ ଓଡ଼ିଆ ଛାତ୍ରଙ୍କ ରହିବା ସ୍ଥାନ । ଏଠାରେ ଓକିଲାତି ପଢ଼ୁଥିବା ଛାତ୍ର ମାନେରହନ୍ତି । ଏହାଛଡ଼ା ଶ୍ରୀ ଗୋପାଳ ମଲ୍ଲିକ ଲେନ୍‌ରେ ଡ଼ାକ୍ତରୀ ପଢ଼ୁଥିବା ଓଡ଼ିଆ ଛାତ୍ରଙ୍କ ମେସ୍ ଥାଏ । କଲିକତାରେ ଏ ଦୁଇଟିସ୍ଥାନ ଶିକ୍ଷିତ ଓଡ଼ିଆଙ୍କର ଆଡ଼ା ।

 

ପଞ୍ଚାନନ ଘୋଷ ଗଳିରେ ବର୍ତ୍ତମାନ କଟକର ଓକିଲ କୃଷ୍ଣଚନ୍ଦ୍ର ମିଶ୍ର, ଅଧ୍ୟାପକ ରତ୍ନାକର ପତି ରହିଥାନ୍ତି । ଏହି ଦୁଇ ଜଣଙ୍କ ସହିତ ମୋର ଟିକିଏ ଘନିଷ୍ଠତା ଥାଏ । ବିଶେଷରେ ଏ ଦୁଇଜଣଙ୍କ ନିକଟକୁ ମୁଁ ବହୁତ ସମୟ ଯିବା ଆସିବା କରେ । ଏହିଠାରେ ସେତେବେଳକୁ ବାବୁ ଗୋପବନ୍ଧୁ ଚୌଧୁରୀ ରହି ଏମ୍. ଏ. ପଢ଼ୁଥାନ୍ତି । କଟକର ଓକିଲ ବାବୁ ନିଶାମଣି ଦାସ ମଧ୍ୟ ରହିଥାନ୍ତି । ଶ୍ରୀ ଗୋପାଳ ମଲ୍ଲିକ ଲେନ ବସାରେ ବାବୁ ସତ୍ୟବାଦୀ ମିଶ୍ର ଡ଼ାକ୍ତରୀ ପଢ଼ୁଥାନ୍ତି । ଡ଼ାକ୍ତର ସତ୍ୟବାଦୀ ମୋର ଜଣେ ପରମବନ୍ଧୁ । ଏହି ସମୟରେ ସେ ମତେ ବହୁତ ସାହାଯ୍ୟ କରିଛନ୍ତି । ଏହିମାନଙ୍କ ନିକଟକୁ ମୁଁ ବହୁତ ସମୟ ଯିବା ଆସିବା କରେ । କଲିକତାରେ ମଧ୍ୟ ପୋଲିସ ମତେ ଭଲ ଭାବରେ ଅନୁସନ୍ଧାନ କରିବାକୁ ଆରମ୍ଭ କଲାଣି । ଚୋରା ପୁଲିସ ଅନେକ ବାର ବାବୁ ସତ୍ୟବାଦୀ ମିଶ୍ର ଓ କୃଷ୍ଣଚନ୍ଦ୍ର ମିଶ୍ର ପ୍ରଭୃତିଙ୍କୁ ମୋ ବିଷୟରେ ପଚାରି ସାରିଲାଣି । କଲିକତାର ଚୋରା ପୋଲିସ ମୋତେ ଖୋଜୁ ଥିବାର ଜାଣି ଏହିସବୁ ଓଡ଼ିଆ ମେସକୁ ପ୍ରକାଶ୍ୟରେ ଯିବା ଆସିବା କରିବାକୁ ମତେ ସମସ୍ତେ ମନା କଲେ । କେହି କେହି ମତେ very dangerous, ଅର୍ଥାତ୍ ମୁଁ ଜଣେ ଅତି ଭୀଷଣ ଲୋକ ବୋଲି କହି ମୋ ସହିତ କଥା ହେବାକୁ ଭୟ କଲେ । ଏପରି ଅବସ୍ଥାରେ ଏଣିକି କୌଣସି ଓଡ଼ିଆ ମେସକୁ ଯିବା ଆସିବା କରିବା ମତେ ନିରାପଦ ଜଣାଗଲା ନାହିଁ । ଦିନକୁ ଦିନ କଲିକତାରେ ରହିବା ମତେ ଅସମ୍ଭବ ଜଣାଗଲା । ଭାବିଲି, କଲିକତା ଛାଡ଼ି ଚାଲିଯିବି; କିନ୍ତୁ କୁଆଡ଼କୁ ଯିବି ତାହା ଭାବି ସ୍ଥିର କରିବା କଠିନ ଜଣାଗଲା-। ଏପରି ସମୟରେ ପଣ୍ଡିତ ଗୋପବନ୍ଧୁ ଦାସ କଲିକତାରେ ଉପସ୍ଥିତ ହେଲେ । କାଉନ୍‌ସିଲ ମିଟିଙ୍ଗ୍‌ରେ ଯୋଗ ଦେବାପାଇଁ ସେ ପାଟଣା ଯିବା ରାସ୍ତାରେ କଲିକତା ଆସିଥାନ୍ତି । ସେ ଆସିଥିବା ସମ୍ୱାଦ ପାଇ ମୁଁ ତାହାଙ୍କ ସହିତ ଦେଖାକଲି । ଶାନ୍ତିନିକେତନକୁ ସେ ଯାଇଥିବା ସମୟର କଥୋପକଥନ ଅନୁସାରେ ମୁଁ ସତ୍ୟବାଦୀ ଯିବାପାଇଁ ଇଚ୍ଛା ପ୍ରକାଶ କଲି । ତାହାଙ୍କ ଅନୁମତି ପାଇ କଲିକତା ଛାଡ଼ି ମୁଁ ସତ୍ୟବାଦୀରେ ୧୯୧୭ ମସିହା ଡିସେମ୍ୱର ମାସରେ ଆସି ଉପସ୍ଥିତ ହେଲି ।

Image

 

ତୃତୀୟ ପରିଚ୍ଛେଦ

ସତ୍ୟବାଦୀରେ ଅବସ୍ଥିତି

 

ସତ୍ୟବାଦୀକୁ ଆସି ଗୋପବନ୍ଧୁ ବାବୁଙ୍କ ବସାରେ ରହିଲି । ସ୍କୁଲ ସହିତ ମୋର କୌଣସି ସମ୍ପର୍କ ନ ଥାଏ । ସତ୍ୟବାଦୀ ସ୍କୁଲ ସେତେବେଳକୁ ତା’ର ଉନ୍ନତିର ଚରମ ସୀମାରେ । ପଣ୍ଡିତ ଗୋପବନ୍ଧୁ ଦାସ ସେତେବେଳକୁ ବିହାର ଓଡ଼ିଶା କାଉନ୍‌ସିଲର ଅନରେବଲ୍ ମେମ୍ୱର । ସେ କାଉନ୍‌ସିଲକୁ ଯାଇ କାଉନ୍‌ସିଲରେ ଦେଶପାଇଁ କ’ଣ କରାଯାଇ ପାରେ ତାହା ଦେଶବାସୀଙ୍କୁ ଦେଖାଇ ପାରିଛନ୍ତି । ସେତେବେଳେ କାଉନ୍‌ସିଲରେ ଗୋଟିଏ ପ୍ରଶ୍ନ ପଚାରିବା କିମ୍ୱା କୌଣସି ବିଷୟରେ ସରକାରୀ କାର୍ଯ୍ୟକୁ ସମାଲୋଚନା କରି ଗୋଟିଏବକ୍ତୃତା ଦେବା ଓଡ଼ିଶାରେ ବଡ଼ କାର୍ଯ୍ୟ ବୋଲି ବିବେଚିତ ହେଉଥାଏ । ଗୋପବନ୍ଧୁ ବାବୁ କାଉନ୍‌ସିଲକୁ ଯିବାଦ୍ୱାରା ଏତିକ ଲାଭ ହେଉଛି-ମର୍ଲେ-ମିଣ୍ଟୋ ସଂସ୍କାର ଫଳରେ ଦେଶ କ’ଣ କେତେ ଅଧିକାର ପାଇଲା ତାହା ପୂର୍ବ ମେମ୍ବରମାନଙ୍କ କାର୍ଯ୍ୟରୁ ଲୋକେ କିଛି ବୁଝିପାରୁ ନ ଥିଲେ, କିନ୍ତୁ ଗୋପବନ୍ଧୁ ବାବୁ କାଉନ୍‌ସିଲକୁ ଯିବାଦିନୁ ଓଡ଼ିଶାର ଅନେକ ଲୋକ ଏହା ବୁଝିଛନ୍ତି । ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ପ୍ରସଙ୍ଗ ନେଇ କାଉନ୍‌ସିଲରେ ପ୍ରଶ୍ନ କରିବା ପାଇଁ ଲୋକେ ଗୋପବନ୍ଧୁ ବାବୁଙ୍କ ନିକଟରେ ଆବେଦନ କରୁଛନ୍ତି । ତାହାଙ୍କଦ୍ୱାରା ଦେଶର ଏତିକି ଆଖି ଫିଟିଛି ବୋଲି କୁହାଯାଇ ପାରେ ।

 

ଗୋପବନ୍ଧୁ ବାବୁ ସତ୍ୟବାଦୀ ସ୍କୁଲର ପ୍ରତିଷ୍ଠାତା, ଏଣେ କାଉନ୍‌ସିଲର ମେମ୍ବର । ଦେଶରେ ତାଙ୍କର ବେଶ ଖ୍ୟାତି ଅଛି । ସରକାରୀ ଓ ବେସରକାରୀଉଭୟ ମହଲରେ ମଧ୍ୟ ତାଙ୍କର ସୁନାମ ଓ ପ୍ରତିପତ୍ତି ଅଛି । ତାଙ୍କର କଥାକୁ ଉଭୟ ଲୋକେ ମନଦେଇ ଶୁଣୁଛନ୍ତି । ଦଶପଲ୍ଲା ମେଳି ସମୟରେ ଗୋପବନ୍ଧୁ ବାବୁଙ୍କୁ ଓକିଲାତି କରୁଥିବାର ମୁଁ ଦେଖିଥିଲି । କିନ୍ତୁ ଗୋପବନ୍ଧୁ ବାବୁ ଆଉ ଓକିଲ ନାହାନ୍ତି । ସେ ବର୍ତ୍ତମାନ ଦେଶର ଜଣେ ପ୍ରଧାନ ନେତୃସ୍ଥାନୀୟ ବ୍ୟକ୍ତି । ତାହାଙ୍କ କାର୍ଯ୍ୟ ଓ ଚିନ୍ତା ଦେଶରେ ଗୋଟିଏ ନୂତନ ଜୀବନ ସୃଷ୍ଟି କରିଥିଲା ପରି ଜଣାପଡ଼ୁଛି । ଅନେକ ଲୋକ ଅନେକ ବିଷୟରେ ତାହାଙ୍କ ସାହାଯ୍ୟ ଓ ପରାମର୍ଶ ଲୋଡ଼ୁଛନ୍ତି । ବୋଧ ହେଉଛି ଗୋପବନ୍ଧୁ ଦାସ ଓଡ଼ିଶାର ପ୍ରାଣ ଓ ମନ । ତାହାଙ୍କର କାର୍ଯ୍ୟ ଓଡ଼ିଶାର କର୍ତ୍ତବ୍ୟ । ସେ ଯାହା ଚିନ୍ତା କରୁଛନ୍ତି ସମଗ୍ର ଓଡ଼ିଶା ତାହାହିଁ ଚିନ୍ତା କରୁଛି ବୋଲି ପ୍ରତୀୟମାନ ହେଉଛି ।

 

ବର୍ତ୍ତମାନ ମୁଁ ଗୋପବନ୍ଧୁ ବାବୁଙ୍କ ନିକଟରେ ଆସି ରହିଲି । ତାହାଙ୍କ ନିକଟରେ ଥିବା ପର୍ଯ୍ୟନ୍ତ ମୁଁ ଟିକିଏ ନିରାପଦରେ ରହିପାରିବି ବୋଲି ମୋର ଆତ୍ମବିଶ୍ୱାସ ଜନ୍ମିଛି । ଏହାଙ୍କ ନିକଟରେ ରହିଥିବା ପର୍ଯ୍ୟନ୍ତ ପୋଲିସ ମୁଁ ଏଠାରେ ଥିବାରଜାଣିଲେ, ମୋର ଭୟର କିଛି କାରଣ ନାହିଁ ବୋଲି ମୁଁ ମନେ ମନେ ଭାବୁଛି । ଭୟ କହିଲେ, ମୁଁ ଧରା ହେବାକୁ ଭୟ କରୁଛି, ଠିକ୍ ତାହା ନୁହେ । ପୋଲିସ ଧରିବା ଭୟରେ ମୁଁ ଡରି ଅସ୍ଥିର ହେଉଛି, ଏହା ମଧ୍ୟ ନୁହେ । ଦଶପଲ୍ଲାରୁ ପଳାଇ ଆସିବା ଦିନୁ ମୁଁ ଜୀବନର ମାୟା ମମତା ଏକପ୍ରକାର ତ୍ୟାଗ କରିଛି । ମୋର ଜୀବନ ପ୍ରତି ଲୋଭ ନାହିଁ । କୌଣସି ପ୍ରକାର ଦୁଃଖ କଷ୍ଟ ସହ୍ୟ କରିବାକୁ ମୋର ହୃଦୟ ତିଳେ ମାତ୍ର ସଂକୁଞ୍ଚିତ ହୁଏ ନାହିଁ । ବିପ୍ଳବବାଦୀ ହେଲା ଦିନୁ ଜୀବନକୁ ହାତମୁଠାରେ ଧରି ପ୍ରତି ମୁହୂର୍ତ୍ତରେ ଜୀବନ ଦାନ କରିବାକୁ ପ୍ରସ୍ତୁତ । ଜୀବନ ଦାନ କରିବାରେ ମୂଲ୍ୟ ରହିବା ଆବଶ୍ୟକ । ଦୁଃଖ ନିର୍ଯ୍ୟାତନା ଭୋଗ କରିବାଦ୍ୱାରା ଦେଶର ସ୍ୱାଧୀନତା-ସଂଗ୍ରାମପଥ ଅଗ୍ରଗାମୀ ହେବା ଉଚିତ୍ । ତାହା ନ ହେଲେ ମିଛରେ କାହିଁକି ପୋଲିସ ହାତରେ ଧରା ଦେଇ ଅକାରଣ ଦୁଃଖ ନିର୍ଯ୍ୟାତନା ସହ୍ୟ କରିବି । ପୋଲିସ ଆଖିରେ ଧୂଳି ପକାଇ ପଳାଇ ପାରିଲେ ଜୀବନରେ ଅଧିକ ସାହସର ସହିତ କାର୍ଯ୍ୟ କରିବା ପାଇଁ ମନ ସବୁବେଳେ କଳ୍ପନା ରାଜ୍ୟରେ ଭାସୁଥାଏ । ଏହି ସବୁ କାରଣରୁ ମୁଁ ଏପରି ଲୁଚି ଲୁଚି ଆତ୍ମରକ୍ଷା କରୁଛି । ଯୁଦ୍ଧ ଶେଷ ନ ହେବା ପର୍ଯ୍ୟନ୍ତ ଭାରତ ରକ୍ଷା ଆଇନ ଜାରୀ ରହିଥିବ । କଲିକତାରେ ଧର ପଗଡ଼ ଚାଲିଥିବ । ବିପ୍ଳବୀଦଳ ସହିତ ମୋର ଖିଅ ଲଗାଇବା ସମ୍ଭବପର ହେବ ନାହିଁ । ଏଥିପାଇଁ କଲିକତା ଛାଡ଼ି ମୁଁ ଇତସ୍ତତଃ ହେଉଛି । ଏବେ ସତ୍ୟବାଦୀ ଆସିଛି । କିନ୍ତୁ ଏଠାରେ ମୁଁ କେତେଦିନ ରହିପାରିବି ? ଏଠାରେ ମୋ ବିଷୟ ନେଇ ପୋଲିସ ଅନୁସନ୍ଧାନ ହେବ କି ନାହିଁ ? ମୁଁ ଏଠାରେ ଥିବାର ପୋଲିସକୁ ଜଣାପଡ଼ିଲେ ପୋଲିସହାତରୁ ଗୋପବନ୍ଧୁ ବାବୁ ମତେ ରକ୍ଷା କରିପାରିବେ କି ନାହିଁ ? ଏ ସବୁ ଭଲ କରି ନ ଜାଣିଲା ପର୍ଯ୍ୟନ୍ତ ମୁଁ କୌଣସି କାର୍ଯ୍ୟଭାର ଗ୍ରହଣ କରିବା ଉଚିତ ନୁହେ । ସତ୍ୟବାଦୀରେ କିଛିଦିନ ରହିବାକୁ ହେବ । ରହି କ’ଣ କରିବି କିଛି ସ୍ଥିର କରିପାରୁ ନାହିଁ । ଗୋପବନ୍ଧୁ ବାବୁ ଗୋଟିଏ ଛାପାଖାନା କରିବାକୁ ଇଚ୍ଛାରଖିଥାନ୍ତି । ଛାପାଖାନା କଲେ ତହିଁର ଭାର ମତେ ଦେବେ ବୋଲି ସେ ଭାବିଥାନ୍ତି । ଗୋପବନ୍ଧୁ ବାବୁ ଜାଣନ୍ତି ନାହିଁ ଯେ ପୋଲିସ ମତେ ଏପରିତୀବ୍ର ଭାବରେ ଖୋଜୁଛି ।

 

ସତ୍ୟବାଦୀରେ ଅବଶ୍ୟ ମୁଁ ରହିଲି; କିନ୍ତୁ କୌଣସି କାର୍ଯ୍ୟରେ ମୋର ମନ ଲାଗିଲା ନାହିଁ । ମନରେ ଆନନ୍ଦ ଆସିଲାନାହିଁ । ମୋର ବ୍ୟବହାର କାହାରି ସହିତ ଖାପ ଖାଇଲା ନାହିଁ । ଅଧିକାଂଶ ସମୟ ମୁଁବଡ଼ ବିମର୍ଷ ଥାଏ । ଟିକିଏ କଥାରେ ମୋ ମନରେ କ୍ରୋଧ ଜାତ ହୁଏ । ମୋର ବ୍ୟବହାର କାହାକୁ ଭଲ ଲାଗେ ନାହିଁ । ମୁଁ ଯେଉଁ ଭାବ ଦ୍ୱାରା ପ୍ରଣୋଦିତ ହୋଇ କାର୍ଯ୍ୟ କରୁଥିଲି ଅବା ଅଧିକ କାର୍ଯ୍ୟ କରିବାର କଳ୍ପନା ବାନ୍ଧିଛି, ତହିଁର କୌଣସି ଆଭାସ କାହାରିଠାରୁ ପାଉ ନାହିଁ । କାହାରି ସହିତ ମନ ଖୋଲି କଥା ହେବାକୁ କେହି ନାହାନ୍ତି । ଓଡ଼ିଶାରେ କୌଣସି ପ୍ରକାର ରାଜନୈତିକ ଚର୍ଚ୍ଚା ନାହିଁ । ରାଜନୈତିକ ଅନୁଷ୍ଠାନ କହିଲେ ‘ଉତ୍କଳ ସମ୍ମିଳନୀ’ । କଂଗ୍ରେସର କୌଣସି ନାମଗନ୍ଧ ନାହିଁ । ଏପରି ଅବସ୍ଥାରେ ଭାରତର ସ୍ୱାଧୀନତା କଳ୍ପନା କରିବା ଅସମ୍ଭବ ।

 

ସତ୍ୟବାଦୀକୁ ଆସିଲା ଦିନୁ ଦଶପଲ୍ଲା କାହାଣୀ ମନେ ପଡ଼ୁଛି । ବେଳେ ବେଳେ ମନେ ହେଉଛି କଲିକତାରେ ରହିଥିଲେ ବିପ୍ଳବବାଦୀ ଦଳ ସହିତ ଖିଅ ଯୋଖି ହେବାର ସମ୍ଭାବନା ରହିଥାନ୍ତା, କିନ୍ତୁ ଏଠାରେ ତହିଁର କୌଣସି ସମ୍ଭାବନା ନାହିଁ । ପୁଣି ମୁଁ ଯଦି ଧରାପଡ଼େ ତେବେ ଗୋପବନ୍ଧୁ ବାବୁ ମତେ କ’ଣ ପୋଲିସ ହାତରୁ ବଞ୍ଚାଇ ପାରିବେ ? କଲିକତା ପୋଲିସ ମୋର ସନ୍ଧାନ ପାଇଲେ ମତେ ଅନ୍ତରୀଣ ବନ୍ଦୀରୂପେ ଅଟକାଇ ରଖିବ । ଏପରି ସ୍ଥଳେ ଗୋପବନ୍ଧୁ ବାବୁଙ୍କ ନିକଟରେ ମୁଁ ଅଟକ ରହିଯିବାର ସମ୍ଭବପର ହୋଇପାରେ । କିନ୍ତୁ ଦଶପଲ୍ଲା ଓ୍ୟାରଣ୍ଟରେ ଧରା ହେଲେ ସେଥିରୁ ମୁକ୍ତି ପାଇବାର ଉପାୟ କିଛି ନାହିଁ । ଜାଣି ଶୁଣି ଜୀବନଟା ଜେଲଖାନାରେ କଟିବ । ଦେଶପାଇଁ କୌଣସି କାର୍ଯ୍ୟ କରିବାର ସୌଭାଗ୍ୟ ଏ ଜୀବନରେ ଆଉ ଘଟିବ କି ନା ସନ୍ଦେହ । ଏହିପରି ନାନା ପ୍ରକାର ଭାବନା ମନରେ ଖେଳିଯାଏ । ମନ ବଡ଼ ଅସ୍ଥିର ହୁଏ । ମୋତେ ଏପରି ଅସ୍ଥିର ଏବଂ ଅବ୍ୟବସ୍ଥିତ ଅବସ୍ଥାରେ ଦେଖି ଗୋପବନ୍ଧୁ ବାବୁ ବେଳେ ବେଳେ ବଡ଼ ଚିନ୍ତିତ ହେବାର ମୁଁ ବୁଝିପାରୁ ଥାଏ । ମତେ ସବୁବେଳେ ଅନ୍ୟମନସ୍କ ଓ ବିମର୍ଷ ଦେଖି ସେ ବେଳେ ବେଳେ ଅନେକ କଥା ମତେ ବୁଝାଇ କୁହନ୍ତି । ତାହାଙ୍କ କଥା ମନଦେଇ ଶୁଣିଲେ ମଧ୍ୟ, ମୋର ମନର ଚାଞ୍ଚଲ୍ୟ ଦୂର ହୁଏ ନାହିଁ । ମୁଁ ଭାବୁଥାଏ, ଭାରତ ରକ୍ଷା ଆଇନ୍‌ ଜାରୀ ରହିଥିବା ପର୍ଯ୍ୟନ୍ତ ମତେ କୌଣସି ପ୍ରକାରେ ଏଠାରେ ରହିବାକୁ ପଡ଼ିବ । ମୋର ବିଶ୍ୱାସ, ଗୋପବନ୍ଧୁ ବାବୁଙ୍କ ନିକଟରେ ନ ରହି ଅନ୍ୟ କୌଣସି ସ୍ଥାନରେ ଥିଲେ ମୁଁ କଦାପି ଏଠାରୁ ଅଧିକ ଶାନ୍ତିରେ ନ ଥାନ୍ତି ।

 

ସେ ଯାହାହେଉ ଇତି ମଧ୍ୟରେ ସତ୍ୟବାଦୀ ସ୍କୁଲର ଛାତ୍ରମାନେ ଖଣ୍ଡପଡ଼ା ଗଡ଼ଜାତ ବୁଲିଯିବାର ପ୍ରସ୍ତାବ ହେଲା । ଛାତ୍ର ଶିକ୍ଷକ ସମସ୍ତେ ବୁଲିବାକୁ ଯିବେ । ପ୍ରତିବର୍ଷ ସତ୍ୟବାଦୀ ସ୍କୁଲର ଛାତ୍ରବୃନ୍ଦ ଏହିପରି ଭାବରେ ଭ୍ରମଣ କରିବା ସତ୍ୟବାଦୀ ସ୍କୁଲର ବିଶେଷତ୍ୱ । ଓଡ଼ିଶାର ଇତିହାସ ପ୍ରସିଦ୍ଧ କୌଣସି ଗୋଟିଏ ସ୍ଥାନବିଶେଷକୁ ଯାଇସେହି ସ୍ଥାନର ଐତିହାସିକ, ଭୌଗୋଳିକ ଓ ରାଜନୈତିକ ବିଶିଷ୍ଟତା ଆଲୋଚନା କରି ଛାତ୍ରମାନଙ୍କ ମନରେ ଦେଶପ୍ରୀତି ଭାବ ଜାଗରୂକ କରିବା ସତ୍ୟବାଦୀ ସ୍କୁଲ ଶିକ୍ଷା ପ୍ରଣାଳୀର ଗୋଟିଏ ପ୍ରଧାନ ଅଙ୍ଗ । ଏଥି ପୂର୍ବରୁ ଛାତ୍ର ଶିକ୍ଷକ ବହୁସ୍ଥାନ ବୁଲିଛନ୍ତି । ଏଥର ଖଣ୍ଡପଡ଼ାଗଡ଼ଜାତ ବୁଲି ଯିବାର ପ୍ରସ୍ତାବ ହେଉଛି । ଏ ପ୍ରସ୍ତାବ ଶୁଣି ମୁଁ ସେମାନଙ୍କ ସହିତ ଯିବାକୁ ଇଚ୍ଛା ପ୍ରକାଶ କଲି । ଦଶପଲ୍ଲାକୁ ଖଣ୍ଡପଡ଼ା ରାଜ୍ୟ ଲାଗିଛି । ଦଶପଲ୍ଲା ମେଳିରେ ମୋ ନାମରେ ଓ୍ୟାରଣ୍ଟ ହୁଏତ ଖଣ୍ଡପଡ଼ା ପୋଲିସ ପାଖକୁ ଆସିଥିବ । ଏପରି ଅବସ୍ଥାରେ ମୋର ସେଠାକୁ ଯିବା ଗୋପବନ୍ଧୁ ବାବୁ ପସନ୍ଦ କରି ନ ଥିଲେ । କିନ୍ତୁ ମୁଁ ଟିକିଏ ବୁଲି ଆସିଲେ ମନ ପରିବର୍ତ୍ତନ ହୋଇପାରେ, ଏହା ଭାବି ଗୋପବନ୍ଧୁ ବାବୁ ଶେଷରେ ମତେ ଅନୁମତି ଦେଲେ । ଛାତ୍ର ଓ ଶିକ୍ଷକମାନଙ୍କ ସହିତ ମୁଁ ମଧ୍ୟ ବୁଲିବାକୁ ବାହାରିଲି । ଆମ୍ଭେମାନେ ସମସ୍ତେ ଚାଲିକରି ଗଲୁ । ଖଣ୍ଡାପଡ଼ାରେ ପହଞ୍ଚିବାକୁ ତିନି ଦିନ ଲାଗିଲା । ଏହି ତିନି ଦିନ ମୁଁ ସବୁ ଭୁଲି ଯାଇଛି । ଏହି ତିନି ଦିନର ଭ୍ରମଣ ବୃତ୍ତାନ୍ତ ଭୁଲି ହେବ ନାହିଁ । ସାଙ୍ଗରେ ନୀଳକଣ୍ଠ ବାବୁ ଓ ଆଚାର୍ଯ୍ୟ ହରିହର ଦାସ ଥାନ୍ତି । ଛାତ୍ର ଶିକ୍ଷକ ସମସ୍ତେ ଆମ୍ଭେମାନେ ପ୍ରାୟ ଦୁଇ ଶହରୁ ଅଧିକ ଲୋକ ଯାତ୍ରା କରୁଥାଉଁ । ଖାଇବା, ବସିବା, ଶୋଇବା ଓ ଚାଲିବା ସମୟରେ ନାନା ପ୍ରକାର ଗଳ୍ପ, ନାନାପ୍ରକାର ଉଦାହରଣ, ନାନାପ୍ରକାର ଚର୍ଚ୍ଚା ହୁଏ । ବାଟରେ ଯେତେ ସବୁ ବିଶିଷ୍ଟ ସ୍ଥାନ ଅବା ଗ୍ରାମ ପଡ଼େ ସେ ବିଷୟରେ ନୀଳକଣ୍ଠ ବାବୁଙ୍କର କେତେ ପ୍ରକାର ଟୀକା ଟିପଣୀ, ହାସ୍ୟପୂର୍ଣ୍ଣ କଥା ଓ ଶିକ୍ଷାପୂର୍ଣ୍ଣ ବକ୍ତୃତା ଚାଲେ ତାହାସବୁ ଲେଖି ହେବ ନାହିଁ । ଏସବୁ ମନେ ପଡ଼ିଲେ କେବଳ ଗୋଟିଏ ଭାବ ମନରେ ଜାତ ହୁଏ । ସତ୍ୟବାଦୀ ସ୍କୁଲପରିଓଡ଼ିଶାରେ ସ୍କୁଲ ନ ହେଲେ ଏ ଦେଶର ଆଖି ସହଜରେ ଫିଟିବ ନାହିଁ ।

 

ସେ ଯାହା ହେଉ ଶେଷରେ ଆମ୍ଭେମାନେ ଯାଇ ଖଣ୍ଡପଡ଼ା ଗଡ଼ ମୁକାମରେ ହାଜର ହେଲୁ । ଗଡ଼ରେ ପହୁଞ୍ଚିଲା ବେଳକୁ ରାତ୍ରି ପ୍ରାୟ ୯ଟାହେବ । ସମସ୍ତେ ରାଜାଘର ଅତିଥି ହୋଇ ରହିଲେ । ସତ୍ୟବାଦୀ ସ୍କୁଲର ଛାତ୍ର ଓ ଶିକ୍ଷକ ଆସୁଛନ୍ତି ବୋଲି ଖଣ୍ଡପଡ଼ା ରାଜାସାହେବଅନେକ ବନ୍ଦୋବସ୍ତ କରାଇଥାନ୍ତି । କିନ୍ତୁ ମୁଁ ସମସ୍ତଙ୍କ ସହିତରେ ରହି ନ ଥିଲି । ମୋର ଭଉଣୀଘର ଖଣ୍ଡାପଡ଼ା ନିଜ ଗଡ଼ରେ । ପୁଣି ଗଡ଼ ମୁକାମରେ ମତେ ଟିକିଏ ଲୁଚି ରହିବାକୁ ହେବ । ଏଥିପାଇଁ ମୁଁ ସେମାନଙ୍କ ସାଙ୍ଗ ଛାଡ଼ି ରାତ୍ରି ୧୦ଟା ସମୟରେ ମୋର ଭଉଣୀଘରଠାରେ ଉପସ୍ଥିତ ହେଲି । ଦଶପଲ୍ଲା ମେଳିରେ ଧରାହୋଇ, ଦଶପଲ୍ଲା ଛାଡ଼ି ପଳାଇ ଆସିଲା ଦିନୁଁ ମୋର କୌଣସି ସମ୍ବାଦ ମୋର ଭଉଣୀ ପାଇ ନାହିଁ । ପିଲାଦିନୁଁ ଆମ୍ଭେମାନେ ପିତୃମାତୃଶୂନ୍ୟ । ଆମ୍ଭେ ଭାଇ ଭଉଣୀ ଦୁଇଟି ପିତାମାତାଙ୍କର କେବଳ ସନ୍ତାନ । ବାପଘରର ସୁଖ ସୁଲଭ କ’ଣ ତାହା ମୋର ଭଉଣୀ କିଛିଜାଣେ ନାହିଁ । କଟକରେ ମୁଁ ପାଠ ପଢ଼ିଲାବେଳେ ତାହା ମନରେ ନାନାପ୍ରକାର ସୁଖ ସ୍ୱପ୍ନ ଜାଗି ଉଠିବା ସ୍ୱାଭାବିକ, ମାତ୍ର ଦଶପଲ୍ଲା ମେଳିରେ ଜଡ଼ିତ ହୋଇ ମୁଁ ପଳାଇ ଆସିଲା ଦିନୁତା’ର ଦୁଃଖର ସୀମା ନାହିଁ । ମୋର କୌଣସି ସମ୍ବାଦ ନ ପାଇ ତାହାର ମନ କ’ଣ ହେଉଥିବ ତାହା କେବଳ ସେ ଜାଣେ । ଏପରି ଅବସ୍ଥାରେ ଏପରି ଅଚାନକ ଭାବରେ ମୁଁ ରାତି ଦଶଟାରେ ଯାଇ ଘରେ ଉପସ୍ଥିତ ହେଲି । ହଠାତ୍ ମତେ ଦେଖିବାକୁ ପାଇ ଶୋକ ଓ ଆନନ୍ଦରେ ତା’ର ପ୍ରାଣ ଉଛୁଳି ଉଠିଲା । ତାଙ୍କଘରକୁ ଲାଗିମୋର ନିଜ ମାଉସୀ ଘର । ମୋର ଭଉଣୀ ଘରର ପାଟି ତୁଣ୍ଡ ଶୁଣି ମୁଁ ଆସି ଥିବାର ସମ୍ବାଦ ପାଇ ସେ ମଧ୍ୟ ଦୌଡ଼ି ଆସିଲେ । ମୋର ଅଜାଙ୍କର ଦୁଇଟି କନ୍ୟା ଓ ଦୁଇଟି ଜନ୍ମିତ ପୁତ୍ର । ମୋର ମାଉସୀଙ୍କୁ ଛାଡ଼ିଦେଲେ ଅଜା ଘରର ଆଉ କେହି ନାହାନ୍ତି । ତାଙ୍କର ସମସ୍ତେ ମରିଛନ୍ତି । ମୋର ଅଜା ଆଈ ମରିବାଦିନୁ ସେ ଆଉ ଦଶପଲ୍ଲା ଯାଇ ନାହିଁ । ଆଜି ମତେ ହଠାତ୍ ଦେଖି ତାଙ୍କର ଦୁଃଖ ଶୋକର ବନ୍ଧ ଭାଙ୍ଗି ଯାଉଛି । ମୋର ପିଲା ଦିନର ସମସ୍ତ ସୁଖ ସୁଲଭ କଥା ମନେକରି ସେ କାନ୍ଦୁଛି । ମୁଁ ଯେତେ ବୁଝାଇଲେ ମୋ କଥା କେହି ଶୁଣିବାକୁ ନାହାନ୍ତି । ଏସବୁ ଦେଖି ମୋର ହୃଦୟ ମଧ୍ୟ ତରଳି ଗଲା । ଏପରି ଦୃଶ୍ୟ ଦେଖିଲେ ପଥର ମଧ୍ୟ ପାଣି ହୋଇଯିବ । ମନୁଷ୍ୟର ଧୈର୍ଯ୍ୟ କେତେ ? କୌଣସି ପ୍ରକାରେ ବୁଝାଇ ସୁଝାଇନୀରବ କରାଇଲି । ଖଣ୍ଡାପଡ଼ାରେ ଦୁଇଦିନ ରହଣି ହେଲା । ଏ ଦୁଇଦିନ ଏକପ୍ରକାର ମୁଁ ଲୁଚି ରହିଲି ବୋଲି କହିଲେ ଚଳେ । ତା’ରପର କଣ୍ଟିଲୋ ଯାତ୍ରା ଆରମ୍ଭ ହେଲା ।

 

ମୁଁ ଖଣ୍ଡାପଡ଼ା ଗଡ଼ ଛାଡ଼ି ଆସିବା ଦିନର ଦୃଶ୍ୟ ଆହୁରି ହୃଦୟ ବିଦାରକ । ସେହି ଦୃଶ୍ୟ ଅଦ୍ୟାପି ମୋର ମନେ ପଡ଼ିଯାଏ । ମୋର ସେହି ଭଉଣୀ ଅଛି ଏବଂ ମାଉସୀ ମଧ୍ୟ ଅଛି । ସାଧାରଣ ଗୃହସ୍ଥ ପରି ମତେ ସଂସାର ନ କରିବାର ଦେଖି ସେମାନେ ଏବେ ମଧ୍ୟ ସବୁବେଳେ କାନ୍ଦୁଛନ୍ତି । ହୃଦୟ କେତେ ଟାଣ କଲେ ମନୁଷ୍ୟ ସଂସାର ବନ୍ଧନ କାଟି ପାରିବ ତାହା ମୁଁ ଆଜି ବେଶ ଅନୁଭବ କରି ପାରୁଛି । ମୋର ଦୈନନ୍ଦିନ ଜୀବନରେ ଶତ ଶତ ପରିବାରଙ୍କ ସୁଖ ଦୁଃଖର ଚିନ୍ତାରେ ନିଜକୁ ଭସାଇ ଦେଇ ପାରିଥିବାରୁ ମୁଁ ମୋର ଭଉଣୀର ଦୁଃଖକୁ ଅନୁଭବ କରିବା ମୋ ପକ୍ଷରେ ବଡ଼ ସହଜ ହୋଇ ପାରିଛି । ଏସବୁ କଥା ହୃଦୟରେ ଅନୁଭବ କରି ପାରୁଥିଲେ ମଧ୍ୟ କ୍ଷଣକପାଇଁ ମୁଁ ଦୁଃଖ କିମ୍ବା ଶୋକରେ ଅଧୀର ହୋଇ ନାହିଁ । ଦେଶପ୍ରତି କର୍ତ୍ତବ୍ୟ ମୁଁ ଭୁଲି ଯାଇ ନାହିଁ । ଦେଶ କିପରି ସ୍ୱାଧୀନ ହେବ, ଏହି କଥା ମୋତେ ପାଗଳ କରିଥିବାରୁ ମୁଁ ସମସ୍ତ ପ୍ରକାର ସାଂସାରିକ ବନ୍ଧନକୁ ଛେଦନ କରିବା ପାଇଁ ସକ୍ଷମ ହୋଇଛି । ଏହି ତ୍ୟାଗ ଏବଂ କର୍ତ୍ତବ୍ୟଜ୍ଞାନ କେବଳ ରାଜନୀତି, ଉତ୍ଥାନପତ୍ତନ, ବାଦ, ବିବାଦ, ବିସମ୍ବାଦ ଭିତରେ ମତେ ଧୈର୍ଯ୍ୟଚ୍ୟୁତ ନ କରାଇ ସବୁବେଳେ ମୋର ହୃଦୟରେ ବଳ ଓ କର୍ମପ୍ରେରଣା ଭାବ ଜାଗ୍ରତ କରାଇ ମତେ ଜୀବିତ ରଖିଛି ଏବଂ ମୋ ମନରେ ଆନନ୍ଦ ଦେଉଛି ।

 

ସେ ଯାହାହେଉ ଆମ୍ଭେମାନେ କଣ୍ଟିଲୋ ଆସିଲୁ । ଏହି ସ୍ଥାନଟି ପ୍ରାଚୀନ ଓଡ଼ିଶାର ଗୋଟିଏ ପ୍ରାଚୀନ ବାଣିଜ୍ୟପେଣ୍ଠ । କଣ୍ଟିଲୋ କଂସାବାସନପାଇଁ ପ୍ରସିଦ୍ଧ । ନୀଳମାଧବ ନାମରେ ଏକ ଠାକୁର-ମନ୍ଦିର ଏଠାରେ ଅଛି । ଏଥିପାଇଁ ଏହା ଗୋଟିଏ ତୀର୍ଥ ସ୍ଥାନ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ନୀଳମାଧବଙ୍କ ସ୍ଥାନଟି ଓଡ଼ିଶାରେ ଗୋଟିଏ ଅତି ରମଣୀୟ ଦୃଶ୍ୟ । ଏହି ନୀଳମାଧବ ମନ୍ଦିର କେବେ କାହାଦ୍ୱାରା ନିର୍ମିତ ହୋଇଅଛି ତାହା ମୁଁ କହିପାରିବି ନାହିଁ । ଲୋକମୁଖରୁ ଶୁଣାଯାଏ, ନୀଳମାଧବଙ୍କ ମନ୍ଦିର ପୁରୀ ଜଗନ୍ନାଥ ମନ୍ଦିରଠାରୁ ପୁରାତନ । ଏହି ନୀଳମାଧବଙ୍କ ଭୋଗ ମହାପ୍ରସାଦ ହେବାର ଥିଲା । କିନ୍ତୁ କି କାରଣରୁ ତାହା ହୋଇ ପାରିଲା ନାହିଁ ତାହା କହି ହେବ ନାହିଁ । ମହାନଦୀ କୁଳରେ ଗୋଟିଏ ଛୋଟ ପାହାଡ଼ ଉପରେ ଏହି ମନ୍ଦିରଟି ଅବସ୍ଥିତ । ଏହି ସ୍ଥାନର ପ୍ରାକୃତିକ ସୌନ୍ଦର୍ଯ୍ୟର ତୁଳନା ନାହିଁ । ଓଡ଼ିଶାରେ ଜନ୍ମଗ୍ରହଣ କରି କଣ୍ଟିଲୋ ନୀଳମାଧବଙ୍କ ସ୍ଥାନର ରମଣୀୟ ଦୃଶ୍ୟ ଯେ ନ ଦେଖିଛି ତାହାର ଜୀବନ ବୃଥା ବୋଲି କୁହାଯାଇ ପାରେ । କେବଳ ଏହି ସ୍ଥାନଟିର ଦୃଶ୍ୟ ଦେଖିବାକୁ ସତ୍ୟବାଦୀ ସ୍କୁଲର ଛାତ୍ର ଓ ଶିକ୍ଷକ ସେଠାକୁ ଯାଇଛନ୍ତି । ସମସ୍ତେ ଏହି ସ୍ଥାନର ସୌନ୍ଦର୍ଯ୍ୟରେ ମୁଗ୍‌ଧ । ଛାତ୍ର ଓ ଶିକ୍ଷକ ସମସ୍ତେ ଦଳ ଦଳ ହୋଇ ବସିଛନ୍ତି । ଓଡ଼ିଶାର ପୂର୍ବ କୀର୍ତ୍ତି ବିଷୟ ସ୍ମରଣ କରି ବହୁତ ଆଲୋଚନା ପଡ଼ିଛି । ଏହି ସ୍ଥାନର ସୌନ୍ଦର୍ଯ୍ୟ ସମସ୍ତଙ୍କ ମନରେ ଓଡ଼ିଶାର ପୂର୍ବ ଗୌରବ ଗାଥା ସ୍ମରଣ କରାଇ ଦେଇଛି । ସମସ୍ତେ ଆତ୍ମବିସ୍ମୃତ ହେଲା ପ୍ରାୟ ବୋଧ ହେଉଛି । କିନ୍ତୁ ଏହି ସ୍ଥାନକୁ ଆସିଲା ମୁହୂର୍ତ୍ତରୁ ମୋର ମନର ଅବସ୍ଥା ଭଲ ନାହିଁ । ଏହି ସ୍ଥାନର ସୌନ୍ଦର୍ଯ୍ୟ ଅନୁଭବ କରିବା ଭଳି ପ୍ରାଣରେ ଉଚ୍ଛାସ ନାହିଁ । କଣ୍ଟିଲୋର ଅଳ୍ପ ଦୂରରେ ଦଶପଲ୍ଲା ରାଜ୍ୟ । ଦଶପଲ୍ଲାରୁ ପଳାଇ ଆସିଲା ଦିନ ଏହି କଣ୍ଟିଲୋ ବାଟେ ମୁଁ ଆସିଥିଲି । ନୀଳମାଧବଙ୍କ ପାହାଡ଼ ଉପରେ ଠିଆହେଲେ ଦଶପଲ୍ଲାର ବନ ପାହାଡ଼ ଦେଖା ପଡ଼ୁଛି । ଦଶପଲ୍ଲା ଆଡ଼କୁ ମୋର ମନ ଟାଣିହୋଇ ଯାଉଛି । ଦଶପଲ୍ଲା ମେଳି ସଂକ୍ରାନ୍ତ ସମସ୍ତ ଘଟଣା ମୋର ହୃଦୟପଟରେ ନାଚି ଉଠୁଛି । ଦଶପଲ୍ଲା ରାଜ୍ୟ ନିକଟରେ ଉପସ୍ଥିତ ହେଲେ ଏପରି ଭାବ ମନରେ ଖେଳିଯିବ, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଏପରି ଅବସ୍ଥାରେ କଣ୍ଟିଲୋର ମନୋମୁଗ୍‌ଧକର ସୌନ୍ଦର୍ଯ୍ୟରେ ଆନନ୍ଦ ଉପଭୋଗ କରିବି କିପରି ? ଏଠାକୁ ଆସି ମୋ ମନରେ ଏକ ପ୍ରକାର ଦୁଃଖ ଓ ଶୋକ ମିଶ୍ରିତ କ୍ରୋଧର ତରଙ୍ଗ ଖେଳି ଯାଉଛି । କଣ୍ଟିଲୋ ଛାଡ଼ି ପଳାଇ ଆସିବାକୁ ମନ ଡାକୁଛି । ଯଥାସମୟରେ କଣ୍ଟିଲୋ ଆମ୍ଭେମାନେ ଛାଡ଼ି ଆସି ସତ୍ୟବାଦୀରେ ହାଜର ହେଲୁ । ଫେରିଲା ବେଳକୁ କିପରି ଆସିଲୁ, କ’ଣ ଘଟିଲା ସେସବୁ ମୋର ଆଉ ମନେ ରହିଲା ନାହିଁ ।

 

ସତ୍ୟବାଦୀକୁ ଫେରିଲା ପରେ ଗୋପବନ୍ଧୁ ବାବୁଙ୍କ ବସାରେ ମୁଁ ରହିଲି । କିଛିଦିନ ପରେ ଗୋପବନ୍ଧୁ ବାବୁଙ୍କ ବସାରୁ ଚୋରୀ ହେଲା । ଛାପାଖାନା କରିବା ପାଇଁ ଗୋପବନ୍ଧୁ ବାବୁ ବାରଶହ ଟଙ୍କା ରଖିଥିଲେ । ରାତିରେ ଚୋର ପଶି ସେ ଟଙ୍କା ଯାକ ସବୁ ନେଇଗଲା । ଚୋରୀ ଗଲାଦିନ ମୁଁ ଓ ଗୋପବନ୍ଧୁ ବାବୁ ଦୁଇଜଣ କେବଳ ବସାରେ ଥିଲୁ । ପୋଲିସ ଥାନାରେ ଚୋରୀ ଇତାଲା କଟା ହେଲା । ପୁରୀରୁ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ଏହି ଚୋରୀ ସମ୍ୱାଦ ପାଇ ସତ୍ୟବାଦୀ ଆସିଲେ । ଚୋରୀରେ ମୋର କିଛି ହାତ ଅଛି ବୋଲି ପୋଲିସର ସନ୍ଦେହ ଜାତ ହେଲା । ମତେ ପୋଲିସ ହାତରେ ଦେଇ ଦେବାକୁ ପୋଲିସ ଗୋପବନ୍ଧୁ ବାବୁଙ୍କୁ ଅନୁରୋଧ କଲା । ପୋଲିସର ଏପରି ସନ୍ଦେହ ଓ ଅନୁରୋଧ ଶୁଣି ଗୋପବନ୍ଧୁ ବାବୁ କହିଲେ, “ଗୋବିନ୍ଦକୁ ସନ୍ଦେହ କରିବା ଠିକ ନୁହେ । ମୋର ତାହା ଉପରେ ତିଳେ ମାତ୍ର ସନ୍ଦେହ ନାହିଁ । ସ୍ୱୟଂ ଭଗବାନ ଯଦି କହନ୍ତି ଯେ ଗୋବିନ୍ଦ ଚୋରୀ କରିଛି କିମ୍ୱା ଚୋରୀ କଥା କିଛି ଜାଣେ, ତଥାପି ମୁଁ ବିଶ୍ୱାସ କରିବି ନାହିଁ । ତୁମ ସନ୍ଦେହରେ ମୁଁ ତାକୁ ଥାନାକୁ ପଠାଇ ନ ପାରେ ।” ଗୋପବନ୍ଧୁ ବାବୁଙ୍କଠାରୁ ଏପରି ଉତ୍ତର ପାଇ ପୋଲିସ ନିରୁତ୍ତର । ଅବଶ୍ୟ ଚୋରୀ ବିଷୟ ନେଇ ପୋଲିସର ସନ୍ଦେହ ଦୂର ହେଲା । କିନ୍ତୁ ମୁଁ କିଏ, କେଉଁ ଗୋବିନ୍ଦ ମିଶ୍ର ତାହା ଅନୁସନ୍ଧାନ କରି ପୋଲିସ ଜାଣି ପାରିଲା ଯେ ମୁଁ ଜଣେ Political suspect,ସୁତରାଂ a very dangerous man । ପୁରୀ ପୋଲିସ ସୁପରିଟେଣ୍ଡେଣ୍ଟ ମୋ ବିଷୟ ନେଇ ଗୋପବନ୍ଧୁ ବାବୁଙ୍କୁ କିଛି ପଚାରି ଥିବ । କିନ୍ତୁ ଏହାପରେ ସତ୍ୟବାଦୀରେ ରହିବାକୁ ମୋର ଇଚ୍ଛା ବଳିଲା ନାହିଁ । ସତ୍ୟବାଦୀ ଛାଡ଼ିଯିବା ପାଇଁ ମଧ୍ୟ ଗୋପବନ୍ଧୁ ବାବୁ ପ୍ରଭୃତି ସମସ୍ତେ ମତେ ପରାମର୍ଶ ଦେଲେ । ଅବଶେଷରେ ୧୯୧୮ ମସିହା ଜୁଲାଇ ମାସରେ ମତେ ସତ୍ୟବାଦୀ ଛାଡ଼ି ଯିବାକୁ ପଡ଼ିଲା ।

Image

 

ଚତୁର୍ଥ ପରିଚ୍ଛେଦ

ପଳାତକ ଜୀବନ

 

ସତ୍ୟବାଦୀ ଛାଡ଼ିବାର କଥା-ମୁଁ ଛାଡ଼ି ଆସିଲି । କେବଳ ପୋଲିସ ଅନୁସନ୍ଧାନ ଯୋଗୁ ସତ୍ୟବାଦୀ ଛାଡ଼ିବା ଏକମାତ୍ର କାରଣ ନୁହେ । ସତ୍ୟବାଦୀ ରାଜନୈତିକ ଚର୍ଚ୍ଚା କରିବାର କ୍ଷେତ୍ର ନ ଥିଲା । ଦେଶକୁ ସ୍ୱାଧୀନ କରିବା ପାଇଁ କୌଣସି ପ୍ରକାର ରାଜନୈତିକ ଆଲୋଚନା ସେଠାରେ ହେଉ ନ ଥିଲା । ରାଜନୈତିକ ଆଦର୍ଶର ମଧ୍ୟ ଅଭାବ ଥିଲା । ଯୁଦ୍ଧ ହେତୁ ରାଜନୈତିକ ପରିସ୍ଥିତିରେ କିପରି ପରିବର୍ତ୍ତନ ଘଟୁଛି ସେଥିପ୍ରତି କାହାରି ଦୃଷ୍ଟି ନାହିଁ । ପରିବର୍ତ୍ତିତ ପରିସ୍ଥିତି ପ୍ରତି ଦୃଷ୍ଟି ରଖି ଦେଶରେ କୌଣସି ପ୍ରକାର ଆନ୍ଦୋଳନ ସୃଷ୍ଟି କରିବାର କଳ୍ପନା ସତ୍ୟବାଦୀରେ କାହାରି ମନକୁ ସ୍ପର୍ଶ କରୁଥିଲା ଭଳି ମତେ ଦେଖା ଗଲା ନାହିଁ ।

 

ଯୁଦ୍ଧ ଆରମ୍ଭରେ ଇଂରେଜ ସରକାର ଭାରତର ସାହାଯ୍ୟ ଓ ସହାନୁଭୂତି ଭିକ୍ଷା କରିଥିଲେ । ସେତେବେଳେ ଏ ଦେଶରେ ଇଂରେଜି ସରକାରଙ୍କ ଉଦ୍ଦେଶ୍ୟ ଓ ଆଦର୍ଶ ବିଷୟରେ ସେତେବେଳର ଭାରତ ସଚିବ ମଣ୍ଟାଗୁ ସାହେବ ବିଲାତର ପାର୍ଲିଆମେଣ୍ଟରେ ଗୋଟିଏ ଘୋଷଣା ଜାରୀ କରିଥିଲେ । ଏହି ଘୋଷଣା ଶୁଣି ଭାରତର ସେତେବେଳର ରାଜନୈତିକ ନେତାମାନେ ଏକସ୍ୱରରେ ମଣ୍ଟାଗୁ ସାହେବଙ୍କ ଏହି ଘୋଷଣାକୁ ପ୍ରଶଂସା କରିଥିଲେ । ଭାରତର ଜନମତ ଜାଣିବା ପାଇଁ ଭାରତ ସଚିବ ମଣ୍ଟାଗୁ ସାହେବ ଏ ଦେଶକୁ ବୁଲି ଆସିଥିଲେ । ମଣ୍ଟାଗୁ ସାହେବ ଏ ଦେଶକୁ ଆସି ବିଭିନ୍ନ ରାଜନୈତିକ ନେତାମାନଙ୍କ ସହିତ କଥୋପକଥନ କରି ଭାରତବାସୀଙ୍କର ଇଚ୍ଛା ଓ ଆକାଙ୍କ୍ଷା ଜାଣିବାକୁ ପ୍ରୟତ୍ନ କରିଥିଲେ । ମଣ୍ଟାଗୁ ସାହେବ ଭାରତକୁ ଆଗମନ କରିବାଦ୍ୱାରା ଦେଶରେ ଗୋଟିଏ ରାଜନୈତିକ ଆନ୍ଦୋଳନ ସୃଷ୍ଟି ହୋଇଥିଲା । ବିଭିନ୍ନ ପ୍ରଦେଶରେ ସ୍ଥାନେ ସ୍ଥାନେ ସଭା କରି, ଦେଶ କ’ଣ ଦାବୀ କରେ ଏହା ଜଣାଇବା ପାଇଁ ଲୋକମତ ସୃଷ୍ଟି କରା ଯାଇଥିଲା । ବିଭିନ୍ନ ପ୍ରଦେଶରୁ ହଜାର ହଜାର ଲକ୍ଷ ଲକ୍ଷ ଦସ୍ତଖତରେ ଦେଶର ଦାବୀ ଉଲ୍ଳେଖ କରି ମଣ୍ଟାଗୁ ସାହେବଙ୍କ ନିକଟକୁ ଦରଖାସ୍ତ ପଠାଗଲା । ଏହି ସମୟରେ ବଙ୍ଗଳାର ନେତା ଦେଶବନ୍ଧୁ ଦାସ ବଙ୍ଗ ଦେଶରେ ବୁଲି ପ୍ରଚାର କରିଥିଲେ । ସେ ସେତେବେଳକୁ ବାରିଷ୍ଟରୀ କରୁଥାନ୍ତି । ସେ ଜଣେ ବଡ଼ ବାରିଷ୍ଟର ଓ ଜଣେ ହୃଦୟବାନ୍ ଲୋକ ବୋଲି ଦେଶରେ ଖ୍ୟାତି ଥାଏ-। ସେ ତାଙ୍କ ବକ୍ତୃତାରେ ବୁଝାଉଥାନ୍ତି–ଆମ୍ଭର ଦାବି ଉପସ୍ଥାପିତ କଲାବେଳେ ଇଂରେଜ ସରକାର ଆମକୁ ଏତେ ଅଧିକାର ଦେବେ କି ନାହିଁ ଏ କଥାଟି ଭୁଲିଯାଇ ଦେଶ କ’ଣ ଚାହେଁ ସେକଥାଟି ପୂର୍ଣ୍ଣମାତ୍ରାରେ ଜଣାଇବା ଦରକାର । ଆମ ଦାବୀ ଇଂରେଜ ସରକାର କେତେ ଗ୍ରହଣ କରିବେ ଓ କେତେ ନ କରିବେ, ଏ ଭାବକୁ ମନରେ ସ୍ଥାନ ଦେବା ଉଚିତ ନୁହେଁ । ମଣ୍ଟାଗୁ ସାହେବଙ୍କ ଆଗମନ ପରେ ଏ ଦେଶରେ ଆନି ବେଶାନ୍ତ ‘Home Rules’ ଆନ୍ଦୋଳନ ସୃଷ୍ଟି କରିଥିଲେ । ଇଂରେଜ ସାମ୍ରାଜ୍ୟ ଭିତରେ ଦକ୍ଷିଣ ଆଫ୍ରିକା, କାନେଡା ରାଜ୍ୟମାନେ ଯେପରି ଔପନିବେଶିକ ସ୍ୱାୟତ୍ତ ଶାସନ ଅଧିକାର ପାଇଛନ୍ତି ଭାରତ ସେହିପରି ଅଧିକାର କିପରି ପାଇବ, ଏଥିପାଇଁ ଶ୍ରୀମତୀ ଆନି ବେଶାନ୍ତଙ୍କର ‘Home Rules’ ଆନ୍ଦୋଳନର ସୃଷ୍ଟି । ଶ୍ରୀମତୀ ବେଶାନ୍ତ ଯୁଦ୍ଧବେଳେ ଏପରି ଗୋଟିଏ ଆନ୍ଦୋଳନ ସୃଷ୍ଟି କରିବାରୁ ସରକାର ତାହାଙ୍କୁ ଭାରତ ରକ୍ଷା ଆଇନ୍ ବଳରେ ଗିରଫ କରି ଅଟକ ରଖିଲେ । ତାହାଙ୍କ ସଙ୍ଗରେ ଆରୁଣ୍ଡେଲ ନାମକ ଆଉ ଜଣେ ତାହାଙ୍କ ସହକର୍ମୀ ମଧ୍ୟ ଅଟକ ରହିଲେ । ଶ୍ରୀମତୀ ଆନି ବେଶାନ୍ତଙ୍କୁ ଅଟକ ରଖିବା ଦ୍ୱାରା ଦେଶରେ ଗୋଟିଏ ଚହଳ ପଡ଼ିଗଲା । ହୋମ ରୁଲ୍ ଆନ୍ଦୋଳନ ପ୍ରବଳ ଆକାର ଧାରଣ କଲା । ଆନି ବେଶାନ୍ତଙ୍କୁ ଛାଡ଼ ଦେବା ପାଇଁ ଚାରିଆଡ଼େ ସଭା ସମିତି ହୋଇ, ଭୀଷଣ ଆନ୍ଦୋଳନ ସୃଷ୍ଟି ହେଲା । ଏହି ଆନ୍ଦୋଳନ ଫଳରେ ଆନି ବେଶାନ୍ତ ପ୍ରଭୃତି ଛାଡ଼ ପାଇଲେ । କଲିକତା କଂଗ୍ରେସରେ ବେଶାନ୍ତ ସଭାପତି ହେଲେ । ଏହି କଂଗ୍ରେସରେ ମୁସଲେମ ଲିଗ ଓ କଂଗ୍ରେସ ମିଶି, କଂଗ୍ରେସ ଲିଗ ନାମକ ସ୍ୱାୟତ୍ତ ଶାସନ ପାଇଁ ଗୋଟିଏ ଦାବୀ କରାଗଲା ।

 

ମଣ୍ଟାଗୁ ସାହେବ ଏ ଦେଶକୁ ଆସିଲା ବେଳକୁ ଚେମ୍‌ସଫୋର୍ଡ ସାହେବ ଏ ଦେଶର ବଡ଼ଲାଟ ଥିଲେ । ବଡ଼ଲାଟ ଚେମ୍‌ସଫୋର୍ଡ ଓ ମଣ୍ଟାଗୁ ସାହେବ ମିଶି ଭାରତର ସ୍ୱାୟତ୍ତ ଶାସନ ପାଇଁ ଗୋଟିଏ ରିପୋର୍ଟ ଅନୁସାରେ ବିଲାତର ପାର୍ଲିୟାମେଣ୍ଟରେ ଗୋଟିଏ ଆଇନ୍ ପାସ ହେଲା । ତାହା ଦେଶରେ ମଣ୍ଟାଗୁ-ଚେମ୍‌ସଫୋର୍ଡ ଶାସନ ସଂସ୍କାର ନାମରେ ପରିଚିତ ହୋଇ ପ୍ରଚଳିତ ହୋଇଅଛି । ମଣ୍ଟାଗୁ-ଚେମ୍‌ସଫୋର୍ଡ ଶାସନ ସଂସ୍କାର ଆଇନରେ ଭାରତ ଯାହା କିଛି ପାଇଛି ତାହା କିଛି ନୁହେଁ । ତଥାପି ଭାରତରେ କ୍ରମଶଃ ସ୍ୱାୟତ୍ତ ଶାସନ ସ୍ଥାପନ କରିବା ଇଂରେଜ ସରକାରଙ୍କର ଉଦ୍ଦେଶ୍ୟ ବୋଲି ମଣ୍ଟାଗୁ ସାହେବ ଘୋଷଣା କରି ଏ ଦେଶରୁ ଯୁଦ୍ଧ ପାଇଁ ସାହାଯ୍ୟ ମାଗିଲାବେଳେ, ତିଳକ ମହାରାଜ କହିଥିଲେ, “ଇଂରେଜ ସରକାର ଆଗ ଆମକୁ ସ୍ୱାୟତ୍ତ ଶାସନ ଦିଅନ୍ତୁ ତା’ରପର ଆମେ ତାହାଙ୍କୁ ସାହାଯ୍ୟ କରିବୁ । ଇଂରେଜ ସରକାର ଏ ଦେଶକୁ କି ଅଧିକାର ଦେବେ ତାହା ନ ଦେଖିଲା ପର୍ଯ୍ୟନ୍ତ ଦେଶବାସୀ କୌଣସି ପ୍ରକାର ସାହାଯ୍ୟ କରିବା ଉଚିତ ନୁହେ-।” ତିଳକ ମହାରାଜ ଏ କଥା ପ୍ରଚାର କଲା ବେଳକୁ ମହାତ୍ମା ଗାନ୍ଧି କହିଲେ, “ବିପଦ ବେଳେ ସାହାଯ୍ୟ କରିବା ବନ୍ଧୁର କାର୍ଯ୍ୟ ।” ଏହା କହି ମହାତ୍ମା ଗାନ୍ଧି ସରକାରଙ୍କୁ ଧନ ଜନ ସାହାଯ୍ୟ କରିବା ପାଇଁ ଗୁଜୁରାଟ ପ୍ରଦେଶରେ ପ୍ରଚାର କରିଥିଲେ । ଗାନ୍ଧିଜୀଙ୍କର ଏହି କାର୍ଯ୍ୟ ସେତେବେଳେ ମୋତେ ବିରକ୍ତିକର ବୋଧ ହୋଇଥିଲା । ଗାନ୍ଧି ଅହିଂସାବାଦୀ ହୋଇ ଯୁଦ୍ଧରେ ସାହାଯ୍ୟ କରିବା ପାଇଁ କିପରି କହିଥିଲେ ଏହା ସେତେବେଳେ ମୁଁ ବୁଝି ନାହିଁ କିମ୍ୱା ଅଦ୍ୟାବଧି ମଧ୍ୟ ବୁଝି ପାରି ନାହିଁ-

 

ସେ ଯାହା ହେଉ ଜର୍ମାନ ଯୁଦ୍ଧରେ ମିତ୍ରଶକ୍ତିର ଅବସ୍ଥା ଦିନକୁ ଦିନ ସାଂଘାତିକ ହୋଇ ଉଠିଲା । ଇଂରେଜ ସରକାର ତାଙ୍କର ପ୍ରମାଦ ଗଣିଲେ । ଏହି ବିପଦବେଳେ ଭାରତବାସୀ ସରକାରଙ୍କୁ କିପରି କ’ଣ ସାହାଯ୍ୟ କରିବେ, ଏହା ବୁଝାଇବା ପାଇଁ ବଡ଼ଲାଟ ଲର୍ଡ ଚେମ୍‌ସଫୋର୍ଡ ଦିଲ୍ଲୀଠାରେ ଗୋଟିଏ ବୈଠକ ବସାଇଥିଲେ । ଏହି ବୈଠକକୁ ଅନେକ ରାଜା ମହାରାଜା ନିମନ୍ତ୍ରିତ ହୋଇଥିଲେ । ଅନେକ ରାଜନୈତିକ ନେତା ମଧ୍ୟ ଡକରା ହୋଇଥିଲେ । ଗାନ୍ଧିଜୀ ଯାଇଥିଲେ ଏହା କହିବା ଅନାବଶ୍ୟକ । କିନ୍ତୁ ଏହି ସମ୍ମିଳନୀକୁ ତିଳକ ମହାରାଜ ଓ ଆନି ବେଶାନ୍ତଙ୍କୁ ଡକା ଯାଇ ନ ଥିଲା । ଏଥିପାଇଁ ମହାତ୍ମା ଗାନ୍ଧି ପ୍ରତିବାଦ କରିଥିଲେ । ଗାନ୍ଧିଜୀଙ୍କର ଏହି ପ୍ରତିବାଦ ସେତେବେଳେର ରାଜନୈତିକ ମହଲରେ ଗୋଟିଏ ଚାଞ୍ଚଲ୍ୟ ସୃଷ୍ଟି କରି ଦେଇଥିଲା । ଯୁଦ୍ଧରେ ସାହାଯ୍ୟ କରିବା ପାଇଁ ଗାନ୍ଧିଜୀ କହିଥିଲେ ବୋଲି ତାଙ୍କ ପ୍ରତି ମୋ ମନରେ ଯାହା ଟିକିଏ ବିରକ୍ତି ଜାତ ହୋଇଥିଲା, ବର୍ତ୍ତମାନ ତାହାଙ୍କର ଏହି ପ୍ରତିବାଦ ଶୁଣି ମୋର ମନ ତାଙ୍କ ଆଡ଼କୁ ଟାଣିହେଲା-। ଗାନ୍ଧିଜୀ କ’ଣ କହୁଛନ୍ତି ଅବା କ’ଣ କରୁଛନ୍ତି ତାହା ଜାଣିବା ପାଇଁ ସବୁବେଳେ ମୋ ମନ ଉଦ୍‌ବେଗ ଥାଏ । ତାଙ୍କ କଥା ଜାଣିବାରେ ମନ ଏକପ୍ରକାର ଆନନ୍ଦ ଅନୁଭବ କରେ । ସତ୍ୟବାଦୀ ସ୍କୁଲ ଛାଡ଼ି ଆସିଲା ବେଳେ ମନେ ମନେ ମୁଁ ଭାବୁଥାଏ ସୁବିଧା ସୁଯୋଗ ପାଇଲେ ଗାନ୍ଧିଜୀଙ୍କ ଆଶ୍ରମରେ ଯାଇ ଯୋଗ ଦେବି । କିନ୍ତୁ ଅହିଂସାବାଦ ଉପରେ ମୋର ବିଶ୍ୱାସ ଜନ୍ମି ନ ଥାଏ । ତେଣୁ ଗାନ୍ଧିଜୀଙ୍କ କଥା ଶୁଣିବାକୁ ମନରେ ଆଗ୍ରହ ଜାତ ହେଉଥିଲେ ମଧ୍ୟ ତାଙ୍କ ନିକଟକୁ ଯିବାକୁ ହୃଦୟରେ ଆବେଗ ଆସେ ନାହିଁ । କୌଣସି ପ୍ରକାରେ ପୁଣି ବିପ୍ଳବୀ ଦଳ ସହିତ ସବଂଧ ଲଗାଇବାକୁ ମନରେ ତୀବ୍ର ଇଚ୍ଛା ଜାଗି ଉଠେ । ଗାନ୍ଧିଜୀଙ୍କ କଥା ମନରୁ ପାସୋର ଯାଏ । ଏହିପରି ଭାବରେ ସେତେବେଳର ମୋ ଜୀବନ ଓ ଚିନ୍ତା ବଡ଼ ଅବ୍ୟବସ୍ଥିତ ଥାଏ ବୋଲି ମୁଁ କହିପାରେ ।

 

ଏହିପରି ଅବ୍ୟବସ୍ଥିତ ଚିତ୍ତରେ ମୁଁ ସତ୍ୟବାଦୀ ଛାଡ଼ି ଆସିଲି ସତ୍ୟବାଦୀ ଛାଡ଼ି ଆସିଲା ବେଳେ ସ୍ୱର୍ଗୀୟ କୃପାସିନ୍ଧୁ ମିଶ୍ରଙ୍କଠାରୁ ବିଦାୟ ନେବାକୁ ଉପସ୍ଥିତ ହେଲି । ମୁଁ କୃପାସିନ୍ଧୁ ବାବୁଙ୍କ ସହିତ ଅନେକ ସମୟରେ ବସି ଦେଶର ଭଲ ମନ୍ଦ ଆଲୋଚନା କରେ । ସେ ଜଣେ ଐତିହାସିକ । ଦେଶ ବିଦେଶର ଇତିହାସ ସେ ବହୁତ ଆଲୋଚନା କରୁଥାନ୍ତି । ଓଡ଼ିଶାର ଧାରାବାହିକ ଇତିହାସ ଲେଖିବାକୁ ସେ ସବୁବେଳେ ତଥ୍ୟ ସଂଗ୍ରହ କରୁଥାନ୍ତି । ତାହାଙ୍କ ଦ୍ୱାରା ଲିଖିତ କୋଣାର୍କ ଓ ବାରବାଟୀ ଦୁର୍ଗର ବହି ତାହାଙ୍କ ଐତିହାସିକ ଗବେଷଣାର ପରିଚୟ ଦେବ । ସେ ସତ୍ୟବାଦୀର ଅନ୍ୟାନ୍ୟ କର୍ମୀଙ୍କ ପରି ଏମ୍‍. ଏ. ପାସ କରି ସତ୍ୟବାଦୀ ଅନୁଷ୍ଠାନ ଗଢ଼ିବାକୁ ଜୀବନ ଉତ୍ସର୍ଗ କରିଥିଲେ । ସତ୍ୟବାଦୀ ଅନୁଷ୍ଠାନ ମୌଳିକ କଳ୍ପନାର ନିଦର୍ଶନ, ଏହା କେବଳ କୃପାସିନ୍ଧୁ ମିଶ୍ରଙ୍କଦ୍ୱାରା ଲିଖିତ କୋଣାର୍କ ଓ ବାରବାଟି ବହି ଦୁଇଖଣ୍ଡି ପରିଚୟ ଦିଏ । ସେ ଯାହା ହେଉ ଦେଶର ପ୍ରତ୍ୟେକ ଘଟଣାକୁ ଐତିହାସିକ ଦୃଷ୍ଟିରେ କୃପାସିନ୍ଧୁ ବାବୁ ଦେଖିଲେ । ରାଜନୈତିକ ଚର୍ଚ୍ଚା ଇତିହାସର ପ୍ରଧାନ ଅଙ୍ଗ, ଦେଶର ପ୍ରତ୍ୟେକ କଳ୍ପନା ଓ କାର୍ଯ୍ୟକ୍ରମ ଦେଶ ଓ ଜାତିର ଇତିହାସକୁ ଗଠନ କରେ ବୋଲି ସେ ସବୁବେଳେ କହନ୍ତି । ଏହିପରି କେତେକ କାରଣରୁ ତାହାଙ୍କ ସହିତ ମୋର ହୃଦୟର ଭାବତରଙ୍ଗର ଟିକିଏ ମିଳନ ଥାଏ । ମୁଁ ତାହାଙ୍କୁ ସ୍ନେହ ଓ ଭକ୍ତି କରୁଥାଏ । ସତ୍ୟବାଦୀ ଛାଡ଼ିଲା ବେଳେ ତାହାଙ୍କ ଠାରୁ ବିଦାୟ ନେବା ସ୍ୱାଭାବିକ । ବିଦାୟ ନେବା ପାଇଁ ମୁଁ ତାହାଙ୍କ ନିକଟରେ ଉପସ୍ଥିତ ହେଲି । ମତେ ଦେଖି କୃପାସିନ୍ଧୁ ବାବୁ ଉଠିଆସି ମତେ କୁଣ୍ଢେଇ ପକାଇଲେ । ସ୍ନେହ ସ୍ୱରରେ କହିଲେ, ‘‘ଗୋବିନ୍ଦ, ତୁମ୍ଭଙ୍କୁ ବିଦାୟ ଦେବା ବଡ଼ କଷ୍ଟ । ଆଜି ତୁମ୍ଭଙ୍କୁ ଏଠାରୁ ବିଦାୟ ଦେବା ଅର୍ଥ ତୁମ୍ଭଙ୍କୁ କୌଣସି ଗୋଟିଏ ଅନିର୍ଦ୍ଦିଷ୍ଟ ଅଜଣା ରାଜ୍ୟକୁ ଠେଲିଦେବା । ତୁମ୍ଭେ ଯାଉଛ ଓ ଯିବ, କିନ୍ତୁ କେଉଁଠାରେ ରହିବ, କ’ଣ କରିବ ମତେ ଜଣାଇବ । ତୁମ୍ଭ ବିଷୟ ଜାଣିବାକୁ ମୁଁ ସବୁବେଳେ ସତୃଷ୍ଣ ନୟନରେ ଚାହିଁ ରହିଲା ପରି ଚାହିଁଥିବି ।’’

 

ସତ୍ୟବାଦୀ ଛାଡ଼ି ଆସି କଟକରେ ଉପସ୍ଥିତ ହେଲି । କଟକରେ ଦଶପଲ୍ଲାର କେତୋଟି ଛାତ୍ର କଟକ ତିନିକୋଣିଆ ବଗିଚା ନିକଟ ଗୋଟିଏ ବଙ୍ଗାଳୀ ଘରେ ମେସ କରି ରହିଥାନ୍ତି । ଦଶପଲ୍ଲା ସ୍କୁଲର ପଣ୍ଡିତ କାର୍ଯ୍ୟ କରିଥିବା ଦୀନବନ୍ଧୁ ପଣ୍ଡା ଉକ୍ତ ମେସର ସୁପରିଂଟେଣ୍ଡେଣ୍ଟ । ଦୀନବନ୍ଧୁ ପଣ୍ଡା ଦଶପଲ୍ଲା ଛାଡ଼ି, ମାସକୁ ଟ୧୦ଙ୍କା ଦରମାରେ କଟକ ସେମିନାରୀ ସ୍କୁଲରେ ଜନୈକ ଶିକ୍ଷକ କାର୍ଯ୍ୟ କରୁଥାନ୍ତି । ଦୀନବନ୍ଧୁ ପଣ୍ଡା ଦଶପଲ୍ଲାରେ ଜଣେ ଲୋକପ୍ରିୟ ପଣ୍ଡିତ ଥିଲେ-। ଦଶପଲ୍ଲା ରାଜ୍ୟରେ ସମସ୍ତେ ତାଙ୍କୁ ଜାଣିଥିଲେ ଓ ବଡ଼ ଆଦର ମଧ୍ୟ କରୁଥିଲେ । ଉଚ୍ଚ ଶିକ୍ଷା ପାଇଁ ଦଶପଲ୍ଲା ଛାତ୍ରମାନଙ୍କୁ ସେ ସବୁବେଳେ ଉତ୍ସାହ ଦିଅନ୍ତି । ଏହିପରି କେତେକ କାରଣରୁ ସେ ବିଶ୍ୱାଳଙ୍କର କୋପଦୃଷ୍ଟିରେ ପଡ଼ି ସେଠାରୁ ବିତାଡ଼ିତ ହୋଇଛନ୍ତି । ଦଶପଲ୍ଲାରୁ ବିତାଡ଼ିତ ହେଲେ ମଧ୍ୟ ଦଶପଲ୍ଲାକୁ ସେ ଭୁଲି ପାରୁ ନାହାନ୍ତି । ତାଙ୍କ ଘର କଟକ ଜିଲା ଯାଜପୁର ସବଡିଭିଜନ ରାମବାଗ ଗ୍ରାମ ନିକଟ ଖଣ୍ଡିଏ ପଲ୍ଲିଗ୍ରାମ । କିନ୍ତୁ ସେ ଦଶପଲ୍ଲାକୁ ନିଜ ଜନ୍ମଭୂମି ଅପେକ୍ଷା ଅଧିକ ଭଲ ପାନ୍ତି । ଦଶପଲ୍ଲାକୁ ଯେତେ ନିଜର ବୋଲି ଭାବନ୍ତି ନିଜ ଗ୍ରାମକୁ ସେତେ ଭାବି ପାରନ୍ତି ନାହିଁ-। ଦଶପଲ୍ଲାର ହିତ କରିବାପାଇଁ ସେ ସବୁବେଳେ ବ୍ୟଗ୍ର । ଦଶପଲ୍ଲାରୁ ବିତାଡ଼ିତ ହେଲେ ମଧ୍ୟ କଟକରେ ପଢ଼ୁଥିବା ଦଶପଲ୍ଲାର କେତୋଟି ଛାତ୍ରଙ୍କୁ ନେଇ ସେ ଗୋଟିଏ ମେସ୍‍ କରିଛନ୍ତି । ଶ୍ୟାମସୁନ୍ଦର ହୋତା ନାମକ ଗୋଟିଏ ଛାତ୍ରକୁ ତାଙ୍କର ନିଜ ଖର୍ଚ୍ଚରେ କଟକରେ ପଢ଼ାଉ ଅଛନ୍ତି । ପଣ୍ଡିତ ଦୀନବନ୍ଧୁ ପଣ୍ଡା ମାସରେ ଦଶଟି ଟଙ୍କା ଦରମା ପାନ୍ତି । ସେଥିରେ ସେ ନିଜେ ଉପବାସ ରହି ମଧ୍ୟ ଶ୍ୟାମସୁନ୍ଦରଙ୍କ ଶିକ୍ଷାର ବ୍ୟୟଭାର ବହନ କରିଥାନ୍ତି । ସତ୍ୟବାଦୀରେ ଥିଲାବେଳେ ଏହା ମୁଁ ଜାଣିଥାଏ । କଟକ ଆସି ମୁଁ ଏହି ପଣ୍ଡିତଙ୍କ ବସାରେ ରହିଲି । ଦଶପଲ୍ଲାରୁ ବାଉରିବନ୍ଧୁ ପୃଷ୍ଟି, ରଘୁନାଥ ପଟ୍ଟନାୟକ, ଶ୍ୟାମସୁନ୍ଦର ହୋତା ଓ ତ୍ରିଲୋଚନ ଦଳବେହେରା ନାମକ ଛାତ୍ର କେତୋଟି ରହିଥାନ୍ତି । ଏମାନଙ୍କ ନିକଟରେ ମୁଁ ୩ । ୪ ଦିନ ରହିଲି । ଦଶପଲ୍ଲା ବିଷୟ ସବୁବେଳେ ଏମାନଙ୍କ ନିକଟରୁ ଶୁଣେ । ଏହି ଛାତ୍ର କେତୋଟିଙ୍କ ନିକଟରେ ବସି ଦେଶର ଭଲ ମନ୍ଦ କଥୋପକଥନ ହେଲା ବେଳେ ମୁଁ ଅତ୍ୟନ୍ତ ଆନନ୍ଦ ପାଏ । ଏହିପରି ଭାବରେ କଟକରେ ଗୋଟିଏ ଦଶପଲ୍ଲା ମେସ୍‍ ସ୍ଥାପନ କରି ଦଶପଲ୍ଲାରୁ ଛାତ୍ର ଉଚ୍ଚଶିକ୍ଷା ପାଇଁ କିପରି କଟକ ଆସିବେ ତହିଁର ସୂତ୍ରପାତ କରିବା ପାଇଁ ମୁଁ ସବୁବେଳେ କହେ । କେତୋଟି ଛାତ୍ରଙ୍କୁ ଏକାଠି କରି ସେମାନଙ୍କ ମନରେ ଦେଶସେବା ଭାବ ଜାଗ୍ରତ କରିବା ପାଇଁ ଉପଦେଶ ଦିଏ । ଏହିଠାରୁ କଟକରେ ଗୋଟିଏ ଦଶପଲ୍ଲା ମେସ୍‍ ସ୍ଥାପନ କରିବାର କଳ୍ପନା ମୋର ଜାଗି ଉଠିଲା । ସେହିକଥା ମଧ୍ୟ ପଣ୍ଡିତ ଦୀନବନ୍ଧୁ ପଣ୍ଡାଙ୍କୁ ବୁଝାଇବାରେ ସେ ତହିଁର ଆବଶ୍ୟକତା ଉପଲବ୍ଧି କଲେ ମଧ୍ୟ ଆର୍ଥିକ ଅବସ୍ଥାରୁ ତାହା ସେତେବେଳେ ସମ୍ଭବପର ହେଉ ନ ଥିଲା ।

 

ଦଶପଲ୍ଲାର ସେହି କେତୋଟି ଛାତ୍ର ସେତେବେଳକୁ ମ୍ୟାଟ୍ରିକ ଚତୁର୍ଥ ଶ୍ରେଣୀରେ ଆସି ନାମ ଲେଖାଇ ଥାନ୍ତି । ସେମାନେ ମୋର କଥା ଶୁଣନ୍ତି । କିନ୍ତୁ ବୁଝୁଥିଲା ପରି ମୋର ବିଶ୍ୱାସ ହୁଏ ନାହିଁ । କିନ୍ତୁ ମୋର କଥା ଗୁଡ଼ିକ ପିଲାମାନଙ୍କ ହୃଦୟକୁ ସ୍ପର୍ଶ କରୁଥାଏ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ତାହା ନ ହେଉଥିଲେ ୧୯୨୫ । ୨୬ ପରେ କଟକରେ ଦଶପଲ୍ଲା ମେସ୍‍ ସ୍ଥାପିତ ହୋଇ ଦଶପଲ୍ଲା ଛାତ୍ର ଉଚ୍ଚଶିକ୍ଷା ପାଇବାରେ ଯେପରି ଯାହା କାର୍ଯ୍ୟ କରିଛି କଦାପି ସମ୍ଭବପର ହେଉ ନ ଥାନ୍ତା । ସେ ଯାହା ହେଉ କଟକରେ ଏହିପରି ଭାବରେ ୨ । ୩ ଦିନ ରହି ଶେଷରେ କଲିକତା ଯିବାକୁ ସ୍ଥିର କଲି ।

 

କଲିକତା ଯାଇ ଏଥର କେଉଁ ସ୍ଥାନରେ ରହିବି, କ’ଣ କରିବି, କିଛି ଭାବି ସ୍ଥିର କରିପାରୁ ନ ଥାଏ । କିପରି ଚଳିବି, କିଛି ବୁଦ୍ଧି ଦେଖା ଯାଏ ନାହିଁ । କୌଣସି ଓଡ଼ିଆ ମେସକୁ ଯିବା ନିରାପଦ ନୁହେଁ । ମୁଁ ଶୁଣୁଥାଏ ଯେ କଲିକତାର ପୋଲିସ କମିଶନର ଟେଗାଟ ସାହେବ ମତେ ଧରିବାକୁ ବହୁତ ଅନୁସନ୍ଧାନ ଚଳାଇ ଅଛନ୍ତି । ମୋର ବାଲ୍ୟସଖା ଓ ସହାଧ୍ୟାୟୀ ପଣ୍ଡିତ ବିନାୟକ ମିଶ୍ରଙ୍କୁ କଲିକତାରେ ପୋଲିସ ବୁଲାଉଛି । ବିନାୟକ ମିଶ୍ର ମତେ ଦେଖି ଚିହ୍ନାଇଦେବେ, ମୁଁ ହେଉଛି ସେହି ଗୋବିନ୍ଦ ମିଶ୍ର । ମୋର ନାମ ଗୋବିନ୍ଦଚନ୍ଦ୍ର ମିଶ୍ର ଏବଂ ବିପ୍ଳବୀ ଗୋବିନ୍ଦଚନ୍ଦ୍ର ମିଶ୍ର ଏହା ପୋଲିସ ଜାଣିବ କିପରି । ମୋ ନାମରେ କଲିକତାରେ ଆଉ କେହି ଓଡ଼ିଆ ନାହାନ୍ତି ତାହା କିଏ ଜାଣେ । ଯଦି କେହି ଥାଏ ତେବେ, କେଉଁ ଗୋବିନ୍ଦଚନ୍ଦ୍ର ମିଶ୍ର ବିପ୍ଳବୀ ତାହାଙ୍କୁ ଚିହ୍ନେଇ ଦେବା ପାଇଁ ଜଣେ ଆବଶ୍ୟକ । କାରଣ ମୋର ଫଟୋ ସେତେବେଳକୁ ନେଇ ନାହିଁ । ମତେ ଚିହ୍ନି ଧରିବାର କୌଣସି ସଂକେତ ନାହିଁ । ଏପରି ଅବସ୍ଥାରେ ପଣ୍ଡିତ ବିନାୟକ ମିଶ୍ରଙ୍କ ସାହାଯ୍ୟ ପୋଲିସ ଦରକାର କରୁଛି-। ବିନାୟକ ମିଶ୍ରଙ୍କୁ କଲିକତା ପୋଲିସ କିପରି କେଉଁଠାରେ ପାଇଲେ, ମୋର ତାହାଙ୍କ ସହିତ ଘନିଷ୍ଠତା ଅଛି ବୋଲି ପୋଲିସଙ୍କୁ କିପରି ଜଣାଗଲା ସେ ବିଷୟରେ ମୁଁ ଏବେ ମଧ୍ୟ କିଛି ଜାଣେ ନାହିଁ । ବିନାୟକ ମିଶ୍ରଙ୍କ ଘର ନୟାଗଡ଼ ଗଡ଼ଜାତ ରାଜ୍ୟରେ । ମୁଁ ନୟାଗଡ଼ ମାଇନର ସ୍କୁଲରେ ପଢ଼ୁଥିଲା ବେଳେ ବିନାୟକ ମିଶ୍ର ମୋର ସହାଧ୍ୟାୟୀ ଥିଲେ । ଆମ୍ଭେ ଦୁହେଁ ମଧ୍ୟ ଏକତ୍ର ଗୋଟିଏ ବସାରେ ଏବଂ ଗୋଟିଏ ଘରେ ରହିଥିଲୁ । ତାହାଙ୍କ ସହିତ ମୋର ନାନା ଭାବରେ ଘନିଷ୍ଠ ବନ୍ଧୁତା ଅଛି । ସେ ମାଇନର ପାସ୍‍ କରି, କଟକ ନରମାଲସ୍କୁଲରେ ଅଧ୍ୟୟନ କରି ନରମାଲ ଟ୍ରେନିଙ୍ଗ ପଣ୍ଡିତ । ନିଜର ଅଧ୍ୟବସାୟ ବଳରେ ଆଜି ସେ କଲିକତା ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ । ଓଡ଼ିଶାର ଐତିହାସିକ ଗବେଷଣା କରି ସେ ଅନେକ ଲେଖା ପ୍ରକାଶ କରିଛନ୍ତି; ୨ । ୩ ଖଣ୍ଡ ବହି ମଧ୍ୟ ଛପାଇ ଅଛନ୍ତି ।

 

ସେ ଯାହା ହେଉ, ଏହିପରି ଭାବରେ କଲିକତାରେ ମତେ ଧରିବାକୁ ପୋଲିସ ଅନୁସନ୍ଧାନ ତୀବ୍ର ଭାବରେ ଚାଲିଛି । ଏହି ସମୟରୁ କଲିକତା କମିଶନର ଟେଗାଟ ସାହେବଙ୍କ ରିପୋଟ ଅନୁସାରେ ଓଡ଼ିଶା ଗଡ଼ଜାତ ମାହାଲର ପଲିଟିକେଲ ଏଜେଣ୍ଟ କବଡ଼େନ ସମରୀ ସାହେବ ମତେ ଗଡ଼ଜାତ ପ୍ରବେଶର ନିଷେଧ ଆଜ୍ଞା ଜାରି କରିଅଛନ୍ତି । ସେହି ଦିନୁ ସମସ୍ତ ଗଡ଼ଜାତ ମତେ ମନା । ଗଡ଼ଜାତ ରାଜ୍ୟରୁ ମୁଁ ବହିଷ୍କୃତ । ଏହିପରି ଅବସ୍ଥାରେ ମୁଁ କଲିକତାରେ ଯାଇ ଉପସ୍ଥିତ ହେଲି । କଟକରୁ ମାନ୍ଦ୍ରାଜ ଡାକଗାଡ଼ିରେ କଲିକତା ଯାତ୍ରା କଲି । ରେଲରେ ନିଦ ନାହିଁ । କଲିକତାରେ ପହୁଞ୍ଚି କେଉଁଠାରେ ଯାଇ ରହିବି ଭାବି ଭାବି କିଛି ସ୍ଥିର କରି ପାରେ ନାହିଁ । ଗାଡ଼ି ଯାଇ ହାବଡ଼ାରେ ସକାଳ ୭ଟାରେ ପହୁଞ୍ଚିଲା । ମୁଁ ଗାଡ଼ିରୁ ଓହ୍ଲାଇ କଲିକତା ଭିତରେ ପ୍ରବେଶ କଲି । କିନ୍ତୁ କେଉଁଠାକୁ ଯିବି ଭାବି କିଛି ସ୍ଥିର କରି ପାରିଲି ନାହିଁ । ହଠାତ୍‍ ବାଟରେ ଗୌର ସହିତ ଦେଖା ହେଲା । ଗୌରର ପୂରାନାମ ଗୌରଚନ୍ଦ୍ର ମୁଖାର୍ଜୀ । ସେ ବୋଲପୁର ଶାନ୍ତିନିକେତନରେ ପଢ଼ୁଥିଲା । ଦୁହେଁ ଏକାଘରେ ଥାଇ ମ୍ୟାଟ୍ରିକ ପରୀକ୍ଷାପାଇଁ ଏକତ୍ର ଅଧ୍ୟୟନ କରିଛୁ । ମ୍ୟାଟ୍ରିକ ପାସ କରି ଗୌର କଲିକତା ସିଟି କଲେଜରେ ନାମ ଲେଖାଇଛି । ଗୌରର ବଡ଼ ଭାଇ ସୁଶୀଳ ମଧ୍ୟ ଶାନ୍ତିନିକେତନର ଛାତ୍ର । ଏହିପରି ଭାବରେ ମୁଁ ତାକୁ ଜାଣେ । ତା’ ସହିତ ତା’ର ଘରଠାରେ ଉପସ୍ଥିତ ହେଲି ଏବଂ ତାରି ଘରେ ମଧ୍ୟ ରହିଲି ।

 

କିନ୍ତୁ ଗୌରର ଘରର ଅବସ୍ଥା ଭଲ ନୁହେ । ସେମାନେ ଭାଇ ଭଉଣୀ ହୋଇ ଚାରୋଟି-। ପିତାଙ୍କ ନିକଟରୁ ପୃଥକ । ଗୌରର ପିତା ଦ୍ୱିତୀୟବାର ଜଣେ ବ୍ରାହ୍ମ ମହିଳାଙ୍କ ସହିତ ବିବାହ କରି ଏମାନଙ୍କଠାରୁ ଅଲଗା ହୋଇ ରହିଛନ୍ତି । ଗୌରର ଭଉଣୀ ହେଉଛନ୍ତି ଏହି ତିନି ଭାଇଙ୍କର ମୁରବି । ସେ ଧାତ୍ରୀ କାର୍ଯ୍ୟ କରି ଭାଇଟିମାନଙ୍କୁ ପାଠ ପଢ଼ାଉ ଅଛନ୍ତି । ଭାଇମାନଙ୍କପାଇଁ ସେ ବିବାହ କରି ନାହାନ୍ତି । ଏହିପରି ତାଙ୍କ ଘରର ଅବସ୍ଥା ସତ୍ତ୍ୱେ ମୁଁ ଗୌର ଘରେ ରହିଲି । ଗୌରର ଦିଦି ଓ ଦାଦା ଆଦି ସମସ୍ତେ ମତେ ତାଙ୍କ ଘରର ଜଣେ ବୋଲି ମନେ କଲେ ସେମାନଙ୍କର ସ୍ନେହ ମୋର ସେତେବେଳର ଅନିଶ୍ଚିତ ଜୀବନରେ ମନରେ ସୁଖ ଶାନ୍ତି ଦେଇଥିଲା । ଗୃହରେ ଭାଇ ଭଉଣୀଙ୍କ ସ୍ନେହ କିପରି ତାହା ଏହିଠାରେ ମୁଁ ଉପଲବ୍‍ଧି କରି ପାରୁଥିଲି । ସେ ଯାହା ହେଉ ଏହିପରି ଭାବରେ ମୁଁ କଲିକତାରେ ରହିଲି । କିନ୍ତୁ ଗୌର ଉପରେ ଗୋଟିଏ ଭାର ହେବି କାହିଁକି-? କଲିକତାରେ ରହିବାକୁ ହେଲେ କିଛି ନା କିଛି କରିବା ଦରକାର । କୌଣସି ପ୍ରକାର ଗୋଟିଏ ବ୍ୟବସାୟ ବାଛିନେବା ଦରକାର । କିନ୍ତୁ କି ବ୍ୟବସାୟ କରିବି ? ବ୍ୟବସାୟ କରିବାକୁ ଅର୍ଥ ଦରକାର । ଅର୍ଥ ମିଳିଲେ ମଧ୍ୟ ମୁଁ ପ୍ରକାଶ୍ୟରେ କିଛି କରି ପାରିବି ନାହିଁ । ପୋଲିସ ନଜରକୁ ଏଡ଼ିଦେଇ ଲୁକ୍କାୟିତଭାବରେ କିଛି କରିବାକୁ ହେବ । ଜର୍ମାନୀଯୁଦ୍ଧ ଶେଷ ନ ହେବା ପର୍ଯ୍ୟନ୍ତ ମତେ ଲୁଚି ରହିବାକୁ ପଡ଼ିବ । ତେବେ ଇତିମଧ୍ୟରେ ବିପ୍ଳବୀ ଦଳ ସହିତ ଯଦି ଖିଅ ପୁଣି ଲାଗିଯାଏ ଏହି ଇଚ୍ଛାରେ କଲିକତାରେ ଆସିଛି; ଏବଂ ସେହି ଇଚ୍ଛା ସବୁବେଳେ ମନରେ ଖେଳୁଛି । କୌଣସି ପ୍ରକାରେ ଜୀବନ ନିର୍ବାହ କରିବା ଏ ଜୀବନର ଉଦ୍ଦେଶ୍ୟ ନୁହେ । ଦେଶର ସ୍ୱାଧୀନତା କାର୍ଯ୍ୟ କରି ପ୍ରାଣବଳି ଦେବା ମୋର ଏକମାତ୍ର ଚିନ୍ତା । ଏପରି ଅବସ୍ଥାରେ ବ୍ୟବସାୟ କଥାଟି ମୋର ମନରେ ଉତ୍ସାହ ଦିଏ ନାହିଁ । କେବଳ ନିଜର ଖର୍ଚ୍ଚ ଚଳାଇବା ପାଇଁ ଅସ୍ଥାୟୀ ଭାବରେ ଯଦି କିଛି କରି ହୁଅନ୍ତା ତେବେ ମନ୍ଦ ନୁହେଁ ।

 

ଏହି ସମୟରେ ନାନା ଲୋକେ ମତେ ନାନା ପ୍ରକାର ଉପଦେଶ ଦେଇଛନ୍ତି । କେତେ ଲୋକଙ୍କର ଉଦାହରଣ ଦେଇ ଭିନ୍ନ ଭିନ୍ନ କର୍ମ ମାର୍ଗ ମତେ ବତାଇ ଅଛନ୍ତି । ଏହିସବୁ ମୁଁ ଶୁଣେ । କିନ୍ତୁ କାହିଁରେ ମୋର ମନ ଲାଗେ ନାହିଁ । ମୋର ମନର କଥା ଖୋଲି କହିବାକୁ ମୋର ମନ ଡାକେ ନାହିଁ । ମୁଁ ସବୁ ଶୁଣେ କିନ୍ତୁ ନୀରବ ରହେ । ମୋର ଭିତରି କଥା କିଛି ସମସ୍ତେ ଜାଣନ୍ତିନାହିଁ-। ମୁଁ ଅକର୍ମା ହୋଇ କଲିକତାରେ ଏଠା ସେଠା ହୋଇ ବୁଲିବାର ଦେଖି କେତେ ଲୋକ କେତେ ପ୍ରକାର କଥା କହନ୍ତି । ଏପରି ଉପଦେଶ ଦେବା ଲୋକଙ୍କ ଉପରେ ମୁଁ ମନେ ମନେ ବିରକ୍ତ ହୁଏ । ଉପଦେଶ ନ ଲୋଡ଼ିଲା ବ୍ୟକ୍ତିକୁ, ଉପରେ ପଡ଼ି ଯାଚି ଉପଦେଶ ଦେବା କିପରି ବିରକ୍ତିକର ତାହା ମୁଁ ବେଶ ବୁଝିଛି । ଏହିଠାରେ ମୋର ହୃଦୟରେ ଏପରି ଗୋଟାଏ ଭାବ ଜନ୍ମି ଯାଇଛି ଯେ ମୁଁ କାହାରି କଥା ଶୁଣି କିଛି କରିବାକୁ ମୋର ତିଳେ ମାତ୍ର ଆଗ୍ରହ ନାହିଁ । ସେ ଯାହା ହେଉ ମୁଁ ଏପରି ଭାବରେ କଲିକତାରେ ଅଛି । ପୋଲିସ ଅନୁସନ୍ଧାନ କରିବାର କଥା ମୋର ଅନେକ ବନ୍ଧୁ ଜାଣନ୍ତି । ଦିନେ ରାତ୍ର ୧୦ଟାରେ ମୋର ଜନୈକ ବନ୍ଧୁ ହଠାତ୍‍ ଆସି ମତେ କହିଲେ ଯେ ପୋଲିସ ମୋର ଠିକଣା ପାଇଛି । ଆଜି ରାତ୍ରରେ ପୋଲିସ ଆସି ଏହି ଘର ଘେରାଉ କରିବ । ମତେ ସେହି ମୁହୂର୍ତ୍ତରେ ଗୌର ଘର ନ ଛାଡ଼ିଲେ ସକାଳକୁ ମୁଁ ନିଶ୍ଚୟ ଧରା ହେବି । ଏ ସମ୍ୱାଦ ପାଇ ଗୌର ପ୍ରଭୃତି ବଡ଼ ଭୟ କଲେ । ମୁଁ ଗୌର ଘରେ ଗୋଟିଏ ପୋଲିସ ଭୟର କାରଣ ହେଲି ଏହା ଭାବି ମୁଁ ଅତିଶୟ ଦୁଃଖିତ ହେଲି । ମତେ ସେହି ମୁହୂର୍ତ୍ତରେ ଗୌର ଘର ଛାଡ଼ିବାକୁ ହେଲା । ଗଞ୍ଜାମର ଶ୍ରୀଯୁକ୍ତ ବିଶ୍ୱନାଥ ଦାସ ସେତେବେଳକୁ କଲିକତାରେ ଓକିଲାତି ପଢ଼ୁଥାନ୍ତି । ତାହାଙ୍କ ସହିତ ମୋର ଟିକିଏ ଘନିଷ୍ଠତା ଥାଏ । ମୁଁ ହଠାତ୍‍ ଯାଇ ତାଙ୍କ ବସାରେ ରହିଲି । ତାଙ୍କ ନିକଟରେ ୩ । ୪ ଦିନ ରହିଲା ପରେ କଲିକତାରେ ରହିବା ମତେ ଅସମ୍ଭବ ଜଣାଗଲା । କଲିକତା ଛାଡ଼ିବାକୁ ନିଶ୍ଚୟ କଲି-। ଗୌର ଘର ଛାଡ଼ି ଆସିଲା ପରେ ପୋଲିସ ସେଠାକୁ ଯାଇ ମୋତେ ଖୋଜିଥିବାର ମଧ୍ୟ ସମ୍ୱାଦ ପାଇଲି । ଏହିପରି ବହୁତ କାରଣରୁ କଲିକତା ଛାଡ଼ିବାକୁ ବାଧ୍ୟ ହେଲି ।

 

କଲିକତା ଛାଡ଼ି ମୁଁ ରାମପୁର ହାଟ ନାମକ ଗୋଟିଏ ସ୍ଥାନରେ ଉପସ୍ଥିତ ହେଲି । ରାମପୁର ହାଟରେ ବିଶୁବାବୁଙ୍କ କାକା ରେଲବିଭାଗରେ କାମ କରନ୍ତି । ପ୍ରଥମେ କଲିକତା ଆସି ତିନି ନମ୍ୱର ମିରଜାପୁର ଷ୍ଟ୍ରିଟରେ ଯେଉଁ ବିଶ୍ୱେଶ୍ୱର ବୋଷଙ୍କ ସହିତ ପରିଚୟ ହୋଇଥିଲା, ଏ ସେହି ବିଶୁବାବୁ । ବିଶୁବାବୁ ବୋଲପୁର ଶାନ୍ତିନିକେତନରେ ପଢ଼ୁଥିଲେ । କବିବର ରବୀନ୍ଦ୍ରନାଥ ଠାକୁରଙ୍କର ଜଣେ ପ୍ରିୟ ଛାତ୍ର । ତାହାଙ୍କ ସହିତ ମୋର ଅତିଶୟ ଘନିଷ୍ଠତା ଜନ୍ମିଅଛି । ମୁଁ ତାଙ୍କୁ ‘ବିଶୁଦା’ ବୋଲି ଡାକେ । ତାଙ୍କ ସଙ୍ଗରେ ତାଙ୍କର ସାହେବଗଞ୍ଜରେ ଥିବା ଘରଠାକୁ ଯାଇଛି । ତାଙ୍କର ପିତା ଶ୍ରୀଯୁକ୍ତ ପଶୁପତି ବୋଷ ସାହେବଗଞ୍ଜର ଜଣେ ବଡ଼ ଡାକ୍ତର । ଏହି ପଶୁପତି ବାବୁ ଥରେ ଭୟଙ୍କର ବେମାର ହୋଇ କଲିକତା ଆସିଥିଲେ । ବିଶୁବାବୁଙ୍କ କାକା ମଧ୍ୟ ଆସିଥିଲେ । ଏହି ସମୟରେ ମୁଁ ପଶୁପତି ବାବୁଙ୍କର ସେବା ଶୁଶ୍ରୂଷା କରିବାକୁ ସୁଯୋଗ ପାଇଥିଲି । ଏହିପରି ଅନେକ କାରଣରୁ ବିଶୁବାବୁଙ୍କ ପରିବାର ସହିତ ମୋର ଟିକିଏ ଜଣା ଶୁଣା ହୋଇଛି । ବିଶୁବାବୁଙ୍କ କାକା ଥରେ ମତେ ତାଙ୍କ ନିକଟକୁ ଯିବାକୁ କହିଥିଲେ । ମୁଁ ବର୍ତ୍ତମାନ ତାହାଙ୍କ ନିକଟରେ ଉପସ୍ଥିତ-। ସେ ରେଲ ବିଭାଗରେ କାର୍ଯ୍ୟ କରୁଥିବାରୁ ତାଙ୍କ ନିକଟରୁ ଖଣ୍ଡିଏ ରେଲପାସ ଯୋଗାଡ଼ କରି କୁଆଡ଼େ ବହୁଦୂରକୁ ଚାଲି ଯିବାକୁ ଇଚ୍ଛା କରି ମୁଁ ରାମପୁର ହାଟକୁ ଯାଇଛି । କିନ୍ତୁ କିଛିଦିନ ପୂର୍ବରୁ ସେ ଖଣ୍ଡିଏ ରେଲପାସ ଦେଇଥିବାରୁ ଆଉ ଖଣ୍ଡିଏ ଆଣିବାର ସୁବିଧା ହେବ ନାହିଁ ବୋଲି କହିବାରୁ ମୁଁ ରାମପୁର ହାଟରେ ୨ । ୩ ଦିନ ରହି ସାହେବଗଞ୍ଜ ଗଲି । ସେଠାରେ ବିଶୁବାବୁଙ୍କ ଘରେ ୫ । ୭ ଦିନ ରହି ସେଠାରୁ ବେନାରସ ଗଲି ।

 

ଶୁଣିଥାଏ ବେନାରସରେ ସୁରେନବାବୁ ଅଛନ୍ତି । ଯେଉଁ ସୁରେନ୍ଦ୍ରନାଥ ମିତ୍ର ମତେ ନେଇ ଶାନ୍ତିନିକେତନରେ ଛାଡ଼ି ଆସିଥିଲେ, ଏ ହେଉଛନ୍ତି ସେହି ସୁରେନ ବାବୁ । କିନ୍ତୁ ବେନାରସରେ ଉପସ୍ଥିତ ହୋଇ ଶୁଣିଲି ଯେ, ସୁରେନ ବାବୁ ଆଉ ବେନାରସରେ ନାହାନ୍ତି । ସେ ଜବାଲପୁରକୁ ଗୋଟିଏ ସ୍କୁଲ ଶିକ୍ଷକ ହୋଇ ଚାଲି ଯାଇଛନ୍ତି । କିନ୍ତୁ ବେନାରସରେ ତାଙ୍କର ଖଣ୍ଡିଏ ଭଡ଼ାଘର ଥାଏ । ସୁରେନ ବାବୁ ନ ଥିଲେ ମଧ୍ୟ ମୁଁ ତାହାଙ୍କ ଘରେ ରହିଲି । ସୁରେନବାବୁ ନ ଥିବା ସ୍ଥଳେ ତାଙ୍କ ଘରେ ବେଶିଦିନ ରହିବା ମତେ ଭଲ ଲାଗିଲା ନାହିଁ । ଶେଷରେ ବେନାରସ ଛାଡ଼ି ଏହ୍ଲାବାଦରେ ଉପସ୍ଥିତ ହେଲି । ଏହିଠାରେ ଭାରତ ସେବକ ସମିତିର ଗୋଟିଏ କେନ୍ଦ୍ର ଅଛି । ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ସାହୁ ନୂଆ ହୋଇ ଭାରତ ସେବକ ସମିତିର ସଭ୍ୟ ହୋଇଛନ୍ତି । ସେ ଏହି ଏହ୍ଲାବାଦ ଶାଖା କେନ୍ଦ୍ରରେ ଅଛନ୍ତି । ମୁଁ ଯାଇ ତାଙ୍କରି ନିକଟରେ ରହିଲି ।

 

ଭାରତ ସେବକ ସମିତି ଉପରେ ପୋଲିସର କଡ଼ା ନଜର ନ ଥାଏ । ସେଠାକୁ କିଏ ଗଲା ଅଇଲା ତହିଁର ଅନୁସନ୍ଧାନ ପୋଲିସ କରେ ନାହିଁ । ସୁତରାଂ ଏହିଠାରେ କିଛି ସମୟ ମୁଁ ନିଶ୍ଚିନ୍ତରେ ରହି ପାରିଥିଲି । ଏହି ପଳାତକ ଜୀବନରେ ମନର ଚିନ୍ତାସ୍ରୋତ ମଧ୍ୟ ପଳାତକ ପରି ଅସ୍ଥିର ଥାଏ । ମନରେ ନାନାପ୍ରକାର ଭାବନା ଖେଳିଯାଏ । କୌଣସି କାର୍ଯ୍ୟରେ ବେଶି ଦିନ ମନ ରହେ ନାହିଁ । ଗୋଟିଏ କଥା କିଛି ଦିନ ଚିନ୍ତାକଲା ବେଳକୁ ଆଉ ଗୋଟିଏ କଥା ମନରେ ଆସି ତୀବ୍ର ଆନ୍ଦୋଳନ ସୃଷ୍ଟି କରାଏ । ଏହିଠାରେ ଯେ କେତେଦିନ ରହିଲି, ସେହି କେତେ ଦିନ ଲେଖା ପଢ଼ାରେ ମନ ଦେଇଥିଲି । ଭାରତ ସେବକ ସମିତିର ଗୋଟିଏ ପୁସ୍ତକାଗାର ଥାଏ । ପଢ଼ିବାକୁ ବହିର ଅଭାବ ନ ଥାଏ । ଦିନରେ ୭ । ୮ ଘଣ୍ଟା ଲେଖାପଢ଼ା କରେ । ପୂଜା ଉପାସନାରେ ୫ । ୬ ଘଣ୍ଟା କାଳ କଟାଇ ଦିଏ । ଏକାଧାରରେ ୩ । ୪ ଘଣ୍ଟା ଧ୍ୟାନ ଧାରଣାରେ କଟାଇବାର ଅଭ୍ୟାସ ଥାଏ । କେତେକ ଯୌଗିକ ଆସନ ମଧ୍ୟ ଅଭ୍ୟାସ କରୁଥାଏ । ରାତ୍ର ଦୁଇଟାରୁ ଉଠି ସକାଳ ଚାରିଟା ପର୍ଯ୍ୟନ୍ତ ଧ୍ୟାନ ଧାରଣାରେ ବସି କଟାଇ ଦିଏ । ଦିନରେ ବେଳାଏ ଆହାର କରେ । ଲୁଣ, ତେଲ, ଘିଅ, ଦୁଧ, ଚିନି ଓଗେର ସମସ୍ତ ଜିନିଷ ତ୍ୟାଗ କରିଥାଏ । ହାତରେ ରୋଷେଇ କରି ଖାଏ-। ଏହିପରି ଭାବରେ ଜୀବନ କଟାଉ ଥାଏ । ଏହି ସମୟରେ କେତେଗୁଡ଼ିଏ ଭଲ ଭଲ ଲେଖା ମୁଁ ଲେଖିଥିଲି । ଓଡ଼ିଆ ଜାତୀୟ ଜୀବନର ମୂଳଭିତ୍ତି ଓ ଓଡ଼ିଆ ଜାତିର ଆଦର୍ଶ ନାମକ ଗୋଟିଏ ଲେଖା ମୁଁ ଲେଖିଥିଲି । ଲକ୍ଷ୍ମୀନାରାୟଣ ବାବୁ ସେହି ଲେଖାଟି ପାଠ କରି ବହୁତ ପ୍ରଶଂସା କରିଥିଲେ । ତାହାଙ୍କ ନିକଟରେ ସେହି ଲେଖାଟି ଥିଲା । ସେ କୁଆଡ଼େ ତାକୁ ହଜାଇ ଦେଇଛନ୍ତି । ପଳାତକ ଅବସ୍ଥାରେ ମନରେ ସବୁବେଳେ ଉଚ୍ଚ କଳ୍ପନାସବୁ ଜାତ ହେଉଥାଏ । ସେତେବେଳର ମନର ଅବସ୍ଥାରେ ଯେଉଁ ଲେଖା ଲେଖିଥିଲି ଆଉ ସେପରି ଭାବନାପୂର୍ଣ୍ଣ ଲେଖା ଲେଖି ହେବ ନାହିଁ-। ସେହି ଲେଖାଟି ଲକ୍ଷ୍ମୀନାରାୟଣ ବାବୁ ହଜାଇ ଦେଇଥିବାରୁ ମୋର ମନରେ ଭାରି ଦୁଃଖ । ଏବେ ମଧ୍ୟ ସେଥିପାଇଁ ବେଳେ ବେଳେ ଦୁଃଖ ହୁଏ ।

 

ସେ ଯାହା ହେଉ ଏହିଠାରେ ମୋର ଜୀବନ ଓ ଚିନ୍ତାରେ ଘୋର ପରିବର୍ତ୍ତନ ଘଟିଥିଲା-। ମୁଁ ଏପରି ପଳାଇ ବୁଲୁଛି, ଲୁଚି କରି ରହିବାକୁ ହେଉଛି, ଯେଉଁ ଉଦ୍ଦେଶ୍ୟରେ ଲୁଚି ରହିଛି, ତାହା କିଛି ହେଉ ନାହିଁ, ଏହିଭଳି ଭାବ ମନରେ ଜାତ ହୋଇ ମନ ଅସ୍ଥିର ହେଉଛି । ମତେ ବୋଧ ହେଉଛି ଭାରତର ମୁକ୍ତିପାଇଁ କାର୍ଯ୍ୟ କରିବାକୁ ହେଲେ ଭାରତବର୍ଷ ତହିଁର ଉପଯୁକ୍ତ କର୍ମକ୍ଷେତ୍ର ନୁହେ । ଏ ଦେଶରେ ରହି କିଛି କରି ହେବ ନାହିଁ । ଭାରତ ଦେଶ ଛାଡ଼ିଦେଇ ବିଦେଶ ପଳାଇବାକୁ ହେବ । ବିଦେଶ ନ ଗଲେ ଭାରତରେ ରହି କିଛି କାର୍ଯ୍ୟ ସାଧନ କରିବାର ସମ୍ଭାବନା ମତେ ଦେଖାଗଲା ନାହିଁ । ଏପରି ଭାବ ମନରେ ପ୍ରବେଶ କରିବା ମାତ୍ରକେ ବିଦେଶ ପଳାଇବାର ଭାବନା ମନକୁ ଚଞ୍ଚଳ କଲା । ଏହି କଥା ଉଲ୍ଲେଖ କରି ଆଣ୍ଡ୍ରୁଜ ସାହେବଙ୍କ ନିକଟକୁ ଖଣ୍ଡିଏ ପତ୍ର ଲେଖିଲି-। ବିଦେଶ ଯିବାପାଇଁ କିଛି ସୁବିଧା କରିଦେବା ପାଇଁ ତାହାଙ୍କୁ ଅନୁରୋଧ କଲି । ମୋର ଏହି ପତ୍ର ପାଇ ଆଣ୍ଡ୍ରୁଜ ସାହେବ ଉତ୍ତର ଦେଲେ । ମୋତେ ବିଦେଶ ପଠାଇବାପାଇଁ କୌଣସି ସୁବିଧା ସେ କରାଇ ଦେଇ ପାରିବେ ନାହିଁ ବୋଲି ଜଣାଇଲେ । କେବଳ ସେତିକି ନୁହେ, ମହାତ୍ମା ଗାନ୍ଧିଙ୍କ ସାବରମତୀ ସତ୍ୟାଗ୍ରହ ଆଶ୍ରମରେ ଯୋଗ ଦେବାପାଇଁ ସେ ତାଙ୍କ ଉତ୍ତରରେ ମତେ ମଧ୍ୟ ପରାମର୍ଶ ଦେଇଥିଲେ ।

 

ଆଣ୍ଡ୍ରୁଜ ସାହେବଙ୍କ ଏହି ପରାମର୍ଶ ମୋ ମନକୁ ଗଲା ନାହିଁ । ଗାନ୍ଧିଜୀଙ୍କ ଆଶ୍ରମକୁ ଗଲେ ଦେଶର ମୁକ୍ତି ସଂଗ୍ରାମରେ କିଛି କାର୍ଯ୍ୟ କରିବାର ବିଶ୍ୱାସ ମୋର ନ ଥାଏ । ସୁତରାଂ ତାହାଙ୍କ ପରାମର୍ଶ ମୁଁ ଗ୍ରହଣ କରି ପାରିଲି ନାହିଁ । କ୍ରମଶଃ ବିଦେଶ ପଳାଇବାପାଇଁ ମନ ଚଞ୍ଚଳ ହୋଇ ଉଠିଲା । ଏହି ସମୟରେ ମିତ୍ରଶକ୍ତି ଜର୍ମାନୀର ସାଥି ବୁଲ୍‌ଗେରିଆକୁ ଯୁଦ୍ଧରେ ହରାଇଲେ । ଜର୍ମାନୀର ଏହି ହେଉଛି ପ୍ରଥମ ପରାଜୟ । ବୁଲ୍‌ଗେରିଆ ହାରିବାରେ ମୋର ମନ ବଡ଼ ଆନ୍ଦୋଳିତ ହେଲା । ଏ ଜୟରେ ଇଂରେଜ ସରକାରଙ୍କର ଆନନ୍ଦ । ଭାରତରେ ମଧ୍ୟ ଏହି ଆନନ୍ଦ ଉତ୍ସବ କରା ଯାଇଥିଲା । ଆନନ୍ଦ ଉତ୍ସବରେ ମୁଁ ଅତିଶୟ କ୍ଷୁବ୍‍ଧ ଓ ବ୍ୟଥିତ ହେଲି । ବୁଲଗେରିଆ କିମ୍ୱା ଜର୍ମାନୀର ହାରଜିତରେ ଆମ୍ଭର ଦୁଃଖ କିମ୍ୱା ଆନନ୍ଦ କରିବାର କିଛି ମାତ୍ର କାରଣ ନାହିଁ । ଇଂରେଜ ସରକାରଙ୍କର ଜୟ ସମ୍ୱାଦ ମନରେ ଆନନ୍ଦ ଦେଲା ନାହିଁ ।

 

ସରକାର ଆମ ଦେଶରୁ ଯୁଦ୍ଧପାଇଁ ଧନ ଜନ ବହୁତ ନେଇଛନ୍ତି । ଭାରତବାସୀଙ୍କ ଇଚ୍ଛା ବିରୁଦ୍ଧରେ, ଧନ ଜନ ଏ ଦେଶରୁ ଯାଇଛି । ଭାରତବାସୀ ତାହାର ଇଚ୍ଛା ଅନୁସାରେ କାର୍ଯ୍ୟ କରିପାରୁ ନାହିଁ । ସବୁ ବିଷୟରେ ଆମ୍ଭେମାନେ ନିରୁପାୟ । ଆମ୍ଭ ଦେଶ ନିଗଡ଼ ବନ୍ଧନରେ ବନ୍ଧା । ଗୋଡ଼ ହାତ ହଲଚଲ କରିବାର ଶକ୍ତି ନାହିଁ । ମୁହଁ ଖୋଲି କଥା କହିବାକୁ ସାହସ ନାହିଁ । ନିଜର ଶକ୍ତି ଓ ପରାକ୍ରମ ଦେଖାଇବାର କୌଣସି ସୁବିଧା ନାହିଁ । ହୃଦୟର ଉଚ୍ଚାଭିଳାଷକୁ କାର୍ଯ୍ୟରେ ଦେଖାଇବାକୁ ହେଲେ ମନୁଷ୍ୟର ଯେଉଁସବୁ ମାନସିକ ଉଚ୍ଚବୃତ୍ତି ସବୁ ବିକଶିତ ହୋଇ ଉଠେ, ସେହି ସବୁକୁ ବିକାଶ କରିବାର ସୁଯୋଗ ଓ ସୁବିଧା ଭାରତବାସୀର ଭାଗ୍ୟରେ ନାହିଁ । ମୋ ପରି କେତେ ଯୁବକ ଆତ୍ମବଳି ଦାନ କରିବାକୁ ପ୍ରସ୍ତୁତ ନାହାନ୍ତି ? କିନ୍ତୁ ତାହା କରିବାକୁ ଅନୁକୂଳ ପରିସ୍ଥିତି କାହିଁ ? ବିପ୍ଳବୀ ଯୁବକର ଆଶା ଓ ଆକାଙ୍କ୍ଷା ପୂର୍ଣ୍ଣ ହେବ କିପରି ? ଏହିପରି ଅନେକ ପ୍ରଶ୍ନ ମନରେ ଜାଗି ଉଠିଲା । ଏ ଦେଶ ଛାଡ଼ି ବିଦେଶ ପଳାଇବାକୁ ମନ ଚଞ୍ଚଳ ହେଲା ।

 

ବିଦେଶ ପଳାଇବାକୁ ଯେତେ ପ୍ରକାର ଚିନ୍ତା କଲେ ମଧ୍ୟ ତାହା କାର୍ଯ୍ୟରେ ପରିଣତ କରିବାର କିଛି ସୁବିଧା ଦେଖାଯାଉ ନାହିଁ । ମନରେ ଏକପ୍ରକାର ବିଷାଦ ଭାବ ଜାଗି ଉଠୁଛି । ମନ ନୀରସ ହୋଇ ଯାଉଛି । କିଛି କାର୍ଯ୍ୟ କରିବା ପାଇଁ ମଧ୍ୟ ସୁବିଧା ନାହିଁ । କେଉଁଠାରେ କିଛି କାର୍ଯ୍ୟ ଆରମ୍ଭ କଲେ ପୋଲିସ ତାହା କରାଇ ଦେବ ନାହିଁ । ସେତେବେଳକୁ ଦେଶରେ ଲୋକଙ୍କ ମନର ଗତି ଯେପରି, ସେଥିରେ ଲୋକ ସାଧାରଣଙ୍କ ନିକଟରୁ ପ୍ରକାଶ୍ୟ ସାହାଯ୍ୟ ଓ ସହାନୁଭୂତି ପାଇବା ସହଜ ନୁହେ । ପୋଲିସ ମୋ ପଛ ଧରିଛି ଏକଥା ଜାଣିଲେ ଲୋକ ସାଧାରଣ ହୁଏତ ମୋ ସହିତ ମିଳାମିଶା କରିବାକୁ ଭୟ କରିବେ । ଏପରି ଅବସ୍ଥାରେ ମୁଁ ବର୍ତ୍ତମାନ କ’ଣ କରିବି କିଛି ସ୍ଥିର କରି ପାରିଲି ନାହିଁ । ମନେ ହେଲା ସତେ ଯେପରି ମୁଁ ଆଉ କିଛି କରି ପାରିବି ନାହିଁ । ମୋର ଜୀବନଟା ଏପରି ବୃଥାରେ କଟିଯିବ । ଏହିପରି ନିରାଶ ଭାବ ମନରେ ଜାଗ୍ରତ ହେଲା । ଏହି ସମୟରେ ମୋର ମନର କଥା ଠିକ ପ୍ରକାଶ କରିପାରୁ ନାହିଁ । ଏପରି ସଂକଟରେ ନ ପଡ଼ିବା ଲୋକ ମୋର ସେତେବେଳର ମନର ଅବସ୍ଥା ହୃଦୟଙ୍ଗମ କରି ପାରିବ କି ନାହିଁ ସନ୍ଦେହ ।

 

ଜୀବନରେ କିଛି କାର୍ଯ୍ୟ କରି ନାହିଁ । ଯାହା କରିଛି ତହିଁରେ ମୋର ମନ ସନ୍ତୁଷ୍ଟ ନୁହେ । ତଥାପି ପୋଲିସର ଏତେ କଡ଼ା ନଜର । ଦେଶର ବର୍ତ୍ତମାନ ପରିସ୍ଥିତି ସହିତ ସେତେବେଳର ପରିସ୍ଥିତିକୁ ତୁଳନା କରା ଯାଇ ନ ପାରେ । ଦେଶରେ ସେତେବେଳେ କୌଣସି ପ୍ରକାର ରାଜନୈତିକ ଆନ୍ଦୋଳନ ନାହିଁ । ମୁକ୍ତି ସଂଗ୍ରାମ ପାଇଁ କର୍ମପଦ୍ଧତି ପ୍ରଶ୍ନ କାହାରି ମନକୁ ସ୍ପର୍ଶ କରିଛି କି ନାହିଁ ସନ୍ଦେହ । ଏପରି ଅବସ୍ଥାରେ ପୋଲିସର ତୀବ୍ର ଦୃଷ୍ଟି ପଡ଼ିଲେ, ଦେଶରେ ଓ ସମାଜରେ ରହି କିଛି କାର୍ଯ୍ୟ କରିବା ଅସମ୍ଭବ ପରି ଜଣା ପଡ଼ୁଥାଏ । କାରଣ ଯାହା କିଛି କରିବ ସମସ୍ତ କାର୍ଯ୍ୟକୁ ପୋଲିସ ନିରୀକ୍ଷଣ କରି ଦେଖିବ । ଯାହା ସହିତ ମିଳାମିଶା କରିବ, ତାହାର ମଧ୍ୟ ପୋଲିସ ଅନୁସନ୍ଧାନ ଚାଲିବ । ଏପରି ପୋଲିସର ତୀବ୍ର କଟାକ୍ଷରେ ପଡ଼ିବା ବ୍ୟକ୍ତିର ଅବସ୍ଥା ଗୋଟିଏ ଶାପକାମୁଡ଼ା ସୁପକ୍ୱ ଫଳ ସଦୃଶ ବୋଲି ତୁଳନା କରା ଯାଇ ପାରେ । ଗୋଟିଏ ସୁସ୍ୱାଦୁ ଓ ସୁନ୍ଦର ଫଳକୁ ବିଷାକ୍ତ ଶାପ ଛୁଇଁଦେଲେ ସେହି ଫଳଟି ଯେପରି ଆଉ କାହାରି ଉପକାରରେ ଆସେ ନାହିଁ, ସେହିପରି ରାଜନୈତିକ କାରଣରୁ ପୋଲିସ କଟାକ୍ଷରେ ପଡ଼ିଲେ ଦେଶର କୌଣସି ହିତ କାର୍ଯ୍ୟ କରିବା ଆଉ ସମ୍ଭବପର ହୋଇ ଉଠେ ନାହିଁ । ଦେଶର ସେତେବେଳ ପରିସ୍ଥିତିରେ ଅବସ୍ଥା ଠିକ ଏହାହିଁ ଥିଲା । ମୋର ଅବସ୍ଥା ମଧ୍ୟ ଠିକ ସେହିପରି ହୋଇଛି ।

 

ଦେଶର ସ୍ୱାଧୀନତା କଳ୍ପନା କରି ବିପ୍ଳବୀ ଦଳରେ ଯୋଗ ଦେଇଛି । ବିପ୍ଳବୀ ଦଳର ବଡ଼ ବଡ଼ କର୍ମୀ ସବୁ ଧରା ହୋଇ ଯିବାରୁ ମୁଁ ଗୋଟିଫିଟା ହୋଇ ଏଣେ ତେଣେ ବୁଲୁଛି । ଦେଶପାଇଁ କିଛି ତ କରିପାରୁ ନାହିଁ, ନିଜ ପାଇଁ ମଧ୍ୟ କିଛି କରି ହେଉ ନାହିଁ । ଏପରି ଭାବରେ ପଳାତକ ଜୀବନ କେତେଦିନ କଟାଇବି-ଏହି ପ୍ରଶ୍ନ ମନରେ ଖେଳୁଛି । ଯେଉଁ ଆଦର୍ଶକୁ ଧରି ଜୀବନକୁ ଭୟସଂକଟସଂକୁଳ କରିଛି, ସେହି ଆଦର୍ଶ ପଥରେ ଅଗ୍ରଗାମୀ ହେବା ପାଇଁ ଦେଶରେ କିଛି କାର୍ଯ୍ୟ କରିବା ଦରକାର । ବିଦେଶକୁ ପଳାଇବାର କଳ୍ପନା ଫଳବତୀ ହେବାର କିଛି ସମ୍ଭାବନା ଦେଖାଯାଉ ନାହିଁ । ଏପରି ଅବସ୍ଥାରେ ଦେଶର ସାଧାରଣ ଲୋକ ସମାଜରେ ପ୍ରବେଶ କରି ଦେଶର ଅବସ୍ଥା ବିଷୟ ଲୋକଙ୍କୁ ବୁଝାଇବା ଦରକାର । ଦେଶରେ ସାଧାରଣଙ୍କ ଭାବ ପରିବର୍ତ୍ତନ କରିବା ଦରକାର । ଦେଶ ବିଷୟରେ ଲୋକ ସାଧାରଣ ଚିନ୍ତା କରିବା ଦରକାର । ଦେଶପ୍ରୀତି ଭାବ ଲୋକ ସାଧାରଣଙ୍କ ମନରେ ଖେଳିବା ଉଚିତ । ସ୍ୱାଧୀନ ଓ ପରାଧୀନ ଦେଶ ମଧ୍ୟରେ ପ୍ରଭେଦ କ’ଣ ତାହା ଦେଶର ଜନସାଧାରଣ ନ ଜାଣିଲେ କିଛି ହେବ ନାହିଁ । ଦେଶର ଜନସାଧାରଣଙ୍କ ମନରେ ଦେଶକୁ ସ୍ୱାଧୀନ କରିବା ପାଇଁ ଯେପର୍ଯ୍ୟନ୍ତ ଭାବନା ନ ଖେଳିଛି ସେପର୍ଯ୍ୟନ୍ତ ବିପ୍ଳବବାଦୀ କିଛି କରି ନ ପାରନ୍ତି । ସେ ପର୍ଯ୍ୟନ୍ତ ଦେଶର ମୁକ୍ତିସଂଗ୍ରାମ ମଧ୍ୟ ଅସମ୍ଭବ-। ଏହି କାର୍ଯ୍ୟ କିପରି ହେବ, କିଏ କରିବ । ବିପ୍ଳବୀ ଦଳର ଲୋକଙ୍କୁ ଏହି କର୍ମ ସାଧନ କରିବାକୁ ହେବ । ସେମାନଙ୍କ ନିଷ୍ଠା, ତ୍ୟାଗ ଓ ତନ୍ମୟ ଭାବ କେବଳ ଲୋକହୃଦୟକୁ ଆକର୍ଷଣ କରିବ । ସେମାନଙ୍କ ଅଟଳ ବିଶ୍ୱାସ, ଅସାଧାରଣ ଧୈର୍ଯ୍ୟ ଓ ସାହସ କେବଳ ଅସମ୍ଭବକୁ ସମ୍ଭବ କରି ପାରିବ ।

 

ବିଦେଶ ପଳାଇବାର କଳ୍ପନା ବ୍ୟର୍ଥ ହେବା ପରେ ଏହିପରି ଭାବନା ମନରେ ଖେଳିଲା-। କ୍ରମଶଃ ଏହି ଭାବନା ଦୃଢ଼ ବିଶ୍ୱାସରେ ପରିଣତ ହେଲା । ଲୋକ ସାଧାରଣଙ୍କ ଭିତରେ ପ୍ରବେଶ କରି କାର୍ଯ୍ୟ କରିବା ମତେ ଏକମାତ୍ର ପନ୍ଥା ରୂପେ ଦେଖାଗଲା । କିନ୍ତୁ ଲୋକ ସାଧାରଣଙ୍କ ଭିତରେ କାର୍ଯ୍ୟ କରିବାକୁ ହେଲେ ସମସ୍ତ କାର୍ଯ୍ୟ ପ୍ରକାଶ୍ୟରେ କରିବାକୁ ପଡ଼ିବ । ପ୍ରକାଶ୍ୟ ଭାବରେ ଲୋକଙ୍କୁ ଦେଶର କଥା ବୁଝାଇବାକୁ ହେବ । ସ୍ୱାଧୀନ ଓ ପରାଧୀନ ଦେଶର ପାର୍ଥକ୍ୟ, ପରାଧୀନ ଦେଶ ଓ ବିଦେଶୀ ଶାସନର ଅପକାରୀତା ବୁଝାଇବାକୁ ହେବ । ଏହା ଚୋରା ଛପା ଭାବରେ ହୋଇ ନ ପାରେ । ପ୍ରକାଶ୍ୟରେ କାର୍ଯ୍ୟ କରି ସରକାରଙ୍କ ଦ୍ୱାରା ଧରା ହୋଇ ଦଣ୍ଡ ପାଇଲେ, ପ୍ରଚାରିତ କାର୍ଯ୍ୟ ଶୀଘ୍ର ଜନସାଧାରଣରେ ପ୍ରଚାରିତ ହୋଇଯିବ । ଲୋକେ ଜାଣିବେ ଯେ ଅମୁକ ବ୍ୟକ୍ତି, ଅମୁକ ପ୍ରକାର କାର୍ଯ୍ୟ କରି କିମ୍ୱା ଅମୁକ ପ୍ରକାର କଥା କହି ଦଣ୍ଡ ପାଇଛି । ଲୋକେ ସେହି କାର୍ଯ୍ୟ ଜାଣିବେ, ସେହି କଥା ଶୁଣିବେ, ଏବଂ ତାହା କିପରି କାର୍ଯ୍ୟ ଏବଂ ସେହି କଥାର ମର୍ମ କ’ଣ ଇତ୍ୟାଦି ବିଷୟ ଟିକିଏ ଚିନ୍ତା କରିବେ ।

 

ମାନବ ଜାତିର ଇତିହାସ ଦେଖିଲେ ଏହାର ପ୍ରମାଣ ଯଥେଷ୍ଟ ମିଳିବ । ପ୍ରକାଶ୍ୟରେ ଯେଉଁ ତ୍ୟାଗ କରାଯାଏ, ଆତ୍ମୋତ୍ସର୍ଗ ଦ୍ୱାରା ଯେଉଁ କର୍ମ ସାଧନ କରାଯାଏ ତହିଁର ମହତ୍ତ୍ୱ ଯେତେ ଶୀଘ୍ର ଲୋକ ଦୃଷ୍ଟିରେ ପ୍ରକାଶ ପାଏ ଅନ୍ୟ ଉପାୟରେ ସେପରି ହୁଏ ନାହିଁ । ଅକାତର ଭାବରେ ଅଥବା ଅକୁଣ୍ଠିତ ଚିତ୍ତରେ ଆତ୍ମୋତ୍ସର୍ଗ ନ କଲେ କାର୍ଯ୍ୟର ଗୁରୁତ୍ୱ ଲୋକ ସାଧାରଣଙ୍କର ହୃଦ୍‌ବୋଧ ହୁଏ ନାହିଁ । ଆତ୍ମୋତ୍ସର୍ଗ ଯଦି ପ୍ରତ୍ୟେକ କର୍ମର ମୂଳଭିତ୍ତି ତେବେ ତାହା ଲୁକ୍କାୟିତ ଭାବରେ କରିବା ଦରକାର କ’ଣ ? ଗୁପ୍ତ ଭାବରେ କାର୍ଯ୍ୟ କରି ଜଗତରେ କୌଣସି ସତ୍ୟ ପ୍ରତିଷ୍ଠା ଲାଭ କରି ନାହିଁ-। ଶିଖ ଗୁରୁ ପ୍ରକାଶ୍ୟରେ ନିଜର ଧର୍ମ ପ୍ରଚାର କରି ଜୀବନ ଯନ୍ତ୍ରଣା ଭୋଗ କରି ନ ଥିଲେ ଶିଖ ଜାତି ବୋଧହୁଏ ଏପରି ବୀର ଜାତି ହୋଇ ପାରିଥାନ୍ତା କି ନାହିଁ ସନ୍ଦେହ । ସେ ଯାହା ହେଉ ଭାରତକୁ ସ୍ୱାଧୀନ କରିବାକୁ ହେଲେ ଏଥିପାଇଁ ପ୍ରକାଶ୍ୟ କର୍ମ ସାଧନ କରିବା ଆବଶ୍ୟକ । କିନ୍ତୁ ପ୍ରକାଶ୍ୟ କର୍ମ, Violent method କିମ୍ୱା secret society ଦ୍ୱାରା ହେବା ସମ୍ଭବପର ନୁହେ । ଏପରି ପ୍ରଶ୍ନ ସବୁ ମନରେ ଖେଳିଲା । କ୍ରମଶଃ ଅହିଂସାର ପ୍ରଶ୍ନ ମନରେ ଜାଗି ଉଠିଲା । ହିଂସାନୁମୋଦିତ ବିପ୍ଳବବାଦୀ ହୋଇ ଜୀବନ କଟାଇବି, କିମ୍ୱା ଅହିଂସାର ପଥ ଅବଲମ୍ୱନ କରି ଲୋକହିତକର କୌଣସି ପ୍ରକାର ଗୋଟିଏ ଅନୁଷ୍ଠାନ ଗଢ଼ିବି ଏହିପରି ପ୍ରଶ୍ନ ମନକୁ ବିଚଳିତ କଲା । ଏପର୍ଯ୍ୟନ୍ତ Leading an absconded life with a view to embrace greater risk, କିନ୍ତୁ ତାହା କାର୍ଯ୍ୟରେ ପରିଣତ ହେଉ ନାହିଁ । ଏପରି ଲୁକ୍କାୟିତ ଭାବରେ ଜୀବନ ବ୍ୟର୍ଥ କରିବାରେ ଲାଭ କ’ଣ ? ହିଂସାନୁମୋଦିତ ପଥ ଦେଶର ବର୍ତ୍ତମାନ ପରିସ୍ଥିତିରେ ବୋଧହୁଏ, ଯଥାର୍ଥ ମାର୍ଗ ନୁହେ । ଏହିପରି ଭାବନା ମନରେ ଜାଗି ଉଠିବା ସଙ୍ଗେ ସଙ୍ଗେ ମହାତ୍ମା ଗାନ୍ଧିଙ୍କ କଥା ସ୍ୱତଃ ମନରେ ଜାଗି ଉଠିଲା । କ୍ରମେ ତାହାଙ୍କ ଆଡ଼କୁ ମୋର ମନ ଆକୃଷ୍ଟ ହେଲା । ତାଙ୍କର ଜୀବନୀଓ ଲେଖା ପାଠ କରିବାକୁ ଆରମ୍ଭ କଲି । ଏହି ପାଠର ଫଳରେ ମୋର ମନ ବଦଳିଗଲା । ହିଂସାନୁମୋଦିତ ବିପ୍ଳବ ପଥ ଅକାରଣ ବୋଲି ମନରେ ବିଶ୍ୱାସ ଜନ୍ମିଲା । ଦେଶର ବର୍ତ୍ତମାନ ପରିସ୍ଥିତିରେ ହିଂସାନୁମୋଦିତ ଗୁପ୍ତ କର୍ମ ଯଥାର୍ଥ ମାର୍ଗ ନୁହେ ଏହା ଦୃଢ଼ ଆକାର ଧାରଣ କଲା । ଏହିଠାରୁ ମହାତ୍ମା ଗାନ୍ଧିଙ୍କ ସତ୍ୟାଗ୍ରହ ଆଶ୍ରମକୁ ଯିବାପାଇଁ ମନରେ ଆଗ୍ରହ ଜାତ ହେଲା । ଗାନ୍ଧିଜୀଙ୍କ ନିକଟକୁ ଯିବା କଥା ମୁଁ ଲକ୍ଷ୍ମୀନାରାୟଣ ସାହୁଙ୍କୁ ଜଣାଇଲି । ଆଣ୍ଡ୍ରୁଜ ସାହେବଙ୍କୁ ମଧ୍ୟ ଲେଖିଲି । ସାବରମତୀର ସତ୍ୟାଗ୍ରହ ଆଶ୍ରମକୁ ଶୀଘ୍ର ଯିବାପାଇଁ ଆଣ୍ଡ୍ରୁଜ ସାହେବ ମଧ୍ୟ ମତେ ଉତ୍ତର ଦେଲେ । ଏହିପରି ଭାବରେ ସାବରମତୀ ସତ୍ୟାଗ୍ରହ ଆଶ୍ରମରେ ଯୋଗ ଦେବାପାଇଁ ମୁଁ ନିଶ୍ଚୟ କଲି ।

Image

 

ପଞ୍ଚମ ପରିଚ୍ଛେଦ

ସାବରମତୀ ଯାତ୍ରା

 

୧୯୧୮ ମସିହା ନଭେମ୍ୱର ମାସ । ବମ୍ୱେଇରେ ଭାରତ Liberal party ନରମପନ୍ଥୀ ଦଳର ପ୍ରଥମ ବୈଠକ ବସୁଥାଏ । ମଣ୍ଟାଗୁ ଚେମ୍‍ସ ଫୋର୍ଡ ଶାସନ ସଂସ୍କାର ନେଇ ଦେଶରେ ରାଜନୀତି କ୍ଷେତ୍ରରେ ମତାନ୍ତର ଉପସ୍ଥିତ ହୋଇଥାଏ । ଏହି ଶାସନ ସଂସ୍କାର ଆଇନରେ ଦେଶକୁ ଯାହା କିଛି ଅଧିକାର ମିଳିଲା ତାହା କିଛି ନୁହେ ବୋଲି କଂଗ୍ରେସର ଅଧିକାଂଶ ଲୋକ ମତ ବ୍ୟକ୍ତ କରୁଥାନ୍ତି । ବମ୍ୱେଇଠାରେ କଂଗ୍ରେସର ଯେଉଁ ବିଶେଷ ଅଧିବେଶନ ହେଲା, ତହିଁରେ ମଣ୍ଟାଗୁ ଚେମ୍‍ସ ଫୋର୍ଡ ଶାସନ ସଂସ୍କାରକୁ ତୀବ୍ର କଟାକ୍ଷପାତ କରି ସମାଲୋଚନା କରାଗଲା । ଏଥିରେ କଂଗ୍ରେସରୁ ଅଲଗା ହୋଇ ସୁରେନ୍ଦ୍ରନାଥ ବାନାର୍ଜୀଙ୍କ ସଭାପତିତ୍ୱରେ ବମ୍ୱେଇଠାରେ ଭାରତ ଲିବରାଲ ପାର୍ଟିର ପ୍ରଥମ ବୈଠକ ବସୁଥାଏ । ଭାରତ ସେବକ ସମାଜର ମେମ୍ୱରମାନେ ଏହି ଲିବରାଲ ଦଳର ପ୍ରଧାନ ଉଦ୍ୟୋକ୍ତା କହିଲେ ଚଳେ । ସୁତରାଂ ଏହ୍ଲାବାଦ ଶାଖାର ଭାରତ ସେବକ ସମିତିର ମେମ୍ୱରମାନେ ଏଥିରେ ଯୋଗ ଦେବାକୁ ବମ୍ୱେଇ ବାହାରିଲେ । ଲକ୍ଷ୍ମୀନାରାୟଣ ବାବୁ ଯିବାର କଥା । ତାହାଙ୍କ ସହିତ ମୁଁ ବମ୍ୱେଇ ଗଲି । ବମ୍ୱେଇରେ ଉପସ୍ଥିତ ହୋଇ ଏହି ଲିବରାଲ ସଭା ଦେଖିବାକୁ ମୁଁ ଯାଇଥିଲି । ସେ ସଭାରେ ବଡ଼ ବଡ଼ ବକ୍ତୃତା କେବଳ ଶୁଣିଲି । ସେତେବେଳକୁ କଂଗ୍ରେସ ରାଜନୀତି ଚର୍ଚ୍ଚା ମୁଁ ଆଲୋଚନା କରି ନାହିଁ । କଂଗ୍ରେସଦ୍ୱାରା ଏ ଦେଶର ସ୍ୱାଧୀନତାସଂଗ୍ରାମ ସମ୍ଭବପର ହେବ ଏହି କଳ୍ପନା ମଧ୍ୟ ସ୍ୱପ୍ନରେ ମୋ ମନକୁ ସ୍ପର୍ଶ କରି ନାହିଁ । ନରମପନ୍ଥୀ ଦଳର ସଭାରେ କ’ଣ ହେଲା ସେସବୁ ଜାଣି ମନେ ରଖିବାକୁ ମୋର ଇଚ୍ଛା ନ ଥାଏ । କିପରି ଶୀଘ୍ର ଅହମଦାବାଦ ଯାଇ ଗାନ୍ଧିଜୀଙ୍କ ସତ୍ୟାଗ୍ରହ ଆଶ୍ରମରେ ଯୋଗ ଦେବି ଏହି ଚିନ୍ତା ମୋର ଏକମାତ୍ର ଭାବନା ଥାଏ । ତଥାପି ବମ୍ୱେଇକୁ ଆସି ବମ୍ୱେଇର ଐଶ୍ୱର୍ଯ୍ୟରେ ମୁଁ ବିହ୍ୱଳିତ ହୋଇ ଯାଉଥାଏ । କଲିକତା ଓ ବମ୍ୱେଇର ତଫାତ୍‍ କେଉଁଠାରେ ତାହା ବୁଝି ପାରିବାର ଅବସ୍ଥା ମୋର ସେତେବେଳେ ନ ଥାଏ । ଏଠାକୁ ଆସି ମୋ ମନରୁ ଚିନ୍ତାଭାର ଟିକିଏ ଉଶ୍ୱାସ ହୋଇଗଲା ପରି ମନେ ହେଲା । ମତେ ଟିକିଏ ଭଲ ଲାଗିଲା ।

 

ଲିବରାଲ କନଫରେନ୍‍ସ ଶେଷ ହେଲା । ଲକ୍ଷ୍ମୀନାରାୟଣ ବାବୁ ମତେ ନେଇ ଅହମଦାବାଦ ଗାଡ଼ିରେ ବସାଇ ଦେଇ ଆସିଲେ । ୧୯୧୮ ମସିହା ନଭେମ୍ୱର ମାସ । ତା ୧୮ ରିଖ ଦିନ ମୁଁ ଯାଇ ସାବରମତୀ ଆଶ୍ରମରେ ଉପସ୍ଥିତ ହେଲି । ଆଶ୍ରମକୁ ଆସିବା ପୂର୍ବରୁ ମହାତ୍ମା ଗାନ୍ଧି ଭୟଙ୍କର ଡିସେଣ୍ଟ୍ରି ରୋଗରେ ପୀଡ଼ିତ ଥିଲେ । ତାହାଙ୍କ ଜୀବନ ସଂକଟପୂର୍ଣ୍ଣ ହୋଇ ପଡ଼ିଥିଲା । ସେ ସେଥିରୁ ସାମନ୍ୟ ମାତ୍ର ଆରୋଗ୍ୟ ଲାଭ କରିଥାନ୍ତି, କିନ୍ତୁ ତାହାଙ୍କ ଶାରୀରିକ ବଳ ଭାଙ୍ଗି ଯାଇଥାଏ । ସେହିଦିନୁ ସେ ଶାରୀରିକ ଭାବରେ ଦୁର୍ବଳ । ସାବରମତୀ ଆଶ୍ରମରେ ଉପସ୍ଥିତ ହେଲା ବେଳକୁ ସକାଳ ନଟା ସମୟ ହେବ । ମହାତ୍ମାଜୀ ଆଶ୍ରମର ବାରଣ୍ଡାରେ ବାଡ଼ି ଖଣ୍ଡିଏ ଧରି ପଦାଚରଣ କରୁଛନ୍ତି । ମୁଁ ହଠାତ୍‍ ଯାଇ ସାଷ୍ଟାଙ୍ଗ ପ୍ରଣିପାତ କଲି । ମତେ ଦେଖି ମୁଁ କିଏ, କୁଆଡ଼େ ଆସିଛି ବୋଲି ମହାତ୍ମାଜୀ ପ୍ରଶ୍ନ କଲେ । ଉତ୍ତରରେ ମୁଁ କହିଲି, ‘‘ମୁଁ ଓଡ଼ିଶାରୁ ଆସିଛି । ଆଶ୍ରମର ଆଜୀବନ ସଭ୍ୟ ହେବାକୁ ମୋର ଇଚ୍ଛା । ଏହି ବିଷୟରେ ଆଣ୍ଡ୍ରୁଜ ସାହେବ ଆପଣଙ୍କୁ ବୋଧହୁଏ ଲେଖିଥିବେ । ଭାରତ ସେବକ ସମିତିର ସଭ୍ୟ ଶ୍ରୀଯୁକ୍ତ ସାହୁ ମଧ୍ୟ ଆପଣଙ୍କୁ ଖଣ୍ଡିଏ ପତ୍ର ଲେଖିଛନ୍ତି । ଆଣ୍ଡ୍ରୁଜ ସାହେବ ଶୀଘ୍ର ଏଠାକୁ ଆସିବେ ବୋଲି ମତେ ଲେଖିଛନ୍ତି । ସେ ଆସିଲେ ମୋର ସବିଶେଷ ପରିଚୟ ଆପଣ ପାଇବେ । ’’ ମୋଠାରୁ ଏହିସବୁ କଥା ଶୁଣି ମହାତ୍ମାଜୀ କହିଲେ, ‘‘ଆଛି ବାତ୍‍, ଆପ୍‍ ରହିଏ । ’’

Image

 

Unknown

ଷଷ୍ଠ ଭାଗ

ପ୍ରଥମ ପରିଚ୍ଛେଦ

ସତ୍ୟାଗ୍ରହ ଆଶ୍ରମ ଜୀବନ

 

ସତ୍ୟାଗ୍ରହ ଆଶ୍ରମରେ ମୁଁ ରହିଲି । ଏହାର ଦୁଇ ଚାରିଦିନ ପରେ ଆଣ୍ଡ୍ରୁଜ ସାହେବ ଆଶ୍ରମକୁ ଆସିଲେ । ସେ ଗାନ୍ଧିଜୀଙ୍କୁ ଦେଖିବାକୁ ଆସିଥାନ୍ତି । ମୋ ବିଷୟରେ ମହାତ୍ମାଜୀଙ୍କୁ ସେ ଅନେକ କଥା କହି ମତେ ଆଶ୍ରମରେ ସ୍ଥାନ ଦେବାପାଇଁ ଅନୁରୋଧ କରିଥିଲେ । ଆଣ୍ଡ୍ରୁଜ ସାହେବଙ୍କ ଆସିବା ପରେ ମତେ ଆଶ୍ରମବାସୀ ରୂପେ ଗ୍ରହଣ କରା ଯାଇଥିଲା । ଆଶ୍ରମର ଅନ୍ୟାନ୍ୟମାନଙ୍କ ସହିତ ମୁଁ ଜଣେ ହୋଇ ଚଳିଲି । ଆଶ୍ରମ ସେତେବେଳକୁ ନୂଆ ହୋଇ ଗଢ଼ା ହେଉଥାଏ । ବର୍ତ୍ତମାନ ସେହି ସ୍ଥାନରେ ଯେତେ ଘର ସବୁ ଅଛି ସେତେବେଳେ କିଛି ନ ଥିଲା । ମୁଁ ଯାଇ ଗୋଟିଏ ତମ୍ୱୁରେ ରହିଲି । ବିନୋବାଜୀ ସେହି ତମ୍ୱୁରେ ରହିଥାନ୍ତି । ଆଶ୍ରମର ସମସ୍ତ କାର୍ଯ୍ୟ ଆଶ୍ରମବାସୀମାନେ କରନ୍ତି । ସେଠାରେ ଚାକର ନାହିଁ । ଆଶ୍ରମର ନିୟମାବଳୀ ବଡ଼ କଡ଼ା । ସମସ୍ତ କାର୍ଯ୍ୟ ହାତରେ କରିବାକୁ ହୁଏ । ରୋଷେଇ କରିବାଠାରୁ ବାସନ ମାଜିବା ପର୍ଯ୍ୟନ୍ତ ସବୁ କାମ ସମସ୍ତେ ହାତରେ କରନ୍ତି । ସେତେବେଳେ ଆଶ୍ରମରେ ୨୦ । ୨୫ ଜଣରୁ ଅଧିକ ଲୋକ ନ ଥାନ୍ତି । ସମସ୍ତଙ୍କର ଏକାଠି ରୋଷେଇ ହୁଏ । ସବୁବେଳେ ସମସ୍ତେ କାମରେ ଲାଗିଥାନ୍ତି । ଦିନରାତି କେତେବେଳେ ହେଲେ ଦୁଇ ଚାରିଜଣ ଏକାଠି ବସି କୌଣସି ବିଷୟ ଆଲୋଚନା କରିବାକୁ ସମୟ ନ ଥାଏ । ଦୁଇବେଳା ପିତଳ ବର୍ତ୍ତନରେ ରୋଷେଇ ହୁଏ । ଦୁଇବେଳା ଏହି ରୋଷେଇ ବାସନ ମାଜିବାକୁ ପଡ଼େ । ଏହିଠାରେ ସମସ୍ତେ ଏକାଠି ହେଉଁ । ଏତିକିବେଳେ ଯାହା କିଛି କଥାବାର୍ତ୍ତା ।

 

ବୋଲପୁର ଶାନ୍ତିନିକେତନରେ ମୁଁ ଅନେକ ଦିନ କଟାଇଛି । ବଙ୍ଗଳା ଦେଶରେ ମଧ୍ୟ ରହିଛି । ବଙ୍ଗଳାର ବାୟୁମଣ୍ଡଳରେ ଚଳି, ମନରେ ଟିକିଏ ବାବୁଗିରୀ ଭାବଟା ସ୍ଥାନ ପାଇଥାଏ । ଶାରୀରିକ କାର୍ଯ୍ୟ ବାବୁମାନଙ୍କ କାର୍ଯ୍ୟ ନୁହେଁ, ଏପରି ଗୋଟିଏ ସଂସ୍କାର ମନରେ ଥାଏ । ଅନ୍ୟାନ୍ୟ ସମସ୍ତ ପ୍ରକାର ଦୁଃଖ କଷ୍ଟ ସହ୍ୟ କରିବାକୁ ମନରେଉତ୍ସାହ ଓ ଆନନ୍ଦ ପାଉଥିଲେ ମଧ୍ୟ ଯେଉଁସବୁ କାର୍ଯ୍ୟ ଚାକର ଓ କୁଲିମାନେ କରନ୍ତି, ସେହିପରି କାର୍ଯ୍ୟ କରିବାକୁ ଆମ୍ଭ ଦେଶରେ ପଢ଼ାଶୁଣା କରିଥିବା ଯୁବକଙ୍କୁ ଲାଜମାଡ଼େ । କିନ୍ତୁ ସତ୍ୟାଗ୍ରହ ଆଶ୍ରମରେ ସମସ୍ତେ ସମାନ । ଜଣେ ନିଜର ସୁଖ ସ୍ୱାଚ୍ଛନ୍ଦ୍ୟ ପାଇଁ ଅପରକୁ ଖଟାଇବା ଅନ୍ୟାୟ । ଭଗବାନଙ୍କ ସୃଷ୍ଟିରେ ମନୁଷ୍ୟ ଉଚ୍ଚତମ ପ୍ରାଣୀ-। ଜଗତ ତଥା ମାନବ ସମାଜର ସେବା ମନୁଷ୍ୟ ଜୀବନର ଏକମାତ୍ର ଆଦର୍ଶ । ଏହି ଆଦର୍ଶ ପ୍ରତି ଦୃଷ୍ଟି ରଖି ପ୍ରତ୍ୟେକ ମନୁଷ୍ୟ ତାହାର କର୍ତ୍ତବ୍ୟ ପାଳନ କରିବ । ସେବା ହେଉଛି ମନୁଷ୍ୟର କର୍ତ୍ତବ୍ୟ-। ମନୁଷ୍ୟ ଯାହା କିଛି କରିବ, ସବୁ ସେ ସମାଜ ତଥା ଦେଶର ସେବା ପାଇଁ କରିବ । ସୂକ୍ଷ୍ମ ଦୃଷ୍ଟିରେ ଦେଖିଲେ ସେବା କାର୍ଯ୍ୟରେ ଉଚ୍ଚା ନୀଚା ଭାବ ନାହିଁ । ଜଣେ ମାନସିକ ଉଚ୍ଚ କାମ କରି ଯେପରି ସମାଜ ତଥା ଦେଶର ସେବା କରେ, ଅନ୍ୟ ଜଣେ ଶାରୀରିକ କାର୍ଯ୍ୟ କରି ସମାଜର ସେହିପରି ସେବା କରେ । ବ୍ରାହ୍ମଣ ଜ୍ଞାନ ଉପଦେଶ ଦେଇ ଯେପରି ସମାଜର ସେବା କରେ ଚାଣ୍ଡାଳ ମଇଳା ସଫା କରି ସେହିପରି ସେବା କରେ । ଏଥିପାଇଁ ବ୍ରାହ୍ମଣ ନିଜକୁ ଅନ୍ୟଠାରୁ ବଡ଼ ବୋଲି ଭାବିବା ଉଚିତ ନୁହେଁ । ବ୍ରାହ୍ମଣ ବ୍ରାହ୍ମଣର କାର୍ଯ୍ୟ କରିବ, ଶୂଦ୍ର ଶୂଦ୍ରର କାର୍ଯ୍ୟ କରିବ । କେବଳ ଅଧିକାର ଭେଦରେ ସେବା କରିବାର କର୍ମ ପୃଥକ କରା ହୋଇଛି ।

 

କିନ୍ତୁ ବର୍ତ୍ତମାନ ଲୋକେ ସେବାର ଏହି ମହତ୍‍ ଆଦର୍ଶକୁ ଭୁଲିଯାଇ ସେବାର ପାର୍ଥକ୍ୟକୁ ଦେଖି ମନୁଷ୍ୟକୁ ମନୁଷ୍ୟଠାରୁ ନୀଚ କରି ଦେଖିବାରୁ ନାନା ପ୍ରକାର ଅସ୍ୱାଭାବିକ ଭେଦଭାବର ସୃଷ୍ଟି ହେଉଛି । ମନୁଷ୍ୟ ମନୁଷ୍ୟକୁ ନୀଚ ଦୃଷ୍ଟିରେ ଦେଖୁଛି । ଅସ୍ପୃଶ୍ୟ ବୋଲି ଘୃଣା କରୁଛି । ଏହିସବୁ କାରଣରୁ ସତ୍ୟାଗ୍ରହ ଆଶ୍ରମରେ କୌଣସି କାର୍ଯ୍ୟ ନୀଚ ନୁହେଁ । ସମସ୍ତଙ୍କୁ ସବୁ କାମ କରିବାକୁ ହୁଏ, ପାଳି କରି ପାଇଖାନା ମଧ୍ୟ ସଫା କରିବାକୁ ପଡ଼େ । ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା, ସବୁ ପ୍ରକାର କାମକୁ ଆନନ୍ଦରେ କରି ନେବା, ହଠାତ୍‍ ମୋର ହୃଦ୍‌ବୋଧ ହେଲା ନାହିଁ । ପ୍ରଥମେ କେତେଦିନ ପର୍ଯ୍ୟନ୍ତ ମତେ ଟିକିଏ ଅଡ଼ୁଆ ବୋଧ ହେଲା । ତଥାପି ସମସ୍ତଙ୍କ ସହିତ ମୁଁ କାମ କରିଯାଏ । କୌଣସି କାର୍ଯ୍ୟ କରିବାକୁ ମନରେ କୁଣ୍ଠା କିମ୍ୱା ଘୃଣାଭାବ ସ୍ଥାନ ପାଏ ନାହିଁ । ବାସନ ମାଜିବାଠାରୁ ପାଇଖାନା ସଫା କରିବା କାମ ସବୁ ମୁଁ ଆନନ୍ଦରେ କରେ । ସବୁ କାର୍ଯ୍ୟରେ ମନରେ ଏକପ୍ରକାର ନୂଆଭାବ ଖେଳିଯାଏ । ଅବଶ୍ୟ ଏକାଦିନକେ ମତେ ସବୁ କାମ କରିବାକୁ ପଡ଼ି ନ ଥିଲା । ଏହିପ୍ରକାର କାର୍ଯ୍ୟରେ ଅଭ୍ୟସ୍ତ ହେବା ସଙ୍ଗେ ସଙ୍ଗେ ନୂଆ ନୂଆ କାର୍ଯ୍ୟ କରିବାକୁ ପଡ଼େ । ଆଶ୍ରମରେ ସେତେବେଳେ ପଚିଶ ତିରିଶ ଜଣରୁ ବେଶୀ ଲୋକ ନ ଥାନ୍ତି । ଆଶ୍ରମରେ ବର୍ତ୍ତମାନ ଯେତେ ଘର ଦେଖିବାକୁ ମିଳିବ ସେତେବେଳେ ଏତେ ଘର ନ ଥାଏ । ଆଶ୍ରମର ଯେଉଁ ଘରେ, ସୂତାକଟା ଲୁଗାବୁଣା ଅଫିସ ସବୁ ଅଛି, ସେହି ବଡ଼ ଘରଟି ଛଡ଼ା ଆଉ ଘର ନ ଥାଏ ବୋଲି କୁହାଯାଇ ପାରେ । ଆଶ୍ରମର ବର୍ତ୍ତମାନ ଆବାଦୀ ଜମି ସବୁ କଣ୍ଟାପୂର୍ଣ୍ଣ ପଡ଼ିଆ ଜମି ଥାଏ । ଏହିସବୁ ଜଙ୍ଗଲ କାଟି ଜମି ଆବାଦ କରିବାକୁ ହୋଇଛି । ବୃକ୍ଷଲତା ରୋପଣ କରାଯାଇଛି । ଘରସବୁ ତୋଳା ଯାଇଛି । ଏଥି ମଧ୍ୟରେ ମୋର ପରିଶ୍ରମ ରହିଛି । ମୁଁ ଲଗାଇଥିବା ଗଛ ଆଜି ହୁଏତ ବଡ଼ ଗଛ ହୋଇଛି, କିଏ ହୁଏତ ମଲାଣି । ସେ ଯାହା ହେଉ ଦିନ ପରେ ଦିନ ମୁଁ ଆଶ୍ରମ କାର୍ଯ୍ୟରେ ନିଜକୁ ଭସାଇ ଦେଲି ।

 

ସେତେବେଳେ ଆଶ୍ରମର ନିୟମାନୁସାରେ ସମସ୍ତଙ୍କୁ ସକାଳ ୪ଟାରେ ଶଯ୍ୟାତ୍ୟାଗ କରିବାକୁ ପଡ଼େ । ୪ଟାରୁ ୫ଟା ପର୍ଯ୍ୟନ୍ତ ଚକିରେ ଗହମ ଚୂରିବା କାର୍ଯ୍ୟ । ୫ଟାରୁ ୬ଟା ପର୍ଯ୍ୟନ୍ତ ସ୍ନାନାଦି ନିତ୍ୟକର୍ମ । ୬ଟାରୁ ୬ । ୩୦ ସକାଳ ସମବେତ ପ୍ରାର୍ଥନା । ତା’ରପର ଜଳପାନ କରି ୭ଟା ସମୟକୁ ଆଶ୍ରମ କାର୍ଯ୍ୟପାଇଁ ସମସ୍ତଙ୍କୁ ପ୍ରସ୍ତୁତ ହେବାକୁ ପଡ଼େ । ଯାହାକୁ ଯେଉଁ କାମ ଦିଆଯାଏ ସେ ତାହା କରେ । ୬ରୁ ୧୦ । ୩୦ ପର୍ଯ୍ୟନ୍ତ ଆଶ୍ରମ କାର୍ଯ୍ୟ । ୧୧ଟାରେ ସକାଳ ଭୋଜନ ପାଇଁ ଘଣ୍ଟା ପଡ଼େ । ଘଣ୍ଟା ପଡ଼ିଲେ ସମସ୍ତେ ନିଜ ନିଜର ବାସନ ଧରି ଖାଇବା ସ୍ଥାନରେ ଉପସ୍ଥିତ ହୁଅନ୍ତି । ଖାଇବା ପରେ ବାସନ ମାଜିବା କାର୍ଯ୍ୟ । ଏହି ବାସନ ମାଜିବାବେଳେ ନାନା କଥାର ଆଲୋଚନା ପଡ଼େ । ଏହାପରେ ପୁଣି ଗୋଟାକରେ କାମକୁ ଯିବାକୁ ହୁଏ । ଗୋଟାକରୁ ଚାରିଟା ପର୍ଯ୍ୟନ୍ତ କାର୍ଯ୍ୟ । ଚାରିଟାରେ ଆଶ୍ରମ କାର୍ଯ୍ୟ ବନ୍ଦ । ୫ଟାରେ ସନ୍ଧ୍ୟା ଭୋଜନ । ସନ୍ଧ୍ୟା ୭ଟାରେ ପୁଣି ସମବେତ ପ୍ରାର୍ଥନା । ଏହାପରେ ଆଶ୍ରମର ଦୈନିକ କାର୍ଯ୍ୟ ଶେଷହୁଏ । ସମସ୍ତେ ରାତ୍ରି ଆଠଟାରେ ଶୟନ କରିବାର ନିୟମ ଥାଏ । ଏହିପରି ଭାବରେ ସେତେବେଳର ଆଶ୍ରମର ଦୈନିକ କର୍ମର ନିୟମ ବନ୍ଧା ହୋଇଥାଏ । ଏହି ନିୟମ ଅନୁସାରେ ସକାଳ ସାତଟାରୁ ୧୦ଟା ପର୍ଯ୍ୟନ୍ତ ପାଣି ଯୋଗାଇବା କାର୍ଯ୍ୟ ମୋ ଭାଗରେ ପଡ଼େ । ଦୁଇଟା ଟିଣରେ ଭାର କରି ପାଣି ସବୁ ମୁଁ ଯୋଗାଏ । ପ୍ରାୟ ୨୫ । ୩୦ ହାତ ଗଭୀର କୂଅଁରୁ ପାଣି ଟାଣିବାକୁ ହୁଏ । ପ୍ରାୟ ଶଏ ଭାର ପର୍ଯ୍ୟନ୍ତ ପାଣି ଟାଣିବାକୁ ମତେ ପଡ଼େ । ଓପର ବେଳା ମୁଁ ଲୁଗା ବୁଣା କାମ ଶିଖେ । ସେତେବେଳକୁ କଳ ସୂତାରେ ଆଶ୍ରମରେ ଲୁଗାବୁଣା ହେଉଥାଏ । ସମସ୍ତେ ମିଲ୍‍ଲୁଗା ବ୍ୟବହାର କରୁଥାନ୍ତି । ଖଦଡ଼ ଓ ସୂତାକଟା କଥା କେହି ସ୍ୱପ୍ନରେ ମଧ୍ୟ କଳ୍ପନା କରି ନ ଥାନ୍ତି । ରାତ୍ର ନଟା ପର୍ଯ୍ୟନ୍ତ ମୁଁ କିଛି ଲେଖା ପଢ଼ା କରେ । ଭୋର ତିନିଟାରେ ଶଯ୍ୟା ତ୍ୟାଗ କରି ୪ଟା ପୂର୍ବରୁ ସ୍ନାନ ଶୌଚାଦି ନିତ୍ୟକର୍ମ ମୁଁ ଶେଷ କରିଦିଏ । ସକାଳ ୪ଟାରେ ଘଣ୍ଟା ଦେବା କାର୍ଯ୍ୟ ମୋ ଉପରେ ଥାଏ । ୪ଟାରେ ଘଣ୍ଟା ଦେଇ ୫ଟା ପର୍ଯ୍ୟନ୍ତ ମୁଁ ଓ ଆଉ ଜଣେ ଆଶ୍ରମବାସୀ ଗୋଟିଏ ଚକିରେ ଏକାଠି ବସି ଏକଘଣ୍ଟା ଗହମ ଚୂରିବା କାର୍ଯ୍ୟ କରୁଁ । ୫ଟାରୁ ୬ଟା ପର୍ଯ୍ୟନ୍ତ ମୁଁ ଏକାକୀ ନୀରବରେ ବସି ଏକାନ୍ତ ପ୍ରାର୍ଥନା କରେ । ଏହିପରି ଭାବରେ ମୋର ଆଶ୍ରମ ଜୀବନ ଚାଲିଯାଏ । କିନ୍ତୁ ମନର ସ୍ଥିରତା ଆସି ନ ଥାଏ । ଏଣିକି ଜୀବନ କିପରି ଆକାର ଧାରଣ କରିବ, ଜୀବନରେ ଦେଶର ସ୍ୱାଧୀନତା ପାଇଁ କାର୍ଯ୍ୟ କରିବାକୁ ହେଲେ, କିପରି କେଉଁଠାରେ କରିବି ତାହା ଭାବି କିଛି ସ୍ଥିର କରି ପାରୁ ନ ଥାଏ । ତେବେ ସତ୍ୟାଗ୍ରହ ଆଶ୍ରମ ଦେଶରେ ଗୋଟିଏ ବଡ଼ ଅନୁଷ୍ଠାନ । ମହାତ୍ମା ଗାନ୍ଧି ଏହାର ପ୍ରାଣପ୍ରତିଷ୍ଠାତା । ଏହିପରି ଗୋଟିଏ ଅନୁଷ୍ଠାନରେ ରହିବା ହେଉଛି, ଏକପ୍ରକାର ଦେଶସେବା କରିବା । ଏହିପରି ଗୋଟିଏ ଭାବ ମନରେ ଖେଳୁଥାଏ । ସତ୍ୟାଗ୍ରହ ଆଶ୍ରମରେ ମୁଁ ଆସି ଯୋଗ ଦେଇ ପାରିଛି ଏଥିପାଇଁ ମଧ୍ୟ ବେଳେ ବେଳେ ମନରେ ଟିକିଏ ଗର୍ବ ଓ ଅହଂକାର ଆସେ ।

 

ଆଶ୍ରମକୁ ଆସିଲା ବେଳକୁ ମହାତ୍ମାଜୀଙ୍କ ଦେହ ଭଲ ନ ଥାଏ ବୋଲି ମୁଁ ପୂର୍ବରୁ କହିଛି-। ମୁଁ ଆଶ୍ରମରେ ଯୋଗ ଦେବାର ଅଳ୍ପ ସମୟ ପରେ ମହାତ୍ମାଜୀ ଜଳବାୟୁ ପରିବର୍ତ୍ତନ କରିବା ପାଇଁ ଆଶ୍ରମ ଛାଡ଼ି ଅନ୍ୟତ୍ର ଗଲେ । ଆଶ୍ରମ ପରିଚାଳନା ଭାର ମଗନଲାଲ ଗାନ୍ଧିଙ୍କ ଉପରେ ଥାଏ-। ମହାତ୍ମାଜୀଙ୍କ ଅନୁପସ୍ଥିତିରେ ବର୍ତ୍ତମାନ ସବୁ ଭାର ତାହାଙ୍କ ଉପରେ । ମଗନଲାଲ ଭାଇ ଆଶ୍ରମର ପରିଚାଳକ । ମଗନଲାଲ ଭାଇ ଗାନ୍ଧିଜୀଙ୍କର ଭାତୁଷ୍ପୁତ୍ର । ଏହି କାରଣରୁ ସମସ୍ତେ ତାହାଙ୍କୁ ଭାଇ ବୋଲି ସମ୍ୱୋଧନ କରନ୍ତି, ତାହା ନୁହେଁ । ଗୁଜରାତରେ ସମସ୍ତେ ସମସ୍ତଙ୍କୁ ଭାଇ ବୋଲି ଡାକନ୍ତି । ପୁଅ ବାପକୁ ଭାଇ ବୋଲି ଡାକେ, ବାପ ମଧ୍ୟ ପୁଅକୁ ଭାଇ ବୋଲି ଡାକେ । ଏହି ପ୍ରଥାନୁସାରେ ଆଶ୍ରମରେ ସମସ୍ତେ ସମସ୍ତଙ୍କୁ ଭାଇ ବୋଲି ସଂବୋଧନ କରନ୍ତି । ସେ ଯାହା ହେଉ ଆଶ୍ରମରେ ୩ । ୪ ମାସ ରହିଲା ପରେ ମୁଁ ଅନେକ କଥା ଜାଣି ପାରିଲି । ଆଶ୍ରମରେ ସମସ୍ତେ ଗୁଜରାତି କିମ୍ୱା ହିନ୍ଦି ଭାଷାରେ କଥାବାର୍ତ୍ତା ହୁଅନ୍ତି । ମୁଁ ହିନ୍ଦି ଜାଣି ନ ଥାଏ । ଗୁଜରାତି ଭାଷା ଅବା ଜାଣିବି କିପରି । ଏଣୁ ସେତେବେଳେ ହିନ୍ଦି ପଢ଼ିବା ପାଇଁ ମତେ ଏକ ଘଣ୍ଟା ସମୟ ଦିଆଗଲା । ପ୍ରତ୍ୟହ ୨ଟାରୁ ୩ଟା ପର୍ଯ୍ୟନ୍ତ ମୁଁ କାକା କାଲେଲ୍‍କରଙ୍କ ନିକଟରେ ହିନ୍ଦି ଅଭ୍ୟାସ କରେ । ଆଶ୍ରମରେ ଗୋଟିଏ ଶିକ୍ଷାବିଭାଗ ଥାଏ । ପ୍ରଥମେ ଶିକ୍ଷାବିଭାଗରେ କାର୍ଯ୍ୟ କରୁଥିବା ସଭ୍ୟମାନେ ଆଶ୍ରମର ସବୁ ନିୟମ ପାଳୁ ନ ଥିଲେ । କିନ୍ତୁ ମୋ ସମୟକୁ ପୂର୍ବ ନିୟମ ଆଉ ନାହିଁ । ସମସ୍ତେ ଆଶ୍ରମ ନିୟମରେ ବନ୍ଧା । କିନ୍ତୁ ଟିକିଏ ବେଶି ସମୟ ଲେଖାପଢ଼ା କରିବା ପାଇଁ ମୋର ମନ । ପୁଣି ଲୁଗା ବୁଣା କାମ ଭଲ କରି ଶିଖିବା ପାଇଁ ମନରେ ଭାରି ଆଗ୍ରହ ଜାଗ୍ରତ ହୋଇଥାଏ । କିନ୍ତୁ କୌଣସି କାର୍ଯ୍ୟ କରିବା ନ କରିବା ମୋର ଇଚ୍ଛାଧୀନ ନୁହେଁ । ମଗନଲାଲ ଭାଇ ଯେତେବେଳେ ଯାହାକୁ ଯେଉଁ କାର୍ଯ୍ୟ ଦେବେ ସେ ତାହା କରିବାକୁ ବାଧ୍ୟ ।

 

ମଗନ ଲାଲ ଭାଇ ଦେବତା ନୁହନ୍ତି । ସେ ମନୁଷ୍ୟ । ଆଶ୍ରମର କାର୍ଯ୍ୟ ବାଣ୍ଟ କଲାବେଳେ ନିଜ ପାଇଁ ଟିକିଏ ସମୟ ଓ ସୁବିଧା କରିବା ସ୍ୱାଭାବିକ । କୌଣସି ବିଷୟ ନେଇ ତାହାଙ୍କ ସହିତ ଯୁକ୍ତି ତର୍କ କଲେ ତାହାଙ୍କ ମନରେ ଟିକିଏ ବିରକ୍ତିଭାବ ସ୍ଥାନ ପାଇବା ମଧ୍ୟ ଏକାବେଳକେ ଅସ୍ୱାଭାବିକ ନୁହେଁ । ଲେଖାପଢ଼ା କରିବା ପାଇଁ ଏବଂ ଲୁଗାବୁଣା ଶିଖିବାପାଇଁ ମୁଁ ଟିକିଏ ସମୟ ସୁବିଧା ଖୋଜେ । ମଗନଲାଲ ଭାଇ ମତେ ସେତକ ଦିଅନ୍ତି ନାହିଁ । ତାହା ନ ଦେବା ମଧ୍ୟ ଯଥାର୍ଥ । କାରଣ କୌଣସି ଅନୁଷ୍ଠାନ ପରିଚାଳନା କରିବାର ଭାର ଯାହା ଉପରେ ଥାଏ ସେ ତହିଁର ଦାୟିତ୍ୱ ହୃଦୟଙ୍ଗମ କରିଥାଏ । ଅନ୍ୟ କେହି ତାହା କଦାପି କରି ନ ପାରେ । ସୁତରାଂ ପଚିଶ ପଚାଶ ଜଣଙ୍କୁ ଧରି ଦେଶରେ ସାଧାରଣ ଗୋଟିଏ ଅନୁଷ୍ଠାନ ଚଳାଇବା ସହଜ ନୁହେ । କାରଣ ସାଧାରଣ ଅନୁଷ୍ଠାନରେ କେହି କାହାରି ଭୃତ୍ୟ ନୁହେଁ । ଏଠାରେ ହାକିମ ହୁକୁମାର ଭାବ ନାହିଁ । ସମସ୍ତଙ୍କ ମନ ଧରି, ସମସ୍ତଙ୍କ ମନକୁ ଯୋଗେଇ କାମ କରିବାକୁ ହେବ, କାମ ଅନ୍ୟଠାରୁ ନେବାକୁ ହେବ । ସମସ୍ତେ ଯଦି ନିଜ ନିଜର ସୁବିଧା ଖୋଜନ୍ତି, ଦେଶରେ କୌଣସି Public Institution (ଲୋକ ସାଧାରଣ ଅନୁଷ୍ଠାନ) ଚଳି ନ ପାରେ, ମୋର ସେତେବେଳକୁ ଏ ଜ୍ଞାନ ହୋଇ ନ ଥାଏ । ମୁଁ ଉପରୋକ୍ତ କାମ ପାଇଁ ଟିକିଏ ବେଶୀ ସମୟ ଓ ସୁବିଧା ଖୋଜି ବସେ । ମଗନଲାଲ ଭାଇ ତାହା ମତେ ଦିଅନ୍ତି ନାହିଁ । ତେଣୁ ତାହାଙ୍କ ଉପରେ ମୁଁ ମନେ ମନେ ଅସନ୍ତୁଷ୍ଟ ହୁଏ । ଯେଉଁଠାରେ ସେ ନିଜ ପାଇଁ ଟିକିଏ ସୁବିଧା ସୁଯୋଗ ରଖିଥାନ୍ତି ସେତକ ମୁଁ ସମାଲୋଚନା କରେ । ମତେ ଯେଉଁ କାମ ଦିଆଯାଏ, ସେହି କାମଟିକୁ ପୂରଣ କରି ଦେଇ ସମୟ ବଞ୍ଚିଲେ ମୁଁ ବସି ପଢ଼ା ଶୁଣା କରେ । ଏହିଠାରେ ମଗନଲାଲ ଭାଇ ମୋର ସମାଲୋଚନା କରନ୍ତି । ସେ କହନ୍ତି, ତିନି ଘଣ୍ଟା କାମକୁ ଦୁଇଘଣ୍ଟାରେ ସାରି ଦେଇ ଘଣ୍ଟାଏ ବଞ୍ଚାଇଲେ ସେ ଘଣ୍ଟାକ ସମୟ ମୁଁ ମୋର ଇଚ୍ଛାନୁସାରେ ଖଟାଇ ନ ପାରେ । କାରଣ, ଆଶ୍ରମର ଆଦର୍ଶ ଓ ନିୟମ ଅନୁସାରେ ଏପରି କରିବା ଅର୍ଥ ଚୋରୀ କରିବା । ଆଶ୍ରମର କାର୍ଯ୍ୟ କରିବା ପାଇଁ ଆମ୍ଭେମାନେ ଆଶ୍ରମରେ ଯୋଗ ଦେଇଛୁ । ଯେ ଯେତେ କାର୍ଯ୍ୟ କରିପାରିଲା ସେ ସେତିକି ପରିମାଣରେ ଆଦର୍ଶ ଅନୁକୂଳ କାର୍ଯ୍ୟ କଲା । ତିନିଘଣ୍ଟା କାମକୁ ମୁଁ ଯଦି ଦୁଇଘଣ୍ଟାରେ ଶେଷ କଲି, ତାହାହେଲେ ଘଣ୍ଟାଏ ସମୟ ଆଶ୍ରମର ଲାଭ ହେଲା । ସେହିଘଣ୍ଟାକ ସମୟ ଆଶ୍ରମର ଆଉ ଗୋଟିଏକାର୍ଯ୍ୟରେ ଦେବା ଉଚିତ । ତାହା ନ କରି, ଆଶ୍ରମର କାର୍ଯ୍ୟ କରିବା ପାଇଁ ବଳି ଯାଇଥିବା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ, ସମୟ ବଞ୍ଚିଲା ବୋଲି ତାହାକୁ ବ୍ୟକ୍ତିଗତ କାର୍ଯ୍ୟରେ ଖଟାଇବା କଦାପି ଉଚିତ ନୁହେଁ । ଏହି ଭାବରେ ମଗନଲାଲ ଭାଇ ବୋଧହୁଏ କହନ୍ତି । ଏହିପରି ଭାବ ମୋର ହୃଦୟରେ ସ୍ଥାନ ପାଇ ନ ଥାଏ । ମୁଁ ନିଜେ ଗାନ୍ଧି ସେବାଶ୍ରମ ଅନୁଷ୍ଠାନ ସ୍ଥାପନ କରି ତାହାର ସମସ୍ତ ପରିଚାଳନା ଭାର ଗ୍ରହଣ କରିଥିବାରୁ ଆଜି ଏହାର ଅର୍ଥ ହୃଦୟଙ୍ଗମ କରି ପାରୁଛି । ସେତେବେଳେ ମଗନଲାଲ ଭାଇଙ୍କ ସହିତ ଝଗଡ଼ା କରୁଥିବା କଥା ମନେ କରି ଦୁଃଖିତ ହେଉଛି । ସେ ଯାହା ହେଉ, ସକାଳେ ପାଣି ଯୋଗାଇବା କାର୍ଯ୍ୟଟି ତିନିଘଣ୍ଟାର କାର୍ଯ୍ୟ । ପ୍ରଥମେ ଦୁଇଜଣ ଏହି କାର୍ଯ୍ୟଟି କରୁଥିଲୁ । ଏହାକୁ ଦୁଇଘଣ୍ଟାରେ ସାରିଦେବାରୁ ମଗନଲାଲ ଭାଇ ପରେ ମତେ ଏକା କରିବାକୁ ଏହି କାର୍ଯ୍ୟ ଦେଇଦେଲେ । ଏକା ମଧ୍ୟ ମୁଁ ଦୁଇଘଣ୍ଟାରେ ସାରି ଦିଏ । ଏହା ଦେଖି ପାଣି ଯୋଗାଇବା କାମକୁ ସେ ବଢ଼ାଇ ଦେଲେ । ତାହା ମଧ୍ୟ ମୁଁ ଦୁଇ ଘଣ୍ଟା ମଧ୍ୟରେ ସାରି ଦେଇ ଅବଶିଷ୍ଟ ଘଣ୍ଟାକ ପଢ଼ାଶୁଣା କରେ । କେଉଁଦିନ ଘଣ୍ଟାଏ କେଉଁଦିନ ଅଧଘଣ୍ଟାଏ ସମୟ ମିଳେ । ଏତକ ମଧ୍ୟ ମଗନଲାଲ ଭାଇଙ୍କୁ ଭଲ ଲାଗେ ନାହିଁ । ସେ କହନ୍ତି, କାମ ସରିଗଲେ ଯଦି ଛୁଟି ଘଣ୍ଟା ବାଜିବାକୁ ବାକି ଥାଏ, ତେବେ ଅନ୍ୟ କିଛି କାର୍ଯ୍ୟ ମାଗିନେବା ଦରକାର । ମୁଁ ଏହା କରେ ନାହିଁ । ମୁଁ ବିଚାରେ, ଏପରି କହିବା ମଗନଲାଲ ଭାଇଙ୍କ ଅନ୍ୟାୟ । ଅନ୍ୟାୟ ବୋଲି ମୋର ମନରେ ଧାରଣା ଜନ୍ମିଗଲା ପରେ, ମୁଁ ଆଉ କାହାରି କଥା ଶୁଣେ ନାହିଁ । ଦରକାର ହେଲେ ଆଶ୍ରମରୁ ପଛକେ ବାହାରିଯିବି କିନ୍ତୁ ମୁଁ କାମ ସାରି ଦେଇ ସମୟ ବଞ୍ଚିଲେ ନିଶ୍ଚୟ ବସି ପଢ଼ିବି । ଆଉ କିଛି କରିବି ନାହିଁ । ମଗନଲାଲ ଭାଇଙ୍କଠାରୁ ଅଧିକା କାମ ମାଗିବାକୁ ଯିବି ନାହିଁ । ଦେଲେ ମଧ୍ୟ କରିବି ନାହିଁ । ଏହିପରି ଭାବରେ ମଗନଲାଲ ଭାଇଙ୍କ ସହିତ ମୋର ଝଗଡ଼ା ହେଲା । ଶେଷରେ ସେ ଦିନେ ମତେ ଆଶ୍ରମରୁ ବାହାରି ଯିବା ପାଇଁ ଆଦେଶ ଦେଲେ । କିନ୍ତୁ ମୁଁ ଆଶ୍ରମ ନ ଛାଡ଼ି ସତ୍ୟାଗ୍ରହ କଲି-

 

ମୁଁ କହିଲି, ଆଶ୍ରମ ଛାଡ଼ିବା ଅର୍ଥ ଆଶ୍ରମରୁ କୌଣସି ଜିନିଷ ଗ୍ରହଣ ନ କରିବା । ଆଶ୍ରମ ଭିତରେ ନ ରହିବା । କିନ୍ତୁ ଆଶ୍ରମ ପାଇଁ ମୁଁ ଜୀବନ ଦେବାକୁ ପ୍ରସ୍ତୁତ । ସୁତରାଂ ଆଶ୍ରମ କାର୍ଯ୍ୟ ମୁଁ କରିବି । ଆଶ୍ରମ ହତା ବାହାରେ ଯାଇ ରହିବି । ଆଶ୍ରମରୁ କିଛି ଖାଦ୍ୟ ପାନୀୟ ଗ୍ରହଣ କରିବି ନାହିଁ-। ଏହା କହି ମୁଁ ଆଶ୍ରମର କାର୍ଯ୍ୟ କଲି, ଆଶ୍ରମ ବାହାରେ ଯାଇ ଗୋଟିଏ ଗଛ ତଳେ ଉପବାସରେ ରହିଲି । ଏହାଦ୍ୱାରା ଆଶ୍ରମରେ ଗୋଟିଏ ଚହଳ ପଡ଼ିଗଲା । ଏ ସଂବାଦ ମହାତ୍ମା ଗାନ୍ଧିଙ୍କ ନିକଟକୁ ଗଲା ।

 

ଇମାମ୍‍ ସାହେବ ନାମରେ ଜଣେ ମୁସଲମାନ ଭଦ୍ରବ୍ୟକ୍ତି ସପରିବାରରେ ଆଶ୍ରମରେ ରହିଥାନ୍ତି । ଦକ୍ଷିଣ ଆଫ୍ରିକାରେ ସେ ଜଣେ ବଡ଼ ଧନୀ ବ୍ୟବସାୟୀ ଥିଲେ । ଜଣେ ଡଚ୍‍ ମହିଳାକୁ ବିବାହ କରିଛନ୍ତି । ଦକ୍ଷିଣ ଆଫ୍ରିକାର ସତ୍ୟାଗ୍ରହରେ ସେ ଯୋଗ ଦେଇଥିଲେ । ମହାତ୍ମା ଗାନ୍ଧି ଦକ୍ଷିଣ ଆଫ୍ରିକାରୁ ଭାରତକୁ ଫେରିଲା ବେଳେ ଇମାମ୍‍ ସାହେବ ତାହାଙ୍କ ସଙ୍ଗରେ ଏ ଦେଶକୁ ଆସି, ଆଶ୍ରମର ଆଜୀବନ ସଭ୍ୟ ରୂପେ ଅଛନ୍ତି । ତାହାଙ୍କ ସହିତ ମୋର ବେଶ ଘନିଷ୍ଠତା ଜନ୍ମିଥାଏ । ସେ ଓ ତାହାଙ୍କ ପରିବାରର ସମସ୍ତେ ମତେ ବଡ଼ ସ୍ନେହ କରୁଥାନ୍ତି । ଏହି ଲଢ଼ାଇରେ ସେମାନେ ସଂପୂର୍ଣ୍ଣ ମୋତେ ସାହାଯ୍ୟ କରୁଥାନ୍ତି । ତାହାଙ୍କ ପରାମର୍ଶରେ ମୁଁ ଆଶ୍ରମ ଛାଡ଼ି ନ ଆସି ସତ୍ୟାଗ୍ରହ କରିଛି ବୋଲି କହିପାରେ । ଅନ୍ୟାନ୍ୟ ଯେଉଁମାନେ ମଗନଲାଲ ଭାଇଙ୍କ କଡ଼ା ନିୟମ ଜାରୀରେ ଅସନ୍ତୁଷ୍ଟ ସେମାନେ କେହି କିଛି ତାଙ୍କୁ କହନ୍ତି ନାହିଁ । ଏଣେ ମୋ ପ୍ରତି ଭିତରେ ସହାନୁଭୂତି ଦେଖାଉଥାନ୍ତି । ବିନୋବାଜୀଙ୍କ ସହିତ ମୁଁ ଗୋଟିଏ ଘରେ ରହିଥାଏ । ବିନୋବାଜୀ ଜଣେ ମହାରାଷ୍ଟ୍ରୀୟ ଯୁବକ । ଆଶ୍ରମରେ ତାଙ୍କର ଖାତିରୀ ଅଛି । ଆଜି ତାଙ୍କରି ଲାଗି ମହାତ୍ମାଜୀ ଓ୍ୱାର୍ଦ୍ଧାରେ ଆସି ରହି ଅଛନ୍ତି । ସେତେବେଳକୁ ଓ୍ୱାର୍ଦ୍ଧାରେ ସତ୍ୟାଗ୍ରହ ଆଶ୍ରମ ସ୍ଥାପନ ହୋଇ ନାହିଁ । ତାଙ୍କର ମୋର ମନ ମିଳୁ ଥାଏ । ଅନେକ ସମୟରେ ତାଙ୍କ ମୋ ମଧ୍ୟରେ ଦେଶ ଓ ଧର୍ମ ବିଷୟ ନେଇ ବହୁତ ଚର୍ଚ୍ଚା ପଡ଼େ । ସେ ମତେ ବାଳକ ଆଖ୍ୟା ଦେଇଥାନ୍ତି । ଅତି ସ୍ନେହରେ ଆଶ୍ରମରେ ସମସ୍ତେ ମତେ ବେଳେ ବେଳେ ବାଳକ ଗୋବିନ୍ଦ ବାବୁ ବୋଲି ଡାକନ୍ତି । ବିନୋବାଜୀଙ୍କର ମୋ ସହିତ ଯେପରି ମନର ମେଳଥାଏ, ମଗନଲାଲ ଭାଇଙ୍କ ସହିତ ତାହାଠାରୁ ତାଙ୍କର ଅଧିକ ଥାଏ । ତାଙ୍କର ଇଚ୍ଛା ନୁହେଁ ଏପରି ଭାବରେ ମୁଁ ଆଶ୍ରମରୁ ଚାଲିଯିବି । ସୁତରାଂ ଉପସ୍ଥିତ କ୍ଷେତ୍ରରେ ସେ ମଧ୍ୟସ୍ଥ ହୋଇ ଆମ ଦୁହିଙ୍କୁ ମିଳାମିଶା କରାଇ ଦେଲେ । କଥା ହେଲା ମହାତ୍ମାଜୀ ଆଶ୍ରମକୁ ଫେରିବା ପର୍ଯ୍ୟନ୍ତ ମୁଁ ଯେପରି ଥିଲି ସେପରି ରହିବି । ସେ ଆସିଲେ ତାହାଙ୍କ ଆଗରେ ସମସ୍ତ କଥା ପଡ଼ିବ । ସେ ଯାହା ନିଶ୍ଚୟ କରିବେ ।

 

ଏହି ଘଟଣାର ଅଳ୍ପଦିନ ପରେ ମହାତ୍ମାଜୀ ଆଶ୍ରମକୁ ଫେରିଲେ । ସମସ୍ତ ଆଶ୍ରମବାସୀ ଓ ଶିକ୍ଷା ବିଭାଗର ସମସ୍ତ କର୍ମୀଙ୍କୁ ଡକାଇ ସେ ଆଶ୍ରମ ବିଷୟରେ ଅନେକ କଥା ପଚାରି ବୁଝିଲେ-। ମଗନଲାଲ ଭାଇ କଠୋର ଭାବରେ ନିୟମକୁ ଖଟାଉ ଥିବାରୁ ଆଉ ଯାହା ମନରେ ଯାହା ଥିଲା ତା ସମସ୍ତେ କହିଲେ । ମହାତ୍ମାଜୀ ମଗନଲାଲ ଭାଇଙ୍କ କଥା ଶୁଣିଲେ । ଯାହା ସବୁ ଯେପରି ଘଟିଥିଲା ସେ ସମସ୍ତ ମୋ ଠାରୁ ମଧ୍ୟ ଶୁଣିଲେ । ସବୁ ଶୁଣି ମହାତ୍ମାଜୀ କହିଲେ, ମଗନଲାଲ ଭାଇ ଆଶ୍ରମର ପରିଚାଳକ । ଆଶ୍ରମର ସମସ୍ତ ଭାର ତାହାଙ୍କ ଉପରେ । ଯେଉଁମାନେ ତାହାଙ୍କ ବ୍ୟବହାରରେ ସନ୍ତୁଷ୍ଟ ନୁହନ୍ତି କିମ୍ୱା ତାଙ୍କୁ ସନ୍ତୁଷ୍ଟ କରି ନ ପାରିବେ, ସେମାନେ ଆଶ୍ରମ ଛାଡ଼ି ଚାଲିଯିବା ଦରକାର । ସ୍ୱତନ୍ତ୍ର ଭାବରେ ମତେ ଆଉ କିଛିଦିନ ଆଶ୍ରମରେ ରହି ମଗନଲାଲ ଭାଇଙ୍କୁ ସନ୍ତୁଷ୍ଟ କରିବା ଭଳି କାର୍ଯ୍ୟ କରିବା ସକାଶ ଚେଷ୍ଟା କରିବା ପାଇଁ ଆଦେଶ ଦେଲେ । ମହାତ୍ମାଜୀଙ୍କ ଏହିପରି ବିଚାରରେ ଇମାମ୍‍ ସାହେବ ବିଶେଷ ଦୁଃଖିତ ହେଲେ । ଆଶ୍ରମରୁ ଖାଇବା ବନ୍ଦ କରିଦେଇ ସେ ଉପବାସ ରହିଲେ । ସେ ଜଣେ ଆଶ୍ରମବାସୀ । ମଗନଲାଲ ଭାଇଙ୍କୁ ସନ୍ତୁଷ୍ଟ କରି ନ ପାରିଲେ କେହି ଆଶ୍ରମରେ ରହି ପାରିବେ ନାହିଁ । ଏଥିରେ ସେ ବଡ଼ ମର୍ମାହତ ହେଲେ । କିନ୍ତୁ ମହାତ୍ମାଜୀ ଇମାମ୍‍ ସାହେବଙ୍କୁ ଡାକି କ’ଣ ବୁଝାଇଲେ ମୁଁ ଜାଣେ ନାହିଁ । ବୋଧ ହୁଏ ଏହି ନିୟମ ଇମାମ୍‍ ସାହେବଙ୍କ ପ୍ରତି ପ୍ରଯୁଜ୍ୟ ନୁହେଁ, ଏହି ମର୍ମରେ ମହାତ୍ମାଜୀ କିଛି କହିଥିବେ । କାରଣ ଇମାମ୍‍ ସାହେବ ଆଶ୍ରମବାସୀ ହେଲେ ମଧ୍ୟ ସେ ଜଣେ ମହାତ୍ମାଜୀଙ୍କର ପୁରୁଣା ସାଥି ଓ ସହକର୍ମୀ-। ସେ ବୃଦ୍ଧ । ତାଙ୍କ ପ୍ରତି ଏ ନିୟମ ଖାଟି ନ ପାରେ । ଖାଟିବା ମଧ୍ୟ ଉଚିତ ନୁହେଁ । ସେ ଯାହା ହେଉ ଇମାମ୍‍ ସାହେବ ପୁଣି ଯେପରି ଚଳୁଥିଲେ ସେପରି ଚଳିଲେ । କିନ୍ତୁ ସେ ମଗନଲାଲ ଭାଇଙ୍କ ଆଦେଶର ଅଧୀନ ନୁହନ୍ତି ବୋଲି ଏହା ମୁଁ ବୁଝିଲି । ମୁଁ ମଧ୍ୟ ରହିଲି । ପୁଣି ମୁଁ ଆଶ୍ରମର କାର୍ଯ୍ୟରେ ନିଜକୁ ଭୁଲିଗଲି । ଏଣିକି କାମ ଶେଷ କରି ସମୟ ଥିଲେ ମୁଁ ମନ ଇଚ୍ଛା ଯାହା କରେ ସେଥିପାଇଁ ମଗନଲାଲ ଭାଇ ମତେ ଆଉ କିଛି କହନ୍ତି ନାହିଁ । ସେ ଯାହା କାର୍ଯ୍ୟ ମତେ ଦିଅନ୍ତି ତାହା ସେ ସନ୍ତୁଷ୍ଟ ହେଲାଭଳି ମୁଁ କରିଦିଏ । ସମୟ ବଞ୍ଚିଲେ ମୁଁ କିଛି ଲେଖା ପଢ଼ା କରେ ।

Image

 

ଦ୍ୱିତୀୟ ପରିଚ୍ଛେଦ

ରଓଲାଟ୍ ବିଲ୍ ସତ୍ୟାଗ୍ରହ

 

ଭାରତ ସଚିବ ମଣ୍ଟାଗୁ ସାହେବ ଭାରତ ଜନସାଧାରଣଙ୍କ ମତାମତ ଜାଣିବା ପାଇଁ ଏ ଦେଶକୁ ବୁଲିବାକୁ ଆସିଥିଲେ । ସେ ଭାରତରେ ଥିବା ସମୟରେ ଭାରତ ବିପ୍ଳବବାଦୀମାନଙ୍କର ପ୍ରସାର, ପ୍ରତିଷ୍ଠା ଓ ପ୍ରଭାବ କିପରି ତାହା ଜାଣିବାପାଇଁ ଗୋଟିଏ ତଦନ୍ତ କମିଟି ବସାଇଲେ । ଏହି କମିଟି, ବିପ୍ଳବବାଦ ଦଳର ସୃଷ୍ଟି ଓ ପୁଷ୍ଟି କିପରି, ଏହାର ପ୍ରଭାବ ଓ ପ୍ରସାର କେତେଦୂର ପ୍ରତିଷ୍ଠିତ, ଇତ୍ୟାଦି ବିଷୟ ଅନୁସନ୍ଧାନ କରିବ, ଏବଂ ଏହି ବିପ୍ଳବବାଦକୁ ଏ ଦେଶରୁ ଦୂର କରିବା ପାଇଁ କି ପ୍ରକାର ଆଇନ୍ ବାନ୍ଧିବା ଆବଶ୍ୟକ, ସେ ବିଷୟରେ ପରାମର୍ଶ ଦେବ । ଏହି ଉଦ୍ଦେଶ୍ୟରେ ଗୋଟିଏ କମିଟି ବସିଲା । ରାଓଲାଟ୍ ସାହେବ ନାମରେ ବିଲାତର ଜନୈକ ଆଇନଜ୍ଞ ବ୍ୟକ୍ତି ଏହାର-ସଭାପତି ରୂପେ ନିଯୁକ୍ତ ହେଲେ । ଏହାଙ୍କ ନାମାନୁସାରେ ଏହି କମିଟିର ନାମ ହେଲା ରାଓଲାଟ୍ କମିଟି । ବିପ୍ଳବବାଦ ଦମନ କରିବା ପାଇଁ ଏହାଙ୍କ ରିପୋଟରେ ଯେଉଁ ବ୍ୟବସ୍ଥା ଦିଆଗଲା ସେହିସବୁ ଗୋଟିଏ ବିଲ୍ (ଆଇନ) ଆକାରରେ ବଡ଼ଲାଟ ତାଙ୍କ ସଭାରେ ପକାଇ ଆଇନରେ ପରିଣତ କରାଇ ନେବାରୁ ତାହା ରାଓଲାଟ୍ ବିଲ୍ ନାମରେ ପରିଚିତ । ରାଓଲାଟ୍ ଆଇନ୍‌ରେ ଯେଉଁସବୁ ବ୍ୟବସ୍ଥା ଥିଲା ତହିଁରୁ ଅଧିକ କଡ଼ା ଆଇନ ବର୍ତ୍ତମାନ ଅଡିନାନ୍‌ସ ଆକାରରେ ଦେଶରେ ଜାରୀ ହୋଇଛି । ତଥାପି ଭାରତର ସେତେବେଳେର ରାଜନୈତିକ ପରିସ୍ଥିତିରେ ଏପରି ଗୋଟିଏ ଆଇନକୁ ନତମସ୍ତକରେ ମାନି ନେବା ଉଚିତ ନୁହେଁ ବୋଲି ଅନେକଙ୍କର ମତ ।

 

ଯୁଦ୍ଧ ସମୟରେ ନାନା ପ୍ରକାର କଥା କହି ସରକାର ଏ ଦେଶରୁ ଧନଜନ ସାହାଯ୍ୟ ନେଇଛନ୍ତି । ଯୁଦ୍ଧ ସମୟରେ ଶତ୍ରୁର ଷଡ଼ଯନ୍ତ୍ରରୁ ଏ ଦେଶକୁ ରକ୍ଷା କରିବା ପାଇଁ ଭାରତ ରକ୍ଷା ଆଇନ୍ ଜାରୀ ହୋଇଥିଲା । ଯୁଦ୍ଧ ସମୟରେ ଭାରତ ରକ୍ଷା ଆଇନ୍ ପରି ଗୋଟିଏ ନିଷ୍ଠୁର ଆଇନ୍ ଜାରୀ କରିବାରେ ମଧ୍ୟ ଏ ଦେଶରେ କାହାରି କାହାରି ଆପତ୍ତି ନ ଉଠିଛି ତାହା ନୁହେଁ । କିନ୍ତୁ ଯୁଦ୍ଧ ଅବସାନର ଛ ମାସ ପରେ ପୁଣି ରାଓଲାଟ୍ ଆଇନ୍ ପରି ଗୋଟିଏ କଠୋର ଆଇନ୍ ଜାରୀ କରିବା ପାଇଁ ବଡ଼ଲାଟ ଚେମସ୍ ଫୋର୍ଡଙ୍କୁ ଉଦ୍ୟତ ହେବାର ଦେଖି ଏ ଦେଶର ସେତେବେଳର ରାଜନୈତିକ ନେତାମାନଙ୍କ ମନରେ ନାନା ପ୍ରକାର ସନ୍ଦେହ ଜାତ ହୋଇଥିଲା । ଯୁଦ୍ଧ ପରେ ଏ ଦେଶକୁ ସ୍ୱାୟତ୍ତଶାସନ ଦେବା ପାଇଁ ଇଂରେଜ ସରକାର ପ୍ରତିଶ୍ରୁତି ଦାନ କରିଥିଲେ । ସ୍ୱାୟତ୍ତଶାସନର ଯେଉଁ ଖସଡ଼ା ପ୍ରସ୍ତୁତ ହେଉଛି, ତାହା କିପରି ଆକାର ଧାରଣ କରିବ, ଏହି ରାଓଲାଟ୍ ଆଇନ୍ ତହିଁର ସୂଚନା ବୋଲି ଜନସାଧାରଣଙ୍କ ମନରେ ଏକ ଅଭୂତ ଧାରଣା ଜାତ ହେଲା । ଏଥିପାଇଁ ଭାରତର ସର୍ବତ୍ର ରାଓଲାଟ୍ ଆଇନ ବିରୁଦ୍ଧରେ ତୁମୁଳ ପ୍ରତିବାଦର ସୂତ୍ରପାତ ହେଲା । ଭାରତର ପ୍ରତ୍ୟେକ ପ୍ରଦେଶରେ ବଡ଼ ବଡ଼ ସଭା ବସି ଏହି ଆଇନ ଜାରୀ ନ କରିବା ପାଇଁ ବଡ଼ଲାଟ ସାହେବଙ୍କୁ ଅନୁରୋଧ କରାଗଲା ।

 

ଏହିପରି ଭାବରେ ରାଓଲାଟ୍ ଆଇନ ବିରୁଦ୍ଧରେ ତୁମୁଳ ଆନ୍ଦୋଳନ କରାଗଲେ ମଧ୍ୟ ବଡ଼ଲାଟ ଚେମସ୍‌ଫୋର୍ଡ ଭାରତର ଲୋକମତ ପ୍ରତି ଭ୍ରୂକ୍ଷେପ ନ କରି ରାଓଲାଟ୍ ଆଇନକୁ ବଡ଼ଲାଟ ସଭାରେ ଆଲୋଚନା କରାଇ ଜାରୀ କରିବାକୁ ଦୃଢ଼ସଂକଳ୍ପ କଲାପରି ଜଣାଗଲା । ସେତେବେଳେ ଏ ଦେଶରେ ମର୍ଲେମିଣ୍ଟୋ ଶାସନ ସଂସ୍କାର ପ୍ରଚଳନ ଥାଏ । ଲାଟ ବଡ଼ଲାଟ ସଭାର ସଭ୍ୟମାନେ ସରକାରଙ୍କ କାର୍ଯ୍ୟର ସମାଲୋଚନା କରିବାର କେବଳ ମାତ୍ର ଅଧିକାର ଥାଏ-। ଭୋଟଦ୍ୱାରା କୌଣସି ବିଷୟ ସ୍ଥିର ହୁଏ ନାହିଁ । ବଡ଼ଲାଟ ସାହେବ ସଭ୍ୟମାନଙ୍କ ସମାଲୋଚନା ଶୁଣି ନିଜ ରାୟରେ ସବୁ ବିଷୟ ସିଦ୍ଧାନ୍ତ କରନ୍ତି । ରାଓଲାଟ୍ ବିଲ୍ ତାହାହିଁ ହେଉଛି । ଏହିପରି ସମୟରେ ମହାତ୍ମା ଗାନ୍ଧି ବଡ଼ଲାଟ ସାହେବଙ୍କ ନିକଟକୁ ଖଣ୍ତିଏ ପତ୍ର ଲେଖିଲେ । ସେ ସେହି ପତ୍ରରେ ରାଓଲାଟ୍ ଆଇନକୁ ଜାରୀ ନ କରିବା ପାଇଁ ବଡ଼ଲାଟ ସାହେବଙ୍କୁ ଅନୁରୋଧ କଲେ । ଭାରତର ପ୍ରବଳ ଜନମତ ବିରୁଦ୍ଧରେ ବଡ଼ଲାଟ ସାହେବ ଯଦି ରାଓଲାଟ୍ ବିଲ୍‌କୁ ଜାରୀ କରନ୍ତି, ତେବେ ଇଂରାଜୀ ସରକାର ଏ ଦେଶକୁ ଶାସନ କରିବାକୁ ଉପଯୁକ୍ତ ନୁହନ୍ତି । ଭାରତର ପ୍ରବଳ ଲୋକମତ ପ୍ରତି ଅବମାନନା ଦେଖାଇଲେ, ଇଂରାଜୀ ସରକାରଙ୍କୁ ଏ ଦେଶରୁ ବିତାଡ଼ିତ କରିବା ଭାରତବାସୀଙ୍କର ଏକମାତ୍ର କର୍ତ୍ତବ୍ୟ ହୋଇ ଉଠିବ । ମହାତ୍ମା ଗାନ୍ଧି ନିଜେ ସରକାରଙ୍କ ଆଇନ ବିରୁଦ୍ଧରେ ସତ୍ୟାଗ୍ରହ ସଂଗ୍ରାମର ସୂତ୍ରପାତ କରିବେ । ଏହିପରି ମର୍ମରେ ଗାନ୍ଧିଜୀ ବଡ଼ଲାଟ ଚେମସ୍‌ଫୋର୍ଡଙ୍କ ନିକଟକୁ ଖଣ୍ତିଏ ପତ୍ର ଦେଲେ ।

 

ବଡ଼ଲାଟ ସାହେବ ମହାତ୍ମା ଗାନ୍ଧିଙ୍କ ଠାରୁ ଏହିପରି ମର୍ମରେ ଖଣ୍ତିଏ ପତ୍ର ପାଇ ଟିକିଏ ଚମକି ପଡ଼ିଲା ପରି ବୋଧହେଲା । ସେ ହଠାତ୍ ମହାତ୍ମାଜୀଙ୍କୁ ଦିଲ୍ଲୀଠାକୁ ଡକାଇ ନେଲେ । ବଡ଼ଲାଟଙ୍କ ଠାରୁ ଆହ୍ଵାନ ପାଇ ମହାତ୍ମାଜୀ ଯାତ୍ରା କଲେ । ବଡ଼ଲାଟଙ୍କ ସହିତ ମହାତ୍ମାଜୀଙ୍କର ଭେଟ ହୋଇ କଥୋପକଥନ ହେଲା । କଥୋପକଥନରେ ବଡ଼ଲାଟ ଚେମସ୍‌ଫୋର୍ଡ ସାହେବ ମହାତ୍ମାଜୀଙ୍କ ବିନୀତ ଅନୁରୋଧ ପ୍ରତି କର୍ଣ୍ଣପାତ କଲେ ନାହିଁ । ନିରାଶ ହୋଇ ଗାନ୍ଧିଜୀ ଦିଲ୍ଲୀରୁ ସାବରମତି ଆଶ୍ରମକୁ ପ୍ରତ୍ୟାବର୍ତ୍ତନ କଲେ । ସାବରମତି ଆଶ୍ରମରେ ଉପସ୍ଥିତ ହୋଇ ମହାତ୍ମାଜୀ ରାଓଲାଟ୍ ବିଲ୍ ବିରୁଦ୍ଧରେ ସବିନୟ ଆଇନ ଭଙ୍ଗ କରିବା ପାଇଁ ଗୋଟିଏ ଘୋଷଣା ପତ୍ର ଛପାଇ ଦେଶବାସୀଙ୍କୁ ଆହ୍ୱାନ କଲେ । ଇଂରେଜୀ ସରକାରଙ୍କ ଆଇନ ଅମାନ୍ୟ କରିବା ପାଇଁ ପ୍ରକାଶ୍ୟରେ ଦେଶବାସୀଙ୍କୁ ଆହ୍ୱାନ କରିବା ଭାରତର ସେତେବେଳର ରାଜନୈତିକ ପରିସ୍ଥିତିରେ ଏକ ଅଭିନବ ଘଟଣା । ଭାରତର ଏକ ପ୍ରାନ୍ତରୁ ଅପର ପ୍ରାନ୍ତ ପର୍ଯ୍ୟନ୍ତ ଏହି ସଂବାଦ ବିଜୁଳି ପରି ବ୍ୟାପିଗଲା । ସମସ୍ତ ଭାରତରେ ଏକ ଅପୂର୍ବ ଅଶ୍ରୁତପୂର୍ବ ଜୀବନର ଢେଉ ଖେଳିଗଲା । ଭାରତର ଅଶିକ୍ଷିତ ପଲ୍ଲିବାସୀ ମନେ କଲେ, ଜଣେ କେହି ମହାପୁରୁଷ ଇଂରେଜୀ ସରକାରଙ୍କ ଆଇନ ଭାଙ୍ଗି ଦେବାପାଇିଁ ଆହ୍ୱାନ କରୁଅଛନ୍ତି । ଏଭଳି ମହାପୁରୁଷ କିଏ ଓ କିପରି, ତାହାଙ୍କୁ ଦେଖିବା ପାଇଁ ଓ ତାହାଙ୍କ କଥା ଶୁଣିବା ପାଇଁ ଭାରତର ଲୋକ ସାଧାରଣ ବ୍ୟଗ୍ର ହୋଇ ଉଠିଲେ । ବୋଧହେଲା, ନିଦ୍ରିତ ଭାରତ ସତେ ଯେପରି ଜାଗି ଉଠୁଛି ।

 

‘ୟଙ୍ଗ ଇଣ୍ତିଆ’ ଓ ‘ନବ ଜୀବନ’ କାଗଜର ଜନ୍ମ ସେତେବେଳକୁ ହୋଇନାହିଁ । କୌଣସି ପତ୍ର ପତ୍ରିକା ଛପାଇ ପରିଚାଳନା କରିବାର ଆବଶ୍ୟକତା ଗାନ୍ଧିଜୀ ଅନୁଭବ କରି ନାହାନ୍ତି । ସୁତରାଂ ମହାତ୍ମାଜୀଙ୍କ ଏହି ସମୟରେ ଯାହା କିଛି ଲେଖା ପ୍ରକାଶ ପାଇଛି, ସବୁ ଦେଶର ସଂବାଦପତ୍ର ସାହାଯ୍ୟରେ । ମହାତ୍ମାଜୀଙ୍କ ଘୋଷଣା ପତ୍ର ପାଠ କରି ବିଭିନ୍ନ ପ୍ରଦେଶରୁ ଶତ ଶତ ଲୋକ ଆଇନ ଭଙ୍ଗ ସତ୍ୟାଗ୍ରହରେ ଯୋଗ ଦେବା ପାଇଁ ନାମ ପ୍ରକାଶ କଲେ । କଲିକତାରେ ସେତେବେଳକୁ ବାରିଷ୍ଟର ଚିତରଞ୍ଜନ ଦାସ ମଧ୍ୟ ରାଓଲାଟ୍‌ ବିଲ୍‌ ସତ୍ୟାଗ୍ରହରେ ନାମ ଲେଖାଇଥିଲେ । ବମ୍ବେଇରେ ‘ବମ୍ବେ କ୍ରନିକ୍ଲ’ର ସଂପାଦକ, ବି: ଜି. ହାର୍ଣ୍ଣିମାନ ସାହେବ ଯୋଗ ଦେଲେ । ବମ୍ବେଇ କ୍ରନିକ୍ଲ କାଗଜ ରାଓଲାଟ୍ ବିଲ୍ ବିରୁଦ୍ଧରେ ସତ୍ୟାଗ୍ରହ ଆନ୍ଦୋଳନର ମୁଖ୍ୟ ପତ୍ର ହୋଇଥିଲା ବୋଲି କୁହାଯାଇପାରେ । ଏହିପରି ଭାବରେ ମହାତ୍ମା ଗାନ୍ଧୀଙ୍କ ପ୍ରେରଣାରେ ରାଓଲାଟ୍ ବିଲ୍ ବିରୁଦ୍ଧରେ ଭାରତର ଜନଶକ୍ତି ସଂଗଠିତ ହୋଇ ଉଠିଲା ।

 

ବଡ଼ଲାଟ ଚେମସ୍‌ଫୋର୍ଡ ସାହେବ ଏହି ସବୁ ଦେଖି ଶୁଣି ମଧ୍ୟ ରାଓଲାଟ୍ ବିଲ୍‌ର ଆଲୋଚନା ତାଙ୍କ ସଭାରେ କରାଇଲେ । ବଡ଼ଲାଟ ସଭାର ପ୍ରତ୍ୟେକ ସଭ୍ୟ ଏହା ବିରୁଦ୍ଧରେ ତୀବ୍ର ପ୍ରତିବାଦ କଲେ । ୧୯୧୯ ମସିହା ମାର୍ଚ୍ଚ ତା ୨୪ ରିଖ ଦିନ ବଡ଼ଲାଟଙ୍କ ସଭାରେ ରାଓଲାଟ୍ ବିଲ୍ ଆଲୋଚିତ ହୋଇ ଆଇନରେ ପରିଣତ ହେଲା । ଦିନ ଶେଷ ହୋଇ ରାତ୍ର ବାର ବାଜିଲେ ମଧ୍ୟ ସେ ଦିନ ବଡ଼ଲାଟ ସାହେବ ସଭା କାର୍ଯ୍ୟ ସ୍ଥଗିତ ରଖି ନ ଥିଲେ । ରାତ୍ରି ବାରଟାରେ ରାଓଲାଟ ବିଲର ଆଲୋଚନା ଶେଷ ହୋଇ ଆଇନ ରୂପେ ପରିଣତ ହେଲା । ମୋର ମନେହୁଏ ବଡ଼ଲାଟଙ୍କ ସଭା କାର୍ଯ୍ୟ ସେ ଦିନ ରାତି ବାରଟାରେ ସରିଲା ସିନା, ସେହିଦିନ ଅର୍ଦ୍ଧ ରାତ୍ରିରେ ଭାରତରେ ସୌଭାଗ୍ୟ-ତପନ ଉଦିତ ହୋଇଛି । ସେହି ଶୁଭକ୍ଷଣରୁ ଭାରତବାସୀର ଆଖି ଫିଟିଛି । ତେଣୁ ଆଜି ଭାରତ ପୂର୍ଣ୍ଣ ସ୍ୱାଧୀନତା ଦାବୀ କରୁଛି । ରାଓଲାଟ ଆଇନକୁ ଏପରି ଜବରଦସ୍ତି ଭାବରେ ଜାରୀ ନ କରିଥିଲେ ସତ୍ୟାଗ୍ରହ ଆନ୍ଦୋଳନ ସୃଷ୍ଟି ହୋଇ ନ ଥାନ୍ତା । ଏହି ସତ୍ୟାଗ୍ରହ ହେତୁ ପଞ୍ଜାବ ଗୋଳମାଳ ହୋଇ ଜାଲିଆନାବାଗ ହତ୍ୟାକାଣ୍ତ ସୃଷ୍ଟି ହେଲା । ଏଥିରୁ ଅସହଯୋଗ ଜନ୍ମ । ଏ ସବୁ ଇତିହାସ କଥା; କିନ୍ତୁ ଏହି ସବୁ ଘଟଣା ମୋ ଆଖି ଆଗରେ ଘଟିଛି । ମୁଁ ସବୁ ଶୁଣିଛି, ସବୁ ଦେଖିଛି । ଏ ସବୁରେ କାର୍ଯ୍ୟ ମଧ୍ୟ କରିଛି । ଏହି ସବୁ ଘଟଣା ମୋର ଜୀବନକୁ ନାନା ଭାବରେ ପ୍ରଭାବିତ କରିଛି । ତେଣୁ ଏ ସବୁ ନ ଲେଖିଲେ ମୋର ଜୀବନବୃତ୍ତାନ୍ତ ଅପୂର୍ଣ୍ଣ ରହିବ । ଏହା ଭାବି, ମୁଁ ଏହିଠାରେ ସେହି ଅଭିନବ ଘଟଣା ସବୁର ସଂକ୍ଷିପ୍ତ ବିବରଣୀ ଦେଲି ।

 

ଏହିପରି ଭାବରେ ରାଓଲାଟ ବିଲ ବଡ଼ଲାଟ ସାହେବ ୧୯୧୯ ମାର୍ଚ୍ଚ ତା ୨୪ ରିଖ ଦିନ ଆଇନରେ ପରିଣତ କଲେ । ମହାତ୍ମା ଗାନ୍ଧି ତା ୨୫ ରିଖ ଦିନ ଘୋଷଣା କଲେ ଯେ, ଯେଉଁ ଦେଶକୁ ଶାସନ କରିବା ପାଇଁ ରାଓଲାଟ୍ ଆଇନ ପରି ଏକ ପୈଶାଚିକ ଆଇନ ଆବଶ୍ୟକ ହୁଏ, ସେହି ଦେଶ ଗୋଟାଏ ଗର୍ବର ଦେଶ ବୋଲି ବୁଝିବାକୁ ହେବ । ଭାରତ ପ୍ରଜା ଅଶିକ୍ଷିତ, ଭାରତର କୌଣସି ଶିକ୍ଷା ସଭ୍ୟତା ନାହିଁ, ଏଥିରୁ ପ୍ରମାଣିତ ହେବ । ସୁତରାଂ ଭାରତ ପରି ଏକ ପବିତ୍ର ଭୂମି ରାଓଲାଟ୍ ଆଇନଦ୍ୱାରା ଅପବିତ୍ର ହେଲା ବୋଲି ବୁଝିବାକୁ ହେବ । ଏଥିପାଇଁ ଭାରତବାସୀ ପ୍ରାୟଶ୍ଚିତ୍ତ କରିବା ଦରକାର । ଏହିପରି ମର୍ମରେ ଗୋଟିଏ ଘୋଷଣା ପତ୍ର ପ୍ରକାଶ କରି ମାର୍ଚ୍ଚ ମାସ ତା ୩୧ ରିଖ ଦିବସକୁ ସତ୍ୟାଗ୍ରହ ସଂଗ୍ରାମର ପ୍ରଥମ ଦିବସ ରୂପେ ପାଳନ କରିବାକୁ ମହାତ୍ମାଜୀ ପ୍ରଚାର କଲେ । ଏହି ସତ୍ୟାଗ୍ରହର ପ୍ରଥମ ଦିବସ ପାଳନ କରିବାକୁ ଯାଇ ଭାରତର ପ୍ରଜାସମୂହ ସେ ଦିନ ସମସ୍ତ ପ୍ରକାର ଦୈନିକ କାର୍ଯ୍ୟକ୍ରମ ବନ୍ଦ କରିବେ । ବଜାର ଘାଟ ବନ୍ଦ ହେବ । ଭାରତରେ ସମସ୍ତେ ସର୍ବତ୍ର ହରତାଳ କରିବେ । ସେ ଦିନ ସମସ୍ତେ ଉପବାସ ରହି ନିଜ ନିଜ ଧର୍ମ ଅନୁସାରେ ମସ୍‌ଜିଦ୍, ଗୀର୍ଜା ଓ ମନ୍ଦିରମାନଙ୍କରେ ଦେଶର କଲ୍ୟାଣ ନିମିତ୍ତ ପୂଜା ଉପାସନା କରିବେ । ସେଦିନ ସମସ୍ତେ ନଗ୍ନପଦ ଓ ନଗ୍ନମସ୍ତକରେ ଶୋଭାଯାତ୍ରା କରି ସଭା କରିବେ, ଏବଂ ରାଓଲାଟ ଆଇନ ବିରୁଦ୍ଧରେ ପ୍ରତିବାଦ କରିବେ ।

 

ପ୍ରଥମେ ମାର୍ଚ୍ଚ ତା ୩୧ ରିଖ ସତ୍ୟାଗ୍ରହର ପ୍ରଥମ ଦିବସ ରୂପେ ସ୍ଥିର ହେଲା । କିନ୍ତୁ ସମୟ ଓ ସୁବିଧା ପ୍ରତି ଦୃଷ୍ଟି ଦେଇ ବିଚାର କଲା ବେଳକୁ ମାର୍ଚ୍ଚମାସ ତା ୩୧ ରିଖ ସୁବିଧାଜନକ ହେବ ନାହିଁ ଭାବି ଅପ୍ରେଲ ତା ୬ ରିଖକୁ ସତ୍ୟାଗ୍ରହର ପ୍ରଥମ ଦିବସ ରୂପେ ଧାର୍ଯ୍ୟ କରାଗଲା । ଇତିମଧ୍ୟରେ ବମ୍ବେଇ ଠାରେ ମହାତ୍ମା ଗାନ୍ଧି ସତ୍ୟାଗ୍ରହ ସଭା ନାମରେ ଗୋଟିଏ କମିଟି ଗଠନ କଲେ । ଏହି କମିଟି ସତ୍ୟାଗ୍ରହ ସଂଗ୍ରାମ ପରିଚାଳନା କରିବ । ଯେତେବେଳେ ଯେଉଁ ଆଇନ ଅମାନ୍ୟ କରିବାକୁ ସ୍ଥିର କରିବ, ସମସ୍ତେ ତାହାହିଁ କରିବେ । ସତ୍ୟାଗ୍ରହ ସଭା ଯାହା ସ୍ଥିର କରିବ ତାହା ଛଡ଼ା ଅନ୍ୟ କେଉଁଠାରେ କେହି କିଛି ନିଜ ମତଲବରେ କରି ନ ପାରନ୍ତି । ଆାଇନ ଅମାନ୍ୟ କରିବା କଥାଟା ପ୍ରଥମେ ଶୁଣିଲାବେଳେ ମୁଁ ଭାବିଥିଲି, ଯେ ଯେଉଁଠାରେ ଯାହା ସୁବିଧା ଦେଖିବ, ସେ ସେହିଠାରେ ସେହିପରି ଆଇନ ଅମାନ୍ୟ କରିବ । ଗୋଟିଏ ଆଇନ ଭାରତପରି ଏକ ବିରାଟ ଦେଶରେ, ସର୍ବତ୍ର, ଅମାନ୍ୟ କରିବା ଜରୁରତ ହୋଇ ନ ପାରେ । ଏହିପରି ଭାବି, ମୁଁ ଓ ବିନୋବାଜୀ ଆମେ ଦୁହେଁ ସତ୍ୟାଗ୍ରହ ଆଶ୍ରମରୁ ପ୍ରଥମେ ସତ୍ୟାଗ୍ରହୀ ହେବାକୁ ନାମ ଲେଖାଇଥାଉଁ ଏବଂ ଆମ୍ଭେ ଦୁହେଁ କି କି ଆଇନ କିପରି ଅମାନ୍ୟ କରିବୁଁ, ଏ ବିଷୟରେ ଅନେକ କଥା ଭାବୁଥାଉଁ-। ଏପରି ସମୟରେ ବମ୍ବେଇ ସତ୍ୟାଗ୍ରହ ସଭାର ନିର୍ଦ୍ଦେଶ ଶୁଣିବାକୁ ପାଇଲୁଁ । ସରକାର ବାଜ୍ୟାପ୍ତ କରିଥିବା କେତେଖଣ୍ତି ପୁସ୍ତକ (Proscribed books) ବମ୍ବେଇ ସତ୍ୟାଗ୍ରହ ସଭା ଛପାଇ ତାହା ପ୍ରକାଶ୍ୟରେ ବିକ୍ରି କରିବାପାଇଁ ସତ୍ୟାଗ୍ରହୀମାନଙ୍କୁ ଦେବାର ସ୍ଥିର କରିଛନ୍ତି । ଏହାଛଡ଼ା ସତ୍ୟାଗ୍ରହ ପତ୍ରିକା ନାମରେ ଖଣ୍ତିଏ ହାତଲେଖା ପତ୍ରିକା ସରକାରଙ୍କ ବିନାନୁମତିରେ ମହାତ୍ମାଜୀ ପ୍ରକାଶ କରିବେ । ମହାତ୍ମାଜୀ ନିଜ ହାତରେ ପ୍ରଥମେ ପତ୍ରିକା ଖଣ୍ତିକ ଲେଖିଦେବେ । ଏହି ପତ୍ରିକା ଯେ ପାଇବ ସେ ଆଉ ଚାରିଖଣ୍ଡି ଲେଖି ବାଣ୍ଟିଦେବ । ଏହି କ୍ରମରେ ହଜାର ହଜାର ଲକ୍ଷ ଲକ୍ଷ ପତ୍ରିକା ସରକାର ବିରୁଦ୍ଧରେ ଲେଖା ହୋଇ ଦେଶରେ ପ୍ରଚାରିତ ହେବ । କେଉଁ ଆଇନ ଅମାନ୍ୟ କରିବାକୁ ହେବ, ତାହା ବିଚାର କରି ସ୍ଥିର କରିବାର ଅଧିକାର ଏପରି ସୀମାବଦ୍ଧ କରିବା ପ୍ରଥମେ ମତେ ଭଲ ଲାଗିଲା ନାହିଁ । ପୁଣି ସରକାର ବାଜ୍ୟାପ୍ତି ବହି ବିକିବା ଓ ପତ୍ରିକା ବାଣ୍ଟିବା ଅତି ଦୁର୍ବଳିଆ କାମ ହେଲା ବୋଲି ମତେ ବୋଧ ହେଲା । ସେ ଯାହା ହେଉ ବମ୍ବେଇ ସତ୍ୟାଗ୍ରହ ସଭା ଯାହା କହିବ ତାହା ଛଡ଼ା ଅନ୍ୟ ଗତି ନାହିଁ ।

 

ଅପ୍ରେଲ ତା ୬ ରିଖ ଦିନ ସତ୍ୟାଗ୍ରହ ଆଶ୍ରମ ବନ୍ଦ କରି ସମସ୍ତେ ଅହମଦାବାଦ୍ ସହରକୁ ଗଲେ । ମୁଁ ମଧ୍ୟ ସମସ୍ତଙ୍କ ସଙ୍ଗରେ ଗଲି । ଅହମଦାବାଦ ସହରରେ ଦୋକାନ ବଜାର ସବୁ ବନ୍ଦ । ଯାନବାହନ ଖଣ୍ତିଏ ଚଳିବାକୁ ନାହିଁ । କଳ କାରଖାନା ବନ୍ଦ ରହିଛି । ଲକ୍ଷ ଲକ୍ଷ ଲୋକ, ଖାଲି ଗୋଡ଼ ଖାଲି ମୁଣ୍ତରେ ସହର ତମାମ ରୁଣ୍ତ ହୋଇଅଛନ୍ତି । ସମସ୍ତଙ୍କ ମନରେ ଏକ ଅପୂର୍ବ ଉତ୍ସାହ ଓ ଆନନ୍ଦ ଫୁଟି ଉଠୁଛି । ସମସ୍ତେ ଗୋଟାଏ ନୂତନ ଜୀବନ ଲାଭ କଲାପରି ବୋଧ କରୁଛନ୍ତି । ଦେଶରେ ଇଂରେଜ ସରକାର ଅଛି, ଏହି ଭାବ କାହାରିଠାରେ ନାହିଁ । ଏହି ବିପୁଳ ଜନତାଙ୍କ ଉତ୍ସାହ ଉନ୍ମାଦନାରେ ସହସ୍ର କଣ୍ଠରେ ଜାତୀୟ ସଙ୍ଗୀତର ଗାନ ନିଘୋଷିତ ହୋଇଉଠିଲା । ଲକ୍ଷ ଲକ୍ଷ ଲୋକ ଶୋଭାଯାତ୍ରା କରି ସାବରମତୀ ନଦୀରେ ଉପସ୍ଥିତ ହେଲେ । ସେଠାରେ ସଭା କାର୍ଯ୍ୟ ଶେଷ କରି ଆମ୍ଭେମାନେ ଆଶ୍ରମବାସୀ ସମସ୍ତେ ରାତ୍ରି ଆଠଟାରେ ଆଶ୍ରମକୁ ଫେରିଲୁଁ । ଏହିପରି ଭାବରେ, ଅପ୍ରେଲ ତା ୬ ରିଖ ସତ୍ୟାଗ୍ରହର ପ୍ରଥମ ଦିବସ ଆମ୍ଭେମାନେ ପାଳନ କରିଥଲୁଁ ।

 

କେବଳଅହମଦାବାଦ ସହରରେ ଏପରି ହେଲା ତାହା ନୁହେଁ, ସମସ୍ତ ଭାରତବର୍ଷରେ ଏହିପରି ଏକ ଅପୂର୍ବ ଜୀବନରେ ଢ଼େଉ ଖେଳିଗଲା । ଭାରତର ଏକ ପ୍ରାନ୍ତରୁ ଅପର ପ୍ରାନ୍ତ ପର୍ଯ୍ୟନ୍ତ ସତେ ଯେପରି ଗୋଟାଏଜୀବନର ଧାରା ବୋହିଯାଉଛି । ରାତିଶେଷରେ ବାଳ ତପନର କିରଣରେ ନିଦ୍ରିତ ଜଗତ ଯେପରି ଜାଗିଉଠେ, ଭାରତବର୍ଷ ସେହିପରି ଆଜି ଜାଗିଉଠୁଛି । ରାତ୍ରିର ନିସ୍ତବ୍ଧତା ପରେ ସୂର୍ଯ୍ୟ କିରଣ ଧରାବକ୍ଷରେ ପତିତ ହେଲେ ପ୍ରାଣିଜଗତର କୋଳାହଳ ଯେପରି ଶୁଣାଯାଏ, ସତ୍ୟାଗ୍ରହର ପ୍ରଥମ କିରଣରେ ଭାରତର ରାଜନୈତିକ ଜୀବନର ଅଙ୍କୁର ଉଦ୍‌ଗମନ ହେଉଛି । ଭାରତର ରାଜନୈତିକ କୋଳାହଳ ଶୁଣାଯାଉଛି । ମହାତ୍ମା ଗାନ୍ଧିଙ୍କର ବାଣୀ ଦେଶରେ ଏକପ୍ରକାର ବିଦ୍ୟୁତ୍ ଶକ୍ତି ଖେଳାଇ ଦେଉଛି । ଏସବୁ ସାବରମତୀ ସତ୍ୟାଗ୍ରହ ଆଶ୍ରମରେ ବସି ମୁଁ ଉପଲବ୍‌ଧି କରୁଛି । ବିପ୍ଳବୀ ଦଳରୁ ଗୋଟିଫିଟା ହୋଇ ପଳାତକ ଜୀବନ ଲୁକ୍କାୟିତ ଭାବରେ ଯାପନ କଲାପରେ ମନରେ ଯେଉଁ ନୈରାଶ୍ୟଭାବ ଆସିଥିଲା, ତାହା କୁଆଡ଼େ ଉଭେଇ ଯାଇଛି । ଭାରତର ସ୍ୱାଧୀନତା ସଂଗ୍ରାମରେ ଏକ ନୂତନ ପଥ ମତେ ସ୍ପଷ୍ଟ ଦେଖାଯାଉଛି । ଦେଶର ଚାରିଆଡ଼କୁ ଆଖି ବୁଲାଇଲା ବେଳକୁ, ସର୍ବତ୍ର ଯେଉଁ ନୂତନ ଜୀବନର ସଂକେତ ମିଳୁଛି, ଓଡ଼ିଶାରେ ତହିଁର ନାମ ଗନ୍ଧ ନାହିଁ । ଓଡ଼ିଶାରେ ସେତେବେଳକୁ ଘୋର ଅନ୍ଧକାର- କେବଳ ଏହି କଥାଟି ମନଟାକୁ ବେଳେ ବେଳେ କ୍ଷୁବ୍ଧ କରି ପକାଉଛି ।

 

ଏହି ରାଓଲାଟ ସତ୍ୟାଗ୍ରହ ପୂର୍ବରୁ ବଙ୍ଗ ବିଚ୍ଛେଦ ଆନ୍ଦୋଳନ ହୋଇଥିଲା । ତିଳକ ମହାରାଜ ଦେଶର କାର୍ଯ୍ୟ କରି ଜେଲ ଦଣ୍ତ ପାଇଛନ୍ତି । ରାଜନୈତିକ କାରଣରୁ ଅରବିନ୍ଦ ପଣ୍ତିଚେରୀକୁ ପଳାଇ ଯାଇ ଯୋଗ ସାଧନ କରୁଛନ୍ତି । ବଙ୍ଗଦେଶରେ ବିପ୍ଳବବାଦ ଫୁଟି ଉଠିଛି । କିନ୍ତୁ ସବୁ ସୀମାବଦ୍ଧ । ଭାରତର ପୁର ପଲ୍ଲିରେ ରାଓଲାଟ ବିଲ୍ ସତ୍ୟାଗ୍ରହ ଯେଉଁ ଜୀବନ ସଂଚାର କରିଛି, ତାହା ଏକାବେଳକେ ନୂତନ । ଇଂରେଜ ସରକାରଙ୍କର ଆଇନ ଅମାନ୍ୟ କରି ପ୍ରକାଶ୍ୟରେ ଜେଲ ବରଣ କରିବାକୁ କେଭେ କେହି କହି ନାହିଁ । ଅରବିନ୍ଦ କେବଳ ଏହି ଭାବର କଳ୍ପନା କରିଥିଲେ । ଭବିଷ୍ୟଦ୍‌ବାଣୀ ପ୍ରଚାର କଲାପରି ବଙ୍ଗ ବିଚ୍ଛେଦ ଆନ୍ଦୋଳନ ବେଳେ ସେ ପ୍ରକାଶ କରିଥିଲେ ଯେ, ଭାରତରେ ଏପରି ଜଣେ ପୁରୁଷ ଆବିର୍ଭୂତ ହେବେ, ଯେ କି ପ୍ରକାଶ୍ୟରେ ଦେଶବାସୀଙ୍କୁ ସରକାରୀ ଆଇନ ଭାଙ୍ଗିବାକୁ ଆହ୍ୱାନ କରିବେ । ତାହାଙ୍କର କଳ୍ପନା ଓ ଏହି ଭବିଷ୍ୟଦ୍‌ବାଣୀ ଆଜି ଫଳୀଭୂତ ହୋଇଛି । ମହାତ୍ମା ଗାନ୍ଧି ଯେଉଁ ବାଣୀ ପ୍ରଚାର କରୁଛନ୍ତି, ତାହା ଭାରତ ଜଳବାୟୁର ଅନୁକୂଳ ଏବଂ ଭାରତବାସୀର ଅନ୍ତର-ନିହିତ ବାଣୀ । ତେଣୁ ୬ ତାରିଖ ଅପ୍ରେଲ ଦିବସ ସମସ୍ତ ଭାରତବର୍ଷରେ ଲୋକଙ୍କର ସୁପ୍ତ ପ୍ରାଣକୁ ଜାଗ୍ରତ କରିଅଛି । ଏହି ଦିବସ ସ୍ୱାଧୀନ ଭାରତର ଜନ୍ମ ଦିବସ ବୋଲି ସ୍ୱୀକାର କରିବାକୁ ହେବ ।

 

ଏହିପରି ରାଓଲାଟ ବିଲ୍ ବିରୁଦ୍ଧରେ ସତ୍ୟାଗ୍ରହ ଲଢ଼ାଇ ଆରମ୍ଭ ହେଲା । ପ୍ରଥମ ଦିବସର ଜାଗରଣ ଦେଖି ଇଂରେଜ ସରକାରଙ୍କର ଭାଳେଣି ପଡ଼ିଲା । ସରକାର ସଶଂକିତ ହୋଇ ଉଠିଲେ । ଜଣଙ୍କର ଆହ୍ୱାନରେ ହିନ୍ଦୁ ମୁସଲମାନ ପ୍ରଜା ଏପରି ଭାରତର ସର୍ବତ୍ର ଜାଗି ଉଠିବେ ଏହା ଇଂରେଜ ସରକାରଙ୍କ କଳ୍ପନାତୀତ ଥିଲା । ଏହି ଜାଗରଣକୁ ସରକାର ଏକ ବିଦ୍ରୋହାନଳ ଦୃଷ୍ଟିରେ ଦେଖିଲେ । ସିପାହୀ ବିଦ୍ରୋହ ବେଳର କଥା ତାଙ୍କର ମନେ ପଡ଼ିଥିବ । ତାହା ନ ହୋଇଥିଲେ ପଞ୍ଜାବରେ ଜାଲିଆନାବାଗର ହତ୍ୟାକାଣ୍ଡ ସୃଷ୍ଟି ହୋଇ ନ ଥାନ୍ତା । ସେ ଯାହା ହେଉ ତା ୭ ରିଖ ଦିନ ମୁଁ ଓ ବିନୋବାଜୀ ଦୁହେଁ ପୁଣି ଅହମଦାବାଦ ସହରକୁ ଗଲୁଁ । ମହାତ୍ମା ଗାନ୍ଧୀଙ୍କ ଲେଖା ‘ହିନ୍ଦୁ ସ୍ୱରାଜ୍ୟ ପୁସ୍ତକ’କୁ ସରକାର ବାଜ୍ୟାପ୍ତ କରିଥାନ୍ତି । ବମ୍ବେଇର ସତ୍ୟାଗ୍ରହ ସଭା ଏହି ପୁସ୍ତକକୁ ଛପାଇ ପ୍ରକାଶ୍ୟରେ ବିକ୍ରି କରିବାକୁ ସ୍ଥିର କରିଥାନ୍ତି । ଏହାଛଡ଼ା ଆମେରିକାର ବିଖ୍ୟାତ ସତ୍ୟାଗ୍ରହୀ ଥରୋଙ୍କର ଆଇନ ଅମାନ୍ୟ ବିଷୟରେ ଖଣ୍ତିଏ ଜବତ୍ କିତାବ ମଧ୍ୟ ବିକ୍ରି କରିବାର ସ୍ଥିର ହୋଇଥାଏ । ଏହି ଦୁଇଖଣ୍ତ ଜବତ ପୁସ୍ତକ ଧରି ଅହମଦାବାଦ ସହରକୁ ମୁଁ ଓ ବିନୋବାଜୀ ଗଲୁଁ । ସ୍ଥାନେ ସ୍ଥାନେ ବୁଲି ବହି ବିକ୍ରି କଲୁଁ । କଚେରୀ ଉପରେ ହାଜର ହୋଇ ବହି ବିକିଲୁଁ । ପୋଲିସ ଥାନା ନିକଟରେ ପୋଲିସକୁ ଦେଖାଇ ଶୁଣାଇ ବହି ବିକ୍ରି କଲୁଁ । ମାଜିଷ୍ଟ୍ରେଟ କିମ୍ବା ପୋଲିସ କେହି ହେଲେ ଆମ୍ଭଙ୍କୁ ଜବତ୍ ପୁସ୍ତକ ବିକ୍ରି କରିବା ଅପରାଧରେ କିପରି ଧରନ୍ତେ ଏହି ଇଚ୍ଛାରେ ଆମ୍ଭେମାନେ ଥାନା, କଚେରୀ ଭିତରେ ପଶି ଡାକ ଦେଇ ପୁସ୍ତକ ବିକ୍ରି କରୁଛୁଁ । କିନ୍ତୁ କେହି ଆମ୍ଭଙ୍କୁ ଧରୁ ନାହାନ୍ତି । ସରକାରୀ ଜବତ୍ ପୁସ୍ତକ କାହାରି ନିକଟରେ, କିମ୍ବା ଘରେ ଲୁଚାଇ ରଖିବାର ଜଣାଗଲେ, ପୋଲିସ ଧରିବାର ନିୟମ । କିନ୍ତୁ ଏହି ନିୟମକୁ ତଥା ଆଇନକୁ ଅମାନ୍ୟ କରି ଆଜି ଆମ୍ଭେମାନେ, ମାଜିଷ୍ଟ୍ରେଟ ଓ ପୋଲିସ ସମ୍ମୁଖରେ ବହି ବିକୁଛୁଁ, ଅଥଚ କେହି କିଛି କହୁ ନାହିଁ, ଏଥିପାଇଁ ମନରେ ଭାରି ଦୁଃଖ । ଧରା ହୋଇ ଜେଲ ଯିବାପାଇଁ ପ୍ରାଣରେ ଉନ୍ମାଦନା ଉଛୁଳି ଉଠୁଛି । କାରାଗାରକୁ ସ୍ୱଇଚ୍ଛାରେ ବରଣ କରିବାର କଳ୍ପନାରେ ଆନନ୍ଦର ସୀମା ରହୁ ନାହିଁ । ଯେଉଁ ଜେଲକୁ ଭୟ କରି ଛପି ଛପି ପଳାଉଥିଲି ଆଜି ସେହି ଜେଲ ଯିବାକୁ ଆନନ୍ଦର ସୀମା ରହୁ ନାହିଁ । ପୋଲିସ ମୋର ଅନୁସନ୍ଧାନ ପାଇ, ମତେ ଚିହ୍ନି ପାରିଲେ ଧରିନେବ ବୋଲି ଭୟରେ ଚମକି ଉଠୁଥିଲେ, ଆଜି ପୁଣି ସେହି ପୋଲିସ କିପରି ଧରିବ, ଏହି ଇଚ୍ଛାରେ ପୋଲିସ ଥାନାରେ ଠେଲି ହୋଇପ୍ରବେଶ କରିବାରେ ଆନନ୍ଦ । ବେଆଇନ୍ କାର୍ଯ୍ୟ କରୁଥିବାରୁ ପୋଲିସ ଦେଖିକରି ମଧ୍ୟ ନ ଧରିବାରୁ ମନରେ ଦୁଃଖ ହେଉଛି । ଏହା ମୋ ଜୀବନରେ ଅଭିନବ ଘଟଣା ନୁହେଁ କି ?

 

ପୋଲିସ ଧରିବା ଭୟରେ ମୁଁ ବହୁକାଳ ଲୁଚିକରି ପଳାଇ ବୁଲିଛି । ଅବଶ୍ୟ ଭୟରେ ମୁଁ ଶଙ୍କିତ କିମ୍ବା ଦ୍ରବୀଭୂତ ହୋଇ ନାହିଁ । ଏହି ଭୟରେ ମୋର ବୀରତ୍ୱ ଥାଏ, ବାହାଦୂରୀ ଥାଏ ଏବଂ ଗୌରବ ଅନୁଭବ କରୁଥାଏ । ଦେଶପାଇଁ ମୁଁ ନିଜ ଇଚ୍ଛାରେ ନୀରବ ନିର୍ଯ୍ୟାତନା ଭୋଗ କରୁଛି, ଏହି ଭାବନା ମନରେ ଆନନ୍ଦ ଓ ଗର୍ବ ଭାବକୁ ଜାଗରଣ କରାଉଥାଏ । ତଥାପି ପୋଲିସ ଓ ଜେଲ ପ୍ରତି ଏକପ୍ରକାର ଭୟ ଥାଏ–ଏହା ସ୍ୱୀକାର କରିବାକୁ ହେବ । ଯେଉଁ ଜେଲଖାନା ଓ ପୋଲିସ ପ୍ରତି ମନରେ ଭୟ ଥିଲା, ସେହି ଜେଲଖାନାକୁ ପଠାଇବାପାଇଁ ପୋଲିସ ଧରୁ ନ ଥିବାରୁ ମନରେ ଆଜି ଦୁଃଖ ହେଉଛି । ଏହା ନିଶ୍ଚୟ ଏକ ଅପୂର୍ବ ପରିବର୍ତ୍ତନ । As a violent soldier–ହିଂସାବାଦୀ ସିପାହୀ ହୋଇ ଦେଶରେ ମୁଁ କାର୍ଯ୍ୟ କରିଛି । ଆଜି, Non-violent soldier–ଅହିଂସାବାଦୀ ସିପାହୀ ହୋଇ କାର୍ଯ୍ୟ କରୁଛି । ହିଂସା ଓ ଅହିଂସା ମଧ୍ୟରେ ପ୍ରଭେଦ କ’ଣ ଏହା କେତେକ ମାତ୍ରାରେ ମୁଁ ବୁଝିପାରିଛି ବୋଲି ଯଦି କହେ, ମୁଁ ନିଜର ଅହଂକାର ଦେଖାଉଛି ବୋଲି କେହି କହି ନ ପାରନ୍ତି । ସେ ଯାହା ହେଉ, ହିଂସା ଓ ଅହିଂସା ଉଭୟ ମାର୍ଗରେ ସାହସ, ବୀରତ୍ଵ ଓ ତ୍ୟାଗ ଆବଶ୍ୟକ । ତ୍ୟାଗ ବିଷୟ ବିଚାର କଲେ, ହିଂସା ପଥରେ ତ୍ୟାଗର ମାତ୍ରା ଅଧିକ ବୋଲି ମନେ ହୁଏ । କିନ୍ତୁ ସାହସ, ବୀରତ୍ୱ ଓ ଧୈର୍ଯ୍ୟ ଇତ୍ୟାଦିର ମାତ୍ରା ହିଂସାବାଦୀ ଅପେକ୍ଷା ଅହିଂସାବାଦୀର ଅଧିକ ବୋଲି ମୋର ବିଶ୍ୱାସ । ମୁଁ ଉଭୟ ମାର୍ଗ ଅନୁସରଣ କରିଛି । ହିଂସା ପଥ ଅନୁସରଣ କରି କାର୍ଯ୍ୟ କରୁଥିଲାବେଳେ ମୃତ୍ୟୁ ପାଇଁ ପ୍ରତି ମୁହୂର୍ତ୍ତରେ ପ୍ରସ୍ତୁତ ଥିଲି । ତଥାପି ମନରେ ଏକ ପ୍ରକାର ଭୟ ଥିଲା । ସେହି ଭୟକୁ ଭୟ ବୋଲି କହିବା ଅବଶ୍ୟ ଠିକ ହେବ ନାହିଁ । କିପରି ଭାଷାରେ ମନର ଉକ୍ତ ଅବସ୍ଥାକୁ ବ୍ୟକ୍ତ କରିବାକୁ ହେବ ତାହା କହି ହେଉ ନାହିଁ । ତଥାପି ଭୟମିଶ୍ରିତ ଅବିଶ୍ୱାସ ବୋଲି ମୁଁ କହିପାରେ । କାରଣ ମୁଁ କାହାକୁ ବିଶ୍ୱାସ କରୁ ନ ଥିଲି । ମନ ଖୋଲି କଥା କହିବାକୁ ସାହସ ନ ଥିଲା । ସମସ୍ତଙ୍କୁ ଚୋରା ପୋଲିସ ବୋଲି ମନରେ ସନ୍ଦେହ କରୁଥିଲି । କିଏ କି ପ୍ରକାରର ଲୋକ ତାହା ଜାଣିବାର ଉପାୟ ନ ଥିଲା । କଲିକତାରେ ରାସ୍ତା ଘାଟରେ ଗଲାବେଳେ ପଛରେ କିଛିଦୂରେ କାହାକୁ ଆସୁଥିବାର ଦେଖିଲେ ତାହାକୁ ଚୋରା ପୋଲିସ ବୋଲି ସନ୍ଦେହ କରି, ସେହି ବାଟ ଭାଙ୍ଗି ମୁଁ ଅନ୍ୟ ବାଟରେ ବୁଲି ଯାଉଥିଲି । ନିଜର ଚାଲି ଚଳଣ, ଆଚାର ବ୍ୟବହାର ଭିତରେ, ବାହାରକୁ ଅନ୍ତରର କଥା ଫୁଟି ଉଠୁ ନ ଥିଲା । ଆଭ୍ୟନ୍ତରିକ ଜୀବନ ସହିତ, ବାହ୍ୟିକ ଜୀବନର କୌଣସି ମେଳ ଥିଲା ପରି ଜଣା ପଡ଼ୁ ନ ଥିଲା । ହିଂସା ଓ ଅହିଂସା ପଥ ମଧ୍ୟରେ ବହୁତ ପ୍ରଭେଦ ରହିଅଛି । ଅହିଂସା ପଥ ଅନୁସରଣ କଲେ ଭିତର ବାହାର ସବୁ ସମାନ । କାହାରି ପ୍ରତି ଅବିଶ୍ୱାସ ନାହିଁ । ସନ୍ଦେହ ନାହିଁ । କିଛି ଲୁଚାଇ କରିବାର ଆବଶ୍ୟକତା ନାହିଁ । ସମସ୍ତ କଥା ପ୍ରକାଶ୍ୟରେ କହିବାକୁ ହେଉଛି । ସମସ୍ତ କର୍ମ ପ୍ରକାଶ୍ୟରେ କରିବାକୁ ପଡ଼ୁଛି । ହୃଦୟରେ ଅସୀମ ବଳ ସାହସ ଓ ଉତ୍ସାହ ଅନୁଭବ କରୁଛି । ଲୋକ ସାଧାରଣ ଭିତରେ ପ୍ରବେଶ କରି କାର୍ଯ୍ୟ କରିବାର ପଥ ସୁଗମ ଓ ସରଳ ହେଉଛି । ନିଜର କଥା ଓ କାର୍ଯ୍ୟଦ୍ୱାରା ଲୋକ ସାଧାରଣ ଭିତରୁ ଅସଂଖ୍ୟ ଲୋକଙ୍କୁ ନିଜ ପଥକୁ ଟାଣି ଆଣିବା ପାଇଁ ପଥ ଦେଖା ଯାଉଛି । ସରକାରୀ ବାଧା ବିଘ୍ନ ପ୍ରକାଶ୍ୟରେ ଭାଙ୍ଗି ଦେବାକୁ ମନରେ ସବୁଠାରୁ ଅଧିକ ଉନ୍ମାଦନା ଜାଗି ଉଠୁଛି । ପୋଲିସ ଧରିବାକୁ ଆସୁଥିବାର ଦେଖିଲେ ମନ ଭୟରେ ଦବି ଯାଉନାହିଁ; ବରଂ ଆନନ୍ଦରେ ନାଚି ଉଠୁଛି । ମନେ ହେଉଛି, ମୁଁ ଯେଉଁ କଥା କହୁଛି ଅବା ଯେଉଁ କାର୍ଯ୍ୟ କରୁଛି, ତାହା ହେଉଛି ଅଭ୍ରାନ୍ତ ସତ୍ୟ । ଏହି ସତ୍ୟ କଥା କହି ଅଥବା ସତ୍ୟ କର୍ମ କରିବାକୁ ଯାଇ ଯଦି ସମଗ୍ର ଜଗତର ବିପକ୍ଷରେ ଠିଆ ହେବାକୁ ହୁଏ ତାହା ମୁଁ କରିବି । ଏହି ଭାବନାରେ ମନ ଦ୍ରବୀଭୂତ ହୋଇ ଯାଉ ନାହିଁ । ବରଂ ମନରେ ଅପୂର୍ବ ଆନନ୍ଦ ଓ ଉତ୍ସାହ ଉଛୁଳି ଉଠୁଛି ।

 

ହିଂସାବାଦୀ ହୋଇ କାର୍ଯ୍ୟ କରୁଥିବା ବେଳେ ମନର ଭାବ ଏପରି ଦୃଢ଼ ନ ଥିଲା, କିମ୍ବା ଏପରି ଭାବନା ହୃଦୟରେ ଜାଗି ଉଠୁ ନ ଥିଲା । ମୋର ଅଭିଜ୍ଞତାରୁ ମୁଁ କହିପାରେ, ହିଂସାଦ୍ୱାରା ଜୀବନର ବିକାଶ ହୁଏ ନାହିଁ । ଯାହା କିଛି ହୁଏ ତାହାର ସୀମା ବଡ଼ ସଂକୀର୍ଣ୍ଣ । କାଳକ୍ରମେ ଲୋକ ସାଧାରଣ ଭୀରୁ ଓ କାପୁରୁଷ ହୋଇଯିବାର ସଂପୂର୍ଣ୍ଣ ସମ୍ଭାବନା ହିଂସାନୁମୋଦିତ ପଥରେ ପୂରି ରହିଛି । ସେ ଯାହା ହେଉ ହିଂସା ଓ ଅହିଂସା ଭିତରେ ପ୍ରଭେଦ ଦେଖାଇବା ମୋର ଇଚ୍ଛା ନୁହେଁ । ତେବେ ମୋର ଜୀବନ କିପରି ଗଢ଼ା ହୋଇ ଉଠିଛି, କେବଳ ତାହାହିଁ ଦେଖାଇବାକୁ ଯେତିକି ଯାହା ମତେ ପ୍ରଭାବିତ କରିଛି ତାହା ଲେଖିଲି । ହିଂସା ପଥ ଧରି ମୋର ଜୀବନକୁ ଯେପରି ଭାବରେ ମୁଁ ଗଠନ କରୁଥିଲି ତହିଁର ଅନ୍ତିମ ଅବସାନ କିପରି ଆକାର ଧାରଣ କରିଥାନ୍ତା ତାହା କିଏ ଜାଣେ । ମୁଁ ଏତିକି କହିପାରେ ଯେ, ମୁଁ ଏକ ନୂତନ କର୍ମପ୍ରେରଣା ଲାଭ କରିଛି, ଏବଂ ମୋର ଅସୀମ ଦୁଃଖପୂର୍ଣ୍ଣ ନିରାଶ ଜୀବନରେ ଏକ ନୂତନ ଜୀବନ ଲାଭ କରି ପୁନର୍ବାର ସ୍ୱରାଜ୍ୟ ସଂଗ୍ରାମରେ ଅବତୀର୍ଣ୍ଣ ହୋଇଛି । ମହାତ୍ମା ଗାନ୍ଧି ମୋର ଜୀବନରେ ଏହି ପରିବର୍ତ୍ତନ ଆନୟନ କରିଛନ୍ତି, ଏହା କହିବା ଅନାବଶ୍ୟକ ।

Image

 

ତୃତୀୟ ପରିଚ୍ଛେଦ

ସତ୍ୟାଗ୍ରହର ପ୍ରଥମ ଦିବସ

 

ପ୍ରଥମେ ମାର୍ଚ୍ଚ ତା୩୧ ରିଖ ଦିନ ସତ୍ୟାଗ୍ରହର ପ୍ରଥମ ଦିବସ ରୂପେ ସ୍ଥିର କରା ଯାଇଥିଲା । ପରେ ଏହି ଦିବସ ଅପ୍ରେଲ ତା ୬ ରିଖକୁ ଘୁଞ୍ଚାଇ ଦିଆଗଲା । ତାରିଖ ଘୁଞ୍ଚିବା ସଂବାଦ ଦିଲ୍ଲୀରେ ଠିକ ସମୟରେ ପହୁଞ୍ଚି ନ ପାରିବାରୁ ମାର୍ଚ୍ଚ ତା ୩୧ ରିଖ ଦିନ ସେଠାରେ ହରତାଳ ଓଗେର କାର୍ଯ୍ୟକ୍ରମ ପ୍ରତିପାଳନ କରିଥିଲେ । ଷ୍ଟେସନ ଦୋକାନ ହରତାଳ ନେଇ ଗୋଳମାଳ ସୃଷ୍ଟି ହେବାରୁ ପୋଲିସ ଜନତା ଉପରେ ଗୁଳି ଚଲାଇଲା । ସେ ଦିନ ଦିଲ୍ଲୀର ଜୁମା ମସଜିଦରେ ଠିଆ ହୋଇ ସ୍ୱାମୀ ଶ୍ରଦ୍ଧାନନ୍ଦଜୀ ହିନ୍ଦୁ ମୁସଲମାନ ଜନତାକୁ ସତ୍ୟାଗ୍ରହର ବାଣୀ ଶୁଣାଇ ଥିଲେ । ଦିଲ୍ଲୀର ହିନ୍ଦୁ ମୁସଲମାନ ପ୍ରଜା ଶୋଭାଯାତ୍ରା କରି ଗଲାବେଳେ ଗୁର୍ଖା ସିପାହୀ ସଂଗୀନ ବନ୍ଧୁକ ଧରି ସମ୍ମୁଖୀନ ହେବାରୁ ସ୍ୱାମୀ ଶ୍ରଦ୍ଧାନନ୍ଦଜୀ ଉନ୍ମୁକ୍ତ ବକ୍ଷକୁ ନେଇ ବନ୍ଧୁକ ଆଗରେ ଲଗାଇ ଦେଇ ତାହାଙ୍କ ବକ୍ଷ ବିଦୀର୍ଣ୍ଣ କରିଦେବାପାଇଁ ଗୁର୍ଖା ସୋଲଜରଙ୍କୁ ଆହ୍ୱାନ କଲେ । ଏହାରି ଫଳରେ ଦିଲ୍ଲୀ ସହରବାସୀ ଉତ୍ତେଜିତ ହୋଇ ଉଠିଲେ । ଏହି ଉତ୍ତେଜିତ ଜନତାକୁ ଶାନ୍ତ କରାଇବା ପାଇଁ ମହାତ୍ମାଜୀ ଶୀଘ୍ର ଦିଲ୍ଲୀ ଯିବାପାଇଁ ଶ୍ରଦ୍ଧାନନ୍ଦଜୀ ତା’ର କଲେ ।

 

ତେଣେ ପଞ୍ଜାବ ପ୍ରଦେଶର ସମସ୍ତ ପୁରପଲ୍ଲିରେ ସତ୍ୟାଗ୍ରହ ବାଣୀ ପ୍ରବେଶ କଲା । ଜର୍ମାନୀ ଯୁଦ୍ଧବେଳେ ସୈନ୍ୟ ଓ ଯୁଦ୍ଧ ଚାନ୍ଦା ସଂଗ୍ରହ କରିବାରେ ପଞ୍ଜାବର ଲାଟ ଓଡାୟାର୍ ସାହେବ ଅତି ଜୁଲମ ଓ ଜବରଦସ୍ତି କରିଥିଲେ । ସେଥିରେ ପଞ୍ଜାବ ପ୍ରଦେଶର ସବୁଶ୍ରେଣୀର ଲୋକେ ବଡ଼ ଉତ୍ତ୍ୟକ୍ତ ହୋଇଥିଲେ । ଏପରି ଉତ୍ତ୍ୟକ୍ତ ଓ ବିରକ୍ତିଭାବ ପ୍ରକାଶ କରିବା ପାଇଁ ସେମାନଙ୍କୁ କିଛି ଉପାୟ ଦେଖା ଯାଉ ନ ଥିଲା । ମହାତ୍ମାଜୀଙ୍କ ବାଣୀ ପଞ୍ଜାବ ପ୍ରଦେଶର ଲୋକଙ୍କୁ ଦୈବବାଣୀ ପ୍ରାୟ ବୋଧ ହେଲା । ଅପ୍ରେଲ ତା୬ରିଖ ଦିନ ପଞ୍ଜାବ ପ୍ରଦେଶରେ ସର୍ବତ୍ର ଅପୂର୍ବ ଉତ୍ସାହ ଓ ଉତ୍ତେଜନା ଖେଳିଗଲା । ପଞ୍ଜାବ ଲୋକଙ୍କୁ ଶାନ୍ତ କରାଇ ସତ୍ୟାଗ୍ରହ ବାଣୀ ଶୁଣାଇବା ପାଇଁ ଅମୃତସର ସହରରୁ ଡାକ୍ତର ସତ୍ୟପାଳ ଓ କିଚିଲ୍ୟୁ ମହାତ୍ମାଜୀଙ୍କୁ ଡକାଇ ପଠାଇଲେ । ଏହିପରି ଡକରା ପାଇ ମହାତ୍ମାଜୀ ଦିଲ୍ଲୀ ହୋଇ ପଞ୍ଜାବ ଅଭିମୁଖରେ ଯାତ୍ରା କଲେ-। କିନ୍ତୁ ଦିଲ୍ଲୀ ଓ ପଞ୍ଜାବ ଯିବା ପାଇଁ ସରକାର ମହାତ୍ମା ଗାନ୍ଧିଙ୍କ ଉପରେ ନିଷେଧ ଆଜ୍ଞା ଜାରି କରାଇଲେ । ସେହି ନିଷେଧ ଆଜ୍ଞାକୁ ଅବଜ୍ଞା କରି ମହାତ୍ମାଜୀ ଦିଲ୍ଲୀ ଯାତ୍ରା କଲା ବେଳକୁ ବାଟରେ ଧରା ହେଲେ । ମହାତ୍ମାଜୀଙ୍କ ଧରାହେବା ସଂବାଦ ବିଜୁଳି ପରି ଦେଶରେ ବ୍ୟାପିଗଲା । ଗତ ଦୁଇ ତିନି ଦିନ ଭିତରେ ଭାରତର ହିନ୍ଦୁ ମୁସଲମାନ ପ୍ରଜା ବଡ଼ ଉତ୍ତେଜିତ ଅବସ୍ଥାରେ ଥିଲେ । ଏପରି ଅବସ୍ଥାରେ ମହାତ୍ମାଜୀଙ୍କ ଧରା ହେବା ସଂବାଦ ଉତ୍ତେଜିତ ଜନତାକୁ ଆହୁରି ଉତ୍ତେଜିତ କରି ଦେଲା । ଲୋକେ ସେତେବେଳକୁ ମହାତ୍ମାଜୀଙ୍କ ଅହିଂସା ନୀତି ଭଲକରି ବୁଝି ନ ଥାନ୍ତି । ମହାତ୍ମା ଗାନ୍ଧିଙ୍କୁ ସରକାର ଧରି ନେବାଦ୍ୱାରା ଲୋକେ ଅହିଂସାକୁ ଛାଡ଼ି ହିଂସାମାର୍ଗ ଅବଲମ୍ବନ କଲେ । ଦେଶର ସ୍ଥାନେ ସ୍ଥାନେ କଚେରୀ ଥାନା ପୋଡ଼ି ଦେବା, ରେଲ ଲାଇନ ଭାଙ୍ଗିବା, ତା’ର କାଟିବା ଇତ୍ୟାଦି ପ୍ରକାର ଅନିଷ୍ଟ ସୃଷ୍ଟି ହୋଇଗଲା । ଅହମଦାବାଦରେ ଏହାହିଁ ଘଟିଲା । ଏହି ଗୋଳମାଳ ସଂବାଦ ପାଇ ଆଶ୍ରମରୁ ଆମ୍ଭେମାନେ ସମସ୍ତେ ଅହମଦାବାଦ ସହରରେ ହାଜର ହେଲୁଁ । ଅହମଦାବାଦ କଳ କାରଖାନାରେ ପୂର୍ଣ୍ଣ । ଲକ୍ଷ ଲକ୍ଷ ମଜୁରିଆ କାମ ଛାଡ଼ି ଦେଇ ମହା ଗଣ୍ଡଗୋଳ ସୃଷ୍ଟି କରିଛନ୍ତି । ଆଶ୍ରମରୁ ଆମ୍ଭେମାନେ ଅହମଦାବାଦରେ ଉପସ୍ଥିତ ହେଲା ବେଳକୁ ବହୁତ ଅନିଷ୍ଟ ଘଟିଗଲାଣି । ସହସ୍ର ସହସ୍ର ଲୋକ ବଡ଼ ବଡ଼ ଲାଠି ଧରି ସହର ଭିତରକୁ ପ୍ରବେଶ କରୁଛନ୍ତି । ସରକାରୀ ଅଫିସ ଓ ସରକାରୀ କର୍ମଚାରୀ କେହି ରକ୍ଷା ପାଇବେ ନାହିଁ । ସହର ଭିତରେ ସ୍ଥାନେ ସ୍ଥାନେ ସରକାରୀ ଅଫିସରେ ନିଆଁ ଲାଗି ଜଳୁଛି । ଆମ୍ଭେମାନେ ଯାଇ ଏପରି ନିଆଁ ଲଗାଇ କଚେରୀ ଥାନା ପୋଡ଼ିଦେବା ସତ୍ୟାଗ୍ରହ ବିରୁଦ୍ଧ କାର୍ଯ୍ୟ ବୋଲି ଲୋକଙ୍କୁ ବୁଝାଉଛୁ । କିନ୍ତୁ ଆମ୍ଭ କଥା ଶୁଣୁଛି କିଏ । ସମୁଦ୍ର ମାଡ଼ି ଆସିଲା ପରି ଲୋକସବୁ ଠେଙ୍ଗା ବାଡ଼ି ଧରି ମାଡ଼ି ଆସୁଛନ୍ତି ।

 

ଅହମଦାବାଦ ସହର ଗୋଟିଏ ପ୍ରାଚୀନ ସହର । ସହର ଚାରିପାଖେ ଗୋଟିଏ ଦୀର୍ଘ ପ୍ରାଚୀର ବୁଲିଛି । ସହର ଭିତରକୁ ପ୍ରବେଶ କରିବାକୁ ବଡ଼ ବଡ଼ ଦରଜା ସବୁ ଅଛି । ଗୋଟିଏ ଦରଜା ନିକଟରେ ଆମ୍ଭେମାନେ ସମସ୍ତେ ଆଶ୍ରମବାସୀ ଠିଆ ହୋଇ ଲୋକଙ୍କୁ ଏପାଖ ସେପାଖ ଯିବାକୁ ମନା କରୁଛୁ । ଏପରି ସମୟରେ ସଙ୍ଗୀନ ପୋଲିସ ଆସି ହାଜର ହେଲେ । ଜନତାକୁ ହଟିଯିବାପାଇଁ କିଛି ସମୟ ଦିଆଗଲା । ତାହା ନ ହେଲେ ଗୁଳି ଫୟର ହେବ । ଆମ୍ଭମାନଙ୍କୁ ଏହି ଜନତା ଭିତରୁ ହଟି ଯିବା ପାଇଁ ଆଦେଶ ମିଳିଲା । ଆମ୍ଭେମାନେ କ’ଣ କରିବୁ କିଛି ବୁଝି ପାରିଲୁ ନାହିଁ । ଗୁଳି ଚାଲିବ, ଏହି ଭୟରେ ଛାଡ଼ି ପଳାଇବା ଠିକ ନୁହେଁ । ଜନ ସାଧାରଣ ଭିତରେ ଯେଉଁ ଉତ୍ତେଜନା ଆସିଛି, ସେଥିପାଇଁ ପ୍ରକାରାନ୍ତରେ ଆମ୍ଭେମାନେ ଦାୟୀ । ଲୋକେ ଠିକ ପଥ ନ ଧରି ସତ୍ୟାଗ୍ରହବିରୁଦ୍ଧ କାର୍ଯ୍ୟ କରୁଛନ୍ତି, ଏଥିପାଇଁ ଏକ ପ୍ରକାର ଆମ୍ଭେମାନେ ଦାୟୀ ନୋହୁଁ କି ? ଜନସାଧାରଣଙ୍କୁ ସଂଗଠିତ କରି ନିୟନ୍ତ୍ରିତ କରିବା, ରାଜନୈତିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମୀମାନଙ୍କର ହେଉଛି ମୁଖ୍ୟ କର୍ତ୍ତବ୍ୟ । ଲୋକେ ଯଦି କିଛି ଭୁଲ କରନ୍ତି, ପୁଣି ରାଜନୈତିକ ଆନ୍ଦୋଳନରେ ଯୋଗ ଦେଇ, ରାଜନୈତିକ ଆନ୍ଦୋଳନକୁ ସମର୍ଥନ କରି ଯଦି ଜନତା କିଛି ଗଣ୍ତଗୋଳ କରନ୍ତି, ତେବେ ତହିଁର ଦାୟିତ୍ୱ ପ୍ରକାରାନ୍ତରେ ଆମ୍ଭମାନଙ୍କ ଉପରେ ରହିଛି । ଏହିପରି ଅନେକ ଚିନ୍ତା ମନରେ ଖେଳିଲା । ଆମ୍ଭମାନଙ୍କ ମଧ୍ୟରେ ଆଲୋଚିତ ହେଲା । ଆମ୍ଭେମାନେ ନିଶ୍ଚୟ କଲୁ, ଅଶିକ୍ଷିତ ଜନସାଧାରଣଙ୍କୁ ପୋଲିସର ବନ୍ଧୁକ ମୁହଁରେ ଛାଡ଼ି ଦେଇ ସେମାନଙ୍କ ଆଗରୁ ବର୍ତ୍ତମାନ ଆମ୍ଭେମାନେ ଖସି ବାହାରିଯିବା ଉଚିତ ହେବ ନାହିଁ । ଗୁଳି ଚାଲିବ । ଜନତା ଓ ପୋଲିସ ଉଭୟଙ୍କ ମଧ୍ୟରେ ଆମ୍ଭେମାନେ ଉପରକୁ ହାତ ଟେକି ଠିଆ ହୋଇ ରହିବୁଁ । ଜନତା ଦେଖନ୍ତୁ, ଗୁଳି ଚାଲିଲେ ମଧ୍ୟ ଗୁଳି ଖାଇ ମରିବୁଁ । କିନ୍ତୁ ପୋଲିସ ବିରୁଦ୍ଧରେ ହାତ ହାଲାଇବୁ ନାହିଁ-। ଏହି ଶିକ୍ଷା ଦେବାପାଇଁ ଆମ୍ଭେମାନେ ସେହିଠାରେ ସେହିପରି ଠିଆ ହୋଇ ରହିଲୁଁ । ସେତେବେଳର ମନର ଭାବ ମୁଁ ପ୍ରକାଶ କରି ପାରୁ ନାହିଁ । ମୃତ୍ୟୁକୁଭୟ ନ ଥାଏ ତାହା ନୁହେଁ । ମୋର ଦେହ ଥରି ଉଠୁଥାଏ । ଜନତା ଆଡ଼କୁ ଚାହିଁ ହାତ ଯୋଡ଼ି ପ୍ରାର୍ଥନା କରୁଥାଏ ସେମାନେ ଚାଲି ଯିବାକୁ । ପୁଣି ବୁଲିପଡ଼ି ପୋଲିସ ଗୁଳି ଚଳାଇଲା କି ନାହିଁ, ଦେଖୁଥାଏ । ଏହିପରି ସମୟରେ ଗୁଳି ଚାଲିଲା, ଆମ୍ଭ ଆଖି ଆଗରେ ଲୋକେ ଆହତ ହୋଇ ପଡ଼ିଗଲେ । ଏହି ଆହତ ଲୋକଙ୍କୁ ଧରି ଆମ୍ଭେମାନେ ହାସପାତାଳରେ ହାଜର ହେଲୁଁ । ଗୁଳି ଚାଲି, କେତେ ଜଣ ଲୋକ ହତ ଆହତ ହେଲା ପରେ କିଏ କୁଆଡ଼େ ପଳାଇଗଲେ । ଏ ଅହମଦାବାଦ ସହର ଭିତରେ ଏହିପରି ଅନେକ ସ୍ଥାନରେ ଗୁଳି ଚାଲିଥିଲା । ସେହି ଦିନ ସନ୍ଧ୍ୟାରେ ସୈନିକ ଆଇନ ଜାରୀ ହୋଇଗଲା, ଅହମଦାବାଦ ସହର ଜନଶୂନ୍ୟ ପରି ବୋଧ ହେଲା । ଏହିସବୁ କାର୍ଯ୍ୟ କରି ଏବଂ ଅବସ୍ଥା ଦେଖି ସନ୍ଧ୍ୟାରେ ଆମ୍ଭେମାନେ ଆଶ୍ରମକୁ ଫେରିଲୁଁ । ସେଦିନ କାହାରି ମନ ଭଲ ନ ଥାଏ । ଘଟଣା କ’ଣ ହେବ, କି ଆକାର ଧାରଣ କରିବ କିଏ ଜାଣେ ? ଏଣେ ମହାତ୍ମାଜୀଙ୍କୁ ଧରି ସରକାର କ’ଣ କଲେ, କେଉଁଠାକୁ ନେଲେ ତାହା ଜାଣିବା ପାଇଁ ମଧ୍ୟ ମନ ଉଦ୍‌ବିଗ୍ନ ହେଉଥାଏ ।

 

ଅହମଦାବାଦରେ ଯାହା ଯେପରି ଘଟିଗଲା ଭାରତର ଭିନ୍ନ ଭିନ୍ନ ପ୍ରାନ୍ତରେ ଊଣା ଅଧିକରେ ସେହିପରି ଗଣ୍ତଗୋଳ ସୃଷ୍ଟି ହୋଇଗଲା । ବମ୍ବେଇ ଅବସ୍ଥା ଆହୁରି ଖରାପ । ବମ୍ବେଇ ସହରରେ ଦୁଇଦିନ କାଳ, ଇଂରେଜ ରାଜତ୍ୱର କୌଣସି ଚିହ୍ନ ନ ଥିଲା । ଗୋରା ଲୋକେ ପ୍ରାଣ ଭୟରେ କିଏ କୁଆଡ଼େ ପଳାଇ ଲୁଚି ରହିଲେ । ଏପରି ଅବସ୍ଥାରେ ସରକାର ଗାନ୍ଧିଜୀଙ୍କୁ ଧରି ଆଣି ବମ୍ବେଇ ସହରରେ ଛାଡ଼ିଦେଲେ । ବମ୍ବେଇରେ ମହାତ୍ମାଜୀ ଉପସ୍ଥିତ ହେବା ମାତ୍ରକେ ବମ୍ବେଇର ସମସ୍ତ ଗୋଳମାଳ ଶାନ୍ତ ହୋଇଗଲା । ନିଆଁରେ ପାଣି ପକାଇଲେ ନିଆଁ ଯେପରି ଲିଭିଯାଏ, ମହାତ୍ମାଜୀଙ୍କୁ ଦେଖି ଏବଂ ତାହାଙ୍କ କଥା ଶୁଣି ବମ୍ବେଇ ଜନତା ଏକାବେଳକେ ଶାନ୍ତ ହୋଇଗଲେ-। ବମ୍ବେଇରୁ ପ୍ରକାଶିତ ‘ଟାଇମସ୍ ଅଫ୍ ଇଣ୍ତିଆ’ କାଗଜ ଅଗ୍ରଲେଖାରେ ଗାନ୍ଧିଜୀଙ୍କୁ ଏପରି ହଠାତ୍ ଗିରଫ କରିବାକୁ ନିନ୍ଦା କରି ସରକାରଙ୍କ ନୀତିକୁ ସମାଲୋଚନା କରିଥିଲା । ସେ ଯାହା ହେଉ, ମହାତ୍ମାଜୀ ବମ୍ବେଇକୁ ଶାନ୍ତ କରାଇ ତା ୧୦ ରିଖ ଦିନ ସକାଳେ ଅହମଦାବାଦରେ ଉପସ୍ଥିତ ହେବା ମାତ୍ରକେ, ସରକାର ସୈନିକ ଆଇନ ଉଠାଇ ନେଲେ । ମହାତ୍ମାଜୀ ସଭା କରି ଅହମଦାବାଦ ଲୋକଙ୍କର ଏହି କାର୍ଯ୍ୟକୁ ନିନ୍ଦାବାଦ କଲେ । ଏହିଠାରେ ରାଓଲାଟ ସତ୍ୟାଗ୍ରହ ସ୍ଥଗିତ କରିଦେଲେ । ଅହମଦାବାଦ ଲୋକଙ୍କ ପ୍ରାୟଶ୍ଚିତ୍ତ ସ୍ୱରୂପ ଏକ ଦିନ ଉପବାସ ରହି ସେହି ଦିନକର ଖର୍ଚ୍ଚ ତାହାଙ୍କ ନିକଟରେ ଦାଖଲ କରିବା ପାଇଁ ଏକ ଘୋଷଣାପତ୍ର ଜାରୀ କରାଇଲେ । ଏହିପରି ପ୍ରାୟଶ୍ଚିତ୍ତ ଭାବରେ ଯେତେ ଅର୍ଥ ସଂଗୃହୀତ ହେବ, ସେହି ଅର୍ଥଦ୍ୱାରା ହତ ହୋଇଥିବା ସାହେବମାନଙ୍କ ପରିବାରକୁ ସାହାଯ୍ୟ ଦିଆଯିବ, ଏହା କହି, ସତ୍ୟାଗ୍ରହ ଲଢ଼ାଇ ବନ୍ଦ କରିଦେଲେ-। ମହାତ୍ମାଜୀ ନିଜେ ତିନି ଦିନ ଉପବାସ ରହିଲେ ।

 

ମହାତ୍ମାଜୀଙ୍କ ଦେହ ଭଲ ନ ଥାଏ । ସେ ଅତି ଦୁର୍ବଳ ହୋଇ ପଡ଼ିଥାନ୍ତି । ଏହି ଦୁର୍ବଳ ଅବସ୍ଥାରେ ତିନି ଦିନ ଉପବାସ ମହାତ୍ମାଜୀ ରହିବେ, ଏଥିରେ ଆଶ୍ରମରେ ସମସ୍ତେ ଚିନ୍ତିତ ହୋଇ ପଡ଼ିଲେ । ମୁଁ ଯେ ଟିକିଏ ଚିନ୍ତିତ ନ ହୋଇଛି ତାହା ନୁହେ । କିନ୍ତୁ ସାମାନ୍ୟ ଗୋଳମାଳ ହେଲା ବୋଲି ମହାତ୍ମାଜୀ ଏକାବେଳକେ ସତ୍ୟାଗ୍ରହ ଆନ୍ଦୋଳନକୁ ବନ୍ଦ କରିଦେଲେ ଏଥିରେ ମୋର ଭାରୀ ଦୁଃଖ । ମୁଁ ମନେ ମନେ ଭାବିଲି, ଭାରତର ଭିନ୍ନ ଭିନ୍ନ ପ୍ରଦେଶରୁ କେତେ ଲୋକ ଏଥିରେ ଯୋଗ ଦେଇଛନ୍ତି । ଭାରତର ଚାରିଆଡ଼େ ଗୋଟାଏ ନୂତନ ଜୀବନୀଶକ୍ତି ଖେଳି ଯାଇଛି । ଲୋକେ କେତେ ଉତ୍ସାହ ଓ ଆଶାରେ ଉଠିଥିଲେ । ମହାତ୍ମାଜୀ ହଠାତ୍ ଏପରି ବନ୍ଦ କରିଦେଇ ଭୁଲ କଲେ ବୋଲି ମୋର ମନରେ ଏକ ଦୃଢ଼ ବିଶ୍ୱାସ ଜନ୍ମିଗଲା । ଏ ଭାବ ଅବଶ୍ୟ ବେଶି ଦିନ ରହି ନ ଥିଲା । କାରଣ ପରେ ମୁଁ ବୁଝି ପାରିଲି ଯେ ସତ୍ୟାଗ୍ରହ ବନ୍ଦ କରି ମହାତ୍ମାଜୀ ଦେଶର ବହୁତ କଲ୍ୟାଣ ସାଧନ କରିଛନ୍ତି । ସାବରମତୀ ସତ୍ୟାଗ୍ରହ ଆଶ୍ରମରେ ଯୋଗ ଦେଇଥିବାରୁ ଏସବୁ ମୁଁ ବୁଝି ପାରୁଥାଏ । ଏ ସମସ୍ତ ଘଟଣାମାନ ମୋ ଆଖି ଆଗରେ ଘଟୁଥାଏ । ଭାରତର କେଉଁ ପ୍ରାନ୍ତରେ କ’ଣ ହେଉଛି ତାହା ଜାଣିବାକୁ ପୂର୍ଣ୍ଣ ସୁବିଧା ଥାଏ । ସାବରମତୀ ଆଶ୍ରମରେ ରହି ମୁଁ ବୁଝୁଥାଏ ଯେ ଦେଶରେ ଗୋଟିଏ ନୂତନ ଜୀବନ ଗଢ଼ା ହେଉଅଛି । ଏହାଦ୍ୱାରା ଦେଶ ସ୍ଵାଧୀନତା ସଂଗ୍ରାମରେ ଅଗ୍ରଗାମୀ ହେଉଛି ବୋଲି ମୁଁ ଉପଲବ୍‌ଧି କରୁଥାଏ । ରାଓଲାଟ୍ ବିଲ୍ ସତ୍ୟାଗ୍ରହ ବନ୍ଦ ହେଲେ ମଧ୍ୟ ଦେଶର ଆଖି ଫିଟିଗଲା ଏଥିରେ ସନ୍ଦେହ ନାହିଁ । ଏହି ଉପଲବ୍‌ଧି ସଙ୍ଗେ ସଙ୍ଗେ ମୋର ଜୀବନ ପୁଣି ଗୋଟିଏ ନୂଆ ଉପାଦାନରେ ଗଢ଼ା ହେଉଛି, ଏହା ମୁଁ ପ୍ରତିକ୍ଷଣରେ ଅନୁଭବ କରୁଥାଏ । ଦେଶରେ ଘଟୁଥିବା ଘଟଣାମାନ ମୋର ନୂତନ ଜୀବନର ମୂଳଭିତ୍ତିକୁ ଦୃଢ଼ କରୁଥାଏ ।

Image

 

ଚତୁର୍ଥ ପରିଚ୍ଛେଦ

ବମ୍ବେଇରେ ମହାତ୍ମାଜୀଙ୍କ ସେବା ଓ ଅରଟ ପ୍ରଚାର

 

ମହାତ୍ମାଜୀଙ୍କ ତିନି ଦିନ ଉପବାସ ଶେଷ ହେଲା । ସେ ପୁଣି ବମ୍ବେଇ ଗଲେ । ମୁଁ ପୂର୍ବପରି ଆଶ୍ରମର ନିୟମିତ କାର୍ଯ୍ୟରେ ମନ ନିୟୋଜିତ କଲି । ରାଓଲାଟ ବିଲ୍ ସତ୍ୟାଗ୍ରହରେ ଯୋଗ ଦେଇ ମନ ଚଞ୍ଚଳ ହୋଇଛି । ମହାତ୍ମାଜୀ ହଠାତ୍ ସତ୍ୟାଗ୍ରହ ବନ୍ଦ କରିଦେବାରୁ ମନ ମଧ୍ୟ ଭଲ ନାହିଁ । ଏପରି ଅବସ୍ଥାରେ ଆଶ୍ରମ କାର୍ଯ୍ୟରେ ମନ ଲାଗିଲା ନାହିଁ । ମଗନଲାଲ ଭାଇଙ୍କ ସହିତ ଟିକିଏ ପୁଣି ଝଗଡ଼ା ଲାଗିଲା । ଏଥର ଝଗଡ଼ା ପରେ ଆଶ୍ରମରେ ରହିବାକୁ ମତେ ଭଲ ଲାଗିଲା ନାହିଁ । ଆଶ୍ରମ ଛାଡ଼ି ଚାଲି ଆସିବାପାଇଁ ନିଶ୍ଚୟ କଲି । ଏପରି ହଠାତ୍ ଆଶ୍ରମ ଛାଡ଼ି ଚାଲି ଆସିବା ସମ୍ବାଦରେ ସମସ୍ତେ ଦୁଃଖିତ ହେଲେ । ଆଶ୍ରମରେ ରହିବା ପାଇଁ ମଗନଲାଲ ଭାଇ ଦୁଇ ଚାରିଥର ମତେ ବୁଝାଇଲେ ବିନୋବାଜୀ ପ୍ରଭୃତି ମଧ୍ୟ ଆଶ୍ରମ ଛାଡ଼ି ନ ଆସିବାପାଇଁ ପରାମର୍ଶ ଦେଲେ । କିନ୍ତୁ ଥରେ ଗୋଟିଏ କଥା ନିଶ୍ଚୟ କଲା ପରେ ଆଉ ତାକୁ ଏତେ ସହଜରେ ବଦଳାଇବା ମୋର ସ୍ୱଭାବବିରୁଦ୍ଧ କାମ । ଯେ ଯେତେ କହିଲେ ମଧ୍ୟ ଆଶ୍ରମରେ ରହିବାକୁ ମୋର ମନ ଆଉ ବଳିଲା ନାହିଁ । ମହାତ୍ମାଜୀ ଶୀଘ୍ର ଆଶ୍ରମକୁ ଫେରି ଆସିବାର ଥାଏ । ମୁଁ ତାହାଙ୍କ ଅପେକ୍ଷାରେ ଆଶ୍ରମରେ ରହିଥାଏ । ବମ୍ୱେଇରୁ ମହାତ୍ମାଜୀ ଆଶ୍ରମକୁ ଫେରି ମୁଁ ଆଶ୍ରମ ଛାଡ଼ି ଚାଲି ଯାଉଥିବା କଥା ଶୁଣିଲେ । କିନ୍ତୁ ସେ ମତେ ଛାଡ଼ିଦେଲେ ନାହିଁ । ସେ ପୁଣି ବମ୍ୱେଇ ଫେରିଲାବେଳକୁ ମତେ ସଙ୍ଗରେ ନେଇ ବମ୍ୱେଇ ଗଲେ । ମହାତ୍ମାଜୀଙ୍କ ସ୍ନେହସୂଚକ କଥାରେ ମୋରମନ ବଦଳିଗଲା । ବମ୍ୱେଇରେ ମୁଁ ମହାତ୍ମାଜୀଙ୍କ ନିକଟରେ ରହିଲି । ଆଶ୍ରମ ବିଷୟ ନେଇ ମତେ ପଚାରିବାରେ ମୁଁ କିଛି ନ କହି ସତ୍ୟାଗ୍ରହ ଲଢ଼େଇରେ ଯୋଗ ଦେଇ ପାରିବା ଭଳି ମତେ କୌଣସି କାର୍ଯ୍ୟରେ ନିଯୁକ୍ତ କରିବାପାଇଁ ମୁଁ ଅନୁରୋଧ କରିଥିଲି । ମୋର ଉତ୍ତରରେ ମହାତ୍ମାଜୀ ନୀରବ ରହିଲେ । ମୁଁ ତାହାଙ୍କ ନିକଟରେ ରହିବାର ସୁଯୋଗ ଏହିପରି ଭାବରେ ପାଇ ପାରିଲି ।

 

ମହାତ୍ମା ଗାନ୍ଧିଙ୍କ ସେବା କାର୍ଯ୍ୟ କରିବାପାଇଁ କେତେ ଧନୀ ଶିକ୍ଷିତ ଲାଳାୟିତ । ମୁଁ ଏତେ ସହଜରେ ତାହାଙ୍କ ନିକଟରେ ରହି ତାହାଙ୍କ ପରିଚର୍ଯ୍ୟା କରିବାର ସୁଯୋଗ ସୁବିଧା ପାଇବି ଏହା ମୁଁ କଳ୍ପନା କରି ନ ଥିଲି । ଏପରି ଅଚାନକ ଭାବରେ ମହାତ୍ମାଜୀଙ୍କ ନିକଟରେ ରହିବାର ସୁବିଧା ପାଇବାରୁ ମୋର ଆନନ୍ଦର ସୀମା ରହିଲା ନାହିଁ । ଏହି ଘଟଣା ମୋ ଜୀବନରେ ଗୋଟିଏ ବିଶେଷ ଘଟଣା ବୋଲି ମୁଁ କହିପାରେ । କାରଣ ମହାତ୍ମାଜୀଙ୍କ ନିକଟରେ ରହିବାକୁ ଏପରି ସୁବିଧା ପାଇ ନ ଥିଲେ ମୁଁ ନିଶ୍ଚୟ କଲିକତା ଫେରିଥାନ୍ତି । ମୋର ଜୀବନ ତେଣିକି କିପରି ଆକାର ଧାରଣ କରିଥାନ୍ତା ତାହା ମୁଁ କଳ୍ପନା କରିପାରୁ ନାହିଁ । ମହାତ୍ମାଜୀଙ୍କ ନିକଟରେ ରହିବାଦ୍ୱାରା ଭାରତର ରାଜନୈତିକ ପରିସ୍ଥିତିର ସମସ୍ତ ଘଟଣା ବୁଝି ପାରିବାର ସୁଯୋଗ ମଧ୍ୟ ମିଳିଲା । ଦେଶର ଅନ୍ୟାନ୍ୟ ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କୁ ଦେଖି ଚିହ୍ନି ପାରିଲି । ସେମାନଙ୍କ ରାଜନୈତିକ ମତାମତ ମଧ୍ୟ ଜାଣି ପାରିଲି । ରାଜନୈତିକ ଜୀବନ କିପରି ଗଢ଼ାହୋଇ ଉଠୁଛି ତହିଁର ସମସ୍ତ ତଥ୍ୟ ସମ୍ପୂର୍ଣ୍ଣରୂପେ ଜାଣି ପାରିଲି । ଏତେବେଳଯାଏ ପଞ୍ଜାବ ଅତ୍ୟାଚାର ବିଷୟରେ କିଛି ଜଣା ଯାଇ ନାହିଁ । ପଞ୍ଜାବ ବିଷୟ ନେଇ ନାନାପ୍ରକାର ଉଡ଼ା ଖବର ଶୁଣା ଯାଉଥାଏ । ସତ୍ୟାଗ୍ରହ ଲଢ଼ାଇ ମହାତ୍ମାଜୀ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଥାନ୍ତି । ଦେଶରେ ଟିକିଏ ଶାନ୍ତି ସ୍ଥାପିତ ହେଲେ ପୁଣି ଲଢ଼ାଇ ଆରମ୍ଭ କରିବାର ମହାତ୍ମାଜୀଙ୍କର କଳ୍ପନା ଥାଏ । ତାହା ମୁଁ ବମ୍ୱେଇକୁ ଆସି ବୁଝି ପାରୁଛି । ପଞ୍ଜାବର ଦାରୁଣ ବାର୍ତ୍ତା ଶୁଣା ଯାଇ ନାହିଁ । ପଞ୍ଜାବ ପ୍ରଦେଶକୁ ଯିବା ଆସିବା କରିବାକୁ ସରକାରୀ ନିଷେଧ ଆଜ୍ଞା ଜାରୀ ହୋଇଛି । ପଞ୍ଜାବ ଭିତରୁ କେହି ବାହାରକୁ ଆସି ପାରୁ ନାହାନ୍ତି କିମ୍ୱା ବାହାରର ଲୋକେ ଭିତରକୁ ଯାଇ ପାରୁ ନାହାନ୍ତି । ମହାତ୍ମାଜୀ ଅଧିକାଂଶ ସମୟ ବମ୍ୱେଇରେ ରହୁଛନ୍ତି । ତାହାଙ୍କର ଦେହ ଭଲ ନ ଥାଏ । ସେ ପୂର୍ବରୁ ଦୁଧ ଲୁଣ ଇତ୍ୟାଦି କିଛି ଖାଉ ନ ଥିଲେ । ଏହି ସମୟରେ ଡାକ୍ତରଙ୍କ ପରାମର୍ଶ ଓ ବନ୍ଧୁମାନଙ୍କ ଅନୁରୋଧରେ ମହାତ୍ମାଜୀ ଛେଳିଦୁଧ ଖାଇବାକୁ ଆରମ୍ଭ କଲେ । ତାଙ୍କର ଶରୀର ଅତିଶୟ ଦୁର୍ବଳ ହୋଇ ଯାଇଥାଏ । ସେ ବସି କଥା କହି ପାରନ୍ତି ନାହିଁ । ଅଧିକାଂଶ ସମୟ ବିଛଣାରେ ଶୋଇ ରହିଥାନ୍ତି । ଦିନେ ଦିନେ ତାଙ୍କର ଅଙ୍ଗବିଶେଷ ଆଉ ଚଳେ ନାହିଁ । ସୁତରାଂ ସେ ବିଛଣାରୁ ଉଠି ପାରନ୍ତି ନାହିଁ । ହାତ ଦୁଇଟି ଏକ ପ୍ରକାର ଅବଶ ହୋଇ ଯାଇଥାଏ । ହାତ ଉପରକୁ ଉଠାଇବାର ଶକ୍ତି ନ ଥାଏ । ଦିନେ ଦିନେ ସକାଳୁ ଉଠିଲା ବେଳକୁ ଗୋଡ଼ ଦୁଇଟି ଅବଶ ହୋଇଯାଏ । ଦିନେ ଦିନେ ଅଣ୍ଟା ଅବଶ ହୋଇଯାଏ । ଏପରି ଅବସ୍ଥାରେ ସେ ଅଧିକାଂଶ ସମୟରେ ବିଛଣାରେ ପଡ଼ି ରହି ସମସ୍ତ କାର୍ଯ୍ୟ କରନ୍ତି । ତାହାଙ୍କ ନିକଟକୁ ସବୁବେଳେ ନାନା ପ୍ରକାରର ବିଶିଷ୍ଟ ଲୋକ ଯାତାୟାତ କରନ୍ତି । ଦେଶର ରାଜନୈତିକ ପରିସ୍ଥିତି ବିଷୟରେ ଆଲୋଚନା ହୁଏ । ଅନେକ ସମୟରେ ବିଠଲଭାଇ ପଟେଲ, ପଣ୍ଡିତ ମଦନମୋହନ ମାଲବ୍ୟ ଆସି ମହାତ୍ମାଜୀଙ୍କ ସହିତ ରାଜନୈତିକ ପରିସ୍ଥିତି ବିଷୟରେ ଆଲୋଚନା କରନ୍ତି ।

 

ସେତେବେଳେ ବମ୍ୱେଇରେ ମହାତ୍ମାଜୀଙ୍କ ନିକଟରେ ମହାଦେବ ଦେଶାଇ, ପ୍ରଫେସର କ୍ରିପଲାନୀ ଓ ମୁଁ ଏହି ତିନି ଜଣ ଥାଉଁ । ମହାତ୍ମାଜୀଙ୍କ ପରିଚର୍ଯ୍ୟାଭାର ମୋ ଉପରେ ସଂପୂର୍ଣ୍ଣ ନିର୍ଭର ଥାଏ । ଏହି ସମୟରେ ପଞ୍ଜାବ ଭିତରୁ ଦୁଇଟି ଲୋକ କୌଣସି ଉପାୟରେ ଲୁଚି ପଳାଇ ଆସି ବମ୍ୱେଇରେ ମହାତ୍ମାଜୀଙ୍କ ନିକଟରେ ଉପସ୍ଥିତ ହେଲେ । ଏହି ପଳାଇ ଆସିଥିବା ଲୋକ ଦୁଇଟିଙ୍କ ନିକଟରୁ ପ୍ରଥମେ ପଞ୍ଜାବ ଅତ୍ୟାଚାରର ମର୍ମାନ୍ତିକ କାହାଣୀ ଶୁଣିବାକୁ ମିଳିଲା । ଏହି ସଂବାଦ ଯଥେଷ୍ଟ ନୁହେ । ପଞ୍ଜାବରେ କ’ଣ ଘଟିଗଲା ଏବଂ ଏବେ କ’ଣ ଘଟୁଛି ତାହା ଜାଣିବା ପାଇଁ ମହାତ୍ମାଜୀ ବ୍ୟଗ୍ର ହେଲା ଭଳି ଜଣାଗଲା । କିନ୍ତୁ ଆଇନ୍‍ ଅମାନ୍ୟ ଲଢ଼ାଇ ବନ୍ଦ କରିଥିଲା ବେଳେ ସରକାରୀ ନିଷେଧ ଆଜ୍ଞା ନ ମାନି ପଞ୍ଜାବ ପ୍ରଦେଶରେ ପ୍ରବେଶ କରିବା ଠିକ ହେବ ନାହିଁ-। ଏଣୁ ପୁଣି ସତ୍ୟାଗ୍ରହ ଆରମ୍ଭ କରିବାର କଳ୍ପନା ମହାତ୍ମାଜୀଙ୍କ ମନରେ ଖେଳିଲା । ସେ ନିଶ୍ଚୟ କଲେ ଯେ ଦଳେ ସତ୍ୟାଗ୍ରହୀ ଦେଶର ଚାରିଆଡ଼ୁ ଚାଲି କରି, ପଞ୍ଜାବ ଯାତ୍ରା କରିବେ । ପଞ୍ଜାବରେ ଘୋର ଅତ୍ୟାଚାର ହୋଇଛି ଏବଂ ଏବେ ମଧ୍ୟ ହେଉଛି, ଏପରି ଜନରବ ପ୍ରବଳ ଆକାର ଧାରଣ କରୁଛି । ଏପରି ଅବସ୍ଥାରେ, ସରକାର ପଞ୍ଜାବ ପ୍ରଦେଶକୁ କାହାକୁ ଛାଡ଼ୁ ନାହାନ୍ତି କିମ୍ୱା ପଞ୍ଜାବର ଲୋକକୁ ପଞ୍ଜାବ ଦେଶ ଛାଡ଼ି ଆସିବାକୁ ଅନୁମତି ଦେଉ ନାହାନ୍ତି । ଏହି ପରିସ୍ଥିତିକୁ କେତେ ଦିନ ନୀରବରେ ସହ୍ୟ କରିବାକୁ ହେବ । ଏହାର ପ୍ରତିକାର ଅବିଳମ୍ୱେ କରିବାକୁ ପଡ଼ିବ । ଏହିପରି ଭାବି ସତ୍ୟାଗ୍ରହୀ ସଂଗ୍ରହ କାର୍ଯ୍ୟ ଚାଲିଲା । ଅନେକ ଆସି ମଧ୍ୟ ଏରୂପ ସତ୍ୟାଗ୍ରହରେ ଯୋଗ ଦେବାପାଇଁ ନାମ ଲେଖାଇଲେ । କିନ୍ତୁ ସରକାରୀ ଆଇନ୍‍ ଅମାନ୍ୟ କରି ପଞ୍ଜାବ ଭିତରକୁ ପ୍ରବେଶ କଲେ ସରକାର ଗୁଳି ଚଳାଇ ପାରନ୍ତି-ଏହି ଭୟ ଥିବାରୁ ବହୁତ ଲୋକ ଏଥିପାଇଁ ବାହାରିଲେ ନାହିଁ । ମହାତ୍ମାଜୀ ହଠାତ୍‍ ସତ୍ୟାଗ୍ରହ ଲଢ଼ାଇ ବନ୍ଦ କରି ଦେଇଥିବାରୁ ଅନେକ ତାହାଙ୍କ ଉପରେ ବିରକ୍ତ ଓ ଅସନ୍ତୁଷ୍ଟ ହୋଇଥାନ୍ତି । ସତ୍ୟାଗ୍ରହୀ ସଂଖ୍ୟା ଅଧିକ ନ ହେବାର ଏହା ମଧ୍ୟ ଅନ୍ୟତମ କାରଣ ବୋଲି କୁହାଯାଇପାରେ ।

 

ସେ ଯାହା ହେଉ ପଞ୍ଜାବ ପ୍ରଦେଶକୁ ସତ୍ୟାଗ୍ରହୀ ସେନା ପଠାଇବାର ଆୟୋଜନ ବମ୍ୱେଇଠାରେ ଚାଲିଲା । ପ୍ରତ୍ୟେକ ଲୋକଙ୍କୁ ଦେଖି ଶୁଣି ମହାତ୍ମାଜୀ ନିଜେ ନାମ ଲେଖୁଥାନ୍ତି ବୋଲି କୁହାଯାଇପାରେ । ଏହି କାର୍ଯ୍ୟଟି ସେ ଦେଶରେ ଘୋଷଣାପତ୍ର ଜାରୀ କରି କରୁ ନ ଥାନ୍ତି । ବମ୍ୱେଇ ବ୍ୟତୀତ ଅନ୍ୟତ୍ର ମଧ୍ୟ ଏପରି ସତ୍ୟାଗ୍ରହୀ ସଂଗ୍ରହ କାର୍ଯ୍ୟ ହେଉ ନ ଥାଏ । ଏଥିପାଇଁ ମହାତ୍ମାଜୀ ନିଜେ ସବୁ ବୁଝି ବିଚାରି ସତ୍ୟାଗ୍ରହୀ ଗ୍ରହଣ କରୁଥାନ୍ତି । ସେ ଯାହା ହେଉ, ଏହିପରି କାର୍ଯ୍ୟରେ ମହାତ୍ମାଜୀ ମନ ବଳେଇଥିଲା ବେଳେ, ଏରୂପ କାର୍ଯ୍ୟ ନ କରିବାପାଇଁ ଅନେକ ଆସି ତାଙ୍କ ସହିତ ଯୁକ୍ତି କରନ୍ତି । ଏଥିରେ ଅଯଥା ଲୋକ କ୍ଷୟ ହେବାର କଥାଟି ଅପର ପକ୍ଷ ଲୋକଙ୍କର ବଡ଼ ଯୁକ୍ତି ଥାଏ । ମହାତ୍ମାଜୀ କହନ୍ତି, ଏରୂପ ସତ୍ୟାଗ୍ରହ କରି ଯଦି ପଚାଶ ଲକ୍ଷ ଲୋକ ଗୁଳି ଖାଇ ମରନ୍ତି, ତେବେ ତହିଁରେ ସେ ଟିକିଏ ଦୁଃଖିତ ହେବେ ନାହିଁ, କିମ୍ୱା ତଦ୍ଦ୍ୱାରା ଦେଶର କୌଣସି କ୍ଷତି ହେବାର ସମ୍ଭାବନା ନାହିଁ । ପ୍ରତିବର୍ଷ ଦୁର୍ଭିକ୍ଷ, ପ୍ଳେଗ, ହଇଜା ଓ ମ୍ୟାଲେରିଆରେ ଲକ୍ଷ ଲକ୍ଷ ଲୋକ ମରି ଯାଉଛନ୍ତି । ତାହା ନ ହୋଇ, ଦେଶ କାର୍ଯ୍ୟରେ କିଛି ଲୋକ ମରିଯିବେ, ତହିଁରେ ଦେଶର ଇଷ୍ଟ ବ୍ୟତୀତ ଅନିଷ୍ଟ ଆଶଙ୍କା କରିବାର କିଛିମାତ୍ର କାରଣ ନାହିଁ । ଏହିପରି ଯୁକ୍ତି ତର୍କକୁ ଖଣ୍ଡନ କରି ମହାତ୍ମାଜୀ ସତ୍ୟାଗ୍ରହୀ ସଂଗ୍ରହ କରୁଥାନ୍ତି । ଦେଶର ସେତେବେଳର ପରିସ୍ଥିତିରେ ଏହିପରି କାର୍ଯ୍ୟକୁ କଳ୍ପନା କରି ଲୋକ ସାଧାରଣଙ୍କ ମନରେ ଭୟ ଜାତ ହେବା ଅସ୍ୱାଭାବିକ ନୁହେ ।

 

ଇତିମଧ୍ୟରେ ପଞ୍ଜାବ ଅତ୍ୟାଚାର କାହାଣୀ କ୍ରମଶଃ ଫୁଟି ବାହାରିଲା । ପଞ୍ଜାବର ଦୁଃଖରେ ଭାରତରେ ସର୍ବତ୍ର ଲୋକେ ଥରହର ହୋଇ ଉଠିଲେ । ବ୍ୟବସାୟୀ, ରାଜନୀତିଜ୍ଞ, ସାଧାରଣ ପ୍ରଜା କାହାରି କ୍ରୋଧର ସୀମା ରହିଲା ନାହିଁ । ସମସ୍ତଙ୍କ ମୁହଁରୁ ବାହାରିଲା, ଏ ଦେଶରୁ ଇଂରେଜ ରାଜତ୍ୱ ଲୋପ ନ ହେଲେ ଆମ୍ଭର ଧନ ଜୀବନର କୌଣସି ଆଶା ଭରସା ନାହିଁ । ସମଗ୍ର ଭାରତରେ ଏହିପରି ଗୋଟିଏ କ୍ରୋଧରୂପକ ଦାବାନଳ ଜଳି ଉଠିଲା । ଏହିଠାରେ ମହାତ୍ମାଜୀ ତାଙ୍କର ମତ ପରିବର୍ତ୍ତନ କଲେ । ସେ ଦେଖିଲେ ଯେ, ପଞ୍ଜାବ ଅତ୍ୟାଚାର ଯାହା ଶୁଣା ଯାଉଛି, ତହିଁର ପ୍ରତିକାର କରିବାକୁ ହେଲେ ଦେଶର ଲୋକମତକୁ ନିୟନ୍ତ୍ରିତ କରିବା ଦରକାର । ବର୍ତ୍ତମାନ ଦେଶରେ ଯେ ପ୍ରକାର ଭାବନା ଖେଳୁଛି, ଏଥିପ୍ରତି ଦୃଷ୍ଟି ନ ଦେଲେ ପରିଣାମ ଅତି ଭୀଷଣ ଆକାର ଧାରଣ କରିବ । ଲୋକମତ ଗଠନ ଓ ପରିଚାଳନା କରି, ପଞ୍ଜାବ ଅତ୍ୟାଚାରର ପ୍ରତିକାର ପାଇଁ ମହାତ୍ମାଜୀ ସତ୍ୟାଗ୍ରହୀ ପ୍ରେରଣ କରିବାର କଳ୍ପନା ତ୍ୟାଗ କଲେ । ସବୁବେଳେ ପଞ୍ଜାବ ଅତ୍ୟାଚାର ଘଟଣା ତାହାଙ୍କ ମନ ମଧ୍ୟରେ ଖେଳିଲା । ଏହି ସମୟରେ ଦେଶର ପରିସ୍ଥିତି ବିଷୟରେ ନିଜର ମତାମତ ଜଣାଇ ଲୋକମତକୁ ଗୋଟିଏ ଆଦର୍ଶର ଅନୁକୂଳରେ ପରିଚାଳନା କରିବାର କଳ୍ପନା କରି ‘ୟଙ୍ଗ ଇଣ୍ଡିଆ’ ଓ ‘ନବ ଜୀବନ’ ସାପ୍ତାହିକ ପତ୍ରିକା ଦୁଇଖଣ୍ଡି ପ୍ରକାଶ କଲେ-। ସତ୍ୟାଗ୍ରହ ଲଢ଼ାଇ ବର୍ତ୍ତମାନ ପାଇଁ ଏକାବେଳକେ ସ୍ଥଗିତ ରହିଲା । ଅଧ୍ୟାପକ କ୍ରିପଲାନୀ ପଣ୍ଡିତ ମଦନମୋହନ ମାଲବ୍ୟଙ୍କ ପ୍ରାଇଭେଟ ସେକ୍ରେଟରୀ ଥିଲେ । ସତ୍ୟାଗ୍ରହ ଲଢ଼ାଇରେ ଯୋଗ ଦେବାପାଇଁ ସେ ମହାତ୍ମାଜୀଙ୍କ ନିକଟରେ ଆସି ରହିଥିଲେ । ବର୍ତ୍ତମାନ ସେ ପୁଣି ବେନାରସ ପଣ୍ଡିତ ମାଲବ୍ୟଙ୍କ ନିକଟକୁ ଫେରିଗଲେ । ମହାଦେବ ଦେଶାଇ ୟଙ୍ଗ ଇଣ୍ଡିଆ ଓ ନବ ଜୀବନ ପତ୍ରିକା ଦୁଇଟିର ଭାର ଗ୍ରହଣ କଲେ । ମହାତ୍ମାଜୀଙ୍କ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟ ମୋ ଉପରେ ରହିଲା ।

 

ଏହିଠାରେ ଏତିକିବେଳେ ମହାତ୍ମାଜୀଙ୍କ ମନ ସୂତାକଟା ଓ ଖଦଡ଼ ପ୍ରତି ଆକୃଷ୍ଟ ହୋଇଥିଲା । ବମ୍ୱେଇରେ ସୂତାକଟା ଜାଣିଥିବା ଲୋକ କିଏ ଅଛି ଖୋଜାପଡ଼ିଲା । ପ୍ରଥମେ ଦୁଇ ଚାରି ଜଣ ମୁସଲମାନ ସ୍ତ୍ରୀ ସୂତା କାଟି ମହାତ୍ମାଜୀଙ୍କୁ ଭେଟି ଦେଲେ । ଶଙ୍କରଲାଲ ବ୍ୟାଙ୍କରଙ୍କ ମା ସୂତାକଟା ଜାଣିଥିଲେ । ସେ ସୂତା କାଟି ପ୍ରତି ସପ୍ତାହରେ ଏକ ପାଉଣ୍ଡ ସୂତା ଦେଇଯାନ୍ତି । ମହାତ୍ମା ଗାନ୍ଧି ବମ୍ୱେଇରେ ଲେବରନମ ରୋଡ ଶେଠ ରେବାଶଙ୍କର ଜଗଜ୍ଜୀବନଙ୍କ ଘରେ ରହିଲେ । ଶେଠ ରେବାଶଙ୍କର ଜଗଜ୍ଜୀବନ ମହାତ୍ମାଜୀଙ୍କୁ ପିଲାଦିନୁ ଜାଣନ୍ତି । ସେ ଜଣେ ବମ୍ୱେଇର ହୀରା, ନୀଳା, ମଣି, ମାଣିକ୍ୟ ବ୍ୟବସାୟୀ । ଏହି ଲେବରନମ ରୋଡରେ ବାବୁ ଭୁବନାନନ୍ଦ ଦାସ ବସା କରି ରହିଥାନ୍ତି । ସେ ବମ୍ୱେ ଟ୍ରାମ କମ୍ପାନୀରେ ଇଞ୍ଜିନିୟର କାମ କରୁଥାନ୍ତି । ଭୁବନାନନ୍ଦ ବାବୁଙ୍କ ବସାରେ ମିଷ୍ଟର କୋଚର ନାମକ ତାଙ୍କର ଜଣେ ପଞ୍ଜାବୀ ବନ୍ଧୁ ରହିଥାନ୍ତି । ମିଷ୍ଟର କୋଚରଙ୍କ ସ୍ତ୍ରୀ ଶ୍ରୀମତୀ ରମା ବାଈ ସୂତାକଟା ଜାଣନ୍ତି । ଭୁବନାନନ୍ଦବାବୁଙ୍କ ବସାକୁ ମୁଁ ପ୍ରାୟ ପ୍ରତିଦିନ ଯାଏଁ । ଏ ରମା ବାଈଙ୍କ ଠାରୁ କୌତୂହଳ ହୋଇ ମୁଁ ସୂତାକଟା ଶିକ୍ଷା କରେ । କାରଣ ସୂତାକଟା ଏପରି ଆକାର ଧାରଣ କରିବ ଏହା ସେତେବେଳେ କାହାର କଳ୍ପନାରେ ନ ଥିଲା । ସମସ୍ତଙ୍କର ଧାରଣା, ଏହା ଗୋଟିଏ ସ୍ତ୍ରୀଜାତିସୁଲଭ କାମ । ତେଣୁ ମୁଁ କୌତୂହଳ ବଶତଃ ସୂତାକଟା ଶିଖିଥିଲି । ଏପରି ଭାବରେ ମୁଁ ସୂତା କାଟି ଜାଣିଲି ବୋଲି ମହାତ୍ମାଜୀ ଜାଣିପାରିଲେ । ଶ୍ରୀମତୀ ରମା ବାଈଙ୍କୁ ଆଣି ମୁଁ ମହାତ୍ମାଜୀଙ୍କୁ ଭେଟ କରାଇ ଦେଲି । ଏଣିକି ପ୍ରତିଦିନ ରମା ବାଈ ଆସି ମହାତ୍ମାଜୀଙ୍କ ନିକଟରେ ବସି ସୂତା କାଟନ୍ତି । ମୁଁ ମଧ୍ୟ କିଛି ସମୟ ସୂତା କାଟେ । ଶଙ୍କରଲାଲ ବ୍ୟାଙ୍କରଙ୍କ ମା, ରମା ବାଈ ଓ ମୁଁ ଏହି ତିନିଜଣ ସୂତା କାଟି ପାରୁଥିବାର ଦେଖି ବମ୍ୱେଇରେ ସୂତାକଟା ପ୍ରଚାର କରିବାର ଭାବନା ମହାତ୍ମାଜୀଙ୍କ ମନରେ ଖେଳିଲା । ଶେଠ ରେବାଶଙ୍କର ଜଗଜ୍ଜୀବନଙ୍କ ବୈଠକଖାନା ଗୋଟିଏ ସୂତାକଟା ସ୍କୁଲରେ ପରିଣତ ହେଲା । କାଳବାଦେବୀ ରୋଡ ନରନାରାୟଣଙ୍କ ମନ୍ଦିରରେ ଆଉ ଗୋଟିଏ ସୂତାକଟା କ୍ଳାସ ସ୍ଥାପନ କରାଗଲା । କାଳାବାଡ଼ି ନାମକ ଗୋଟିଏ ଗଳିରେ ଆଉ ଗୋଟିଏ କ୍ଳାସ ଖୋଲାହେଲା । ଏହି ସୂତାକଟା କ୍ଳାସ ସବୁ ଚଳାଇବା, ହିସାବପତ୍ର ରଖିବା ଇତ୍ୟାଦି ସମସ୍ତ ମତେ କରିବାକୁ ପଡ଼େ । ମହାଦେବ ଭାଇ ୟଙ୍ଗ ଇଣ୍ଡିଆ ଓ ନବ ଜୀବନ କାଗଜର ଭାର ଗ୍ରହଣ କରିଥାନ୍ତି । ମତେ ମହାତ୍ମାଜୀଙ୍କ ବ୍ୟକ୍ତିଗତ ସେବା ଠାରୁ ଆରମ୍ଭ କରି ସୂତାକଟା ପ୍ରଚାର କରିବା ଆଦି ବହୁତ କାମ କରିବାକୁ ହୁଏ । ଏହି ସୂତାକଟା ଶିଖିବା ଓ ଶିଖେଇବା କାର୍ଯ୍ୟରୁ ଚରଖା ମରାମତି କାମ ଜାଣିବା ଆବଶ୍ୟକ ପଡ଼ିଲା । ଏ ଚରଖା ମରାମତି କରିବାକୁ ହେଲେ ବଢ଼େଇକାମ ଟିକିଏ ନ ଜାଣିଲେ ନ ଚଳେ । ସୁତରାଂ ମତେ ବଢ଼େଇ କାମ ମଧ୍ୟ ଶିଖିବାପାଇଁ ଆବଶ୍ୟକ ପଡ଼ିଲା । ‘ଗୋଖଲେ ଏଡୁକେଶନ ସୋସାଇଟ୍‍’ ନାମରେ ବମ୍ୱେଇରେ ଗୋଟିଏ ଅନୁଷ୍ଠାନ ଥାଏ । ସେମାନେ ବମ୍ୱେଇରେ ଗୋଟିଏ ସ୍କୁଲ ସ୍ଥାପନ କରିଥାନ୍ତି । ଏହି ସ୍କୁଲରେ ବଢ଼େଇ କାମ ଶିକ୍ଷା ଦିଆଯାଏ । ଏହିଠାକୁ ପ୍ରତିଦିନ ମତେ ଯିବାକୁ ହୁଏ । ଏହିପରି ନାନା କାର୍ଯ୍ୟର ଭାର ମୋ ଉପରେ ପଡ଼ିଲା । ଦିନ ରାତି ଖଟି ଖଟି ମୁଁ କାମ ଶେଷ କରି ପାରେ ନାହିଁ । ରାତିରେ କେଉଁ ଦିନ ମୁଁ ଦୁଇଘଣ୍ଟାରୁ ବେଶି ଶୋଇଛି ବୋଲି ମୋର ମନେ ହୁଏ ନାହିଁ । ଏହିସବୁ କାର୍ଯ୍ୟକୁ ବାଦ ଦେଲେ ପ୍ରତିଦିନ ମତେ ହିନ୍ଦି ପଢ଼ିବାକୁ ହେଉଥାଏ । ମତେ ହିନ୍ଦି ପଢ଼ାଇବାପାଇଁ ମହାତ୍ମାଜୀ ଜଣେ ହିନ୍ଦି ଶିକ୍ଷକ ନିଯୁକ୍ତ କରିଥାନ୍ତି । ସେ ପ୍ରତି ସନ୍ଧ୍ୟାରେ ୭ଟାରୁ ୯ଟା ପର୍ଯ୍ୟନ୍ତ ଆସି ମତେ ହିନ୍ଦି ପଢ଼େଇ ଯାନ୍ତି । ମହାତ୍ମାଜୀଙ୍କ ଆଦେଶ, ସବୁ କାମ ଛାଡ଼ି ପ୍ରତ୍ୟହ ହିନ୍ଦି ଶିକ୍ଷକଙ୍କ ସାହାଯ୍ୟରେ ଦୁଇଘଣ୍ଟା ମତେ ହିନ୍ଦି ପଢ଼ିବାକୁ ହେବ ।

 

ପ୍ରତିଦିନ ମୁଁ ଭୋର ତିନିଟାରେ ନିଦରୁ ଉଠି ଯାଏ । ମହାତ୍ମାଜୀ ଉଠିବା ପୂର୍ବରୁ ମୁଁ ମୋର ସ୍ନାନ, କସରତ ଓ ପ୍ରାର୍ଥନାଦି ସମସ୍ତ ପ୍ରକାର ନିତ୍ୟକର୍ମ ଶେଷ କରିଦିଏ । ମହାତ୍ମାଜୀ ପ୍ରାୟ ଭୋର ୫ଟାରେ ଶଯ୍ୟା ତ୍ୟାଗ କରନ୍ତି । ସେ ଉଠି ତାଙ୍କର ଶୌଚାଦି କ୍ରିୟା ଶେଷ କରୁ କରୁ ମୁଁ ତାହାଙ୍କ ବିଛଣା ଉଠାଇ, ଘରଦ୍ୱାର ସଫା କରିଦିଏ । ଦିନ ବେଳେ ମହାତ୍ମାଜୀଙ୍କ ବସିବା ଘରେ ଗଦି ବିଛଣା ବିଛାଇ ଦିଏ । ମହାତ୍ମାଜୀ ସେଠାରେ ଆସି ବସିଲା ମାତ୍ରକେ ତାହାଙ୍କୁ ତାହାଙ୍କ ଖାଇବା ପଦାର୍ଥ ଦେଇ, ମୁଁ କିଛି ଖାଇ ନିଏ ଏବଂ ଗତ ଦିବସର ବାକି ହିସାବ ପତ୍ର ଲେଖି ବସେ । ସକାଳ ସାତଟାରୁ ଆଠଟା ପର୍ଯ୍ୟନ୍ତ ଶେଠ ରେବାଶଙ୍କରଙ୍କ ଘରେ ଚାଲୁଥିବା ଚରଖା କ୍ଳାସ ଦେଖେ-। ଏହି କ୍ଳାସକୁ ଅଧିକାଂଶ ସ୍କୁଲ କଲେଜର ଛାତ୍ର ସୂତାକଟା ଶିଖିବାକୁ ଆସନ୍ତି । ଏହି କାମ ସାରି ଦଶଟା ପର୍ଯ୍ୟନ୍ତ କାଳବାଦେବୀ ରୋଡ ନରନାରାୟଣଙ୍କ ମନ୍ଦିରରେ ବସିଥିବା କ୍ଳାସ ପରିଦର୍ଶନ କରିବାକୁ ଯାଏ । ପ୍ରତ୍ୟେକ କ୍ଳାସରେ ମୁଁ ମୋର ସାହାଯ୍ୟକାରୀ ତିଆରି କରି ନେଇଥାଏ । ମୁଁ ଯାଇ ପରିଦର୍ଶନ ଓ ପରିଚାଳନା କରେ । ଦଶଟାରେ ବସାକୁ ଫେରି ଆସି ମହାତ୍ମାଜୀଙ୍କ ସେବା କାର୍ଯ୍ୟ କରେ । ମହାତ୍ମାଜୀଙ୍କ ସେବା କହିଲେ ଅନେକ କାମ ଅଛି । ତାଙ୍କର ନାନା ପ୍ରକାର ଚିକିତ୍ସା ହେଉଥାଏ । ଅଙ୍ଗବିଶେଷ ଅଚଳ ହୋଇ ଯାଉଥିବାରୁ ପ୍ରତିଦିନ ଗୋଟାଏ ତୈଳ ଘଷିବାକୁ ହୁଏ । ବିଜୁଳିବତୀ ସେକ ଦେବାକୁ ପଡ଼େ । ପ୍ରତ୍ୟହ ଦଶଟାରୁ ଏଗାରଟା ପର୍ଯ୍ୟନ୍ତ ମହାତ୍ମାଜୀଙ୍କ ପୀଡ଼ାଗ୍ରସ୍ତ ଅଙ୍ଗର ଏହି ଉପଚାର କରାଯାଏ । ଏହା କିପରି କରିବାକୁ ହେବ, ତାହା କେବଳ ମୁଁ ଶିଖିଥାଏ । ସୁତରାଂ ମୋ ଛଡ଼ା ସେହି ଚିକିତ୍ସା କରିବାକୁ ସେତେବେଳେ ଆଉ କେହି ନ ଥାନ୍ତି । ଏହାପରେ ମହାତ୍ମାଜୀ ସ୍ନାନ କରିବାକୁ ଯାନ୍ତି । ପ୍ରତିଦିନ ସେ ଗରମ ପାଣିରେ ସ୍ନାନ କରନ୍ତି-। ସେ ସ୍ନାନାଦି କ୍ରିୟା ସାରୁ ସାରୁ ମୁଁ ତାହାଙ୍କ ଖାଇବା ପଦାର୍ଥ ତିଆରି କରି ଆଣି ଦେଇଯାଏ-। ସେତେବେଳକୁ ମହାତ୍ମାଜୀ ଛେଳି ଦୁଧ ଓ ଫଳ ଖାଉଥାନ୍ତି । ସେ ଖାଇ ସାରିଲା ବେଳକୁ ମୁଁ ମୋର ଖାଇବା କାର୍ଯ୍ୟ ବି ଶେଷ କରିଦିଏ । ଏହିପରି ଦିନ ବାରଟା ହୋଇଯାଏ । ବାରଟାରୁ ଦୁଇଟା ପର୍ଯ୍ୟନ୍ତ ବଢ଼େଇକାମ ଶିଖିବାକୁ ଯାଏ । ଦୁଇଟାରୁ ଚାରିଟା ପର୍ଯ୍ୟନ୍ତ କାଳବାରୋଡ ଚରଖା କ୍ଳାସ । ସେଠାରୁ ଶେଠ ରେବାଶଙ୍କରଙ୍କ ଘରକୁ ଫେରିଆସେ । ପ୍ରାୟ ୫ଟା ବେଳକୁ ମହାତ୍ମାଜୀ ତାଙ୍କର ସନ୍ଧ୍ୟା ଭୋଜନ ଶେଷ କରନ୍ତି । ଏହି ଚାରିଟାରୁ ୫ଟା ସମୟ ମଧ୍ୟରେ ମୁଁ ମୋର ଶୌଚାଦି କାର୍ଯ୍ୟ ଶେଷ କରେ । ନିଜର ଲୁଗାପଟା ସାବୁନ ଦେଇ ସଫା କରେ, ଏବଂ ମହାତ୍ମାଜୀଙ୍କୁ ଖାଇବାକୁ ଦିଏ-। ଏହାପରେ ପ୍ରାୟ ପ୍ରତିଦିନ ବ୍ୟକ୍ତିବିଶେଷଙ୍କ ଘରକୁ ସୂତାକଟା ଶିଖାଇବା ପାଇଁ ଯିବାକୁ ପଡ଼େ । ଯେଉଁଦିନ କୁଆଡ଼େ ଯିବାର ନ ଥାଏ ସେଦିନ ସମୁଦ୍ରକୂଳ ଆଡ଼େ ମୁଁ ବୁଲିବାକୁ ଚାଲିଯାଏ-। ତାହାପରେ ୭ଟାରୁ ୯ଟା ପର୍ଯ୍ୟନ୍ତ ହିନ୍ଦି ଅଧ୍ୟୟନ କରେ । ରାତି ୯ଟାରୁ ୧୦ଟା ପର୍ଯ୍ୟନ୍ତ ପ୍ରତିଦିନ ଏକ ଘଣ୍ଟା କରି ମୁଁ ସୂତା କାଟେ । ଏହାପରେ ପୁଣି ରାତ୍ର ୧୧ଟା ପର୍ଯ୍ୟନ୍ତ ବିଜୁଳିବତୀ ସେକ ଦେବା ଆଦି ଚିକିତ୍ସା ମହାତ୍ମାଜୀଙ୍କର କରିବାକୁ ପଡ଼େ । ମହାତ୍ମାଜୀ ସବୁବେଳେ ପଞ୍ଜାବ ବିଷୟ ନେଇ କାର୍ଯ୍ୟବ୍ୟସ୍ତ ରହିଥାନ୍ତି । ସବୁବେଳେ ବସି ଲେଖା ଲେଖି କରାଉଥାନ୍ତି । ନିଜେ ହାତରେ ଲେଖିବାର ଶକ୍ତି ନ ଥାଏ । ସେ ଶୋଇ ରହି ଡାକନ୍ତି, ମହାଦେବ ଦେଶାଇ ବସି ଲେଖୁଥାନ୍ତି । ରାତି ଏଗାରଟା ବାରଟା ପର୍ଯ୍ୟନ୍ତ ମହାତ୍ମାଜୀ ଏହି କାମ ପ୍ରତ୍ୟହ କରନ୍ତି । ମୁଁ ରାତି ଏଗାରଟା ପରେ ବସି ହିସାବ କିତାବ ଲେଖେ । ଅନେକ ଚିଠିପତ୍ର ଚିଠାର ନକଲ ଲେଖି ଫାଇଲ କରିବାକୁ ପଡ଼େ । ଏହିପରି କାମ କରୁ କରୁ ଦିନେ ଦିନେ ରାତ୍ର ଦୁଇଟା ବାଜିଯାଏ । ଯେଉଁ ଦିନ ଏପରି ଦୁଇଟା ରାତ୍ରି ହୋଇଯାଏ ସେଦିନ ମୁଁ କେବଳ ଏକ ଘଣ୍ଟା ଶୋଇବାକୁ ପାଏ । ଏହିପରି ଭାବରେ ବମ୍ୱେଇରେ ମହାତ୍ମାଜୀଙ୍କ ସେବାରେ ମୋର ଜୀବନ ଅତୀତ ହେଉଥାଏ । ମହାତ୍ମାଜୀଙ୍କ ସେବାଠାରୁ ବଳି ଆଉ ଅଧିକ ଦେଶ କାର୍ଯ୍ୟ କିଛି ଅଛି ବୋଲି ମୋର ବିଶ୍ୱାସ ନ ଥାଏ କି ଏବେ ମଧ୍ୟ ନାହିଁ ।

 

ବମ୍ୱେଇରେ ମହାତ୍ମାଜୀଙ୍କ ନିକଟରେ ମୁଁ ଏହିପରି ଭାବରେ ରହିଲି । ଦିନ ରାତି ଅବିଶ୍ରାନ୍ତ ପରିଶ୍ରମ କରିବାକୁ ପଡ଼େ । ଆଶ୍ରମରେ ଥାଇ ଲୁଗାବୁଣା କାର୍ଯ୍ୟ କିଛି କିଛି ଶିଖିଥାଏ । ସୂତା କାଟିବା ଓ କଟାଇବା କାର୍ଯ୍ୟରେ ବର୍ତ୍ତମାନ ମୁଁ ହେଉଛି ପ୍ରଥମ । ଆଶ୍ରମରେ କେହି ସୂତାକଟା ଶିଖି ନ ଥାନ୍ତି । ମୁଁ କିପରି ଭଲ ସୂତା କାଟିବି ଏଥିପାଇଁ ସବୁବେଳେ ଗୋଟାଏ ଜିଦ୍‍ ଥାଏ । ଭଲ ସୂତା କାଟିବାକୁ ହେଲେ ଭଲ ଅରଟଟିଏ ଦରକାର । ସୁତରାଂ ମୁଁ ମୋ ପାଇଁ ଗୋଟିଏ ଭଲ ଅରଟ ବାଛି, ତହିଁରେ ସିଧା ସଳଖ ତାକୁଡ଼ି ଲଗେଇ ରଖିଥାଏ । ପ୍ରତିଦିନ ଦିନ ୧୨ଟା ପରେ ମୁଁ ବଢ଼େଇ କାମ ଶିଖିବାକୁ ଯାଏ । ଏହି ସମୟରେ ଶେଠ ରେବାଶଙ୍କରଙ୍କ ବୈଠକଖାନା ଚରଖା କ୍ଳାସର ଭାର ଶ୍ରୀମତୀ ରମାବାଇ ଓ ଶଙ୍କରଲାଲ ବ୍ୟାଙ୍କରଙ୍କ ମାଙ୍କ ଉପରେ ଥାଏ । ଅନେକ ବଡ଼ ବଡ଼ ଶେଠଙ୍କ ସ୍ତ୍ରୀ ଓ କନ୍ୟା ସୂତାକଟା ଶିଖିବାକୁ ଆସନ୍ତି । ସୂତାକଟା ଶିଖିଲା ପରେ ଖଣ୍ଡିଏ ଅରଟ ନେଇ ସେମାନେ ନିଜ ନିଜ ଘରେ ବସି ସୂତା କାଟନ୍ତି । ଏହିପରି ଅନେକ ଲୋକ ଘରେ ସୂତା କାଟୁଥାନ୍ତି । ସେମାନଙ୍କ ପ୍ରତ୍ୟେକଙ୍କ ଘରକୁ ଯାଇ ସୂତା ଆଣିବା ଅରଟ ସଜାଡ଼ି ଦେବା ମୋର ଗୋଟିଏ କାର୍ଯ୍ୟ । କିନ୍ତୁ ସୂତାକଟା ଶିଖି ଚରଖାଟିଏ ନେଇ ଘରକୁ ଗଲା ବେଳକୁ ମୁଁ ମୋ ପାଇଁ ବାଛି ରଖିଥିବା ଚରଖାଟି କେହି କେହି ନେଇ ଯାନ୍ତି । ମୋ ଚରଖାଟି କିଏ ନେଇ ଗଲେ ମୋର ଦିନେ ଦୁଇଦିନ ପାଇଁ ସୂତାକଟା କାର୍ଯ୍ୟ ଏକାବେଳକେ ବନ୍ଦ ହୋଇଯାଏ । ତେଣୁ ମୁଁ ମୋର ଚରଖାଟିକୁ ଲୁଚାଇ ରଖିଲି । ସମସ୍ତେ ଜାଣି ପାରିଲେ ଯେ ମୁଁ ମୋ ପାଇଁ ଯେଉଁ ଚରଖାଟି ସଜାଡ଼େ ତହିଁରେ ଭଲ ସୂତା କାଟିହୁଏ । ଏହା ଜାଣି ମୁଁ ଲୁଚାଇ ରଖିଥିବା ଚରଖାଟି ମହାତ୍ମାଜୀଙ୍କୁ କହି କେହି କେହି ନେଇଯାନ୍ତି । ମୁଁ ଭିନ୍ନ ଭିନ୍ନ ସ୍ଥାନରେ ଲୁଚାଇ ରଖେ । ମହାତ୍ମାଜୀ ନିଜେ ଯାଇ ଖୋଜି ବାହାର କରନ୍ତି । ଯେ ମାଗେ ତାକୁ ଦେଇ ଦିଅନ୍ତି ।

 

ନିଜପାଇଁ ସଜାଡ଼ିଥିବା ଚରଖାଟି ଅନ୍ୟ କାହାକୁ ଦେବାକୁ ମୁଁ କୁଣ୍ଠିତ । ସବୁବେଳେ ଭଲ ଚରଖା ଏବଂ ତାକୁଡ଼ି ମିଳେ ନାହିଁ । ସେତେବେଳେ ବର୍ତ୍ତମାନ ପରି ତାକୁଡ଼ି ଚରଖାର ଏତେ ଉନ୍ନତି ହୋଇ ନ ଥିଲା । ବଢ଼େଇ ଯେଉଁ ଚରଖା ସବୁ ତିଆର କରିଦିଏ, ସେ ପ୍ରତ୍ୟେକକୁ ମୁଁ ପୁଣି କିଛି କିଛି ହଣାକଟା କରି ସଜାଡ଼ିବାକୁ ପଡ଼େ । ତାକୁଡ଼ି ସିଧା ନ ଥାଏ । ବହୁ ଯତ୍ନରେ ତାକୁଡ଼ି ସିଧା କରିବାକୁ ହୁଏ । ଏପରି ଅବସ୍ଥାରେ ମୋ ପାଇଁ ରଖିଥିବା ଚରଖାଟି ବାରମ୍ୱାର ଏପରି କିଏ ନେଇ ଯିବାର ଦେଖି ମତେ ଟିକିଏ ବିରକ୍ତିକର ବୋଧହୁଏ । ମୁଁ ଜାଣି ନ ଥାଏ ଯେ ମହାତ୍ମାଜୀ ଏପରି କରୁଛନ୍ତି ବୋଲି । ମୁଁ ଦିନେ ଫେରିଲା ବେଳକୁ ରମାବାଈ ମୋର ଚରଖାଟି ନେଇ ଘରକୁ ଫେରୁଥିବାର ଦେଖିଲି । ସେ ମୋର ଚରଖା କିପରି ପାଇଲେ ବୋଲି ପଚାରିବାରୁ ତାଙ୍କଠାରୁ ସମସ୍ତ ରହସ୍ୟ ବୁଝି ପାରିଲି । ମୁଁ ହଠାତ୍‍ ଆସି ମହାତ୍ମାଜୀଙ୍କୁ କହିଲି ଯେ, ସେ ମୋର ଚରଖା କାହାକୁ ଆଉ ଏଣିକି ଦେବେ ନାହିଁ । ମୋ କଥା ଶୁଣି ମହାତ୍ମାଜୀ ଅବଶ୍ୟ କିଛି ଉତ୍ତର ଦେଲେ ନାହିଁ । ମୁଁ ଏଣିକି ବାହାର କାର୍ଯ୍ୟରେ ଗଲାବେଳେ ମୋର ଚରଖାଟିକୁ ନେଇ ଛାତ ଉପରେ ଲୁଚାଇ ରଖେ । ମୁଁ ଯେତେ ଲୁଚାଇଲେ ମଧ୍ୟ ମହାତ୍ମାଜୀ ଇଚ୍ଛା କରି ନିଜେ ଯାଇ ଖୋଜିଆଣି ମୋର ଚରଖାଟିକୁ ଅନ୍ୟ କାହାକୁ ଦେଇ ବିଦାୟ କରି ଦେଇଥାନ୍ତି । ଚରଖା ଦେଲାବେଳେ କହନ୍ତି, ‘‘ଚରଖା ଲେକର ଭାଗ୍‍ ଯାଓ, ଅଭି ଗୋବିନ୍ଦ ବାବୁ ଆଯାଏଗା । ଔର୍‍ ଆନେସେ ମେରେ ସାଥ୍‍ ଝଗଡ଼ା କରେଗା । ’’ ମୁଁ ବାହାରୁ ଘରକୁ ଫେରି ଆଗ ଚରଖା ଅଛି କି ନାହିଁ ଦେଖିବାକୁ ଯାଏ । ଚରଖା ନ ପାଇ ମହାତ୍ମାଜୀଙ୍କ ସହିତ ଆସି ଝଗଡ଼ା କରେ । ସେ ତାଙ୍କର ସ୍ନେହସୂଚକ କଥାରେ ମୋତେ ଭୁଲାଇ ଦିଅନ୍ତି । ତାହାଙ୍କର ପଦେ କଥା ମୋର ସମସ୍ତ ପରିଶ୍ରମକୁ ଲାଘବ କରିଦିଏ । ସେ ମତେ ଅତିମାତ୍ରାରେ ସ୍ନେହ କରୁଥାନ୍ତି । ମୋର କାର୍ଯ୍ୟ ଓ ପରିଶ୍ରମରେ ସେ ଅତିଶୟ ସନ୍ତୁଷ୍ଟ । ଅନେକ ସମୟରେ ଆଶ୍ରମରେ ସନ୍ଧ୍ୟା ପ୍ରାର୍ଥନା ପରେ ସେ ମୋ ବିଷୟ ନେଇ ଅନ୍ୟମାନଙ୍କ ଆଗରେ ପ୍ରଶଂସା କରନ୍ତି । ମୁଁ କାଟିଥିବା ସୂତାର ନମୁନା ଆଶ୍ରମକୁ ନେଇ ସମସ୍ତଙ୍କୁ ଦେଖାନ୍ତି ।

 

ମହାତ୍ମାଜୀଙ୍କ ସ୍ନେହର ସୀମା ନାହିଁ । ତାଙ୍କର ସ୍ନେହ ଓ ବିଶ୍ୱାସ ଅସୀମ ହେଲେ ମଧ୍ୟ ଅତି ସାମାନ୍ୟ ତ୍ରୁଟିରେ ତାଙ୍କର କଥା ଅତି କଠିନ । ସେତେବେଳେ ତାହାଙ୍କ ହୃଦୟ ପାଷାଣଠାରୁ କଠିନ ବୋଲି ବୋଧ ହୁଏ । ତାଙ୍କ କଥା ଶୁଣିଲେ ତାଙ୍କ ପାଖ ଛାଡ଼ି ପଳାଇ ଆସିବାକୁ ଇଚ୍ଛା ହୁଏ । ସେ ଏପରି କଥା କହନ୍ତି ଯହିଁରେ ମନରେ ଦାରୁଣ ଦୁଃଖ ହୁଏ । ତାଙ୍କ କଥାରେ କେହି ନ କାନ୍ଦି ରହି ପାରିବ ନାହିଁ । ଯେଉଁମାନଙ୍କର ତାହାଙ୍କ ସହିତ ଘନିଷ୍ଠ ସମ୍ୱନ୍ଧ ରହିଛି, ସେମାନେ ସମସ୍ତେ ତାହାଙ୍କ କଥାରେ କାନ୍ଦିଛନ୍ତି । କସ୍ତୁରୀ ବାଈ ବା ମହାଦେବ ଦେଶାଇ ପ୍ରଭୃତି କିଏ ଯେ ନ କାନ୍ଦିଛି ଏପରି ନୁହେଁ । ମହାତ୍ମାଜୀ ମୋର କାର୍ଯ୍ୟଦ୍ୱାରା ମୋଠାରେ ଅତ୍ୟନ୍ତ ସନ୍ତୁଷ୍ଟ ଥିଲେ ମଧ୍ୟ ସାମାନ୍ୟ ତ୍ରୁଟି ବୋଲି କିଛି ଯଦି ତାଙ୍କୁ ଦେଖାଯାଏ ତହିଁରେ ସେ ଏକାବେଳକେ ନିଷ୍ଠୁର ହୋଇ ବସନ୍ତି । ଦିନେ ସକାଳୁ ଖାଇବାକୁ ଦେଲା ବେଳକୁ ମହାତ୍ମାଜୀଙ୍କ ଖାଇବା ଛେଳି ଦୁଧରେ ଗୋଟିଏ ରୁମ ଦେଖାଗଲା । ଏହା ହେଲା ମୋର ବଡ଼ ଦୋଷ । ଏଥିପାଇଁ ମହାତ୍ମାଜୀ ଦୁଧ ନ ଖାଇ ରଖିଦେଲେ-। ଏଥିପାଇଁ ମତେ ଶାସ୍ତି ଦେବାକୁ ସେଦିନ ସେ ଆଉ ଖାଇବେ ନାହିଁ ଏବଂ ଏଣିକି ମୋର ସେବା ଗ୍ରହଣ କରିବେ ନାହିଁ ବୋଲି କହିଲେ । ଏହି ଟିକକ କଥାରେ ଏତେ ବଡ଼ ଶାସ୍ତି । ମହାତ୍ମାଜୀଙ୍କଠାରୁ ଏପରି କଥା ଶୁଣି ମୋ ମନ ଏକାବେଳକେ ଖରାପ ହୋଇଗଲା । ଏପର୍ଯ୍ୟନ୍ତ ତାଙ୍କଠାରୁ ମୁଁ ଏପରି କଥା ଶୁଣିବାକୁ କେଭେଁ ପାଇ ନାହିଁ । ସବୁବେଳେ ତାହାଙ୍କଠାରୁ ସ୍ନେହ ଓ ଆଦର ପାଇଛି । କିନ୍ତୁ ଦୁଧରୁ ରୁମ ଗୋଟାଏ ବାହାରିବାର କାରଣ ଦେଖିଲେ ମୋର କିଛି ଦୋଷ ହେବ ନାହିଁ ବୋଲି ମୋର ବିଶ୍ୱାସ । ମୁଁ ପ୍ରତିଦିନ ଦୁଧ ଛାଣି ଗରମ କରେ । କିନ୍ତୁ ସେଦିନ ତାହା ମୁଁ ନିଜେ କରି ନାହିଁ । ଶେଠ ରେବାଶଙ୍କରଙ୍କ ପାଚକ କାମ କରୁଥିବା ମହାରାଜ ଦୁଧକୁ ଛାଣି ଗରମ କରି ରଖିଥିଲା । ଶେଠ ରେବାଶଙ୍କରଙ୍କ ମହାରାଜ ମାସକୁ ପଚାଶ ଟଙ୍କା ଦରମା ନିଏ । ତାଙ୍କର ହୀରା, ସୁନା, ରୂପା ଦୋକାନରେ ହିସାବ ରଖେ । ସୁତରାଂ ସେ ନିଜେ ଦୁଧ ଛାଣି ଗରମ କରିଛି ବୋଲି କହିବାରୁ ତା କଥାକୁ ବିଶ୍ୱାସ ନ କରିବାର କାରଣ କିଛି ନ ଥିଲା । ସେ ଜଣେ ଦାୟିତ୍ୱଜ୍ଞାନ ଥିବା ବ୍ୟକ୍ତି । ଏପରି ଅବସ୍ଥାରେ ତା କଥାକୁ ବିଶ୍ୱାସ ନ କରନ୍ତି କିପରି ! ସୁତରାଂ ମୁଁ ନିର୍ଦ୍ଦୋଷ ବୋଲି ମୋର ବିଶ୍ୱାସ । ମହାତ୍ମାଜୀଙ୍କ ବିବେଚନାରେ ମୁଁ ତାଙ୍କୁ ଖାଇବାକୁ ଦେବାର ଦାୟିତ୍ୱ ଗ୍ରହଣ କରିଥିବା ସ୍ଥଳେ, ସେଥିରେ ଯଦି କିଛି ତ୍ରୁଟି ରହିଲା ସେଥିପାଇଁ ମୁଁ ଦାୟୀ । ସୁତରାଂ ମତେ ଦଣ୍ଡ ଭୋଗିବାକୁ ହେବ । ମହାତ୍ମାଜୀଙ୍କ ଏହି ଦଣ୍ଡ ବିଧାନରେ ମୁଁ ଟିକିଏ ବିଚଳିତ ହୋଇଗଲି । ସେଦିନ ମୁଁ ଆଉ ଖାଇଲି ନାହିଁ । ଯେପରି ଯାହା କାର୍ଯ୍ୟ କରିବାର ଦିନଯାକ ସେପରି କଲି । ସନ୍ଧ୍ୟାବେଳକୁ ମହାତ୍ମାଜୀଙ୍କୁ ପୁଣି ତାଙ୍କ ଖାଇବା ଦୁଧ ଓଗେର ନେଇ ଦେବାରେ ସେ ଆଉ କିଛି ନ କହି ମୋ ହାତରୁ ଅବଶ୍ୟ ଗ୍ରହଣ କଲେ । ଏହି ଘଟଣାରେ ମୋ ମନରେ ଟିକିଏ ଭୟ ହୋଇଗଲା । ଏଣିକି ପ୍ରତ୍ୟେକ କାର୍ଯ୍ୟ ମୁଁ ନିଜେ ଦେଖି ଶୁଣି କରେ । ଯେ ଯେତେ ଜାଣିବାର ଅବା ପାରିବାର ହେଲେ ମଧ୍ୟ ତାହା ଉପରେ ନିର୍ଭର କରି ମୁଁ ନିଶ୍ଚିନ୍ତ ରହିପାରେ ନାହିଁ । ମହାତ୍ମାଜୀ କହନ୍ତି, ଦେଶପାଇଁ ଜୀବନ ଉତ୍ସର୍ଗ କରିବା ବ୍ୟକ୍ତି ସବୁବେଳେ ସବୁ କାର୍ଯ୍ୟରେ ସାବଧାନ ରହିବା ଉଚିତ । ଦାୟିତ୍ୱ ମୁଣ୍ଡେଇଥିବା କୌଣସି କାର୍ଯ୍ୟରେ କିଛି ତ୍ରୁଟି ଦେଖାଯିବା, ଦେଶସେବକ ପକ୍ଷରେ ଶୋଭନୀୟ ନୁହେ, କିମ୍ୱା କ୍ଷମଣୀୟ ମଧ୍ୟ ନୁହେ । ଏହି କଥାଟି ମୋର ହୃଦୟରେ ଅଙ୍କିତ ହୋଇ ଯାଇଛି । ଏହାଦ୍ୱାରା ମୋର ପ୍ରକୃତି ବଦଳି ଯାଇଛି । ମୁଁ କାହାରି କାର୍ଯ୍ୟରେ ସନ୍ତୋଷ ପାଇ ପାରୁ ନାହିଁ । ମୁଁ ଯେପରି ମନ ପ୍ରାଣ ଦେଇ ଖଟି ପାରେ, ସେହିଭଳି ଖଟିବାର ନ ଦେଖିଲେ ମୁଁ ବିରକ୍ତ ହୋଇଉଠେ । ଏଥିପାଇଁ ମୋ ନିକଟରେ କେହି କର୍ମୀ ରହି କାମ କରିପାରନ୍ତି ନାହିଁ । ଫଳରେ ମୁଁ ବର୍ତ୍ତମାନ ଜଣେ ନିହାତି ଚିଡ଼ା ପ୍ରକୃତିର ଲୋକ ବୋଲି ପରିଚିତ ।

 

ସେ ଯାହା ହେଉ, ପଞ୍ଜାବ ଜାଲିଆନାୱାଲାବାଗ୍‍ ହତ୍ୟାକାଣ୍ଡ ବିଷୟ ବର୍ତ୍ତମାନ ଜଣାପଡ଼ିଲାଣି । ପଞ୍ଜାବରେ ସୈନିକ ଆଇନ୍‌ ଜାରୀ ହୋଇ କିପରି ଅମାନୁଷିକ ଶାସନ-ବ୍ୟଭିଚାର ଚାଲିଛି, ତାହା ଆଉ କାହାକୁ ଅବିଦିତ ନାହିଁ । ବମ୍ୱେଇ ସହରରେ ଧନୀ ଦରିଦ୍ର ନିର୍ବିଶେଷରେ ସମସ୍ତଙ୍କ ହୃଦୟରେ ପ୍ରତିହିଂସା-ବହ୍ନି ଜ୍ୱଳି ଉଠିଛି । ପଞ୍ଜାବର ଅତ୍ୟାଚାରପ୍ରପୀଡ଼ିତ ଲୋକଙ୍କର କିପରି ସେବା ଶୁଶ୍ରୂଷା ହେବ ମହାତ୍ମାଜୀ ବର୍ତ୍ତମାନ ଏଥିପାଇଁ ଚିନ୍ତିତ । ସୈନିକ ଆଇନ ଉଠିଯାଇଛି-। ପଣ୍ଡିତ ମାଲବ୍ୟ ପଞ୍ଜାବରେ ପ୍ରବେଶ କରି ଏହି ସେବା କାର୍ଯ୍ୟ ଆରମ୍ଭ କରିଛନ୍ତି । ବମ୍ୱେଇରୁ ଅର୍ଥ ସାହାଯ୍ୟ ପଠାଇବାପାଇଁ ମହାତ୍ମାଜୀ ଚେଷ୍ଟା କରୁଛନ୍ତି । ପଞ୍ଜାବ ପ୍ରବେଶ କରିବାପାଇଁ ନିଷେଧ ଆଜ୍ଞା ମହାତ୍ମାଜୀଙ୍କ ଉପରେ ଜାରୀ ଅଛି । ତେଣୁ ସେ ନିଜେ ପଞ୍ଜାବକୁ ଯାଇ ପାରୁନାହାନ୍ତି । କିନ୍ତୁ ପଞ୍ଜାବ ବିଷୟରେ ସେ ଅନେକ କଥା ଜାଣି ପାରିଛନ୍ତି । ଶ୍ରୀମତୀ ରମାବାଈ କୋଚରଙ୍କ ନିକଟରୁ ସେ ଶୁଣିଛନ୍ତି ଯେ ପଞ୍ଜାବରେ ଏବେ ମଧ୍ୟ ଘରେ ଘରେ ଚରଖା ଚାଲୁଛି । ଏବେ ମଧ୍ୟ ସେ ପ୍ରଥା ପ୍ରଚଳିତ ଅଛି ଯେ, ଝିଅ ଶାଶୁଘର ଗଲାବେଳେ ସେ ହାତରେ ସୂତା କାଟି ସେହି ସୂତାରେ ଲୁଗା ପିନ୍ଧି ଶାଶୁଘର ଯିବ, ଚରଖା ଗୋଟିଏ ଯୌତୁକ ନେବ । ଏହି କଥା ଶୁଣିଲାଦିନୁ ମହାତ୍ମାଜୀଙ୍କ ଇଚ୍ଛା ହୋଇଛି ମତେ ପଞ୍ଜାବକୁ ପଠାଇବାପାଇଁ । ଇତିମଧ୍ୟରେ ଶ୍ରୀମତୀ ରମାବାଈ କୋଚରଙ୍କ ପିତା ଲାଲା ବାହାଦୂର ଚାନ୍ଦ ମେହେଥା ବମ୍ୱେଇ ଆସିଲେ । ସେ ଦର୍ଶନ ଲାଭ ଲାଳସାରେ ମହାତ୍ମାଜୀଙ୍କ ସହିତ ଦେଖା କରିବାକୁ ଗଲେ । ମୋର ପଞ୍ଜାବ ଯିବା ପ୍ରସ୍ତାବ ଲାଲା ବାହାଦୂର ଚାନ୍ଦ ଶୁଣିଥାନ୍ତି । ସେ ମହାତ୍ମାଜୀଙ୍କ ସହିତ ଦେଖା କରିବାକୁ ଗଲାବେଳେ ମୋର ପଞ୍ଜାବ ଯିବା ପ୍ରଶ୍ନ ଉଠିଲା । ଲାଲାଜୀ ମହାତ୍ମାଜୀଙ୍କୁ ଅନୁରୋଧ କଲେ ଯେ, ମୁଁ ପଞ୍ଜାବ ଗଲେ ଯେପରି ତାଙ୍କର ଅତିଥି ହୋଇ ରହେ । ଏପରି କଥାରେ ମହାତ୍ମାଜୀ ଅସମ୍ମତ ହେବାର କୌଣସି କାରଣ ନାହିଁ । ପଞ୍ଜାବ ଯାଇ ବିଶେଷରେ ଚରଖା କିପରି ଚାଲୁଛି ତାହା ଦେଖିବା ଓ ଅତ୍ୟାଚାର ଭୋଗିଥିବା ଲୋକଙ୍କ ସେବା କରିବା ଏହି ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ନେଇ ମୋର ପଞ୍ଜାବ ଯିବା ସ୍ଥିର ହେଲା । ଲାଲା ବାହାଦୂର ଚାନ୍ଦ ମେହେଥାଙ୍କ ସଙ୍ଗରେ ମୁଁ ପଞ୍ଜାବ ଯାତ୍ରା କଲି ।

Image

 

ପଞ୍ଚମ ପରିଚ୍ଛେଦ

ପଞ୍ଜାବ ଜୀବନୀ

 

୧୯୧୯ ମସିହା ଅଗଷ୍ଟ ମାସରେ ମୁଁ ଯାଇ ପଞ୍ଜାବରେ ଉପସ୍ଥିତ ହେଲି । ପ୍ରଥମେ ଯାଇ ଲାହୋରରେ ରହିଲି । ଚବିଶ ନମ୍ୱର ଇଁପ୍ରେସରୋଡରେ ମେହେଥା ବାହାଦୂର ଚାନ୍ଦଙ୍କ ଘର-। ମୁଁ ସେହିଠାରେ ରହିଲି । ମନେ ମନେ ସ୍ଥିର କଲି, ପ୍ରଥମେ ପଞ୍ଜାବର କୌଣସି ପଲ୍ଲୀଗ୍ରାମକୁ ଯାଇ ସେଠାରେ କିଛିଦିନ ରହିଲେ ସବୁକଥା ଜାଣିପାରିବି । ଚରଖା କିପରି ଚାଲିଛି ତାହା ଦେଖିବି, ଏବଂ ସୈନିକ ଆଇନ ଜାରୀ ହେବାଦ୍ୱାରା ଲୋକେ କେତେଦୂର ଭୟଭୀତ ହୋଇଛନ୍ତି ତାହା ମଧ୍ୟ ବୁଝିପାରିବି । ପଞ୍ଜାବ ଜଳବାୟୁ ମୋ ଦେହରେ ଚଳୁଛି କି ନାହିଁ, ତାହା ଟିକିଏ ପରୀକ୍ଷା ନ କରି ମେହେଥା ବାହାଦୂର ଚାନ୍ଦ ମତେ ପଲ୍ଲୀଗ୍ରାମକୁ ପଠାଇଲେ ନାହିଁ । ସୁତରାଂ କିଛିଦିନ ପାଇଁ ମତେ ଲାହୋରରେ ରହିବାକୁ ହେଲା । ପଞ୍ଜାବ ପ୍ରଦେଶରେ ଶୀତ ଓ ଗ୍ରୀଷ୍ମ ଅତି ବେଶି । ସେତେବେଳକୁ ପଞ୍ଜାବରୁ ଗ୍ରୀଷ୍ମ ଛାଡ଼ି ନ ଥାଏ । ଦିନବେଳେ ଭୟଙ୍କର ଗରମ ହୁଏ । ରାତ୍ରିରେ ଶୀତ ହୁଏ । ପଞ୍ଜାବରେ ଭାତର ପ୍ରଚଳନ ନାହିଁ । ପଞ୍ଜାବୀ ଲୋକେ ଖାଲି ରୁଟି ଖାନ୍ତି । ଭାତ ଖାଇବା ଦୂରର କଥା, ଭାତ କିପରି ରନ୍ଧା ହୁଏ ତାହା ଜାଣନ୍ତି ନାହିଁ । ଭାତକୁ ସେମାନେ ଚାଉଳ କହନ୍ତି । ବର୍ଷରେ ଥରେ ଦୁଇଥର ଇଚ୍ଛା ହେଲେ ପଲାଉ କରି ଖାନ୍ତି, ନତୁବା କେହି ବେମାର ପଡ଼ିଲେ ଡାଲି ଚାଉଳକୁ ଖେଚାଡ଼ି କଲାପରି ରାନ୍ଧି ଖାଇବାକୁ ଦିଅନ୍ତି । ଆମ୍ଭର ଯେପରି ରୋଗୀକୁ ସାଗୁ କିମ୍ୱା ବାର୍ଲି ଦିଆଯାଏ, ପଞ୍ଜାବରେ ରୋଗୀକୁ ଏହିପରି ଖେଚାଡ଼ି ଦିଆଯାଏ ।

 

ଦୁଇବେଳା ଖାଲି ରୁଟି ଖାଇ ରହିବା ମୋର ଅଭ୍ୟାସ ନାହିଁ । ପଞ୍ଜାବୀ ଲୋକେ ତରକାରୀ କ’ଣ ଜାଣନ୍ତି ନାହିଁ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ତରକାରୀ ଓ ଭାତ ସେଠାରେ ସ୍ୱପ୍ନ ପରି ଜଣାଗଲା । ଖାଲି ରୁଟି ଖାଇ ଚଳିବାକୁ ମତେ ଭଲ ଲାଗିଲା ନାହିଁ । ଲାହୋର ପରି ସହରରେ ଏପରି, ପଲ୍ଲୀ ଗ୍ରାମକୁ ଗଲେ ମୁଁ ଚଳିବି କିପରି, ଏହିପରି ପ୍ରଶ୍ନ ମନରେ ଜାଗି ଉଠିଲା । ମୋର ଦେହ ମଧ୍ୟ ଟିକିଏ ଅସୁସ୍ଥ ବୋଧ ହେଲା । ମନେକଲି ପଞ୍ଜାବରେ ରହିବା ମୋର ଆଉ ହେବ ନାହିଁ । ମୁଁ ବମ୍ୱେଇ ଫେରିଯିବି । କିନ୍ତୁ ଜଳବାୟୁ କିମ୍ୱା ଖାଦ୍ୟପେୟ ଦେହରେ ଚଳିଲା ନାହିଁ କହି କର୍ତ୍ତବ୍ୟକ୍ଷେତ୍ର ଛାଡ଼ି ପଳାଇଯିବା ମତେ ଲଜ୍ଜାକର ବୋଧ ହେଲା । ପୁଣି ପଞ୍ଜାବ ପରି ଗୋଟାଏ ନୂତନ ପ୍ରଦେଶକୁ ଆସିଛି । ଏହି ପଞ୍ଜାବର ପ୍ରଶ୍ନ ବର୍ତ୍ତମାନ ସମସ୍ତ ଭାରତବର୍ଷକୁ ବିଚଳିତ କରୁଛି । ଏପରି ଅବସ୍ଥାରେ ପଞ୍ଜାବ ଛାଡ଼ି ଯିବାକୁ ମନ ବଳିଲା ନାହିଁ । ବେମାର ପଡ଼ିଲେ ମଧ୍ୟ ମେହେଥା ବାହାଦୂର ଚାନ୍ଦଙ୍କ ଘରେ ପଡ଼ି ରହିଲି । କ୍ରମଶଃ ଦେହ ଟିକିଏ ଭଲ ହେଲା । ରୋଟି ଖାଇବା ଅଭ୍ୟାସ ପଡ଼ିଗଲା । ପଞ୍ଜାବ ପ୍ରଦେଶର ଜନୌଟ ନାମକ ଗୋଟିଏ ପଲ୍ଲୀଗ୍ରାମକୁ ମୁଁ ବାହାରିଲି ।

 

ଏହି ଜନୌଟରେ ମେହେଥା ବାହାଦୂର ଚାନ୍ଦଙ୍କ ଘର । ଏଠାରେ ଗୋଟିଏ ଉଚ୍ଚ ଇଂରେଜୀ ସ୍କୁଲ ଅଛି । ଏହି ସ୍କୁଲର ହେଡ ମାଷ୍ଟରଙ୍କ ସହିତ ମୋର ବନ୍ଧୁତା ସ୍ଥାପିତ ହୋଇଗଲା । ସ୍କୁଲର କେତେକ ଛାତ୍ରଙ୍କୁ ଚିହ୍ନିଲି । ଏମାନଙ୍କ ସାହାଯ୍ୟରେ ନିକଟବର୍ତ୍ତୀ ଗ୍ରାମସବୁ ବୁଲିଗଲି । ହେଡମାଷ୍ଟର ଜଣେ ଆର୍ଯ୍ୟ ସମାଜର ଲୋକ । ଆର୍ଯ୍ୟ ସମାଜର ପ୍ରସାର ଓ ପ୍ରଭାବ ପଞ୍ଜାବରେ ଅତି ପ୍ରବଳ । ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ଓ ଗୁଜରାତ ପ୍ରଦେଶରେ ତାଙ୍କର ଜନ୍ମ । କିନ୍ତୁ ଆର୍ଯ୍ୟ ସମାଜର କାର୍ଯ୍ୟକ୍ରମ ଦେଖିଲେ ମନେହୁଏ, ପଞ୍ଜାବ ପ୍ରଦେଶର ପ୍ରଶ୍ନ ସମାଧାନ କରିବା ପାଇଁ ଆର୍ଯ୍ୟ ଧର୍ମ୍ମର ଅଭ୍ୟୁଦୟ ହୋଇଅଛି, ଏବଂ ଏହାର ପ୍ରତିଷ୍ଠାତାଙ୍କ ଜନ୍ମସ୍ଥାନ ପଞ୍ଜାବ । ପଞ୍ଜାବକୁ ଆସି ଆର୍ଯ୍ୟ ସମାଜ କର୍ମୀମାନଙ୍କ ସହିତ ବହୁ ସ୍ଥଳରେ ଦେଖା ସାକ୍ଷାତ୍‍ ହେଉଛି । ଉପସ୍ଥିତ ହେଡମାଷ୍ଟର ଆର୍ଯ୍ୟ ସମାଜର ଜଣେ କର୍ମୀ ବୋଲି କହିପାରେ । ଆର୍ଯ୍ୟ ସମାଜ ବିଷୟରେ ମୋର ପୂର୍ବରୁ କିଛି ଜ୍ଞାନ ନ ଥିଲା । ଏହିଠାରେ ମୁଁ ବହୁତ କଥା ଜାଣି ପାରିଲି । ‘ସତ୍ୟାର୍ଥ ପ୍ରକାଶ’ ହେଉଛି ଆର୍ଯ୍ୟସମାଜବାଦୀଙ୍କର ଧର୍ମଗ୍ରନ୍ଥ । ଜନୌଟ ସ୍କୁଲର ହେଡ ମାଷ୍ଟର ମହାଶୟ ଏହି ସତ୍ୟାର୍ଥ ପ୍ରକାଶ ଗ୍ରନ୍ଥରୁ ଖଣ୍ଡିଏ ମତେ ଉପହାର ଦେଲେ । ଏହାଙ୍କ ସହିତ ଯାହାସବୁ ଆଲୋଚନା ହେଲା, ତହିଁରୁ ମୋର ଧାରଣା ଜନ୍ମିଲା ଯେ, ଆର୍ଯ୍ୟ ସମାଜବାଦୀମାନେ ରାଜନୈତିକ ପ୍ରଶ୍ନକୁ ମୁଖ୍ୟତଃ ଦେଶର ଜ୍ୱଳନ୍ତ ପ୍ରଶ୍ନରୂପେ ଦେଖୁ ନାହାନ୍ତି, କିମ୍ୱା ସେପରି ଦୃଷ୍ଟିରେ କୌଣସି ବିଷୟର ଆଲୋଚନା କରୁ ନାହାନ୍ତି । ସେମାନଙ୍କ ଚକ୍ଷୁରେ ଧର୍ମ୍ମ ଓ ସମାଜ ସଂସ୍କାର ଜ୍ୱଳନ୍ତ ପ୍ରଶ୍ନ । ସୁତରାଂ ଏହିଠାରେ ପଞ୍ଜାବ ପ୍ରଦେଶର ରାଜନୈତିକ ପରିସ୍ଥିତି ବିଷୟରେ ବିଶେଷ ଭାବରେ ଜାଣି ପାରିବାର କୌଣସି ସୁବିଧା ପାଇ ପାରିଲି ନାହିଁ । ସେଠାରେ ୧୫/୨୦ ଦିନ ରହି ପୁଣି ଲାହୋରକୁ ଫେରିଲି ।

 

ଲାହୋରରେ ସେତେବେଳକୁ ପଣ୍ଡିତ ମୋତି ଲାଲ ଓ ମଦନମୋହନ ମାଲବ୍ୟ ଥାନ୍ତି । ପଣ୍ଡିତ ମାଲବ୍ୟଙ୍କ ନିକଟରେ ଅଧ୍ୟାପକ ତ୍ରିପଲାନି ଥାନ୍ତି । ବମ୍ୱେଇରୁ ମୁଁ ତାହାଙ୍କୁ ଭଲରୂପେ ଜାଣେ । ସେ ଥିବାର ସଂବାଦ ପାଇ ମୁଁ ତାହାଙ୍କ ନିକଟକୁ ଅନେକ ସମୟରେ ଯା ଆସ କରେ । ପଞ୍ଜାବ ଅତ୍ୟାଚାର ତଦନ୍ତ କରିବା ପାଇଁ ଭାରତର ସର୍ବତ୍ର ଦାବୀ ଉଠିଛି । ଇଂଲଣ୍ଡର ପାର୍ଲିଆମେଣ୍ଟ ଗୋଟିଏ ରୟେଲ କମିଟି ବସାଇ ତଦନ୍ତ କରୁ, ଏହାହିଁ ଭାରତର ଦାବୀ । ପଞ୍ଜାବ ଅତ୍ୟାଚାର ସଂବାଦରେ ଇଂଲଣ୍ଡର ଲୋକେ ଟିକିଏ ବିସ୍ମିତ ହୋଇଛନ୍ତି । ବିଲାତର ମନ୍ତ୍ରୀମଣ୍ଡଳ କୌଣସି ପ୍ରକାରେ ଭାରତକୁ ସାନ୍ତ୍ୱନା ଦେବାକୁ ଟିକିଏ ବ୍ୟଗ୍ରତା ପ୍ରକାଶ କରୁଛି । ମଣ୍ଟାଗୁ-ଚେମ୍‍ସଫୋର୍ଡ ଶାସନସଂସ୍କାରକୁ ଅତି ଶୀଘ୍ର ପାର୍ଲିଆମେଣ୍ଟରେ ପାସ କରାଇ, ଭାରତରେ ଜାରୀ କରିବା ପାଇଁ ଚେଷ୍ଟା ଚାଲିଛି । ଏପରି ଅବସ୍ଥାରେ ରୟେଲ କିମିଟି ପାଇଁ ଭାରତର ଦାବୀକୁ ବିଲାତ ମନ୍ତ୍ରୀମଣ୍ଡଳ ଉପେକ୍ଷା କରି ପାରୁ ନାହାନ୍ତି । ପଞ୍ଜାବ ଗୋଳମାଳ ଗୋଟିଏ ପ୍ରାଦେଶିକ ଘଟଣା । ଭାରତ ସରକାର ସେଥିପାଇଁ ତଦନ୍ତ କମିଟି ନ ବସାଇ ବିଲାତରୁ ରୟେଲ କମିଟି ଆସିବା ଅର୍ଥ ଭାରତ ସରକାର ଉପରେ କଟାକ୍ଷପାତ । କିନ୍ତୁ ପଞ୍ଜାବ ଅତ୍ୟାଚାର ପରେ ଦେଶରେ ଏପରି ବାୟୁମଣ୍ଡଳ ସୃଷ୍ଟି ହୋଇଗଲା ଯେ ବିଲାତର ମନ୍ତ୍ରୀମଣ୍ଡଳଙ୍କର ଉପାୟାନ୍ତର ନ ଥିଲା । ଭାରତର ଦାବୀ ଅନୁସାରେ ହଣ୍ଟର କମିଟି ନାମରେ ଗୋଟିଏ ତଦନ୍ତ କମିଟିର ନାମ ପ୍ରକାଶ ପାଇଛି । ଏହି ହଣ୍ଟର କମିଟି ଆଗରେ ସାକ୍ଷ୍ୟ ଦେବାପାଇଁ ପଣ୍ଡିତ ମାଲବ୍ୟ ଓ ପଣ୍ଡିତ ମୋତିଲାଲ କାର୍ଯ୍ୟ କରୁଥାନ୍ତି । ସୈନିକ ଆଇନ କେତେଦିନୁ ଉଠି ଗଲାଣି । ତଥାପି ଲୋକଙ୍କ ମନରୁ ଭୀତି ଛାଡ଼ୁ ନ ଥାଏ । ସେମାନେ ଯାହା ଦେଖିଛନ୍ତି ଓ ଯାହା ଭୋଗିଛନ୍ତି, ସେ ସବୁ ଭୁଲିଯାଇ ସରକାରୀ ଅମଲାଦାରଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେବାକୁ ଲୋକଙ୍କ ହିମତ୍‍ ହେଉ ନ ଥାଏ । ଏହି ଅବସ୍ଥା ଦେଖି ମୋ ମନ ଛଟପଟ ହେଉଥାଏ । ସବୁବେଳେ ମନେହୁଏ, ବୋଧହୁଏ ମହାତ୍ମାଜୀ ଆସିଲେ ଲୋକଙ୍କ ଭୟ ଭାଙ୍ଗିଯାନ୍ତା ପରା ! କିନ୍ତୁ ପଞ୍ଜାବ ଆସିବାକୁ ମହାତ୍ମାଜୀଙ୍କ ଉପରେ ଏବେ ମଧ୍ୟ ନିଷେଧ ଆଜ୍ଞା ଜାରୀ ଅଛି ।

 

ଏହି ଅବସରରେ ବଡ଼ଲାଟଙ୍କ ସଭାରେ Indemnity Bill (ଇନ୍‌ଡେମନିଟି ବିଲ୍‍) ନାମରେ ସରକାର ଗୋଟିଏ ଆଇନ୍‍ ଜାରୀ କରାଇ ନେବାକୁ ବସିଲେ । ଏହି ଆଇନ୍‍ ବଳରେ ସରକାର ନିଜର କର୍ମଚାରୀମାନଙ୍କୁ ରକ୍ଷା କରିବାକୁ ଚାହାନ୍ତି । ଏହି ଆଇନ୍‍ ଜାରୀ ହୋଇ ଗଲେ ପଞ୍ଜାବର କେହି ବ୍ୟକ୍ତି ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ କ୍ଷତିପୂରଣ ଦାବୀ କରି ମକଦ୍ଦମା ଦାୟର କରି ପାରିବ ନାହିଁ । ସୈନିକ ଆଇନ୍‍ ଜାରୀ ଥିଲାବେଳେ କେତେ ବେ-ଆଇନ୍‍ ବେ-କାନୁନ୍‍ କାର୍ଯ୍ୟ କରା ହୋଇ ଲୋକଙ୍କୁ ସର୍ବସ୍ୱାନ୍ତ କରି ଦିଆ ଯାଇଛି । ଏପରି ବେ-ଆଇନ୍‍ କାର୍ଯ୍ୟ ହେତୁ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ କେହି କ୍ଷତିପୂରଣ ଦାବୀ କରି ମକଦ୍ଦମା ଦାୟର କରିବା ଅସମ୍ଭବ ନୁହେ । କିନ୍ତୁ ଇନ୍‌ଡେମନିଟି ବିଲ୍‍ ପାସ ହୋଇଗଲେ, ଆଉ କେହି ଏପରି ମକଦ୍ଦମା କରି ନ ପାରନ୍ତି । କିନ୍ତୁ ଏହି ଆଇନ୍‍ ବିରୁଦ୍ଧରେ ଭାରତରେ ଘୋର ପ୍ରତିବାଦର ସୂତ୍ରପାତ ହେଲା । ଏହି ଆଇନ୍‍ର ବିଚାର ପଡ଼ିଲା ବେଳେ ପଣ୍ଡିତ ମାଲବ୍ୟ ଏପରି ଏକ ହୃଦୟସ୍ପର୍ଶୀ ବକ୍ତୃତା ଦେଇଥିଲେ ଯେ ଲାଟ ସଭାରେ ମଧ୍ୟ ଅନେକ କାନ୍ଦି ପକାଇଥିଲେ । କିନ୍ତୁ ଏହି ସମୟରେ ଏହି ଆଇନ୍‍କୁ ସମର୍ଥନ କରି ମହାତ୍ମାଜୀ ‘ୟଙ୍ଗ ଇଣ୍ଡିୟା’ରେ ଏକ ଲେଖା ପ୍ରକାଶ କଲେ । ମହାତ୍ମାଜୀ ଲେଖିଲେ, ‘‘We must reserve all our guns and gun powder for a future occasion and for a bigger fight.’’ ମହାତ୍ମାଜୀ କହନ୍ତି, ବର୍ତ୍ତମାନ ଏପରି ଗୋଟିଏ ଆଇନକୁ ବିରୋଧ କରି ଆମର ଶକ୍ତି ଅପବ୍ୟୟ କରିବା ଉଚିତ ନୁହେ । ମହାତ୍ମା ଗାନ୍ଧି ଏହି ଲେଖା ଲେଖିଲା ବେଳୁ ଅସହଯୋଗ ଆନ୍ଦୋଳନର କଳ୍ପନା କରି ସାରିଲେଣି ବୋଲି ମୋର ମନେହୁଏ । ସେ ଯାହା ହେଉ ପଣ୍ଡିତ ମାଲବ୍ୟ ଇନ୍‌ଡେମନିଟି ବିଲ୍‍ ବିରୁଦ୍ଧରେ କହିଲା ବେଳକୁ, ସରକାର ପକ୍ଷ ଜବାବରେ ମହାତ୍ମା ଗାନ୍ଧି ଏହାକୁ ସମର୍ଥନ କରୁଛନ୍ତି ବୋଲି କହି ଉକ୍ତ ଲେଖାକୁ ଉଦ୍ଧୃତ କରି ଶୁଣାଇ ଥିଲେ । ଏଥିରେ ମାଲବ୍ୟଜୀ ଉତ୍ତର ଦେଲେ, ସରକାରଙ୍କର ଯଦି ମହାତ୍ମା ଗାନ୍ଧିଙ୍କ ମତ ପ୍ରତି ଏତେ ଆସ୍ଥା ତେବେ ତାଙ୍କ ଉପରେ ପଞ୍ଜାବ ପ୍ରବେଶ କରିବା ପାଇଁ ଜାରୀ କରିଥିବା ନିଷେଧ ଆଜ୍ଞା ଉଠାଇ ନେବେ କି ? ମାଲବ୍ୟଜୀଙ୍କ ଏହି ଉକ୍ତିର କିଛି ଦିନ ପରେ ସରକାର ତାହାଙ୍କ ନିଷେଧ ଆଜ୍ଞା ଉଠାଇ ନେଲେ । ମହାତ୍ମାଜୀ ଯଥାସମୟରେ ପଞ୍ଜାବରେ ଆସି ଉପସ୍ଥିତ ହେଲେ । ତାହାଙ୍କ ପ୍ରବେଶ ମାତ୍ରକେ ବିଜୁଳି ପରି ଏକ ନୂତନ ଜୀବନ ପଞ୍ଜାବରେ ଖେଳିଗଲା ପ୍ରାୟ ବୋଧ ହେଲା । ଅତ୍ୟାଚାର ଭୋଗିଥିବା ଲୋକେ ଆପେ ଆପେ ଆସି ସେମାନଙ୍କ ଦୁଃଖ କାହାଣୀ ମହାତ୍ମାଜୀଙ୍କ ଆଗରେ ବର୍ଣ୍ଣନା କଲେ ।

 

ଲାହୋରରେ ମହାତ୍ମାଜୀ ଶ୍ରୀମତୀ ସରଳା ଦେବୀଙ୍କ ଅତିଥି । ସରଳା ଦେବୀଙ୍କ ସ୍ୱାମୀ ପଣ୍ଡିତ ରାମଭଜ ଦତ୍ତ ଧରା ହୋଇ ସୈନିକ ଆଇନରେ ତାଙ୍କର ବିଚାର ହୋଇଛି । ସେ ଦ୍ୱୀପାନ୍ତର ଦଣ୍ଡ ପାଇଛନ୍ତି । ପଞ୍ଜାବର ପ୍ରତ୍ୟେକ ବିଶିଷ୍ଟ ନେତା ଜେଲରେ । ତଥାପିମହାତ୍ମାଜୀ ରହିଥିବା ସ୍ଥାନରେ ଦିନରାତି ଲୋକ ଭିଡ଼ । ସବୁବେଳେ କ୍ରନ୍ଦନ ଧ୍ୱନି କାନରେ ଆସି ପଡ଼େ । କାହାର ଏକମାତ୍ର ସନ୍ତାନ ମରିଛି, କାହାର ସ୍ୱାମୀ ମରିଛି, କାହାର ଅବା ପିତା ଓ ଭାଇ ମରିଛନ୍ତି-ଏହିପରି ଲୋକେ ସବୁ ଆସି ଠୁଳ ହେଉଛନ୍ତି । ମହାତ୍ମାଜୀଙ୍କୁ ଦେଖି ତାହାଙ୍କୁ ଟିକିଏ ଦୁଃଖ ଶୁଣାଇ ପାରିଲେ ସେମାନେ ସବୁ ଦୁଃଖ ଭୁଲିଗଲା ପରି ଜଣା ଯାଉଥାଏ । ମୁଁ ସବୁବେଳେ ମହାତ୍ମାଜୀଙ୍କ ପାଖରେ ଥାଏ । କେବଳ ରାତ୍ରିରେ ମେହେଥା ବାହାଦୂର ଚାନ୍ଦଙ୍କ ଘରକୁ ଆସେ । ସୁତରାଂ ସବୁବେଳେ ଏହି ଦୃଶ୍ୟ ଦେଖିବାକୁ ହୁଏ ଓ କ୍ରନ୍ଦନ ଶୁଣିବାକୁ ପଡ଼େ । ଏସବୁ ଦେଖି ଓ ଶୁଣି ମହାତ୍ମାଜୀଙ୍କ ମନ କ’ଣ ହେଉଥିବ ତାହା ସେ ଜାଣନ୍ତି । ତାଙ୍କର ହୃଦୟର ଭାବ ଜାଣିବାର କିଛିମାତ୍ର ଉପାୟ ନାହିଁ । ସବୁ ଶୁଣି, ସବୁ ଦେଖି ନୀରବରେ ସେ ତାଙ୍କର କର୍ତ୍ତବ୍ୟ କରି ଯାଉଥାନ୍ତି-। କିନ୍ତୁ ପଣ୍ଡିତ ମାଲବ୍ୟଜୀ ମହାତ୍ମାଜୀଙ୍କ ନିକଟକୁ ଆସିଲା ବେଳେ ସେ ଏହି ଦୃଶ୍ୟ ଦେଖି ସମ୍ଭାଳି ହୋଇ ରହି ପାରନ୍ତି ନାହିଁ । ତାହାଙ୍କ ଆଖିରୁ ଲୋତକର ଧାର ଝର ଝର ହୋଇ ଖସିପଡ଼େ । ପଣ୍ଡିତ ମଦନମୋହନ ମାଲବ୍ୟଜୀଙ୍କ ଭଳି ବ୍ୟକ୍ତି ଏଭଳି ଅସମ୍ଭାଳ ହେବାର ଦେଖାଗଲେ ମୋ ପରି ଲୋକ କ’ଣ ନ ହେବ । ମୋର ହୃଦୟ ସବୁବେଳେ ଶୋକରେ ଓ କ୍ରୋଧରେ ଜଳି ଉଠୁଥାଏ-। ମୁଁ ଯେଉଁ ଆଡ଼କୁ ଦେଖେ, ସବୁଆଡ଼େ ମତେ ଇଂରେଜ ସରକାରଙ୍କ ଅତ୍ୟାଚାରର ଭୟାବହ ଦୃଶ୍ୟ ଛଡ଼ା ଅନ୍ୟ କିଛି ଦେଖା ଯାଏ ନାହିଁ ।

 

ସେତେବେଳକୁ ପଞ୍ଜାବ ଅତ୍ୟାଚାରର ଅନେକ ଦୃଶ୍ୟ ମୁଁ ଦେଖିଲିଣି । ଲାହୋରକୁ ଆସି ଛାତ୍ରମାନଙ୍କ ସହିତ ମିଶିବାର ସୁବିଧା ସୁଯୋଗ ପାଇଛି । ଛାତ୍ରମାନେ ଏହି ସୈନିକ ଆଇନ ଜାରୀ ଥିବା ସମୟରେ କିପରି ଦୁଃଖ କଷ୍ଟ ସହ୍ୟ କରିଛନ୍ତି, କି ପ୍ରକାର ନିର୍ଯ୍ୟାତନା, ଲାଞ୍ଛନା ଓ ଅପମାନ ସବୁ ଭୋଗ କରିଛନ୍ତି, ସେସବୁ ଶୁଣିଛି । ଡି. ଏ. ଭି. କଲେଜର କେତୋଟି ଛାତ୍ରଙ୍କ ସହିତ ମୋର ଘନିଷ୍ଠ ବନ୍ଧୁଭାବ ମଧ୍ୟ ଜନ୍ମି ଯାଇଛି । ମୁଁ ଏହି ଛାତ୍ରବନ୍ଧୁମାନଙ୍କ ସହିତ ଅନେକ ସମୟରେ ଲାହୋରର ଭିନ୍ନ ଭିନ୍ନ ସ୍ଥାନକୁ ବୁଲିବାକୁ ଯାଏ । ଲାହୋର ସହର ଗୋଟିଏ ପୁରାତନ ଇତିହାସପ୍ରସିଦ୍ଧ ସହର । ଇତିହାସପ୍ରସିଦ୍ଧ ବହୁତ ସ୍ଥାନ ଏଠାରେ ଦେଖିବାର ଅଛି । ସାଲିମାର୍ ବାଗ୍ ନାମରେ ମୋଗଲ ବାଦଶାହ ଅମଳର ଗୋଟିଏ ବଗିଚା, ଜାହାଙ୍ଗୀର ବାଦଶାହଙ୍କ କବର ଏହି ଦୁଇଟି ମୋଗଲ କୀର୍ତ୍ତି । ଏବେ ମଧ୍ୟ ଏସବୁ ଦେଖିଲେ ମୋଗଲ ଅମଳରେ ଭାରତର ବୈଭବ ମନେପଡ଼େ । ଏହି ପଞ୍ଜାବ ଶିଖ ଧର୍ମର ଜନ୍ମସ୍ଥଳୀ । ଏହିଠାରେ ଗୁରୁ ଗୋବିନ୍ଦ ସିଂହ ବୀର ଶିଖ ଜାତିକୁ ଗଢ଼ିଥିଲେ । ଏହା ହିନ୍ଦୁମାନଙ୍କର ପୁଣ୍ୟ ପଞ୍ଚନଦ ଭୂମି । ଏହିଠାରେ ଏବଂ ଏହି ଭୂମିରେ ହିନ୍ଦୁ ମନୀଷିଗଣ ସାଧନା କରି ବେଦ, ଉପନିଷଦ ଓ ଗୀତା ଲେଖି ଯାଇଛନ୍ତି । ଆଜି ସେହି ପୁଣ୍ୟ ଭୂମି ଛାରଖାର ହୋଇଛି । ସେହି ବୀର ଜାତି ଉପରେ ଅମାନୁଷିକ ଅତ୍ୟାଚାର କରାଯାଇଛି । ଜେନେରେଲ ଡାୟାର ଶତ ଶତ ନିରୀହ ଲୋକଙ୍କୁ ଗୁଳି କରି ମାରି ଦେଇଛନ୍ତି । ଏହି ସବୁ ଭାବ ଯୁଗପତ୍ ଆସି ହୃଦୟକୁ ଅଧିକାର କରେ । ମନେ ମନେ ଭାବେ, ଭାରତର କେଉଁଦିନ ଆଖି ଫିଟିବ ଏବଂ ଇଂରେଜ ସରକାରଙ୍କ ଏହି ଅତ୍ୟାଚାର ଭାରତବାସୀ ହୃଦୟଙ୍ଗମ କରି ଏ ଦେଶକୁ ଚିରକାଳ ନିମିତ୍ତ ସମସ୍ତ ପ୍ରକାର ଅତ୍ୟାଚାରରୁ ମୁକ୍ତି ଦେବାପାଇଁ ଦୃଢ଼ ସଂକଳ୍ପ କରିବ-ଭାରତ କେଉଁ ଦିନ ସ୍ୱାଧୀନ ହେବ ।

 

ପଞ୍ଜାବକୁ ମୁଁ ଦୁଇଟି ମୁଖ୍ୟ ଉଦ୍ଦେଶ୍ୟରେ ଯାଇଛି । ସୂତାକଟା କିପରି ଚାଲିଛି ତାହା ଦେଖି ଶିଖିବା ଓ ଲୋକସେବା କରିବା । ଲୋକସେବା କରିବା ଭଳି ସେତେବେଳକୁ ମୋ ପାଇଁ ଆଉ କିଛି ନ ଥିଲା । ସୂତାକଟା ବିଷୟରେ ଯାହା କିଛି ଦେଖି ଶିଖିବାର ଥିଲା ସେ କାମ ସରିଲାଣି-। ସୁତରାଂ ଆଉ ମୋର ସେଠାରେ ରହିବା କୌଣସି ଆବଶ୍ୟକ ନାହିଁ । ତେବେ ମହାତ୍ମାଜୀ ଯେତେଦିନ ପର୍ଯ୍ୟନ୍ତ ରହିଛନ୍ତି, ମୁଁ ସେତେଦିନ ରହିବି, ଏହା ସ୍ଥିର କରିଥାଏ ।

 

ଇତି ମଧ୍ୟରେ ହଣ୍ଟର କମିଟି ଲାହୋରରେ ବସି ସେଠାରେ ଘଟିଥିବା ଘଟଣାମାନଙ୍କର ସାକ୍ଷ୍ୟ ଗ୍ରହଣ କରିବା ବେଳ ପଡ଼ିଲା । ହଣ୍ଟର କମିଟି ଆଗରେ ସାକ୍ଷ୍ୟ ଦେବା ବେଳେ, ଲୋକସାଧାରଣ ପକ୍ଷରୁ ଓକିଲ ରହି ସରକାରୀ ସାକ୍ଷୀମାନଙ୍କୁ ଜେରା କରିବା ପାଇଁ କଲିକତାରୁ ଦେଶବନ୍ଧୁ ଚିତ୍ତରଂଜନ ଯାଇଥାନ୍ତି, ବିଲାତରୁ ଜଣେ ଓକିଲ ମଧ୍ୟ କଂଗ୍ରେସ ନିଜ ଖର୍ଚ୍ଚରେ ମଗାଇଥାଏ । ଏହିଠାରେ ମହାତ୍ମାଜୀ କହିଲେ ଯେ, ହଣ୍ଟର କମିଟି ଯେତେଦିନ ପର୍ଯ୍ୟନ୍ତ ପଞ୍ଜାବ ଅତ୍ୟାଚାର ତଦନ୍ତ କରିବ, ସେତିକି ଦିନ ପର୍ଯ୍ୟନ୍ତ ପଞ୍ଜାବର ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କୁ ସରକାର ଜେଲରୁ ଛାଡ଼ିଦେବା ଦରକାର । ପଞ୍ଜାବର ନେତାମାନେ ନ ଆସିଲେ ହଣ୍ଟର କମିଟି ଆଗରେ ସାକ୍ଷ୍ୟ ଦେବା ଅପୂର୍ଣ୍ଣ ରହିବ । କିନ୍ତୁ ସରକାର ମହାତ୍ମାଜୀଙ୍କର ଏହି ଦାବୀକୁ ସ୍ୱୀକାର କଲେ ନାହିଁ । ସରକାର ଏହା ନ ମାନିଲାରୁ ମହାତ୍ମାଜୀ ପୂର୍ବ ଦାବୀକୁ ଟିକିଏ କୋହଳ କରି କହିଲେ ଯେ, ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କୁ ଏକାବେଳକେ ଜେଲରୁ ଛାଡ଼ ନ ଦେଲେ ମଧ୍ୟ, ସମସ୍ତଙ୍କୁ ତଦନ୍ତ ସମୟରେ କମିଟି ଆଗରେ ପ୍ରତିଦିନ ହାଜର କରାଇବା ଦରକାର । ଏହା ମଧ୍ୟ ସରକାର କରିବାକୁ ନାସ୍ତି କଲେ । ଏହି ଦାବୀ ଟିକକ ସରକାର ସ୍ୱୀକାର ନ କରିବାରୁ ମହାତ୍ମାଜୀ ହଣ୍ଟର କମିଟିକୁ ପଞ୍ଜାବରେ ବର୍ଜନ କରିବାର ପ୍ରସ୍ତାବ ଉତ୍‌ଥାପନ କଲେ । କିନ୍ତୁ ହଣ୍ଟର କମିଟି ବର୍ଜନ କରିବାର ପ୍ରସ୍ତାବରେ ପଣ୍ଡିତ ମାଲବ୍ୟଜୀ ଓ ଚିତ୍ତରଞ୍ଜନ ଦାସ ଓଗେର ନେତୃସ୍ଥାନୀୟ ବ୍ୟକ୍ତିମାନେ ଏକାବେଳକେ ଅସନ୍ତୁଷ୍ଟ । ବର୍ଜନ କରିବା ନୀତିକୁ ସେମାନେ ସମର୍ଥନ କଲେ ନାହିଁ । କିନ୍ତୁ ତଦନ୍ତବେଳେ ପଞ୍ଜାବର ନେତୃସ୍ଥାନୀୟ ବ୍ୟକ୍ତିମାନେ ଉପସ୍ଥିତ ନ ରହି, କଂଗ୍ରେସ ପକ୍ଷରୁ ହଣ୍ଟର କମିଟି ଆଗରେ ସାକ୍ଷ୍ୟ ଦେବା ମହାତ୍ମାଜୀଙ୍କ ମନକୁ ଗଲା ନାହିଁ । ଏହି ସାକ୍ଷ୍ୟ ଦେବାର ସମସ୍ତ ଭାର ପଣ୍ଡିତ ମାଲବ୍ୟଜୀଙ୍କ ଉପରେ ନ୍ୟସ୍ତ କରି ସେ ପଞ୍ଜାବ ଛାଡ଼ି, ବମ୍ୱେଇ ଫେରି ଆସିବାକୁ ନିଶ୍ଚୟ କଲେ । ମହାତ୍ମାଜୀ ପଞ୍ଜାବ ଛାଡ଼ି ଚାଲିଆସିବା କଥା ସ୍ଥିର ହୋଇଗଲା । ମହାତ୍ମାଜୀ ପଞ୍ଜାବ ଛାଡ଼ି ଯିବା ସମ୍ଭବ, କିନ୍ତୁ ହଣ୍ଟର କମିଟି ବର୍ଜନ କରିବା କଥା କଳ୍ପନା କରିବା ଅସମ୍ଭବ ବୋଲି ପଣ୍ଡିତ ମାଲବ୍ୟଜୀ ପ୍ରଭୃତି ମତ ପ୍ରକାଶ କଲେ । ଏହି ସଂବାଦ ଦାଣ୍ଡକୁ ଫୁଟି ବାହାରିଲା । ମହାତ୍ମାଜୀ ପଞ୍ଜାବ ଛାଡ଼ି ପଳାଉଥିବା ସଂବାଦରେ ସାରା ପଞ୍ଜାବରେ ଗୋଟାଏ ଦୁଃଖର ଛାୟା ଘୋଟିଗଲା ପରି ବୋଧ ହେଲା । କିନ୍ତୁ ଇତିମଧ୍ୟରେ ଭିତରି କ’ଣ ଘଟିଲା ମୁଁ କହି ପାରିବି ନାହିଁ । ପଣ୍ଡିତ ମାଲବ୍ୟଜୀ ପ୍ରଭୃତି ପୁଣି ବର୍ଜନ ପ୍ରସ୍ତାବକୁ ମାନିନେଲେ । କଂଗ୍ରେସ ଗୋଟିଏ ସ୍ୱତନ୍ତ୍ର ତଦନ୍ତ କମିଟି ବସାଇଲା । ଏଣେ ହଣ୍ଟର କମିଟିର ଅନୁସନ୍ଧାନ ଚାଲିଲା, ଏବଂ କଂଗ୍ରେସ କମିଟି ମଧ୍ୟ ସାକ୍ଷ୍ୟ ଗ୍ରହଣ କରିବାକୁ ଆରମ୍ଭ କଲା । ହଣ୍ଟର କମିଟି ଯେଉଁ ଦିନ ଯେପରି ଯାହା ସାକ୍ଷ୍ୟ ଗ୍ରହଣ କରନ୍ତି ସେ ସବୁ ପ୍ରତିଦିନ ସଂବାଦପତ୍ରରେ ପ୍ରକାଶିତ ହୋଇଯାଏ । କିନ୍ତୁ କଂଗ୍ରେସ କମିଟି ଯାହା ସାକ୍ଷ୍ୟ ଗ୍ରହଣ କରନ୍ତି ତାହା ପ୍ରକାଶ ପାଏ ନାହିଁ । ସେ ଯାହା ହେଉ ଏହିପରି ଭାବରେ ପଞ୍ଜାବ ଗୋଳମାଳର ଦୁଇଟି ତଦନ୍ତ ସଂପୂର୍ଣ୍ଣ ସ୍ୱତନ୍ତ୍ର ରୀତିରେ ଚାଲିଲା । ମହାତ୍ମାଜୀ ପୁଣି ପଞ୍ଜାବରେ ରହିବାର ହେଲା । ମୁଁ ମଧ୍ୟ ରହିଲି । ଏହିସବୁ ଭିତରି କଥା ମୁଁ ସବୁ ଦେଖୁଥାଏ ଓ ଜାଣୁଥାଏ । ମତେ ମହାତ୍ମାଜୀଙ୍କ କଥା ଯେ କେବଳ ଭଲ ଲାଗୁଥାଏ ତାହା ନୁହେଁ, ତାହାଙ୍କ କଥା ଯଥାର୍ଥ ବୋଲି ମଧ୍ୟ ବୋଧ ହେଉଥାଏ । ମୁଁ ବୁଝିପାରୁଥାଏ, ମହାତ୍ମାଜୀ କିଛି ଗୋଟାଏ ଲକ୍ଷ୍ୟ ରଖି ସବୁ କାମ କରୁଛନ୍ତି । କ’ଣ ହେଲେ, କ’ଣ କରିବାକୁ ହେବ, ଏସବୁର ଉପାୟ ସେ ମନେ ମନେ ସ୍ଥିର କରୁଥିଲା ପରି ବୋଧ ହେଉଛି ।

 

ସେ ଯାହା ହେଉ ଏହି ବର୍ଷ କଂଗ୍ରେସ ଅମୃତସରଠାରେ ବସିବାର ଥାଏ । କିନ୍ତୁ ଅମୃତସର ସହରରେ ଜାଲିଆନାୱାଲାବାଗ୍‍ର ହତ୍ୟାକାଣ୍ଡ ଘଟିଛି । ପଞ୍ଜାବର ନେତୃସ୍ଥାନୀୟ ବ୍ୟକ୍ତି ସବୁ ଜେଲଖାନାରେ ପଡ଼ିଛନ୍ତି । କଂଗ୍ରେସ ହେବ କିପରି ? ଏହାର ଆୟୋଜନ କରିବ କିଏ ? କିନ୍ତୁ କଂଗ୍ରେସ ଯଦି ଏ ବର୍ଷ ଅମୃତସର ସହରରେ ନ ବସେ ତାହାହେଲେ ଦେଶର ଜାତୀୟ ଜୀବନ ଶକ୍ତିର ଦୁର୍ବଳତା ପ୍ରକାଶ ପାଇବ । ଯେଉଁ ଶକ୍ତିକୁ ସମୂଳେ ଉତ୍ପାଟନ କରିବା ଅଭିଳାଷରେ ସରକାର ସୈନିକ ଆଇନ ଜାରୀ କରି ଏପରି ଲୋମହର୍ଷଣକାରୀ କାଣ୍ଡ ସୃଷ୍ଟି କରିଛନ୍ତି ତଦ୍ଦ୍ୱାରା ସେ ତାଙ୍କ ଉଦ୍ଦେଶ୍ୟ ସାଧନ କରି ପାରିଲେ ବୋଲି ପ୍ରମାଣିତ ହେବ । ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କ ଅଭାବରେ ଭାରତର ସାଧାରଣ ଲୋକେ କୌଣସି ଜାତୀୟ କାର୍ଯ୍ୟ କରିବାକୁ ଅକ୍ଷମ ବୋଲି ପ୍ରକାଶ ପାଇବ । ସରକାରୀ ଜୁଲୁମରେ ଭାରତର ଜାତୀୟ ପ୍ରାଣ ଦବିଗଲା ବୋଲି ଜଗତ ଜାଣିବ-। ଏହା ହେବା କଦାପି ଶୋଭନୀୟ ନୁହେ । ସୁତରାଂ ଯେ କୌଣସି ପ୍ରକାରେ ଅମୃତସରରେ କଂଗ୍ରେସ କରିବାର ସ୍ଥିର ହେଲା ।

 

ଏ ପର୍ଯ୍ୟନ୍ତ ଯେତେ କଂଗ୍ରେସ ବସିଛି, ଅମୃତସର କଂଗ୍ରେସ ପରି ଏତେବଡ଼ ବୈଠକ କେଭେଁ କେଉଁଠାରେ ହୋଇ ନାହିଁ । କଂଗ୍ରେସ ସଭାରେ ଏପରି ଜାତୀୟ ଭାବ କେଭେଁ ଫୁଟି ଉଠୁଥିବା ପରି ଦେଖାଯାଇଛି କି ନାହିଁ ସନ୍ଦେହ । ପଞ୍ଜାବ ଗୋଳମାଳ, ବିଶେଷରେ ଜାଲିଆନାୱାଲାବାଗ୍‍ ହତ୍ୟାକାଣ୍ଡ ହେତୁ ଏ ବର୍ଷ ବହୁତ ଲୋକ କଂଗ୍ରେସରେ ଯୋଗ ଦେଇଥିଲେ । ସେତେବେଳେ କଂଗ୍ରେସକୁ ବର୍ତ୍ତମାନ ପରି ଡେଲିଗେଟ୍ ବଛା ହେଉ ନ ଥିଲେ । କଂଗ୍ରେସର Constitution ନିୟମାବଳୀ ଏହିଠାରେ ମହାତ୍ମାଜୀଙ୍କ ନିର୍ଦ୍ଦେଶରେ ପରିବର୍ତ୍ତିତ ହୋଇଥିଲା । ବର୍ତ୍ତମାନ ବହୁ ସଂଶୋଧିତ କଂଗ୍ରେସର ଯେଉଁ ନିୟମ ଚାଲୁଛି, ତାହାର ଅବୟବ ଗଠନ ମହାତ୍ମାଜୀ ଏହି ଅମୃତସର କଂଗ୍ରେସରେ କରିଥିଲେ । ଏହିଠାରେ ପୁରୁଣା କଂଗ୍ରେସ ନୂତନ କଳେବର ପ୍ରାପ୍ତ ହୋଇ, ପରବର୍ତ୍ତୀ ନାଗପୁର ବୈଠକରେ ପ୍ରାଣଦାନ ପାଇଥିଲା ବୋଲି କହିଲେ କିଛିମାତ୍ର ଅତ୍ୟୁକ୍ତି ହେବ ନାହିଁ ।

 

ସେ ଯାହା ହେଉ ଅମୃତସର କଂଗ୍ରେସ ବସିଲା । ମୁଁ ଲାହୋରରୁ ମହାତ୍ମାଜୀଙ୍କ ସଙ୍ଗରେ କଂଗ୍ରେସକୁ ଗଲି । କଂଗ୍ରେସ ପୂର୍ବରୁ ମହାତ୍ମାଜୀ ଥରେମାତ୍ର ଅମୃତସର ଯାଇଛନ୍ତି । ମୁଁ ଏ ପର୍ଯ୍ୟନ୍ତ ସେଠାକୁ ଯାଇ ନାହିଁ, କିମ୍ୱା ଜାଲିଆନାୱାଲାବାଗ୍‍ ଦେଖି ନାହିଁ । ସୁତରାଂ ସେଠାରେ ଉପସ୍ଥିତ ହୋଇ ମୁଁ ଜନୈକ ଛାତ୍ରବନ୍ଧୁଙ୍କ ସାଥିରେ ଜାଲିଆନାୱାଲାବାଗ୍‍ ଦେଖିବାକୁ ଗଲି । ଅପ୍ରେଲ ତା ୧୩ ରିଖ ଦିନ ହତ୍ୟାକାଣ୍ଡ ଘଟିଥିଲା । ଆଜି ଡିସେମ୍ୱର ମାସ ତା୩୦ ରିଖ । ତଥାପି ଏତେଦିନ ପରେ ସେଠାରେ ମୁଁ ଯାହା ଦେଖିବାକୁ ପାଉଛି, ତାହା ମନେ ପଡ଼ିଗଲେ ଏବେ ମଧ୍ୟ ହୃଦୟ ଥରି ଉଠୁଛି । କାନ୍ଥ ବାଡ଼ରେ ରକ୍ତ ଛିଟା ରହିଛି । ଗୁଳି ଚୋଟରେ କାନ୍ଥ ବାଡ଼ ଫୁଟି ଯିବାର ଚିହ୍ନ ସବୁ ଅଛି । ଠାବେ ଠାବେ ମାଟି ନରରକ୍ତରେ ନାଲ ହୋଇ ଯାଇଛି । ସ୍ଥାନବିଶେଷରେ ମାଟି ଏକଫୁଟ ଗଭୀର ପର୍ଯ୍ୟନ୍ତ ରକ୍ତରେ ଭେଦି ନାଲି ରଙ୍ଗ ଧାରଣ କରି ଥିବାର ଦେଖା ଯାଉଛି । ଲୋକେ ମାଟି ଖୋଳି ଦେଖୁଛନ୍ତି । ଏହି ହତ୍ୟାକାଣ୍ଡ କଂଗ୍ରେସକୁ ବହୁ ଲୋକଙ୍କୁ ଟାଣି ଆଣିଛି । ସୁତରାଂ ଜାଲିଆନାୱାଲାବାଗ୍‍ଟି ସବୁବେଳେ ଲୋକାରଣ୍ୟ । ସବୁବେଳେ ଶତ ଶତ ଲୋକଙ୍କ ଧାଡ଼ି ଚାଲିଛି । ଲୋକେ ଦଳ ଦଳ ହୋଇ ଠିଆ ହୋଇ ହାହାକାର କରୁଛନ୍ତି । ଏହି ଦୃଶ୍ୟ ଦେଖିଲେ ପାଷାଣ ମଧ୍ୟ ତରଳି ଯିବ । ଏହି ସବୁ ଦେଖି ମୁଁ ପାଷାଣବତ୍ ଠିଆ ହୋଇ ଗଲି । ମତେ ବୋଧ ହେଲା, ସତେ ଯେପରି ମୋର ସମସ୍ତ ଶରୀର ଅବଶ ହୋଇ ଯାଉଛି । ଯୁଗପତ୍ ମନରେ କେତେ ଭାବନା ଆସି ଖେଳି ଯାଉଛି । ସେସବୁ ଲେଖିବାର ଏ ସ୍ଥାନ ନୁହେ । ଏହି ହତ୍ୟାକାଣ୍ଡ ଘଟିଥିବା ଦିବସର ହୃଦୟବିଦାରକ ଘଟଣାମାନ ବହୁବାର ଶୁଣିଛି । କିନ୍ତୁ ସେହି ଶୁଣିବା କଥାର ପ୍ରତ୍ୟକ୍ଷ ଅନୁଭବ ଆଜି ଘଟୁଛି । ଏତେ ଲୋକଙ୍କର ବଳିଦାନର କ’ଣ ଫଳ ନାହିଁ ! ଭାରତମାତାର ବକ୍ଷ ଏଠାରେ ବିଦୀର୍ଣ୍ଣ କରାହୋଇଅଛି । ଭାରତର ଶକ୍ତି ପଦଦଳିତ ହୋଇଛି । ଭାରତର ଜାତୀୟ ଜୀବନ ଏଠାରେ ଦବି ଯାଇପାରେ, ନଚେତ ପୁଣି ଥରେ ପ୍ରବଳ ଆକାର ଧାରଣ କରି ବ୍ରିଟିଶ ଶାସନକୁ ଟଳମଳ କରିପାରେ-ଏହିପରି ଭାବ ନେଇ ବାଗ୍‌ରୁ ମୁଁ ବସାକୁ ଫେରିଲି ।

 

ଏଣେ କଂଗ୍ରେସର ନେତାମାନେ ସ୍ଥିର କଲେ ଯେ, କଂଗ୍ରେସର ବୈଠକ ପୂର୍ବରୁ କଂଗ୍ରେସ ସଭାପତି ଓ ଅନ୍ୟାନ୍ୟ ସମସ୍ତ ନେତୃସ୍ଥାନୀୟ ବ୍ୟକ୍ତିମାନେ ସମସ୍ତ ପ୍ରତିନିଧିମାନଙ୍କ ସହିତରେ ଖାଲି ମୁଣ୍ଡ ଓ ଖାଲି ଗୋଡ଼ରେ ନୀରବ ଯାତ୍ରା କରି ଜେଲିଆନ୍‌ୱ୍ୟାଲାବାଗ୍‌କୁ ଯାଇ ସେଠାରେ ଶ୍ରଦ୍ଧା ଓ ଭକ୍ତି ଅର୍ପଣ କରିବେ । ଏହି ପ୍ରସ୍ତାବ ଅନୁସାରେ ମହାତ୍ମା ଗାନ୍ଧି, ତିଳକ ମହାରାଜ, ପଣ୍ଡିତ ମାଲବ୍ୟଜୀ, ସଭାପତି ପଣ୍ଡିତ ମୋତିଲାଲ ଓ ସମସ୍ତ ପ୍ରତିନିଧି ନୀରବରେ ଯାଇ ଜାଲିଆନାୱାଲାବାଗ୍‍ରେ ପ୍ରବେଶ କଲେ । ଏହି ଦୃଶ୍ୟ କି ମର୍ମସ୍ପର୍ଶୀ ତାହା ପ୍ରକାଶ କରିବାକୁ ମୋର ଭାଷା ନାହିଁ । ପ୍ରାୟ ଲକ୍ଷାଧିକ ଲୋକରୁ କମ ଲୋକ ସେଦିନ ସେତେବେଳେ ଏହି ଶୋଭାଯାତ୍ରାରେ ଯାଇ ନାହାନ୍ତି । ସମସ୍ତଙ୍କ ହୃଦୟ ଦୁଃଖରେ ଓ ଶୋକରେ ଅଭିଭୂତ । ସମସ୍ତଙ୍କ ମୁହଁରୁ ହାହାକାର ଶବ୍ଦ ଫୁଟି ଉଠୁଛି । ସମସ୍ତଙ୍କ ଚକ୍ଷୁରୁ ଲୋତକର ଧାର ବୋହି ଯାଉଛି । ଏହା ଯେ ନ ଦେଖିଛି, ସେ ସହଜରେ ଅନୁଭବ କରି ପାରିବ ନାହିଁ । ଏହି ଦୃଶ୍ୟ ମତେ ଏତେ ପ୍ରଭାବିତ କରିଛି ଯେ ତହିଁର କିଛି ଇୟତ୍ତା ନାହିଁ । ମୋର ହୃଦୟରେ ସବୁବେଳେ ଗୋଟାଏ କ୍ରୋଧାଗ୍ନି ଜଳି ଉଠୁଛି । କଂଗ୍ରେସର କଥା କେହି ନ ଶୁଣିଲେ ତା ପ୍ରତି ମୋର ଅସହିଷ୍ଣୁତା ଭାବ ବାହାରି ପଡ଼ୁଛି । ଦେଶର ସ୍ୱାଧିନତା ଛଡ଼ା ଅନ୍ୟ କିଛି ମତେ ଲୋକହିତକର କର୍ମ ବୋଲି ଜଣା ଯାଉ ନାହିଁ । କଂଗ୍ରେସ ଏ ଦେଶର ସ୍ୱାଧିନତାପାଇଁ ଲଢ଼ାଇ କରୁଛି । ସୁତରାଂ କଂଗ୍ରେସର କାର୍ଯ୍ୟରେ ସାହାଯ୍ୟ ନ କରି ଯେଉଁମାନେ ଏହାର ବାହାରେ ରହିଛନ୍ତି ସେମାନଙ୍କ ପ୍ରତି ମୋର ହୃଦୟରେ ପ୍ରୀତିଭାବ ରହିପାରୁ ନାହିଁ । କଂଗ୍ରେସର କାର୍ଯ୍ୟକୁ ମୁଁ ଯେତେବେଳେ ଯେପରି ଭାବରେ ଗ୍ରହଣ କରି କାର୍ଯ୍ୟ କରୁଛି, ତାହାହିଁ ମତେ ଯଥାର୍ଥ ମାର୍ଗ ପରି ଜଣା ଯାଉଛି । ଏଥିରୁ ଟିକିଏ ଭିନ୍ନ ପଥଗାମୀ କାହାକୁ ଦେଖିଲେ ତା’ ପ୍ରତି ମୋର ହୃଦୟରେ ବିରକ୍ତି ଭାବ ଜାଗି ଉଠୁଛି । ଏଥିପାଇଁ ମତେ ଲୋକେ ଅନେକ ସମୟରେ କହୁଛନ୍ତି, ମୁଁ ଜଣେIntolerant and violent ପ୍ରକୃତିର ଲୋକ । ମୋର ବନ୍ଧୁମାନେ, ମୋର ସହକର୍ମୀମାନେ ଏପରି କଥା କହିଲାବେଳେ ମୁଁ ଅନେକ ସମୟରେ ଭାବେ, କିନ୍ତୁ ସେମାନଙ୍କ ଉକ୍ତିର ଚିହ୍ନ ମୁଁ ନିଜ ଭିତରେ ଖୋଜି ପାଇ ପାରେ ନାହିଁ ।

 

ସେ ଯାହା ହେଉ ଜାଲିଆନାୱାଲାବାଗ୍‍ରେ ଏହିପରି ଭାବରେ କଂଗ୍ରେସର ନେତାମାନେ ଭକ୍ତି ଅର୍ପଣ କରି ଫେରିଲେ । କିନ୍ତୁ ସେଠାରୁ ଫେରି ମହାତ୍ମା ଗାନ୍ଧି କହିଲେ ଯେ,ଜାଲିଆନାୱାଲାବାଗ୍‍ ଯଦି ଜାତୀୟ ସମ୍ପଦ ନ ହୁଏ, ତେବେ ଏହି କଂଗ୍ରେସର କିଛି ମୂଲ୍ୟ ନାହିଁ-। ପଣ୍ଡିତ ମାଲବ୍ୟଜୀ ଓ ମହାତ୍ମା ଗାନ୍ଧି ଉଭୟେ ମିଶି ସେହି ରାତି ରାତି ଜାଲିଆନାୱାଲାବାଗ୍‍କୁ ଜାତୀୟ ସମ୍ପଦରେ ପରିଣତ କଲେ । ସେହି ବାଗ୍ ଯେଉଁମାନଙ୍କର ଥିଲା, ସେମାନଙ୍କଠାରୁ ସେହି ରାତି ରାତି ତାହା ଲେଖାପଢ଼ି କରି ନିଆଗଲା । ସେହି ରାତି ବାଗ୍ ଜାତୀୟ ସମ୍ପଦ ନ ହୋଇଥିଲେ, ପରେ ହୋଇ ପାରିଥାନ୍ତା କି ନାହିଁ ସନ୍ଦେହ । ଏହିପରି ଭାବରେ ଅମୃତସର କଂଗ୍ରେସ ଆରମ୍ଭ ହେଲା । ଏଣେ ହଣ୍ଟର କମିଟିକୁ କଂଗ୍ରେସ ବର୍ଜନ କରିଥିଲେ ମଧ୍ୟ ତାହାର ଏକପକ୍ଷୀୟ ତଦନ୍ତରେ ଯାହାସବୁ ଜଣାପଡ଼ିଲା ତହିଁରେ ଦୁନିଆ ସମକ୍ଷରେ ଇଂରେଜ ସରକାରଙ୍କ ମୁହଁ ତଳକୁ ହୋଇଗଲା-। ମଣ୍ଟାଗୁ ଚେମ୍‌ସଫୋର୍ଡ ଶାସନ ସଂସ୍କାରକୁ ତରତରରେ ପାସ୍ କରାଇ ଦେଇ ଅମୃତସର କଂଗ୍ରେସ ପୂର୍ବରୁ ତାହାକୁ ଘୋଷଣା କରାଇ ଦେଲେ । ଏହି ନୂଆ ଶାସନ ସଂସ୍କାର ଦାନର ଭିତରି ସ୍ୱରୂପ ପଞ୍ଜାବର ନେତାମାନଙ୍କୁ କଂଗ୍ରେସ ପୂର୍ବରୁ ମୁକ୍ତିଦାନ କରାଗଲା । ମୌଲାନା ସୌକତ ଅଲି ଓ ମହମ୍ମଦ ଅଲି ଭାଇ ଦୁହେଁ ମଧ୍ୟ ଖଲାସ ପାଇ ଅମୃତସର କଂଗ୍ରେସରେ ଆସି ଯୋଗ ଦେଲେ । କଂଗ୍ରେସର ମୁଖ୍ୟ ପ୍ରଶ୍ନ ହେଲା ନୂଆ ଶାସନ ସଂସ୍କାରକୁ ଗ୍ରହଣ କରାଯିବ କି ନାହିଁ । ଏହି ବିଷୟ ନେଇ ନେତୃବୃନ୍ଦଙ୍କ ଭିତରେ ମତଭେଦ ଦେଖାଗଲା । ଏହି ଦୁଇ ମତରୁ ଏକ ପକ୍ଷରେ ମହାତ୍ମାଜୀ, ଅନ୍ୟ ପକ୍ଷରେ ତିଳକ ମହାରାଜ । ଶାସନ ସଂସ୍କାର ବିଷୟକ ପ୍ରସ୍ତାବରେ ଗୋଟିଏ ଗୋଟିଏ ଶବ୍ଦ ଯୋଜନା ନେଇ ଗାନ୍ଧି କହନ୍ତି, କଂଗ୍ରେସ ଛାଡ଼ି ଯିବାକୁ; କେତେବେଳେ ତିଳକ ମହାରାଜ କହନ୍ତି, କଂଗ୍ରେସ ଛାଡ଼ିଯିବାକୁ । ମାଲବ୍ୟଜୀ, ତିଳକ ମହାରାଜ, ପଣ୍ଡିତ ମୋତିଲାଲ, ଚିତ୍ତରଞ୍ଜନ ଦାସ ଓ ଗାନ୍ଧିଜୀ ଏହିମାନଙ୍କ ଏକାନ୍ତ ବୈଠକ ବସେ । ମହାତ୍ମା ଗାନ୍ଧିଙ୍କ କ୍ୟାମ୍ପ୍‌ରେ ଏହି ବୈଠକ ବସୁଥାଏ-। ଏସବୁ ଦେଖିବାର ଓ ଶୁଣିବାର ସୁଯୋଗ ମତେ ମିଳୁଥାଏ । କିଛି ଦୂରରେ ଠିଆହୋଇ ଆମେ କେତେ ଜଣ ଏସବୁ ରହସ୍ୟ ଦେଖୁଥାଉ । ଗୋଟିଏ ଶବ୍ଦରେ ରାଜନୈତିକ ନୀତିବାଦରେ କି ପ୍ରଭେଦ ଘଟିଯାଉଛି ମୁଁ କିଛି ବୁଝିପାରୁ ନ ଥାଏ । ଗାନ୍ଧିଜୀ ଓ ତିଳକ ମହାରାଜଙ୍କ ଭଳି ବ୍ୟକ୍ତି ରୁଷିକରି ଛାଡ଼ି ପଳାଇଲା ପରି ବ୍ୟବହାର କରୁଥିବାର ଦେଖି ମତେ ଆଚମ୍ବିତ ଲାଗେ । ରାଜନୀତିର ଗୂଢ଼ ମର୍ମ କ’ଣ ମୁଁ କିଛି ବୁଝି ପାରେ ନାହିଁ । କିନ୍ତୁ ଏଥିରୁ ମୁଁ ଏତିକି ବୁଝିଲି, ମନୁଷ୍ୟର ଆଦର୍ଶ ଓ ସେହି ଆଦର୍ଶକୁ ଧରିବାର କର୍ମପଦ୍ଧତି ସମସ୍ତଙ୍କର ସମାନ ନୁହେ । ନିଜ ଆଦର୍ଶର ଅନୁକୂଳ ନୀତିରୁ ବାହାରି ଯାଇଥିବାର ସଙ୍କେତ ସୂଚକ କଥା ପଦକ ମଧ୍ୟ ମନୁଷ୍ୟ ଗ୍ରହଣ କରି ନ ପାରେ । ମନୁଷ୍ୟ ଯେତେବେଳେ ଯାହା ଧରିଛି, ତହିଁର ମୂଲ୍ୟ ଅନ୍ୟର ଚକ୍ଷୁରେ କିଛି ନ ଥାଇ ପାରେ । କିନ୍ତୁ ସେଥିପାଇଁ ସବୁପ୍ରକାର ତ୍ୟାଗ ଦୁଃଖ କଷ୍ଟ ସହ୍ୟ କରିବାପାଇଁ ପ୍ରସ୍ତୁତ ହେବା ତାହା ପକ୍ଷରେ ମଙ୍ଗଳକର । ଏହି ନୀତି, ଏହିପରି ଭାବନା ମୋର ଜୀବନକୁ ପ୍ରଭାବିତ କରିଛି । ମୋର ସମସ୍ତ କର୍ମ ଓ ଚିନ୍ତା ମଧ୍ୟରେ ମୋର ଏହି ଏକଜିଦିଆ ଲକ୍ଷଣଟି ଫୁଟି ଉଠୁଛି । ମତେ ଯଦି ଏକଜିଦିଆ ବୋଲି କେହି କହନ୍ତି ତେବେ ସେଥିପାଇଁ ମୁଁ ନାଚାର ।

Image

 

ଷଷ୍ଠ ପରିଚ୍ଛେଦ

ପଞ୍ଜାବ ପ୍ରତ୍ୟାବର୍ତ୍ତନ ପରେ

 

ଅମୃତସର କଂଗ୍ରେସ ଶେଷ ହେଲା । ମହାତ୍ମାଜୀ ସେଠାରୁ କେତେକ ଦିନ ପାଇଁ ସାବରମତୀ ଆଶ୍ରମକୁ ଗଲେ । ମୁଁ ଲାହୋରକୁ ଫେରିଲି । ଜାନୁୟାରୀ ମାସ ୯ । ୧୦ ତାରିଖ ବେଳକୁ ମହାତ୍ମାଜୀ ପଞ୍ଜାବ ଫେରିଲେ । ମୁଁ ସେଠାରୁ ପୁଣି ସାବରମତୀ ଆଶ୍ରମକୁ ଗଲି । ମଗନଲାଲ ଭାଇଙ୍କର ମୋ ପ୍ରତି ତାଙ୍କର ପୂର୍ବଭାବ ବଦଳିଛି । ଏଥର ଆଶ୍ରମରେ ମୁଁ ଜଣେ ଜଣାଶୁଣା ନିଜର ଲୋକ । ତଥାପି ଆଶ୍ରମରେ ବେଶିଦିନ ମତେ ରହିବାକୁ ପଡ଼ି ନ ଥିଲା । ପଞ୍ଜାବ ତଦନ୍ତ କାର୍ଯ୍ୟ ଶେଷ କରି ମହାତ୍ମାଜୀ ଶୀଘ୍ର ଆଶ୍ରମକୁ ଫେରି ଆସିଲେ । ସେ ଆସିବାର କିଛିଦିନ ପରେ ପୁଣି ମତେ ବମ୍ବେଇ ଯିବାକୁ ହେଲା ।

 

୧୯୨୦ ମସିହା ଫେବୃଆରୀ ମାସରେ ମୁଁ ପୁଣି ବମ୍ବେଇରେ ଉପସ୍ଥିତ ହେଲି । ସେତେବେଳକୁ ଅସହଯୋଗ ଆନ୍ଦୋଳନର ଚର୍ଚ୍ଚା ଆରମ୍ଭ ହୋଇଗଲାଣି । କେତେକ ମାସ ପୂର୍ବେ ଦିଲ୍ଲୀଠାରେ ମୁସଲମାନ ଭାଇମାନଙ୍କର ଗୋଟିଏ ସମ୍ମିଳନୀ ବସିଥିଲା । ଖିଲାଫତ୍ ପ୍ରଶ୍ନ ନେଇ ଭାରତର ମୁସଲମାନ ଭାଇଙ୍କ ଭିତରେ ଚାଞ୍ଚଲ୍ୟ ଭାବ ଫୁଟି ଉଠିଥିଲା । ତୁର୍କୀର ସୁଲତାନମୁସଲମାନଧର୍ମରଧର୍ମାଧ୍ୟକ୍ଷରୂପେ ପ୍ରଖ୍ୟାତ । ସେ ମୁସଲମାନ ଧର୍ମର ଖଲିଫା, ଅର୍ଥାତ୍ ଏକମାତ୍ର ଧର୍ମପରିଚାଳକ ଓ ରକ୍ଷଣକର୍ତ୍ତା । ତୁର୍କୀ ଜର୍ମାନୀ ସହିତ ଯୋଗ ଦେଇ ଇଂରେଜ ବିରୁଦ୍ଧରେ ଲଢ଼େଇ କରିଛି । ଏପରି ଅବସ୍ଥାରେ ଭାରତର ମୁସଲମାନମାନେ ତାଙ୍କର ଖଲିଫା ବିରୁଦ୍ଧରେ କିଛି କରିବା ଅର୍ଥ ନିଜ ଧର୍ମର ବିରୁଦ୍ଧାଚରଣ କରିବା । ସୁତରାଂ ଇଂରେଜ ସରକାର ଏ ଦେଶରୁ ଲଢ଼ାଇ ପାଇଁ ଧନ ଜନ ସାହାଯ୍ୟ ନେଲାବେଳେ ପ୍ରତିଶ୍ରୁତି ଦାନ କରିଥିଲେ ଯେ, ମୁସଲମାନ ଧର୍ମର ଖଲିଫାଙ୍କ ଅଧିକାରରେ ସେମାନେ ହସ୍ତକ୍ଷେପ କରିବେ ନାହିଁ । ମୁସଲମାନ ତୀର୍ଥସ୍ଥାନ ଖଲିଫାଙ୍କ ଅଧୀନରେ ରହିବ । କିନ୍ତୁ ଯୁଦ୍ଧ ଶେଷରେ ଇଂରେଜ ଜୟୀ ହେବାରୁ ବର୍ତ୍ତମାନ ସେ ପ୍ରତିଶ୍ରୁତି ଭୁଲି ଅନ୍ୟଥା ଆଚରଣ କରୁଛନ୍ତି । ଭାରତର ମୁସଲମାନ ସମ୍ପ୍ରଦାୟ ବର୍ତ୍ତମାନ ମନେ କରୁଛନ୍ତି ଯେ, ଖଲିଫାଙ୍କ ବିରୁଦ୍ଧରେ ସାହାଯ୍ୟ କରି ସେମାନେ ଧର୍ମଦ୍ରୋହୀ ହୋଇଛନ୍ତି । ବିଲାତ ସରକାର ସେମାନଙ୍କ ସହିତବିଶ୍ୱାସଘାତକତା ବ୍ୟବହାର କରୁଛନ୍ତି । ସୁତରାଂ ଏହି ଖଲିଫା ଅର୍ଥାତ୍‌ ଖିଲାଫତ୍ ପ୍ରଶ୍ନ ନେଇ ଭାରତର ମୁସଲମାନ ସମ୍ପ୍ରଦାୟ ବଡ଼ ବିଚଳିତ । ଏହିଠାରେ ମହାତ୍ମାଜୀସେମାନଙ୍କୁ ପଥ ଦେଖାଇବାକୁ ଉଦ୍ୟତ । ମହାତ୍ମାଜୀ କହିଛନ୍ତି, ଇଂରେଜ ସରକାର ଯଦି ତାଙ୍କର ପ୍ରତିଶ୍ରୁତି ଭଗ୍ନ କରି ମୁସଲମାନ ଧର୍ମପ୍ରତି ଅବମାନନା ପ୍ରଦର୍ଶନ କରନ୍ତି ତେବେ ଭାରତର ମୁସଲମାନମାନେ ଏହି ସରକାରଙ୍କଠାରୁସମସ୍ତ ସମ୍ପର୍କ ତୁଟାଇ ଦେବା ଉଚିତ । ଏହିପରି ଭାବରେ ଅସହଯୋଗ ଆନ୍ଦୋଳନର କଳ୍ପନା ଫୁଟି ଉଠିଛି । ଦିନକୁ ଦିନସେହି କଥାର ଆଲୋଚନା ଚାଲିଛି । ବମ୍ବେଇଠାରେ ସୌକତ ଅଲି, ମହମ୍ମଦ ଅଲି, ଡାକ୍ତର କୀଚଲୁ ପ୍ରଭୃତି କେତେକ ମୁସଲମାନ ନେତୃସ୍ଥାନୀୟ ବ୍ୟକ୍ତି ମହାତ୍ମାଜୀଙ୍କ ସହିତ ଏହି ବିଷୟ ନେଇ ଆଲୋଚନା କରୁଛନ୍ତି । ଏହିପରି ଅବସ୍ଥାରେ ସାବରମତୀ ଆଶ୍ରମରୁ ମୁଁ ପୁଣି ବମ୍ବେକୁ ଆସିଛି । ଏଥର ମତେ ବମ୍ବେଇ ପଠାଇବାର ଉଦ୍ଦେଶ୍ୟ ହେଉଛି ଖଦଡ଼ ପ୍ରଚାର କାର୍ଯ୍ୟ କରିବା ।

 

ଭାରତର ରାଜନୈତିକ ଆକାଶରେ ଗୋଟିଏ ନୂତନ ଆଲୋକରେଖା ଅଙ୍କିତ ହେଉଛି-। ଏହି ଆଲୋକ ଦେଖିବାକୁ ମୋ ମନରେ ଏକ ଅପୂର୍ବ ଉତ୍ସାହ ଓ ବ୍ୟଗ୍ରତା ସ୍ଥାନ ପାଇଛି-। ବମ୍ବେଇ ହେଉଛି ପୁଣି ଏହାର ଉଦ୍ଭବସ୍ଥଳୀ । ଏହିଠାରେମହାତ୍ମାଜୀ ସପ୍ତାହରେ ଅଧିକାଂଶ ଦିନ ରହୁଛନ୍ତି । ଏପରି ଅବସ୍ଥାରେ ବମ୍ବେଇ ଆସି ମହାତ୍ମାଜୀଙ୍କ ନିକଟରେ ରହିବାର ସୁଯୋଗ ସୁବିଧା ପାଇବାରେ ମୋର ମନରେ ଭାରି ଆନନ୍ଦ ।

 

ଖିଲାଫତ୍ ପ୍ରଶ୍ନର ସମାଲୋଚନାକୁ ଛାଡ଼ିଲେ, ପଞ୍ଜାବ ଅତ୍ୟାଚାରର କି ସମାଧାନ ହେଉଛି, ସରକାର ଏଥିରେ କିପରି ନ୍ୟାୟ ବିଚାର କରିବେ, ସେଥିପାଇଁ ଭାରତର ରାଜନୈତିକ ମହଲରେ ଲୋକେ ଉଦ୍ବେଗର ସହିତ ଚାହିଁ ରହିଛନ୍ତି । ଖିଲାଫତ୍ ଓ ପଞ୍ଜାବ ଏହି ଦୁଇ ପ୍ରଶ୍ନ ନେଇ ହିନ୍ଦୁ ମୁସଲମାନ ଉଭୟଙ୍କ ମନରେ ଉଦ୍ବେଗ ଭାବ ଫୁଟି ଉଠୁଛି । ଦେଶ ଗୋଟିଏ ବାଟ ଖୋଜୁଛି । ଜଣେ ପଥପ୍ରଦର୍ଶକର ଆବଶ୍ୟକତା ଅନୁଭବ କରୁଛି । ଦେଶର ଏହିପରି ସଂକଟ ସମୟରେ ମହାତ୍ମାଜୀ ଅସହଯୋଗର ଆଲୋଚନା ଆରମ୍ଭ କରିଛନ୍ତି । ଇଂରେଜ ସରକାର ସହିତ ସମସ୍ତ ପ୍ରକାରସହଯୋଗ ବର୍ଜନ ଅର୍ଥ ଅସହଯୋଗ । କିନ୍ତୁ ଭାରତ ପରି ଏକ ବିରାଟ ଦେଶରେ ଏହା ସମ୍ଭବ ହେବ ବୋଲି ବିଶ୍ୱାସ ନାହିଁ । ତଥାପି ଉପରୋକ୍ତ ଦୁଇ ପ୍ରଶ୍ନ ନେଇ ଦେଶର ଲୋକେ ଯେପରି ଅପମାନିତ ଓ ନିଃସହାୟ ଅବସ୍ଥାକୁ ହୃଦୟର ସହିତ ଅନୁଭବ କରୁଛନ୍ତି, ସେହି ଅବସ୍ଥାରେ ମହାତ୍ମାଜୀ ଦେଖାଉଥିବା ମାର୍ଗ ଏକମାତ୍ର ପନ୍ଥା ବୋଲି ଅନେକେ ସ୍ୱୀକାର କରୁଛନ୍ତି । ଦେଶରେ ରାଜନୈତିକ ଜୀବନ ଗୋଟାଏ ନୂତନ ପ୍ରେରଣାଲାଭ କରୁଛି, ଏକଥା ବେଶ ବୁଝି ହେଉଛି ।

 

ସମସ୍ତ ଭାରତ ଏହିପରି ଭାବରେ ଆନ୍ଦୋଳିତ ହେଉଥିଲା ବେଳେ ଓଡ଼ିଶାର ରାଜନୈତିକ ଜୀବନର କୌଣସି ଚିହ୍ନ ନାହିଁ । ପଞ୍ଜାବ ପ୍ରଶ୍ନ କାହାରି ମନକୁ ସ୍ପର୍ଶ କରିଛି କି ନାହିଁ ବୁଝିବାର କିଛିମାତ୍ର ସଙ୍କେତ ମିଳୁ ନାହିଁ । ଖିଲାଫତ୍ ପ୍ରଶ୍ନ କିଏ ଭାବିବ । ଖିଲାଫତ୍ ଦିବସ ପ୍ରତିପାଳନ କରି ସମସ୍ତ ଭାରତରେ ଉପବାସ ଓ ହରତାଳ ପ୍ରତିପାଳନ କରା ଯାଇଥିଲା । କିନ୍ତୁ ଓଡ଼ିଶାରେ କିଛି ଚିହ୍ନ ନାହିଁ । ସେଥିରୁ ମୁଁ ଅନୁମାନ କରୁଛି, ଏହି ପ୍ରଶ୍ନ କାହାରି ମନକୁ ସ୍ପର୍ଶ କରି ନାହିଁ । ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ନାମ ଟିକିଏ ଶୁଣିବାକୁ ମିଳେ । ସେ ସତ୍ୟବାଦୀ ସ୍କୁଲ ପାଇଁ ଚିନ୍ତିତ । ଓଡ଼ିଆ ଛାତ୍ର କିପରି ପାଠ ପଢ଼ି ମନୁଷ୍ୟ ହେବେ, ଦେଶସେବାର କଥା ଚିନ୍ତା କରିବେ, ଏହି ପ୍ରଶ୍ନ ତାହାଙ୍କ ମନକୁ ବିଚଳିତ କରୁଛି । କାଉନ୍‌ସିଲର ମେମ୍ବର ହୋଇ ଓଡ଼ିଆମାନେ ଅଧିକ ସଂଖ୍ୟାରେ କିପରି ଚାକିରୀ ପାଇବେ, କିମ୍ବା ସ୍ଥାନବିଶେଷରେ ଆପତ୍ତି ଅଭିଯୋଗ ସରକାରଙ୍କ କର୍ଣ୍ଣଗୋଚର କରାଇ ତହିଁର ସମାଧାନ କରିବେ, ଏହି ଚିନ୍ତା ତାଙ୍କ ମନରେ ସବୁବେଳେ ଖେଳୁଛି । ସେ ଉପସ୍ଥିତପୁରୀ ଦୁର୍ଭିକ୍ଷ ନେଇ ବିଶେଷ ଭାବରେ ବ୍ୟଥିତ ଅଛନ୍ତି । ଭାରତୀୟ କୌଣସି ପ୍ରଶ୍ନପ୍ରତି ତାହାଙ୍କ ମନ ଆକୃଷ୍ଟ ହେଲା ପରି ଜାଣିବାର କିଛି ଉପାୟ ନାହିଁ । ତାହା ହେଉଥିଲେ, ଏହି ଦୁଇଟି ପ୍ରଶ୍ନ ନେଇ ଲୋକମତ ଗଠନ କରିବା ପାଇଁ ସେ କିଛି ନା କିଛି ପ୍ରୟାସ ନିଶ୍ଚୟ କରିଥାନ୍ତେ ।

 

ମୁଁ ବମ୍ବେଇରେ ରହିଲେ ମଧ୍ୟ, ଭାରତୀୟ ପ୍ରଶ୍ନମାନଙ୍କ ସମାଲୋଚନା ଶୁଣି ମୋ ମନ ସେହି ଚିନ୍ତାରେ ନିବିଷ୍ଟ ହେଉଥିଲେ ମଧ୍ୟ ଓଡ଼ିଶା କଥା ସବୁବେଳେ ମୋ ମନରେ ଥାଏ । ସବୁବେଳେ ଓଡ଼ିଶା କଥା ଭାବେ । ଖିଲାଫତ୍ ପାଇଁ ଓଡ଼ିଶାରେ ହରତାଳ ହେଲା ନାହିଁ ବୋଲି ଗୋପବନ୍ଧୁ ବାବୁଙ୍କୁ ପତ୍ର ମଧ୍ୟ ଲେଖିଥିଲି । ଓଡ଼ିଶା କଥା ଭାବିଲା ବେଳେ ପଣ୍ଡିତ ଗୋପବନ୍ଧୁ ଦାସ ମୋର ସବୁବେଳେ ମନେ ପଡ଼ନ୍ତି । ତାହାଙ୍କ ଛଡ଼ା ଆଉ ଓଡ଼ିଶାରେ କେହି ମନୁଷ୍ୟ ଥିଲା ପରି ମତେ ଦେଖା ଯାନ୍ତି ନାହିଁ । ସୁତରାଂ ଗୋପବନ୍ଧୁ ବାବୁ ଯାହା ଯେତେବେଳେ କରନ୍ତି ସେହି କାର୍ଯ୍ୟଟି ମତେ ଓଡ଼ିଶାର ଜ୍ୱଳନ୍ତ ପ୍ରଶ୍ନ ବୋଲି ମନେ ହୁଏ । ସେ ବର୍ତ୍ତମାନ ପୁରୀଜିଲ୍ଲା ଦୁର୍ଭିକ୍ଷ କଥା ନେଇ ବିଶେଷ ଭାବରେ ଚିନ୍ତିତ ଥିବାରୁ ଏହି ପ୍ରଶ୍ନଟି ମଧ୍ୟ ବମ୍ୱେଇରେ ମତେ ବିଚଳିତ କରିଥିଲା । ମୁଁ ଭାବିଲି, ଏଠାରେ ମହାତ୍ମାଜୀଙ୍କୁ କହି ବମ୍ୱେଇରୁ ଯଦି କିଛି ଅର୍ଥ ସାହାଯ୍ୟ ପଠାଇ ପାରିବି, ତେବେ ଏତେଦିନେ ଓଡ଼ିଶା ପାଇଁ କିଛି ଗୋଟିଏ ମନ ମାନିଲା ଭଳି କାର୍ଯ୍ୟ କଲି ବୋଲି ମନରେ ସାନ୍ତ୍ୱନା ପାଇବି । ଏହା ଭାବି ପୁରୀ ଦୁର୍ଭିକ୍ଷ ବିଷୟରେ ଯେତେବେଳେ ଯାହା ଯେଉଁଠାରେ ପାଠ କରେ ତାହା ସଂଗ୍ରହ କରି ରଖେ । ମହାତ୍ମାଜୀଙ୍କୁ ବେଳେ ବେଳେ ପୁରୀ ଦୁର୍ଭିକ୍ଷ କଥା କହେ ।

 

ମହାତ୍ମାଜୀ ମୋ କଥା ଶୁଣି ନ ଶୁଣିଲା ପରି ରହନ୍ତି । ତାଙ୍କ ମନ ଖିଲାଫତ୍ ଓ ପଞ୍ଜାବ ପ୍ରଶ୍ନ ନେଇ ସବୁବେଳେ ଖେଳୁଥାଏ । ଅସହଯୋଗ ଆନ୍ଦୋଳନକୁ ଏ ଦେଶରେ କିପରି ପ୍ରବର୍ତ୍ତାଇବେ ଏ ବିଷୟ ନେଇ ସବୁବେଳେ ସେ ଚିନ୍ତା କରୁଥାନ୍ତି । ଏପରି ଅବସ୍ଥାରେ କେଉଁଠାରେ ଓଡ଼ିଶା ତାହା ସେ ଭଲ କରି ଜାଣନ୍ତି କି ନାସନ୍ଦେହ । ଓଡ଼ିଶାରେ କାହାକୁ ସେ ଚିହ୍ନନ୍ତି ନାହିଁ, କିମ୍ୱା କାହାରି ନାମ ପର୍ଯ୍ୟନ୍ତ ଶୁଣି ନାହାନ୍ତି । ଏପରି ଅବସ୍ଥାରେ ଓଡ଼ିଶା ପରି ଗୋଟିଏପ୍ରଦେଶରେ ପୁରୀ ନାମକ କୌଣସି ଜିଲ୍ଲାରେ କ’ଣ ଦୁର୍ଭିକ୍ଷ ହେଉଛି ସେ କଥାକୁ ସେ ବେଶି ଗୁରୁତ୍ୱ ଦିଅନ୍ତି ନାହିଁ । କିନ୍ତୁ ମୁଁ ଯେଉଁ କଥା ଥରେ ଆରମ୍ଭ କରିଛିତହିଁର ଶେଷ ସୀମାକୁ ନ ଗଲା ପର୍ଯ୍ୟନ୍ତ ନୀରବ ରହିବା ପ୍ରକୃତିର ଲୋକ ନୁହେଁ । ମୁଁ ଟିକିଏ ସୁବିଧା ପାଇଲେ ପୁରୀ ଦୁର୍ଭିକ୍ଷର ପ୍ରଶ୍ନ ପକାଏ । ଓଡ଼ିଶାର ନେତାମାନଙ୍କ ନାମ କହିଲାବେଳେ ଗୋପବନ୍ଧୁ ଦାସଙ୍କ ନାମ କହେ । ଏହିପରି ଥରକୁ ଥର ମୋଠାରୁ ଶୁଣି ଗୋପବନ୍ଧୁ ଦାସ କିଏ, କ’ଣ କରନ୍ତି ବୋଲି ମହାତ୍ମାଜୀ ମତେ ପଚାରିବାରୁ ମୁଁ କହିଲି, ଗୋପବନ୍ଧୁ ବାବୁ ଓଡ଼ିଶାର ଗାନ୍ଧି ।

 

ମୁଁ ଦେଖୁଛି ମୋ କଥା ଟିକିଏ ଟିକିଏ ଗାନ୍ଧିଙ୍କ ମନରେ ପଶୁଛି । କିନ୍ତୁ ମୁଁ ପୂରାପୂରି କଥାଟି କହିବାକୁ ଅବସର ପାଏ ନାହିଁ । ସବୁବେଳେ ସଭା, ବୈଠକ, ଆଲୋଚନା । ସବୁବେଳେ ଲୋକ ଭିଡ଼ ଓ ନାନା କଥାର ମନ୍ତ୍ରଣା । ମୁଁ ମଧ୍ୟ ବହୁତ କାର୍ଯ୍ୟରେ ସବୁବେଳେ ବ୍ୟସ୍ତ । ଏହି ସମୟ ଅପ୍ରେଲ ମାସ ହେବ । ମହାତ୍ମାଜୀ ଘୋଷଣା କଲେ, ଅପ୍ରେଲ ତା ୬ ରିଖ ଠାରୁ ଜାଲିଆନାୱାଲା ହତ୍ୟାକାଣ୍ଡ ଘଟିଥିବା ତା ୧୩ ରିଖ ପର୍ଯ୍ୟନ୍ତ ଏହି ଏକ ସପ୍ତାହକୁ ଜାତୀୟ ସପ୍ତାହ ରୂପେ ପ୍ରତିପାଳନ କରିବାକୁ ହେବ । ତା ୬ ରିଖ ଓ ତା ୧୩ ରିଖ ଏହି ଦୁଇ ଦିନ ଉପବାସ ବ୍ରତ ପାଳି ହରତାଳ କରିବାକୁ ହେବ । ଏହି ଜାତୀୟ ସପ୍ତାହ ମଧ୍ୟରେ ଜାଲିଆନାୱାଲା ବାଗ୍‌ର ସ୍ମୃତି ପାଇଁ ଦଶଲକ୍ଷ ଟଙ୍କା ସ୍ମୃତିପାଣ୍ଠି ସଂଗ୍ରହ କରାଯିବ । ଭାରତର ସେତେବେଳର ରାଜନୈତିକ ପରିସ୍ଥିତିରେ ମହାତ୍ମାଜୀଙ୍କ ଘୋଷଣାନୁସାରେ ଜାତୀୟ ସପ୍ତାହ ବିଶେଷ ଉତ୍ସାହର ସହିତ ପ୍ରତିପାଳିତ ହୋଇଥିଲା । କୌଣସି ଉପାୟରେ ଜନ ସାଧାରଣ ମନୋଗତ ଭାବ ପ୍ରକାଶ କରିବାକୁ ଚାହୁଁଥିଲେ-। ଏହି ଦୁଇଦିନ ଭାରତର ଚାରିଆଡ଼େ ହରତାଳ ହୋଇଥିଲା । ବଡ଼ ବଡ଼ ସଭାମାନ ବସିଥିଲା । ଜାଲିଆନାୱାଲା ବାଗ୍‌ ସ୍ମୃତି ପାଣ୍ଠିପାଇଁ ଟଙ୍କା ମଧ୍ୟ ଆଦାୟ କରାଯାଇଥିଲା । ଏହି ସପ୍ତାହରେ ମହାତ୍ମାଜୀ ବମ୍ୱେଇରେ ରହି ସ୍ମୃତିପାଣ୍ଠି ପାଇଁ ଚାନ୍ଦା ସଂଗ୍ରହ କରୁଥିଲେ । ଏହି ଚାନ୍ଦା ସଂଗ୍ରହ କରି ଦିନେ ମହାତ୍ମାଜୀ ଫେରିଲା ବେଳକୁ ତାଙ୍କର ସ୍ନାନ ଭୋଜନର ସମୟ ଗଡ଼ି ଯାଇଥିଲା । ସେ ଉପସ୍ଥିତ ହେଲା ମାତ୍ରକେ ମୁଁ କହିଲି, “ବାପୁଜୀ, ଯୋ ମରଗୟେହେଁ ଉନ୍‌କେଲିଏ ଆପ୍ ଇତ୍‌ନା ତକଲିଫ୍‌ ଉଠାରହେ ହେଁ, ଲେକିନ୍‌ ଯୋ ମରରହେହେଁ ଉନ୍‌କେ ଲିଏ ଜେରାଭି ଆପ୍ ଶୋଚ୍‌ତେ ନହୀଁ ହେଁ ।”

 

ମୋଠାରୁ ସେତେବେଳ ଅବସ୍ଥାରେ ଏପରି କଥା ଶୁଣି ମହାତ୍ମାଜୀ ଟିକିଏ ବିରକ୍ତ ଭାବ ପ୍ରକାଶ କଲା ପରି ଜଣାଗଲା । ସେ ହଠାତ୍ କହିଲେ, “ତୋର ମୁହଁର କଥାରେ ମୁଁ ବିଶ୍ୱାସ କରିବି କ’ଣ ? ତୋ ନିକଟରେ ଯଦି କିଛି କାଗଜ ପତ୍ର ଥାଏ ମତେ ଦେଖା । ମୁଁ ତହିଁର ବିଚାର କରିବି ।” ମହାତ୍ମାଜୀଙ୍କ ଠାରୁ ଏତକ ଶୁଣି, ସମୟାନୁସାରେ ମୋ ନିକଟରେ ଥିବା ସମସ୍ତ କାଗଜ ପତ୍ର ଦେଖାଇଲି । ଗୋପବନ୍ଧୁ ବାବୁ ପୁରୀ ଦୁର୍ଭିକ୍ଷ ନେଇ ବିହାର ଓଡ଼ିଶା ଲାଟ ସଭାରେ ଦେଇଥିବା ବକ୍ତୃତାଟି ମୁଁ ସଂବାଦପତ୍ରରୁ ରଖିଥାଏ, ତାହା ମଧ୍ୟ ତାହାଙ୍କୁ ଦେଖାଇଲି । ଏଥି ପୂର୍ବରୁ ଭାରତ ସେବକ ସଂପ୍ରଦାୟର ସଭ୍ୟ ଶ୍ରୀଯୁକ୍ତ ଅମୃତଲାଲ ଥକ୍‌କରଙ୍କ ସହିତ ପୁରୀ ଦୁର୍ଭିକ୍ଷ ନେଇ ମୁଁ କଥା ହୋଇ ଥାଏ । ସେ କହିଥାନ୍ତି ଯେ, ମହାତ୍ମାଜୀ ଯଦି ଏଥିପାଇଁ ସାହାଯ୍ୟ ଦେବାକୁ ଗୋଟିଏ ଆବେଦନ ପତ୍ର ପ୍ରକାଶ କରନ୍ତି ତେବେ ବମ୍ୱେଇରେ ସେ ଓ ମୁଁ ଉଭୟେ ମିଶି କିଛି ଅର୍ଥ ସଂଗ୍ରହ କରି ଗୋପବନ୍ଧୁ ବାବୁଙ୍କ ନିକଟକୁ ପଠାଇବୁ । ଶ୍ରୀଯୁକ୍ତ ଥକ୍‌କରଙ୍କ ସହିତ ହୋଇଥିବା କଥୋପକଥନ ମହାତ୍ମାଜୀଙ୍କୁ ମୁଁ ମଧ୍ୟ ଜଣାଇଲି । ମହାତ୍ମାଜୀ ତତ୍‌କ୍ଷଣାତ ଶ୍ରୀଯୁକ୍ତ ଥକ୍‌କରଙ୍କୁ ଡାକି ଆଣିବାକୁ ମତେ କହିଲେ । ମୁଁ ଯାଇ ତାହାଙ୍କୁ ସବୁ କଥା କହି ଡାକି ଆଣିଲି । ମହାତ୍ମାଜୀଙ୍କ ଅନୁରୋଧରେ ଶ୍ରୀଯୁକ୍ତ ଥକ୍‌କର ପୁରୀକୁ ଆସିଲେ । ସେ ପୁରୀରେ ଉପସ୍ଥିତ ହୋଇ ଅବସ୍ଥା ଦେଖି କେତେ ସାହାଯ୍ୟ ଦରକାର ଇତ୍ୟାଦି ବିଷୟରେ ରିପୋର୍ଟ ଦେଲେ ମହାତ୍ମାଜୀ ଆବେଦନ ପ୍ରକାଶ କରିବେ । ଏହିପରି ଭାବରେ ମହାତ୍ମାଜୀ ପୁରୀ ଦୁର୍ଭିକ୍ଷ ବିଷୟ ହାତକୁ ନେଲେ । ଶ୍ରୀଯୁକ୍ତ ଥକ୍‌କର ପୁରୀ ଯାତ୍ରା କଲେ । ଏହି ସମୟରୁ ମହାତ୍ମାଜୀ ଓଡ଼ିଶାକୁ ଚିହ୍ନିଲେ ବୋଲି ମୁଁ କହିପାରେ । ଏତେଦିନେ ଓଡ଼ିଶା ପାଇଁ ମନ ବୁଝିଲା ଭଳି ମୁଁ କିଛି କାର୍ଯ୍ୟ କଲି ବୋଲି ମୋ ମନରେ ସ୍ୱତଃ ଗୋଟିଏ ଭାବ ଜାଗି ଉଠିଲା । ମନେ ମନେ ମଧ୍ୟ ଆନନ୍ଦ ଓ ଅହଂକାର ଟିକିଏ ଅନୁଭବ କଲି ।

Image

 

ସପ୍ତମ ପରିଚ୍ଛେଦ

ପୁରୀ ଦୁର୍ଭିକ୍ଷ

 

ଶ୍ରୀଯୁକ୍ତ ଥକ୍‌କର ପୁରୀରେ ଉପସ୍ଥିତ ହୋଇ ଅବିଳମ୍ୱେ ଟଙ୍କା ପାଞ୍ଚହଜାର ପଠାଇବାକୁ ତା’ର କଲେ । ପୁରୀର ଅବସ୍ଥା ଅତି ଶୋଚନୀୟ, ଏଥିପାଇଁ ପଚାଶରୁ ଷାଠିଏ ହଜାର ପର୍ଯ୍ୟନ୍ତ ଟଙ୍କା ଆବଶ୍ୟକ ହେବ, ଏହି ମର୍ମରେ ରିପୋର୍ଟ ଆସିଲା । ଶ୍ରୀଯୁକ୍ତ ଥକ୍‌କରଙ୍କ ତା’ର ପାଇ ମହାତ୍ମାଜୀ ତୁରନ୍ତ ପାଞ୍ଚ ହଜାର ଟଙ୍କା ତାଙ୍କ ନିକଟକୁ ପୁରୀକୁ ପଠାଇଲେ, ଏବଂ ‘ୟଙ୍ଗଇଣ୍ଡିଆ’ ଓ ‘ନବଜୀବନ’ ପତ୍ରିକାରେ ପୁରୀ ଦୁର୍ଭିକ୍ଷ ପାଇଁ ଗୋଟିଏ ନିବେଦନ ଛପାଇଲେ । ମହାତ୍ମାଜୀ ଏହି ନିବେଦନରେ ଛପାଇଥିଲେ, “ଓଡ଼ିଶା କହିଲେ ଗୋଟିଏ ଭୌଗୋଳିକ ନାମ ମାତ୍ର ବୋଲି ସମସ୍ତେ ଜାଣନ୍ତି । ଓଡ଼ିଶାର ବର୍ତ୍ତମାନ ଅବସ୍ଥା ବାହାରକୁ ବେଶି ଜଣା ପଡ଼ୁ ନାହିଁ । ଓଡ଼ିଶାରେ ସେପରି କେହି ବ୍ୟକ୍ତିବିଶେଷ ନାହାନ୍ତି ଯାହାଙ୍କ କାର୍ଯ୍ୟ ଓଡ଼ିଶାକୁ ବାହାର ଲୋକଙ୍କ ଆଗରେ ଚିହ୍ନାଇବ । ମୋର ଜଣେ ଓଡ଼ିଆ ବନ୍ଧୁ ଅଛନ୍ତି । ସେ ଚାହିଁ ବସିଥିବେ, ଟିକିଏ ସମୟ ପାଇଲେ ଓଡ଼ିଶାର କଥା ମତେ କହିବାକୁ ।”

 

ମହାତ୍ମାଜୀ ନିବେଦନ ଛପାଇ ମତେ ଦେଖାଇ ଏପରି ଧାଡ଼ିଏ ଦୁଇଧାଡ଼ି ଲେଖିଥିଲେ । ସେ ଯାହା ଲେଖିଥିଲେ ତାହା ଅକ୍ଷରେ ଅକ୍ଷରେ ସତ୍ୟ । ପ୍ରକୃତରେ ମୁଁ ଯେତେବେଳେ ଟିକିଏ ସମୟ ପାଏ ସେତେବେଳେ ଓଡ଼ିଶା କଥା ତାହାଙ୍କୁ କହେ । ମୁଁ ଭାବୁଥାଏ,ଏହିପରି ମହାତ୍ମାଜୀଙ୍କୁ କହିବାଦ୍ୱାରା ମୁଁ ଓଡ଼ିଶାର କିଛି ସେବା କରୁଛି ବୋଲି । ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଓଡ଼ିଶାର ଗାନ୍ଧି ବୋଲି ପରିଚୟ ଦେଲା ଦିନୁ ତାଙ୍କ କାର୍ଯ୍ୟକ୍ରମ ନେଇ ଅନେକ କଥା କହିଛି । ଓଡ଼ିଶା କିପରି ଖଣ୍ଡବିଖଣ୍ଡ ହୋଇ ପଡ଼ିଛି, ଏହାଦ୍ୱାରା ଓଡ଼ିଆ ଭାଷା ଏବଂ ଓଡ଼ିଆ ଜାତି କିପରି ଲୋପ ପାଇ ଯାଉଛି ତାହା ମଧ୍ୟ ଅନେକବାର ବୁଝାଇଛି । ଓଡ଼ିଶା ଖଣ୍ଡବିଖଣ୍ଡ ହୋଇ ପଡ଼ିଥିବାରୁ ଓଡ଼ିଶା ପଛରେ ପଡ଼ିଛି ବୋଲି ମୁଁ ସବୁବେଳେ କହେ । ୧୯୨୦ରେ ଓଡ଼ିଶାରେ ଜାତୀୟ ସପ୍ତାହ ପାଳନ କରାଯାଇ ନ ଥିଲା କିମ୍ୱା ଜାଲିଆନାୱାଲା ବାଗ୍‌ ପାଇଁ ସ୍ମୃତିପାଣ୍ଠି ଆଦାୟ ହୋଇ ନ ଥିଲା । ଏହିପରି ରାଜନୈତିକ କୌଣସି ଆନ୍ଦୋଳନରେ ଓଡ଼ିଶାର ନାମ ଶୁଣିବାକୁ ମିଳେ ନାହିଁ । ଏହି କଥାକୁ ଲକ୍ଷ୍ୟ ରଖି କିଛି କଥା ପଡ଼ିଲାବେଳେ ଓଡ଼ିଶା ଖଣ୍ଡ ଖଣ୍ଡ ହୋଇ ବିଭିନ୍ନ ପ୍ରାନ୍ତରେ ପଡ଼ିଥିବାରୁ ଓଡ଼ିଶା ଦେଶ ସବୁ ବିଷୟରେ ପଛରେ ପଡ଼ୁଛି ବୋଲି ମୁଁ କହିଥାଏ । ଭାଷାସୂତ୍ରରେ ପ୍ରଦେଶ ଗଠିତ ହେବା ଉଚିତ ବୋଲି ମହାତ୍ମାଜୀ ଯେଉଁ ଲେଖା ଏହି ସମୟରେ ପ୍ରକାଶ କରିଥିଲେ, ମୋଠାରୁ ଓଡ଼ିଶାର ଅବସ୍ଥା ଶୁଣି ସେ ସେପରି ଲେଖିଥିଲେ ବୋଲି ମୋର ବିଶ୍ୱାସ । ଭାଷାସୂତ୍ରରେ ପ୍ରଦେଶ ସବୁ ଗଠିତ ହେବା ମହାତ୍ମାଜୀଙ୍କ ଏହି ମୌଳିକ ଭାବନାକୁ ଓଡ଼ିଶାର ଅବସ୍ଥା ଦୃଢ଼ୀଭୂତ କରିଥିଲା ।

 

ସେ ଯାହା ହେଉ ପୁରୀ ଦୁର୍ଭିକ୍ଷ ଅଞ୍ଚଳରେ କାର୍ଯ୍ୟ କରିବାପାଇଁ କର୍ମୀର ଅଭାବ ପଡ଼ିଲା-। ଓଡ଼ିଶାରେ ସେତେବେଳେ ଏହିପରି କର୍ମ କରିବାକୁ ସ୍ୱେଚ୍ଛାସେବକ ବଡ଼ ଅଭାବ । ଦୁର୍ଭିକ୍ଷ ଅଞ୍ଚଳରେ କାମ କରିବା ଉଦ୍ଦେଶ୍ୟରେ ମତେ ପଠାଇବାପାଇଁ ଶ୍ରୀଯୁକ୍ତ ଥକ୍‌କର ମହାତ୍ମାଜୀଙ୍କ ନିକଟକୁ ପତ୍ର ଦେଲେ । କେତେକ ଜରୁରୀ କାର୍ଯ୍ୟ ବଶତଃ ଶ୍ରୀଯୁକ୍ତ ଥକ୍‌କରଙ୍କୁ ମଧ୍ୟ ବମ୍ୱେଇ ଯିବାକୁ ହେଲା । ସେ ବମ୍ୱେଇରୁ ପୁରୀକୁ ଫେରିଲାବେଳେ ତାଙ୍କ ସହିତ ମୁଁ ପୁରୀକୁ ଆସିଲି ।

 

ଶ୍ରୀଯୁକ୍ତ ଥକ୍‌କରଙ୍କ ସହିତ ମୁଁ ଓଡ଼ିଶାକୁ ଫେରୁଛି । ଓଡ଼ିଶାକୁ ଆସିବାପାଇଁ ମୁଁ ଯେଉଁ ଦିନ ବମ୍ୱେଇରେ ରେଲରେ ଚଢ଼ିଲି ସେଦିନ ମୋର କେତେ ଆନନ୍ଦ ତାହା କଳ୍ପନା କରିବା ଅସମ୍ଭବ-। ପୁରୀ ଦୁର୍ଭିକ୍ଷ ଅଞ୍ଚଳକୁ ଶ୍ରୀଯୁକ୍ତ ଥକ୍କର ଆସିବା, ମହାତ୍ମାଜୀ ସାହାଯ୍ୟ କରିବା ଇତ୍ୟାଦି କର୍ମର ମୂଳକର୍ତ୍ତା ମୁଁ, ଏହି ଅହଂଭାବ ମନରେ ପୂରାମାତ୍ରାରେ ଫୁଟିଉଠୁଛି । ଶେଷରେ ନିଜେ ଦୁର୍ଭିକ୍ଷ ପ୍ରପୀଡ଼ିତ ଅଞ୍ଚଳରେ ଉପସ୍ଥିତ ହୋଇ କାର୍ଯ୍ୟ କରିବାର ସୁଯୋଗ ମିଳିଛି । ଏଥିରେ କାହାର ଆନନ୍ଦ ନ ହେବ । ପୁଣି ଓଡ଼ିଶା ଛାଡ଼ିଲାବେଳେ ମୁଁ ଲୁଚିକରି ପଳାଇଥିଲି । ମୋର ଭବିଷ୍ୟତ୍‌ ଅନ୍ଧକାରପୂର୍ଣ୍ଣ ଥିଲା । କୁଆଡ଼େ ଯିବି, କ’ଣ କରିବି, କିଛି ଜଣା ନ ଥିଲା । ପୋଲିସର ଭୟ ସବୁବେଳେ ମନରେ ଥିଲା । କିନ୍ତୁ ଆଜି ସବୁ ଭୟ ଦୂର ହୋଇଛି । ୧୯୧୯ ମସିହାର ଶାସନ ସଂସ୍କାର ପ୍ରଚଳନ ହୋଇ (Royal clemency) ରାଜାନୁଗ୍ରହରେ ବହୁତ ରାଜବନ୍ଦୀ ଖଲାସ ପାଇଛନ୍ତି । ତେଣୁ ମୋ ବିରୁଦ୍ଧରେ କଲିକତା ପୋଲିସ ତଲାସିଠାରୁ ଦଶପଲା ଓ୍ୟାରଣ୍ଟ ଓଗେର ଆଦି ଯାହା ସବୁ ଥିଲା ସେ ସବୁ କଟିଯାଇଛି । ପୋଲିସ ମତେ ଚିହ୍ନିପାରିଲେ ଧରିବ ଏପରି ଭୟ କରିବାର ଆଉ କିଛିମାତ୍ର କାରଣ ନାହିଁ । ତାହାଛଡ଼ା ସତ୍ୟାଗ୍ରହ ଆଶ୍ରମରେ ଯୋଗ ଦେଲାଦିନୁ ମୋର ଜୀବନ ଓ ଚିନ୍ତାରେ ଘୋର ପରିବର୍ତ୍ତନ ଘଟିଛି । ଓଡ଼ିଶାର ଜଣାଶୁଣା ଲୋକେ ମତେ ଜାଣିଛନ୍ତି । ଏହିପରି ନାନା କାରଣରୁ ମୋର ଆନନ୍ଦର ସୀମା ରହୁ ନାହିଁ । ରାଜନୈତିକ କାରଣରୁ ନିର୍ବାସିତ ହେଲା ପ୍ରାୟ ଯେ ବିଦେଶରେ ବୁଲୁ ଥାଏ, ସେ ଦେଶକୁ ଫେରିବାର ସୁବିଧା ପାଇଲେ ତା’ର ମନରେ କି ପ୍ରକାର ଆନନ୍ଦ ସେ ଅନୁଭବ କରେ, ଅବସ୍ଥାରେ ନ ପଡ଼ିଲେ, ତାହାର ମନର ଭାବ ଅନ୍ୟ କେହି ସହଜରେ ହୃଦୟଙ୍ଗମ କରି ପାରିବେ ନାହିଁ ।

 

ମୁଁ ଯେ କେବଳ ନିର୍ବାସିତ ପରି ଓଡ଼ିଶା ବାହାରେ ଜୀବନ କଟାଇଛି ତାହା ନୁହେଁ । ଓଡ଼ିଶା ଛାଡ଼ିଲାଦିନୁ କେତେ ଉତ୍‌ଥାନ ପତନ ମଧ୍ୟରେ ମୋର ଜୀବନ ଅତିବାହିତ ହୋଇଛି । ଜୀବନର କେତେ ଆଶା ନିରାଶାରେ ପରିଣତ ହୋଇଛି । କେତେପ୍ରକାର ଭୟ ବିପଦ, ଦୁଃଖ କଷ୍ଟ ମଧ୍ୟରେ ଜୀବନ ଅତିବାହିତ କରିଛି । ସେ ସବୁ ଅତିକ୍ରମ କରି ଦିନେ ମୁଁ ଓଡ଼ିଶାରେ କିଛି ଲୋକହିତକର କାର୍ଯ୍ୟ କରି ପାରିବି ଏହି ଆଶା ମୋର ଏକାବେଳକେ ଲୋପ ପାଇଥିଲା । କିନ୍ତୁ ସେ ସବୁ ଦୁଃସ୍ୱପ୍ନ ତୁଟିଛି । ଓଡ଼ିଶାପ୍ରତି ମହାତ୍ମା ଗାନ୍ଧିଙ୍କ ପରି ଏକ ମହାପୁରୁଷଙ୍କର ଦୃଷ୍ଟି ଆକର୍ଷଣ କରି ପାରିଛି । ପୁରୀ ଦୁର୍ଭିକ୍ଷକୁ ସେ ସାହାଯ୍ୟ କରୁଛନ୍ତି ଏବଂ ସେଥିରେ କାର୍ଯ୍ୟ କରିବାପାଇଁ ମତେ ମଧ୍ୟ ପଠାଉ ଅଛନ୍ତି । ଏପରି ଅବସ୍ଥାରେ ମନରେ ଆନନ୍ଦ ଓ ଅହଂକାର ଅନୁଭବ କରିବା ସ୍ୱାଭାବିକ ବୋଲି ମୋର ମନେ ହୁଏ ।

 

ସେ ଯାହା ହେଉ ପୁରୀରେ ମୁଁ ଓ ଶ୍ରୀଯୁକ୍ତ ଥକ୍କର ଯଥାସମୟରେ ଆସି ଉପସ୍ଥିତ ହେଲୁ-। ତାହାଙ୍କ ସହିତ ଦୁର୍ଭିକ୍ଷ ଅଞ୍ଚଳ ବୁଲିବାକୁ ବାହାରିଲି । ଦୁର୍ଭିକ୍ଷ ପ୍ରପୀଡ଼ିତ ଲୋକଙ୍କ ଅବସ୍ଥା ମୁଁ ଯେପରି ଦେଖିବାକୁ ପାଇଲି ତାହା ଏ ଜୀବନରେ ଭୁଲି ପାରିବି ନାହିଁ । ସେତେବେଳକୁ ପଲ୍ଲୀ ଜୀବନ ବିଷୟରେ ମୋର କୌଣସି ଅଭିଜ୍ଞତା ନାହିଁ । ପଲ୍ଲୀ ଗ୍ରାମର ନିରକ୍ଷର ଲୋକଙ୍କ ଅବସ୍ଥା କ’ଣ ତାହା ମୁଁ କଳ୍ପନା କରିଥିଲେ ମଧ୍ୟ ସାକ୍ଷାତ୍‌ ଅନୁଭୂତି ମୋର କିଛି ନ ଥିଲା । ଏହି ଦୁର୍ଭିକ୍ଷ ଅଞ୍ଚଳରେ କାମ କରି ମୁଁ ସେହି ଅଭିଜ୍ଞତା ଓ ଅନୁଭୂତି ଲାଭ କରିଥିଲି । ମୁଁ ସେତେବେଳେ ଯାହା ଦେଖିଲି ତହିଁରୁ ମୋର ବିଶ୍ୱାସ ହୁଏ, ମହାତ୍ମାଜୀ ଯଦି ସାହାଯ୍ୟ କରି ନ ଥାନ୍ତେ ପୁରୀ ଜିଲ୍ଲାରୁ ଅନେକ ଲୋକ ମରି ଯାଇଥାନ୍ତେ । ସରକାର ଦୁର୍ଭିକ୍ଷ ପଡ଼ିଛି ବୋଲି କେବେ ହେଲେ ଘୋଷଣା କରି ନ ଥାନ୍ତେ । ପଣ୍ତିତ ଗୋପବନ୍ଧୁ ଦାସ ପୁରୀରେ ଗୋଟିଏ କମିଟି କରି ଦୁର୍ଭିକ୍ଷ ଅଞ୍ଚଳର ଅବସ୍ଥା ବର୍ଣ୍ଣନା କରି ଖଣ୍ତିଏ ରିପୋର୍ଟ ଲେଖିଥିଲେ । ବିହାର ଓଡ଼ିଶା ଲାଟ ଗେଟ୍ ସାହେବଙ୍କ ଇଙ୍ଗିତରେ ଗୋପବନ୍ଧୁ ସେହି ରିପୋର୍ଟକୁ ପ୍ରକାଶ ନ କରିବାକୁ ସ୍ଥିର କରିଥିଲେ । ମାତ୍ର ମହାତ୍ମାଜୀଙ୍କ ସାହାଯ୍ୟ ପାଇବାରୁ ଓ ଶ୍ରୀଯୁକ୍ତ ଥକ୍କର ପୁରୀରେ ଉପସ୍ଥିତ ହେବାରୁ ଉକ୍ତ ରିପୋର୍ଟ ପ୍ରକାଶ ପାଇଲା । ଦୁର୍ଭିକ୍ଷ ଅଞ୍ଚଳରେ ଲୋକଙ୍କୁ ସାହାଯ୍ୟ କରିବାପାଇଁ କେତେ ଗୁଡ଼ିଏ କେନ୍ଦ୍ର ଖୋଲା ହେଲା । ଏହିପରି ବେସରକାରୀ କେନ୍ଦ୍ର ଖୋଲା ହେବାର ଦେଖି ସରକାର ମଧ୍ୟ ଦୁର୍ଭିକ୍ଷ ସାହାଯ୍ୟ ଦେବାକୁ କେନ୍ଦ୍ର ଖୋଲିବା ପାଇଁ ବାଧ୍ୟ ହେଲେ । ଅବଶ୍ୟ ସେତେବେଳେର ଲାଟସାହେବ ଜଣେ ହୃଦୟବାନ୍ ବ୍ୟକ୍ତି ଥିଲେ ଏହା ସ୍ୱୀକାର କରିବାକୁ ପଡ଼ିବ । ସେ ଯାହା ହେଉ ଏହିପରି ଭାବରେ ସରକାରୀ ଓ ବେସରକାରୀ ହୋଇ ଅନେକ ଗୁଡ଼ିଏ କେନ୍ଦ୍ର ଖୋଲା ହେଲା । ଶ୍ରୀଯୁକ୍ତ ଥକ୍କରଙ୍କ ସହିତରେ ବେସରକାରୀ ସବୁ କେନ୍ଦ୍ର ଦେଖି ଆସିଲା ପରେ ମୁଁ ତିନୋଟି କେନ୍ଦ୍ର ପରିଚାଳନା କରିବାର ଭାର ନେଇ ଦୁର୍ଭିକ୍ଷ ଅଞ୍ଚଳରେ ରହିଲି । ନିମାପଡ଼ା ଥାନାର ଗଡ଼ତୋରିହ, ସୁନଗୋଡ଼ିଡ଼ ଓ ବାଲିପାଟଣା ଏହି ତିନୋଟି କେନ୍ଦ୍ରର ଭାର ମୋ ଉପରେ ରହିଲା । ପ୍ରାୟ ୬ ମାସ କାଳ ଏହିଠାରେ ରହି ମୁଁ କାର୍ଯ୍ୟ କରିଛି ।

 

ଆମ୍ଭ ଦେଶରେ ଯେଉଁମାନଙ୍କର କିଛି ବିଷୟ ବାଡ଼ି ଅଛି, ଯେଉଁମାନେ ଧନୀ, ଜମିଦାର ଓ ମହାଜନ ବୋଲି ପରିଚିତ, ଏହି ଦୁର୍ଭିକ୍ଷ ସମୟରେ ସେମାନଙ୍କ ମନୋବୃତ୍ତି ଓ ବ୍ୟବହାର ମତେ ଯେପରି ଯାହା ଜଣାଗଲା, ସେ ବିଷୟରେ କିଛି ନ ଲେଖିବା ଉଚିତ ମନେ କରୁଛି । ସ୍ୱେଚ୍ଛାସେବକ ହୋଇ ଯେଉଁମାନେ କାର୍ଯ୍ୟ କରୁଥିଲେ ସେମାନଙ୍କ କଥା ତହୁଁ ବଳେ । ଛାତ୍ର ସମାଜରୁ କେହି ଦୁର୍ଭିକ୍ଷପ୍ରପୀଡ଼ିତ ଲୋକଙ୍କ ସେବା କରିବାକୁ ଆସିଥିଲେ ବୋଲି ମୋର ମନେ ହୁଏ ନାହିଁ । ସତ୍ୟବାଦୀର ସ୍କୁଲ ଛାତ୍ର ଓ ଶିକ୍ଷକ କାର୍ଯ୍ୟ ନ କରିଥିଲେ ଅନେକ ଅଞ୍ଚଳରେ ସାହାଯ୍ୟ ଦେବା ଅସମ୍ଭବ ହୋଇଥାନ୍ତା । କିନ୍ତୁ ଏମାନେ ସ୍କୁଲ ଛାଡ଼ି ଦୀର୍ଘକାଳ ରହି ପାରିଲେ ନାହିଁ । ଏମାନଙ୍କ ପରେ ଯେଉଁମାନଙ୍କ ଉପରେ କେନ୍ଦ୍ର ଚଳାଇବାର ଭାର ରହିଲା ସେମାନଙ୍କ କଥା କହିଲେ ସରିବ ନାହିଁ । ଏହି ସବୁ ଦେଖି ମୋ ମନରେ ଗଭୀର ଶୋକ ଜାତ ହୋଇଛି । ଏତିକିବେଳେ ମତେ ଓଡ଼ିଶାର ଭବିଷ୍ୟତ୍ ଅନ୍ଧକାର ପ୍ରାୟ ବୋଧ ହେଲା । ପୁରୀ ଦୁର୍ଭିକ୍ଷ ସାହାଯ୍ୟ କାର୍ଯ୍ୟ ଶେଷ କରି ମୁଁ ଅତି ଦୁଃଖରେ ଓଡ଼ିଶାରୁ ଫେରିଲି । ଏହି ସମୟରୁ ମୁଁ ମନ ମଧ୍ୟରେ ନିଶ୍ଚୟ କଲି ଯେ, ଓଡ଼ିଶାରେ ଯଦି ମତେ ସ୍ଥାୟୀଭାବରେ ରହି କେବେ କିଛି କରିବାକୁ ହୁଏ ତେବେ ମୁଁ ଏହି ପଲ୍ଲୀଗ୍ରାମରେ ରହି କାର୍ଯ୍ୟ କରିବି । ଏଣେ ଦୁର୍ଭିକ୍ଷ ଅଞ୍ଚଳରେ ମତେ ଅତି କଠିନ ପରିଶ୍ରମ କରିବାକୁ ପଡ଼ିଥିଲା ଏହା କହିବା ଅନାବଶ୍ୟକ । ସର୍ବଦା ପାଣି କାଦୁଅରେ ବୁଲି ବୁଲି ମତେ ମ୍ୟାଲେରିଆ ଜ୍ୱର ହେଲା । ତଥାପି ମୁଁ ମୋର କର୍ମକ୍ଷେତ୍ର ଛାଡ଼ି ନାହିଁ । ଜ୍ୱରରେ ମଧ୍ୟ ଗ୍ରାମ ସବୁ ବୁଲି ମୁଁ ମୋର କର୍ତ୍ତବ୍ୟ ପାଳନ କରିଛି ।

 

ଏହି ପୁରୀ ଦୁର୍ଭିକ୍ଷ ଅଞ୍ଚଳରେ କାର୍ଯ୍ୟ କରୁଥିଲା ବେଳେ ମୁଁ ତିଳକ ମହାରାଜଙ୍କ ମୃତ୍ୟୁ ସମ୍ବାଦ ପାଇଥିଲି । ସାରା ଭାରତରେ ଗୋଟାଏ ଦୁଃଖର ଛାୟା ଘୋଟିଗଲା । ତିଳକ ମହାରାଜ ଦେଶସେବା କରି ପ୍ରଥମ ଜେଲ ବରଣ କରିଥିଲେ । ଏ ଦେଶରେ ସ୍ୱରାଜ୍ୟ ବା ସ୍ୱାଧୀନତା ଏହି ଦୁଇଟି ଶବ୍ଦ ରାଜବିଦ୍ରୋହ ସୂଚକ ବୋଲି ବିବେଚିତ ହେଉଥିଲା । ‘ସ୍ୱରାଜ୍ୟ ଭାରତବାସୀର ଜନ୍ମଗତ ଦାବୀ’ ଏହି ବାଣୀ ତିଳକ ମହାରାଜ ପ୍ରଥମେ ଏ ଦେଶବାସୀଙ୍କୁ ଶୁଣାଇ ଥିଲେ । ଭାରତରେ ସ୍ୱରାଜ୍ୟ ଆନ୍ଦୋଳନର ମୂଳଭିତ୍ତି ତିଳକ ମହାରାଜ ସ୍ଥାପନ କରିଥିଲେ ବୋଲି କୁହାଯାଇ ପାରେ । ମହାତ୍ମା ଗାନ୍ଧିଙ୍କ ଭାରତ ଆଗମନ ପୂର୍ବରୁ ଏ ଦେଶରେ ତିଳକ ମହାରାଜ ଦେଶପୂଜ୍ୟ ସର୍ବଶ୍ରେଷ୍ଠ ନେତା ଥିଲେ । ତେଣୁ ସେ ଲୋକମାନ୍ୟ ଉପାଧି ଦେଶବାସୀଙ୍କଠାରୁ ପାଇଥିଲେ । କେବଳ ରାଜନୀତି ନୁହେଁ, ମୌଳିକ ଗବେଷଣା ଓ ଜ୍ଞାନ ବିଜ୍ଞାନରେ ମଧ୍ୟ ତାଙ୍କର ଅଗାଧ ପାଣ୍ତିତ୍ୟ ଥିଲା । ତାହାଙ୍କଦ୍ୱାରା ରଚିତ ଗୀତା ରହସ୍ୟ ତାଙ୍କ ପାଣ୍ତିତ୍ୟର ପରିଚୟ ଦେଉଛି । ତିଳକ ମହାରାଜଙ୍କ ନୀତି ହେଉଛି ‘ଶଠେ ଶାଠ୍ୟଂ ବିଧୀୟତେ’ । ଯେ ଯେତିକି ସହଯୋଗ କଲା ଆମ୍ଭର ତା’ଠାରେ ସେତିକି ସହଯୋଗ କରିବା ଦରକାର । ଇଂରେଜୀରେ କହନ୍ତି, ‘Responsive Coporation’ । ଏହିପରି ଏକ ଜନନାୟକଙ୍କ ମୃତ୍ୟୁରେ ସାରା ଭାରତ ବିଚଳିତ ହେବ ଏଥିରେ ସନ୍ଦେହ କ’ଣ ଅଛି । କିନ୍ତୁ ଓଡ଼ିଶା ବାୟୁମଣ୍ତଳରେ କୌଣସି ତରଙ୍ଗ ଉଠି ନ ଥିଲା । ତିଳକ ମହାରାଜଙ୍କ ଅବସାନରେ ଦେଶର ରାଜନୈତିକ ପରିସ୍ଥିତିରେ କି ପରିବର୍ତ୍ତନ ଘଟିଲା ତାହା ଓଡ଼ିଶାର ତତ୍‌କାଳୀନ ଜୀବନ ଧାରାକୁ ତିଳେ ମାତ୍ର ସ୍ପର୍ଶ କରି ନ ଥିଲା । ତିଳକ ମହାରାଜଙ୍କ ତିରୋଧାନ ଗୋଟିଏ ଦୈବ ଘଟଣା ପ୍ରାୟ ମତେ ବୋଧ ହେଲା । ମୋର ମନରେ ଗୋଟାଏ ଭୟ ଥିଲା, ମହାତ୍ମା ଗାନ୍ଧି ଓ ତିଳକ ମହାରାଜ କଦାପି ରାଜନୈତିକ ନୀତିବାଦରେ ଏକମତ ହେବେ ନାହିଁ । ଭାରତର ରାଜନୈତିକ ଜୀବନ ଧାରା ଦୁଇ ଭାଗରେ ବିଭକ୍ତ ହୋଇଯିବ । କିନ୍ତୁ ଲୋକମାନ୍ୟ ତିଳକଙ୍କ ତିରୋଧାନ ମହାତ୍ମା ଗାନ୍ଧିଙ୍କର ଆବିର୍ଭାବ ବେଳକୁ ଘଟିବାଦ୍ୱାରା ମହାତ୍ମାଜୀଙ୍କ ପାଇଁ ପଥ ଟିକିଏ ସହଜ ହେଲା ବୋଲି ମୋ ମନରେ ସ୍ୱତଃ ଗୋଟିଏ ଭାବ ଫୁଟି ଉଠିଥିଲା । ମହାତ୍ମା ଗାନ୍ଧି କହିଥିଲେ, ‘‘ଲୋକମାନ୍ୟ ତିଳକ ମରି ନାହାନ୍ତି । ସେ ଜୀବିତ ଅଛନ୍ତି । ଭାରତର ରାଜନୈତିକ ଜୀବନର ପ୍ରତିମୂର୍ତ୍ତି ଥିଲେ ଲୋକମାନ୍ୟ ତିଳକ । ଏହି ଜୀବନ ଯେତେଦିନ ଥିବ ତେତେଦିନ ତିଳକ ମହାରାଜ ଜୀବିତ ଅଛନ୍ତି ବୋଲି ବୁଝିବାକୁ ହେବ ।’’ ମହାତ୍ମା ଗାନ୍ଧିଙ୍କର ଏହି ପ୍ରକାର ଉଦ୍‌ବୋଧନ ବାଣୀ ସେତେବେଳେ ରାଜନୈତିକ ଜୀବନରେ ଗୋଟିଏ ନୂତନ ଭାବ ତରଙ୍ଗ ଖେଳାଇ ଦେଲା । ଲୋକମାନ୍ୟ ତିଳକଙ୍କ ତିରୋଧାନ ସଂବାଦ ଯେଉଁମାନଙ୍କ ହୃଦୟରେ ଆଘାତ କଲା ସେମାନଙ୍କ ମଧ୍ୟରୁ ଅନେକ ପ୍ରକାଶ୍ୟରେ ଏଣିକି ଦେଶ ସେବା କାର୍ଯ୍ୟରେ ସହଯୋଗ କରିବାର ଜଣାଗଲା । ପୁରୀ ଦୁର୍ଭିକ୍ଷ ଅଞ୍ଚଳରେ ଗଡ଼ତୋରିହ କେନ୍ଦ୍ରରେ ଥିଲାବେଳେ ମୁଁ ଏ ସଂବାଦ ପାଇଥିଲି । ସେଠାରେ ଉପସ୍ଥିତ ବ୍ୟକ୍ତିମାନଙ୍କୁ ତିଳକ ମହାରାଜଙ୍କ କଥା କହିଲାବେଳେ, ଦେଶର ଭଲ ମନ୍ଦ ସଂବାଦ ଜାଣିବାକୁ ଏବଂ ଦେଶ ପାଇଁ କିଛି ସେବା କରିବାକୁ ପ୍ରତ୍ୟହ ଅଭ୍ୟାସ କରିବା ଉଚିତ ବୋଲି ବୁଝାଇଥିଲି ।

 

ସେ ଯାହା ହେଉ ଲୋକମାନ୍ୟ ତିଳକ ମହାରାଜଙ୍କ ମୃତ୍ୟୁରେ ଦେଶର ହୃଦୟ ଟିକିଏ ଦୋହଲି ଯାଇଛି । ଏଣେ ମହାତ୍ମାଜୀ ଅହିଂସା ପୂର୍ଣ୍ଣ ଅସହଯୋଗର ବାଣୀ ଦେଶକୁ ଶୁଣାଇବାକୁ ଆରମ୍ଭ କରିଛନ୍ତି । ଇତି ମଧ୍ୟରେ ବିଲାତ ପାର୍ଲିଆମେଣ୍ଟ ସଭା ପଞ୍ଜାବ ମାମଲାର ନିଷ୍ପତ୍ତି କରି ଦେଲେ । କଂଗ୍ରେସ ଅଥବା ଦେଶ ଯେପରି ଯାହା ଦାବୀ କରିଥିଲେ ତତ୍‌ପ୍ରତି ବିଲାତର ମନ୍ତ୍ରୀମାନେ ଦୃଷ୍ଟିପାତ କଲେ ନାହିଁ । ଏହି ନିଷ୍ପତ୍ତିରେ ସାରା ଭାରତରେ ଗୋଟାଏ ଅସନ୍ତୋଷ ଭାବ ଫୁଟି ଉଠିଲା । ଏହାର ବିଚାର କରିବା ପାଇଁ ବେନାରସରେ ନିଖିଳ ଭାରତ କଂଗ୍ରେସ କମିଟି ବସି କଂଗ୍ରେସର ଗୋଟିଏ ବିଶେଷ ବୈଠକ ବସାଇବାକୁ ସ୍ଥିର କଲେ । କଲିକତାରେ କଂଗ୍ରେସର ଏହି ବିଶେଷ ବୈଠକ ବସି ଦେଶର ବର୍ତ୍ତମାନ ପରିସ୍ଥିତି ବିଚାର କରି କର୍ତ୍ତବ୍ୟ ନିରୂପଣ କରିବାର ସ୍ଥିର ହେଲା । ପଞ୍ଜାବକେଶରୀ ଲାଲା ଲଜପତ୍ ରାଏ ଏହି କଂଗ୍ରେସର ସଭାପତି ହେଲେ । ପଞ୍ଜାବ ଗୋଳମାଳ ବେଳେ ଲାଲାଜୀ ଭାରତରେ ନ ଥିଲେ । ବହୁ ଦିନୁ ସେ ଏ ଦେଶରୁ ନିର୍ବାସିତ ହୋଇ ଆମେରିକାରେ ଯାଇ ରହିଥିଲେ । ଭାରତକୁ ଫେରି ଆସିବାକୁ ଅନୁମତି ପାଇ ସେ ବର୍ତ୍ତମାନ ଆସି ଦେଶରେ ଉପସ୍ଥିତ ହୋଇଛନ୍ତି । ଦେଶରେ ସେ ଯେପରି ସେବା କରିଛନ୍ତି, ଦେଶପାଇଁ ସେ ଯେପରି ଦୁଃଖ କଷ୍ଟ ସହିଛନ୍ତି ସେ ସବୁକୁ ସ୍ମରଣ କରି ତାହାଙ୍କୁ ଏହି କଲିକତା କଂଗ୍ରେସର ସଭାପତି ଆସନ ଗ୍ରହଣ କରିବାକୁ ଆହ୍ୱାନ କରା ଯାଇଛି । ପଞ୍ଜାବ ମାମଲାକୁ ଇଂରେଜ ସରକାର ଯେପରି ନିଷ୍ପତ୍ତି କଲେ, ଏହି ବିଷୟ ନେଇ ଇଂରେଜ ସରକାରଙ୍କ ଯେ ମନୋବୃତ୍ତି ପ୍ରକାଶ ପାଇଲା, ତହିଁରେ ଦେଶର ଲୋକେ ବଡ଼ ବିଚଳିତ ହୋଇଛନ୍ତି । ହୃଦୟର ଭାବ ପ୍ରକଟ କରିବା ପାଇଁ ସମସ୍ତେ ଗୋଟିଏ ବାଟ ଖୋଜୁଛନ୍ତି । ଜଣେ ପରିଚାଳକ ଦେଶ ଖୋଜୁଛି । ଏହିପରି ପରିସ୍ଥିତିରେ କଲିକତାରେ କଂଗ୍ରେସର ବିଶେଷ ଅଧିବେଶନ ବସୁଛି । ଏହିଠାରେ ଦେଶର ବର୍ତ୍ତମାନ ସମସ୍ୟା କିପରି ସମାଧାନ ହେଉଛି ତାହା ଜାଣିବାକୁ ଚାରିଆଡ଼େ ଲୋକେ ଚାହିଁଛନ୍ତି । ଏହିଠାରେ ମହାତ୍ମା ଗାନ୍ଧି ଅସହଯୋଗ ପ୍ରସ୍ତାବ ଉପସ୍ଥାପିତ କଲେ । ‘‘ବର୍ଷକେ ସ୍ୱରାଜ୍ୟ ଲାଭ’’ ଏହି ବାଣୀ କଲିକତା କଂଗ୍ରେସରେ ମହାତ୍ମାଜୀ ଦେଶବାସୀଙ୍କୁ ଶୁଣାଇଲେ । ଅହିଂସାପୂର୍ଣ୍ଣ ଅସହଯୋଗ କାର୍ଯ୍ୟକ୍ରମକୁ ପୂରାମାତ୍ରାରେ ଯଦି ଦେଶବାସୀ ପାଳନ କରିବେ, ତେବେ ବର୍ଷକେ ସ୍ୱରାଜ୍ୟ ପ୍ରାପ୍ତି କଦାପି ଅସମ୍ଭବ ନୁହେ ।

 

କଲିକତାର ବିଶେଷ ଅଧିବେଶନରେ–ମହାତ୍ମାଜୀଙ୍କ ପ୍ରସ୍ତାବ ବହୁମତରେ ଗୃହୀତ ହେଲା । କିନ୍ତୁ ଦେଶର ମୁଖ୍ୟ ନେତାମାନେ ଅଧିକାଂଶ ଏହାର ବିରୋଧ କଲେ । ଲାଲା ଲଜପତ୍ ରାଏ, ଦେଶବନ୍ଧୁ ଚିତ୍ତରଞ୍ଜନ ପ୍ରଭୃତି ଏହାର ପ୍ରତିବାଦ କଲେ । କଲିକତା କଂଗ୍ରେସ ଶେଷ ହେଲା-। ଏହାପରେ ମହାତ୍ମାଜୀ କଂଗ୍ରେସର ଏହି ପ୍ରସ୍ତାବ ଅନୁସାରେ ପ୍ରଚାର ଉଦ୍ଦେଶ୍ୟରେ ବାହାରିଲେ । ଭାରତର ପ୍ରତ୍ୟେକ ପ୍ରଦେଶରେ ଅସହଯୋଗ ପ୍ରସ୍ତାବ ନେଇ ବାଦ ପ୍ରତିବାଦ ଦେଖାଗଲା । ପ୍ରତ୍ୟେକ ପ୍ରଦେଶରେ ଯୁବକଶ୍ରେଣୀ ମହାତ୍ମାଜୀଙ୍କ ପ୍ରସ୍ତାବକୁ ସାଦରେ ଗ୍ରହଣ କଲେ-। ପୁରୁଣାକାଳିଆ ବଡ଼ ବଡ଼ ନେତାମାନେ ଅଧିକାଂଶ ଏହାର ପ୍ରତିବାଦ କଲେ । ଏହିପରି ଭାବରେ ଭାରତର ରାଜନୈତିକ ଜୀବନରେ ଗୋଟାଏ ସଂର୍ଘଷଣ ଆରମ୍ଭ ହେଲା; କିନ୍ତୁ ଓଡ଼ିଶା ପ୍ରାଣରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପନ୍ଦନ ନାହିଁ । କୌଣସିଚର୍ଚ୍ଚା ନାହିଁ । ରାଜନୈତିକ ଜୀବନର କୌଣସି ଚିହ୍ନ ନାହିଁ । ପଣ୍ତିତ ଗୋପବନ୍ଧୁ ଦାସ ବିହାର ଓ ଓଡ଼ିଶା ଲାଟସଭାର ମେମ୍ବର ଥାଇ ଅନେକ ଲୋକହିତକର କାର୍ଯ୍ୟ କରିଛନ୍ତି ଓ କରୁଛନ୍ତି । ସରକାରୀ ଓ ବେସରକାରୀ ଉଭୟ କ୍ଷେତ୍ରରେ ତାହାଙ୍କର ସୁନାମ ଓ ପ୍ରଭାବ ଅଛି । ଏହି ପ୍ରଭାବ ବଳରେ ସେ ଓଡ଼ିଶା ଉପାନ୍ତ ଜିଲାମାନଙ୍କରେ ଓଡ଼ିଆର ପ୍ରଭାବ ବିସ୍ତାର କରୁଛନ୍ତି । ଓଡ଼ିଆ ଭାବର ଉଦ୍ରେକ କରି ତାହାକୁ ସ୍ଥାୟୀ କରିବା ଉଦ୍ଦେଶ୍ୟରେ ଭିନ୍ନ ଭିନ୍ନ କାର୍ଯ୍ୟ ଆରମ୍ଭ କରିଅଛନ୍ତି । ଓଡ଼ିଆରେ ବିସ୍ତାର ଶିକ୍ଷା ପ୍ରଚାରର କଳ୍ପନା ବାନ୍ଧିଛନ୍ତି । ଏପରି ଅବସ୍ଥାରେ ସରକାରୀ ସମ୍ବନ୍ଧ ଛିଣ୍ତାଇ ଦେଇ ଅସହଯୋଗ କାର୍ଯ୍ୟକ୍ରମକୁ ପୂର୍ଣ୍ଣ ପ୍ରାଣରେ ଗ୍ରହଣ କରିବାକୁ ତାଙ୍କର ସାହସ ହେଉ ନାହିଁ । ଏହି ନୀତିଦ୍ୱାରା ସେ ଦରିଦ୍ର ଓ ଅଶିକ୍ଷିତ ଓଡ଼ିଶା ଦେଶରେ ରାଜନୈତିକ ଜୀବନ ସଂଚାର କରି ଅହିଂସାପୂର୍ଣ୍ଣ ବିପ୍ଳବ ସୃଷ୍ଟି କରି ପାରିବେ ବୋଲି ସେ ବିଶ୍ୱାସ କରି ପାରୁ ନାହାନ୍ତି । ଦୁର୍ଭିକ୍ଷ କାର୍ଯ୍ୟ କଲାବେଳେ ପଣ୍ତିତ ଗୋପବନ୍ଧୁ ଦାସଙ୍କ ସହିତ ଦେଖା ସାକ୍ଷାତ୍ ହେଲେ ମୁଁ ତାହାଙ୍କ ସହିତ ବହୁତ ଯୁକ୍ତି କରେ । ବେଳେ ବେଳେ ଝଗଡ଼ା କରେ । ମୁଁ ଗୋପବନ୍ଧୁ ବାବୁଙ୍କୁ କହେ, ‘‘ଆପଣ ଅସହଯୋଗ ଆନ୍ଦୋଳନରେ ଯୋଗ ନ ଦେଲେ ଓଡ଼ିଶାର ଘୋର ଦୁର୍ନାମ ହେବ; ଓଡ଼ିଶା ଚିରଦିନ ପାଇଁ ପଛରେ ପଡ଼ି ରହିବ । ’’ ବେଳେ ବେଳେ ଗୋପବନ୍ଧୁ ବାବୁ ମୋଠାରୁ ଏପରି କଥା ଶୁଣି ବିରକ୍ତ ହୋଇ ଉଠନ୍ତି । ତାହାଙ୍କ ସହିତ ଦେଖା ହେଲେ ମୋର ଝଗଡ଼ା ହୁଏ ।

 

କିନ୍ତୁ ମୁଁ ଲକ୍ଷ୍ୟ କରି ଦେଖିଛି, ଗୋପବନ୍ଧୁ ବାବୁ ସବୁବେଳେ ଗମ୍ଭୀର, ସବୁବେଳେ ଚିନ୍ତିତ । ଓଡ଼ିଶାରେ କେହି ଆଉ ନାହିଁ ସେ ଯାହା ସହିତ ବିଚାର କରିବେ, ପରାମର୍ଶ କରିବେ । ଯୁବକ ଅବା ବୃଦ୍ଧ କେହି ନାହିଁ । ଅମୃତ ଲାଲ ଥକ୍‌କର ପୁରୀରେ ରହି ଦୁର୍ଭିକ୍ଷ କେନ୍ଦ୍ର ପରିଚାଳନା କରୁଥାନ୍ତି । ସେ ମଧ୍ୟ ଗୋପବନ୍ଧୁ ବାବୁଙ୍କୁ ଅସହଯୋଗ ଆନ୍ଦୋଳନରେ ଯୋଗ ଦେବାକୁ ପରାମର୍ଶ ଦିଅନ୍ତି । ଦେଶର ଏହି ପରିବର୍ତ୍ତିତ ପରିସ୍ଥିତି ଦେଖି ଗୋପବନ୍ଧୁ ବାବୁ ବଡ଼ ଚିନ୍ତିତ । ସେ କ’ଣ କରିବେ କିଛି ନିଶ୍ଚୟ କରି ପାରିଲେ ନାହିଁ ।

 

ନାଗପୁର କଂଗ୍ରେସରେ କ’ଣ ହେବ ତାହା ଜାଣିବା ପର୍ଯ୍ୟନ୍ତ ସେ ଅପେକ୍ଷା କରି ରହିଲେ । ଅସହଯୋଗ ଆନ୍ଦୋଳନ ନେଇ ଦେଶରେ ଚାଲିଥିବା ମତାନ୍ତର ଦେଖି ଅନେକଙ୍କର ବିଶ୍ୱାସ ଜନ୍ମିଲା ଯେ, ନାଗପୁରଠାରେ କଂଗ୍ରେସର ସାଧାରଣ ବାର୍ଷିକ ଅଧିବେଶନ ହେବ; ତହିଁରେ ମହାତ୍ମାଜୀଙ୍କ ପ୍ରସ୍ତାବ ପରିବର୍ତ୍ତିତ ହୋଇଯିବ; ଦେଶ ଅସହଯୋଗ ନୀତି କଦାପି ଗ୍ରହଣ କରିବ ନାହିଁ । ଏହି ପରିସ୍ଥିତି ଦେଖି ମୁଁ ମନେ ମନେ ନିଶ୍ଚୟ କଲି ଓଡ଼ିଶାରେ ରହି ଅସହଯୋଗ ପ୍ରଚାର କରିବାକୁ । ମୁଁ ଇଚ୍ଛା କଲେ, ନିଜ ଇଚ୍ଛାରେ ଓଡ଼ିଶାରେ ରହି ନ ପାରେ । ଏଥିପାଇଁ ମହାତ୍ମାଜୀ ମତେ ଅନୁମତି ଦେବା ଆବଶ୍ୟକ । ସୁତରାଂ ମୁଁ ମୋର ଇଚ୍ଛା ପ୍ରକାଶ କରି ମହାତ୍ମାଜୀଙ୍କ ନିକଟକୁ ଖଣ୍ତିଏ ପତ୍ର ଦେଲି । ମହାତ୍ମାଜୀ ସେତେବେଳକୁ ମାନ୍ଦ୍ରାଜରେ ପ୍ରଚାର କରି ବୁଲୁଥାନ୍ତି । ତାହାଙ୍କ ଠାରୁ କିଛି ଉତ୍ତର ପାଇଲି ନାହିଁ । ସେ କଲିକତାକୁ ଡିସେମ୍ବର ତା ୧୭ ରିଖ ଦିନ ଆସିବାର ମୁଁ ସମ୍ବାଦପତ୍ରରୁ ପାଠ କଲି । ଏହାର ଦୁଇଦିନ ପୂର୍ବରୁ ପୁରୀ ଛାଡ଼ି ମହାତ୍ମାଜୀଙ୍କ ସହିତ ସାକ୍ଷାତ୍‌ କରିବା ଉଦ୍ଦେଶ୍ୟରେ ମୁଁ କଲିକତା ଯାତ୍ରା କଲି । ପୁରୀର ଦୁର୍ଭିକ୍ଷ କାର୍ଯ୍ୟ ଶେଷ ହେଲା ।

Image

 

Unknown

ସପ୍ତମ ଭାଗ

ପ୍ରଥମ ପରିଚ୍ଛେଦ

ଅସହଯୋଗ ଆନ୍ଦୋଳନ

 

ସାବରମତୀ ସତ୍ୟାଗ୍ରହ ଆଶ୍ରମକୁ ଫେରିଯିବା ବାଟରେ କଲିକତା ଠାରେ ମୁଁ ମହାତ୍ମାଜୀଙ୍କୁ ସାକ୍ଷାତ କଲି । ମହାତ୍ମା ଗାନ୍ଧି କଲିକତାରେ ଅସହଯୋଗ ବାର୍ତ୍ତା ପ୍ରଚାର କରିବା ପାଇଁ ଆସିଛନ୍ତି । କିନ୍ତୁ ବାରିଷ୍ଟର ଚିତ୍ତରଞ୍ଜନ ଓ ବାବୁ ବିପିନ ପାଳ ପ୍ରଭୃତି ଅସହଯୋଗ ଆନ୍ଦୋଳନର ବିପକ୍ଷରେ, ଏଣୁ ମହାତ୍ମାଜୀ କଲିକତାରେ ଉପସ୍ଥିତ ହେଲେ ମଧ୍ୟ ତାହାଙ୍କ ନିକଟକୁ ଉପରୋକ୍ତ ନେତାମାନେ କେହି ଆସିଲେ ନାହିଁ । ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ଚକ୍ରବର୍ତ୍ତୀ ଓ ପଦ୍ମରାଜ ଜୈନ ଏହି ଦୁଇଜଣ କେବଳ ମହାତ୍ମାଜୀଙ୍କ ଅଭ୍ୟର୍ଥନାର ଭାର ନେଇଥାନ୍ତି । ଏଥର ମହାତ୍ମାଜୀ କଲିକତାର ଗୋଟିଏ ଗୁଜୁରାତି ପାଠଶାଳାରେ ରହିଲେ । ସନ୍ଧ୍ୟାରେ ଗୋଟିଏ ସାଧାରଣ ସଭା ହେଲା । ସେଥିରେ ବାରିଷ୍ଟର ଚିତ୍ତରଞ୍ଜନ ପ୍ରଭୃତି ନେତାମାନେ କେହି ସହଯୋଗ କଲେ ନାହିଁ । କଲିକତାରୁ ମହାତ୍ମାଜୀ ନାଗପୁର କଂଗ୍ରେସକୁ ଗଲେ । ଏହିଠାରେ କଂଗ୍ରେସର ବାର୍ଷିକ ଅଧିବେଶନ ହେଉଛି । ଏହି ବାର୍ଷିକ ଅଧିବେଶନରେ କଂଗ୍ରେସ ଯଦି ଅସହଯୋଗ ପ୍ରସ୍ତାବକୁ ଗ୍ରହଣ କରେ ତେବେ ଦେଶରେ ଆନ୍ଦୋଳନ ଚାଲିବ । କିନ୍ତୁ ନାଗପୁର କଂଗ୍ରେସରେ ମହାତ୍ମାଜୀଙ୍କ ଅସହଯୋଗ ପ୍ରସ୍ତାବ ଯେପରି ଗୃହୀତ ହୋଇ ନ ପାରିବ ସେଥିପାଇଁ ବହୁତ ଚେଷ୍ଟା କରାଗଲା । ବଙ୍ଗଦେଶରୁ ଖାସ ଗୋଟାଏ ରେଲଗାଡ଼ି ବୋଝାଇ ହୋଇ ପ୍ରତିନିଧି ଯାଇ ନାଗପୁରରେ ଉପସ୍ଥିତ ହେଲେ । ପଣ୍ତିତ ମଦନମୋହନ ମାଲବ୍ୟଜୀ ମଧ୍ୟ ମହାତ୍ମାଜୀଙ୍କ ପ୍ରସ୍ତାବ ବିରୁଦ୍ଧରେ ଥାନ୍ତି । ଲାଲା ଲଜପତ୍ ରାଏ ମଧ୍ୟ ବିରୁଦ୍ଧରେ । ଏହି ନେତାମାନେ ସମସ୍ତେ ପ୍ରତିନିଧି ନେଇ ନାଗପୁର କଂଗ୍ରେସରେ ଉପସ୍ଥିତ ହୋଇଛନ୍ତି ମହାତ୍ମାଜୀଙ୍କ ପ୍ରସ୍ତାବର ବିରୋଧ କରିବାକୁ । ନାଗପୁର କଂଗ୍ରେସରେ ପ୍ରତ୍ୟେକ ପ୍ରଦେଶର ପ୍ରତିନିଧିମାନଙ୍କ ରହିବାପାଇଁ ସ୍ୱତନ୍ତ୍ର ଘର ତିଆରି ହୋଇଥାଏ । ବଙ୍ଗଳାର ପ୍ରତିନିଧିମାନଙ୍କ ମଧ୍ୟରେ ଅସହଯୋଗର ବିପକ୍ଷ ଓ ସପକ୍ଷ ବାଦୀମାନଙ୍କ ମଧ୍ୟରେ ଝଗଡ଼ା ହୋଇ ମାରପିଟ ପର୍ଯ୍ୟନ୍ତ ହୋଇଗଲା । ମହାତ୍ମାଜୀ ଉପସ୍ଥିତ ହୋଇ ଏହି ଝଗଡ଼ା ଶାନ୍ତ କରାଇ ଥିଲେ ।

 

ପ୍ରତିନିଧିମାନଙ୍କ ରହିବା ପାଇଁ ତିଆରି ହୋଇଥିବା ଘରମାନଙ୍କ ମଧ୍ୟରୁ ଦୁଇଟି ଘରରେ ମହାତ୍ମାଜୀ ରହିଥାନ୍ତି । କଂଗ୍ରେସ ବସୁଥିବା ସ୍ଥାନଟିର ନାମ ହୋଇଥାଏ କଂଗ୍ରେସ ନଗର । ଏହିପରି କଂଗ୍ରେସ ନଗର କରି କଂଗ୍ରେସ ବସାଇବା ପ୍ରଥା ଏହି ନାଗପୁରଠାରୁ ଆରମ୍ଭ ହୋଇଛି । ଏଥିପୂର୍ବରୁ ଏପରି କଂଗ୍ରେସ ନଗର ତିଆର ହେଉ ନ ଥିଲା । ଏହି କଂଗ୍ରେସ ନଗରରେ ନେତୃ ସ୍ଥାନୀୟ ବ୍ୟକ୍ତିମାନଙ୍କ ପାଇଁ ସ୍ୱତନ୍ତ୍ର ଘର ନ ଥିଲା । ସାଧାରଣ ପ୍ରତିନିଧି ରହିବା ଘରେ ମହାତ୍ମାଜୀ ରହୁଥିଲେ । ନାଗପୁର କଂଗ୍ରେସ ସମୟରେ ମହାତ୍ମାଜୀଙ୍କ ପରିଚର୍ଯ୍ୟାର ଭାର ସଂପୂର୍ଣ୍ଣ ଭାବରେ ମୁଁ ବହନ କରିଛି । ମହାତ୍ମାଜୀଙ୍କ ନିକଟରେ ରହିଲେ ଏହି କାମଟି ମତେ ଲାଗେ । ମହାତ୍ମାଜୀଙ୍କ ସେବା କରିବା କାର୍ଯ୍ୟ ବିଶେଷ ଭାବରେ ଅଭ୍ୟସ୍ତ ନ ହେଲେ ଅନ୍ୟ କେହି କରିବା ମଧ୍ୟ ସହଜ ନୁହେ । ସୁତରାଂ ମୁଁ ଉପସ୍ଥିତ ହେଲେ ଅନ୍ୟାନ୍ୟମାନେ ମୋ ଉପରେ ଏହି ଭାରଟି ଛାଡ଼ି ଦେଇ ନିଶ୍ଚିନ୍ତ ରହନ୍ତି ।

 

ଏହି ନାଗପୁର କଂଗ୍ରେସକୁ ଗୋଟାଏ ବାତ ବିତଣ୍ତାର ରଣସ୍ଥଳୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ପ୍ରତ୍ୟେକ ପ୍ରତିନିଧି କ୍ୟାମ୍ପରେ ବାକ୍‌ଯୁଦ୍ଧ ଚାଲିଥାଏ । ଦିନରାତି ଏହି ବାକ୍‌ଯୁକ୍ତିର ବିରାମ ନ ଥାଏ । ମହାତ୍ମାଜୀ ସବୁବେଳେ ଅସହଯୋଗ ପ୍ରସ୍ତାବ ବିଷୟରେ ଆଲୋଚନା କରୁଥାନ୍ତି । ସେ ରାତିରେ ଏକଘଣ୍ଟା ଶୋଇବାକୁ ସମୟ ପାଆନ୍ତି । ସବୁବେଳେ ତାହାଙ୍କ ରହିବା ଘର ଲୋକାରଣ୍ୟ-। ସବୁବେଳେ ସେ ଲାଲା ଲଜପତ୍ ରାଏ ଓ ଚିତ୍ତରଞ୍ଜନ ଦାସ ପ୍ରଭୃତି ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କ ସହିତ ବସି ବିଚାର ଆଲୋଚନା କରୁଥାନ୍ତି । ବିଷୟ ନିର୍ବାଚନ ସଭାରେ ମଧ୍ୟ ଏହିପ୍ରକାର ଯୁକ୍ତି ଓ ଆଲୋଚନା । ସର୍ବଶେଷରେ କଂଗ୍ରେସରେ ମହାତ୍ମାଜୀଙ୍କ ଅସହଯୋଗ ପ୍ରସ୍ତାବ ସର୍ବ ସମ୍ମତି କ୍ରମେ ଗୃହୀତ ହେଲା । ପଣ୍ତିତ ମାଲବ୍ୟ କେବଳ ଏହାର ବିରୁଦ୍ଧରେ ଥିଲେ । ମାତ୍ର କଂଗ୍ରେସ ବୈଠକ ପୂର୍ବରୁ ସେ ଜ୍ୱର ରୋଗରେ ଶଯ୍ୟାଶାୟୀ ହୋଇ କଂଗ୍ରେସରେ ଯୋଗ ଦେଇ ନ ପାରିବାରୁ ମହାତ୍ମାଜୀଙ୍କୁ ଲେଖି ପଠାଇଲେ, ‘‘ମତେ ଜ୍ୱର ହେଲା, ମୁଁ କଂଗ୍ରେସ ବୈଠକରେ ଯୋଗ ଦେଇ ପାରିଲି ନାହିଁ । ମୁଁ ଯୋଗ ଦେଇଥିଲେ ନିଶ୍ଚୟ ବିରୁଦ୍ଧରେ ଭୋଟ ଦେଇଥାନ୍ତି । କିନ୍ତୁ ମୁଁ ଦେଖୁଛି, ଈଶ୍ୱରଙ୍କ ଇଚ୍ଛା, ତୁମ୍ଭର ପ୍ରସ୍ତାବ ସର୍ବ ସମ୍ମତି କ୍ରମେ ଗୃହୀତ ହେବ । ଏଣୁ ମୋର ଯୋଗ ଦେବାରେ ବିଘ୍ନ ପଡ଼ିଲା ।’’

 

ସେ ଯାହା ହେଉ ନାଗପୁର କଂଗ୍ରେସରେ ଯେ ଉତ୍ସାହ, ଉନ୍ମାଦନା ଓ ଆନନ୍ଦ, ସେପରି ଭାବ ଏପର୍ଯ୍ୟନ୍ତ କଂଗ୍ରେସର ଅନ୍ୟ କୌଣସି ବୈଠକରେ ଦେଖା ଯାଇ ନାହିଁ । ନାଗପୁରଠାରେ ବୋଧ ହେଲା ସୁପ୍ତ ଭାରତ ଏକାବେଳକେ ବିଦ୍ରୋହୀ ହୋଇ ଉଠିଛି । ଭାରତରେ ଅତି ଶୀଘ୍ର ବିଦ୍ରୋହାନଳ ଜ୍ୱଳି ଉଠିବ । ଏହି ବିଦ୍ରୋହାନଳର ପ୍ରଖର ବେଗରେ କେହି ପ୍ରତିବନ୍ଧକ ହୋଇ ରହି ପାରିବେ ନାହିଁ । ଚିତ୍ତରଞ୍ଜନ, ଲାଲା ଲଜପତ୍ ପ୍ରଭୃତି ଏହାର ବିରୋଧ କରିବାକୁ ଯେପରି ଦୃଢ଼ତାର ସହିତ ଦଳ ବାନ୍ଧିଥିଲେ ସେମାନେ ଏକାବେଳକେ ବଦଳି ଗଲେ । ନାଗପୁର କଂଗ୍ରେସର କାର୍ଯ୍ୟ ଦେଖି, ବର୍ଷକ ଭିତରେ ସ୍ୱରାଜ୍ୟ ହେବା ନ ହେବା ପ୍ରଶ୍ନ ଆଉ କାହାରି ମନରେ ରହିଲା ନାହିଁ-। ସମସ୍ତଙ୍କର ବିଶ୍ୱାସ ହେଲା, ବର୍ଷକ ପରେ ସ୍ୱରାଜ୍ୟ ସୁନିଶ୍ଚିତ । କଂଗ୍ରେସ ଶେଷ ହେଲା । ଏକ ନୂତନ ବିଶ୍ୱାସ ଓ ନୂତନ ପ୍ରେରଣା ନେଇ ପ୍ରତିନିଧିମାନେ ନିଜ ନିଜ ପ୍ରଦେଶକୁ ଫେରିଲେ । ପ୍ରତ୍ୟେକଙ୍କ ମନରେ ଏକମାତ୍ର ଭାବ ଫୁଟି ଉଠିଲା, ସେ ଯାଇ କିପରି ସର୍ବାପେକ୍ଷା ବଡ଼ କାମ ଓ ବଡ଼ ତ୍ୟାଗ କରିବେ । ଏହିସବୁ ଘଟଣା ଓ ଦୃଶ୍ୟ ମୋତେ ପ୍ରଭାବିତ କଲା, ଏବଂ ଓଡ଼ିଶାକୁ ଫେରି କାର୍ଯ୍ୟ କରିବା ପାଇଁ ମୋର ଭାବନାକୁ ଦୃଢ଼ୀଭୂତ କଲା । ମୁଁ ଭାବିଲି ଆଉ ଓଡ଼ିଶା ଛାଡ଼ି ବାହାରେ ରହିବା ମୋର ଉଚିତ ନୁହେଁ ।

 

ନାଗପୁର କଂଗ୍ରେସକୁ ଓଡ଼ିଶାର ଅଳ୍ପ କେତେ ଜଣ ପ୍ରତିନିଧି ଯାଇଥାନ୍ତି । ପଣ୍ତିତ ଗୋପବନ୍ଧୁ ଦାସ ଯାଇଥାନ୍ତି ଏହା କହିବା ଅନାବଶ୍ୟକ । ପଣ୍ତିତ ଗୋପବନ୍ଧୁ ଦାସଙ୍କୁ ମହାତ୍ମାଜୀ ଏପର୍ଯ୍ୟନ୍ତ ଦେଖି ନ ଥାନ୍ତି । ଶ୍ରୀଯୁକ୍ତ ଥକ୍କର ପୁରୀକୁ ଆସିଲାଦିନୁ ଗୋପବନ୍ଧୁ ବାବୁଙ୍କ ବିଷୟରେ ମହାତ୍ମାଜୀ ବହୁତ କଥା ଶୁଣିବାକୁ ପାଇଥାନ୍ତି । ନାଗପୁର କଂଗ୍ରେସବେଳେ ଗୋପବନ୍ଧୁ ବାବୁ କିପରି ମହାତ୍ମାଜୀଙ୍କ ସହିତ ଦେଖା ସାକ୍ଷାତ୍ କରିବେ, ଏହି ସୁବିଧା ଟିକକ କରାଇଦେବା ମୁଁ ନିଜର ଗୋଟିଏ କର୍ତ୍ତବ୍ୟ ବୋଲି ଭାବି ନେଲି । ଶେଷରେ ଗୋପବନ୍ଧୁ ବାବୁ ମହାତ୍ମାଜୀଙ୍କ ସହିତ ଦେଖା ସାକ୍ଷାତ୍ କଲେ । ତାହା ପୁଣି ତିନିମିନିଟ୍ ପାଇଁ । କାରଣ, ଅଧିକ ସମୟ ଦେବାକୁ ମହାତ୍ମାଜୀଙ୍କ ସମୟ ନ ଥାଏ । ଏହି ତିନି ମିନିଟ ସାକ୍ଷାତ୍‌ରେ ମତେ ଓଡ଼ିଶା ପଠାଇବା କଥା ଗୋପବନ୍ଧୁ ବାବୁ ମହାତ୍ମାଜୀଙ୍କୁ କହିଲେ । ଏପର୍ଯ୍ୟନ୍ତ ମୁ୍ଁ ନିଜେ ଓଡ଼ିଶାକୁ ଫେରି କାର୍ଯ୍ୟ କରିବା କଥା ମହାତ୍ମାଜୀଙ୍କୁ କହିବାକୁ ସମୟ ପାଇ ନ ଥାଏ । ଅନ୍ୟ କେହି ପଦେ କଥା କହି ଶୁଣାଇବା ଭଳି ସମୟ ନ ଥାଏ । ଏଥିପାଇଁ ମୁଁ ମଧ୍ୟ ସୁବିଧା ଖୋଜୁଥାଏ । ଏହିଠାରେ ସେ କଥା ପଡ଼ିଲାବେଳେ ମହାତ୍ମାଜୀ କହିଲେ, ‘‘ଏକ୍ଷଣି ଗୋବିନ୍ଦ ଓଡ଼ିଶା ଫେରିବା କଥା ବିଚାର କରିବାକୁ ମତେ ସମୟ ନାହିଁ । ସେ ଫେରିବାର ହେଲେ ଆଶ୍ରମରୁ ଫେରି ଆସିବ ।’’ ଏହାପରେ ମୁଁ ବମ୍ବେଇ ହୋଇ ସାବରମତୀ ସତ୍ୟାଗ୍ରହ ଆଶ୍ରମକୁ ଫେରିଗଲି । ସତ୍ୟାଗ୍ରହ ଆଶ୍ରମର ଗୋଟିଏ ଶାଖା ସ୍ଥାପନ କରିବାପାଇଁ, ନାଗପୁରଠାରୁ ମହାତ୍ମାଜୀ ଓ୍ୟାର୍ଦ୍ଧା ଗଲେ । ନାଗପୁରରୁ ବମ୍ୱେଇ ବାଟେ ମୁଁ ସାବରମତୀ ସତ୍ୟଗ୍ରହ ଆଶ୍ରମରେ ଉପସ୍ଥିତ ହେଲି । ଓ୍ୟାର୍ଦ୍ଧାଠାରେ ସତ୍ୟାଗ୍ରହ ଆଶ୍ରମର ଗୋଟିଏ ଶାଖା ସ୍ଥାପନ କରି ମହାତ୍ମାଜୀ ସାବରମତୀକୁ ଫେରିଲେ । ମହାତ୍ମାଜୀ ଆଶ୍ରମକୁ ଫେରିଲା ପରେ ତାହାଙ୍କ ସହିତ କଥା ହୋଇ ମୁଁ ଓଡ଼ିଶାକୁ ଫେରି ଅସହଯୋଗ ବାର୍ତ୍ତା ପ୍ରଚାର କରିବା ସ୍ଥିର କଲି । ଆଶ୍ରମ ଛାଡ଼ି ମୁଁ ବମ୍ବେଇ ଆସିଲି-

 

ନାଗପୁର କଂଗ୍ରେସ ପରେ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାସ ପୂର୍ଣ୍ଣ ପ୍ରାଣରେ ଅସହଯୋଗ ବାର୍ତ୍ତା ପ୍ରଚାର କରୁଛନ୍ତି । କଲିକତା ସ୍କୁଲ କଲେଜରୁ ହଜାର ହଜାର ସଂଖ୍ୟାରେ ଛାତ୍ର ବାହାରି ଆସୁଛନ୍ତି । ଏହି ଛାତ୍ରମାନେ ସ୍କୁଲ କଲେଜ ଛାଡ଼ି କ’ଣ କରିବେ ? ସେମାନଙ୍କୁ କି କାର୍ଯ୍ୟ ଦିଆଯିବ-? ଇତ୍ୟାଦି ବିଷୟରେ ପରାମର୍ଶ କରିବାପାଇଁ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାସ ମହାତ୍ମା ଗାନ୍ଧିଙ୍କୁ କଲିକତା ଆସିବାପାଇଁ ଘନ ଘନ ତା’ର ପଠାଉଅଛନ୍ତି । ଏହି ଆହ୍ୱାନ ପାଇ ମହାତ୍ମାଜୀ କଲିକତା ବାହାରିଲେ । ମୁଁ ତାହାଙ୍କ ସହିତ କଲିକତା ଆସିଲି । କଲିକତାରେ ଏଥର ମହାତ୍ମାଜୀ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାସଙ୍କ ଅତିଥି । ମହାତ୍ମାଜୀଙ୍କ ସହିତ ମୁଁ, ଦେବୀଦାସ ଗାନ୍ଧି ଓ ମହାଦେବ ଦେଶାଇ ଏହିପରି ୩/୪ ଜଣ ଥାଉଁ । କଲିକତାରେ ପହୁଞ୍ଚି ମୋର କଟକ ଚାଲିଆସିବାର କଥା । କିନ୍ତୁ ଏହିଠାରେ ମୋତେ ଗୋଟିଏ ବିଶେଷ କାର୍ଯ୍ୟ କରିବାକୁ ପଡ଼ିଲା । ତାହା ଶେଷ ନ କରି ମୁଁ ମହାତ୍ମାଜୀଙ୍କୁ ଛାଡ଼ି ଆସି ପାରୁ ନାହିଁ ।

 

ମୋର ପୂର୍ବ ପରିଚିତ କୁମିଲା ଅଭୟ ଆଶ୍ରମର ସ୍ଥାପନକର୍ତ୍ତା ଡାକ୍ତର ସୁରେଶଚନ୍ଦ୍ର ବାନାର୍ଜୀ ଓ ଡାକ୍ତର ପ୍ରଫୁଲ୍ଲଚନ୍ଦ୍ର ଘୋଷ ପ୍ରଭୃତି ମହାତ୍ମାଜୀଙ୍କ ସହିତ ଦେଖା କରି ସେମାନଙ୍କ କର୍ମପନ୍ଥା ନିରୂପଣ କରିବାକୁ ଇଚ୍ଛା କଲେ । ଏହି ବିଷୟ ଉଲ୍ଲେଖ କରି ଡାକ୍ତର ପ୍ରଫୁଲ୍ଲ ଘୋଷ ସାବରମତୀ ସତ୍ୟାଗ୍ରହ ଆଶ୍ରମ ଠିକଣାରେ ମୋ ନିକଟକୁ ପତ୍ର ଲେଖିଥିଲେ । ତାହା ମଧ୍ୟ ମୁଁ ମହାତ୍ମାଜୀଙ୍କୁ ଜଣାଇ ଥିଲି । କିନ୍ତୁ ବର୍ତ୍ତମାନ କଲିକତାରେ ମହାତ୍ମାଜୀ ଉପସ୍ଥିତ । ମୁଁ ମଧ୍ୟ ତାହାଙ୍କ ସଙ୍ଗରେ । ଏପରି ଅବସ୍ଥାରେ ଡାକ୍ତର ସୁରେଶଚନ୍ଦ୍ର ବାନାର୍ଜୀ ପ୍ରଭୃତିଙ୍କୁ ମହାତ୍ମାଜୀଙ୍କ ସହିତ ଭେଟ କରାଇ ନ ଦେଇ ମୁଁ ଆସୁଛି କିପରି ? କଲିକତାକୁ ଆସି ମହାତ୍ମାଜୀଙ୍କୁ ମୁହୂର୍ତ୍ତେ ସମୟ ନାହିଁ । ପଦେ କଥା କହିବାକୁ ଅବସର ମିଳୁ ନାହିଁ । ସୁତରାଂ ମୁଁ ସବୁବେଳେ ସମୟ ଓ ସୁବିଧା ଖୋଜୁଛି କିପରି ମହାତ୍ମାଜୀଙ୍କୁ କହି, ଏମାନଙ୍କୁ ଡାକି ଭେଟ କରାଇଦେବି । ଯାହା ହେଉ ଦୁଇ ତିନି ଦିନ କଲିକତାରେ ରହିଲା ପରେ ବଡ଼ କଷ୍ଟରେ ଏମାନଙ୍କୁ ମହାତ୍ମାଜୀଙ୍କ ସହିତ ଭେଟ କରାଇବାପାଇଁ ସମୟ ନିରୂପଣ କରାଇଲି । ଡାକ୍ତର ସୁରେଶଚନ୍ଦ୍ର ବାନାର୍ଜୀ ପ୍ରଭୃତି ସମସ୍ତେ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାସଙ୍କ ଘରେ ଉପସ୍ଥିତ ହେଲେ । ମହାତ୍ମାଜୀଙ୍କ ସହିତ ଏକଘଣ୍ଟା କଥାବାର୍ତ୍ତା ଚାଲିଲା । ସେମାନେ ସମସ୍ତେ ଉଚ୍ଚଶିକ୍ଷିତ, ଗୋଟିଏ ଦଳ ବାନ୍ଧି ଦେଶସେବା କରିବାପାଇଁ ସଂକଳ୍ପ କରିଛନ୍ତି, ଇତ୍ୟାଦି କଥା ଶୁଣି ମହାତ୍ମାଜୀ ବଡ଼ ଆନନ୍ଦିତ ହୋଇଗଲେ । ସେମାନେ ଏଣିକି ଏକତ୍ର ସଂଘବଦ୍ଧ ଭାବରେ ରହିବାର ପ୍ରସ୍ତାବ କରି ଗୋଟିଏ ଅନୁଷ୍ଠାନ ଗଢ଼ିବାର କଥା ପ୍ରକାଶ କଲେ । ସେହି ଅନୁଷ୍ଠାନର ନାମ ହେବ ‘ସବିତାଶ୍ରମ’ । ଆଶ୍ରମ ନାମ ଶୁଣିଲାମାତ୍ରକେ ମହାତ୍ମାଜୀ ଆଶ୍ରମ ବିଷୟରେ ଅନେକ କଥା ବୁଝାଇଲେ । ସବିତାଶ୍ରମ ନାମକୁ ସେ ପସନ୍ଦ କଲେ ନାହିଁ । କାରଣ ସବିତା-ଆଶ୍ରମ ନାମ ଦେଇ ସବିତା ପରି ମନୁଷ୍ୟ ଚରିତ୍ର ଦୀପ୍ତିମାନ୍ ହେବା ଦରକାର । ସବିତା ପରି ଉଜ୍ଜ୍ଵଳ ଓ ଦୀପ୍ତିମାନ୍ ହେବା ପାଇଁ ପ୍ରଥମେ ମନୁଷ୍ୟ ନିର୍ଭୀକ ହେବା ବାଞ୍ଛନୀୟ । ଆମ୍ଭ ଦେଶରେ ଭୀରୁତା ଆମ୍ଭ ଜାତୀୟ ଜୀବନକୁ ଗ୍ରାସ କରି ପକାଇଛି । ଦେଶର ଯୁବକ ପ୍ରଥମେ ଏହି ଭୟକୁ ଅନ୍ତର ମଧ୍ୟରୁ ଏକାବେଳକେ ଦୂର କରିବା ଦରକାର । ଦେଶରେ ଅଭୟ ବାଣୀ ପ୍ରଚାର କରିବାର ଆବଶ୍ୟକତା ଆଜି ବଡ଼ କାର୍ଯ୍ୟ । ସାଧାରଣ ଲୋକେ ଯେଉଁ ଆଦର୍ଶକୁ କଳ୍ପନା କରି ପାରିବେ ନାହିଁ ସବିତାଶ୍ରମ ନାମରେ ସେହିପରି ଗୋଟିଏ ସାଧାରଣ ମନୁଷ୍ୟର କଳ୍ପନାତୀତ ଆଦର୍ଶ ପଛରେ ନ ଗୋଡ଼ାଇ, ଯାହା ଲୋକ ସାଧାରଣ ଅକ୍ଳେଶରେ ବୁଝି ପାରିବେ ସେହିପରି ଗୋଟିଏ ନାମ ରଖିବା ଉଚିତ । ତୁମ୍ଭମାନଙ୍କର ପସନ୍ଦ ହେଲେ ଆଶ୍ରମର ନାମ ‘ଅଭୟାଶ୍ରମ’ ରଖିପାର-ମହାତ୍ମାଜୀଙ୍କ ଏହି ଯୁକ୍ତି ଡାକ୍ତର ସୁରେଶଚନ୍ଦ୍ର ବାନାର୍ଜୀ, ଡାକ୍ତର ପ୍ରଫୁଲ୍ଲ ଘୋଷ ପ୍ରଭୃତି ଅନ୍ତରର ସହିତ ଗ୍ରହଣ କଲେ-। ମହାତ୍ମାଜୀଙ୍କ ପରାମର୍ଶ ଅନୁସାରେ ଅଭୟାଶ୍ରମ ନାମରେ ସେମାନେ ଗୋଟିଏ ଅନୁଷ୍ଠାନ ଗଢ଼ି ଦେଶସେବା କାର୍ଯ୍ୟ କରିବାର ସ୍ଥିର ହେଲା । ଏହି ସବୁ ଆଲୋଚନାରୁ ମୁଁ ମଧ୍ୟ ଅନେକ କଥା ଜାଣି ପାରିଲି । ଏହି କାର୍ଯ୍ୟଟି କରାଇବା ପାଇଁ ମୁଁ କଲିକତାରେ ଦୁଇ ତିନି ଦିନ ରହିଲି । ସେହି କାମ ଏପରି ଭାବରେ ଶେଷ ହେଲା । ବର୍ତ୍ତମାନ କଲିକତା ଛାଡ଼ି ମୁଁ ଓଡ଼ିଶା ଆସିବାର କଥା ।

 

ଏପର୍ଯ୍ୟନ୍ତ ଓଡ଼ିଶାକୁ ଆସି କାର୍ଯ୍ୟ କରିବାକୁ ମନ ସବୁବେଳେ ଉଦ୍‌ବିଗ୍ନ ଥିଲା । ଅଦ୍ୟ ସନ୍ଧ୍ୟାରେ ମତେ କଟକ ଯିବାକୁ ହେବ । ଡାକ୍ତର ସୁରେଶଚନ୍ଦ୍ର ବାନାର୍ଜୀ ପ୍ରଭୃତିଙ୍କୁ ବିଦାୟ ଦେଇ ଫେରିଲା ପରେ, କଟକ ଆସିବା କଥା ମୋ ମନରେ ପଶିଲା । ଓଡ଼ିଶା ଆସିବାକୁ ମନରେ ଯେଉଁ ଆନନ୍ଦ ଜାତ ହେଉଥିଲା ସେ ଆନନ୍ଦ ଆଉ ପାଇଲି ନାହିଁ । ମନ କାହିଁକି ଶୁଖିଯିବାକୁ ଲାଗିଲା । କଟକ ଆସିବା କଥା ମନେ କଲାବେଳକୁ ହୃଦୟ ଶୋକାକୁଳ ହୋଇ ଉଠିଲା । ଏହାର କାରଣ କ’ଣ ? କାରଣ ଅନେକ ଅଛି । ସେ ସମସ୍ତ ଏଠାରେ ଉଲ୍ଲେଖ କରି ପାରୁ ନାହିଁ । ପ୍ରଧାନ କାରଣ ମହାତ୍ମାଜୀଙ୍କ ନିକଟରୁ ଚିରକାଳ ପାଇଁ ଅନ୍ତର ହେବାକୁ ପଡ଼ୁଛି । ଏପର୍ଯ୍ୟନ୍ତ ମୁଁ ଜଣେ ତାଙ୍କର ନିଜର ଅତି ନିକଟ ଓ ପ୍ରିୟ ଲୋକ ଥିଲି । ମୁଁ କ’ଣ କଲି ନ କଲି ସେ କଥା ତାଙ୍କର ଚିନ୍ତାର ବିଷୟ ଥିଲା । କିନ୍ତୁ ଏଣିକି ତାହାଙ୍କ ସହିତ ମୋର ଏଭଳି ନିକଟ ସମ୍ବନ୍ଧ ଆଉ ରହିପାରିବ କି ନାହିଁ ସନ୍ଦେହ । ମହାତ୍ମାଜୀ ଆଉ ମୋର ଭଲ ମନ୍ଦ ଚିନ୍ତା କରିବେ ଅବା କାହିଁକି ? ତାହାଙ୍କ ନିକଟକୁ କେତେ ଲୋକ ଆସୁଛନ୍ତି । ସେ ସମସ୍ତଙ୍କ କଥା ସବୁଦିନ ପାଇଁ ମନେ ରଖିବା ସମ୍ଭବପର ନୁହେଁ । ମୁଁ ପାଖରେ ଥିବାରୁ ସେ ମୋ କଥା ଭାବୁଛନ୍ତି । ମୁଁ ତାହାଙ୍କ ପାଖରୁ ଅନ୍ତର ହୋଇଗଲେ ତାହାଙ୍କ ମନରୁ ଦିନେ ଅନ୍ତର ହୋଇ ଯିବାର ସମ୍ଭାବନା ଅଛି ଏହା ମୁଁ ବୁଝି ପାରୁଥାଏ । ତେଣୁ ମୋର ମନ ଅସ୍ଥିର । ମୋର ମନ ବ୍ୟାକୁଳ ହେବାର ଏହା ଯଥେଷ୍ଟ କାରଣ ନୁହେ କି ?

 

କେବଳ ସେତିକ ନୁହେଁ । ଓଡ଼ିଶାକୁ ଯାଇ କେଉଁଠାରେ ରହିବି, କିପରି କ’ଣ କାର୍ଯ୍ୟ କରିବି ତାହା କିଛି କଳ୍ପନା କରି ପାରୁ ନାହିଁ । ମୋର ଖର୍ଚ୍ଚ କେଉଁଠାରୁ ପାଇବି ଏହା ମଧ୍ୟ ଗୋଟିଏ ପ୍ରଧାନ ଚିନ୍ତା । ପୁଣି ଯାହା କିଛି କରିବି, ତହିଁରେ ମହାତ୍ମାଜୀଙ୍କ ମନ ମାନିବା ଦରକାର । ଓଡ଼ିଶାରେ କାର୍ଯ୍ୟ କରି କିପରି କେତେଦୂର କୃତକାର୍ଯ୍ୟ ହେବି ତାହା ତ କଳ୍ପନା କରି ପାରୁ ନାହିଁ । ଓଡ଼ିଶାର ଗଡ଼ଜାତ ରାଜ୍ୟରେ ମୋର ଘର । ମତେ ଯାହା କିଛି କରିବାକୁ ହେବ ମୋଗଲବନ୍ଦି ରାଜ୍ୟରେ କରିବାକୁ ପଡ଼ିବ । ମୋଗଲବନ୍ଦି ରାଜ୍ୟରେ ମୋର ସଖା ସାଥି କେହି ନାହାନ୍ତି । ଦେଶକାର୍ଯ୍ୟ କରିବାକୁ ହେଲେ ତ୍ୟାଗ ଭାବ ଓ ମନ ବଳ ଦରକାର, ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ । କିନ୍ତୁ ଏହି ଦୁଇଟି ପ୍ରଧାନ ସମ୍ବଳ ହେଲେ ମଧ୍ୟ ଏକମାତ୍ର ସମ୍ବଳ ବୋଲି ମୋର ଜୀବନର ଅନୁଭୂତିରୁ ମୁଁ ଏହା ସ୍ୱୀକାର କରିବାକୁ କୁଣ୍ଠିତ ହେଉଛି । ଲୋକ ସାଧାରଣଙ୍କ ସେବା କରିବାକୁ ହେଲେ ପଛକୁ ଧନବଳ ଓ ଲୋକବଳ ଥିଲେ କାର୍ଯ୍ୟ କରିବାକୁ ପଥ କେତେଦୂର ସରଳ ଓ ସହଜ ହୁଏ ତାହା ପ୍ରତ୍ୟେକ ଦେଶସେବକ ହୃଦୟଙ୍ଗମ କରୁଛନ୍ତି । କିନ୍ତୁ ଏ ସବୁ ମୋର କିଛି ନାହିଁ । ମୁଁ ଜଣେ ନିହାତି ଅଜଣା ଅଶୁଣା ଲୋକ । ଏପରି ଅବସ୍ଥାରେ ଓଡ଼ିଶା ପରି ଦେଶରେ କାର୍ଯ୍ୟ କରି କିପରି କୃତକାର୍ଯ୍ୟ ହେବି ଏହି ଚିନ୍ତା ମଧ୍ୟ ମନକୁ ଅସ୍ଥିର କରୁଛି । ଏହିପରି ନାନା କାରଣରୁ ଓଡ଼ିଶା ଆସିବା ଆଗରୁ ମନରେ ଯେତେ ଉତ୍ସାହ ଥିଲା ସେ ଉତ୍ସାହ କମି ଯାଉଛି । ଯାହା ହେଉ ମତେ ସେହିଦିନ ସନ୍ଧ୍ୟା ଗାଡ଼ିରେ କଟକ ଯାତ୍ରା କରିବାକୁ ହେବ । ଦିନ ତିନିଟାରୁ ମହାତ୍ମାଜୀ ଦେଶବନ୍ଧୁ ଚିତ୍ତରଞ୍ଜନ ଦାସଙ୍କ ସହିତ ଗୋଟିଏ ସଭାକୁ ବାହାରିବାକୁ ଉଦ୍ୟତ ହେବା ସମୟରେ ମୁଁ ତାହାଙ୍କ ଠାରୁ ବିଦାୟ ନେବାକୁ ଉପସ୍ଥିତ ହେଲି । ତାହାଙ୍କଠାରୁ ବିଦାୟ ନେଲାବେଳେ ମହାତ୍ମାଜୀ ମୋ ପିଠିରେ ଗୋଟିଏ ଚାପୁଡ଼ା ପକାଇ କହିଥିଲେ, ‘‘ଯାଓ, ଆଚ୍ଛି ତର୍‌ହେ କାମ୍ କରୋ, ଅଔର ମେରେକୋ ତୁମ୍ହାର ହକିକତ ଲିଖତେ ରହୋ ।’’ ଅର୍ଥାତ୍ ‘‘ଯାଅ, ଭଲ କରି କାମ କର, ଓ ମତେ ବରାବର ତୋର କଥା ଲେଖିବୁ ।’’

Image

 

ଦ୍ଵିତୀୟ ପରିଚ୍ଛେଦ

ଓଡ଼ିଶାରେ ଅସହଯୋଗ ପ୍ରଚାର

 

୧୯୨୧ ମାସ ଫେବୃଆରୀ ମାସରେ ଅସହଯୋଗ ବାର୍ତ୍ତା ପ୍ରଚାର କରିବା ପାଇଁ ମୁଁ କଟକରେ ଉପସ୍ଥିତ ହେଲି । କଟକରେ ପଣ୍ତିତ ଦୀନବନ୍ଧୁ ପଣ୍ତା ଦୁଇ ଚାରୋଟି ଦଶପଲ୍ଲାର ଛାତ୍ରଙ୍କୁ ଧରି ରହିଥାନ୍ତି । ମୁଁ ତାହାଙ୍କ ବସାରେ ଆସି ରହିଲି । କଟକରେ ସ୍ୱରାଜ ଆଶ୍ରମ ସ୍ଥାପିତ ହୋଇ ନାହିଁ । କଂଗ୍ରେସ କମିଟି ଗଠନ କରାଯାଇ ନାହିଁ । ଅସହଯୋଗ ଆନ୍ଦୋଳନ ଓଡ଼ିଶାରେ କିପରି ଭାବରେ ପ୍ରଚାର କରିବାକୁ ହେବ ସେଥିପାଇଁ ସଂଗଠିତ ଭାବରେ କୌଣସି ଚିନ୍ତା କରାଯାଇ ନାହିଁ-। ପଣ୍ତିତ ଗୋପବନ୍ଧୁ ଦାସ କଟକରେ ଅଛନ୍ତି । କାଠଯୋଡ଼ି ନଦୀ ବାଲିରେ ସଭା ଦୁଇ ଚାରୋଟି ହୋଇ ଯାଇଛି । ଓଡ଼ିଶାର ଏକମାତ୍ର ରାଜନୈତିକ ଅନୁଷ୍ଠାନ ଉତ୍କଳ ସମ୍ମିଳନୀ ଚକ୍ରଧରପୁର ବୈଠକରେ କଂଗ୍ରେସର ଆଦର୍ଶକୁ ଗ୍ରହଣ କରିଛି । ନାଗପୁର କଂଗ୍ରେସରୁ ଫେରି ଚକ୍ରଧରପୁର ଠାରେ ପଣ୍ତିତ ଗୋପବନ୍ଧୁ ଓଡ଼ିଶା ଓ ଓଡ଼ିଆ ଜାତିକୁ ଅସହଯୋଗ ଦୀକ୍ଷାରେ ଦୀକ୍ଷିତ କରାଇ ଅଛନ୍ତି । ଏହି ସବୁ ସଂବାଦ ମୁଁ ଶୁଣିଛି । କିପରି କାର୍ଯ୍ୟ କରିବାକୁ ହେବ ଏ ବିଷୟରେ ଗୋପବନ୍ଧୁ ବାବୁଙ୍କ ସହିତ କଥାବାର୍ତ୍ତା କରୁଛି ।

 

କଟକରେ ଗୋଟିଏ ଛାତ୍ରାବାସ ଥାଏ । ତାହାର ନାମ ସତ୍ୟବାଦୀ ମେସ୍ । ଗୋପବନ୍ଧୁ ବାବୁଙ୍କ ସତ୍ୟବାଦୀ ସ୍କୁଲରୁ ପାସ କରି ଯେଉଁ ଛାତ୍ରମାନେ କଲେଜରେ ଅଧ୍ୟୟନ କରୁଥାନ୍ତି ସେମାନଙ୍କ ମଧ୍ୟରୁ କେତେକ ବଛା ବଛା ଛାତ୍ର ଏହି ଛାତ୍ରାବାସ ସ୍ଥାପନ କରିଥାନ୍ତି । ସତ୍ୟବାଦୀ ଶିକ୍ଷାକେନ୍ଦ୍ରର ମୌଳିକ ଜୀବନ ଧାରା ସହିତ ନିଜ ଜୀବନକୁ ସଂଯୋଗ କରି ଭବିଷ୍ୟତ ଦେଶସେବା ପାଇଁ ସ୍ୱାଧୀନ ଭାବରେ ଚିନ୍ତା କରିବାର ଅନୁକୂଳ ପରିସ୍ଥିତି ଲାଭ କରିବା ଇଚ୍ଛାରେ ଏହି ଛାତ୍ରାବାସଟି ସଂଗଠିତ ହୋଇଥାଏ । ସତ୍ୟବାଦୀ ସ୍କୁଲର ଶିକ୍ଷକମାନେ କଟକ ଆସିଲେ ଏହିଠାରେ ରହନ୍ତି ଓ ଗୋପବନ୍ଧୁ ବାବୁ ମଧ୍ୟ ସେହିଠାରେ ରହନ୍ତି । ଏହି ମେସରେ ଥିବା ଛାତ୍ରମାନଙ୍କ ମଧ୍ୟରୁ ଅଧିକାଂଶ ଅସହଯୋଗ ଆନ୍ଦୋଳନରେ ଯୋଗ ଦେବା ପାଇଁ ସଂକଳ୍ପ କରି କଲେଜ ପରିତ୍ୟାଗ କଲେ । ଗୋପବନ୍ଧୁ ବାବୁ ଏହି ଛାତ୍ରାବାସଟିକୁ ସ୍ୱରାଜ୍ୟ ଆଶ୍ରମରେ ପରିଣତ କଲେ । ଏହିପରି ଭାବରେ କଟକରେ ପ୍ରଥମ ହୋଇ ଓଡ଼ିଶାରେ ଗୋଟିଏ ସ୍ୱରାଜ୍ୟ ଆଶ୍ରମ ସ୍ଥାପିତ ହେଲା । ଓଡ଼ିଶାର ବିଭିନ୍ନ ଜିଲାରୁ ଛାତ୍ର ଓ ଅନ୍ୟାନ୍ୟ ଶିକ୍ଷିତ ଯୁବକ ଯେଉଁମାନେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେବାକୁ ଇଚ୍ଛୁକ, ସେମାନେ ସମସ୍ତେ ଆସି ପ୍ରଥମେ ଏହି ଆଶ୍ରମରେ ଯୋଗ ଦେଲେ । ଏହିମାନଙ୍କୁ ନେଇ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନ ଚଳାଇବା କାର୍ଯ୍ୟ ଆରମ୍ଭ ହେଲା । ବିଭିନ୍ନ ଜିଲାରେ ବୁଲି କାମ କରିବା ପୂର୍ବରୁ ଏହିଠାରେ କର୍ମୀମାନଙ୍କୁ କିଛି ଶିକ୍ଷା ଦେବା ଦରକାର । ଏଥିପାଇଁ ଗୋଟିଏ ଟ୍ରେନିଙ୍ଗ୍ କ୍ଳାସ ବସିଲା । ମଫସଲରେ କିପରି କାମ କରିବାକୁ ହେବ, ସେ ବିଷୟରେ ଗୋପବନ୍ଧୁ ବାବୁ ବହୁତ କଥା କର୍ମୀମାନଙ୍କୁ ବୁଝାଇ କହନ୍ତି । ଏହି କର୍ମୀମାନଙ୍କୁ ସୂତାକଟା ଓ ହିନ୍ଦୀ ଭାଷା ଶିଖେଇବା ଭାର ମୋ ଉପରେ ଥାଏ । ପଣ୍ତିତ ଦୀନବନ୍ଧୁ ପଣ୍ତାଙ୍କ ବସା ଛାଡ଼ି ମୁଁ କଟକ ସ୍ୱରାଜ୍ୟ ଆଶ୍ରମରେ ରହିଲି । ଆଶ୍ରମରେପ୍ରାୟ ଶହେ ଜଣ କର୍ମୀ ରହି ଖାଉଥାନ୍ତି । କଟକ ସହରରୁ ମୁଷ୍ଟିଭିକ୍ଷା ହୋଇ ଆଶ୍ରମରେ ଚଳେ । ଆଶ୍ରମର ଖାଦ୍ୟ ପଞ୍ଚବର୍ଣ୍ଣୀ ଚାଉଳ ।

 

ମୁଁ ଆଶ୍ରମରେ ରହିଲି । ମୋ ଉପରେ ଯେଉଁ କାର୍ଯ୍ୟ ଭାର ରହିଲା ତାହା ମୁଁ ନିୟମିତ ରୂପେ କରେ । ଏହାଛଡ଼ା କଟକ ସହରର ବିଭିନ୍ନ ବଜାରରେ ସଭା କରି ଅସହଯୋଗ ବାର୍ତ୍ତା ଓ କଂଗ୍ରେସ କଥା ପ୍ରଚାର କରିବା ମଧ୍ୟ ମୋର ହେଲା ଆଉ ଗୋଟିଏ କାମ । ମୁଁ ଏପର୍ଯ୍ୟନ୍ତ ସଭା ସମିତିରେ ଠିଆ ହୋଇ କହି ନାହିଁ । ସଭାରେ ବକ୍ତୃତା ଦେବାକୁ ସବୁବେଳେ ମୋର ମନ ହମ ହମ ହେଉଥିଲେ ମଧ୍ୟ ସାହସ ହୁଏ ନାହିଁ । କଟକ ଜଗନ୍ନାଥ ବଲ୍ଲଭରେ ଗୋଟିଏ ସଭା ହେଲା । ପଣ୍ତିତ ଗୋପବନ୍ଧୁ ବାବୁ ସେ ସଭାରେ ଉପସ୍ଥିତ ଥିଲେ । ମତେ ସେଠାରେ କିଛି କହିବାକୁ ଗୋପବନ୍ଧୁ ବାବୁ ଆହ୍ୱାନ କଲେ । ମୁଁ ଦେଖିଲି, ସଭାସ୍ଥ ଲୋକେ ମଧ୍ୟ ମତେ ଦେଖିବାକୁ ଓ ମୋ କଥା ଶୁଣିବାକୁ ଟିକିଏ ଆଗ୍ରହାନ୍ୱିତ । ମୁଁ ଗାନ୍ଧିଜୀଙ୍କ ପାଖରୁ ଆସିଛି । ପଞ୍ଜାବ ଅତ୍ୟାଚାର ନିଜ ଆଖିରେ ଦେଖି ଆସିଛି । ଏଥିପାଇଁ ମତେ ଦେଖିବା ସକାଶ ଓ ମୋ କଥା ଶୁଣିବା ଲାଗି ଆଗ୍ରହ । ଗୋପବନ୍ଧୁ ବାବୁଙ୍କ ଆଗରେ ଠିଆ ହୋଇ କହିବାକୁ ମତେ ଭାରି ଡର ଲାଗୁଥାଏ । ଯାହା ହେଉ ମୁଁ ଠିଆ ହେଲି । କିନ୍ତୁ କିଛି କହି ପାରିଲି ନାହିଁ । ଇତି ମଧ୍ୟରେ ସନ୍ଧ୍ୟା ଆଳତି ପାଇଁ ଜଗନ୍ନାଥ ବଲ୍ଲଭ ଦେଉଳରେ ଘଣ୍ଟା ବାଜିଲା । ଦେଉଳ ହତାରେ ସଭା । ତେଣୁ ଘଣ୍ଟା ଶବ୍ଦ ବନ୍ଦ ହେବା ପର୍ଯ୍ୟନ୍ତ ବକ୍ତୃତା ବନ୍ଦ କରିବାକୁ ହେଲା । ଏହି ଅବସରରେ ମୁଁ ନିଜକୁ ଟିକିଏ ଟାଣ କରିଦେଲି । ସାଧାରଣ ସଭାରେ ଠିଆ ହୋଇ ପ୍ରଥମେ କିଛି କହିବାକୁ ଉଦ୍ୟମ କଲାବେଳେ ମନୁଷ୍ୟ ମନରେ ଯେଉଁ ସଂକୋଚ ଭାବ ଜାଗି ଉଠେ, ମୋ ମନରେ ସେହିପରି ଭାବ ଆସିଥିଲା । ମୁଁ ତାହାକୁ ଦୂର କରିଦେଇ ମନକୁ ଟାଣ କରିଦେବା ପାଇଁ ଅବସର ପାଇ ସଭାରେ ପୁଣି ଆଉଥରେ ଠିଆ ହେଲି । ପଞ୍ଜାବ ଅତ୍ୟାଚାର ଓ ଖିଲାଫତ୍ ସମସ୍ୟା ନେଇ ଅନେକ କଥା କହିଲି । ସଭାରେ ଠିଆ ହୋଇ କହିଲାବେଳେ ମୁଁ କ’ଣ କହିଛି ତା’ର ଜ୍ଞାନ ମୋର ନ ଥିଲା ବୋଲି କହିଲେ ଚଳିବ । କାରଣ ଏହା ହେଉଛି ମୋର ଜୀବନରେ ଗୋଟିଏ ନୂଆ-କଥା । ଯାହା ହେଉ ମୋର ସେହି ବକ୍ତୃତାଟି ଭଲ ହୋଇଥିଲା । ପଞ୍ଜାବ ଅତ୍ୟାଚାରର ବିବରଣୀ କଟକ ସହରରେ ଗୋଟାଏ ଚହଳ ପକାଇ ଦେଇଥିବାର ମୁଁ ପରେ ଜାଣିଲି । ଏଣିକି କଟକ ସହରରେ ନୂଆ କରି ଯେଉଁଠାରେ ସଭା ହୁଏ ସେଠାରେ ମୋଠାରୁ ପଞ୍ଜାବର ଦାରୁଣ କାହାଣୀ ଶୁଣିବା ଇଚ୍ଛାରେ ବହୁତ ଲୋକ ଜମା ହୁଅନ୍ତି । ମୁଁ ଅତି ମୋଟା ଖଦଡ଼ ପୋଷାକ ପିନ୍ଧିଥାଏ । ଖଦଡ଼ର ଗୋଟିଏ ଟୋପି ସବୁବେଳେ ମୁଣ୍ଡରେ ବ୍ୟବହାର କରେ । ଖଦଡ଼ ସେତେବେଳେ ଓଡ଼ିଶାରେ ଅପୂର୍ବ । ମୋଠାରୁ ଖଣ୍ତିଏ ପୁରୁଣା ଖଦଡ଼ କୁରୁତା ନିଜେ ଗୋପବନ୍ଧୁ ବାବୁ ନେଇ ପିନ୍ଧିବାକୁ ଆଗ୍ରହ ପ୍ରକାଶ କରିଥିଲେ ଏବଂ ବାସ୍ତବରେ ମଧ୍ୟ ତାହା କରିଥିଲେ । ସୁତରାଂ ମୋର ଏହି ଅପୂର୍ବ ଖଦଡ଼ ପୋଷାକ ସାଙ୍ଗକୁ ପଞ୍ଜାବ ଅତ୍ୟାଚାରର ବର୍ଣ୍ଣନା ଖୁବ ଖାପ ଖାଉଥିଲା । ମୋର ପୋଷାକ ଓ ବକ୍ତୃତା ସମସ୍ତଙ୍କ ଦୃଷ୍ଟିକି ଟିକିଏ ଆକର୍ଷଣ କରୁଥିଲା । ସେତେବେଳର ‘The Oriya’ ନାମକ ସାପ୍ତାହିକ ପତ୍ରିକା ଲେଖିଥିଲା, ‘‘Govindji with his picturesque Khaddar dress has stepped in after Pandit Gopabandhu Das in the Town of Cuttack to preach the gospel of N.C.O. movement.’’ ଅର୍ଥାତ୍ ଗୋପବନ୍ଧୁ ବାବୁଙ୍କ ପଛକୁ ଗୋବିନ୍ଦଜୀ ଗୋଟିଏ ସୁନ୍ଦର ଖଦଡ଼ ପୋଷାକ ପିନ୍ଧି କଟକ ସହରରେ ଅସହଯୋଗ ଆନ୍ଦୋଳନର ବାର୍ତ୍ତା ପ୍ରଚାର କରିବାକୁ ବାହାରିଛନ୍ତି ।

 

ସେ ଯାହା ହେଉ ଏଣିକି ଏହିପରି ଭାବରେ ବକ୍ତୃତା ଦେଇ ବୁଲିବା ମୋର ଗୋଟିଏ କର୍ତ୍ତବ୍ୟ ହେଲା । କଟକରେ ପ୍ରତି ବଜାରରେ ସଭା ହୁଏ । ପ୍ରାୟ ପ୍ରତି ସଭାରେ ମତେ କିଛି ନା କିଛି କହିବାକୁ ପଡ଼େ । ଏଣିକି ସଭାରେ ଠିଆ ହୋଇ କହିବାକୁ ମନ ଦବି ଯାଉ ନାହିଁ ବରଂ ଜିହ୍ୱାକଣ୍ତୁ ଆରମ୍ଭ ହେଉଛି । ମୋର ବିଶ୍ୱାସ, କିଛିଦିନ କହିବାର ଅଭ୍ୟାସ ପଡ଼ିଗଲେ ସଭା ସମିତିରେ କିଛି କହିବା ସହଜ ହୁଏ ।

 

ଓଡ଼ିଶାରେ ରାଜନୈତିକ ଜୀବନର ଚିହ୍ନ ନ ଥିଲା । କଂଗ୍ରେସର ନାମ ସାଧାରଣ ଲୋକେ ଶୁଣି ନ ଥିଲେ । ଦେଶପାଇଁ କାମ କରିବା, ଘରର ମାୟା ମମତା କାଟିବା, ଅତି ଦୁଃଖ କଷ୍ଟରେ କାମ କରିବା ଇତ୍ୟାଦି କଳ୍ପନା ଓଡ଼ିଶା ଲୋକଙ୍କୁ ସ୍ପର୍ଶ କରିଛି କି ନାହିଁ ସନ୍ଦେହ । ଅସହଯୋଗ ଆନ୍ଦୋଳନ ହେଉଛି ଓଡ଼ିଶାର ପ୍ରଥମ ରାଜନୈତିକ ଆନ୍ଦୋଳନ । ଏହି ୧୯୨୧ ମସିହାରୁ ଓଡ଼ିଶାରେ କଂଗ୍ରେସ ଜୀବନ ଆରମ୍ଭ ହୁଏ । କଂଗ୍ରେସ ମଧ୍ୟ ଭାଷାସୂତ୍ରରେ ଉତ୍କଳକୁ ଗୋଟିଏ ସ୍ୱତନ୍ତ୍ର ପ୍ରଦେଶ ବୋଲି ସ୍ୱୀକାର କରିଛି । ଏ ପର୍ଯ୍ୟନ୍ତ କଂଗ୍ରେସ ସଂଗଠନରେ ଉତ୍କଳର କୌଣସି ସ୍ୱାତନ୍ତ୍ର୍ୟ ନ ଥିଲା । ବିହାର-ଓଡ଼ିଶା ପ୍ରଦେଶକୁ କଂଗ୍ରେସ ମଧ୍ୟ ଗୋଟିଏ ପ୍ରଦେଶ ଆକାରରେ ଦେଖୁଥିଲା । ମାତ୍ର ନାଗପୁର କଂଗ୍ରେସ ପରେ ଭାରତର ପ୍ରତ୍ୟେକ ପ୍ରଦେଶ ଭାଷାସୂତ୍ରରେ ଗଠନ କରିବାର ନିୟମ କଂଗ୍ରେସର ନିୟମାବଳୀରେ ଆବଦ୍ଧ ହେଲା । ତେଣୁ ଉତ୍କଳରେ କଂଗ୍ରେସର ମୂଳଭିତ୍ତି ସ୍ଥାପନ କରିବାର କଥା । ଏହା କରିବାକୁ ହେଲେ ଥାନା, ସବ୍‌ଡିଭିଜନ, ଜିଲ୍ଲା ଓ ପ୍ରାଦେଶିକ କଂଗ୍ରେସ କମିଟିମାନ ଗଠନ କରିବାକୁ ହେବ । ଏହିପରି ଭାବରେ ତଳୁ ଉପର ପର୍ଯ୍ୟନ୍ତ ଗଢ଼ି, ନିଖିଳ ଭାରତ କଂଗ୍ରେସ କମିଟିକୁ ସଭ୍ୟ ବାଛି ନ ଦେବା ପର୍ଯ୍ୟନ୍ତ ଉତ୍କଳ କଂଗ୍ରେସ କମିଟି ପୂର୍ଣ୍ଣାବୟବ ପ୍ରାପ୍ତ ହେବ ନାହିଁ । ଏଥିପାଇଁ ପ୍ରତି ଜିଲ୍ଲା ଓ ସବ୍‌ଡିଭିଜନ ପାଇଁ କର୍ମୀ ଲୋଡ଼ା । ଜଣେ ଜଣେ ବିଶିଷ୍ଟ ବୟସ୍କ ବ୍ୟକ୍ତି ବାଛି ସେମାନଙ୍କ ଉପରେ କୌଣସି ନିର୍ଦ୍ଦିଷ୍ଟ ଜିଲ୍ଲା ଓ ସବ୍‌ଡିଭିଜନର ଭାର ଅର୍ପଣ କରିବା ଦରକାର । ସୁତରାଂ ଭିନ୍ନ ଭିନ୍ନ ଜିଲ୍ଲା ଓ ଭିନ୍ନ ଭିନ୍ନଅଞ୍ଚଳ ଭିନ୍ନ ଭିନ୍ନ କର୍ମୀଙ୍କ ଉପରେ ଅର୍ପଣ କରାଗଲା । ବାବୁ ହରେକୃଷ୍ଣ ମହତାବ ବାଲେଶ୍ୱର ଜିଲ୍ଲାର ଭାର ଗ୍ରହଣ କଲେ । ବାବୁ ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ଗଞ୍ଜାମ ଜିଲ୍ଲାର ଭାର ରହିଲା । ସମ୍ବଲପୁର ଭାର ପଣ୍ତିତ ନୀଳକଣ୍ଠ ଦାସ ଗ୍ରହଣ କଲେ । ସିଂହଭୂମି ବାବୁ ଗୋଦାବରୀଶ ମିଶ୍ରଙ୍କ ଉପରେ ରହିଲା । ମୁଁ, ବାବୁଯଦୁମଣି ମଙ୍ଗରାଜ, ଡାକ୍ତର ଅଟଳବିହାରୀ ଆଚାର୍ଯ୍ୟ ଓ ଦୟାନିଧି ସ୍ୱାଇଁ ଆମେ ଚାରିଜଣ କଟକଜିଲ୍ଲା ଭାର ଗ୍ରହଣ କଲୁ । ବାବୁ ଯଦୁମଣି ମଙ୍ଗରାଜ କେନ୍ଦ୍ରାପଡ଼ା ସବ୍‌ଡିଭିଜନ, ଦୟାନିଧି ସ୍ୱାଇଁ ଯାଜପୁର ସବ୍‌ଡିଭିଜନ ଓ ମୁଁ ସଦର ସବ୍‌ଡିଭିଜନର ଭାର ନେଲୁଁ । ପୁଣି ମୁଁ ଓ ଡାକ୍ତର ଅଟଳବିହାରୀ ଦୁହେଁ ଏକତ୍ର କଟକ ଆଶ୍ରମ ପରିଚାଳନାର ଭାର ଗ୍ରହଣ କଲୁଁ । ଉତ୍କଳରେ କଂଗ୍ରେସ ଅନୁଷ୍ଠାନ ଗଢ଼ିବାର କଳ୍ପନା ଓ ସଂକଳ୍ପକୁ କାର୍ଯ୍ୟରେ ପରିଣତ କରିବାର ଚେଷ୍ଟା ଏହି ପ୍ରକାରେ ଚାଲିଲା । ମୁଁ କଟକ ସ୍ୱରାଜ୍ୟ ଆଶ୍ରମରେ ଆସି ରହିଲି । ଆଶ୍ରମରେ ଥିବା ସ୍ୱୟଂସେବକମାନଙ୍କୁ ଶିକ୍ଷାଦେବା ଓ କଟକ ସହରରେ କଂଗ୍ରେସ ବାର୍ତ୍ତା ପ୍ରଚାର କରିବା ହେଲା ମୋର ମୁଖ୍ୟ କର୍ମ ।

Image

 

ତୃତୀୟ ପରିଚ୍ଛେଦ

ମହାତ୍ମା ଗାନ୍ଧୀଙ୍କ ଉତ୍କଳ ଆଗମନ

 

୧୯୨୧ ମାର୍ଚ୍ଚ ୨୪ ତାରିଖ ସକାଳେ ମହାତ୍ମା ଗାନ୍ଧି ସର୍ବପ୍ରଥମେ ଓଡ଼ିଶାକୁ ପଦାର୍ପଣ କଲେ । ଅସହଯୋଗ ବାର୍ତ୍ତା ପ୍ରଚାର କରିବାପାଇଁ ମହାତ୍ମାଜୀ ଭିନ୍ନ ଭିନ୍ନ ପ୍ରଦେଶରେ ପରିଭ୍ରମଣ କରୁଛନ୍ତି । ଏହି ଉଦ୍ଦେଶ୍ୟରେ ମଧ୍ୟ ଓଡ଼ିଶାକୁ ଶୁଭାଗମନ କରିଛନ୍ତି । ପୁରୀ, କଟକ, ବାଲେଶ୍ୱର ଓ ଗଞ୍ଜାମ ହୋଇ ଓଡ଼ିଶାରେ ମାତ୍ର ୫ ଦିନ ତାହାଙ୍କର ରହଣି ହେଲା । ଏହିଠାରୁ ସେ ଆନ୍ଧ୍ର ପ୍ରଦେଶକୁ ଗଲେ । ବେଜଓ୍ୟାଡ଼ାଠାରେ ନିଖିଳ ଭାରତ କଂଗ୍ରେସ କମିଟିର ବୈଠକ ହୋଇ ବେଜଓ୍ୟାଡ଼ା କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହେଲା । ଏହି କାର୍ଯ୍ୟକ୍ରମ ଅନୁସାରେ ଜୁନ୍ ତା ୩୦ ରିଖ ଭିତରେ ଏକ କୋଟି କଂଗ୍ରେସ ସଭ୍ୟ ଓ ଏକ କୋଟି ତିଳକ ସ୍ୱରାଜ୍ୟ ପାଣ୍ଠି ପାଇଁ ଟଙ୍କା ସଂଗ୍ରହ କରିବାକୁ ହେବ । ଓଡ଼ିଶା ଅଂଶରେ ମଧ୍ୟ ପ୍ରାୟ ତିନି ଲକ୍ଷ କଂଗ୍ରେସ ସଭ୍ୟ ଓ ତିନି ଲକ୍ଷ ଟଙ୍କା ଭାଗ ପଡ଼ିଲା । ଏହି ଭାଗକୁ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ବାଣ୍ଟ କରି ଦିଆଗଲା । ସୁତରାଂ ବର୍ତ୍ତମାନ ଅସହଯୋଗ ଆନ୍ଦୋଳନର ମୁଖ୍ୟ କାର୍ଯ୍ୟ ହେଲା, କଂଗ୍ରେସ ସଭ୍ୟ ସଂଗ୍ରହ କରିବା ଓ ତିଳକ ସ୍ୱରାଜ୍ୟ ପାଣ୍ଠିପାଇଁ ଚାନ୍ଦା ଆଦାୟ କରିବା ।

 

ଏହା କରିବାକୁ ହେଲେ ସହର ଛାଡ଼ି ମଫସଲକୁ ଯାଇ କାମ କରିବାକୁ ହେବ । ମହାତ୍ମା ଗାନ୍ଧି ତାଙ୍କର ‘ୟଙ୍ଗ ଇଣ୍ତିୟା’ କାଗଜରେ ପ୍ରକାଶ କଲେ ଯେ, ପ୍ରତ୍ୟେକ କର୍ମୀ ଦିନ ଶେଷରେ ସେଦିନ ସେ କେତେଜଣ କଂଗ୍ରେସ ସଭ୍ୟ ଓ କେତେ ଟଙ୍କା ତିଳକ ସ୍ୱରାଜ୍ୟ ପାଣ୍ଠି ପାଇଁ ଆଦାୟ କଲା ବୋଲି ଚିନ୍ତା କରୁ । ମହାତ୍ମାଜୀଙ୍କ ଏହି ପ୍ରକାର ଲେଖା ପ୍ରତ୍ୟେକ କର୍ମୀର ମନରେ ଗୋଟାଏ ନୂତନ କର୍ମପ୍ରେରଣା ଭାବ ଜାଗ୍ରତ କଲା । ପ୍ରତ୍ୟେକ କର୍ମୀ ଭାବିଲା ସେ କିପରି ଅନ୍ୟଠାରୁ ବେଶି କାମ କରି ଦେଖାଇବ । ଏହିପରି କର୍ମ ପରିମାଣରେ ନ୍ୟୂନାଧିକ୍ୟ ଦେଖାଇବା ପାଇଁ କର୍ମୀମାନଙ୍କ ମନରେ ପ୍ରତିଦ୍ୱନ୍ଦ୍ୱିତାଭାବ ଆସିଲା ପରି ବୋଧ ହେଲା । କାହା ମନକଥା ମୁଁ କହି ନ ପାରେ । କିନ୍ତୁ ମୋ ମନରେ ଏପରି ଭାବ ଆସିଥିଲା । ମୁଁ କିପରି ସମସ୍ତଙ୍କଠାରୁ ଅଧିକ କାମ କରି ଦେଖାଇ ପାରିବି ଏହିପରି ଭାବ ସବୁବେଳେ ମୋ ମନରେ ଜାଗି ଉଠିଲା । ସୁତରାଂ କର୍ମକ୍ଷେତ୍ରରେ ମୁଁ ନିଜକୁ ଭୁଲି କାମ କରିବାକୁ ଲାଗିଲି । ମୁଁ କଟକ ସଦର ସବ୍‌ଡିଭିଜନର ଭିନ୍ନ ଭିନ୍ନ ଅଞ୍ଚଳକୁ ଯାଇ ଗ୍ରାମେ ଗ୍ରାମେ ବୁଲି ସଭା କରି ଲୋକଙ୍କୁ କଂଗ୍ରେସ ବାର୍ତ୍ତା ଶୁଣାଇବା, କଂଗ୍ରେସ ସଭ୍ୟ ସଂଗ୍ରହ କରିବା ଇତ୍ୟାଦି କାମରେ ନିଜକୁ ଭସାଇ ଦେଲି । ସେତେବେଳେ ଅସହଯୋଗ ଆନ୍ଦୋଳନ ଦେଶରେ ଗୋଟାଏ ନୂଆ କଥା । ମହାତ୍ମା ଗାନ୍ଧିଙ୍କୁ ଲୋକେ ଜଣେ ଅବତାର ପୁରୁଷ ବୋଲି ଜ୍ଞାନ କରିଛନ୍ତି । କଂଗ୍ରେସ କଥା ଲୋକେ ଶୁଣନ୍ତି, କିନ୍ତୁ ସବୁ କଥାକୁ ଲୋକେ ଗାନ୍ଧି ସଭା ଓ ଗାନ୍ଧି କଥା ବୋଲି ବୁଝନ୍ତି । ସଭାମାନଙ୍କରେ କିଛି କିଛି ପଇସା ଆଦାୟ ହୁଏ, କିନ୍ତୁ କଂଗ୍ରେସ ସଭ୍ୟ ହେବା କଥା କହିଲା ବେଳକୁ କେହି ଶୁଣନ୍ତି ନାହିଁ । ଲୋକେ କହନ୍ତି, ‘‘ଆମେ କ’ଣ ମେମ୍ବର ହେବୁ, ଆମେ ମେମ୍ବର ହେବା ପାଇଁ ଉପଯୁକ୍ତ ନୋହୁଁ ।’’

 

ମୁଁ ଦେଖିଲି, ମଫସଲରେ ବୁଲି ସଭା କରିବା କଠିନ ନୁହେଁ । ତିଳକ ସ୍ୱରାଜ୍ୟ ପାଣ୍ଠି ପାଇଁ କିଛି ପଇସା ଆଦାୟ କରିବା ମଧ୍ୟ କଠିନ ନୁହେ । ମଫସଲର ଚାନ୍ଦା ଶହ ହଜାର ନ ହେଲେ ମଧ୍ୟ ପ୍ରତି ସଭା ଓ ପ୍ରତି ଗ୍ରାମରୁ କିଛି ନା କିଛି ଆଦାୟ ହୁଏ । ଯାହା ହୁଏ, ତଦ୍ଦ୍ୱାରା ଅନ୍ୟଠାରୁ ମୁଁ ଅଧିକ କାମ କରି ପାରୁଥିବାର ବିଶ୍ୱାସ ମୋର ହୁଏ ନାହିଁ । କଂଗ୍ରେସ ମେମ୍ବର ସଂଖ୍ୟା ତ ଅତି କମ । କାଗଜରେ ପାଠ କରେ, ମହତାବ ଓ ମଙ୍ଗରାଜ ଦିନକୁ ଏତେ ମେମ୍ବର କରୁଛନ୍ତି ଓ ଏତେ ଟଙ୍କା ତିଳକ ପାଣ୍ଠି ପାଇଁ ଆଦାୟ କରୁଛନ୍ତି । ଏହିପରି ସଂବାଦ ପାଠ କରି ମୁଁ ନିଜ କାମ ଦେଖିଲା ବେଳକୁ, ମୋ କାମରେ ମୋ ମନ ସନ୍ତୁଷ୍ଟ ହୁଏ ନାହିଁ । ମୋର ଗୋଟାଏ ଜିଦ୍ ହୁଏ, କିପରି ଅଧିକ କାମ କରିବି । ଏହି ଜିଦ୍ ଅନୁସାରେ ଗୋଟିଏ ଗୋଟିଏ ଗ୍ରାମରେ ଦୁଇ ତିନି ଦିନ କରି ରହେ । ଗ୍ରାମର ଧନୀ ଓ ଗରିବ ଯାହାକୁ ପାଏ ତାହାକୁ କଂଗ୍ରେସ ମେମ୍ବର ହେବା ପାଇଁ ଓ ତିଳକ ସ୍ୱରାଜ୍ୟ ପାଣ୍ଠି ପାଇଁ କିଛି ଦାନ କରିବା ସକାଶ କହେ । ଗ୍ରାମବାସୀମାନେ ମୋ କଥାକୁ ଶୁଣନ୍ତି ନାହିଁ । ଗ୍ରାମର ଲୋକେ କଥା ଶୁଣନ୍ତି, ଯେଉଁମାନଙ୍କର ସେମାନଙ୍କ ଉପରେ କିଛି କ୍ଷମତା ଥାଏ କିମ୍ବା ଯେଉଁମାନଙ୍କୁ ସେମାନେ ଭଲ କରି ଚିହ୍ନିଥାନ୍ତି । ଦେଶର ସେତେବେଳ ଅବସ୍ଥାରେ ଦେଶସେବା କ’ଣ ଲୋକେ ଜାଣି ନାହାନ୍ତି କିମ୍ବା ଶୁଣି ମଧ୍ୟ ନାହାନ୍ତି । ଏପରି ଅବସ୍ଥାରେ ମୋ ପରି ଜଣେ ନିହାତ ଅଚିହ୍ନା ଲୋକର କଥା ଶୁଣି କଂଗ୍ରେସ ମେମ୍ବର ହେବାକୁ ରାଜି ହୁଅନ୍ତି ନାହିଁ । ପୁଣି ମୁଁ ଯେଉଁଠାରେ ରହେ ପୋଲିସ କର୍ମଚାରୀ ଯାଇ ସେଠାରେ ଉପସ୍ଥିତ । ମୋ ପଛେ ପଛେ ପୋଲିସ କର୍ମଚାରୀ ବୁଲୁଥାନ୍ତି । କଂଗ୍ରେସକୁ ଚାନ୍ଦା ଦେବାର କିମ୍ବା କଂଗ୍ରେସ ମେମ୍ବର ହେବାର ଜଣା ପଡ଼ିଲେ ସରକାର କାଳେ ବାନ୍ଧି ନେବେ ଏହି ଭୟ ପୂରାମାତ୍ରାରେ ଥାଏ । ଏପରି ଅବସ୍ଥାରେ ମୋ କଥା ଶୁଣି ମଧ୍ୟ କେହି ଶୁଣନ୍ତି ନାହିଁ । ଫଳରେ କିଛି କାର୍ଯ୍ୟ ହୁଏ ନାହିଁ । କିନ୍ତୁ ମୁଁ ସହଜେ ଛାଡ଼ିବା ଲୋକ ନୁହେଁ । ମୁଁ ଯାହାକୁ ପାଏ ତା ପଛରେ ଗୋଡ଼ାଏ । ସେ ହଳ ନେଇ ବିଲକୁ ଗଲା ତ ମୁଁ ତା ପଛରେ ବିଲକୁ ଯାଏ । ସେ ଯୁଆଡ଼େ ଯାଏ ମୁଁ ତା ପଛରେ ସିଆଡ଼େ ଯାଏ । ମୁଁ କହେ, ‘‘ତୁମେ ଏ ଦେଶରେ ଜନ୍ମ ହୋଇଛ । ଏ ଦେଶର ଭଲ ମନ୍ଦ ପାଇଁ ତୁମେ ଦାୟୀ । କଂଗ୍ରେସ ଦେଶର ଭଲପାଇଁ କାର୍ଯ୍ୟ କରୁଛି । ତୁମେ କଂଗ୍ରେସ ମେମ୍ବର ନ ହେଲେ କଂଗ୍ରେସ ସଭା ଗଢ଼ା ହୋଇ ପାରିବ ନାହିଁ । ଚାନ୍ଦା ନ ଦେଲେ କଂଗ୍ରେସ କାର୍ଯ୍ୟ ହେବ କିପରି ? ତୁମେ କଂଗ୍ରେସ ମେମ୍ବର ନ ହେବାର କାରଣ ମତେ ବୁଝାଇ ଦିଅ । ନଚେତ ଆସ, ବସ, ମୁଁ ତୁମଙ୍କୁ ବୁଝାଇ ଦେଉଛି, ତୁମେ କାହିଁକି କଂଗ୍ରେସମେମ୍ବର ହେବ । ’’ ଏହିପରି କହି ଜଣକ ପରେ ଆଉ ଜଣକୁ ଧରେ । ଦିନେ ଦୁଇଦିନ ଲାଗି ଗ୍ରାମରୁ ପାଞ୍ଚ ସାତ ଜଣ କଂଗ୍ରେସ ମେମ୍ବର ହୋଇଗଲେ, ମୋର ଏପ୍ରକାର ଜୁଲୁମରୁ ରକ୍ଷା ପାଇବା ପାଇଁ ଆଉ କେତେକ ବିନା ବାକ୍ୟବ୍ୟୟରେ ସହଜରେ ମେମ୍ବର ହୋଇଯାନ୍ତି । ଏହିପରି ଭାବରେ ଗୋଟିଏ ଗୋଟିଏ ଗ୍ରାମରୁ ପଚିଶ, ତିରିଶ ମେମ୍ବର କରେଇ ଆଉ ଗୋଟିଏ ଗ୍ରାମକୁ ଯାଏ । ମୋ ସାଥିରେ ଆଉ ଦୁଇଟି ସ୍ୱେଚ୍ଛାସେବକ ଥାନ୍ତି । ଗୋଟିଏ ଗ୍ରାମରେ କାମ ସାରିବା ପୂର୍ବରୁ ଅନ୍ୟ ଗ୍ରାମକୁ ମୁଁ ଯିବା ଆଗରୁ ସେଠାକୁ ଜଣେ ସ୍ୱେଚ୍ଛାସେବକ ପଠାଇ ଦିଏ । ସେ ଆଗରୁ ଯାଇ ମୋର ରହିବା, ଖାଇବା ଓ ସଭାର ସବୁ ବନ୍ଦୋବସ୍ତ କରିଥାଏ । ପ୍ରତି ତିନି ମାଇଲରେ ଏହିପରି ମୁଁ ମୋର ଡେରା ପକାଇ କାମ କରେ । ଶତାଧିକ ମେମ୍ବର ଓ ପଚାଶ ଟଙ୍କା ହାତରେ ହୋଇଗଲେ ମୁଁ କଟକ ଆଶ୍ରମକୁ ଫେରି ଆସେ । ମୋତେ ଆଶ୍ରମ ବ୍ୟବସ୍ଥାର ସଂବାଦ ରଖିବାକୁ ହୁଏ । କଟକ ସହରର କାର୍ଯ୍ୟ ମଧ୍ୟ ଦେଖିବାକୁ ପଡ଼େ । ଏହିପରି ଭାବରେ ମୁଁ ଆତ୍ମହରା ହୋଇ କାମ କରୁଥାଏ ।

 

ଓଡ଼ିଶାକୁ ଫେରି ଆସି ସହର ମଫସଲ ବୁଲି କିଛି ଦିନ କାର୍ଯ୍ୟ କଲା ପରେ ମୁଁ ବୁଝିଛି ଯେ, ଯେଉଁମାନେ ଦେଶସେବା କରିବାକୁ ବାହାରିଛନ୍ତି ଅବା ବାହାରିବେ, ସେମାନେ ଟିକିଏ ଲୋକସାଧାରଣଙ୍କଠାରେ ପରିଚିତ ହୋଇଥିଲେ କାମ କରିବା ବଡ଼ ସହଜ ହୁଏ । ଲୋକସାଧାରଣଙ୍କୁ କର୍ମୀମାନଙ୍କ ପରିଚୟ ଦେବା ମଧ୍ୟ ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କର ଗୋଟିଏ କର୍ତ୍ତବ୍ୟ । ପଣ୍ତିତ ଗୋପବନ୍ଧୁ ଦାସ ଦେଶର ସେତେବେଳର ଅଗ୍ରଗାମୀ ନେତା । ‘ସମାଜ’ ସାପ୍ତାହିକ କାଗଜ ଖଣ୍ତି ତାହାଙ୍କର । ଏକମାତ୍ର ‘ସମାଜ’ କାଗଜ ଓଡ଼ିଶାରେ କଂଗ୍ରେସବାର୍ତ୍ତା ପ୍ରଚାର କରୁଥାଏ । ଅସହଯୋଗ ଆନ୍ଦୋଳନ ଫଳରେ ‘ସମାଜ’ର ପ୍ରଚାର ମଧ୍ୟ ବଢ଼ି ଯାଇଥାଏ । ଏପରି ଅବସ୍ଥାରେ ‘ସମାଜ’ କାଗଜ ଦରିଆରେ, ଭିନ୍ନ ଭିନ୍ନ ଜିଲାରେ କାର୍ଯ୍ୟ କରୁଥିବା ମୁଖିଆ କର୍ମୀମାନେ କିଏ କ’ଣ ତାହା ଉଲ୍ଲେଖ କରି ଉକ୍ତ କର୍ମୀମାନଙ୍କ ପ୍ରତି ଲୋକଦୃଷ୍ଟି ଆକର୍ଷଣ କରିବା ପଣ୍ତିତ ଗୋପବନ୍ଧୁଙ୍କର କର୍ତ୍ତବ୍ୟ ବୋଲି ମୋ ମନରେ ଗୋଟିଏ ଭାବ ଜାଗି ଉଠିଲା । ମୁଁ ମଧ୍ୟ ଦେଖିଲି, ପ୍ରତ୍ୟେକ ମୁଖ୍ୟ କର୍ମୀ ଭିତରେ ଭିତରେ ପଣ୍ତିତ ଗୋପବନ୍ଧୁଙ୍କ ପ୍ରତି ଟିକିଏ ବିମୁଖ । କେହି ତାହାଙ୍କ ସମ୍ମୁଖରେ କିଛି କହୁନାହାନ୍ତି । କିନ୍ତୁ ସେ ଯେତେବେଳେ ଯାହା କିଛି ନୂଆ କଥା କହନ୍ତି ତାହାଙ୍କ କଥାକୁ ଶୁଣି ନ ଶୁଣିଲା ପରି ସମସ୍ତେ କାର୍ଯ୍ୟ କରନ୍ତି । ତାହାଙ୍କୁ ସମାଲୋଚନା କରିବାର କେହି କେହି ମୁଖ୍ୟ କର୍ମୀଙ୍କୁ ମଧ୍ୟ ମୁଁ ଦେଖିଛି । ମୁଁ ନିଜେ ମଧ୍ୟ ତାହାଙ୍କ ପ୍ରତି ଆକୃଷ୍ଟ ନ ଥାଏ । ତାହାଙ୍କ ପ୍ରତି ମୋ ହୃଦୟରେ ମଧ୍ୟ ଗୋଟିଏ ଅସନ୍ତୋଷର ଭାବନା ଜଳୁଥାଏ । ଏହାର କାରଣ ଅନେକ । ସେ ସବୁ କଥା ଉଲ୍ଲେଖ କରିବାର ଏ ସ୍ଥାନ ନୁହେ । ଗୋପବନ୍ଧୁ ବାବୁ ମତେ ଭଲ କରି ଜାଣନ୍ତି । ଦଶପଲ୍ଲା ମେଳି ସମୟରେ ମୁଁ କିପରି ଓଡ଼ିଶା ଛାଡ଼ି ପଳାଇଥିଲି, ପୁରୀ ଦୁର୍ଭିକ୍ଷ ପାଇଁ ମୁଁ କିପରି କ’ଣ କରିଛି, ଭାରତର ଭିନ୍ନ ଭିନ୍ନ ପ୍ରାନ୍ତରେ ବୁଲି କେଉଁଠାରେ କିପରି କ’ଣ କାର୍ଯ୍ୟ କରିଛି, ଇତ୍ୟାଦି କଥା ଗୋପବନ୍ଧୁ ବାବୁ ଭଲ ରକମ ଜାଣନ୍ତି । ୧୯୧୪ । ୧୫ରେଓଡ଼ିଶାରୁ ପଳାଇ, ରାଜନୈତିକ କାରଣରୁ ନାନା ଦୁର୍ବିପାକରେ ପଡ଼ି, ଏତେ ଦିନେ ମୁଁ ଓଡ଼ିଶାକୁ କାର୍ଯ୍ୟ କରିବା ପାଇଁ ଫେରି ଆସିଛି । ମୋର ମନେ ହେଉଛି, ପଣ୍ତିତ ଗୋପବନ୍ଧୁ ଦାସ ଓଡ଼ିଶା ଲୋକଙ୍କୁ ମୋତେ ଟିକିଏ ଚିହ୍ନାଇ ଦେବା ଉଚିତ ଥିଲା । ଏହା ସେ କରି ନାହାନ୍ତି । ଏଥିପାଇଁ ତାଙ୍କ ଉପରେ ମୁଁ ଅସନ୍ତୁଷ୍ଟ ଏବଂ ମନେ ମନେ ମଧ୍ୟ ଟିକିଏ ରାଗ କରିଛି । ସୁତରାଂ ତାହାଙ୍କ କଥା ସବୁବେଳେ ମତେ ପ୍ରଭାବିତ କରି ପାରୁ ନାହିଁ । ତାହାଙ୍କ କଥା ଅଥବା ମତାମତ ବିରୁଦ୍ଧରେ ମତାମତ ପ୍ରକାଶ କରିବା ପାଇଁ ମୁଁ ମଧ୍ୟ ପଶ୍ଚାତ୍‌ପଦ ହେଉ ନାହିଁ । ସମୟେ ସମୟେ ମୁଁ ମଧ୍ୟ ତାହାଙ୍କୁ ସମାଲୋଚନା କରୁଛି-। ଜ୍ଞାତ ଅଥବା ଅଜ୍ଞାତ ଭାବରେ ହେଉ, ଗୋପବନ୍ଧୁ ବାବୁଙ୍କ ମନର ଗତି ଓ ଚିନ୍ତାଧାରା ସହିତ ପ୍ରତ୍ୟେକ ମୁଖ୍ୟ କର୍ମୀଙ୍କର ମନର ଖାପ ଖାଉ ନାହିଁ–ଏହା ସ୍ୱୀକାର ନ କରି ରହି ହେଉ ନାହିଁ ।

 

ସ୍ୱର୍ଗୀୟ ପଣ୍ତିତ ଗୋପବନ୍ଧୁ ଦାସ ଉତ୍କଳ ଭୂମିରେ ଜାତୀୟ ଜୀବନର ବୀଜ ବପନ କରିଛନ୍ତି–ଏହା ସ୍ୱୀକାର ନ କରିବାକୁ ଗତି ନାହିଁ । ଦେଶସେବା କରିବାକୁ ହେଲେ ତ୍ୟାଗପୂତ ସରଳ ଜୀବନ ଅତୀବ ଆବଶ୍ୟକ–ଏହି ଭାବ ପ୍ରଥମେ ଗୋପବନ୍ଧୁ ବାବୁ ନିଜର କର୍ମମୟ ଜୀବନଦ୍ୱାରା ଏ ଦେଶକୁ ଆଦର୍ଶ ଦେଖାଇ ଅଛନ୍ତି । ଭାରତର ସ୍ୱାଧୀନ ଚିନ୍ତା ତାହାଙ୍କ ମନରେ କେତେଦୂର ସ୍ଥାନ ପାଇଥିଲା ୧୯୨୧ ପୂର୍ବରୁ ତାହାଙ୍କ କର୍ମ-ଜୀବନକୁ ପରୀକ୍ଷା କରି ଦେଖିଲେ ତହିଁର କୌଣସି ପ୍ରମାଣ ମିଳେ ନାହିଁ । ତେବେ ସମସ୍ତ ଓଡ଼ିଆ ଜାତିର ସମୂହ କଲ୍ୟାଣ କରିବାର ଚିନ୍ତା ଓ କର୍ମ ତାହାଙ୍କ ଜୀବନର ଆଦର୍ଶ ଥିଲା–ଏହା ପ୍ରତ୍ୟେକ ଓଡ଼ିଆକୁ ସ୍ୱୀକାର କରିବାକୁ ପଡ଼ିବ-। ସୁତରାଂ ୧୯୨୧ ମସିହାରେ ଅସହଯୋଗ ଆନ୍ଦୋଳନ ସୃଷ୍ଟି ହେଲାବେଳେ ଆମ୍ଭେମାନେ ପ୍ରଥମେ ଯେ କେତେଜଣ ମୁଖ୍ୟ କର୍ମୀ ତାହାଙ୍କୁ କର୍ଣ୍ଣଧାର ରୂପେ ଗ୍ରହଣ କରି ଓଡ଼ିଶାରେ କଂଗ୍ରେସ ଅନୁଷ୍ଠାନ ଗଢ଼ିବା ପାଇଁ ସମସ୍ତ ପ୍ରକାର ତ୍ୟାଗ ଓ ନିର୍ଯ୍ୟାତନା ଆନନ୍ଦରେ ବରଣ କରିବା ଲାଗି ସଂକଳ୍ପ କଲୁଁ, ଆମ୍ଭମାନଙ୍କ ହୃଦୟ ଓ ମନ ନିର୍ଦ୍ୱନ୍ଦ୍ୱ ଭାବରେ କର୍ଣ୍ଣଧାରଙ୍କ ଇଙ୍ଗିତରେ ନିଜ ନିଜର କର୍ମ ଓ ଚିନ୍ତା ପରିଚାଳନା କରିବା ପାଇଁ ସବୁବେଳେ ପ୍ରତିକୂଳ ଭାବନା ତହିଁରେ ବାଧା ଦେବାକୁ ଲାଗିଲା । ଫଳରେ ଜାତୀୟ ଜୀବନର ବିକାଶ ଶକ୍ତି ଲାଭ କରିବାରେ ବିଘ୍ନ ଘଟିଲା । ଓଡ଼ିଶାରେ ରାଜନୈତିକ ଜୀବନର ଯେ ବିକାଶ ପାଇଲା ତାହା ସୁସଂଗଠିତ ହୋଇ ବିରାଟ ଆକାର ଧାରଣ କରି ପାରିଲା ନାହିଁ । ନଦୀର ସ୍ରୋତ ଶତଧା ହେଲେ ତାହାର ଖର ସ୍ରୋତର ବଳ ଓ ବେଗ ଯେପରି କମିଯାଏ ଆମ୍ଭର ନବପ୍ରକାଶିତ ରାଜନୈତିକ ଜୀବନ ସେହିପରି ହେଲା । ପ୍ରତ୍ୟେକ କର୍ମୀ ନିଜ ନିଜ ଇଚ୍ଛାନୁସାରେ କର୍ମ କରିବାକୁ ଆରମ୍ଭ କଲେ । ପ୍ରତ୍ୟେକ ଜିଲାରେ ଭିନ୍ନ ଭିନ୍ନ ରାଜନୈତିକ ଅନୁଷ୍ଠାନ ତଥା ଆଶ୍ରମ ସ୍ଥାପନ କରିବାର ଚେଷ୍ଟା ଚାଲିଲା । ଏପରି କରିବା ପଣ୍ତିତ ଗୋପବନ୍ଧୁଙ୍କ ସଂପୂର୍ଣ୍ଣ ଇଚ୍ଛାବିରୁଦ୍ଧ କାର୍ଯ୍ୟ । ତାହାଙ୍କର ଇଚ୍ଛା କଟକ ସ୍ୱରାଜ୍ୟ ଆଶ୍ରମ ପ୍ରାଦେଶିକ ଆଶ୍ରମ ରହୁ । ଏହି ଆଶ୍ରମକୁ ପ୍ରତ୍ୟେକ ଜିଲାରୁ କର୍ମୀମାନେ ଆସି ଶିକ୍ଷା ପାନ୍ତୁ । ଏହିଠାରୁ ସମସ୍ତ କର୍ମ ନିୟନ୍ତ୍ରିତ କରା ହେଉ । କଟକ ଆଶ୍ରମ ଅଧୀନରେ ରହି ପ୍ରତ୍ୟେକ ମୁଖ୍ୟ କର୍ମୀ ଗୋଟିଏ ସଗଂଠନର ଅଧୀନରେ କାମ କରନ୍ତୁ । କିନ୍ତୁ ଗୋପବନ୍ଧୁ ବାବୁଙ୍କର ଏହି ଇଚ୍ଛା କାର୍ଯ୍ୟରେ ପରିଣତ ହୋଇ ପାରିଲା ନାହିଁ । ପ୍ରାଦେଶିକ କାର୍ଯ୍ୟକାରୀ କଂଗ୍ରେସ କମିଟିର ବୈଠକରେ ଶ୍ରୀଯୁକ୍ତ ଭାଗିରଥି ମହାପାତ୍ରଙ୍କ ପ୍ରସ୍ତାବ ଅନୁସାରେ କଟକ ଆଶ୍ରମ କଟକ ଜିଲ୍ଲା କଂଗ୍ରେସ କମିଟି ଅଧୀନରେ ରହିଲା-। ପ୍ରତି ଜିଲ୍ଲାରେ ସ୍ୱରାଜ୍ୟ ଆଶ୍ରମ ସ୍ଥାପନ କରି ଅସହଯୋଗ ଆନ୍ଦୋଳନ ପରିଚାଳନା କରିବାର କଥା ସ୍ଥିର ହେଲା । ଗୋପବନ୍ଧୁ ବାବୁ ଏହି ପ୍ରସ୍ତାବର ବହୁତ ବିରୋଧ କଲେ, ବହୁତ ବୁଝାଇ କହିଲେ, କିନ୍ତୁ ତାହାଙ୍କର ସମସ୍ତ ପ୍ରୟାସ ବୃଥା ହେଲା । ଗୋପବନ୍ଧୁ ବାବୁ ବଡ଼ ବ୍ୟଥିତ ହୃଦୟରେ କଟକ ଛାଡ଼ି ପୁରୀ ସାକ୍ଷୀଗୋପାଳକୁ ଫେରିଗଲେ । ଏହିପରି ଭାବରେ କଟକ ସ୍ୱରାଜ୍ୟ ଆଶ୍ରମ କଟକ ଜିଲ୍ଲା କଂଗ୍ରେସ କମିଟି ଅଧୀନକୁ ଆସିବା ପରେ ମୁଁ ଡାକ୍ତର ଅଟଳବିହାରୀ ଆଚାର୍ଯ୍ୟ ଉକ୍ତ ଆଶ୍ରମର ପରିଚାଳନା ଭାର ଗ୍ରହଣ କରିଥିଲୁ ।

Image

 

ଚତୁର୍ଥ ପରିଚ୍ଛେଦ

ଓଡ଼ିଶାରେ କଂଗ୍ରେସ କାର୍ଯ୍ୟ

 

କଟକ ସ୍ୱରାଜ୍ୟ ଆଶ୍ରମ କଟକ ଜିଲ୍ଲା କଂଗ୍ରେସ କମିଟି ଅଧୀନକୁ କିପରି ଆସିଲା ଏହା ପୂର୍ବ ପରିଚ୍ଛେଦରେ ବର୍ଣ୍ଣନା କରିଗଲି । ଗୋପବନ୍ଧୁ ବାବୁ ଏହି ଆଶ୍ରମକୁ ପ୍ରଥମେ ସ୍ଥାପନ କରିଥିଲେ । ତାହାଙ୍କ ଇଚ୍ଛାବିରୁଦ୍ଧରେ ଏହା ତାହାଙ୍କ ଠାରୁ ଛଡ଼ାଇ ନିଆଗଲା ବୋଲି କୁହାଯାଇ ପାରେ । କିନ୍ତୁ କଥାଟା ପ୍ରକୃତ ତାହା ନୁହେ । କେବଳ ଗୋପବନ୍ଧୁ ବାବୁଙ୍କ ଇଚ୍ଛାର ବିରୋଧ କରିବାକୁ ଯେ ଏହା କରାଗଲା ତାହା ଠିକ ନୁହେ । କାର୍ଯ୍ୟର ସୁବିଧା ପାଇଁ ଏହି ନୀତି ଅବଲମ୍ବନ କରିବା ନିହାତି ଆବଶ୍ୟକ ବୋଲି ଭାବିବାରୁ ଗୋପବନ୍ଧୁ ବାବୁଙ୍କ ଇଚ୍ଛାବିରୁଦ୍ଧରେ ଏହି ନୀତି ଗୃହୀତ ହେଲା । ପ୍ରତ୍ୟେକ ଜିଲ୍ଲାରେ ସ୍ୱରାଜ୍ୟ ଆଶ୍ରମ ରହିବ, ଯେଉଁ କର୍ମୀ ଯେଉଁ ଜିଲ୍ଲାର ସେ ସେହି ଜିଲ୍ଲାର ଆଶ୍ରମରେ ରହି କାର୍ଯ୍ୟ କଲେ ସୁବିଧା ହେବ–ଏହି ବିଶ୍ୱାସ ହେବାରୁ ସମସ୍ତ ଶକ୍ତିର ଏକତ୍ରୀକରଣ ଗ୍ରହଣ କରି ହେଲା ନାହିଁ । କିନ୍ତୁ ଏହାର ପରିଣାମ ଯାହା ଯେପରି ଘଟିଲା, ତାହା ଭାବିଲାବେଳକୁ ଗୋପବନ୍ଧୁ ବାବୁଙ୍କ ନୀତି ଯଥାର୍ଥ ବୋଲି ମନେ ହୁଏ । କେବଳ ପ୍ରତି ଜିଲ୍ଲାରେ ଯେ ଗୋଟିଏ ଗୋଟିଏ ସ୍ୱତନ୍ତ୍ର ଆଶ୍ରମ ସ୍ଥାପନ ହେଲା ତାହା ନୁହେ, ଜିଲା ମଧ୍ୟରେ ସ୍ଥାନବିଶେଷରେ ଭିନ୍ନ ଭିନ୍ନ ଆଶ୍ରମ ମଧ୍ୟ ସ୍ଥାପିତ ହେଲା । କଟକ ଜିଲ୍ଲାରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ପ୍ରଭୃତି ସ୍ଥାନମାନଙ୍କରେ ଗୋଟିଏ ଗୋଟିଏ ଆଶ୍ରମ ସ୍ଥାପନ କରାଗଲା । ବିଭିନ୍ନ ଜିଲ୍ଲାରେ ଆଶ୍ରମ ହେବାଦ୍ୱାରା ମୁଖ୍ୟ କର୍ମୀମାନଙ୍କର ଦୃଷ୍ଟି ଜିଲ୍ଲା ଭିତରେ ଆବଦ୍ଧ ରହିଲା । ସମସ୍ତ ପ୍ରଦେଶର ପ୍ରଶ୍ନ ପ୍ରତି ସମସ୍ତଙ୍କ ଦୃଷ୍ଟି ତୀକ୍ଷ୍ଣ ରହି ପାରିଲା ନାହିଁ । ଜିଲ୍ଲାଭାବ କର୍ମୀମାନଙ୍କ ମଧ୍ୟରେ ପ୍ରବେଶ କଲା । ପୁଣି ଜିଲ୍ଲା ଭିତରେ ଭିନ୍ନ ଭିନ୍ନ ସ୍ଥାନୀୟ ଆଶ୍ରମ ହେବାଦ୍ୱାରା କେନ୍ଦ୍ରାପଡ଼ାର କର୍ମୀ ଯାଜପୁର କାର୍ଯ୍ୟକୁ ନିଜର ବୋଲି ଭାବିବାକୁ ଶିଖିଲା ନାହିଁ । ଜଗତସିଂହପୁର କେନ୍ଦ୍ରାପଡ଼ା କର୍ମୀଙ୍କ ମଧ୍ୟରେ ସ୍ଥାନୀୟ ଭାବ (Local patriotism) ଫୁଟି ଉଠିଲା । ସମସ୍ତ ଜିଲ୍ଲାଭିତରେ କିପରି ସମାନ ଭାବରେ କାମ ଚାଲିବ ଏହି ଭାବ ଊଣା ହୋଇଗଲା । କଟକ ଆଶ୍ରମର ପ୍ରାଧାନ୍ୟ ମଧ୍ୟ ନ୍ୟୂନ ହୋଇଗଲା । କଟକ ଜିଲ୍ଲା କଂଗ୍ରେସ କମିଟି, ଜଗତସିଂହପୁରକୁ କଂଗ୍ରେସ ଅନୁଷ୍ଠାନ ତଳେ ଗୋଟିଏ ସବ୍‌ଡିଭିଜନ ରୂପେ ଗ୍ରହଣ କଲେ । ଜଗତସିଂହପୁରରେ ଅଳକାଶ୍ରମ ପ୍ରତିଷ୍ଠିତ ହେଲା । କଟକର ଅଧିକାଂଶ ମୁଖ୍ୟ କର୍ମୀ ଏହି ଅଳକାଶ୍ରମ କଥା ଯେତେ ଚିନ୍ତା କଲେ, ଜିଲ୍ଲାର ଅନ୍ୟ କୌଣସି କାର୍ଯ୍ୟ ଓ ଅନୁଷ୍ଠାନର ଚିନ୍ତା ସେମାନଙ୍କ ମନରେ ତେତେ ସ୍ଥାନ ପାଇଲା ନାହିଁ । ଶ୍ରୀଯୁକ୍ତ ଗୋପବନ୍ଧୁ ଚୌଧୁରୀ, ଶ୍ରୀଯୁକ୍ତ ଭାଗିରଥି ମହାପାତ୍ର, ପଣ୍ତିତ ପ୍ରାଣକୃଷ୍ଣ ପ୍ରତିହାରୀ ଓ ବାବୁ ନବକୃଷ୍ଣ ଚୌଧୁରୀ ପ୍ରଭୃତି ସମସ୍ତେ ଅଳକାଶ୍ରମକୁ ଓଡ଼ିଶାରେ ଗୋଟିଏ ମହତ୍ ଜାତୀୟ ଅନୁଷ୍ଠାନ ରୂପେ ଗଢ଼ିବାକୁ ମନ ପ୍ରାଣ ଢାଳି ଦେଲେ । ଅଳକାଶ୍ରମ ହେଲା ସେମାନଙ୍କ ତ୍ୟାଗର ମହତ୍ କୀର୍ତ୍ତି ଓ ଜୀବନର ଏକ ମହତ୍ ଉଦ୍ଦେଶ୍ୟ । ସେମାନଙ୍କୁ ସାହାଯ୍ୟ କରିବାକୁ ଆହୁରି ଅନେକ ବଛା ବଛା କର୍ମୀ ମଧ୍ୟ ଅଳକାଶ୍ରମରେ ଯୋଗ ଦେଲେ । ଫଳରେ ଏହି ମୁଖ୍ୟ କର୍ମୀମାନଙ୍କର ସମସ୍ତ ଚିନ୍ତା ଓ କର୍ମ ଅଳକାଶ୍ରମରେ ଆବଦ୍ଧ ରହିଲା । ସମସ୍ତ ଜିଲ୍ଲାରେ ଯେ ରାଜନୈତିକ ନୂତନ ଜୀବନ ବିକାଶ ପାଇଛି, ତାହାକୁ ନିୟନ୍ତ୍ରିତ କରିବାକୁ କଟକ ଜିଲ୍ଲାରେ କୌଣସି ପ୍ରକାର ସଂଗଠିତ ସମୂହ ଚେଷ୍ଟା ହେଲା ନାହିଁ । ଯେଉଁ କର୍ମୀ ସବୁ ଆସିଲେ ସେ ସମସ୍ତଙ୍କୁ ଭବିଷ୍ୟତ ପାଇଁ ତିଆର କରିବାର ଭାବନା କାହାରି ମନରେ ସ୍ଥାନ ପାଇଲା ନାହିଁ । ୧୯୨୧ ପରେ ଅସହଯୋଗ ଆନ୍ଦୋଳନ ଦବିଗଲା ପରେ ଦେଶରେ ଯେଉଁ ବିକଟ ନୈରାଶ୍ୟର ଦୃଶ୍ୟ ଦେଖାଗଲା ସେଥିପାଇଁ ଏହି ପୃଥକୀକରଣ ନୀତି ମୁଖ୍ୟତଃ ଦାୟୀ ବୋଲି ମୁଁ କହିପାରେ । ସେ ଯାହା ହେଉ କଟକ ଜିଲ୍ଲାରେ କଂଗ୍ରେସର ଯାହା କିଛି କାର୍ଯ୍ୟ ହେଲା ଅବା ଅସହଯୋଗ ନୀତିର ଯାହା ଯେପରି ପ୍ରଚାର କରାଗଲା ସେଥିପାଇଁ ମୁଖ୍ୟତଃ ଡାକ୍ତର ଅଟଳବିହାରୀ ଆଚାର୍ଯ୍ୟ, ବାବୁ ଯଦୁମଣି ମଙ୍ଗରାଜ ଓ ଲେଖକ ବହୁ ଅଂଶରେ ଭାଗୀ । କଟକ ଜିଲ୍ଲାର କାର୍ଯ୍ୟରେ ଆମ୍ଭେ ତିନି ଜଣ ଯେପରି ମନ ପ୍ରାଣ ଢାଳିଦେଇ କାର୍ଯ୍ୟ କରିଛୁ, ସେପରି ଭାବରେ ଆଉ କେହି ଜଣା ଶୁଣା କର୍ମୀ କାମ କରିଛନ୍ତି ବୋଲି ମୋର ମନେହୁଏ ନାହିଁ । ଅବଶ୍ୟ ଆହୁରି ଅନେକ କର୍ମୀ ଥିଲେ, ଯେଉଁମାନେ ଆତ୍ମହରା ହୋଇ କାମ କରିଛନ୍ତି । କିନ୍ତୁ ମୋର ଜୀବନ କି ପ୍ରକାରେ ପ୍ରଭାବିତ ହୋଇଅଛି, ତାହା ଉଲ୍ଲେଖ କରିବା ପାଇଁ ଯେତିକି ଆବଶ୍ୟକ ସେତିକି ମୁଁ ଉଲ୍ଲେଖ କରୁଛି । ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ଇତିହାସ ଲେଖିବାକୁ ଗଲେ ଅନେକ କଥା ଉଲ୍ଲେଖ କରିବାକୁ ପଡ଼ିବ । ସେ ସବୁ ମୋର ଜୀବନୀରେ ବିବୃତି କରିବାର କୌଣସି ଆବଶ୍ୟକତା ନାହିଁ । ପୂର୍ବରୁ ମୋର ସ୍ୱଭାବ ଏକଜିଦିଆ ଥିଲା । ବାଲ୍ୟକାଳରୁ ସମାଜରେ ମିଳିମିଶି ଚଳିବାର ଅନୁକୂଳ ପରିସ୍ଥିତି ମୁଁ ପାଇ ପାରି ନାହିଁ । ସାମାଜିକ ଜୀବନ ମୋର ନାହିଁ କହିଲେ ଚଳେ । ପାଞ୍ଚ ଜଣ ସାଙ୍ଗ ସାଥିଙ୍କୁ ନେଇ ସୁଖ ଦୁଃଖ ଭୋଗ କରିବାର ଅବସର ମୁଁ ପାଇ ନାହିଁ । ଓଡ଼ିଶାକୁ ଆସି ଭୀଷଣ କର୍ମମୟ ଜୀବନରେ ସେହି ଅବସ୍ଥା । ମୁଁ ନିଜ ଇଚ୍ଛାନୁସାରେ କାର୍ଯ୍ୟ କରୁଛି । କଂଗ୍ରେସର କାର୍ଯ୍ୟାବଳୀକୁ ପୂରଣ କରିବାକୁ ନିଜେ ନିଜେ ଚେଷ୍ଟା କରୁଛି । ମହାତ୍ମା ଗାନ୍ଧି କହିଛନ୍ତି, ସେ ନିଜ ପାଇଁ ସ୍ୱରାଜ୍ୟ ଲାଭ କରି ସାରିଲେଣି । ମୋର ମନେ ହୁଏ ବାକ୍ୟଟି ଓଡ଼ିଶାର କର୍ମୀମାନଙ୍କ ପକ୍ଷରେ ଖଟାଇଲେ କିଛି ଆପତ୍ତି ରହିବ ନାହିଁ । ପ୍ରତ୍ୟେକ କର୍ମୀ ସେ ନିଜେ ସ୍ୱରାଜ୍ୟ ପାଇଲେଣି ବୋଲି ମନେ କରୁଛନ୍ତି ।

 

ଅସହଯୋଗ ଆନ୍ଦୋଳନର ଲକ୍ଷ୍ୟ ଭାରତକୁ ସ୍ୱାଧୀନ କରିବା । ଅସହଯୋଗ ନୀତିର କାର୍ଯ୍ୟକ୍ରମକୁ ପୂର୍ଣ୍ଣ ମାତ୍ରାରେ କାର୍ଯ୍ୟରେ ପରିଣତ କରି ପାରିଲେ ଭାରତରେ ସ୍ୱରାଜ୍ୟ ପ୍ରତିଷ୍ଠା ସୁନିଶ୍ଚିତ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । କିନ୍ତୁ ଯେଉଁ ଦେଶରେ ଦେଶକୁ ସ୍ୱାଧୀନ କରିବାର ଆକାଙ୍କ୍ଷା ଲୋକ ସାଧାରଣଙ୍କ ମନକୁ ଛୁଇଁ ନାହିଁ ସେ ଦେଶ ଏତେ ଶୀଘ୍ର ସ୍ୱାଧୀନ ହୋଇଯିବ, ବର୍ଷକ ମଧ୍ୟରେ ଦେଶରେ ସ୍ୱରାଜ୍ୟ ହୋଇଯିବ ଏହା ବିଶ୍ୱାସ କରିବା ଏକ ଭ୍ରମ । ବର୍ଷକ ଭିତରେ ସ୍ୱରାଜ୍ୟ ଲାଭ କରିବା ଅକ୍ଷରେ ଅକ୍ଷରେ ସତ୍ୟ ନ ହେଲେ ମଧ୍ୟ ଦେଶକୁ ସ୍ୱାଧୀନ କରିବା ପାଇଁ ପ୍ରଥମ ଆନ୍ଦୋଳନ ସୃଷ୍ଟି ହେବାଦ୍ୱାରା ଲୋକ ସାଧାରଣଙ୍କ ଆଖି ଫିଟିଗଲା ବୋଲି କୁହା ଯାଇପାରେ । ଦେଶକୁ ସ୍ୱାଧୀନ କରିବାର ପିପାସା ଅନେକ କର୍ମୀଙ୍କ ମଧ୍ୟରେ ପ୍ରବେଶ କରିବାର ଲକ୍ଷଣ ମଧ୍ୟ ଦେଖାଗଲା । କିନ୍ତୁ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇ କର୍ମ କରିବା ପାଇଁ ଏପରି ଶହ ଶହ କର୍ମୀ ଦେଖା ଦେଲେ ଯେଉଁମାନଙ୍କ ମନରେ ଭବିଷ୍ୟତ୍ ରାଜନୈତିକ ଆଦର୍ଶବାଦ ପାଇଁ ପ୍ରବଳ ପିପାସା ରହିଲା ନାହିଁ । ସେମାନଙ୍କ ମଧ୍ୟରୁ କର୍ମୀ ବାଛି ଦେଶ ସ୍ୱାଧୀନ ନ ହେବା ପର୍ଯ୍ୟନ୍ତ କର୍ମ କରିବାକୁ ହେବ । ଏପ୍ରକାର ପ୍ରେରଣାରେ ଅନୁପ୍ରାଣିତ କରିବାର ଦୂରଦୃଷ୍ଟି କାହାର ନ ଥିଲା । ସମସ୍ତଙ୍କ କର୍ମ କ୍ଷଣିକ ଓ ସୀମାବଦ୍ଧ ହୋଇ ରହିଲା । ପଣ୍ତିତ ଗୋପବନ୍ଧୁ ଦାସଙ୍କ ମନରେ ଏହି ଭାବ ଅଙ୍କୁରିତ ହୋଇଥିଲା । ଓଡ଼ିଶାର ସବୁ ଜିଲ୍ଲାରୁ ବଛା ବଛା କର୍ମୀଙ୍କୁ ନେଇ, ଗୋଟିଏ ଭାବରେ ଅନୁପ୍ରାଣିତ କରାଇ ସମସ୍ତଙ୍କୁ ବାନ୍ଧି ରଖିବାର କଳ୍ପନା ସେ କରିଥିଲେ । କିନ୍ତୁ ଏଥିପାଇଁ ସେ କାହାରିଠାରୁ ସାହାଯ୍ୟ ଓ ସହଯୋଗ ପାଇଲେ ନାହିଁ-। ପ୍ରତ୍ୟେକ ଜଣାଶୁଣା କର୍ମୀ ନିଜ ଗୋଡ଼ରେ ଠିଆ ହୋଇ, ନିଜେ ନିଜର କର୍ମ ପରିଷ୍ଫୁଟ କରି, ନିଜର କର୍ମପଟୁତା ଦେଶରେ ଦେଖାଇବାର ଆକାଙ୍କ୍ଷା ପ୍ରବଳ ଆକାର ଧାରଣ କଲା । ଏହି ଭାବରେ ସମସ୍ତେ ଭାସିଗଲେ । ମୋର ଅବସ୍ଥା ମଧ୍ୟ ତଦ୍ରୂପ ହେଲା ।

 

ମୁଁ କଟକ ଆଶ୍ରମରେ ରହି କାର୍ଯ୍ୟ କରୁଥାଏ । କଟକ ଆଶ୍ରମରେ ଅନେକଗୁଡ଼ିଏ କର୍ମୀ ରହିଥାନ୍ତି । ସେମାନଙ୍କୁ କାମରେ ଲଗାଇବାର ଭାର ମୋ ଉପରେ ଥାଏ ଓ ଡାକ୍ତର ଅଟଳବିହାରୀଙ୍କ ଉପରେ ମଧ୍ୟ ଥାଏ । ମୁଁ ଅନେକ ସମୟରେ ମଫସଲ ପ୍ରଚାର କାର୍ଯ୍ୟରେ ବାହାରି ଯାଏ । ଅଧିକାଂଶ ସମୟ ଅଟଳ ବାବୁ ଆଶ୍ରମରେ ରହି ସମସ୍ତ କାର୍ଯ୍ୟ ପରିଚାଳନା କରନ୍ତି-। ଅଟଳ ବାବୁଙ୍କୁ ସମସ୍ତେ ଅଟଳଦା ବୋଲି ଡାକନ୍ତି । ଅଟଳଦା ଅତି ସରଳ ଓ ଜଣେ ହୃଦୟବାନ୍ ବ୍ୟକ୍ତି । ଅନେକ କର୍ମୀ ଅଟଳଦାଙ୍କୁ ଠକାଇ ଆଶ୍ରମରେ ରହି ଅନ୍ନ ଧ୍ୱଂସ କରୁଥାନ୍ତି । ଯାହା କାମ ଦେଲେ ଭଲ କରି କରନ୍ତି ନାହିଁ । ମୁଁ ଯେ କେତେଦିନ ରହେ ଏମାନେ ମତେ ଆଉ ଠକି ପାରନ୍ତି ନାହିଁ । ମୁଁ ନିଜେ କାମକୁ ଆଗଭର ହୋଇ ବାହାରେ; କର୍ମୀମାନଙ୍କୁ ସାଥୀରେ ଧରି କାର୍ଯ୍ୟ କରେ । ଯେଉଁମାନେ ବରାବର ଠକି ଆସୁଥାନ୍ତି, ସେମାନେ ମୋ ସାଥିରେ ରହି କାମ କରିବାକୁ ଅନିଚ୍ଛୁକ ହୁଅନ୍ତି । ମତେ ଠକାଇ ଦେବା ଇଚ୍ଛାରେ ଅବାଧ୍ୟତା ପ୍ରକାଶ କରନ୍ତି । ମୁଁ ସବୁ ସମୟରେ ଆଶ୍ରମରେ ରହିପାରୁ ନ ଥିବାରୁ ସେମାନଙ୍କ ଗତିବିଧି ନରୀକ୍ଷଣ କରି ପାରେ ନାହିଁ । ଯେକେତେଜଣ ଭଲ କର୍ମୀ ଆସିଥିଲେ ସେମାନେ ସମସ୍ତେ ମଫସଲରେ ରହି କାମ କରୁଥାନ୍ତି । ବାଙ୍କି, ସାଲେପୁର, ମାହାଙ୍ଗା, ବଡ଼ଚଣା ଥାନାମାନଙ୍କରେ କେତୋଟି କେନ୍ଦ୍ର ଖୋଲା ହୋଇ କଂଗ୍ରେସର କାର୍ଯ୍ୟକ୍ରମ କରିବାକୁ ହେଉଥାଏ । ଏହି ପଲ୍ଲୀ-କେନ୍ଦ୍ର କେତୋଟି ପରିଦର୍ଶନ କରିବା ପାଇଁ ବାରମ୍ବାର ମତେ ମଫସଲ ଯିବାକୁ ପଡ଼େ । ମୁଁ କଟକ ଆଶ୍ରମକୁ ଫେରିଲେ ଅବଶିଷ୍ଟ କର୍ମୀମାନଙ୍କର ମୁଁ ହୁଏ ଗୋଟିଏ ପ୍ରଧାନ ବିରକ୍ତିର କାରଣ ।

 

ଏହା ହେଉଛି କଂଗ୍ରେସର କାର୍ଯ୍ୟ । ଏଠାରେ କେହି କାହାର ଅଧୀନ ନୁହେଁ । ଗଣତନ୍ତ୍ର ଶାସନ ନୀତିରେ ସମସ୍ତେ ପରିଚାଳିତ । ରାଜନୈତିକ ଆଦର୍ଶବାଦର ଅଭାବ ଥିଲେ, କିମ୍ବା କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଅନୁଷ୍ଠାନ ଅଧୀନରେ ରହି, ଜୀବନ ନିୟନ୍ତ୍ରିତ କରିବାର ଇଚ୍ଛା ବା ଆଶା ନ ଥିଲେ ପରିଣାମଯାହା ହୁଏ କଟକ ସ୍ୱରାଜ୍ୟ ଆଶ୍ରମର କର୍ମୀମାନଙ୍କ ଅବସ୍ଥା ସେଇୟା ହୋଇଛି । ସେମାନଙ୍କ ଜୀବନ ବିଶୃଙ୍ଖଳ ହୋଇଛି । ସେମାନେ ସ୍ୱେଚ୍ଛାସେବକର ଅର୍ଥକୁ ସ୍ଵେଚ୍ଛାଚାରିତା ଭାବରେ ଗ୍ରହଣ କରିଥିଲା ପରି ବୋଧ ହେଉଛି । ସମସ୍ତେ ଯେତେବେଳେ ମନେ କରି ନେଇଛନ୍ତି ଯେ ସେମାନେ ସ୍ୱରାଜ୍ୟ ପାଇଲେଣି, ସେମାନେ ସ୍ୱାଧୀନ । ଏପରି ଅବସ୍ଥାରେ ମୁଁ ଟିକିଏ ବାଧ୍ୟ ବାଧକତା କଲେ ସେମାନେ ତାହା ସହ୍ୟ କରିବେ କାହିଁକି ? ପୁଣି ମୋ ବ୍ୟତୀତ ସେମାନଙ୍କ କାର୍ଯ୍ୟକୁ ଏପରି ତୀକ୍ଷ୍ଣ ଦୃଷ୍ଟିରେ କେହି ଦେଖୁ ନାହିଁ । ଏଥିରେ ସେମାନେ ମୋ ଉପରେ ବିରକ୍ତିଭାବ ଦେଖାଇବା ସଂପୂର୍ଣ୍ଣ ସ୍ୱାଭାବିକ । କିନ୍ତୁ ମୁଁ ଯେପରି ଉନ୍ମାଦନାର ସହିତ କାର୍ଯ୍ୟ କରୁଛି, ସେପରି ଭାବରେ କାର୍ଯ୍ୟ କରିବାର କାହାକୁ ଦେଖିବାକୁ ନ ପାଇଲେ, ଏ ଦୃଶ୍ୟ ମୋ ପକ୍ଷରେ ଅସହ୍ୟ ହୋଇ ଉଠେ । ସମସ୍ତେ ମତେ କହନ୍ତି ଅସହିଷ୍ଣୁ ଓ ଚିଡ଼ା ପ୍ରକୃତିର ଲୋକ । କିନ୍ତୁ ପାରିପାର୍ଶ୍ୱିକ ପରିସ୍ଥିତି ଓ କର୍ମପଦ୍ଧତି, ମୋର ପ୍ରକୃତିକୁ ଉଗ୍ର କରି ପକାଉଛି । ମୁଁ ସବୁବେଳେ ଦିନକ କାର୍ଯ୍ୟକୁ ଘଣ୍ଟାକେ କରି ଦେବାକୁ ଦୌଡ଼ୁଛି । ଏ ଦୌଡ଼ରେ କାହାରିଠାରେ ଶିଥିଳତା ଦେଖିଲେ ମତେ ଅସହ୍ୟକର ବୋଧ ହେଉଛି । କିନ୍ତୁ ଓଡ଼ିଶାରେ ଯେ କେତୋଟି ମୁଖ୍ୟ କର୍ମୀ ଥିଲେ, ସମସ୍ତେ ଯଦି ଗୋଟିଏ ଅନୁଷ୍ଠାନରେ ନିଜ ନିଜକୁ ବାନ୍ଧି ରଖି ସମୂହ ଭାବରେ କର୍ମ ଓ ଚିନ୍ତା କରିବାକୁ ପ୍ରୟାସ କରିଥାନ୍ତେ, ମୋର ଜୀବନ ବୋଧହୁଏ ଅନ୍ୟ ଆକାର ଧାରଣକରିଥାନ୍ତା । କର୍ମୀମାନଙ୍କ ଭିତରେ ବ୍ୟକ୍ତିଗତ ପ୍ରତିଷ୍ଠା ଲାଭର ଲାଳସା ସ୍ଥାନ ପାଇ ପାରି ନ ଥାନ୍ତା । ଓଡ଼ିଶାର ଜାତୀୟ ଜୀବନରେ ଯେଉଁ ଉପାଦାନର ଅଭାବ ଆଜି ସମସ୍ତେ ଅନୁଭବ କରୁଛନ୍ତି ତାହାର ଅଭାବ ରହି ନ ଥାନ୍ତା । ଦଳଗତ ଜୀବନ କେଉଁଦିନୁ ଆମ୍ଭର ଜାତୀୟ ଜୀବନରେ ଫୁଟି ପ୍ରକାଶ ପାଇ ପାରିଥାନ୍ତା । ସମଷ୍ଟିଗତ ଜୀବନ ଓ କର୍ମ ଆଜି ଆମ୍ଭର ବଡ଼ ଅଭାବ । ଏହାକୁ ଦୂର କରିବା ପ୍ରତି ଲକ୍ଷ୍ୟ ରଖି ଆଦର୍ଶ ସମଷ୍ଟିଗତ କର୍ମମୟ ଜୀବନ ଗଢ଼ିବାର ଏକ ଅପୂର୍ବ ସୁଯୋଗ ୧୯୨୧ ମସିହାରେ ମିଳିଥିଲା । କିନ୍ତୁ ତାହା ଆମ୍ଭେମାନେ ନିଜର ଦୂରଦୃଷ୍ଟିର ଅଭାବରୁ ହରାଇଛୁ ବୋଲି ମୋର ବିଶ୍ୱାସ-। ଜାତୀୟ ଜୀବନର ଚିନ୍ତା ଓ କର୍ମ ପ୍ରବାହ ପ୍ରଥମରୁ ଆଦର୍ଶ ଏକ ଥାଇ ଯଦି ଭିନ୍ନ ଭିନ୍ନ ଗତିରେ ପ୍ରଭାବିତ ହୁଏ ତାହାକୁ ଏକମୁଖୀ କରିବା ପାଇଁ ଯେଉଁ ଶକ୍ତି ଦରକାର ଓଡ଼ିଶାରେ ସେହି ଶକ୍ତିର ଅଭାବ । ବ୍ୟକ୍ତିତ୍ୱର ମହତ୍ତ୍ୱ ଏ ଦେଶରେ ନ ଥିବାରୁ ନବ ଜାଗରିତ ରାଜନୈତିକ ଜାତୀୟ ଜୀବନ ଏପରି ଛିନ୍ନ ବିଚ୍ଛିନ୍ନ ହୋଇଗଲା । ଏହି ଏକ ପ୍ରାଣ ଓ ଏକ ମନର ଅଭାବମୁଁ ତୀବ୍ର ଭାବରେ ଅନୁଭବ କରୁଛି ।

 

ବର୍ତ୍ତମାନ ପ୍ରତି ଜିଲ୍ଲାରେ ଜିଲ୍ଲା କଂଗ୍ରେସ କମିଟି ଗଠିତ ହୋଇଛି । ଓଡ଼ିଶା ପ୍ରାଦେଶିକ କଂଗ୍ରେସ କମିଟି ମଧ୍ୟ ଗଠିତ ହୋଇଛି । ରାଜନୈତିକ ପ୍ରଶ୍ନର ସମାଧାନ କରିବା ପାଇଁ ଏକାଠି ବସି ବିଚାର ଓ ପରାମର୍ଶ କରିବାକୁ ଓଡ଼ିଶାରେ ନିର୍ବାଚନମୂଳକ ଗୋଟିଏ ରାଜନୈତିକ ଅନୁଷ୍ଠାନ ଗଢ଼ା ହେଲା । ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମରେ ଯେତେବେଳେ ଯେପରି ନୂତନ କର୍ମପଦ୍ଧତି ସ୍ଥିର ହୁଏ, ତାହାକୁ ଓଡ଼ିଶାରେ କିପରି ଖଟାଇଲେ କାର୍ଯ୍ୟକାରୀ ହେବ, ସେ ବିଷୟରେ କଂଗ୍ରେସ କମିଟିର ସଭ୍ୟମାନେ ବସି ଆଲୋଚନା କରନ୍ତି । ଅରଟ ପ୍ରଚାର ଓ ବିଲାତି ବର୍ଜ୍ଜନ ଏହି କାର୍ଯ୍ୟପଦ୍ଧତି ବର୍ତ୍ତମାନ ନିଖିଳ ଭାରତ କଂଗ୍ରେସ କମିଟି ସ୍ଥିର କରିଛନ୍ତି । ବେଜଓ୍ୟାଡ଼ା କାର୍ଯ୍ୟକ୍ରମ ପରେ ଏକ କୋଟି ଅରଟ ପ୍ରଚାର କରିବାର ଧାର୍ଯ୍ୟ ହୋଇଛି । ବିଲାତି ଲୁଗା ବ୍ୟବସାୟୀମାନେ ଏକବର୍ଷ ସକାଶେ ବିଲାତି ଲୁଗା ଆଉ ମଗାଇବେ ନାହିଁ, ଏହି ମର୍ମରେ କଂଗ୍ରେସକୁ ଚୁକ୍ତିପତ୍ର ଲେଖିଦେବା ପାଇଁ ମଧ୍ୟ ପ୍ରସ୍ତାବ ସ୍ଥିର କରାଯାଇଛି । ଯେଉଁ ଲୁଗା ବ୍ୟବସାୟୀମାନେ କଂଗ୍ରେସକୁ ଏହି ଚୁକ୍ତିପତ୍ର ଲେଖି ନ ଦେବେ, ସେମାନଙ୍କ ଦୋକାନ ଆଗରେ ପିକେଟିଙ୍ଗ୍ ବସାଇବାର କଥା ମଧ୍ୟ ହୋଇଛି । କଂଗ୍ରେସର ଏହି ନୂତନ କାର୍ଯ୍ୟପଦ୍ଧତିକୁ କିପରି ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ହେବ ସେ ବିଷୟରେ ଓଡ଼ିଶା ପ୍ରାଦେଶିକ କଂଗ୍ରେସ କମିଟିର ବୈଠକ ବସିଲା । ବହୁତ ଆଲୋଚନା ପରେ ସ୍ଥିର ହେଲା ଯେ, ଓଡ଼ିଶାରେ ପିକେଟିଙ୍ଗ୍ ବସାଇ ପାରିବା ନାହିଁ । ଅରଟ ପ୍ରଚାରରେ ସମସ୍ତ ଶକ୍ତି ନିୟୋଜିତ କରିବାକୁ ହେବ । ଓଡ଼ିଶାରେ ଘର ଘର ବୁଲି ବିଲାତି ଲୁଗା ସଂଗ୍ରହ କରି ଏହି ସଂଗୃହୀତ ଲୁଗାକୁ ନିଆଁ ଲଗାଇ ପୋଡ଼ିବାକୁ ହେବ । ଏକବର୍ଷ ପାଇଁ ଅନ୍ତତଃ ବିଲାତି ଲୁଗା କିଣିବା ବନ୍ଦ କରିବା ପାଇଁ ଦେଶରେ ପ୍ରଚାର କରିବାକୁ ହେବ । ଓଡ଼ିଶାର ପ୍ରାଦେଶିକ କମିଟି ଏହିପରି ପ୍ରସ୍ତାବ ଗ୍ରହଣ କଲେ । ଏହି ପ୍ରସ୍ତାବ ଅନୁସାରେ ବହୁତ ବିଲାତି ଲୁଗା ସଂଗ୍ରହ କରା ହୋଇ ସ୍ଥାନେ ସ୍ଥାନେ ବଡ଼ ବଡ଼ ସଭାରେ ସେହି ବିଲାତି-ଲୁଗା-ଯଜ୍ଞ କରିବାକୁ ହେଲା ।

 

କିନ୍ତୁ ଏହି ପ୍ରସ୍ତାବରେ ମୋର ମନ ମାନିଲା ନାହିଁ । ମୋର ପୂର୍ଣ୍ଣ ଇଚ୍ଛା ପିକେଟିଙ୍ଗ୍ ଜାରୀ କରିବା । ପିକେଟିଙ୍ଗ୍ ଜାରୀ ନ କଲେ ବିଲାତିବର୍ଜନର ପ୍ରଚାର କିଛି ହେବ ନାହିଁ । ଅସହଯୋଗ ଆନ୍ଦୋଳନ ଗୋଟାଏ ଲଢ଼ାଇ, ଏ କଥାଟା ଜନସାଧାରଣଙ୍କ ମନ ମାନିଲା ଭଳି କାର୍ଯ୍ୟରେ ଦେଖାଇ ହେବ ନାହିଁ । ପ୍ରାଦେଶିକ କଂଗ୍ରେସ କମିଟି ପିକେଟିଙ୍ଗ୍ ଜାରୀ କରିବାକୁ ମନା କରିଥିବାରୁ ମୁଁ ମୋର ଇଚ୍ଛା ଅଥବା ହୃଦ୍‌ବିଶ୍ୱାସ ଅନୁସାରେ କାର୍ଯ୍ୟ କରି ନ ପାରେ । ସେ ଯାହା ହେଉ ଭାରତର ରାଜନୈତିକ ପରିସ୍ଥିତିରେ ଏତିକି ବେଳେ ଗୋଟାଏ ବଡ଼ ଘଟଣା ଘଟିଲା । ମହାତ୍ମା ଗାନ୍ଧି ବଡ଼ଲାଟ ଲର୍ଡ ରିଡିଙ୍ଗ୍‌ଙ୍କ ସହିତ ଦେଖା ସାକ୍ଷାତ କଲେ । ମହାତ୍ମା ଗାନ୍ଧିଙ୍କ ଇଙ୍ଗିତରେ ପ୍ରତ୍ୟେକ ପ୍ରଦେଶରୁ ଅନ୍ୟାନ୍ୟ ବଡ଼ ବଡ଼ ନେତାମାନେ ବଡ଼ଲାଟ ସାହେବଙ୍କ ସହିତ ଦେଖା ସାକ୍ଷାତ କରିବା ପାଇଁ ସିମଲା ଦୌଡ଼ିଲେ । ଅସହଯୋଗ ଆନ୍ଦୋଳନ ବେଳେ ମହାତ୍ମା ଗାନ୍ଧି ଏପରି ହଠାତ୍ ବଡ଼ଲାଟ ସାହେବଙ୍କ ସହିତ ଦେଖା କରିବାକୁ କର୍ମୀମାନଙ୍କ ମଧ୍ୟରୁ ଅନେକ ପସନ୍ଦ କଲେ ନାହିଁ । ଓଡ଼ିଶାର କର୍ମୀମାନଙ୍କ ମଧ୍ୟରୁ କେହି କେହି ମଧ୍ୟ ଏଥିପାଇଁ ମହାତ୍ମାଜୀଙ୍କ ଏହି କାର୍ଯ୍ୟକୁ ପସନ୍ଦ କରି ନାହାନ୍ତି । କିନ୍ତୁ ମୋର ମନେହୁଏ ମହାତ୍ମାଜୀଙ୍କର ବଡ଼ଲାଟ ଲର୍ଡ ରିଡିଙ୍ଗ୍‌ଙ୍କ ସହିତ ଏହି ଦେଖା ସାକ୍ଷାତରେ ଯେ ଚୁକ୍ତି ହେଲା, ତାହାହିଁ ଭାରତ ରାଜନୈତିକ ଜୀବନରେ ଘୋର ବିପ୍ଳବାତ୍ମକ ଭାବ ସୃଷ୍ଟି କରି ପାରିଲା । ବଡ଼ଲାଟ ଲର୍ଡ ରିଡିଙ୍ଗ୍‌ ଜଣେ ବଡ଼ ଚତୁର ଓ ଆଇନଜ୍ଞ ବ୍ୟକ୍ତି । ସେ ମହାତ୍ମାଜୀଙ୍କୁ ରାଜନୈତିକ ଯୁକ୍ତିରେ ଭୁଲାଇବାକୁ ଚେଷ୍ଟା କରିବା କପୋଳକଳ୍ପିତ ହୋଇ ନ ପାରେ । ଏପରି ଅନୁମାନରେ ସତ୍ୟ ଥାଇ ପାରେ ଅବା ନ ଥାଇ ପାରେ-। କିନ୍ତୁ ମହାତ୍ମାଜୀ ଲର୍ଡ ରିଡିଙ୍ଗ୍‌ଙ୍କ ସହିତ କଥୋପକଥନ କରି ଫେରିଲା ପରେ ଗୋଟିଏ ଇସ୍ତାହାର ପ୍ରକାଶ କଲେ । ସେଥିରେ ଲେଖାଥିଲା ଯେ, ବଡ଼ଲାଟ ଲର୍ଡ ରିଡିଙ୍ଗ୍ ଭାରତ ପ୍ରତି ନ୍ୟାୟ ବିଚାର କରିବାରୁ ବଡ଼ ଉତ୍କଣ୍ଠିତ । ଅସହଯୋଗ ଆନ୍ଦୋଳନ ଯେତେଦିନ ପର୍ଯ୍ୟନ୍ତ ଅହିଂସାପୂର୍ଣ୍ଣ ରହିଥିବ ସେତେଦିନ ପର୍ଯ୍ୟନ୍ତ ସରକାର ତରଫରୁ କୌଣସି ପ୍ରକାର ବାଧା ବିଘ୍ନ କଂଗ୍ରେସର ପ୍ରଚାର କାର୍ଯ୍ୟରେ ଦିଆଯିବ ନାହିଁ । ବାସ୍ତବରେ ତାହାହିଁ ହେଲା । ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମକୁ ପ୍ରସାର କରିବାରେ ସରକାରୀ ବାଧା ସେପରି କିଛି ରହିଲା ନାହିଁ ।

 

ଜନ ସାଧାରଣ ଏପର୍ଯ୍ୟନ୍ତ ସରକାରୀ ତଥା ପୋଲିସକୁ ଦେଖିଲେ ଭୟରେ ଥରହର ହେଉଥିଲେ । ସରକାର ବିରୁଦ୍ଧରେ କିଛି କହିବା ସେମାନଙ୍କ କଳ୍ପନାର ବହିର୍ଭୂତ ବିଷୟ ଥିଲା । ବଡ଼ ବଡ଼ ସଭାରେ ସରକାର ବିରୁଦ୍ଧରେ ବହୁତ କଥା ସେମାନେ ଶୁଣିବାକୁ ପାଇଲେ । ପଲ୍ଲୀଗ୍ରାମରେ ସଭା କରି ସାଧାରଣ କଂଗ୍ରେସ କର୍ମୀମାନେ କିଛି କହିଲା ବେଳେ ସେମାନେ କ’ଣ କହୁଛନ୍ତି ଏ ଜ୍ଞାନ ଅନେକଙ୍କର ଥାଏ କି ନାହିଁ ସେ ବିଷୟରେ ସନ୍ଦେହ ଜାତ ହୁଏ । ଅନେକ ସମୟରେ ଏବଂ ଅନେକ ସ୍ଥଳରେ କଂଗ୍ରେସ କର୍ମୀମାନଙ୍କର ପୋଲିସ ସହିତ ବାକ୍‌ବିତଣ୍ଡାରେ ସଂଘର୍ଷ ଜାତ ହୁଏ । ପୋଲିସ କର୍ମଚାରୀ ଅପମାନସୂଚକ କଥା ଶୁଣିଲେ ମଧ୍ୟ ସେ ସବୁ ଲେଖି ରିପୋର୍ଟ କରିବା ଛଡ଼ା ମୁହଁ ଖୋଲି କଥା କହିବାର ଅଧିକାର ସେମାନଙ୍କର ନ ଥାଏ । ସାଧାରଣ ଲୋକେ ଏହି ଦୃଶ୍ୟ ଦେଖି ମନେ କରନ୍ତି ଯେ, ଇଂରେଜୀ ସରକାରର ବଳ ଆଉ ନାହିଁ । କଂଗ୍ରେସକୁ ଏବଂ ଗାନ୍ଧି ମହାତ୍ମାଙ୍କୁ ସରକାର ଡରି ଗଲେଣି । ସ୍ୱରାଜ୍ୟ ନିଶ୍ଚୟ ହେବ । ଅଶିକ୍ଷିତ ପଲ୍ଲୀବାସୀ ମନରେ ଏହିପରି ଯେଉଁ ଧାରଣା ଜନ୍ମିଲା, ତାହାହିଁ ଆମ୍ଭର ସ୍ୱାଧୀନତା ସଂଗ୍ରାମର ମୂଳଭିତ୍ତି ହେଲା ବୋଲି ମୋର ବିଶ୍ଵାସ । ପଲ୍ଲୀବାସୀଙ୍କର ଏହିପରି ଧାରଣା ଓ ବିଶ୍ୱାସ କଂଗ୍ରେସ କର୍ମୀମାନଙ୍କ ପ୍ରତି ସେମାନଙ୍କ ହୃଦୟରେ ଭକ୍ତିଭାବ ଉଦ୍ରେକ କରାଇଥିଲା । ଜନସାଧାରଣଙ୍କର କଂଗ୍ରେସର ଶକ୍ତି ଉପରେ ଆସ୍ଥା ଜନ୍ମିଲା । କର୍ମୀମାନଙ୍କର ସାହାସ ବଢ଼ିଲା । ଯାହା ଲୋକେ ଅସମ୍ଭବ ବୋଲି ବିଚାରୁଥିଲେ ତାହା ସମ୍ଭବପର ବୋଲି ସେମାନଙ୍କର ବିଶ୍ୱାସ ହେଲା । ଜନସାଧାରଣଙ୍କ ବିଚାର ଧାରା ଓ କଳ୍ପନା ରାଜ୍ୟରେ ଘୋର ପରିବର୍ତ୍ତନ ଘଟିଲା । ଭାରତବାସୀର ‘‘ରାଜନୈତିକ ଦୃଷ୍ଟି ବିନ୍ଦୁ’’ (Political outlook)ରେ ଘୋର ବିପ୍ଳବର ସୂତ୍ରପାତ ହେଲା । ମହାତ୍ମା ଗାନ୍ଧି ବଡ଼ଲାଟ ଲର୍ଡ ରିଡିଙ୍ଗ୍‌ଙ୍କ ସହିତ କଥୋପକଥନ କରି ଯେଉଁ ଚୁକ୍ତି କରି ଆସିଲେ ତାହାରି ଫଳରେ ଦେଶରେ ଏପରି ଘୋର ପରିବର୍ତ୍ତନ ଘଟି ପାରିଲା ବୋଲି ମୁଁ କହିପାରେ ।

 

ଦେଶର ରାଜନୈତିକ ପରିସ୍ଥିତି ଲୋକଚରିତ୍ର ଗଠନ କରେ । ଆଦର୍ଶ ରଖି କର୍ମ କରୁଥିବା କର୍ମୀମାନଙ୍କର କର୍ମ ଓ ଚିନ୍ତାକୁ ପ୍ରଭାବିତ କରେ । ଏହି ପରିସ୍ଥିତି ମୋର କର୍ମ ଓ ମନୋବୃତ୍ତିକୁ ବହୁତ ପ୍ରଭାବିତ କରିଛି । ମୁଁ ନିର୍ଭୀକ ହୃଦୟରେମନଇଚ୍ଛା ଇଂରେଜ ସରକାରଙ୍କୁ ସମାଲୋଚନା କରିଛି । କୌଣସି ପ୍ରକାର ଭାବକୁ ପ୍ରକାଶ କଲାବେଳେ ଶବ୍ଦ ଯୋଜନାରେ କୌଣସି ସୀମା ରହେ ନାହିଁ । ତୀବ୍ର ଭାବକୁ ପ୍ରକାଶ କଲାବେଳେ ତୀବ୍ର ଶବ୍ଦ ମଧ୍ୟ ମୁହଁରୁ ବାହାରିପଡ଼େ । ମୋର ଜୀବନ ଉଗ୍ର ହୋଇ ଉଠିଛି । ମୁ୍ଁ କାହାରି ପରାମର୍ଶ ଓ ଆଦେଶର ଅପେକ୍ଷା ରଖି ନାହିଁ । ମତେ ଯେଉଁ ବାଟ ଯେପରି ଦେଖାଯାଏ, ସେହିପରି ମୁଁ କରିଛି । ଏଥିପାଇଁ କାହାରି ମତାମତ ଲୋଡ଼ିବାର ଆବଶ୍ୟକତା ମଧ୍ୟ ଅନୁଭବ କରି ନାହିଁ । କୌଣସି ଭାବ ଅବା ଭାଷା ରାଜଦ୍ରୋହସୂଚକ ହେବ ଏପରି ଭାବନା ମନରେ ନ ଥାଏ । ଯେଡ଼େ କଡ଼ା କଥା କହିଲେ କିମ୍ବା ଯେଡ଼େ ଦ୍ରୁତଗତିରେ କାର୍ଯ୍ୟ କଲେ ମଧ୍ୟ ତାହା ଯଥେଷ୍ଟ ହେଲା ବୋଲି ମନ ମାନେ ନାହିଁ । ମନରେ ଯେଉଁ ଭାବ ଆସେ ତାହା ଅବାଧରେ ବ୍ୟକ୍ତ କରେ । ମନର ପ୍ରତ୍ୟେକ ଭାବକୁ କାର୍ଯ୍ୟରେ ଖଟାଇବା ପାଇଁ ବ୍ୟଗ୍ରତା ଅନୁଭବ କରେ । ମୁଁ ଭାବେ, ବିଲାତି ଲୁଗା ଦୋକାନରେ ପିକେଟିଙ୍ଗ୍ କରିବା ଅତୀବ ଜରୁରୀ । କିନ୍ତୁ ପ୍ରାଦେଶିକ କଂଗ୍ରେସ କମିଟି ପିକେଟିଙ୍ଗ୍ ଜାରୀ କରିବାକୁ ଅନୁମତି ଦେଇ ନାହାନ୍ତି ।

 

ଡାକ୍ତର ଅଟଳବିହାରୀ କଟକ ଜିଲ୍ଲା କଂଗ୍ରେସ କମିଟିର ସଂପାଦକ । ଆଶ୍ରମ ପରିଚାଳନା ଭାର ପୁଣି ତାହାଙ୍କ ଉପରେ ଅଛି । ଏହିସବୁ କାମରୁ ତାହାଙ୍କୁ ଟିକିଏ ସମୟ ମିଳେ ନାହିଁ । ମଫସଲ ଟିକିଏ ବୁଲି ଆସିବା ପାଇଁ ତାହାଙ୍କ ପ୍ରାଣ ଛଟପଟ କରୁଥାଏ । ସେ କିଛିଦିନ ପାଇଁ ଅଫିସ ଓ ଆଶ୍ରମ ଭାର ମତେ ଦେଇ ମଫସଲ ବୁଲିବାକୁ ଗଲେ । ମୁଁ ଆଶ୍ରମରେ ରହି କର୍ମୀମାନଙ୍କୁ ପ୍ରତିଦିନ କର୍ମରେ ନିୟୋଜିତ କରିବାର ଭାର ପୂର୍ଣ୍ଣ ମାତ୍ରାରେ ଗ୍ରହଣ କଲି ।

 

ଆଶ୍ରମରେ କେତେଗୁଡ଼ିଏ ତଥାକଥିତ କର୍ମୀ ରହିଥାନ୍ତି । ଅଟଳ ବାବୁଙ୍କ ସରଳ ପ୍ରକୃତି ଓ ହୃଦୟବତ୍ତା ହେତୁ ସେ ସେମାନଙ୍କ ବାହାର ଆଡ଼ମ୍ୱରରେ ଭୁଲିଯାନ୍ତି । ମୁଁ ଏହିପରି କେତୋଟି କର୍ମୀଙ୍କୁ ଚିହ୍ନିଥାଏ । ଏମାନେ କଟକ ସହରରୁ ବିଲାତୀ ଲୁଗା ସଂଗ୍ରହ କରି ସେ ସବୁ ଲୁଗା ଚୋରି କରିବାର ସମ୍ୱାଦ ଶୁଣିଥାଏ । ସୁତରାଂ ଆଶ୍ରମ ଓ ଅଫିସ ଉଭୟର ଭାର ଗ୍ରହଣ କରି ଏହି କର୍ମୀମାନଙ୍କୁ ଆଶ୍ରମରୁ ବିଦାୟ ଦେବା ହେଲା ମୋର ପ୍ରଥମ କାର୍ଯ୍ୟ । ଏମାନଙ୍କୁ ବିଦାୟ ଦେବା ମୋ ପକ୍ଷରେ ଅବଶ୍ୟ ସହଜ ହୋଇ ନାହିଁ । ଏଥିପାଇଁ ମତେ ବହୁତ କଥା ଶୁଣିବାକୁ ପଡ଼ିଛି । ବହୁତ କର୍ମୀ ମୋ ଉପରେ ବିରକ୍ତ ଓ ଅସନ୍ତୁଷ୍ଟ ହୋଇ ଅଛନ୍ତି । କିନ୍ତୁ କୌଣସି ପ୍ରକାରେ କାହାରି କଥା କିଛି ନ ଶୁଣି କେତୋଟି କର୍ମୀଙ୍କୁ ବାହାର କରି ଦେବାକୁ ମୁଁ ବାଧ୍ୟ ହେଲି । ମୁଁ ଦେଖିଲି, ଜିଲ୍ଲାରେ କେଉଁଠାରେ କେଉଁ କର୍ମୀ କିପରି କାମ କରୁଛି ସେସବୁ ପ୍ରତି ଦୃଷ୍ଟି ରଖି ବିଚାର କରିବାକୁ କାହାରି ମନ ନାହିଁ କିମ୍ୱା କଟକ ଜିଲ୍ଲାରେ ସେପରି କେହି ବ୍ୟକ୍ତି ନାହିଁ ଯେ କି ସବୁ କଥାର ଦାୟିତ୍ୱ ଗ୍ରହଣ କରିବ । ଏପରି ଅବସ୍ଥାରେ ଦୃଷ୍ଟି ଉପରେ ଯେତିକ ପଡ଼ୁଛି ସେତିକ ସଂଶୋଧନ କରିନେବା କର୍ତ୍ତବ୍ୟ । କୌଣସି ଗୋଟିଏ କାର୍ଯ୍ୟ କରିବାକୁ ଗଲେ ତାହାର ଭଲ ମନ୍ଦର ଦାୟିତ୍ୱ ମୁଣ୍ଡେଇବାକୁ ପଡ଼ିବ । ସମାଲୋଚନା ମଧ୍ୟ ଶୁଣିବାକୁ ହେବ । ଲଢ଼ାଇ ବେଳେ ରଣ କ୍ଷେତ୍ରରୁ ସୈନ୍ୟ ତଡ଼ି ଦେବା ଯାହା କଟକ ଆଶ୍ରମରୁ କେତୋଟି କର୍ମୀଙ୍କୁ ବାହାର କରିଦେବା ଅର୍ଥ ତାହା । ଫଳରେ ଆଶ୍ରମରେ ବର୍ତ୍ତମାନ ତିନି ଚାରୋଟି ମାତ୍ର କର୍ମୀ ରହିଲେ । ସହରରେ କିପରି କାମ ଚଳିବ ଏହି ଭାବନା ଉପସ୍ଥିତ ହେଲା ।

 

ଏହି ସମୟରେ ମୌଲାନା ମହମଦ ଆଲ୍ଲି ଓ ସୌକତ ଆଲ୍ଲି ଭାଇ ଦୁହେଁ ଧରା ହେଲେ-। ଏହି ଉପଲକ୍ଷରେ ସଭା ହେଲା । ସଭାରେ ଅବଶ୍ୟ ମୋ ବ୍ୟତୀତ ଅନ୍ୟ କେହି କହିବାକୁ ନ ଥିଲେ । ଆଲ୍ଲିଭାଇଙ୍କ ଧରା ହେବାରେ ଗୋଟିଏ ସଭା କରି ସରକାରୀ କାର୍ଯ୍ୟକୁ ସମାଲୋଚନା କରିଦେଇ ମୋର ମନ ଏତିକିରେ ସନ୍ତୁଷ୍ଟ ହେଲା ନାହିଁ । ମୁଁ ଦେଖିଲି, ଏହି ଅବସରରେ ଗୋଟାଏ ନୂଆ କଥା କିଛି ଦେଖାଇବାକୁ ହେବ । ଅଟଳ ବାବୁ ମଫସଲ ଗସ୍ତରେ । କଂଗ୍ରେସ କମିଟିରେ ପ୍ରସ୍ତାବ ଆଣି କାର୍ଯ୍ୟ କଲା ବେଳକୁ ବାୟୁ ମଣ୍ଡଳ ଟିକିଏ ଥଣ୍ଡା ପଡ଼ି ଯାଇଥିବ-। ନିଜ ଉପରେ ଦାୟିତ୍ୱ ନେଇ କାମ ଆରମ୍ଭ କରିଦେବାକୁ ସ୍ଥିର କଲି । ସଭାରେ ଘୋଷଣା କଲି ଯେ, ଆଲ୍ଲିଭାଇ ଦୁହିଙ୍କ ଧରା ହେବାରେ ଓଡ଼ିଶାରେ ଅସନ୍ତୋଷ ଜଣାଇବା ପାଇଁ କାଲିଠାରୁ କଟକ ସହରରେ ବିଲାତୀ ଲୁଗା ଦୋକାନ ଆଗରେ ପିକେଟିଙ୍ଗ୍ ଜାରୀ କରା ହେବ । ଏହି ଘୋଷଣା କରି ତହିଁ ଆର ଦିନଠାରୁ ପିକେଟିଙ୍ଗ୍ ଆରମ୍ଭ କଲି । ସାଙ୍ଗରେ ଦୁଇଟି ମାତ୍ର ସ୍ୱେଚ୍ଛାସେବକ । ଅଟଳ ବାବୁ ମଫସଲ ଗସ୍ତରୁ ଫେରିଲେ । ସେ ପୂର୍ଣ୍ଣ ପ୍ରାଣରେ ମୋର କାର୍ଯ୍ୟକୁ ସମର୍ଥନ କଲେ । ଅସହଯୋଗ ଆନ୍ଦୋଳନର ଓଡ଼ିଶା ଇତିହାସରେ ଗୋଟିଏ ନୂତନ ଅଧ୍ୟାୟ ଖୋଲା ହେଲା ଏବଂ ଆନ୍ଦୋଳନ ଗୋଟିଏ ନୂତନ ଆକାର ଧାରଣ କଲା ।

Image

 

ପଞ୍ଚମ ପରିଚ୍ଛେଦ

ବିଲାତୀ ଲୁଗା ଦୋକାନରେ ପିକେଟିଙ୍ଗ୍

 

କଟକ ସହରରେ ପିକେଟିଙ୍ଗ୍ ଜାରୀ କରି କେଡ଼େ ବଡ଼ ଦାୟିତ୍ୱ ମୁଁ ମୁଣ୍ଡେଇଲି ତାହା ଭାବିବାକୁ ସମୟ ନାହିଁ । ଯେଉଁ ଦିନ ସଭାରେ ଏହି କଥା ଘୋଷଣା କଲି ତା’ର ପରଦିନ ଦୁଇଜଣ ସ୍ୱେଚ୍ଛାସେବକଙ୍କୁ ଧରି ମାରବାଡ଼ି ପଟିରେ ଉପସ୍ଥିତ । କଟକ ମାରବାଡ଼ି ପଟିରେ ଅନେକ ଗୁଡ଼ିଏ ବିଲାତୀ ଲୁଗାର ଦୋକାନ ଅଛି । ଦୁଇଜଣ ସ୍ୱେଚ୍ଛାସେବକଙ୍କୁ ଧରି ପିକେଟିଙ୍ଗ୍ କରି ବିଲାତୀ ଲୁଗା ବେପାରୀମାନଙ୍କୁ ଆୟତ୍ତ କରିବା ଅସମ୍ଭବ ପରି ଜଣାଗଲା । ସାମୟିକ ଉତ୍ତେଜନାରେ ପ୍ରଭାବିତ ହୋଇ ସଭାରେ ଗୋଟାଏ ଘୋଷଣା କରିଦେଲେ । କିନ୍ତୁ କର୍ତ୍ତବ୍ୟର ସମ୍ମୁଖୀନ ହେଲା ବେଳକୁ ମୋର ସାହାସ କମିବାକୁ ଲାଗିଲା । ପ୍ରାଦେଶିକ କଂଗ୍ରେସ କମିଟିର ମତାମତ ନ ନେଇ ମୁଁ ନିଜ ଦାୟିତ୍ୱରେ ଏହା କରିଛି । ଏହା ଏକ ବିଷମ ଦାୟିତ୍ୱ । ଏଥିରେ କୃତକାର୍ଯ୍ୟ ନ ହେଲେ ମୋର ଅବସ୍ଥା କ’ଣ ହେବ ତାହା କଳ୍ପନା କରି ହେଉ ନାହିଁ । ପୁଣି ଏହି କାର୍ଯ୍ୟକୁ ପୂରାପୂରି ନ ହେଲେ ମଧ୍ୟ ଆଂଶିକ ଭାବରେ ଏବଂ ତାହା ପୁଣି ଅଳ୍ପ ସମୟ ମଧ୍ୟରେ ଫଳବତୀ କରିବା ଦରକାର । ଯଦି ପିକେଟିଙ୍ଗ୍ ବହୁତ ସମୟ ଲାଗେ, ଫଳରେ ବିଲାତୀ ଲୁଗା ବେପାରୀମାନେ ଏପରି କ୍ଷୀଣ ଓ ଦୁର୍ବଳ ପିକେଟିଙ୍ଗକୁ ଖାତିର ନ କରି ମନଇଚ୍ଛା ପୂର୍ବବତ୍‍ ବିଲାତୀ ଲୁଗା ବେପାର ଅବାଧରେ କରନ୍ତି ତେବେ ଓଡ଼ିଶାରେ କଂଗ୍ରେସ ଅନୁଷ୍ଠାନର ଦୁର୍ବଳତା ପ୍ରକାଶ ପାଇବ । ଦେଶ ତଥା ଜାତିର ନିନ୍ଦା ଶୁଣିବାକୁ ପଡ଼ିବ । ପ୍ରାଦେଶିକ କଂଗ୍ରେସ କମିଟି ଏହି ଦୋଷପାଇଁ ମତେ କ୍ଷମା ଦେବା ସହଜ ହେବ ନାହିଁ । ଓଡ଼ିଶାର ସମସ୍ତ କଂଗ୍ରେସ କର୍ମୀମାନଙ୍କର କ୍ରୋଧ ଓ ବିରକ୍ତି ମୋ ଉପରେ ଅଜାଡ଼ି ହୋଇ ପଡ଼ିବ । ଏ ସବୁ ସଂଭାଳି ପାରିବାର କ୍ଷମତା ଓ ଶକ୍ତି ମୋର କେତେଦୂର ମୁଁ ବୁଝି ପାରିଲି ନାହିଁ । ଏହିପରି ଚିନ୍ତାରେ ମୋର ଅସ୍ଥିରତାର ସୀମା ରହିଲା ନାହିଁ । ଦୁଇଟି ମାତ୍ର ସ୍ୱେଚ୍ଛାସେବକ ନେଇ କାର୍ଯ୍ୟ ଆରମ୍ଭ କଲି ।

 

ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଏବଂ ଓପର ବେଳା ୩ଟାରୁ ରାତ୍ର ୧୨ଟା ପର୍ଯ୍ୟନ୍ତ ମୁଁ ବାଲୁବଜାର ଛକରୁ ଚୌଧୁରି ବଜାର ଛକ ପର୍ଯ୍ୟନ୍ତ ବୁଲିବାକୁ ଆରମ୍ଭ କଲି । କେହି ଖଣ୍ଡିଏ ବିଲାତୀ ଲୁଗା କିଣି ନେଉ ଥିବାର ଦେଖିଲେ ତାହାକୁ ବୁଝାଇ ଉକ୍ତ ଲୁଗାଖଣ୍ଡି ଆଣି ସଡ଼କ ଉପରେ ପୋଡ଼ିଦିଏ । ଏହିପରି ଦିନରେ ପ୍ରାୟ ଶହେଖଣ୍ଡ ଲୁଗା ମୁଁ ପୋଡ଼େ । ଏହି ଲୁଗା ପୋଡ଼ା ବହୁତ ଦର୍ଶକଙ୍କୁ ମୋ ପଛରେ ଟାଣି ଆଣିଲା । ମୋ ହାବୁଡ଼ରେ ବିଲାତିଲୁଗା କିଣି ନେଉଥିବା କେହି ବ୍ୟକ୍ତି ପଡ଼ିଲେ ସେ ଆଉ ଖସିଯିବାର ବାଟ ରହିଲା ନାହିଁ । ବହୁତ ଲୋକ ଘେରିଯାଇ ମୁଁ ବୁଝାଇବାକୁ ଆରମ୍ଭ କରିବା ପୂର୍ବରୁ ସେମାନେ ନାନାପ୍ରକାର କଥା କହିବାକୁ ଆରମ୍ଭ କରି ଦିଅନ୍ତି । ବିଲାତୀ ଲୁଗା ନେଉଥିବା ବ୍ୟକ୍ତି ଲଜ୍ଜାରେ ଲୁଗା ପକାଇ ଦେଇ ପଳାଇଯାନ୍ତି । କେହି ନିହାତି ଅବୁଝା ହେଲେ ମୁଁ ତାହାଙ୍କୁ ନିଜ ହାତରୁ ପଇସା ଦେଇ ଲୁଗା ଖଣ୍ଡି ନେଇ ଆସି ତାହାଙ୍କ ଆଗରେ ପୋଡ଼ିଦିଏ । ଏହାର ଫଳରେ ସେ ଆଉ ବିଲାତୀ ଲୁଗା ନ କିଣି ଦେଶୀ ଲୁଗା ଖଣ୍ଡିଏ କିଣିବାକୁ ବାଧ୍ୟ ହୁଅନ୍ତି ।

 

ଏହି ପ୍ରକାର କାର୍ଯ୍ୟ କରିବାର ପାଞ୍ଚ ସାତ ଦିନ ଭିତରେ ବିଲାତୀ ଲୁଗା କିଣିବା ପାଇଁ କେହି ଭଦ୍ର ବ୍ୟକ୍ତି ଆଉ ବିଲାତୀ ଲୁଗା ଦୋକାନକୁ ଆସିବାକୁ ରାଜି ହେଲେ ନାହିଁ । କିନ୍ତୁ ବିଲାତୀ ଲୁଗାର ବେପାର ବନ୍ଦ ହେଲା ନାହିଁ । ଇତ୍ୟବସରରେ ପୋଲିସ ସାହେବ ମତେ ଡକାଇ ନେଇ ବଜାର ମଧ୍ୟରେ ଏପରି ଗୋଳମାଳ ନ କରିବା ପାଇଁ ଏକ ଧମକ ଦେଲେ । ‘‘ମୁଁ ମୋର କର୍ତ୍ତବ୍ୟ କରୁଛି, ବଜାରରେ ଗୋଳମାଳ କରୁ ନାହିଁ’’ ବୋଲି ପୋଲିସ ସାହେବଙ୍କ ଧମକର ଉତ୍ତର ଦେଇ ମାରବାଡ଼ି ପଟିରେ ଉପସ୍ଥିତ ହେଲି । ଦୁଇଟି ସ୍ୱେଚ୍ଛାସେବକଙ୍କୁ ଧରି ଦୁଇଟି ବିଲାତୀ ଲୁଗା ଦୋକାନ ଆଗରେ ପିକେଟିଙ୍ଗ୍ ଜାରୀ କରାଇଲି । ମୁଁ ନିଜେ ଦୋକାନ ଦୋକାନ ବୁଲି, କେଉଁ ମାରବାଡ଼ିର ମିଞ୍ଜାସ କିପରି ତାହା ଠଉରେଇବାରେ ଲାଗିଲି । ମୁଁ ଦେଖିଲି ଯେ, କେତୋଟି ମାରବାଡ଼ି ଭାଇ ମତେ ସେମାନଙ୍କ ଦୋକାନ ଆଗରେ ଦେଖିବାକୁ ପାଇଲେ ଭାରି ରାଗି ଗାଳି ଦିଅନ୍ତି । ଏହିମାନଙ୍କ ଗାଳି ହେଲା ମୋର ପ୍ରଧାନ ଅସ୍ତ୍ର । ଏହି ଗାଳି ଦେଉଥିବା ମାରବାଡ଼ିର ଦୋକାନ ଆଗରେ ମୁଁ ନିଜେ ଯାଇ ଠିଆ ହୁଏ ଏବଂ ବିଲାତୀ ଲୁଗା ବେପାର ବନ୍ଦ କରିବାକୁ ତାହାଙ୍କୁ ଉପଦେଶ ଦିଏ । ସେ ମୋତେ ଦେଖି ଏବଂ ମୋର କଥା ଶୁଣି ଭାରି ରାଗନ୍ତି ଏବଂ ଅତି କୁଭାଷାରେ ଗାଳି ଦିଅନ୍ତି । ଏପରି ଗାଳି ଶୁଣି ଶହ ଶହ ଲୋକ ଜମା ହୋଇ ଯାନ୍ତି । ମୁଁ ଯେଉଁଠାରେ ଠିଆ ହୁଏ ସେଠାରେ ଶହ ଶହ ଲୋକର ଭିଡ଼ ହୋଇଯାଏ । ଏହି ଶହ ଶହ ଲୋକ ସମସ୍ତେ କ୍ଷଣକ ପାଇଁ ସ୍ୱେଚ୍ଛାସେବକ ପାଲଟି ଯାନ୍ତି । ଚୌଧୁରୀ ବଜାର ଛକରୁ ବାଲୁବଜାର ଛକ ଏପରି ଦୁଇ ଚାରି ଥର ବୁଲିଗଲା ପରେ ପ୍ରାୟ ଅଧିକାଂଶ ଦୋକାନ ଆଗରେ ଦଳକୁ ଦଳ ଲୋକ ଜମାଟ ବାନ୍ଧି, କାହାରିକୁ ବିଲାତୀ ଲୁଗା କିଣାଇ ଦିଅନ୍ତି ନାହିଁ । ଏହିପରି ଭାବରେ ପିକେଟିଙ୍ଗ୍ ସାରା ମାରବାଡ଼ି ପଟିରେ ଜାରୀ ହୋଇଥାଏ ।

 

ଇଚ୍ଛାରାମ ନାମରେ ଗୋଟିଏ ବୁଢ଼ା ମାରବାଡ଼ି ଥାଏ । ସେ ଭାରି ଚିଡ଼ା ଲୋକ । ସେ ମତେ ଦେଖି ଭାରି ରାଗିଯାଏ ଏବଂ ଗାଳି ଦିଏ । ତାହା ଦୋକାନରୁ ପିକେଟିଙ୍ଗ୍ ଆରମ୍ଭ ହେଲା । ସେ ବିଚାରା ସହି ନ ପାରି ପୋଲିସରେ ଯାଇ ଇତଲା ଦେଲା । ପୋଲିସ ସାହେବ ଦେଓ୍ୟାନ ବାହାଦୂର ଶ୍ରୀକୃଷ୍ଣ ମହାପାତ୍ର ଏତିକି ବାହାନା ଖୋଜୁଥିଲେ । କେହି ଆପତ୍ତି ନ କଲେ ସେ ବାଧା ଦେଇ ନ ପାରନ୍ତି । ମାରବାଡ଼ି ଇଚ୍ଛାରାମଠାରୁ ଇଝାର ନେଇ ସେ ତତ୍‍କ୍ଷଣାତ୍‍ ଦୌଡ଼ି ଆସିଲେ । ସେ ଆସିଲାବେଳକୁ ମୋ ପଛରେ ଶହ ଶହ ଲୋକ ଅଛନ୍ତି । ପିକେଟିଙ୍ଗ୍‌ର ଧମ ଚାଲିଛି । ସେ ହଠାତ୍‍ ଆସି କହିଲେ, ‘‘Well, Mr. Misra, you must remember that your Swaraj has not yet been established.’’ ଅର୍ଥାତ, ‘‘ମିଶ୍ରେ, ତୁମ୍ଭେ ଜାଣିବା ଉଚିତ ଯେ ତୁମ୍ଭର ସ୍ୱରାଜ୍ୟ ଏପର୍ଯ୍ୟନ୍ତ ହୋଇ ନାହିଁ ।’’ ଏହାର ଉତ୍ତରରେ ମୁଁ କହିଲି, ‘‘you must remember that we are fighting to establish our Swaraj,’’ ଅର୍ଥାତ୍‍, ‘‘ତୁମ୍ଭେ ଜାଣିବା ଉଚିତ, ଆମ୍ଭେ ଆମ୍ଭର ସ୍ୱରାଜ୍ୟ ପ୍ରତିଷ୍ଠା କରିବା ପାଇଁ ଲଢ଼ାଇ କରୁଛୁ ।’’ ମୋଠାରୁ ଏଭଳି ଉତ୍ତର ପାଇ ମତେ ଆରେଷ୍ଟ କରି ଜଣେ ପୋଲିଶ ଜିମା କରିଦେଇ ମହାପାତ୍ର ସାହେବ ଥାନାକୁ ଚାଲିଲେ । ତାହାଙ୍କ ପଛରେ ପୋଲିସ ମତେ ଥାନାକୁ ଧରିନେଲେ । ମୋ ପଛରେ ଶହ ଶହ ଲୋକ ଯାଇ ଥାନା ଆଗରେ ବିଲାତୀ ଲୁଗା ପୋଡ଼ିଲେ । ମୋର ଧରା ହେବାରେ କଟକରେ ଗୋଟାଏ ଚହଳ ପଡ଼ିଗଲା । ମୁଁ ଯାଇ ଥାନା ହାଜତଘରେ ତାଲା ପଡ଼ି ବନ୍ଦ ହେଲି । ସନ୍ଧ୍ୟା ୭ଟାରେ ମହାପାତ୍ର ସାହେବ ଥାନାରେ ହାଜର ହୋଇ ମତେ ହାଜତ ଘରୁ ତାଲା ଫିଟାଇ ପାଖକୁ ଡାକିଲେ । ସେ ମତେ କହିଲେ ଯେ, ‘ବଜାର ଭିତରେ ଗୋଳମାଳ ଆଉ କରିବି ନାହିଁ’ ବୋଲି ମୁଁ ଖଣ୍ଡିଏ ଚୁକ୍ତିପତ୍ର ଲେଖିଦେଲେ ସେ ମତେ ଛାଡ଼ି ଦେବେ । ମୁଁ କହିଲି, ‘‘ମୁଁ ବଜାରରେ ଗୋଳମାଳ କରି ନାହିଁ କିମ୍ୱା କରିବାର ମୋର ଅଭିପ୍ରାୟ ନାହିଁ । ମୁଁ ମୋର କର୍ତ୍ତବ୍ୟ କରୁଥିଲି । ଏଠାରୁ ଛାଡ଼ ପାଇଲେ ଏକ୍ଷଣି ଯାଇ ଯାହା କରୁଥିଲି ତାହା ପୁଣି କରିବି ।’’ ମୋଠାରୁ ଏପରି ଉତ୍ତର ପାଇ ମହାପାତ୍ର ସାହେବ ଭାରି ରାଗିଗଲେ । ସେ କହିଲେ, ‘‘ଦଶପଲ୍ଲା ମେଳି ବେଳେ ତୁମ ନାମରେ ଓ୍ୟାରଣ୍ଟ ଥିଲା । ସେତେବେଳେ ତୁମେ ଜଣେ ଛାତ୍ର ଥିବାରୁ ମୁଁ ଦୟା କରି ଛାଡ଼ି ଦେଇଥିଲି । କିନ୍ତୁ ତୁମେ ଗୋଟାଏ ଏପରି ଗୋଖର ସାପ ବୋଲି ମୁଁ ଜାଣି ନ ଥିଲି ।’’ ମୁଁ କହିଲି, ‘‘ଆପଣ ମତେ ଛାଡ଼ି ଦେଇ ଭୁଲ କରିଛନ୍ତି । ବର୍ତ୍ତମାନ ମୁଁ କିଏ ବୋଲି ଯଦି ଚିହ୍ନି ପାରିଲେଣି ତେବେ ପୂର୍ବପରି ଆଉ ଭୁଲ କାର୍ଯ୍ୟ କରନ୍ତୁ ନାହିଁ ।’’ ମୋର ଏପରି ଉତ୍ତରରେ ମହାପାତ୍ର ସାହେବଙ୍କ ରାଗର ସୀମା ରହିଲା ନାହିଁ । ସେ ଆଉ କିଛି ନ କହି ହାଜତ ଘରେ ବନ୍ଦ କରିଦେବା ପାଇଁ ହୁକୁମ ଦେଲେ । ତହିଁ ଆର ଦିନ କୋର୍ଟରେ ମତେ ହାଜର କରାଇ ଜେଲ ହାଜତକୁ ପଠାଇ ଦିଆ ହେଲା । ଏହାର ଦୁଇ ତିନି ଦିନ ପରେ ମୋର ବିଚାର ହେଲା । ଥଡାନି ସାହେବ, ଯେ କି ପୁରୀର ମାଜିଷ୍ଟ୍ରେଟ ଥିଲେ, ସେ ସେତେବେଳକୁ କଟକରେ ଏସ୍‍. ଡି. ଓ. କାମ କରୁଥାନ୍ତି । ତାଙ୍କରି କୋର୍ଟରେ ମୋର ବିଚାର ହେଲା । ମୋ ମନରେ ୪/୫ଟି ଦଫା ଖୋଜି ପୋଲିସ ମକଦ୍ଦମା ରୁଜୁ କଲେ । କୌଣସି ଦଫାରେ ପ୍ରମାଣ ଯୋଗାଇ ନ ପାରିବାରୁ ଥଡାନି ସାହେବ ମତେ ନିର୍ଦ୍ଦୋଷ ବୋଲି ଖଲାସ ଦେଲେ । କୋର୍ଟରୁ ବାହାରି ଜୁମା ମସଜିଦ୍‌ରେ ମୁଁ ସଭା କଲି । ଏହିଠାରେ ପିକେଟିଙ୍ଗ୍ ଜାରୀ କରିବାକୁ ଘୋଷଣା କରିଥିଲି । ବର୍ତ୍ତମାନ ଏହି ସଭାରେ କଟକରେ ପିକେଟିଙ୍ଗ୍ କୃତକାର୍ଯ୍ୟ ହେବାର ସଂବାଦ ମଧ୍ୟ ମତେ ଶୁଣାଇବାକୁ ପଡ଼ିଲା । ମୋର ଧରାହେବା ପରେ କଟକର ସବୁ ବିଲାତୀ ଲୁଗା ବେପାରୀମାନେ କଂଗ୍ରେସ ଅଫିସରେ ଚୁକ୍ତି କରି ଲେଖିଦେଲେ ଯେ, ୧୯୨୮ ମସିହା ଡିସେମ୍ୱର ତା ୩୧ ରଖି ପର୍ଯ୍ୟନ୍ତ କେହି ଆଉ ବିଲାତୀ ଲୁଗା ମଗାଇବେ ନାହିଁ ।

 

କଟକର ବିଲାତୀ ଲୁଗା ବେପାରୀମାନେ ଏପରି ଚୁକ୍ତି ଲେଖିଦେଲେ ସତ୍ୟ କିନ୍ତୁ ଅନେକ ଚୋରା ଭାବରେ କଲିକତାରୁ ବିଲାତୀ ଲୁଗା ମଗାଇବାକୁ ଆରମ୍ଭ କଲେ । ଏହି ଚୋରାମାଲ ବନ୍ଦ କରିବା ପାଇଁ କିଛି ବ୍ୟବସ୍ଥା ନ କଲେ ସମସ୍ତ ପରିଶ୍ରମ ବୃଥା ହେବ-ଏଥିପାଇଁ ଗୋଟିଏ କମିଟି ଗଢ଼ାହେଲା । ଏହି କମିଟିରେ କେତେ ଜଣ ମାରବାଡ଼ି ମଧ୍ୟ ରହିଲେ । ଚୋରା ମାଲ ମଗାଇବା ସଂବାଦ କମିଟି ଆଗରେ ପଡ଼ିଲା । କମିଟି ବିଚାର କରି ଜୋରିମାନା ବ୍ୟବସ୍ଥା କଲେ । ଜୋରିମାନା ଦେଇ ଦୋଷ ସ୍ୱୀକାର କରିବାକୁ ହେବ । ତାହା ନ ହେଲେ ଦୋକାନ ଆଗରେ ପିକେଟିଙ୍ଗ୍ ବସିଲା । ଏହିପରି ଚୋରାମାଲ ମଗାଇବା କାରଣରୁ ଜନୈକ ମାରବାଡ଼ି ଭାଇଙ୍କୁ ଥରେ ପାଞ୍ଚଶହ ଟଙ୍କା ଜୋରିମାନା ହେଲା । ଏହି ଜୋରିମାନା ଛାଡ଼ ପାଇଁ ସେ କଟକ ସ୍ୱରାଜ୍ୟ ଆଶ୍ରମରେ ଆସି ବହୁତ ଆପତ୍ତି କଲେ । ମୁଁ ଯେଉଁଆଡ଼କୁ ଗଲି ସିଆଡ଼େ ମୋ ପଛରେ ଗୋଡ଼େଇଲେ । ତାଙ୍କର କରୁଣଜନକ ଆପତ୍ତିରେ ମୋର ମଧ୍ୟ ଟିକିଏ ଦୟା ଆସିଲା । ସେ ଜଣେ ବଡ଼ ବ୍ୟବସାୟୀ । ଏଥର ହେଉଛି, ତାହାଙ୍କର ତୃତୀୟ ଥରକୁ ଚୋରା ମାଲ ମଗାଇବା । ସୁତରାଂ କମିଟି ତାହାଙ୍କୁ କୌଣସିମତେ ଛାଡ଼ ଦେବାକୁ ନାରାଜ । କମିଟିରେ ତାହାଙ୍କ ଶାସ୍ତିର ପୁନର୍ବିଚାର ପଡ଼ିଲା ବେଳେ ଅନ୍ୟାନ୍ୟ ମାରବାଡ଼ି ଭାଇମାନେ ଆପତ୍ତି ଉଠାଇଲେ । ସୁତରାଂ ସେ କୌଣସି ଉପାୟରେ ଛାଡ଼ ପାଇ ପାରିଲେ ନାହିଁ । ଏଣେ ପିକେଟିଙ୍ଗ୍ ଜାରୀ ହେଲା । ବାଧ୍ୟ ହୋଇ ଉକ୍ତ ମାରବାଡ଼ି ଭାଇ ପାଞ୍ଚଶହ ଟଙ୍କା ଜୋରିମାନା ଦେଲେ । ଏହି ଘଟଣା ପରେ ସମସ୍ତଙ୍କର ଟିକିଏ ଡର ହୋଇଗଲା । କଂଗ୍ରେସର କିଛି ବଳ ଅଛି ବୋଲି ସେମାନେ ଉପଲବ୍‍ଧି କଲେ । ଇଂରେଜ ସରକାର ତାହାଙ୍କୁ ପିକେଟିଙ୍ଗ୍ ଦାଉରୁ ରକ୍ଷା କରି ପାରିବେ ନାହିଁ ବୋଲି ସେମାନେ ଭଲ କରି ବୁଝିଲେ । ଏହି ଘଟଣା ପରେ ଅନେକ ମାରବାଡ଼ି ଭାଇ ବାଟରେ ଘାଟରେ ଦେଖା ହେଲେ କହନ୍ତି–

 

‘‘ବାବୁ, ସ୍ୱରାଜ୍ୟ ହୋଯାଏଗା, ଅଲବତ୍ ହୋଗା ।’’

 

ଏହିପରି ଭାବରେ କଟକରେ ପିକେଟିଙ୍ଗ୍ ଜାରୀ ହୋଇ ତାହା କାର୍ଯ୍ୟକାରୀ ହେଲା । କଟକକୁ ଅନୁକରଣ କରି ପୁରୀ, ବାଲେଶ୍ୱର ଜିଲାରେ ମଧ୍ୟ ବିଲାତୀ ଲୁଗା ଦୋକାନ ଆଗରେ ପିକେଟିଙ୍ଗ୍ ବସିଲା । ଶେଷରେ ଉତ୍କଳ ପ୍ରାଦେଶିକ କଂଗ୍ରେସ କମିଟ ‘‘ମୌନଂ ସମ୍ମତି ଲକ୍ଷଣଂ’’ ନୀତି ଗ୍ରହଣ କଲେ । ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଯେ କେତୋଟି କର୍ମୀ ମୁଖ୍ୟତଃ କାର୍ଯ୍ୟ କରୁଥାନ୍ତି କେହି ହେଲେ ମୁହୂର୍ତ୍ତକ ପାଇଁ ନିଜର ସୁଖ ସ୍ୱାଚ୍ଛନ୍ଦ୍ୟ ପ୍ରତି ଦୃଷ୍ଟି ଦେଇ ନାହାନ୍ତି । ବର୍ଷକ ଭିତରେ ସ୍ୱରାଜ୍ୟ ହେବ କି ନାହିଁ ଏପରି ସନ୍ଦେହ ସୂଚକ କଥା ପଦେ ଶୁଣିବାକୁ କାନକୁ ପ୍ରୀତିକର ବୋଧ ହୁଏ ନାହିଁ । ଅନ୍ୟାନ୍ୟ ପ୍ରଦେଶର ତୁଳନାରେ ଓଡ଼ିଶା ପଛରେ ପଡ଼ି ନ ରହୁ ଏହିପରି ଭାବ ସବୁବେଳେ ଆମ୍ଭମାନଙ୍କ ମନକୁ ପ୍ରଭାବିତ କରୁଥାଏ । ଏହି ଭାବ ମଧ୍ୟ ଆମ୍ଭର କାର୍ଯ୍ୟକୁ ଆଗେଇ ଦିଏ । କିନ୍ତୁ ଯେତେ ଆଗେଇଲେ ମଧ୍ୟ ମନ କାହିଁରେ ମାନେ ନାହିଁ । ଆହୁରି ଆଗକୁ ଯିବାକୁ ମନ ଦୌଡ଼େ । ସକଳ ବାଧା ବିଘ୍ନକୁ ଠେଲି ଦେଇ ସମସ୍ତଙ୍କ ଆଗରେ ଯାଇ ଠିଆ ହେବାକୁ ମନ ଉଦ୍‍ବିଗ୍ନ ହୁଏ । ଏଥିପାଇଁ ମତେ ସମସ୍ତେ କହନ୍ତି, ‘Vislent man.’ କିନ୍ତୁ ମୋର ଆଭ୍ୟନ୍ତରିକ ଅବସ୍ଥା କେହି ଜାଣନ୍ତି ନାହିଁ । ଯେଉଁସବୁ ଅବସ୍ଥା ଭିତର ଦେଇ ମୋର ଜୀବନ ଗତି କରିଛି, ସେପରି ଅବସ୍ଥାରେ ପଡ଼ିଲେ ଅନ୍ୟର ଅବସ୍ଥା କ’ଣ ହୁଅନ୍ତା ମୁଁ କହିପାରୁ ନାହିଁ । ଓଡ଼ିଶାକୁ ଆସିଲା ଦିନୁ ମୁଁ ମୋର କାର୍ଯ୍ୟରେ ସ୍ନେହ ସହାନୁଭୂତି କାହାରିଠାରୁ ପାଇ ନାହିଁ । ବରଂ ମୁଁ ଅନେକ ସ୍ଥଳରେ ମୋର କାର୍ଯ୍ୟର ସମାଲୋଚନା ଶୁଣିବାକୁ ପାଉଛି ।

 

ଓଡ଼ିଶାର ରାଜନୈତିକ କ୍ଷେତ୍ରରେ ପରସ୍ପର ପ୍ରତି ସଦ୍‍ଭାବ ଜାତ ହୋଇ ନାହିଁ । ପ୍ରାଦେଶିକ ଓ ଜିଲ୍ଲା କଂଗ୍ରେସ କମିଟିର ବୈଠକରେ ଯୋଗ ଦେବା ପାଇଁ ବିଭିନ୍ନ ଅଞ୍ଚଳରୁ କର୍ମୀମାନେ ଏକତ୍ରିତ ହୁଅନ୍ତି । ଅତି ଅଳ୍ପ ସମୟ ପାଇଁ କର୍ମୀମାନଙ୍କର ଦେଖା ସାକ୍ଷାତ ହୁଏ । କର୍ମୀମାନେ ଏହିପରି ଏକାଠି ହେଲା ବେଳେ ସେମାନେ ପରସ୍ପରର ପୂର୍ବ ସ୍ନେହୀ ଓ ସାଥୀମାନଙ୍କ ସହିତ ମିଳା ମିଶା କରନ୍ତି । ମୋର ସ୍ନେହୀ, ସାଥୀ ହୋଇ କେହି ନାହାନ୍ତି । କମିଟିମାନଙ୍କ ବୈଠକରେ ଯାହା କିଛି ଆଲୋଚନା ହୁଏ, ତାହାସବୁ ଅନେକ ସମୟରେ ଦଳସୃଷ୍ଟି ମତଲବରେ ହେଉଥାଏ । ଦଳଗତ ରାଜନୀତି (Party politics) ନ ଥାଇ ଆଲୋଚନା ଦଳଗତ ଭାବ ଧାରଣ କରେ । The healthy party is yet a far distand dream in our political life. There was individualistic political ambition, the, manifestation of which could clearly be seen in every meeting of the District and Provincial Congress Committee. ଏହି ଦୃଶ୍ୟ ଦେଖି ମୁଁ ବେଳେ ବେଳେ ବଡ଼ ମର୍ମାହତ ହୋଇଛି । କିନ୍ତୁ ସଦ୍‍ଭାବ କିମ୍ୱା ଅନାଦର ଭାବ କୌଣସି କଥା ପ୍ରତି ଦୃଷ୍ଟି ନ ଦେଇ ମୁଁ ନିଜକୁ କର୍ମସ୍ରୋତରେ ଭସାଇ ଦେଇଛି ।

 

Politics is a game. ଅର୍ଥାତ୍‍, ରାଜନୈତିକ କାର୍ଯ୍ୟ ଗୋଟାଏ ଜୁଆଖେଳ କିମ୍ୱା ଜୀବନର ଗୋଟାଏ ବିଳାସ ବୋଲି କେହି କେହି ମନେ କରନ୍ତି । ସେପରି ଦୃଷ୍ଟିରେ ମୁଁ ରାଜନୈତିକ ଜୀବନ ଆରମ୍ଭ କରି ନାହିଁ, କିମ୍ୱା ସେପରି ଭାବ ମଧ୍ୟ ମୋ ମନରେ ମୁହୂର୍ତ୍ତକ ପାଇଁ ସ୍ଥାନ ପାଇ ନାହିଁ । ଦଳ ସୃଷ୍ଟି କରି ଅନ୍ୟକୁ ଦାବି ଦେଇ ନିଜେ ବଡ଼ ହେବାର ଆକାଙ୍କ୍ଷା ମଧ୍ୟ ମୋର ନାହିଁ କିମ୍ୱା ସେପରି ଭାବ ମନକୁ ସ୍ପର୍ଶ କରି ନାହିଁ । ତେବେ ମୁଁ ଯେଉଁ କାର୍ଯ୍ୟ କରୁଛି, ତାହା ଲୋକ ଆଦରଣୀୟ ହେଉଛି କି ନା ଏହା ଜାଣିବାକୁ ମୋର ମନରେ ଆଗ୍ରହ ଜାତ ହୁଏ । ଏପରି ଭାବ ଜାତ ହେବା ମନୁଷ୍ୟର ପ୍ରକୃତିଗତ ଲକ୍ଷଣ । ମନୁଷ୍ୟ ଯେଉଁ କାର୍ଯ୍ୟ କରେ ତହିଁର ପ୍ରଶଂସା ଲୋକମୁଖରୁ ଶୁଣିବାକୁ ଯେ କେହି ମନୁଷ୍ୟକୁ ସୁଖ ଲାଗେ । ଲୋକ ସାଧାରଣଙ୍କର ଭଲ ମନ୍ଦ ବାଣୀ ପ୍ରତି ଭ୍ରୂକ୍ଷେପ ନ କରି କେବଳ କର୍ତ୍ତବ୍ୟ ଜ୍ଞାନରେ କାର୍ଯ୍ୟ କରିବା ଲୋକ ବଡ଼ ବିରଳ ଦେଖାଯାନ୍ତି । କେହି ବ୍ୟକ୍ତି ନିଜକୃତ କର୍ମର କ୍ରୂର ସମାଲୋଚନା ଶୁଣିବାକୁ ଭଲ ପାଏ ନାହିଁ । ବ୍ୟକ୍ତି ବିଶେଷରେ କର୍ମୀମାନଙ୍କର କର୍ମ ଓ ଚିନ୍ତାଧାରା ପ୍ରତି ଲୋକ ଦୃଷ୍ଟି ଆକର୍ଷଣ କରିବା ଦେଶ ସେବା କାର୍ଯ୍ୟରେ ଗୋଟିଏ କୌଶଳ । ଏହି କୌଶଳ ପ୍ରୟୋଗ କରି କର୍ମୀର ଉତ୍ସାହ ଓ ବଳ ବଢ଼ାଇ ଦିଆଯାଏ । ନୂତନ କର୍ମୀ କର୍ମକ୍ଷେତ୍ରକୁ ଟାଣି ଆଣିବାକୁ ହୁଏ । କିନ୍ତୁ ଓଡ଼ିଶାରେ ଏ ସବୁର ଚିହ୍ନ ନାହିଁ । ସମଷ୍ଟି ଗତ ଜୀବନ ଫୁଟି ଉଠି ନାହିଁ । କାହାର କାହାରି ପ୍ରତି ସହାନୁଭୂତି ନାହିଁ । ସାନଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜକୁ ଦେଶରେ ଜଣେ ପ୍ରଧାନ ବ୍ୟକ୍ତି ବୋଲି ଭାବୁଛନ୍ତି । କଂଗ୍ରେସର ଆହ୍ୱାନରେ ଯେ ଓକିଲାତି ଛାଡ଼ିଲେ, ସେ ହେଲେ ଜଣେ ନେତା, ଯେ ଚାକିରୀ ଛାଡ଼ିଲେ ସେ ବୋଲାଇଲେ ନେତା । ସ୍କୁଲ କଲେଜ ଯେଉଁମାନେ ଛାଡ଼ିଛନ୍ତି ସେମାନେ ମଧ୍ୟ ନିଜ ନିଜକୁ ନେତା ବୋଲି ଯଦି ଭାବନ୍ତି ତେବେ ଦୋଷ ଅବା କ’ଣ ଅଛି । ସଂକ୍ଷେପରେ ଜଣକ କଥାରେ ପାଞ୍ଚଜଣ ମାନି କାର୍ଯ୍ୟ କରିବା ବଡ଼ କଠିନ ଜଣାଗଲା । ଏପରି ଅବସ୍ଥାରେ ନିଜେ ଦାୟିତ୍ୱ ମୁଣ୍ଡାଇ ଯେତିକି କାର୍ଯ୍ୟ କରାଯାଇ ପାରେ ଅବା କରିନେବା ସମ୍ଭବପର, ତାହା ମୁଁ ସବୁବେଳେ କରିଛି ।

 

ରାଜନୈତିକ କ୍ଷେତ୍ରରେ ସାଙ୍ଗ ସାଥୀ ନ ପାଇଲେ କର୍ମ କରିବା ଅସମ୍ଭବ ନ ହେଲେ ମଧ୍ୟ ଅତୀବ ଦୁଃସାଧ୍ୟ ବୋଲି ମୁଁ କହି ପାରେ । କିନ୍ତୁ ସମ୍ଭବ ଅସମ୍ଭବର ପ୍ରଶ୍ନକୁ ମନରେ ମୁଁ ସ୍ଥାନ ଦେଇ ନାହିଁ । ଏକ ବର୍ଷ ଭିତରେ ସ୍ୱରାଜ ହେବ ବୋଲି ମୋର ଦୃଢ଼ ବିଶ୍ୱାସ ଥାଏ । ସେହି ବିଶ୍ୱାସରେ ମୁଁ କାର୍ଯ୍ୟ କରୁଥାଏ । ବୁଝି ବିଚାରି ପାଞ୍ଚଜଣଙ୍କୁ ସାଥୀ କରି କାର୍ଯ୍ୟାରମ୍ଭ କରିବା ଭଳି ଅନୁକୂଳ ପରିସ୍ଥିତି ମୁଁ ପାଇ ନାହିଁ । କେଉଁକାର୍ଯ୍ୟକୁ କିପରି କଲେ ବର୍ଷକ ଭିତରେ ସ୍ୱରାଜ ହେବ, କେବଳ ଏତିକି ମୁଁ ନିଜେ ନିଜେ ଭାବିନିଏ । ମତେ ଯେଉଁ ବାଟେ ଯେପରି ଦେଖାଯାଏ ମୁଁ ସେପରି କରେ । ପିକେଟିଙ୍ଗ୍ କାର୍ଯ୍ୟକୁ ମୁଁ ନିଜ ଦାୟିତ୍ୱରେ ଆରମ୍ଭ କଲା ପରି ଅନେକ କାର୍ଯ୍ୟ ସେପରି କରିଛି ।

 

ଇତି ମଧ୍ୟରେ ଅସହଯୋଗ ଲଢ଼ାଇର ଶେଷ ଅସ୍ତ୍ର ପ୍ରୟୋଗ କରିବାର ସମୟ ଉପସ୍ଥିତ ହେଲା; ଅର୍ଥାତ୍‍, ଆଇନ୍ ଅମାନ୍ୟ କରିବାକୁ ହେବ । ଆଇନ ଅମାନ୍ୟ କରି ଖଜଣା ଟିକସ ସରକାରଙ୍କ ନିକଟରେ ଦାଖଲ ନ କରିବା ହେଉଛି ଅସହଯୋଗର ଅମୋଘ ଅସ୍ତ୍ର । ସରକାରଙ୍କ ସ୍କୁଲ କଲେଜରେ ପିଲାଙ୍କୁ ପାଠ ପଢ଼ାଇବା ନାହିଁ, କଚେରୀ ଅଦାଲତରେ ମକଦ୍ଦମା କରିବା ନାହିଁ, ସରକାରଙ୍କ ଦ୍ୱାରେ ଚାକିରୀ କରିବା ନାହିଁ, ସରକାରଙ୍କୁ ଖଜଣା ଟିକସ ଆଦି କିଛି ଦେବା ନାହିଁ, ଆମ କଥା ଆମେ ନିଜେ ବୁଝିବା, କଂଗ୍ରେସର ଆଦେଶକୁ ଶିରୋଧାର୍ଯ୍ୟ କରିବା-ଅର୍ଥ ଆମ୍ଭ ସ୍ୱରାଜ୍ୟ ମନକୁ ଗଢ଼ି ହୋଇ ଉଠିବ । ଏଥିପାଇଁ ମହାତ୍ମା ଗାନ୍ଧି କହନ୍ତି, ଗଛରୁ ପାଚିଲା ଫଳ ଝଡ଼ିଲା ପରି, ଦେଶର ଶାସନ ଶକ୍ତି ଜନ ସାଧାରଣଙ୍କ ହାତକୁ ଆପେ ଆପେ ଖସି ଆସିବ । କେବଳ ଅହିଂସାକୁ ମୂଳମନ୍ତ୍ର କରି ଧରି ଅସହଯୋଗ ଲଢ଼ାଇର ସମସ୍ତ କାର୍ଯ୍ୟକ୍ରମକୁ ସମସ୍ତେ ପ୍ରତିପାଳନ କଲେ ହେଲା । ଏହା ଉଦ୍ଦେଶ୍ୟରେ ଏପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଲୋକଶିକ୍ଷା ପାଇଁ କରା ହୋଇ ଅଛି । ଏହା ଗୋଟିଏ ନୂଆ କଥା । ବିନା ରକ୍ତପାତରେ ଦେଶର ଶାସନ କ୍ଷମତାକୁ ଅନ୍ୟଠାରୁ ଛଡ଼ାଇ ଆଣିବାର ଦୃଷ୍ଟାନ୍ତ ଦୁନିଆରେ ବିରଳ । ଭାରତରେ ଏହା କିପରି ସମ୍ଭବ ହୋଇପାରେ ? ଏହା ହେଉଛି ଜନ ସାଧାରଣଙ୍କର ବିଶ୍ୱାସ । ସୁତରାଂ ଏହି ବିଶ୍ୱାସକୁ ଭାଙ୍ଗି ଜନ ସାଧାରଣଙ୍କର କଳ୍ପନାକୁ ବଦଳାଇ ନ ପାରିଲେ ଅସହଯୋଗ ଲକ୍ଷ୍ୟ କଦାପି ସାଧିତ ହେବ ନାହିଁ । ଏପର୍ଯ୍ୟନ୍ତ ଯାହା କିଛି କରାଯାଇଛି ସବୁ ଲୋକ ସାଧାରଣଙ୍କ ମନକୁ ବଦଳାଇବା ପାଇଁ କରା ହୋଇଅଛି । ବେଳେ ବେଳେ ସ୍ଥାନ ବିଶେଷରେ ଜନ ସାଧାରଣ ଅହିଂସାକୁ ପାଳନ କରି ନ ପାରିବା ଦୋଷରୁ ମହାତ୍ମା ଗାନ୍ଧି ଏହି ଆଇନ୍‍ ଅମାନ୍ୟ କାର୍ଯ୍ୟକ୍ରମକୁ ପଛକୁ ହଟାଇ ଦେଉଛନ୍ତି ।

 

ଗାନ୍ଧି ଓ ରିଡିଙ୍ଗଙ୍କ ଚୁକ୍ତି ବଳରୁ ସରକାରୀ ପକ୍ଷରୁ ଏପର୍ଯ୍ୟନ୍ତ କଂଗ୍ରେସର ଅସହଯୋଗ ଆନ୍ଦୋଳନରେ କୌଣସି ପ୍ରକାର ପ୍ରବଳ ବାଧା ଦିଆଯାଇ ନାହିଁ । ସରକାରୀ କର୍ମଚାରୀମାନଙ୍କୁ ସରକାରୀ ଚାକିରୀ ତ୍ୟାଗ କରିବା ପାଇଁ ଅସହଯୋଗ କାର୍ଯ୍ୟକ୍ରମ ଜାରୀ ହେଲା ବେଳେ ସରକାରୀ ବାଧା ଦେଖା ଦେଇଛି । କରାଚୀଠାରେ ଖିଲାପତ ସମ୍ମିଳନୀରେ ମଉଲାନା ସୌକତ ଆଲ୍ଲି ଓ ମହମଦ ଆଲ୍ଲି ପ୍ରଭୃତି ଯେତେବେଳେ ଘୋଷଣା କଲେ, ‘ଇଂରେଜ ସରକାରଙ୍କ ସୈନ୍ୟ ବିଭାଗରେ ଚାକିରୀ କରିବା ମୁସଲମାନ ପକ୍ଷରେ ହାରାମୀ କାର୍ଯ୍ୟ’ ସେତେବେଳେ ସରକାରୀ ବାଧା ପଡ଼ିଛି । ଆଲ୍ଲିଭାଇ ପ୍ରଭୃତି ସେହି ଦୋଷରେ ଧରା ହୋଇ ଜେଲ ଦଣ୍ଡ ପାଇଛନ୍ତି । ସରକାରଙ୍କ ଏହି ବାଧାର ମୁକାବିଲା କରିବା ପାଇଁ ମହାତ୍ମା ଗାନ୍ଧି ପ୍ରମୁଖ ଦେଶର ପ୍ରତ୍ୟେକ ମୁଖ୍ୟ ନେତା ଦସ୍ତଖତ କରି କରାଚୀରେ ଘୋଷିତ ହୋଇଥିବା ଉକ୍ତ ଘୋଷଣାକୁ ଦେଶରେ ପ୍ରଚାର କରିଛନ୍ତି । ଏକ ପ୍ରକାର ଆଇନ ଅମାନ୍ୟ କାର୍ଯ୍ୟ ଜାରୀ ହେଲାଣି ବୋଲି କୁହାଯାଇ ପାରେ । ନିଖିଳ ଭାରତ କଂଗ୍ରେସ କମିଟ ପ୍ରତ୍ୟେକ ପ୍ରଦେଶକୁ ସ୍ୱତନ୍ତ୍ରତା ଦେଇଛନ୍ତି ଯେ, ପ୍ରତ୍ୟେକ ପ୍ରଦେଶ ନିଜର ଅବସ୍ଥା ବିଚାର କରି ବ୍ୟକ୍ତିଗତ ଆଇନ ଅମାନ୍ୟ ଜାରୀ କରି ପାରନ୍ତି । କିନ୍ତୁ ଖଜଣା ବନ୍ଦ ପରି ସମୂହ ଆଇନ ଅମାନ୍ୟ ପାଇଁ ନିଖିଳ ଭାରତ କଂଗ୍ରେସ କମିଟିର ଅନୁମତି ଲୋଡ଼ା । ତେବେ ପ୍ରଦେଶ ସବୁ ସମୂହ ଆଇନ ଅମାନ୍ୟ ଜାରୀ କରିବା ପାଇଁ ସ୍ଥାନ ବିଶେଷ ପ୍ରସ୍ତୁତ କରିପାରନ୍ତି ।

 

ଏହି ଆଇନ ଅମାନ୍ୟ କାର୍ଯ୍ୟକ୍ରମକୁ ଉତ୍କଳ ପ୍ରାଦେଶିକ କଂଗ୍ରେସ କମିଟି ବିଚାର କଲେ-। ଅନ୍ୟାନ୍ୟ ପ୍ରଦେଶରେ ସମୂହ ଆଇନ ଅମାନ୍ୟ ଜାରୀ କରିବାପାଇଁ ସ୍ଥାନ ବାଛି ସାରିଲେଣି-। ଓଡ଼ିଶା କ’ଣ ପଛରେ ପଡ଼ି ରହିବ । ଏହା ଆମ୍ଭମାନଙ୍କୁ ଭଲ ଲାଗୁ ନ ଥାଏ । ଆମ୍ଭର ଅବସ୍ଥାପ୍ରତି ଦୃଷ୍ଟି ଦେଇ ବିଚାର କଲାବେଳକୁ ଓଡ଼ିଶାରେ ବ୍ୟକ୍ତି ବିଶେଷକୁ ଆଇନ ଅମାନ୍ୟ କରିବାପାଇଁ ମଧ୍ୟ ପ୍ରାଦେଶିକ କଂଗ୍ରେସ କମିଟି ସ୍ୱାଧୀନତା ଦେଲେ ନାହିଁ । କାହାରି ଉପରେ ୧୪୪ ମୁଖ ବନ୍ଦ ଆଇନ ଜାରୀ ହେଲେ ତାହା ମଧ୍ୟ କେହି ଅମାନ୍ୟ କରି ପାରିବେ ନାହିଁ । ତଥାପି ସମୂହ ଭାବରେ ଆଇନ ଅମାନ୍ୟ କଥା ବିଚାର ପଡ଼ିଲା । ଓଡ଼ିଶାରେ ବାଙ୍କୀ ଓ ଖୋରଧାକୁ ଛାଡ଼ିଦେଲେ ଖଜଣା ଆଦାୟ କରିବାରେ ସରକାର ପ୍ରତ୍ୟକ୍ଷ ଭାବରେ କେଉଁଠାରେ ଦାୟୀ ନୁହନ୍ତି । ଖଜଣା ବନ୍ଦ କରିବାପାଇଁ ଓଡ଼ିଶାରେ ଅନୁକୂଳ ପରିସ୍ଥିତି ନାହିଁ । ତଥାପି ଏହି କାର୍ଯ୍ୟ ଅସମ୍ଭବ ବୋଲି ଛାଡ଼ି ଦିଆଯାଇ ନାହିଁ । ବାଲେଶ୍ୱର ଓ କଟକ ଜିଲ୍ଲାର କର୍ମୀମାନଙ୍କ ମଧ୍ୟରେ ଏଥିପାଇଁ ପ୍ରତିଦ୍ୱନ୍ଦ୍ୱିତା ଭାବ ଦେଖାଯାଇଛି । ଅନୁମତି ପାଇଲେ ପ୍ରତ୍ୟେକ ଜିଲ୍ଲାର କର୍ମୀମାନେ ଖଜଣା ବନ୍ଦ ପାଇଁ ସ୍ଥାନ ବିଶେଷ ପ୍ରସ୍ତୁତ କରିପାରିବେ ବୋଲି ମତାମତ ପ୍ରକାଶ କରିଅଛନ୍ତି । ବିଜୁଳିର ଝଟକ ପରି ସମସ୍ତ ଭାରତର ବାୟୁମଣ୍ଡଳରେ ରାଜନୈତିକ ଜୀବନ ଝଟକି ଉଠୁଛି । କେତେବେଳେ କେଉଁଠାରେ କ’ଣ ଘଟିବ କହି ହେଉ ନାହିଁ । ସ୍ୱରାଜ୍ୟ ନ ହେବାର ଏ ଭାବନା ଆଉ କାହାରି ମନରେ ନାହିଁ । ଏପରି ସମୟରେ ପୁରୀ ଜିଲ୍ଲାର ଜନୈକ ପୁଲିସ କର୍ମଚାରୀକୁ ସରକାରୀ ଚାକିରୀ ତ୍ୟାଗ କରିବାକୁ ଆହ୍ୱାନ କରି ସର୍ବସାଧାରଣରେ ସମାଲୋଚନା କରିଥିବାରୁ ସେ ମୋ ନାମରେ ୫୦୪ ଦଫାରେ ମକଦ୍ଦମା ଦାୟର କଲେ । ସେଥିରେ ପୁରୀରେ ମତେ ଏକମାସ ଜେଲ ଦଣ୍ଡ ହେଲା । ଜେଲରୁ ବାହାରିବା ପୂର୍ବରୁ ୧୦୮ ଦଫାରେ ରାଜଦ୍ରୋହ ସୂଚକ ବକ୍ତୃତା ପାଇଁ ମୋର ବିଚାର ହୋଇ ପୁଣି ମତେ ଏକବର୍ଷ କଠିନ ସଶ୍ରମ ଜେଲଦଣ୍ଡ ମିଳିଲା । ପୁରୀରୁ କଟକ ହୋଇ ମୁଁ ଭାଗଲପୁର ଜେଲକୁ ଚଲାଣ ହୋଇଗଲି । ଏଥିପାଇଁ ଓଡ଼ିଶାର ରାଜନୈତିକ ଜୀବନରୁ ମତେ କିଛି ସମୟ ସକାଶେ ଅନ୍ତର ହେବାକୁ ପଡ଼ିଲା ।

Image

 

Unknown

ଷଷ୍ଠ ପରିଚ୍ଛେଦ

ଜେଲଦଣ୍ଡ ଭୋଗ

 

ଭାଗଲପୁର ଜେଲରେ ମୋ ପୂର୍ବରୁ ଶ୍ରୀମାନ୍‍ ରାଜକୃଷ୍ଣ ବୋଷ ଥାନ୍ତି । ସେ ଓଡ଼ିଶାର ପ୍ରଥମ ରାଜନୈତିକ ବନ୍ଦୀ । ଅସହଯୋଗ ଆନ୍ଦୋଳନ ଆରମ୍ଭର କେତେକ ମାସ ମଧ୍ୟରେ ସେ ୧୦୮ ଦଫାରେ ଧରାହୋଇ ଜେଲ ପାଇଛନ୍ତି । ତାହାଙ୍କ ସାଥିକୁ ବାବାଜୀ ରାମଦାସ ମଧ୍ୟ ସେଠାରେ ଥାନ୍ତି । ମୁଁ ଯିବାରୁ ଆମ୍ଭେ ଓଡ଼ିଶାରୁ ତିନିଜଣ ହେଲୁ । ମୁଁ ଭାଗଲପୁରକୁ ଯିବା ପୂର୍ବରୁ ଅହମଦାବାଦ କଂଗ୍ରେସର ବୈଠକ ହୋଇ ଯାଇଛି । ମହାତ୍ମା ଗାନ୍ଧି ସମସ୍ତ କଂଗ୍ରେସର ଡିକ୍ଟେଟର ହୋଇଛନ୍ତି । ସେ ବାର୍ଦୋଲିରେ ଖଜଣା ବନ୍ଦ ଆନ୍ଦୋଳନ ଆରମ୍ଭ କରିବାପାଇଁ ସ୍ଥିର କରିଛନ୍ତି । ବାର୍ଦୋଲିରେ ଖଜଣା ବନ୍ଦ ସତ୍ୟାଗ୍ରହ ଆରମ୍ଭ କରିବା ପୂର୍ବରୁ ସେ ବଡ଼ଲାଟ ଲର୍ଡ ରିଡିଙ୍ଗ୍‌କୁ ଶେଷ ଜବାବ ଦେଇଛନ୍ତି । ବାର୍ଦୋଲିରେ ସତ୍ୟାଗ୍ରହ ଆରମ୍ଭ ହେଲେ ସରକାରଙ୍କ ଦମନ ନୀତି କଠୋର ହୋଇ ଉଠିବ । ଲୋକଙ୍କ ଦୁଃଖ ଦୁର୍ଦ୍ଦଶାର ସୀମା ରହିବ ନାହିଁ । ଏହି ଆଶଙ୍କାରେ ବମ୍ୱେଇଠାରେ ପଣ୍ଡିତ ମାଲବ୍ୟଜୀ ଏକ ସମ୍ମିଳନୀ ଡକାଇ କଂଗ୍ରେସ ଓ ସରକାରଙ୍କ ମଧ୍ୟରେ ସମାଧାନ କରିବାକୁ ଚେଷ୍ଟା କରିଛନ୍ତି, କିନ୍ତୁ କୃତକାର୍ଯ୍ୟ ହୋଇ ନାହାନ୍ତି । ଜେଲରେ ଥିଲେ ଦେଶର ପରିସ୍ଥିତି ବିଷୟରେ କୌଣସି ସମ୍ୱାଦ ମଧ୍ୟ ମତେ ଅଛପା ରହୁ ନାହିଁ । ଭାଗଲପୁର ଜେଲରେ ବାହାରର ସମ୍ୱାଦ ଜାଣିବା ପାଇଁ ଆହୁରି ସୁବିଧା ଅଛି । ସେଠାରେ ବିହାର ପ୍ରଦେଶରୁ ଅନେକ ନେତୃ ସ୍ଥାନୀୟ ବ୍ୟକ୍ତି ଅଛନ୍ତି । ସେତେବେଳକୁ ରାଜନୈତିକ ବନ୍ଦୀମାନଙ୍କପାଇଁ ଶ୍ରେଣୀ ବିଭାଗ କରାଯାଇ ନାହିଁ । ଆମ୍ଭେମାନେ ସମସ୍ତେ ଗୋଟିଏ ଶ୍ରେଣୀଭୁକ୍ତ । ସଶ୍ରମ କାରାବାସ ହେଲେ ମଧ୍ୟ ଆମ୍ଭମାନଙ୍କୁ ଜେଲ ପୋଷାକ ପିନ୍ଧିବାକୁ ହୋଇ ନ ଥାଏ । ନିଜର ପୋଷାକ ପରିଚ୍ଛଦ ଓ ବିଛଣା ଆମ୍ଭେମାନେ ବ୍ୟବହାର କରୁଥାଉଁ । ନିଜ ଖର୍ଚ୍ଚରେ ଇଚ୍ଛା କଲେ ଜେଲ ବାହାରୁ ଯେ କୌଣସି ଦ୍ରବ୍ୟ ମଗାଇବାର ଅଧିକାର ଥାଏ । ସମ୍ୱାଦପତ୍ର ମଧ୍ୟ ନିୟମିତରୂପେ ମିଳୁଥାଏ । ଜେଲ ଭିତରେ ରହି ସମସ୍ତେ ଲେଖା ପଢ଼ାରେ ସମୟ କଟାଉ ଥାଉ ଓ ଦେଶର ରାଜନୈତିକ ପରିସ୍ଥିତି ବିଷୟରେ ମଧ୍ୟ ଆଲୋଚନା ଚାଲିଥାଏ । ତିଳକ ମହାରାଜଙ୍କ ଗୀତା ରହସ୍ୟକୁ ଓଡ଼ିଆରେ ଅନୁବାଦ କରିବାରେ ମୁଁ ନିଜକୁ ନିୟୋଜିତ କରିଥାଏ । ଗୀତା ରହସ୍ୟକୁ ଓଡ଼ିଆରେ ଅନୁବାଦ କରି ଛପାଇବା ଇଚ୍ଛାରେ ଏହା ମୁଁ କରୁଥାଏ, ତାହା ନୁହେ । ନିଜକୁ ଗୋଟିଏ କଠିନ କାର୍ଯ୍ୟରେ ନିୟୋଜିତ କରିବାର ପ୍ରବୃତ୍ତି ମତେ ଏହି କାର୍ଯ୍ୟକୁ ଟାଣି ନେଇଥାଏ । ଆହୁରି ମଧ୍ୟ କୌଣସି ଗ୍ରନ୍ଥକୁ ପାଠ କରି ଗଲେ ଯେତେ ହୃଦୟଙ୍ଗମ ହେବ, ସେହି ଗ୍ରନ୍ଥକୁ ଅନୁବାଦ କଲେ ତହିଁର ଗୂଢ଼ତତ୍ତ୍ୱ ବିଶେଷ ଭାବରେ ହୃଦ୍‌ବୋଧ ହୋଇପାରିବ, ଏହା ମୋର ଗୀତା ରହସ୍ୟ ଅନୁବାଦ କରିବାରେ ଅନ୍ୟତମ କାରଣ ଥାଏ । ହିନ୍ଦି ସାହିତ୍ୟରେ ଟିକିଏ ଜ୍ଞାନଲାଭ କରିବା ମଧ୍ୟ ତୃତୀୟ କାରଣ । ଏହିପରି କେତେକ କାରଣରୁ ଏହି ମହତ୍‍ ଗ୍ରନ୍ଥକୁ ଓଡ଼ିଆ ଭାଷାରେ ଅନୁବାଦ କରିବାକୁ ମୁଁ ମନ ବଳାଇ ଥାଏ । ସେହି ଗ୍ରନ୍ଥ ଅନୁବାଦ ମୁଁ ଶେଷ କରିପାରି ନାହିଁ । ଶେଷ କରିବାକୁ ଅନୁକୂଳ ପରିସ୍ଥିତି ଜେଲରେ ରହିଲା ନାହିଁ । ତାହା ନ ହେଲେ ମଧ୍ୟ ତଦ୍ଦ୍ୱାରା ମୁଁ ବିଶେଷ ଭାବରେ ଉପକୃତ ହୋଇ ପାରିଛି । ଜଗତର ସୃଷ୍ଟି ସ୍ଥିତି ଲୟ ଇତ୍ୟାଦି ବିଷୟରେ ଗୋଟାଏ ସାଧାରଣ ଜ୍ଞାନ ହୋଇଛି । ଜଗତ ଉତ୍ପତ୍ତିର ମୂଳକାରଣ କ’ଣ, ଅର୍ଥାତ୍‍, ସୃଷ୍ଟିର ମୂଳ ସ୍ୱରୂପ ବିଷୟରେ ପ୍ରାଚୀନ ଓ ଆଧୁନିକ ମତାମତ କ’ଣ, ସେ ବିଷୟରେ ଟିକିଏ ଆଭାସ ପାଇଛି । ଏହିପରି ନାନା ଭାବରେ ନାନା ବିଷୟ ମୁଁ ଟିକିଏ ବୁଝିଛି ଏବଂ ଗୀତାକୁ ନିଜର ଅର୍ଥ ଲଗାଇ ବୁଝିବାକୁ ସମର୍ଥ ହୋଇଛି ବୋଲି ମୋର ବିଶ୍ୱାସ । ଏହିଠାରେ ମୁଁ ଏତିକି କହିବାକୁ ଇଚ୍ଛା କରେ ଯେ, କୌଣସି ଧର୍ମଗ୍ରନ୍ଥ କିମ୍ୱା ଶାସ୍ତ୍ର ପୁରାଣ ପାଠ କଲା ବେଳେ ଟୀକାକାରମାନଙ୍କ ଟୀକାକୁ ଦେଖି ଗ୍ରନ୍ଥର ମର୍ମ ବୁଝିବାକୁ ଚେଷ୍ଟା କଲେ, ଗ୍ରନ୍ଥର ପ୍ରକୃତ ମର୍ମ ବୁଝିହୁଏ ନାହିଁ । ପ୍ରତ୍ୟେକ ଗ୍ରନ୍ଥର ବିଷୟକୁ ନିଜର ଅନୁଭୂତି ସହିତ ମିଳାଇ ତହିଁରୁ ନିଜର ଅର୍ଥ ବାହାର କରିବା ଦରକାର । ତା ନ ହେଲେ ଧର୍ମଗ୍ରନ୍ଥର ପଠନ, ଅନ୍ଧର ବାଟ ଚାଲିଲା ସଙ୍ଗେ ସମାନ ।

 

ସେ ଯାହା ହେଉ ଇତିମଧ୍ୟରେ ଯୁକ୍ତପ୍ରଦେଶରେ ଚୌରୀଚୌରା ନାମକ ସ୍ଥାନରେ କଂଗ୍ରେସ ନାମ ଧରି ଲୋକେ ପୋଲିସ ଥାନା ପୋଡ଼ିଦେଲେ ଓ କେତେକ ପୋଲିସ କର୍ମଚାରୀଙ୍କୁ ପୋଡ଼ି ମାରିଦେଲେ । ଏହା ଦେଶରେ ‘ଚୌରୀଚୌରା ହତ୍ୟାକାଣ୍ଡ’ ନାମରେ ବିଦିତ । ଏହି ହତ୍ୟାକାଣ୍ଡର ସମ୍ୱାଦ ପାଇ ମହାତ୍ମାଜୀ ଅସହଯୋଗ ଲଢ଼ାଇକୁ ଏକାବେଳକେ ବନ୍ଦ କରିଦେଲେ । ବିଜୁଳିବତୀର ବୋତାମ ଟିପି ଦେଲେ ଆଖି ପିଛୁଳାକେ ଯେପରି ଅନ୍ଧାର ମାଡ଼ି ଆସେ ଅସହଯୋଗ ଆନ୍ଦୋଳନକୁ ହଠାତ୍‍ ବନ୍ଦ କରିଦେବା ଦ୍ୱାରା ଭାରତର ରାଜନୈତିକ ଜୀବନ ସେପରି ଲିଭିଗଲା ପରି ବୋଧ ହେଲା । ଅସହଯୋଗ ଆନ୍ଦୋଳନ ଫଳରେ ଦେଶରେ ଯେ ନୂତନ ଜୀବନ ଖେଳି ଯାଇଥିଲା, ତାହା ମୁହୂର୍ତ୍ତକ ମଧ୍ୟରେ କୁଆଡ଼େ ଦବିଗଲା । ବାର୍ଦୋଲିରେ ମହାତ୍ମାଜୀ ମହାଭ୍ରମ କଲେ ବୋଲି ଅଧିକାଂଶଙ୍କ ମନରେ ଗୋଟାଏ ଧାରଣା ଜାତ ହେଲା । ଜେଲ ଭିତରେ ଏହି ଦାରୁଣ ସମ୍ୱାଦ ପାଇ ଆମ୍ଭେମାନେ ବଡ଼ ଚିନ୍ତିତ ହୋଇ ଉଠିଲୁ । ଦେଶର ରାଜନୈତିକ ଜୀବନରେ ଏହାର ପରିଣାମ କ’ଣ ହେବ କିଛି ବୁଝି ହେଲା ନାହିଁ । ମହାତ୍ମା ଭଲ କଲେ କି ଭୁଲ କଲେ ତହିଁର ମୀମାଂସା କରିବା କଠିନ ବୋଧ ହେଲା ।

 

ବାର୍ଦୋଲି ମୀମାଂସା ପୂର୍ବରୁ ମହାତ୍ମାଜୀ ଲୋକ ପ୍ରଶଂସାର ଶୀର୍ଷତମ ଶିଖରରେ । ମହାତ୍ମାଜୀ ଏପରି ହଠାତ୍‍ ଆନ୍ଦୋଳନକୁ ବନ୍ଦ କରିଦେବାଦ୍ୱାରା ଦେଶର ଅନେକ ତାହାଙ୍କୁ ଭୁଲ ବୁଝିବେ । ତାହାଙ୍କୁ ଭୀରୁ ଓ ଦେଶଦ୍ରୋହୀ ବୋଲି ଲୋକେ କହିପାରନ୍ତି । ତାହାଙ୍କର ଜୀବନ ସଂଶୟ ମଧ୍ୟ ଉପସ୍ଥିତ ହୋଇପାରେ । କେହି ଯୁବକ ତାହାଙ୍କୁ ଦେଶଦ୍ରୋହୀ ମନେକରି ହତ୍ୟା କରି ଦେଇ ପାରେ । ଏହିପରି ଅନେକ ଭାବନା ମୋ ମନରେ ଖେଳିଲା । ମୁଁ ଜାଣିଛି, ରାଓଲାଟ ସତ୍ୟାଗ୍ରହ ବନ୍ଦ କରି ସୂତାକଟା ପ୍ରଚାର ଆରମ୍ଭ କରାଇଲାବେଳେ କେତେକ ଲୋକ କିପରି ତାହାଙ୍କୁ ସମାଲୋଚନା କରିଛନ୍ତି । ବାର୍ଦୋଲି ମୀମାଂସା ତାହାଠାରୁ କେତେ ଗୁରୁତର ତାହା କଳ୍ପନା କରାଯାଇ ନ ପାରେ । ଏହିପରି ଭାବରେ ମୋ ମନ ଅସ୍ଥିର ହୋଇ ଉଠିଲା । ଦୁଇ ତିନି ଦିନ ପାଇଁ ମୋର ଲେଖାପଢ଼ା ବନ୍ଦ ହୋଇ ଗଲା । କ’ଣ ହେଲା, ମହାତ୍ମାଜୀ ଏହା କାହିଁକି କଲେ, କେବଳ ଏହି ପ୍ରଶ୍ନ ମୋ ମନକୁ ଉତ୍ତେଜିତ କଲା । ମୁଁ ଭାବି ଦେଖିଲି, ମହାତ୍ମାଜୀ ଯାହା କରିଛନ୍ତି ତାହା ଦେଶର ଭଲ ପାଇଁ କରିଛନ୍ତି । ତାହାଙ୍କର କିଛି ମାତ୍ର ଭୁଲ ହୋଇ ନାହିଁ । ବାର୍ଦୋଲି ମୀମାଂସା ମୋତେ ଯେପରି ବିଚଳିତ କରିଛି ମୋର ଜୀବନର କର୍ମ ଓ ଚିନ୍ତା ଧାରାକୁ ସେପରି ପ୍ରଭାବିତ ମଧ୍ୟ କରିଛି । ସେପରି ଆଉ କୌଣସି ଘଟଣା ମୋତେ ପ୍ରଭାବିତ କରି ପାରି ନାହିଁ । ମହାତ୍ମାଜୀ ପ୍ରକୃତ ଜନନାୟକ ।

 

ବାର୍ଦୋଲି ମୀମାଂସାରେ ଦେଶର କର୍ମୀମାନଙ୍କ ଜୀବନ ଗଠନର ବହୁତ ଉପାଦାନ ରହିଛି । ଦେଶର କାର୍ଯ୍ୟ କରିବାକୁ ହେଲେ, ଦେଶର ମଙ୍ଗଳ ବିଧାନ ପ୍ରତି ସବୁବେଳେ ଦୃଷ୍ଟି ଦେଇ କାର୍ଯ୍ୟ କରିବା ଦରକାର । ଦେଶର ମଙ୍ଗଳ କାମନା କରି ଯେଉଁ ସବୁ କାର୍ଯ୍ୟ କରା ଯାଏ, ସବୁ ସମୟରେ ସମସ୍ତ କାର୍ଯ୍ୟ ଲୋକପ୍ରିୟ ହୋଇ ନ ପାରେ । ଅନେକ ସମୟରେ ପ୍ରଚଳିତ ଲୋକମତ ବିରୁଦ୍ଧରେ ମଧ୍ୟ ନିଜର ବିଚାର ପ୍ରକଟ କରିବାକୁ ପଡ଼େ । ରାଜନୈତିକ ପ୍ରଶ୍ନ ଦେଶର ହେଉଛି ଜୀବନ ମରଣ ସମସ୍ୟା । ଏହାରି ସମାଧାନ ଉପରେ ଦେଶର ଭବିଷ୍ୟତ ନିର୍ଭର କରେ । ଯେଉଁ ଦେଶରେ ରାଜନୈତିକ ଜୀବନ ପୂର୍ଣ୍ଣ ବିକାଶ ଲାଭ କରିଛି, ଦେଶର ଜୀବନ ମରଣ ସମସ୍ୟା କେଉଁ ପ୍ରଶ୍ନ ଉପରେ ନିର୍ଭର କରୁଛି, ଏହାକୁ ଦେଶର ଜନସାଧାରଣ ବୁଝି ବିଚାରି କାର୍ଯ୍ୟ କରୁଛନ୍ତି ସେ ଦେଶର କଥା ସ୍ୱତନ୍ତ୍ର । ତଥାପି ସେପରି ଦେଶରେ ବେଳେ ବେଳେ ଜନନାୟକମାନେ ନିଜ ନିଜ ବୁଦ୍ଧି ବିବେଚନା ବଳରେ ଦେଶର ବିକଟ ପ୍ରଶ୍ନକୁ ନିଜ ଦାୟିତ୍ୱରେ ସମାଧାନ କରି ଦେଉଛନ୍ତି ।

 

ଭାରତର ଅବସ୍ଥା ଭିନ୍ନ । ଏଠାରେ ଜନସାଧାରଣଙ୍କ ଭିତରେ ଦେଶ ଭାବ ଫୁଟି ଉଠି ନାହିଁ । ଦେଶସେବାକୁ ଜୀବନର ମୁଖ୍ୟ ପ୍ରଶ୍ନ ବୋଲି ଲୋକେ ଧରି ନାହାନ୍ତି । ଭାରତ ପରାଧୀନ ଦେଶ । ପରାଧୀନ ଭାରତକୁ ସ୍ୱତନ୍ତ୍ର କରିବା ପାଇଁ ମହାତ୍ମା ଗାନ୍ଧି ଅହିଂସାର ପଥ ଦେଖାଇ ଅଛନ୍ତି-। ଅହିଂସାଦ୍ୱାରା ଦେଶର ସ୍ୱାଧୀନତା ଲାଭ, ଏ ଗୋଟାଏ ଅଭିନବ ଘଟଣା । ଏଥିପାଇଁ ସାରା ଦୁନିଆର ଦୃଷ୍ଟି ଭାରତ ଆଡ଼କୁ ଆକୃଷ୍ଟ ହୋଇଛି । ଅହିଂସାପୂର୍ଣ୍ଣ ସତ୍ୟାଗ୍ରହର ଶେଷ ଅସ୍ତ୍ର ପରିଚାଳନା କରିବାକୁ ବାର୍ଦୋଲି ତାଲୁକା ସଂଗଠିତ ହୋଇଛି । ସମସ୍ତ ଜଗତ ଏହି ବାର୍ଦୋଲି ଆଡ଼କୁ ଅନାଇ ରହିଛି ବୋଲି କହିଲେ ଚଳେ । ଭାରତର ପୁରପଲ୍ଲୀରେ ଆନନ୍ଦର ଢେଉ ନାଚି ଉଠୁଛି । ଦେଶର ସହସ୍ର ସହସ୍ର ବୀର ସନ୍ତାନ ଇଂରେଜ ସରକାରଙ୍କ କାରାଗାରରେ ବନ୍ଦୀ । ବାର୍ଦୋଲିରେ ଖଜଣା ବନ୍ଦ ଆରମ୍ଭ ହେଲେ ସରକାର ମହାତ୍ମାଙ୍କୁ ଧରି ନେଇ ଉକ୍ତ ଆନ୍ଦୋଳନକୁ ସମୂଳେ ନଷ୍ଟ କରି ଦେବାକୁ ଦୃଢ଼ ସଂକଳ୍ପ କଲା ପରି ଜଣା ପଡ଼ୁଛି । ବର୍ତ୍ତମାନ ହିଂସା ଅହିଂସା ବଳର ପରୀକ୍ଷା ସମୟ । ଏହିପରି ଅବସ୍ଥାରେ ଚୌରୀଚୌରା ହତ୍ୟାକାଣ୍ଡ ଘଟିଲା । ମହାତ୍ମାଜୀ ଅତି ଦୁଃଖରେ ସତ୍ୟାଗ୍ରହର ଅମୋଘ ଅସ୍ତ୍ରକୁ ଫିଙ୍ଗି ଦେଇ ପଛକୁ ହଟିଗଲେ । ସମସ୍ତ ଆନ୍ଦୋଳନର ସ୍ୱରୂପ ବାର୍ଦୋଲିଠାରେ ବଦଳିଗଲା ।

 

ଦେଶର ଏପରି ସଂକଟ ସମୟରେ ମହାତ୍ମାଜୀ ସାମାନ୍ୟ ଚୌରୀଚୌରା ହତ୍ୟାକାଣ୍ଡ ନେଇ ଏପରି ଏକ ବିରାଟ ଆନ୍ଦୋଳନକୁ ବନ୍ଦ କରି ଦେବାରେ ମହତ୍ତ୍ୱ କେଉଁଠାରେ, ଏ ପ୍ରଶ୍ନକୁ ସମାଧାନ କରି ନ ପାରିଲେ ରାଜନୈତିକ ଜୀବନଯାପନ କରିବା ଅସମ୍ଭବ । ଏହିପରି ଭାବରେ ଏହି ପ୍ରଶ୍ନକୁ ମୁଁ ଗ୍ରହଣ କଲି । ଦେଶର ପ୍ରତ୍ୟେକ କର୍ମୀ ଏ ପ୍ରଶ୍ନକୁ ନିଜ ନିଜ ଦୃଷ୍ଟିରେ ବିଚାର କରିଥିବେ । ଯେ ଯେପରି ବିଚାର କରିଥିବ ତାହାର ଜୀବନ ସେହିପରି ପ୍ରଭାବିତ ହୋଇଥିବ ।

 

ଆମ୍ଭର ସ୍ୱରାଜ୍ୟ ସଂଗ୍ରାମର ଅହିଂସା ହେଉଛି ମୂଳନୀତି । ଅହିଂସା ମୂଳନୀତି ଥିବାରୁ ଏତେ ସହଜରେ ଭାରତର ପୁରପଲ୍ଲୀରେ ଗୋଟାଏ ନୂତନ ଜୀବନ ବିକାଶ ପାଇଛି । ଦେଶର ଜନସାଧାରଣଙ୍କର ଦୃଷ୍ଟି କେତେକ ମାତ୍ରାରେ ଦେଶର ପ୍ରଶ୍ନ ପ୍ରତି ଆକୃଷ୍ଟ ହୋଇଛି । ଦରିଦ୍ର, ନିରକ୍ଷର ଲୋକ ପକ୍ଷରେ ଦେଶସେବା ବିଡ଼ମ୍ୱନା ମାତ୍ର, ଏପରି ଗୋଟାଏ ଧାରଣା ଏବେ ମଧ୍ୟ ଆମ୍ଭ ଦେଶରେ ଅଛି । ଆହୁରି ମଧ୍ୟ ଇଂରେଜ ସରକାରଙ୍କ ବିରୁଦ୍ଧରେ ଲଢ଼େଇ କରି ଦେଶରେ ସ୍ୱରାଜ୍ୟ ପ୍ରତିଷ୍ଠା କରିବା ଏ ଦେଶରେ ଜନସାଧାରଣ ସ୍ୱପ୍ନରେ ମଧ୍ୟ କଳ୍ପନା କରି ପାରୁ ନ ଥିଲେ । କିନ୍ତୁ ଅହିଂସାପୂର୍ଣ୍ଣ ଅସହଯୋଗ ଆନ୍ଦୋଳନ ଲୋକ ସାଧାରଣଙ୍କ ମନରୁ ଏ ପ୍ରକାର ଭ୍ରମ ଧାରଣା ଦୂର କରିଛି । ଦେଶର ଆଖି ଫିଟିଛି । ଅହିସାଂ ଦୁର୍ବଳକୁ ବଳ ଦେଇଛି । ନୈରାଶ୍ୟ ଜୀବନରେ ଆଶାର ବାଣୀ ସଂଚାର କରିଛି । ଦୁଷ୍ଟକୁ ଶିଷ୍ଟ କରିଛି । ଅନ୍ୟାୟୀକୁ ନ୍ୟାୟବାନ୍‍ ହେବାକୁ ଶିକ୍ଷା ଦେଇଛି । ଅତ୍ୟାଚାରୀର ଅତ୍ୟାଚାରକୁ ସହ୍ୟ କରି ତାହାର କଠୋର ହୃଦୟରେ ଦୟାର ଭାବ ଜାଗରୂକ କରିଛି । ନିରସ୍ତ୍ରକୁ ଏକ ଅସ୍ତ୍ର ଦାନ କରିଛି । ଅହିଂସାର ପ୍ରଖର ତେଜରେ ଅନ୍ୟାୟ, ଅତ୍ୟାଚାର, ପାଶବିକ ବଳ ଓ ଦମ୍ଭ ସବୁ ମ୍ରିୟମାଣ ବୋଲି କହିଲେ ଚଳେ । ଚୌରୀଚୌରା ହତ୍ୟାକାଣ୍ଡରେ ମହାତ୍ମାଜୀ ଏହି ଶକ୍ତି ନଷ୍ଟ ହୋଇ ଯିବାର ସଂକେତ ଦେଖିବାକୁ ପାଇଲେ । ସେଥିପାଇଁ ସେ ଆନ୍ଦୋଳନକୁ ବନ୍ଦ କରିଦେଲେ । ବାର୍ଦୋଲିଠାରେ ସେତେବେଳେ ଆନ୍ଦୋଳନର ସ୍ୱରୂପ ବଦଳାଇ ନ ଥିଲେ ମହାତ୍ମାଜୀ ଧରା ହୋଇଥାନ୍ତେ । ତାହାଙ୍କ ଧରାହେବା ସଂବାଦ ବାରୁଦ ଘରେ ନିଆଁ ଲାଗିବାର କାର୍ଯ୍ୟ କରିଥାନ୍ତା, ସମସ୍ତ ଭାରତବର୍ଷରେ ଚୌରୀଚୌରା ପରି ହତ୍ୟାକାଣ୍ଡ ଘଟି ଯାଇଥାନ୍ତା । ସରକାର ସୈନିକ ଆଇନ୍‍ ଘୋଷଣା କରି ଏପରି ଶାସ୍ତି ବିଧାନ କରିଥାନ୍ତେ ଯେ ଯହିଁରେ ଭାରତର ଜାଗ୍ରତ ଜୀବନ ଥରି ଉଠିଥାନ୍ତା । ଲୋକେ ବୁଝିଥାନ୍ତେ ଏବଂ ଦୁନିଆ ମଧ୍ୟ ବୁଝିଥାନ୍ତା ଯେ ଅହିଂସା ଦ୍ୱାରା ଦେଶର ସ୍ୱାଧୀନତା ଲଢ଼ାଇ ଚଳି ନ ପାରେ । କିନ୍ତୁ ବାର୍ଦୋଲି ଠାରେ ଆନ୍ଦୋଳନ ବନ୍ଦ କରିଦେବାଦ୍ୱାରା ଲୋକେ ମହାତ୍ମାଜୀଙ୍କୁ ନିନ୍ଦା କରି ପାରିଥାନ୍ତେ, ମାତ୍ର ଅହିଂସା ଉପରେ ଲୋକଙ୍କର ବିଶ୍ୱାସ ରହିଗଲା । ଲୋକେ ମଧ୍ୟ ଭବିଷ୍ୟତକୁ ସତ୍ୟାଗ୍ରହ ଆନ୍ଦୋଳନରେ ଯେପରି କୌଣସି ହିଂସାଭାବ ସୂଚିତ ନ ହୁଏ ସେଥିପାଇଁ ସାବଧାନ ହେବାକୁ ଶିଖିଲେ । ସରକାରଙ୍କର ମଧ୍ୟ ଭାରତର ଅହିଂସାପୂର୍ଣ୍ଣ ଆନ୍ଦୋଳନକୁ ହିଂସା ରୂପକ ଆଖ୍ୟା ଦେଇ ଦୁନିଆରେ ଚିତ୍ରଣ କରିବାର ପ୍ରୟାସ ବୃଥା ହେଲା । ବାର୍ଦୋଲି ସମସ୍ୟା କର୍ମୀମାନଙ୍କ ଉଚ୍ଛୃଙ୍ଖଳ ସ୍ୱଭାବକୁ ବଦଳାଇ ଭାବି ଚିନ୍ତି କାର୍ଯ୍ୟ କରିବାର ପ୍ରବୃତ୍ତିକୁ ଜାଗ୍ରତ କଲା ଏବଂ ଭାରତର ଜାତୀୟ ଜୀବନର ସ୍ୱରୂପକୁ ବଦଳାଇ ଦେଲା ବୋଲି ମୁଁ କହିପାରେ ।

 

ଜଳୁଥିବା ନିଆଁରେ ପାଣି ପକାଇଲେ ତାହାର ତେଜ କମିଯାଏ ଏବଂ ନିଆଁ ମଧ୍ୟ ଲିଭିଯାଏ । ବାର୍ଦୋଲି କାର୍ଯ୍ୟକ୍ରମଦ୍ୱାରା ଅସହଯୋଗ ଆନ୍ଦୋଳନରେ ଯେଉଁ ପରିବର୍ତ୍ତନ କରାଗଲା ତଦ୍ଦ୍ୱାରା ଦେଶରେ ରାଜନୈତିକ ଉନ୍ମାଦନାର ତେଜ ଏକାବେଳକେ କମିଗଲା । ବାର୍ଦୋଲିର ସଂଗଠନକାର୍ଯ୍ୟ କର୍ମୀମାନଙ୍କ ମନରେ ଭାବପ୍ରବଣତା ଜନ୍ମାଇ ପାରିଲା ନାହିଁ । ଏଥିପ୍ରତି କର୍ମୀମାନଙ୍କ ମନରେ ଗୋଟାଏ ଅସନ୍ତୋଷ ଭାବ ସ୍ଥାନ ପାଇଲା । ରାଜନୈତିକ ଜୀବନ ଶିଥିଳ ହୋଇଗଲା । ମହାତ୍ମାଜୀ ଏହି ଲକ୍ଷଣ ବୁଝି ପାରି ନ ଥିଲେ ତାହା ନୁହେ । ରୋଗର କାରଣ ତାହାଙ୍କୁ ଭଲରୂପେ ଜଣା ଅଛି । ଏହାର ପ୍ରତିବିଧାନ କରିବା ପାଇଁ ସେ ଯେ କଳ୍ପନା କରୁ ନ ଥିଲେ ଏହା କୁହାଯାଇ ନ ପାରେ । କିନ୍ତୁ ଠିକ୍‍ ଏତିକିବେଳେ ସରକାର ତାହାଙ୍କୁ ଗିରଫ କରି ଛ ବର୍ଷ ପାଇଁ କାରାବାସର ଦଣ୍ଡବିଧାନ କଲେ । ମହାତ୍ମା ଗାନ୍ଧିଙ୍କ ଜେଲ ଗମନ ପରେ ଅସହଯୋଗ ଆନ୍ଦୋଳନକୁ ନୂତନ ବଳ ଦେବାର ଶକ୍ତି ଆଉ କାହାରି ନ ଥିଲା । ସରକାରଙ୍କର ନୀତି ମଧ୍ୟ ବଦଳିଲା । ଏହି ଆନ୍ଦୋଳନକୁ ସମୂଳେ ଦମନ କରିବା ପାଇଁ କୌଣସି ଉପାୟ ବାକି ରହିଲା ନାହିଁ-। ବ୍ୟକ୍ତି ବିଶେଷରେ ସରକାରୀ କର୍ମଚାରୀ ମଧ୍ୟରୁ କେହି କେହି ମଧ୍ୟ ଜନସାଧାରଣଙ୍କୁ ଡରାଇ ଦବାଇବା ପାଇଁ ନାନାବିଧ ଉପାୟ ଅବଲମ୍ୱନ କଲେ । ଜେଲ ଭିତରେ ଆମ୍ଭମାନଙ୍କ ପ୍ରତି ଯେପରି ବ୍ୟବହାର କରାଯାଉଥିଲା ତାହା ବେଶି ଦିନ ରହିଲା ନାହିଁ । ଏଣିକି ଯେଉଁସବୁ ନୂଆ ନୂଆ ରାଜବନ୍ଦୀ ଜେଲକୁ ଆସିଲେ ସେମାନେ ସାଧାରଣ କଏଦୀମାନଙ୍କ ପରି ଜେଲରେ ବ୍ୟବହାର ପାଇଲେ । ରାଜନୈତିକ କାରଣରୁ ଜେଲଦଣ୍ଡ ପାଉଥିବା କଏଦୀ ଜେଲରେ ସ୍ୱରାଜୀ କଏଦୀ ନାମରେ ପରିଚିତ । ଗୋଟିଏ ଜେଲରେ ଯେତେସବୁ ସ୍ୱରାଜୀ କଏଦୀ ରହିଲେ ସମସ୍ତଙ୍କ ସହିତ ସମାନ ଭାବରେ ବ୍ୟବହାର କରା ନ ଯିବାରୁ, ଏଥିପାଇଁ ଜେଲ ଭିତରେ ସଂଘର୍ଷଣ ଆରମ୍ଭ ହେଲା-। ଏହି ସଂଘର୍ଷଣ ଓ ଝଗଡ଼ା ଫଳରେ ମୋତେ ଜଣେ ସାଧାରଣ କଏଦୀ ଭାବରେ ରହିବାକୁ ପଡ଼ିଲା । ଭାଗଲପୁର ଜେଲରେ ସ୍ୱରାଜୀ କଏଦୀମାନଙ୍କ ମଧ୍ୟରେ ମୁଁ ଜଣେ ମାତ୍ର ଓଡ଼ିଆ ସାଧାରଣ କଏଦୀଙ୍କ ପରି ରହିଥାଏ । ବହୁଦିନ ପରେ ବାଲେଶ୍ୱରରୁ ବାବୁ ହରେକୃଷ୍ଣ ମହାତାବ ଭାଗଲପୁର ଜେଲରେ ଉପସ୍ଥିତ ହେଲେ । ତାହାଙ୍କୁ ଜଣେ ସାଧାରଣ କଏଦୀ ପରି ରଖା ଯାଇଥିଲା । ସେ ଭାଗଲପୁର ଜେଲରେ ଉପସ୍ଥିତ ହେବା ସମୟକୁ ମୁଁ ଜେଲ ଭିତରେ ପୁଣି ଜେଲ ଦଣ୍ଡ ଏକମାସ ପାଇଥିଲି । ଅର୍ଥାତ୍‍ ଏକମାସ ମତେ ନିର୍ଜନ କାରାବାସ ଦଣ୍ଡ ମିଳିଥିଲା । ମୋର ତାହାଙ୍କ ସହିତ ଦେଖା ହୋଇ ପାରିଲା ନାହିଁ । ହଠାତ୍‍ ନିର୍ଜନ କାରାବାସ କୋଠରୀରୁ ମତେ ବକ୍‍ସାର ଜେଲକୁ ଚାଲାଣ କରି ଦିଆଗଲା । ଜେଲ ବିଷୟରେ ସମସ୍ତ ଘଟଣା ଲେଖି ‘କାରାଗାର କାହାଣୀ’ ନାମକ ପୁସ୍ତକରେ ମୁଁ ପ୍ରକାଶ କରିଛି । ସେ ସମସ୍ତ ଘଟଣା ଏଠାରେ ଉଲ୍ଲେଖ କରିବା କୌଣସି ପ୍ରୟୋଜନ ନାହିଁ । ତେବେ ଏତିକି କହିଲେ ଯଥେଷ୍ଟ ହେବ ଯେ, ଜେଲ ଭିତରେ ମୁଁ ଯେତେ ଦୁଃଖ ଯନ୍ତ୍ରଣା ଭୋଗ କରିଛି ସମ୍ଭବତଃ ଓଡ଼ିଆ ସ୍ୱରାଜୀ କଏଦୀମାନଙ୍କ ମଧ୍ୟରୁ ସେପରି କେହି ଭୋଗି ନାହାନ୍ତି । କିନ୍ତୁ ଜେଲର ଦୁଃଖ ଯନ୍ତ୍ରଣା ମୋତେ ଦୁଃଖ ଦେଉ ନ ଥାଏ । ଓଡ଼ିଶାରୁ ସର୍ବ ମୋଟରେ ୨୦ କିମ୍ୱା ୨୫ ଜଣ ଜେଲ ଆସିଲେ, ଏହି କଥା ମୋତେ ବେଶି କଷ୍ଟ ଦେଉଥାଏ-। ମହାତ୍ମା ଗାନ୍ଧିଙ୍କ ଜେଲ ଗମନ ପରେ ଦେଶରେ ଯେ ଶିଥିଳତା ଆସିଲା ତାହା ଭାବି ମନରେ ବଡ଼ କଷ୍ଟ ହୁଏ । କଂଗ୍ରେସ ଭିତରେ ପୁଣି ମତଭେଦ ଦେଖା ଦେଇଛି । ମହାତ୍ମାଜୀ ଆନ୍ଦୋଳନକୁ ଯେଉଁଠାରେ ଛାଡ଼ିଗଲେ ତାହାକୁ ଆଗକୁ ନ ବଢ଼ାଇ, ସେହି ବାଟ ଛାଡ଼ି ଅନ୍ୟ ବାଟରେ ଯିବାପାଇଁ ଦେଶବନ୍ଧୁ ଚିତ୍ତରଞ୍ଜନ ଓ ପଣ୍ଡିତ ମୋତିଲାଲ ପ୍ରମୁଖ ବିଶିଷ୍ଟ ନେତାମାନେ ମତାମତ ପ୍ରକାଶ କରୁଛନ୍ତି । ଏଥିପାଇଁ ଦେଶରେ ମତଭେଦ ସୃଷ୍ଟି ହେଉଛି । ଆଇନଭଙ୍ଗରୂପକ ସତ୍ୟାଗ୍ରହ ଚଳାଇବା ପାଇଁ ଦେଶରେ ପରିସ୍ଥିତି ସୃଷ୍ଟି କରିବା ପ୍ରତି ଲକ୍ଷ୍ୟ ନ ରଖି, ସତ୍ୟାଗ୍ରହ ପାଇଁ ଦେଶ ପ୍ରସ୍ତୁତ ଅଛି କି ନାହିଁ ଏହା ତଦନ୍ତ କରିବାପାଇଁ ଗୋଟିଏ ତଦନ୍ତ କମିଟି ବସିଛି । ଏହିପରି ଗୋଟାଏ କମିଟି ବସାଇବା ହେଉଛି ମୂଳରୁ ଅଶୁଦ୍ଧି । ଏହି ତଦନ୍ତ କମିଟି ବସିବା ହେତୁରୁ କର୍ମୀମାନେ ନିଶ୍ଚେଷ୍ଟ ହୋଇଗଲେ । ମହାତ୍ମାଜୀଙ୍କ ଦୀର୍ଘ କାରାଦଣ୍ଡ ଯାହା ଟିକିଏ ଉତ୍ତେଜନା ଭାବ ଜାଗ୍ରତ କରାଇ ପାରିଥିଲା, ଏହି ତଦନ୍ତ କମିଟି ତାହାକୁ ଶିଥିଳ କରି ଦେଲା । ଏହି ତଦନ୍ତ କମିଟିର ଶେଷ ମତାମତ ପ୍ରତି ସାରା ଦେଶରେ କର୍ମୀମାନେ ଅପେକ୍ଷା କରି ରହିଲେ । ଏହିପରି ଭାବରେ ଦେଶରେ ନିଶ୍ଚେଷ୍ଟତା ଓ ନିଷ୍କ୍ରିୟ ଭାବ ସ୍ଥାନ ପାଇଲା । ଦେଶର ବିଶିଷ୍ଟ ନେତାମାନେ ଯାହା କରୁଛନ୍ତି ତହିଁରେ ସାଧାରଣ କର୍ମୀମାନଙ୍କ କହିବାପାଇଁ ବାଟ ଆଉ ରହିଲା ନାହିଁ । ଜେଲ ଭିତରେ ଏହିସବୁ ପରିବର୍ତ୍ତିତ ପରିସ୍ଥିତିର ଆଭାସ ଆମ୍ଭମାନଙ୍କୁ ମିଳୁଥାଏ । ବକ୍‍ସାର ଜେଲରେ ଦୁଷ୍ଟ କଏଦୀମାନଙ୍କ ପାଇଁ ବ୍ୟବସ୍ଥା ଥାଏ । ସେଠାରେ କାଏଦା କଟକଣା ବଡ଼ କଡ଼ା । ଯେତେ କଡ଼ା ହେଲେ ମଧ୍ୟ ଆମ୍ଭେମାନେ ସ୍ୱରାଜୀ କଏଦୀ । କୌଣସି ପ୍ରକାରେ ବାହାର ସଂବାଦ ପାଇବା ପାଇଁ ଯୋଗାଡ଼ କରି ନେଉ । ବାହାରର ସଂବାଦ ଶୁଣିବା ପାଇଁ ମନ ସବୁବେଳେ ବ୍ୟାକୁଳ । କିନ୍ତୁ ଏହିପରି ସଂବାଦ ପାଇ ମନ ଆହୁରି ବ୍ୟାକୁଳ ହୁଏ । ଜେଲ ଭିତରେ ଯେଉଁ ଦୁଃଖ ଯନ୍ତ୍ରଣା ଭୋଗ କରିବାକୁ ପଡ଼ୁଥାଏ, ଜେଲ ବାହାରର ପରିସ୍ଥିତି ସଂବାଦରେ ସେସବୁ ଦୁଃଖ କୁଆଡ଼େ ପାସୋର ହୋଇଯାଏ । ଏ ଦୁଃଖ ସେ ଦୁଃଖରୁ ବଳିପଡ଼େ । ସେ ଯାହା ହେଉ, ଏହିପରି ମନୋଭାବ ନେଇ ୧୯୨୩ ମସିହା ଜାନୁଆରୀ ତା୬ରିଖ ଦିନ ମୁଁ ବକ୍‍ସାର ଜେଲରୁ ବାହାରିଲି । ଜେଲରୁ ବାହାରିଲା ଦିନ ମୋ ମନରେ ଲେଶମାତ୍ର ଆନନ୍ଦ ନ ଥିଲା । ଜେଲରେ ଥିବା ସମୟରେ ମୋର ଭଲ ମନ୍ଦ ସଂବାଦ ରଖିବାକୁ ବାହାରେ କେହି ନ ଥିଲେ । ଜେଲ ଭିତରେ ଓଡ଼ିଶାରୁ ଯେ କେତେଜଣ ମୁଷ୍ଟିମେୟ ରାଜବନ୍ଦୀ ରହିଲେ ତାହାଙ୍କ ତତ୍ତ୍ୱ କଂଗ୍ରେସ କମିଟି ନେଇ ନାହିଁ, କିମ୍ୱା ସେମାନଙ୍କ ପ୍ରତି ଦେଶବାସୀଙ୍କର କିଛି କର୍ତ୍ତବ୍ୟ ଅଛି ବୋଲି ଏ ଭାବନା କାହାରି ମନକୁ ସ୍ପର୍ଶ କରିଛି ବୋଲି ମୋର ମନେ ହୁଏ ନାହିଁ । ସେ ଯାହାହେଉ ଜେଲରୁ ଖଲାସ ହୋଇ ମୁଁ ପ୍ରଥମେ ବାଲେଶ୍ୱରରେ ଓହ୍ଲାଇଲି । ସେଠାରୁ କଟକ, ପୁରୀ ଓ ସତ୍ୟବାଦୀ ହୋଇ ପୁଣି କଟକ ସ୍ୱରାଜ୍ୟ ଆଶ୍ରମକୁ ଫେରିଲି । ଜେଲରୁ ଖଲାସ ହେଲା ଦିନ ମୋ ସହିତ କେତେଜଣ ବିହାରୀ ଭାଇ ମଧ୍ୟ ବକ୍‍ସାର ଜେଲରୁ ବାହାରିଲେ । ସେମାନେ ଜେଲରୁ ବାହାରି ନିଜ ନିଜର ସ୍ନେହ ପ୍ରୀତି ଭାଇବନ୍ଧୁମାନଙ୍କ ନିକଟକୁ ତା’ର ଯୋଗେ ସମ୍ୱାଦ ଦେଲେ । ସେତେବେଳେ ମୋ ମନରେ ସ୍ୱତଃ ଭାବନା ଆସିଲା, କାହାକୁ ଜଣାଇବା ପାଇଁ । କିନ୍ତୁ ଏହି ସମ୍ୱାଦ ଜାଣିବାକୁ କେହି ଉତ୍ସୁକ ହୋଇ ଚାହିଁ ବସିଥିବ, ଏପରି ବ୍ୟକ୍ତି କେହି ମତେ ଦେଖାଗଲେ ନାହିଁ । ଏଥିପାଇଁ ମନରେ କ୍ଷଣିକ ଦୁଃଖ ଜାତ ହୋଇଥିଲା । ଓଡ଼ିଶାକୁ ଫେରି ସେହି ଦୁଃଖଭାବ ସ୍ଥାନେ ସ୍ଥାନେ ଜାଗି ଉଠୁଛି । ମୁଁ ଜେଲ୍‌ ଭିତରେ କିପରି ଥିଲି ଏହି ସମ୍ୱାଦ ତ କେହି ରଖିନାହାନ୍ତି । ପୁଣି ଜେଲରୁ ଫେରି କଟକ, ପୁରୀ, ସତ୍ୟବାଦୀରେ ଉପସ୍ଥିତ ହେଲା ବେଳେ ସମ୍ୱର୍ଦ୍ଧନା ସୂଚକ ପଦେ କଥା ଶୁଣିବାକୁ କାହାଠାରୁ ହେଲେ ମୁଁ ପାଇ ନାହିଁ । ଏହି ଦୃଶ୍ୟ ଦେଖି ମନ ବ୍ୟଥିତ ହେଉଛି । ମନେ ମନେ ଭାବୁଛି, ଆମ୍ଭ ଜାତୀୟ ଜୀବନ କେଡ଼େ ନିର୍ଜୀବ ଓ ଶିଥିଳ । ଏଠାରେ ଦେଶସେବା କରିବାକୁ ହେଲେ ନିଜକୁ ପାଷାଣର ପିତୁଳାବତ୍‍ ମନେ କରି ନେବାକୁ ହେବ । ନିଜର ସୁଖ, ଦୁଃଖ, ଭାବ, ଅଭାବ ଓ ସାମୟିକ ଆମୋଦ ଅଥବା ଆହ୍ଲାଦ ପ୍ରତି ଦୃଷ୍ଟି ଦେବା କିମ୍ୱା ଦେଶର କର୍ମୀ ବୋଲି ସ୍ନେହ ସହାନୁଭୂତି ପାଇବାର ଆଶା ପୋଷଣ କରିବା ବିଡ଼ମ୍ବନା ମାତ୍ର । ବାଲେଶ୍ୱର, କଟକ, ପୁରୀ ବୁଲି ଆସିବାରେ ମୋର ମନରେ ଏହିପରି ଭାବନା ଆସିଲା । କଟକ ସ୍ୱରାଜ୍ୟ ଆଶ୍ରମରେ ମୁଁ ରହିଲି ।

Image

 

ସପ୍ତମ ପରିଚ୍ଛେଦ

କଟକ ସ୍ୱରାଜ୍ୟ ଆଶ୍ରମ

 

ଆଶ୍ରମ କହିଲେ, ଯାହା ବୁଝାଏ କଟକ ସ୍ୱରାଜ୍ୟ ଆଶ୍ରମ ତାହା ନୁହେ । ୧୯୨୧ରେ ଅସହଯୋଗ ଆନ୍ଦୋଳନ ସମୟରେ ଏହାର ଅବସ୍ଥା ଯାହା ଥିଲା ବର୍ତ୍ତମାନ ଆଉ ସେପରି ନାହିଁ । ଆଉ ସେତେ କର୍ମୀ ନାହାନ୍ତି, ଆଉ ପୂର୍ବପରି ଚାନ୍ଦା ଆଦାୟ ହେଉ ନାହିଁ । ଆଶ୍ରମ ଚଳିବାପାଇଁ ସବୁ ଅସୁବିଧା । ଜେଲରୁ ମୋର ସ୍ୱାସ୍ଥ୍ୟଭଙ୍ଗ ହୋଇଛି । ବାହାରର ପରିସ୍ଥିତି ବେଳେ ବେଳେ ମନକୁ ମଧ୍ୟ ଭାଙ୍ଗି ପକାଉଛି । କିଛିଦିନ ପାଇଁ ଜଳବାୟୁ ପରିବର୍ତ୍ତନ କରି ଟିକିଏ ଶାନ୍ତି ଓ ସୁଖରେ ରହିବାପାଇଁ ମନ ଦୌଡ଼ୁଛି ।

 

ଇତିମଧ୍ୟରେ ଗୟାଠାରେ କଂଗ୍ରେସର ବାର୍ଷିକ ଅଧିବେଶନ ହୋଇ ଯାଇଛି । ଗୟା କଂଗ୍ରେସରେ ଦେଶବନ୍ଧୁ ଚିତ୍ତରଞ୍ଜନ ସଭାପତି । କିନ୍ତୁ ସେ ସଭାପତି ପଦରୁ ଇସ୍ତଫା ଦାଖଲ କରିଅଛନ୍ତି । ଅସହଯୋଗର ମୂଳ ପ୍ରସ୍ତାବରେ କାଉନ୍‍ସିଲ୍‍ ବର୍ଜନ ଗୋଟିଏ କାର୍ଯ୍ୟକ୍ରମ ଥିଲା । ଏହି କାର୍ଯ୍ୟକ୍ରମକୁ ପରିବର୍ତ୍ତିତ କରି କାଉନ୍‍ସିଲ୍‍ ପ୍ରବେଶ କରିବାପାଇଁ ଦେଶବନ୍ଧୁ ଚିତ୍ତରଞ୍ଜନ ଦାଶ ସ୍ଥିର କରିଛନ୍ତି । କିନ୍ତୁ ତାହାଙ୍କ ମତ କଂଗ୍ରେସ ଗ୍ରହଣ ନ କରିବାରୁ ସେ ଇସ୍ତଫା ଦାଖଲ କରି ସ୍ୱରାଜ୍ୟଦଳ ନାମରେ ଗୋଟିଏ ସ୍ୱତନ୍ତ୍ରଦଳ ଗଠନ କରୁଅଛନ୍ତି । କଂଗ୍ରେସରେ ପରିବର୍ତ୍ତନବାଦୀ (Pro-changer-Swarajist) ଏବଂ ଅପରିବର୍ତ୍ତନବାଦୀ (No-changers) ନାମରେ ଦୁଇଟି ଚିନ୍ତାଧାରା ଖେଳୁଛି । କିନ୍ତୁ ମହାତ୍ମା ଗାନ୍ଧିଙ୍କ ମୂଳନୀତିରେ କୌଣସି ପରିବର୍ତ୍ତନ କଂଗ୍ରେସ କଳ୍ପନା କରି ପାରୁ ନାହିଁ । ଗୟା କଂଗ୍ରେସରେ ନୂତନ କର୍ମପଦ୍ଧତି ସ୍ଥିର ହୋଇଛି । ପଚିଶ ଲକ୍ଷ ଟଙ୍କା ତିଳକ ସ୍ୱରାଜ୍ୟ ପାଣ୍ଠିପାଇଁ ଚାନ୍ଦା ସଂଗ୍ରହ ଏବଂ ଏକକୋଟି କଂଗ୍ରେସ ମେମ୍ୱର ସଂଗ୍ରହ କରିବାକୁ ହେବ । ଓଡ଼ିଶା ପ୍ରଦେଶ ପୂରାମାତ୍ରାରେ ଅସହଯୋଗୀ । ଅସହଯୋଗର ମୂଳ ପ୍ରସ୍ତାବରେ କୌଣସି ପରିବର୍ତ୍ତନର କଳ୍ପନା ଅସମ୍ଭବ । କେବଳ ଓଡ଼ଶାରୁ ଏକମାତ୍ର ପଣ୍ଡିତ ନୀଳକଣ୍ଠ ଦାସ ପରିବର୍ତ୍ତନର ଆକାଙ୍କ୍ଷୀ । ସୁତରାଂ ଗୟା କଂଗ୍ରେସରେ ନିର୍ଦ୍ଧାରିତ କାର୍ଯ୍ୟପଦ୍ଧତିକୁ ଅନୁସରଣ କରି କାର୍ଯ୍ୟ ପରିଚାଳନା କରିବାକୁ ଚେଷ୍ଟା କରା ହେଉଛି । ମୁଁ ଜେଲରୁ ବାହାରି ଦେଖୁଛି, ଓଡ଼ିଶାରେ ଖଦଡ଼ କାର୍ଯ୍ୟ ଟିକିଏ ପ୍ରସାର ଲାଭ କରିଛି । ଶ୍ରୀଯୁକ୍ତ ଗୋପବନ୍ଧୁ ଚୌଧୁରୀଙ୍କ ତତ୍ତ୍ୱାବଧାନରେ କେତେଗୁଡ଼ିଏ ସୂତାକଟା ଓ ଖଦଡ଼ବୁଣାର କେନ୍ଦ୍ର ଖୋଲା ଯାଇଛି । କଟକ ଆଶ୍ରମରେ ଗୋଟିଏ ଖଦଡ଼ ଭଣ୍ଡାର ଅଛି । ନିଖିଳ ଭାରତ କଂଗ୍ରେସ କମିଟି ଏହି ଖଦଡ଼ କାର୍ଯ୍ୟପାଇଁ ଓଡ଼ିଶାକୁ ପ୍ରାୟ ଏକଲକ୍ଷ ଟଙ୍କା ଦାନ କରିଛନ୍ତି । ନିଜକୁ ମୁଁ କେଉଁ କାର୍ଯ୍ୟରେ ନିଯୁକ୍ତ କରିବି ତାହାହିଁ ଭାବୁଛି ।

 

ମୁଁ ଆଶ୍ରମରେ ରହିଲି । କଟକ ଆଶ୍ରମ ଛାଡ଼ିଲେ ମୋର ସ୍ଥାନ ଆଉ ନାହିଁ । ଆଶ୍ରମ ହେଲା ମୋର ସବୁ । କିନ୍ତୁ ଅନ୍ୟ କାହାରି ଅବସ୍ଥା ତାହା ନୁହେ । ଅନ୍ୟାନ୍ୟମାନେ ଘରକୁ ଯିବା ଆସିବା କରନ୍ତି । କଟକ କୌଣସି କାର୍ଯ୍ୟୋପଲକ୍ଷରେ ଆସିଲେ ଅବଶ୍ୟ ଆଶ୍ରମରେ ରହନ୍ତି । ଆଶ୍ରମକୁ ସେମାନେ ସେମାନଙ୍କ କର୍ମମୟ ଜୀବନର ମୂଳଭିତ୍ତି କରି ଦେଖୁ ନାହାନ୍ତି । ଦେଶର ରାଜନୀତି ଚର୍ଚ୍ଚା କରିବା ସେମାନଙ୍କ ଜୀବନର ଲକ୍ଷ୍ୟ ହେଲେ ମଧ୍ୟ ସେମାନଙ୍କର ଘର ପରିବାର ପ୍ରଭୃତି ଆହୁରି ଅନେକ ବିଷୟ ଚିନ୍ତା କରିବାର ଅଛି । ସେହିସବୁ କାର୍ଯ୍ୟ ଓ ବିଷୟ ଚିନ୍ତା ଜୀବନର ଏକମାତ୍ର ମୁଖ୍ୟ କର୍ମ ନ ହେଲେ ମଧ୍ୟ ତାହାରି ଉପରେ ସେମାନଙ୍କ ଭବିଷ୍ୟତ ଜୀବନ ନିର୍ଭର କରୁଛି । ସଂସାରର ସମସ୍ତ ସମ୍ୱନ୍ଧ ଛିଣ୍ଡାଇ ଦେଇ ଦେଶରେ ଗୋଟିଏ ରାଜନୈତିକ ଅନୁଷ୍ଠାନ ଭିତରେ ସଙ୍ଘବଦ୍ଧ ହୋଇ ରହି ଜୀବନ ଯାପନ କରିବାର କଳ୍ପନା କାହାରି ନାହିଁ । ରାଜନୈତିକ କୋଳାହଳରୁ ଦୂର ହୋଇ ପାରିବାରିକ ଶାନ୍ତି ସୁଖରେ ଜୀବନ ଅତିବାହିତ କରିବାର ଆକାଙ୍‌କ୍ଷା ପୂର୍ଣ୍ଣମାତ୍ରାରେ ଅନ୍ୟ କର୍ମୀମାନଙ୍କଠାରେ ବିଦ୍ୟମାନ । କିନ୍ତୁ ମୋର କଥା ଏକାବେଳକେ ସ୍ୱତନ୍ତ୍ର । ମୋତେ ଏହି ଆଶ୍ରମରେ ପଡ଼ି ରହି କାର୍ଯ୍ୟ କରିବାକୁ ହେବ । I have burnt my boat in the world. ମୁଁ ସଂସାରର ସମସ୍ତ ସମ୍ୱନ୍ଧ ଛିଣ୍ଡାଇ ଦେଇଛି । ଦେଶର ରାଜନୈତିକ ମୁକ୍ତି ପାଇଁ ମୁଁ ନିଜକୁ ସଂପୂର୍ଣ୍ଣ ରୂପରେ ବଳି ଦେଇଛି । ରାଜନୈତିକ କର୍ମ କରି ଏହି କର୍ମରେ ନିଜ ଜୀବନକୁ ବିଲୀନ କରିଦେବା ମୋର ଏକମାତ୍ର ଲକ୍ଷ୍ୟ । ଏହା ଛଡ଼ା ଅନ୍ୟ ଚିନ୍ତା ମୋ ମନରେ ନାହିଁ । କଟକ ସ୍ୱରାଜ୍ୟ ଆଶ୍ରମ ମୋର କର୍ମମୟ ଜୀବନର କେନ୍ଦ୍ର । ଏଣୁ ଏହାର ଆର୍ଥିକ ଅବସ୍ଥା ଦୂର କରିବା ପାଇଁ ମୁଁ ପ୍ରଥମେ ମନପ୍ରାଣ ଢାଳି ଦେଲି । କଟକ ସହରରୁ ସ୍ଥାୟୀ ଚାନ୍ଦାର ପରିମାଣ ଅନେକ ଅଂଶରେ ବୃଦ୍ଧି ପାଇଲା ।

 

କଟକ ଜିଲ୍ଲା ଜଗତସିଂହପୁରରେ ଅଳକାଶ୍ରମ ସ୍ଥାପିତ ହୋଇଛି । ଶ୍ରୀଯୁକ୍ତ ଗୋପବନ୍ଧୁ ଚୌଧୁରୀ ଓ ଭାଗୀରଥି ମହାପାତ୍ର ପ୍ରମୁଖ କଟକ ଜିଲ୍ଲାର ମୁଖ୍ୟ କର୍ମୀମାନେ ଅଳକାଶ୍ରମ ପାଇଁ ମନ ପ୍ରାଣ ଢାଳି ଦେଇ ଅଛନ୍ତି । ସେମାନେ ଅଳକାଶ୍ରମକୁ ଓଡ଼ିଶାରେ ଗୋଟିଏ ମହାନ୍‍ ଅନୁଷ୍ଠାନ ରୂପେ ଗଢ଼ିବାର କଳ୍ପନା କରୁଛନ୍ତି । କଟକ ସ୍ୱରାଜ୍ୟ ଆଶ୍ରମକୁ କେନ୍ଦ୍ର କରି କଟକ ଜିଲ୍ଲାରେ ସମସ୍ତ ପ୍ରକାର ପ୍ରଗତିଶୀଳ ରାଜନୈତିକ ଚର୍ଚ୍ଚା କରିବା ପାଇଁ କାହାରି ମନ ନାହିଁ । ପଣ୍ଡିତ ଗୋପବନ୍ଧୁ ଦାସ ବର୍ତ୍ତମାନ ଜେଲରେ । ଓଡ଼ିଶାର କଂଗ୍ରେସ କର୍ମୀମାନେ ଯୁଦ୍ଧକ୍ଳାନ୍ତ ସୈନିକ ରଣକ୍ଷେତ୍ରରୁ ଘରକୁ ଫେରିଗଲା ପରି ସମସ୍ତେ ଘରକୁ ଫେରୁଛନ୍ତି । ସେମାନଙ୍କୁ ଏକାଠି ରଖି ଭବିଷ୍ୟତ୍‍ ପାଇଁ ସଂଗଠନ କରିବ କିଏ ? ୧୯୨୧ ମସିହାର ଅସହଯୋଗ ଆନ୍ଦୋଳନ ସମୟରେ ଅନେକ ଯୁବକ ଦେଶ ପାଇଁ ବହୁତ ତ୍ୟାଗ ସ୍ୱୀକାର କରିଛନ୍ତି । ବହୁତ ଯୁବକ ସେମାନଙ୍କ ଭବିଷ୍ୟତ୍‍ ଜୀବନର ଉନ୍ନତି ଚିରକାଳ ପାଇଁ ହରାଇ ଅଛନ୍ତି । ସେମାନଙ୍କ ସେହି ତ୍ୟାଗର ଆଜି କୌଣସି ମହତ୍ତ୍ୱ ନାହିଁ । ସେମାନଙ୍କ ତ୍ୟାଗର କୌଣସି ଇତିବୃତ୍ତ ନାହିଁ । ଘରେ କିମ୍ୱା ସମାଜରେ ସେମାନଙ୍କର କୌଣସି ସ୍ଥାନ ନାହିଁ । ତଥାପି ଓଡ଼ିଶାର କଟକ, ପୁରୀ, ବାଲେଶ୍ୱର ଓ ଗଞ୍ଜାମ ଜିଲ୍ଲାରେ ଯେ କେତେଜଣ ମୁଖ୍ୟ ଜଣା ଶୁଣା କର୍ମୀ ରହିଲେ ସେମାନେ ସମସ୍ତେ ଏକାଠି ହୋଇଥିଲେ, ଓଡ଼ିଶାର ରାଜନୈତିକ ଜୀବନ ଅନ୍ୟ ଆକାର ଧାରଣ କରିଥାନ୍ତା । ସମସ୍ତେ ସାରା ଓଡ଼ିଶାର ପ୍ରଶ୍ନକୁ ଏକ ମନ ଓ ଏକ ପ୍ରାଣର ସହିତ ଚିନ୍ତା କରି କାର୍ଯ୍ୟ କରି ପାରି ଥାନ୍ତେ । ଓଡ଼ିଶାରେ ଏହି ଏକପ୍ରାଣ ଓ ଏକନିଷ୍ଠ ହୋଇ ଦଳବଦ୍ଧ ସମୂହ ଜୀବନ ଯାପନ ପାଇଁ ପ୍ରୟାସ କରାହେଲା ନାହିଁ । କଟକରେ ମଧ୍ୟ ଏହି ଭାବ ରହିଲା ନାହିଁ । ଅଳକାଶ୍ରମ ସମସ୍ତଙ୍କୁ ଟାଣି ପାରିଲା ନାହିଁ । କଟକ ସ୍ୱରାଜ୍ୟ ଆଶ୍ରମ ଓ ଅଳକାଶ୍ରମ ଉଭୟ ଅନୁଷ୍ଠାନ ପାଇଁ କଟକ ସହର ଭିତରୁ ମଧ୍ୟ ଚାନ୍ଦା ସଂଗୃହୀତ ହେଲା । ଅଳକାଶ୍ରମ ସହିତ ଶ୍ରୀଯୁକ୍ତ ଗୋପବନ୍ଧୁ ଚୌଧୁରୀ ଓ ବାବୁ ଭାଗିରଥି ମହାପାତ୍ର ସଂପୃକ୍ତ ଥିବାର ଅନେକ ଅଳକାଶ୍ରମକୁ ସାହାଯ୍ୟ କରିବାପାଇଁ ମନ ବଳାଇବା ସ୍ୱାଭାବିକ ହୋଇ ପଡ଼ିଲା । କଟକର ସ୍ୱରାଜ୍ୟ ଆଶ୍ରମ କଟକ ଜିଲ୍ଲା କଂଗ୍ରେସ କମିଟିର ଅଫିସ ଘର ଆକାର ଧାରଣ କଲା ।

 

୧୯୨୧ ମସିହାରେ ନୂଆ ହୋଇ ଓଡ଼ିଶାରେ କଂଗ୍ରେସ ଗଢ଼ା ହେଲା । ଏହି କଂଗ୍ରେସ କମିଟି ଓ କଂଗ୍ରେସ କାର୍ଯ୍ୟ ଓଡ଼ିଶାରେ କେତେଗୁଡ଼ିଏ ଜଣା ଅଜଣା କର୍ମୀଙ୍କୁ ଟାଣି ଆଣି ଏକାଠି କରିଥିଲା । ସେତେବେଳେ ସମସ୍ତେ ଅସହଯୋଗ ଲଢ଼ାଇର କାର୍ଯ୍ୟକ୍ରମ ଛଡ଼ା ଅନ୍ୟ ଚିନ୍ତା କରୁ ନ ଥିଲେ । ଅନ୍ୟ ଅନୁଷ୍ଠାନ ଗଢ଼ି ରାଜନୈତିକ ଜୀବନ ବିକାଶ କରିବା ପାଇଁ ସ୍ୱତନ୍ତ୍ର କଳ୍ପନା କାହାରି ମନକୁ ସ୍ପର୍ଶ କରି ନାହିଁ । କିନ୍ତୁ ୧୯୨୩ ମସିହା ବେଳକୁ ସେ ଅବସ୍ଥା ଆଉ ରହୁ ନାହିଁ । ସମସ୍ତଙ୍କ ମନରେ ଗୋଟିଏ ଚିନ୍ତାର ଧାରା ପ୍ରବାହିତ ହେଉ ନାହିଁ । ଅସହଯୋଗ ଆନ୍ଦୋଳନ ଶିଥିଳ ହୋଇ ଯିବାରୁ ପ୍ରତ୍ୟେକେ ପ୍ରତ୍ୟେକର ସୁବିଧା ଦେଖୁଛନ୍ତି । କର୍ମୀମାନେ ଛାତ୍ରଭଙ୍ଗ ଦେଉଛନ୍ତି । ଜଣା ଶୁଣା କର୍ମୀମାନେ ନିଜର ରାଜନୈତିକ ଜୀବନପାଇଁ ଭିନ୍ନ ଭିନ୍ନ ଅନୁଷ୍ଠାନ ଗଢ଼ିବାର କଳ୍ପନା କରୁଛନ୍ତି । ଅଜଣା ଅଶୁଣା କର୍ମୀମାନଙ୍କ ମଧ୍ୟରୁ ଯେଉଁମାନଙ୍କର ଟିକିଏ ଦେଶ କାର୍ଯ୍ୟ ପ୍ରତି ମମତା ରହିଛି ସେମାନେ ନିଜ ନିଜର ସୁବିଧା ଅନୁସାରେ ନୂଆ ହୋଇ ଗଢ଼ା ଯାଉଥିବା ଅନୁଷ୍ଠାନକୁ ଆଦରି ନେଉ ଅଛନ୍ତି ।

 

ମହାତ୍ମା ଗାନ୍ଧିଙ୍କର କାରା ଗମନର ଏକବର୍ଷ ପୂର୍ଣ୍ଣ ହେବାକୁ ବସିଲା । ମହାତ୍ମାଜୀ ୧୯୨୨ ମସିହା ମାର୍ଚ୍ଚ ତା ୧୮ରିଖ ଦିନ ଜେଲଦଣ୍ଡ ପାଇଥିଲେ । ଏଥିପାଇଁ ମାସର ତା୧୮ ରିଖ ଦିବସକୁ ଗୋଟିଏ ବିଶିଷ୍ଟ ଦିବସ ରୂପେ ପାଳିବାକୁ ନିଖିଳ ଭାରତ କଂଗ୍ରେସ କମିଟି ସ୍ଥିର କରିଥାନ୍ତି-। ତଦନୁସାରେ ଏହି ତା ୧୮ ରିଖ ଦିନ ଅନେକ କର୍ମୀ ଉପବାସ ବ୍ରତ ପାଳନ କରନ୍ତି । ସେଦିନ ସୂତାକଟାରେ ସମସ୍ତ ସମୟ ଅତିବାହିତ ହୁଏ । କେଉଁଠାରେ ସେଦିନ ଖଦଡ଼ ବୁଲେଇ ବିକ୍ରି କରା ହୁଏ । କେଉଁଠାରେ ଖଦଡ଼ର ପ୍ରଦର୍ଶନୀ ବସେ । ନାନାଭାବରେ ସେଦିନଟି ଭାରତର ପ୍ରତ୍ୟେକ ପ୍ରଦେଶରେ ପ୍ରତିପାଳିତ ହୁଏ । ଓଡ଼ିଶାରେ ଆମ୍ଭେମାନେ କେତେଜଣ ଉପବାସ ରହି ଖଦଡ଼ କାର୍ଯ୍ୟରେ ନିଜ ନିଜକୁ ନିୟୋଜିତ କରୁ । କିନ୍ତୁ ୧୯୨୩ ମାର୍ଚ୍ଚ ତା ୧୮ରିଖ ଦିନକୁ ଏକବର୍ଷ ପୂର୍ଣ୍ଣ ହେବ । ଏହି ଦିନ ଭାରତର ସର୍ବତ୍ର ହରତାଳ କରାହୋଇ ସଭା ହେବ । କଟକରେ ହରତାଳ କରିବା ଭାର କଟକ ଜିଲ୍ଲା କଂଗ୍ରେସ କମିଟି ମୋ ଉପରେ ନ୍ୟସ୍ତ କଲେ । ଏହି ହରତାଳ ପାଇଁ ମତେ କଠିନ ପରିଶ୍ରମ କରିବାକୁ ହୋଇଥିଲା । କଟକରେ ହରତାଳ ଦିନ ଖଣ୍ଡିଏ ଗାଡ଼ି ଜବରଦସ୍ତି ଅଟକାଇବା ଦୋଷ ଲଗାଇ ପୋଲିସ ମୋ ନାମରେ ଗୋଟିଏ କେଶ୍‍ କଲେ । ତହିଁରେ ମୋତେ ତିନି ସପ୍ତାହ ପାଇଁ ଜେଲ ଶାସ୍ତି ମିଳିଲା । କଟକ ଆଶ୍ରମ ଛାଡ଼ି କଟକ ଜେଲରେ ମୁଁ ରହିଲି ।

 

ମହାତ୍ମାଜୀଙ୍କ ‘ୟଙ୍ଗ ଇଣ୍ଡିଆ’ ନାମରେ ଖଣ୍ଡିଏ ସାପ୍ତାହିକ ଇଂରେଜୀ ପତ୍ର ଅଛି । ମହାତ୍ମାଜୀ ଜେଲ ଯିବା ପରେ ମଧ୍ୟ ସେହି କାଗଜ ବାହାରୁଛି । ମହାତ୍ମାଜୀ ଜେଲ ଯିବାର ବାର୍ଷିକ ଉତ୍ସବ ଉପଲକ୍ଷରେ ‘ୟଙ୍ଗ ଇଣ୍ଡିୟା’ କାଗଜର ଗୋଟିଏ ବିଶେଷ ସଂଖ୍ୟା ବାହାରିଛି । ସେହି ବିଶେଷ ସଂଖ୍ୟାରେ ଦେଶର ବିଶିଷ୍ଟ ଜନନାୟକମାନଙ୍କର ମହାତ୍ମାଜୀଙ୍କ ନୀତିର ବିଶିଷ୍ଟତାକୁ ଉଲ୍ଲେଖ କରି ଗୋଟିଏ ଗୋଟିଏ ବିଶିଷ୍ଟ ଲେଖା ପ୍ରକାଶ ପାଇଛି । ଦୀନବନ୍ଧୁ ଆଣ୍ଡ୍ରୁଜ ସାହେବ ମଧ୍ୟ ଗୋଟିଏ ଲେଖା ଦେଇଛନ୍ତି । ଆଣ୍ଡ୍ରୁଜ ସାହେବଙ୍କ ନିକଟକୁ ମୁଁ ଖଣ୍ଡିଏ ପତ୍ର ଜେଲରୁ ଖଲାସ ହୋଇ ଲେଖିଥିଲି । ମୋର ଏହି ପତ୍ର ଖଣ୍ଡିକୁ ମୂଳଭିତ୍ତି କରି ମହାତ୍ମାଜୀଙ୍କ ଜେଲ ଗମନର ବାର୍ଷିକ ଦିବସ ଉପଲକ୍ଷରେ ଆଣ୍ଡ୍ରୁଜ ସାହେବ ତାହାଙ୍କର ବାଣୀ ଏ ଦେଶକୁ ଶୁଣାଇ ଅଛନ୍ତି । ମୋର ପତ୍ର ଖଣ୍ଡି ହୋଇଛି ତାହାଙ୍କର ବାଣୀ । ଏହାକୁ ଦେଇ ସେ ମୋର ପରିଚୟ ମଧ୍ୟ ‘ୟଙ୍ଗ ଇଣ୍ଡିଆ’ରେ ଦେଇ ଅଛନ୍ତି । ଉକ୍ତ ପତ୍ର ଖଣ୍ଡି ମୁଁ ଏଠାରେ ଉଲ୍ଲେଖ କରୁଛି । ଏହି ସଂବାଦ ମୁଁ ଜେଲରେ ପାଇଲି-। ଏହା ପାଠ କରି ମୋର ଆନନ୍ଦ ଓ ଉତ୍ସାହର ସୀମା ରହିଲା ନାହିଁ ।

 

It is now more than a month that I have been released from the jail. I wish to write something to you, but do not know how to express myself. I got your letter, which you sent me as a reply to what I wrote to you from the central jail. I thank you for this. Your letter has been a great inspiration to me. After coming out from the jail I have read it more than once and read it even now to my friends.

 

From the jail I could not write any more to you. I was treated as an ordinary rigorous prisoner and was given ten seers of wheat to grind. In the last eight months of my jail life I had to undergo much suffering and difficulty. I was put in solitary cell four times, that is, four months I had to pass in cell. Gunny-clothing and hand-cuffs were imposed on me, on reports of not being able to do the full task. The jail superintendent was always trying to humiliate us and we were protesting, for which also I had to undergo various jail punishments. This is all about my jail life.

 

In the jail I could not feel the absence of Bapujee, but since the day I have been out I feel it very keenly day by day. The general depression that I find now in the whole country, sometimes takes away the patience of the Congress workers and the split in the Congress camp has been a source of much pain and anxiety to us. Here I feel Bapuji’s absence very keenly. At such times I read your letter and derive much inspiration to explain the spirit of non-co-operation to my friends.

 

But one thing I want to say is that the ideal for which you are struggling so hard is only possible for a free India. To day we are slaves. Our people are groaning under tyranny and oppression. They starve under the circumstances. How is it possible for us to think of any higher ideal than the means of securing safety to the life and property of our people ? I must say that you do not know how our people suffer, I mean the people of Odisha. The jail has opened my eyes to see the things more vividly. You know the terrible sufferings of my own people, after the riot long ago in Odisha. You have experienced the sufferings in the Punjab. These affairs simply boil our blood. These things sometimes make me forget the spirit of non-voilence. But in the present state of things, it is the only possible way for us. Moreover it is the only way that will be consistent with the spirit of our national idea, and this is the only way that will build a nation. Without suffering man cannot achieve any success even in his individual life, how then will we be able to realise our national ideal if we avoid suffering ? There must be suffering, obstacles, and difficulties on our way to freedom. Without it freedom will be of no worth. With this hope we work to-day. The depression and split do not affect us. I pray, you kindly cheer us and inspire us. Kindly accept my love.

 

ଏହିଠାରେ କନିକା ଗୋଳମାଳ ପାଇଁ ଧରା ହୋଇ ଜେଲ ପାଇଥିବା କେତେକ କର୍ମୀଙ୍କ ସହିତ ଦେଖା ହେଲା । ମୁଁ ଜେଲରେ ଥିବା ସମୟରେ କନିକା ଗୋଳମାଳ ଘଟିଛି । କନିକାରେ ଯାହା ସବୁ ଘଟିଛି ତାହାକୁ ପଞ୍ଜାବ ଅତ୍ୟାଚାର ସଙ୍ଗେ ତୁଳନା କରି ବର୍ଣ୍ଣନା କରିବାର ମୁଁ ଶୁଣିଛି । ସେ ସବୁ ଶୁଣି ମୁଁ ନୀରବ ରହେ । କିନ୍ତୁ ଜେଲ ଭିତରେ ଅତ୍ୟାଚାର ଭୋଗିଥିବା ଲୋକଙ୍କ ମୁଖରୁ ମୁଁ ଯାହା ଶୁଣିବାକୁ ପାଇଲି ତହିଁରେ ଧୈର୍ଯ୍ୟ ଧରି ରହିବା ଅସମ୍ଭବ । ଜେଲ ଭିତରେ ଥାଇ ମୁଁ ନିଶ୍ଚୟ କଲି ଯେ ଏହାର କିଛି ପ୍ରତିକାର କରିବାକୁ ହେବ । ଦେଶରେ ଏତେ ବଡ଼ ଘଟଣା ଘଟିଗଲା, ତହିଁର ପ୍ରତିବାଦ କରି ପଦେ କଥା କହିବାକୁ କାହାର ସାହସ ପାଇଲା ନାହିଁ । ଆଜି ଆମ୍ଭେମାନେ ଦେଶର ସ୍ୱାଧୀନତା ପାଇଁ ଲଢ଼ାଇ କରୁଥାଇଁ । ଅଥଚ କନିକା ଅତ୍ୟାଚାର ଶୁଣି ନୀରବ ରହିବା କଦାପି ଉଚିତ ନୁହେ । ନୀରବ ରହିଲେ କର୍ତ୍ତବ୍ୟରେ ତ୍ରୁଟି ହେବ । ଦେଶରେ ଘଟୁଥିବା ଘଟଣାମାନ ପ୍ରତି ଅବହେଳା ଦେଖାଇଲେ ବୋଲି ବୁଝିବାକୁ ହେବ । କନିକା ଅତ୍ୟାଚାର ପାଇଁ କୌଣସି ପ୍ରତିବିଧାନ କରିବାକୁ ଆମ୍ଭେମାନେ ସମର୍ଥ ହେବା ସହଜ ହୋଇ ନ ପାରେ । ପରାଧୀନ ଦେଶରେ ଅନ୍ୟାୟ ଅତ୍ୟାଚାର ପାଇଁ ନ୍ୟାୟ ଆଶା ରଖିବା ସବୁଠାରୁ ନିର୍ବୋଧତାର କଥା । ଆମ୍ଭେମାନେ ନ୍ୟାୟ ପାଇବାର ହକଦାର ନୋହୁଁ ତାହା ନୁହେ, କିନ୍ତୁ ଦେଶର ପ୍ରତ୍ୟେକ ପ୍ରଶ୍ନ ପ୍ରତି ଯଦି ନ୍ୟାୟ ବିଚାର କରା ଯାଉଥାନ୍ତା ତେବେ ପରାଧୀନତାର ଚିହ୍ନ ଲିଭିଯାନ୍ତା । ସ୍ୱରାଜ୍ୟ ପାଇଁ ତଥା ଦେଶକୁ ସ୍ୱାଧୀନ କରାଇବା ପାଇଁ ଲଢ଼ାଇ କରିବାର ପ୍ରଶ୍ନ ଏପରି ତୀବ୍ର ଆକାର ଧାରଣ କରନ୍ତା ନାହିଁ । କେବଳ ଅନ୍ୟାୟ ଦେଖିଲେ ନ୍ୟାୟ ପାଇବା ଆଶାରେ ପ୍ରତିକାର କରିବାକୁ ଚେଷ୍ଟା କରିବ, ଏବଂ ନ୍ୟାୟ ପାଇବାର ଆଶା ନ ଥିଲେ ନୀରବ ରହିବ, ଏପରି ଭାବ ମଧ୍ୟ ଦେଶ ତଥା ସମାଜ ପକ୍ଷରେ ମଙ୍ଗଳଜନକ ନୁହେ । ସରକାରଙ୍କର ଶାସନ ନୀତି କିପରି ଚାଲିଛି, ତାହାରି ପରିଣାମରେ ଦେଶରେ ଘଟୁଥିବା ଯାବତୀୟ ଘଟଣାମାନ ପ୍ରତି ଦେଶବାସୀ ଜାଗ୍ରତ ଥାଇ ପ୍ରତିବାଦ କରୁଅଛନ୍ତି, ଏତକ ପାଟିତୁଣ୍ଡ କରି ନ ଜଣାଇଲେ ଦେଶପାଇଁ ଆମ୍ଭେମାନେ ଜୀବନ ଦାନ କରିବାକୁ ପ୍ରସ୍ତୁତ ଏହାର ପ୍ରମାଣ ଆଉ କ’ଣ ରହିଲା ? ଏହିପରି ଅନେକ ଭାବନା ମୋ ମନରେ ଖେଳିଲା । କନିକା ଅତ୍ୟାଚାର ସଂବାଦକୁ ଦବାଇଦେବା ସରକାରଙ୍କର ଇଚ୍ଛା । ମୁଁ ମନେ ମନେ ନିଶ୍ଚୟ କଲି, କିଛି କରି ନ ପାରିଲେ ମୁଁ ଏହି ସଂବାଦକୁ ଦେଶରେ ପ୍ରଚାର କରି ବୁଲିବି । ଏହା ନିଶ୍ଚୟ କରି ମୁଁ ଏକୋଇଶ ଦିନ ଜେଲ ଜୀବନ କଟାଇ ଜେଲରୁ ବାହାରିଲି । କଟକରେ କିଛି ସୁବିଧା ଦେଖିଲି ନାହିଁ । କନିକାରେ ଅତ୍ୟାଚାର ଚାଲିଥିବା ସମୟରେ କଟକରେ ଗୋଟିଏ ପ୍ରତିବାଦ ସଭା ମଧ୍ୟ ହୋଇ ପାରି ନାହିଁ । ପଣ୍ଡିତ ଗୋପବନ୍ଧୁ ଦାସ ଏହି କନିକା ହେତୁ ଦୁଇ ବର୍ଷ ଜେଲ ଯାଇଛନ୍ତି । ବାବୁ ହରେକୃଷ୍ଣ ମହତାବ ଜେଲରେ । ଶ୍ରୀଯୁକ୍ତ ଗୋପବନ୍ଧୁ ଚୌଧୁରୀଙ୍କ ଛଡ଼ା ଅନ୍ୟ କେହି ଆଉ କଟକ ଜିଲାର କଂଗ୍ରେସ କର୍ମୀ ନାହାନ୍ତି । ଓଡ଼ିଶାରେ କିଛି କରି ପାରିବାର ସୁବିଧା ପାଇଲି ନାହିଁ । ଏହି ଘଟଣା ପ୍ରତି ଭାରତର ଦୃଷ୍ଟି ଆକର୍ଷଣ କରାଇବା ମୋର ଇଚ୍ଛା । ଏହି ଇଚ୍ଛାରେ ମୁଁ ବମ୍ୱେଇ ଗଲି । ସ୍ୱାସ୍ଥ୍ୟର ପରିବର୍ତ୍ତନ ପାଇଁ ଓଡ଼ିଶା ଛାଡ଼ିବାକୁ ଆଗରୁ ମନ ଥାଏ । ବର୍ତ୍ତମାନ କନିକା ପ୍ରଶ୍ନ ସେହି ଇଚ୍ଛାକୁ ବଳବତୀ କରାଇଲା । ଅବଶେଷରେ ୧୯୨୩ ମସିହା ମଇ ମାସରେ ମୁଁ ବମ୍ୱେଇ ଯାତ୍ରା କଲି ।

 

ବମ୍ୱେଇ ଯିବା ପୂର୍ବରୁ ଆଉ ଗୋଟିଏ କାର୍ଯ୍ୟଭାର ମୁଁ ବହନ କରିଥାଏ । ବାବୁ ଭୁବନାନନ୍ଦ ଦାସ ମୋର ଜଣେ ଅତି ପ୍ରିୟ ଓ ହିତାକାଙ୍କ୍ଷୀ ବନ୍ଧୁ । ସେ ବମ୍ୱେଇରେ ଇଲେଟ୍ରିକ୍‍ ଇଂଜିନିଅରିଙ୍ଗର ଗୋଟିଏ ବ୍ୟବସାୟ କ୍ଷେତ୍ର ସଂଗଠନ କରି ସେଠାରେ ବ୍ୟବସାୟ କରନ୍ତି । ମାତ୍ର କଂଗ୍ରେସରେ କାଉନ୍ସିଲ ପ୍ରବେଶର ପ୍ରଶ୍ନ ଉଠିଲା ଦିନୁ ସେ ରାଜନୀତି କ୍ଷେତ୍ରରେ ପ୍ରବେଶ କରିବାକୁ ମନ ବଳାଇ ଅଛନ୍ତି । ଏହି ଉଦ୍ଦେଶ୍ୟରେ ସେ ଓଡ଼ିଶାକୁ ଆସିଛନ୍ତି । ଓଡ଼ିଶାରେ ସେ ଯେ କେତେ ଦିନ ରହିଲେ, ସେଥି ମଧ୍ୟରେ ସେ ଥରେ ସତ୍ୟବାଦୀର ଜାତୀୟ ବିଦ୍ୟାଳୟ ଦେଖିବାକୁ ଯାଇଥିଲେ । ସତ୍ୟବାଦୀ ଜାତୀୟ ବିଦ୍ୟାଳୟ ଅବସ୍ଥା ଅର୍ଥ ଅଭାବରୁ ଶୋଚନୀୟ ହୋଇ ପଡ଼ିଛି । ଭୁବନାନନ୍ଦ ବାବୁଙ୍କୁ ସତ୍ୟବାଦୀରେ ପାଇ ବମ୍ୱେଇରୁ କିଛି ଅର୍ଥ ସାହାଯ୍ୟ କରାଇ ଦେବା ପାଇଁ ସ୍କୁଲର ଶିକ୍ଷକ ବାବୁ କୃପାସିନ୍ଧୁ ମିଶ୍ର ଓ ଆଚାର୍ଯ୍ୟ ହରିହର ଦାସ ପ୍ରଭୃତି ତାହାଙ୍କୁ ଅନୁରୋଧ କଲେ-। ସେତେବେଳେ ଭୁବନାନନ୍ଦ ବାବୁ କହିଲେ, ‘‘ବମ୍ୱେଇରୁ ଟଙ୍କା ଆଣିବାକୁ ହେଲେ, ଗୋବିନ୍ଦଜୀ ଏଠାରେ ଥିବା ସ୍ଥଳେ ଆପଣମାନେ ମୋତେ କାହିଁକି ଅନୁରୋଧ କରୁଛନ୍ତି ।’’ ଭୁବନାନନ୍ଦ ବାବୁଙ୍କ ଠାରୁ ଏପରି ଇଙ୍ଗିତ ପାଇ ସେମାନେ ମୋତେ ଧରିଛନ୍ତି । ମୁଁ ଚେଷ୍ଟା କରିବି ବୋଲି ପ୍ରତିଶ୍ରୁତି ଦେଇଛି । ଏହି କାର୍ଯ୍ୟ ପାଇଁ ସତ୍ୟବାଦୀ କାର୍ଯ୍ୟନିର୍ବାହିକା ସମିତିର ମୋତେ ଜଣେ ସଭ୍ୟ ରୂପେ ଗ୍ରହଣ କରି ଚାନ୍ଦା ଆଦାୟ କରିବା ପାଇଁ କ୍ଷମତା ମଧ୍ୟ ଦିଆ ଯାଇଛି । ମୋର ବମ୍ୱେଇ ଯିବାର ଏହା ମଧ୍ୟ ଅନ୍ୟତମ କାରଣ ।

 

ସୁତରାଂ ବମ୍ୱେଇରେ ଉପସ୍ଥିତ ହୋଇ ପ୍ରଥମେ ସତ୍ୟବାଦୀ ସ୍କୁଲ ପାଇଁ କିଛି ଅର୍ଥ ସଂଗ୍ରହ କରିବାର ଯୋଗାଡ଼ କଲି । ମୋର ବନ୍ଧୁମାନେ ପରାମର୍ଶ ଦେଲେ ଯେ ବମ୍ବେଇ କଂଗ୍ରେସ କମିଟି ନିକଟରେ ବହୁତ ଟଙ୍କା ଗଚ୍ଛିତ ଅଛି । ୧୯୨୧ର ଅସହଯୋଗ ଆନ୍ଦୋଳନବେଳେ ତିଳକ ସ୍ୱରାଜ୍ୟ ପାଣ୍ଠି ପାଇଁ ବମ୍ବେଇର କଂଗ୍ରେସ କମିଟି ଷାଠିଏ ଲକ୍ଷ ଟଙ୍କା ଚାନ୍ଦା ଉଠାଇ ଅଛନ୍ତି । ସୁତରାଂ କଂଗ୍ରେସ କମିଟିକୁ ଧରିଲେ ଅକ୍ଳେଶରେ କିଛି ଟଙ୍କା ମିଳି ପାରିବ । ବମ୍ବେଇର କଂଗ୍ରେସ ଭିତରେ ଥିବା କେତେକ ବନ୍ଧୁଙ୍କ ସହିତ ପରାମର୍ଶ କଲି । ସେମାନଙ୍କ ପରାମର୍ଶ ଅନୁସାରେ ନିଖିଳ ଭାରତ କଂଗ୍ରେସ କମିଟିର କାର୍ଯ୍ୟକାରୀସମିତିର ସୁପାରିଶ ଆଣିବା ପାଇଁ ଚେଷ୍ଟା କଲି । ଶ୍ରୀଯୁକ୍ତ ରାଜଗୋପାଳଚାରିଆ ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଉକ୍ତ ସମିତିର ସଭ୍ୟ । ଏମାନଙ୍କ ସହିତ ମୋର ଘନିଷ୍ଠତା ରହିଛି । ଏହି ଦୁଇଜଣଙ୍କୁ ଧରିବାରୁ ସମିତିର ସୁପାରିଶରେ ବମ୍ବେଇ କଂଗ୍ରେସ କମିଟିରୁ ପାଞ୍ଚ ହଜାର ଟଙ୍କା ସତ୍ୟବାଦୀ ଜାତୀୟ ବିଦ୍ୟାଳୟ ପାଇଁ ସାହାଯ୍ୟ ମିଲିଲା । ଏହାପରେ କନିକା ସମସ୍ୟା । ଏଥିପାଇଁ ବମ୍ବେଇର ମାରବାଡ଼ି ବିଦ୍ୟାଳୟ ହଲରେ ଗୋଟିଏ ସାଧାରଣ ସଭା କରାଇଲି । ବମ୍ବେଇର ବିଖ୍ୟାତ ସମାଜ-ସଂସ୍କାରକ ଶ୍ରୀଯୁକ୍ତ ନ୍ୟାଟରଞ୍ଜନ ସଭାପତି ହେଲେ । ବମ୍ବେଇର ପ୍ରତ୍ୟେକ ପ୍ରସିଦ୍ଧ ସଂବାଦପତ୍ରର ପ୍ରତିନିଧିମାନଙ୍କୁ ସଭାରେ ଉପସ୍ଥିତ ହେବାପାଇଁ ଯୋଗାଡ଼ କରା ହେଲା । 'ଓଡ଼ିଶାର ଦୁଃଖ ଦୁର୍ଦ୍ଦଶା' (Sorrows and Suffering) ବିଷୟରେ ମୁଁ ଗୋଟିଏ ବକ୍ତୃତା ଦେଲି । ସେଥିରେ କନିକାରେ ଘଟିଥିବା ଜୁଲୁମର ବିଶଦ ବିବରଣୀ ବର୍ଣ୍ଣନା କରିଥିଲି । ମୋର ସେହି ବକ୍ତୃତାଟି ବମ୍ବେଇରେ ଇଂରେଜୀ, ଗୁଜୁରାତୀ, ମରହଟ୍ଟୀ ଆଦି ପ୍ରତ୍ୟେକ କାଗଜରେ ପ୍ରକାଶ ପାଇଲା । ବମ୍ବେଇ କାଗଜରୁ ଭାରତର ବିଭିନ୍ନ ପ୍ରଦେଶର କାଗଜମାନେ ସାରାଂଶ ପ୍ରକାଶ କଲେ । କନିକା ବିଷୟରେ ତଦନ୍ତ କରି ଗୋଟିଏ ରିପୋର୍ଟ ଛପାଇ ଦେଶରେ ପ୍ରଚାର କରିବା ପାଇଁ ମୋର କେତେକ ବନ୍ଧୁ ପରାମର୍ଶ ଦେଲେ । ଏହି କାର୍ଯ୍ୟ ପାଇଁ ଆବଶ୍ୟକ ଅର୍ଥ ଦରକାର ହେଲେ ସାହାଯ୍ୟ ମିଳିବାର ଯୋଗାଡ଼ କରି ମୁଁ ଓଡ଼ିଶାକୁ ଫେରିଲି । କନିକା ବିଷୟତଦନ୍ତ ହୋଇ କିପରି ଗୋଟିଏ ରିପୋର୍ଟ ଛପା ହେବ ବର୍ତ୍ତମାନ ମୋର ଏହି ଚିନ୍ତା ।

 

ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ କଂଗ୍ରେସର ବିଦ୍ରୋହାଚରଣ କରି ସ୍ୱରାଜ୍ୟଦଳ ଗଠନ କରୁଅଛନ୍ତି । ପଣ୍ଡିତ ମୋତିଲାଲ ତାହାଙ୍କର ସାଥି । ଏହି ଉଭୟ ଜନନାୟକକଂଗ୍ରେସର ନିର୍ଦ୍ଧାରଣ ସହିତ ସହଯୋଗ କରୁନାହାନ୍ତି । ଲାଲା ଲଜପତରାୟ ଲେଖୁଅଛନ୍ତି ଯେ, ଦାସ ଓ ନେହେରୁଙ୍କୁ ବାଦ ଦେଲେକଂଗ୍ରେସର କାର୍ଯ୍ୟକ୍ରମରେ କୌଣସି ମୂଲ୍ୟ ନାହିଁ । ଏହି ଦୁଇ ନେତାଙ୍କ ସହିତ କୌଣସି ପ୍ରକାର ଗୋଟାଏ ମିଳାମିଶା କରିବାପାଇଁ ଏହ୍ଲାବାଦଠାରେ ନିଖିଳ ଭାରତ କଂଗ୍ରେସ କମିଟିର ବୈଠକ ହୋଇ ଉଦ୍ୟମ କରାହୋଇଛି । କିନ୍ତୁ କୌଣସି ପ୍ରକାରେ ମିଳାମିଶା ହୋଇପାରୁ ନାହିଁ । ଦିନକୁ ଦିନ ସ୍ୱରାଜ୍ୟ ଦଳରେ ଭିନ୍ନ ଭିନ୍ନ ପ୍ରଦେଶରୁ ଭିନ୍ନ ଭିନ୍ନ ବିଶିଷ୍ଟଲୋକ ଯୋଗ ଦେଉଛନ୍ତି । ଦେଶରେ କଂଗ୍ରେସ କାର୍ଯ୍ୟ ଶିଥିଳ ହୋଇ ଯାଉଛି । ଏଥିପାଇଁ ପୁଣି ବମ୍ବେଇଠାରେ ନିଖିଳ ଭାରତ କଂଗ୍ରେସ କମିଟିର ବୈଠକ ହୋଇ କାଉନ୍‌ସିଲ୍ ପ୍ରବେଶ ପ୍ରଶ୍ନକୁ ଗ୍ରହଣ କରି କଂଗ୍ରେସର ମୂଳ ଅସହଯୋଗ ପ୍ରସ୍ତାବରେ ସଂଶୋଧନ କରାହୋଇଛି । ଏହି ସଂଶୋଧନ ପ୍ରସ୍ତାବ ଆଣି ମିଳାମିଶାର ସମାଧାନ ଯେଉଁମାନେ କରିଛନ୍ତି ସେମାନେ କାର୍ଯ୍ୟକାରୀ କମିଟିର ଭାର ଗ୍ରହଣ କରିଛନ୍ତି । ବମ୍ୱେଇରେ ଏହିପରି ଯେ Compromise resolution ହେଲା, ତାହାକୁ ଅଧିକାଂଶ ପ୍ରଦେଶର କଂଗ୍ରେସ କମିଟିମାନେ ଗ୍ରହଣ କରୁନାହାନ୍ତି । କଂଗ୍ରେସର ବାର୍ଷିକ ଅଧିବେଶନରେ ଯେଉଁ ନୀତି ଗୃହୀତ ହୋଇଛି, ତହିଁରେ ସଂଶୋଧନ ଅବା ପରିବର୍ତ୍ତନ କରିବାପାଇଁ ନିଖିଳ ଭାରତ କଂଗ୍ରେସ କମିଟିର ସୀମାବହିର୍ଭୂତ କାର୍ଯ୍ୟ ବୋଲି ଅନ୍ୟାନ୍ୟ କଂଗ୍ରେସ ନେତାମାନେ ମତାମତ ବ୍ୟକ୍ତ କରୁଅଛନ୍ତି । ଏହିପରି ଭାବରେ କଂଗ୍ରେସରେ ଦିନକୁ ଦିନ ମତାନ୍ତର ସୃଷ୍ଟି ହେଉଛି । କଂଗ୍ରେସର ଲକ୍ଷପ୍ରତି ଦୃଷ୍ଟି ରହୁ ନାହିଁ । ଏହି ପରିସ୍ଥିତି ଦେଖି ବେଳେ ବେଳେ ମନରେ ଭୟଙ୍କର ଦୁଃଖ ହେଉଛି । ବମ୍ୱେଇଠାରେ ନିଖିଳ ଭାରତ କଂଗ୍ରେସ କମିଟି କଂଗ୍ରେସର ମୂଳ ପ୍ରସ୍ତାବରେ ଯେଉଁ ସଂଶୋଧନ ପ୍ରସ୍ତାବ ଗ୍ରହଣ କଲେ ତାହା କରିବାକୁ ତାହାଙ୍କର ଅଧିକାର ନାହିଁ । ଏହି ବିଷୟ ବର୍ତ୍ତମାନ ପ୍ରାଦେଶିକ କଂଗ୍ରେସ କମିଟିମାନଙ୍କର ଆଲୋଚ୍ୟ ବିଷୟ । ଆମ୍ଭର ଉତ୍କଳ ପ୍ରାଦେଶିକ କଂଗ୍ରେସ କମିଟି ମଧ୍ୟ ଏହି ବିଷୟ ଆଲୋଚନା କରି ମତାମତ ବ୍ୟକ୍ତ କରିବାପାଇଁ ଏକ ବୈଠକ କରାଇଲେ । ବାଲେଶ୍ୱରରେ ଏହି ବୈଠକ ବସିଲା ।

 

ମୁଁ ବର୍ତ୍ତମାନ ବମ୍ୱେଇରେ । ସ୍ୱାସ୍ଥ୍ୟଲାଭ କରିବାପାଇଁ ଟିକିଏ ବିଶ୍ରାମ ନେଇଛି । ବାଲେଶ୍ୱରଠାରେ ପ୍ରାଦେଶିକ କଂଗ୍ରେସ କମିଟିର ବୈଠକ ବସିବାର ନୋଟିସ ପାଇଲି । ଆଲୋଚ୍ୟ ବିଷୟ ମଧ୍ୟ ତହିଁରୁ ବୁଝିଲି । ଏହି ନୋଟିସ ପାଇ ସ୍ୱାସ୍ଥ୍ୟଲାଭ ପାଇଁ ବମ୍ୱେଇରେ ଆଉ ରହିବି କ’ଣ-? କଂଗ୍ରେସର ନୀତି ଓ ନିର୍ଦ୍ଧାରଣ ଆମ୍ଭମାନଙ୍କ ଜୀବନର ମୂଳଭିତ୍ତି । ଏହାରି ଉପରେ ଆମ୍ଭମାନଙ୍କ ରାଜନୈତିକ ଜୀବନ ନିର୍ଭର କରୁଛି । ମନୁଷ୍ୟ ତାହାର ଜୀବନର ଏକ ଲକ୍ଷ୍ୟ ସ୍ଥିର କରେ । ସେହି ଲକ୍ଷ୍ୟ ସ୍ଥଳରେ ପହୁଞ୍ଚିବାପାଇଁ ଗୋଟିଏ ମାର୍ଗ ଅବଲମ୍ୱନ କରେ । ସେହି ମାର୍ଗକୁ ଅନୁସରଣ କରିବାପାଇଁ ପୁଣି କୌଶଳ ଅଛି । ବମ୍ୱେଇଠାରେ ନିଖିଳ ଭାରତ କଂଗ୍ରେସ କମିଟି ଯାହା ସ୍ଥିର କରିଛନ୍ତି, ତଦ୍ଦ୍ୱାରା ଆମ୍ଭର ମାର୍ଗରେ ବ୍ୟତିକ୍ରମ ଘଟୁଛି ଏବଂ କୌଶଳରେ ପରିବର୍ତ୍ତନ ଆଣୁଛି । ଏହିଠାରେ ରାଜନୈତିକ କ୍ଷେତ୍ରରେ ସଂଘର୍ଷଣ ଜାତ ହୁଏ । ଦେଶବନ୍ଧୁ ଦାସ ଓ ପଣ୍ଡିତ ମୋତିଲାଲ କଂଗ୍ରେସର ମାର୍ଗ ଓ କୌଶଳରେ ପରିବର୍ତ୍ତନ ଆନୟନ କରିବାକୁ ଯତ୍‌ପରୋନାସ୍ତି ଚେଷ୍ଟା କରୁଛନ୍ତି-। କଂଗ୍ରେସ ତାହାଙ୍କର କୌଶଳକୁ ଗ୍ରହଣ ନ କଲା ପର୍ଯ୍ୟନ୍ତ ଦେଶରେ ସେପରି ମହତ ବ୍ୟକ୍ତିମାନେ ମଧ୍ୟ କିଛି କାର୍ଯ୍ୟ କରିବାକୁ ଅନୁକୂଳ ପରିସ୍ଥିତି ପାଇ ପାରୁ ନାହାନ୍ତି । କଂଗ୍ରେସ ଉପରେ ସମସ୍ତ ନିର୍ଭର କରୁଛି । ସୁତରାଂ କଂଗ୍ରେସର ନୀତି ନେଇ ଏତେ ବାଦ ବିବାଦ ଓ ଟଣା ଓଟରା । ଦେଶବନ୍ଧୁ ଚିତ୍ତରଞ୍ଜନ ଓ ପଣ୍ଡିତ ମୋତିଲାଲଜୀ କହନ୍ତି, କାଉନ୍‌ସିଲ ପ୍ରବେଶ ପ୍ରସ୍ତାବଦ୍ୱାରା କଂଗ୍ରେସର ନୀତିରେ କୌଣସି ପରିବର୍ତ୍ତନ ଘଟୁ ନାହିଁ । କେବଳ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ ଘଟୁଛି । ସୁତରାଂ କଂଗ୍ରେସର ନୀତିକୁ ଯେ ଯେପରି ବୁଝୁଛନ୍ତି ସେ ସେପରି ଭାବରେ ମତାମତ ବ୍ୟକ୍ତ କରୁଅଛନ୍ତି । ସମସ୍ତେ କଂଗ୍ରେସ ଓ କଂଗ୍ରେସର ନୀତିକୁ ମୂଳ କରି ଧରିଛନ୍ତି । କାରଣ ରାଜନୈତିକ ଜୀବନ ଯାପନ କରିବାକୁ ହେଲେ କଂଗ୍ରେସ ଛଡ଼ା ଅନ୍ୟ ଗତି ନାହିଁ ।

Image

 

ଅଷ୍ଟମ ପରିଚ୍ଛେଦ

ଜାତୀୟ ପତାକା ସତ୍ୟାଗ୍ରହ

 

ଏଣେ ନାଗପୁରଠାରେ ଜାତୀୟ ପତାକାର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିବା ପାଇଁ ସତ୍ୟାଗ୍ରହ ଆରମ୍ଭ ହୋଇଛି । ନାଗପୁରର ପତାକା ସତ୍ୟାଗ୍ରହ ନିଖିଳ ଭାରତର ଗୋଟିଏ ରାଜନୈତିକ ପ୍ରଶ୍ନ ହୋଇଛି । ୧୯୨୧ ମସିହା ପର୍ଯ୍ୟନ୍ତ ଭାରତର କୌଣସି ଜାତୀୟ ପତାକା ନ ଥିଲା । ୧୯୨୧ ମସିହାର ଅସହଯୋଗ ଆନ୍ଦୋଳନ ବେଳେ ମହାତ୍ମା ଗାନ୍ଧି ଏହି ଜାତୀୟ ପତାକାର କଳ୍ପନା କରି ଏକ ସ୍ୱରୂପ ଦାନ କରିଛନ୍ତି । ସେହିଦିନୁ ତ୍ରିରଙ୍ଗଧାରୀ ପତାକା ବକ୍ଷରେ ଚରଖାର ପ୍ରତିମୂର୍ତ୍ତ ଧାରଣ କରି କଂଗ୍ରେସରେ ଜାତୀୟ ଜୀବନର ପ୍ରତୀକ ହେଉଛି । ଏହି ତିନି ରଙ୍ଗର ବ୍ୟାଖ୍ୟା ସେତେବେଳେ ଯାହା ଥିଲା ଏବେ ତାହା ବଦଳି ଯାଇଛି । ଏହାର ବିଶଦ ବିବରଣୀ ଏଠାରେ ଦେବାର କୌଣସି ଆବଶ୍ୟକତା ନାହିଁ । ଏହି ଜାତୀୟ ପତାକାକୁ ଗ୍ରହଣ କଲା ଦିନୁ ତହିଁର ଗୌରବ ବୃଦ୍ଧି କରିବା ପାଇଁ ଏପର୍ଯ୍ୟନ୍ତ ଆମ୍ଭେମାନେ କୌଣସି ତ୍ୟାଗ ସ୍ୱୀକାର କରି ନାହୁଁ । ପତାକା ନେଇ ସରକାରଙ୍କ ସହିତ ସଂଘର୍ଷଣ ଜାତ ହୋଇ ନାହିଁ । ହଠାତ୍ ନାଗପୁରଠାରେ ଏହି ପତାକା ସରକାରଙ୍କ ତୀବ୍ର ଦୃଷ୍ଟି ଆକର୍ଷଣ କରିଛି । ଏ ଜାତୀୟ ପତାକା ଧରି ଶୋଭାଯାତ୍ରା କରିବାକୁ ସରକାର ନିଷେଧ ଆଜ୍ଞା ଜାରୀ କରିଛନ୍ତି । ନାଗପୁରଠାରେ ଜାତୀୟ ପତାକା ହୋଇଛି ସରକାରଙ୍କର ବୈରୀ । ଭାରତ ବକ୍ଷରେ ଆମ୍ଭର ଜାତୀୟ ପତାକା ଅବାଧରେ ଉଡ଼ିବ କିମ୍ୱା ପତାକାକୁ ଚିରଦିନ ପାଇଁ ଅବନତ କରିବାକୁ ହେବ ଏଥିରୁ ଏପରି ପ୍ରଶ୍ନ ଉଠୁଛି । କଂଗ୍ରେସ ଯେଉଁ ସ୍ୱରାଜ୍ୟ ପାଇଁ ଲଢ଼ାଇ କରୁଛି ତହିଁର ପ୍ରତୀକ ହେଉଛି ଆମ୍ଭର ପତାକା । ଏହି ପତାକାକୁ ଭାରତର ପୁର ପଲ୍ଲୀରେ ଉଡ଼ାଇବାକୁ ହେବ । ପତାକାରେ ଆମ୍ଭେ ଆମ୍ଭ ଦେଶର ସ୍ୱାଧୀନତାର ନିଦର୍ଶନ ଦେଖିବାକୁ ପାଇବୁ-। ପତାକା ଯେତେଦିନ ଏ ଧରା ବକ୍ଷରେ ଉଡ଼ୁଥିବ, ସେତେଦିନ ପର୍ଯ୍ୟନ୍ତ ଆମ୍ଭର ଦେଶ ଓ ଜାତି ଜୀବିତ ଅଛି ବୋଲି ବୁଝିବାକୁ ହେବ । ଏହି ପତାକାକୁ ଅସ୍ୱୀକାର କରିବା ଅର୍ଥ ଆମ୍ଭର ଜନ୍ମଗତ ଅଧିକାରକୁ ଅସ୍ୱୀକାର କରିବା । ପତାକାର ଗୌରବ ଓ ସମ୍ମାନକୁ ରକ୍ଷା କରିବାକୁ ହେବ-। ଏଥିପାଇଁ ଆବଶ୍ୟକ ହେଲେ ପ୍ରାଣବଳି ଦେବାକୁ ହେବ । ଏହିପରି ଭାବ ସେତେବେଳେ ଅନେକଙ୍କ ହୃଦୟରେ ଜାଗି ଉଠୁଛି । ଭାରତର ବିଭିନ୍ନ ପ୍ରଦେଶରୁ ଦଳେ ଦଳେ ସ୍ୱେଚ୍ଛାସେବକ ପତାକା ସତ୍ୟାଗ୍ରହରେ ଯୋଗ ଦେବା ପାଇଁ ନାଗପୁର ଯାତ୍ରା କରୁଅଛନ୍ତି । ଗୁଜରାତ ପ୍ରଦେଶରୁ ଦଳ ଦଳ ସ୍ୱେଚ୍ଛାସେବକ ପତାକା ଧରି ପଦବ୍ରଜରେ ଯାତ୍ରା କରୁଛନ୍ତି । ଓଡ଼ିଶାରୁ ସମ୍ୱଲପୁରର ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର ଏଥିରେ ଯୋଗଦେଇ ଜେଲଗଲେଣି । ଓଡ଼ିଶା ପ୍ରାଦେଶିକ କଂଗ୍ରେସ କମିଟିରେ ବର୍ତ୍ତମାନ ଏହି ପ୍ରଶ୍ନ ମଧ୍ୟ ବିଚାରାଧୀନ ।

 

ବମ୍ବେଇରେ ଥାଇ ମୁଁ ନାଗପୁର ପତାକା ସତ୍ୟାଗ୍ରହରେ ଯୋଗ ଦେବା ପାଇଁ ଭାବୁଛି । ଯଦି ତାହା କରେ ତେବେ ବମ୍ବେଇଠାରୁ ନାଗପୁର ଯିବା ଅପେକ୍ଷା ଓଡ଼ିଶାରୁ ଅନ୍ୟ କେତେଜଣ କର୍ମୀଙ୍କ ସହିତ ପଦବ୍ରଜରେ ଆସିବା ଭାରି ଭଲ ହେବ । ଏହା ଭାବି ମୁଁ ବମ୍ବେଇରୁ ବାଲେଶ୍ୱର ଆସିଲି । ପ୍ରାଦେଶିକ କଂଗ୍ରେସ କମିଟିର ବୈଠକରେ ଯୋଗ ଦେବାପାଇଁ ବାବୁ ହରେକୃଷ୍ଣ ମହତାବ ଜେଲରୁ ଖଲାସ ହୋଇଛନ୍ତି । ବାଲେଶ୍ୱର ଜିଲାରେ ସେ ହେଉଛନ୍ତି କଂଗ୍ରେସ ପ୍ରାଣପ୍ରତିଷ୍ଠାତା । ବାଲେଶ୍ୱର କାହିଁକି, ଓଡ଼ିଶାରେ କଂଗ୍ରେସ ଅନୁଷ୍ଠାନ ଗଢ଼ିବାକୁ ଯେ କେତେ ଜଣ ପ୍ରଥମେ ଜୀବନ ଉତ୍ସର୍ଗ କରିବାକୁ ଦୃଢ଼ ପ୍ରତିଜ୍ଞାବଦ୍ଧ ହୋଇଥିଲେ, ସେମାନଙ୍କ ମଧ୍ୟରୁ ବାବୁ ହରେକୃଷ୍ଣ ମହତାବ ଜଣେ । ଓଡ଼ିଶାରେ ନୂଆ ହୋଇ କଂଗ୍ରେସ ଅନୁଷ୍ଠାନଗଢ଼ା ହୋଇଛି । କଂଗ୍ରେସର ଅସହଯୋଗ ଆନ୍ଦୋଳନରୁ ଓଡ଼ିଶାର କଂଗ୍ରେସ କର୍ମୀମାନଙ୍କର ରାଜନୈତିକ ଜୀବନ ଆରମ୍ଭ । ଅସହଯୋଗ ନୀତିକୁ କଂଗ୍ରେସ ପୂରା ମାତ୍ରାରେ ଗ୍ରହଣ କରିଛି । ଏପରି ଅବସ୍ଥାରେ ଓଡ଼ିଶା କଂଗ୍ରେସ କର୍ମୀମାନଙ୍କର ମନୋବୃତ୍ତି ଅସହଯୋଗର ମୂଳ ନୀତିରେ । ରାଜନୈତିକ ମତବାଦର ସଂଘର୍ଷଣରେ ଆମ୍ଭମାନଙ୍କର କୌଣସି ଅଭିଜ୍ଞତା ଜନ୍ମି ନାହିଁ । ବ୍ୟକ୍ତିତ୍ୱର ବିଶିଷ୍ଟତା ଆମ୍ଭମାନଙ୍କୁ ଯେତେ ଆକୃଷ୍ଟ କରୁଛିରାଜନୈତିକ ମତବାଦର ବିଶିଷ୍ଟତା ସେତେ ପ୍ରଭାବିତ କରି ପାରୁ ନାହିଁ । ଏଣୁ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ପ୍ରଚାରିତ ଅସହଯୋଗ ନୀତିରେ ପରିବର୍ତ୍ତନ ଆମ୍ଭମାନଙ୍କ ସେତେବେଳର ମନୋବୃତ୍ତିରେ କଳ୍ପନାତୀତ । ପ୍ରାଦେଶିକ କଂଗ୍ରେସ କମିଟିର ବୈଠକ ବସିଲା । କାଉନ୍‌ସିଲ ପ୍ରବେଶ ପ୍ରଶ୍ନର ଆଲୋଚନା ମଧ୍ୟ ପଡ଼ି ନାହିଁ । ବମ୍ବେଇ ସାଲିସ ପ୍ରସ୍ତାବକୁ ନାପସନ୍ଦ କରା ହେଲା । କଂଗ୍ରେସର ବାର୍ଷିକ ଅଧିବେଶନରେ ଯାହା ସ୍ଥିର ହୋଇଛି ତହିଁରେ ପରିବର୍ତ୍ତନ ଆନୟନ କରିବାର ଅଧିକାର ନିଖିଳ ଭାରତ କଂଗ୍ରେସ କମିଟିରନାହିଁ ବୋଲି ଉତ୍କଳ ପ୍ରାଦେଶିକ କଂଗ୍ରେସ କମିଟି ମତାମତ ବ୍ୟକ୍ତ କଲେ । ଓଡ଼ିଶାର ପ୍ରାଦେଶିକ କଂଗ୍ରେସ କମିଟି ନିଖିଳ ଭାରତ କଂଗ୍ରେସ କମିଟିର ବିଦ୍ରୋହ କଲା । ଏକୋଇଶଟି ପ୍ରାଦେଶିକ କଂଗ୍ରେସ କମିଟି ମଧ୍ୟରୁ ଅଧିକାଂଶ ବମ୍ବେଇ ପ୍ରସ୍ତାବର ବିରୁଦ୍ଧାଚରଣ କଲେ । ଏହିଠାରେ ମୁଁ ଉପଲବ୍ଧି କଲି ଯେ, ନିଖିଳ ଭାରତ କଂଗ୍ରେସ କମିଟି ସଭ୍ୟ ସଂଖ୍ୟାର ଅଧିକାଂଶ ଅସହଯୋଗ ମୂଳ ନୀତିର ସପକ୍ଷ ମତାବଲମ୍ବୀ ହେବା ଦରକାର । କଂଗ୍ରେସ କମିଟିର ଲାଗି ଲାଗି ତିନୋଟି ବୈଠକରେ ଯୋଗ ନ ଦେଲେ, ଯେ କୌଣସି ସଭ୍ୟଙ୍କର ନାମ କଟିଯାଏ । ସେ ପୁଣି ଆଉଥରେ ବଛା ହୋଇ ପାରନ୍ତି କିମ୍ବା ତାହାଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ବଛା ଯାଇ ପାରେ । ଏହି ନିୟମ ଅନୁସାରେ ଓଡ଼ିଶାର କେତୋଟି ସଭ୍ୟଙ୍କର ନାମ କଟି ଯାଇଥିବାରୁ ଜଣଙ୍କ ପରିବର୍ତ୍ତେ ମୁଁ ଏଥର ନିଖିଳ ଭାରତ କଂଗ୍ରେସ କମିଟିର ସଭ୍ୟରୂପେ ବଛା ହେଲି ।

 

ପ୍ରାଦେଶିକ କଂଗ୍ରେସ କମିଟିର ଏହି ବୈଠକରେ ଆଉ ଗୋଟିଏଘଟଣା ଘଟିଲା ଯାହାର ପରିଣାମ ଆମ୍ଭମାନଙ୍କ ଜୀବନକୁ ବିଶେଷ ଭାବରେ ପ୍ରଭାବିତ କରିଛି । ନିଖିଳ ଭାରତ କଂଗ୍ରେସ କମିଟି ଖଦଡ଼ କାର୍ଯ୍ୟପାଇଁ ପ୍ରାୟ ଷାଠିଏ ହଜାର ଟଙ୍କା ଉତ୍କଳ କଂଗ୍ରେସ କମିଟିକୁ ସାହାଯ୍ୟ କରିଥିଲେ । ଶ୍ରୀଯୁକ୍ତ ଗୋପବନ୍ଧୁ ଚୌଧୁରୀ ଏହାର ସମ୍ପୂର୍ଣ୍ଣ ଭାର ଗ୍ରହଣ କରି କାର୍ଯ୍ୟ ପରିଚାଳନା କରୁଥିଲେ । ସେ ଏହି ବାଲେଶ୍ୱରଠାରେ କାର୍ଯ୍ୟ ଚଳାଇ ପାରିବେ ନାହିଁ କହି ପ୍ରାଦେଶିକ କଂଗ୍ରେସ କମିଟି ନିକଟରେ ଇସ୍ତଫା ଦାଖଲ କଲେ ଏବଂ କମିଟି ମଧ୍ୟ ତାହା ଗ୍ରହଣ କଲା । ଟଙ୍କା ଆସି କିପରି ଖର୍ଚ୍ଚ ହୋଇଛି ତହିଁର ବିସ୍ତୃତ ବିବରଣୀ ସେ ଦାଖଲ କରି ନାହାନ୍ତି । ହିସାବପତ୍ର ପରୀକ୍ଷିତ ହୋଇ ନାହିଁ । ଶୁଣାଯାଉଛି ଯେ ଗୋପବନ୍ଧୁଙ୍କୁ ସରଳ ବିଶ୍ୱାସୀ ଦେଖି ଅନେକ କର୍ମୀ ତାହାଙ୍କୁ ଠକାଇ ନେଇଛନ୍ତି । ମହାବୀର ସିଂହ ନାମକ ଜଣେ ସମ୍ବଲପୁରବାସୀ ଛ ହଜାର ଟଙ୍କା ତୁଳା କିଣିବା ବାହାନାରେ ନେଇ ଯାଇଛନ୍ତି । ସେ କେତେ ଟଙ୍କାର ତୁଳା କିଣିଛନ୍ତି, କିପରି ତୁଳା, କେଉଁଠାରେ ରଖିଛନ୍ତି ଇତ୍ୟାଦି ବିଷୟ କିଛି ନ ଜାଣିନ ଶୁଣି ଗୋପବାବୁ ମହାବୀର ସିଂହଙ୍କୁ ଛ ହଜାର ଟଙ୍କା ଦେଇ ଅଛନ୍ତି । କଟକ ସହର ନିକଟ ପରମହଂସ ନାମକ ସ୍ଥାନର ଖଇରାତ୍ ଅଲି ନାମକ ଜନୈକ ମୁସଲମାନ କର୍ମୀ କେତେ ଟଙ୍କା କ’ଣ ଗୋଳମାଳ କରିଛି । ଏହିପରି ନାନା କଥା ଶୁଣାଯାଉଛି । ମୂଳଧନ ବର୍ତ୍ତମାନ କି ଆକାରରେ କିପରି ଅଛି ତହିଁର ଅଡିଟ୍ ନ ହୋଇ, ସ୍ଥୂଳଭାଗରେ ଗୋପବାବୁ ଇସ୍ତଫା ଦାଖଲ କଲେ । ଯେତେ ଟଙ୍କା ଆସିଥିଲା ସେ ସମସ୍ତ ଲୋକସାନ୍ ହୋଇଛି ବୋଲି କହିଲେ କଦାପି ଅତ୍ୟୁକ୍ତି ହେବ ନାହିଁ । ଏହି ଲୋକସାନ୍ ଓ କ୍ଷତି ପାଇଁ ନିଖିଳ ଭାରତ କଂଗ୍ରେସ କମିଟିର କର୍ତ୍ତାମାନେ ଉତ୍କଳ ପ୍ରତି ବଡ଼ ଅବହେଳା ଦେଖାଇଲେ । ଓଡ଼ିଶାକୁ ଅନ୍ୟାନ୍ୟ ପ୍ରଦେଶ ଆଗରେ ମୁଣ୍ଡ ନୁଆଁଇବାକୁ ପଡ଼ିଲା । ମହାତ୍ମା ଗାନ୍ଧି ମଧ୍ୟ ଏଥିପାଇଁ ଓଡ଼ିଶାର ସମସ୍ତ କଂଗ୍ରେସକର୍ମୀମାନଙ୍କ ପ୍ରତି ଅସନ୍ତୋଷ ଭାବ ପ୍ରକାଶ କରିଛନ୍ତି । କୌଣସି କାର୍ଯ୍ୟ ବ୍ୟବସାୟ ବୁଦ୍ଧିରେ ପରିଚାଳନା କରିବାର ଶକ୍ତି ଓଡ଼ିଆଙ୍କର ନାହିଁ ବୋଲି ଅନେକ ସମୟରେ ମହାତ୍ମା ଗାନ୍ଧି ମତାମତ ପ୍ରକାଶ କଲେ । ଏହି ଦୋଷ ଓ ତ୍ରୁଟି ପାଇଁ ପଣ୍ଡିତ ଗୋପବନ୍ଧୁ ଦାସ ମଧ୍ୟ ମହାତ୍ମାଜୀଙ୍କ ନିକଟରୁ ସମାଲୋଚନା ଶୁଣିଛନ୍ତି । ପଣ୍ଡିତ ଗୋପବନ୍ଧୁ ଦାସଙ୍କ କାର୍ଯ୍ୟକାରୀ ଶକ୍ତି ଉପରେ ମହାତ୍ମାଜୀଙ୍କର ଆସ୍ଥା ଉଠିଯାଇଥିଲା ପରି ଜଣାଯାଇଛି । ୧୯୨୫ ରେ ବାବୁ ନିରଞ୍ଜନ ପଟ୍ଟନାୟକ କଂଗ୍ରେସର କାର୍ଯ୍ୟକାରୀ କମିଟି ନିକଟକୁ ଉତ୍କଳରେ ଖଦଡ଼ କାର୍ଯ୍ୟ ସକାଶ କିଛି ସାହାଯ୍ୟ ପାଇଁ ଲେଖିଥିଲେ । ମହାତ୍ମାଜୀ ସେତେବେଳେ ଉତ୍କଳକୁ ସାହାଯ୍ୟ ଦେବାକୁ କେବଳ ଯେ ନା-ପସନ୍ଦ କରିଥିଲେ ତାହା ନୁହେ, ଏଥିପାଇଁ ମଧ୍ୟ ନିରଞ୍ଜନ ବାବୁଙ୍କୁ ଖଣ୍ଡିଏ କଡ଼ା ପତ୍ର ଲେଖିଥିଲେ । ସେ ଉକ୍ତ ପତ୍ରରେ ପଣ୍ଡିତ ଗୋପବନ୍ଧୁ ପ୍ରତି ଆକ୍ଷେପ କରି ଲେଖିଥିଲେ, “Take the case of Gopabandhu Babu. He is as pure as gold, but is hopelessly unbusiness like a man.” ଅର୍ଥାତ୍, ଗୋପବନ୍ଧୁ ବାବୁଙ୍କୁ ଦେଖ, ସେ ସୁବର୍ଣ୍ଣ ପରି ପବିତ୍ର, ମାତ୍ର ସେ ଏତେ ଅକାମୀ ଲୋକ ଯେ ତାହା କହିଲେ ସରିବ ନାହିଁ । ଏହିପରି ଭାବରେ ଅନେକ ସମୟରେ ମୁଁ ମଧ୍ୟ ଗାନ୍ଧିଙ୍କ ନିକଟରୁ ଭର୍ତ୍ସନା ଶୁଣିଛି । ମହାତ୍ମାଜୀ ଉତ୍କଳର ପ୍ରତ୍ୟେକ ମୁଖ୍ୟ କଂଗ୍ରେସ କର୍ମୀଙ୍କୁ ଏଥିପାଇଁ ଦାୟୀ କରିଛନ୍ତି । ଏହି ବିଷୟ ନେଇ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ମନରେ ମହାତ୍ମାଜୀଙ୍କ ପ୍ରତି ବିରକ୍ତିଭାବ ସ୍ଥାନ ପାଇଛି ।

 

କଂଗ୍ରେସ ହେଉଛି ଗୋଟିଏ ସମଷ୍ଟିଗତ ଅନୁଷ୍ଠାନ । ଏହି ଅନୁଷ୍ଠାନର ଜଣାଶୁଣାରେ ଭାରପ୍ରାପ୍ତ ହୋଇ କୌଣସି ଜଣେ କର୍ମୀ କାର୍ଯ୍ୟରେ ତ୍ରୁଟି କଲେ ସେଥିପାଇଁ ନିଶ୍ଚୟ ସମସ୍ତଙ୍କୁ ସେ ଦୋଷ ମୁଣ୍ଡାଇବାକୁ ପଡ଼ିବ । ଏହି ମର୍ମରେ ମହାତ୍ମା ଗାନ୍ଧି ପଣ୍ଡିତଗୋପବନ୍ଧୁଙ୍କୁ ଦୋଷ ଦେଇ ଅଛନ୍ତି ଏବଂ ଆମ୍ଭମାନଙ୍କୁ ମଧ୍ୟ ଦୋଷୀ କରିଛନ୍ତି । ଜଣଙ୍କର ଅବହେଳା ଓ ତ୍ରୁଟିପାଇଁ ଉତ୍କଳ କଂଗ୍ରେସକୁ ନିନ୍ଦା ଶୁଣିବାକୁ ପଡ଼ିଛି । ଉତ୍କଳ ପ୍ରାଦେଶିକ କଂଗ୍ରେସ କମିଟି ଶ୍ରୀଯୁକ୍ତ ଚୌଧୁରୀଙ୍କ ଉପରେ ଭାର ଦେଇଥିଲେ । କଂଗ୍ରେସ କମିଟିର ସଭ୍ୟମାନେ ସମସ୍ତେ ତାହାଙ୍କୁ ସାହାଯ୍ୟ କରିବା ଉଚିତ ଥିଲା । ସେ ଯେଉଁ କର୍ମୀମାନଙ୍କୁ ଏହି କାର୍ଯ୍ୟରେ ନିଯୁକ୍ତ କଲେ, ସେମାନେ କିପରି କାର୍ଯ୍ୟ କରୁଅଛନ୍ତି ଏବଂ ଶ୍ରୀଯୁକ୍ତ ଗୋପବନ୍ଧୁ ଚୌଧୁରୀ କିପରି ଭାବରେ କାର୍ଯ୍ୟ ସଂପାଦନ କରୁଛନ୍ତି, ସେଥିପ୍ରତି ଦୃଷ୍ଟି ନ ଦେବା ନିଶ୍ଚୟ କମିଟି ସଭ୍ୟମାନଙ୍କର ଦୋଷ । ତେବେ ଏତିକି ମୁଁ କହିପାରେ ଯେ, ଆମ୍ଭମାନଙ୍କ ମଧ୍ୟରୁ ଜଣାଶୁଣା ଯେ କେତେଜଣ ଥିଲେ, ଯେଉଁମାନେ ଉତ୍କଳର ପ୍ରତ୍ୟେକ ପ୍ରଶ୍ନ ପ୍ରତି ଦୃଷ୍ଟି ରଖି କାର୍ଯ୍ୟ କରିବାର ପରିକଳ୍ପନା କରନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଜେଲରେ-। ଆମ୍ଭେମାନେ ଜେଲରେ ଥିବା ସମୟରେ ଏହି ଟଙ୍କା ଆସିଥିଲା ଏବଂ ଜେଲରୁ ବାହାରିଲା ବେଳକୁ ଏହି ଟଙ୍କା ଶେଷ ପାଇଲାଣି । ମୋର ମନେ ହୁଏ, ଶ୍ରୀଯୁକ୍ତ ଗୋପବନ୍ଧୁ ଚୌଧୁରୀ ବୋଲି ତାହାଙ୍କ ଦୋଷ, ଅବହେଳା ଓ ତ୍ରୁଟିକୁ କେହି ଦେଖିଲେ ନାହିଁ । ତାହାଙ୍କ ସ୍ଥାନରେ ଅନ୍ୟ କେହି କାର୍ଯ୍ୟ କରୁଥିଲେ, ସେ ଚିରଦିନ ପାଇଁ ଦେଶର ସାଧାରଣ କର୍ମକ୍ଷେତ୍ରରୁ ବିଦାୟ ନେଇଥାନ୍ତେ । ପଣ୍ଡିତ ଗୋପବନ୍ଧୁ ଦାସ ମଧ୍ୟ ଏପରି ଏକ ଦୋଷରୁ ତ୍ରାହି ପାଇ ପାରି ଥାନ୍ତେ କି ନାହିଁ, ସେ ବିଷୟରେ ମୋର ସନ୍ଦେହ ଜାତ ହୁଏ । ଏହି ଘଟଣାଟି ମୋତେ ବିଶେଷଭାବରେ ବିଚଳିତ କରିଛି-। ଟଙ୍କା କ୍ଷତି ହେଲା, ସେଥିପାଇଁ ମୁଁ ବିଚଳିତ ହୋଇ ନାହିଁ । ଦେଶର କାର୍ଯ୍ୟରେ ଏହିପରି କେତେ କ୍ଷତି ଘଟିବ, କେତେ ଅମୂଲ୍ୟ ଜୀବନ ନଷ୍ଟ ହୋଇଯିବ । ଦେଶରେ ଜାତୀୟ ଭାବ ବିକଶିତ କରିବାପାଇଁ ଯାହା କିଛି ଉଦ୍ୟମ କରାହୋଇଅଛି, ହେଉଛି ଅବା ଭବିଷ୍ୟତ୍‌ରେ ହେବ, ସେ ସବୁ ହେଉଛି Experiment, ଅର୍ଥାତ୍ କର୍ମର ପରୀକ୍ଷା । ଏହି ମହାନ୍ ପରୀକ୍ଷାରେ ଦେଶର କେତେ ଅର୍ଥ ଲୋପ ପାଇଯିବ, କେତେ ଜୀବନ ବଳିଦାନ କରିବାକୁ ହେବ । ସେଥିପାଇଁ ଶୋଚନା କଲେ, ଦେଶ କଦାପି ମହାର୍ଘ ଅଭିଜ୍ଞତା (Rich experiment) ଲାଭ କରି ନ ପାରେ । ଶ୍ରୀଯୁକ୍ତ ଗୋପବନ୍ଧୁ ଚୌଧୁରୀ ଆମ୍ଭମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇ ନ ପାରିବା ଦୋଷରୁ ଉତ୍କଳ ଏପରି ଅପଯଶ ଶୁଣିଲା କିମ୍ବା ଏହା ତାହାଙ୍କର ବ୍ୟକ୍ତିଗତ ଅବହେଳା ହେତୁରୁ ଘଟିଲା, ତହିଁର କୌଣସି ସପ୍ରମାଣ ଅନୁସନ୍ଧାନ କରା ହେଲା ନାହିଁ । ଉତ୍କଳ କଂଗ୍ରେସ କମିଟି ସବୁ ଭୁଲିଗଲେ ଏହାହିଁ ଚିନ୍ତାର ବିଷୟ । ଏହି ବିଷୟଟି ଏବେ ମଧ୍ୟ ମୋତେ ବେଳେବେଳେ ବିଚଳିତ କରେ ।

 

ବାଲେଶ୍ୱର ପ୍ରାଦେଶିକ କଂଗ୍ରେସ କମିଟି ଶେଷରେ ମୁଁ କଟକ ହୋଇ ସତ୍ୟବାଦୀ ଗଲି-। ମୋର ଚେଷ୍ଟାରେ ସତ୍ୟବାଦୀ ସ୍କୁଲକୁପାଞ୍ଚ ହଜାର ଟଙ୍କା ସାହାଯ୍ୟ ମିଳିଛି । ବମ୍ବେଇରୁ ଫେରି ସତ୍ୟବାଦୀ ଯିବାର ମଧ୍ୟ କାରଣ ଅଛି । ବର୍ତ୍ତମାନ ଓଡ଼ିଶାର କୌଣସି ଗୋଟିଏ ସ୍ଥାନକୁ ମୁଁ ନିଜେ ରହିବାପାଇଁ ବାଛିବା ଦରକାର ପଡ଼ୁଛି । ଅସହଯୋଗ ଆନ୍ଦୋଳନ ବେଳେ ଏ ପ୍ରଶ୍ନ ମନକୁ ଛୁଇଁ ନାହିଁ । କିନ୍ତୁ ଆନ୍ଦୋଳନ ଦବି ଯାଇଛି, କର୍ମୀମାନେ ନିଜ ନିଜର ସୁବିଧା ଖୋଜିଲେଣି । ଏପରି ଅବସ୍ଥାରେ ଓଡ଼ିଶାରେ ରହିବାକୁ ହେଲେ ମୋତେ କେଉଁଠାରେ ରହି କାର୍ଯ୍ୟ କରିବାକୁ ପଡ଼ିବ ଏ ପ୍ରଶ୍ନ ସବୁବେଳେ ମନରେ ଉଠୁଛି । ଅସହଯୋଗ ଆନ୍ଦୋଳନ ପାଇଁ ସାବରମତି ଆଶ୍ରମ ଛାଡ଼ି ମୁଁ ଓଡ଼ିଶାକୁ ଆସିଛି । ଆନ୍ଦୋଳନ ଚଳିବାର ନ ହେଲେ ପୁଣି ଆଶ୍ରମକୁ ଫେରିଯିବା ଦରକାର । କିନ୍ତୁ ଓଡ଼ିଶା ଛାଡ଼ି ବାହାରେ ରହିବାକୁ ମୋର ମନ ବଳୁ ନାହିଁ । ଏଣିକି ଯାହା କିଛିଦେଶସେବା କରିବି, ତାହା ମୁଁ ଓଡ଼ିଶାରେ ରହି କରିବି ବୋଲି ନିଶ୍ଚୟ କରିଛି । ତେବେ ଓଡ଼ିଶାରେ ରହିବି କେଉଁଠାରେ ।

 

ସତ୍ୟବାଦୀ ଜାତୀୟ ବିଦ୍ୟାଳୟ ହେଉଛି ଓଡ଼ିଶାରେ ଏକମାତ୍ର ଜାତୀୟ ଅନୁଷ୍ଠାନ । ଏହାର ପ୍ରତିଷ୍ଠାତା ପଣ୍ଡିତ ଗୋପବନ୍ଧୁ ଦାସ ଜେଲରେ । ଜେଲରୁ ବାହାରିଲେ ସତ୍ୟବାଦୀର କର୍ମୀମାନଙ୍କୁ ମିଶାଇ ଗୋଟିଏ କିଛି ବିଶେଷ ଅନୁଷ୍ଠାନ ଗଢ଼ିବାର ସେ କଳ୍ପନା କରୁଥିବାର ଅନେକ ଅନୁମାନ କରୁଛନ୍ତି । ମୋ ମନରେ ମଧ୍ୟ ଏପରି କିଛି ଅନୁମାନ ଅଛି । ଏଣୁ ସତ୍ୟବାଦୀକୁ କେନ୍ଦ୍ର କରିବା ପାଇଁ ମୁଁ ବେଳେ ବେଳେ ଭାବୁଛି । ସତ୍ୟବାଦୀର ଶିକ୍ଷକମାନଙ୍କ ମଧ୍ୟରୁ କେହି କେହି ମଧ୍ୟ ମୋତେ ସେହି ପରାମର୍ଶ ଦେଉ ଅଛନ୍ତି ।

 

୧୯୨୧ ମସିହାରେ ମୁଁ ଓଡ଼ିଶାର କର୍ମକ୍ଷେତ୍ରକୁ ଫେରିଛି । ଓଡ଼ିଶାକୁ ଆସିଲା ପରେ ବହୁତ ଲୋକଙ୍କ ସହିତ ମୋର ଘନିଷ୍ଠ ବନ୍ଧୁଭାବ ସ୍ଥାପିତ ହୋଇଛି । ସୁଖ ଦୁଃଖ କଥା ପଡ଼ିଲା ବେଳେ ଅନେକ ମୋତେ ମୋର ପାରିବାରିକ ଜୀବନ କଥା ଜାଣିବା ପାଇଁ ବହୁତ କଥା ପଚାରନ୍ତି-। ଏହି କଥାଟି ମୋତେ ଭଲ ଲାଗେ ନାହିଁ । ମୋର ପାରିବାରିକ ଜୀବନ ଦୁଃଖପୂର୍ଣ୍ଣ ବୋଲି ଏକଥା ମୋତେ ଭଲ ଲାଗେ ନାହିଁ ତାହା ନୁହେଁ; ମୋ ମତରେ କୌଣସି କର୍ମୀର ପାରିବାରିକ କଥା ନେଇ କଥା ହେବାର କୌଣସି ମୂଲ୍ୟ ନାହିଁ । ଦେଶର କେତେ ବଡ଼ ବଡ଼ ପ୍ରଶ୍ନ ରହିଛି । ସେସବୁ ପ୍ରଶ୍ନରେ ମନ ନ ଦେଇ କର୍ମୀର ପାରିବାରିକ ବିଷୟ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିବା ଅନୁଚିତ । ତେଣୁ ଏପରି କଥା ମୋତେ ପ୍ରୀତିକର ବୋଧହୁଏ ନାହିଁ । ତଥାପି ବନ୍ଧୁମାନେ ମୋତେ ଏହି ପ୍ରଶ୍ନ ପଚାରନ୍ତି । ବିଶେଷରେ ମୁଁ ବିବାହିତ କି ଅବିବାହିତ ଏହି ବିଷୟ ଜାଣିବାକୁ ସମସ୍ତେ ବିଶେଷ ଭାବରେ ଇଚ୍ଛୁକ । ମୁଁ ବିବାହ କରିଛି ଏବଂ ମୋର ସ୍ତ୍ରୀ ମଧ୍ୟ ଅଛି, ଏହା ଯେଉଁମାନେ ଜାଣିଛନ୍ତି ସେମାନେ ମୋତେ ନାନାକଥା କହିଛନ୍ତି । ମୁଁ ମୋର କର୍ତ୍ତବ୍ୟରେ ତ୍ରୁଟି କରୁଛି ବୋଲି ଅନେକ ପରାମର୍ଶ ଦେଇଛନ୍ତି ଯେ, ମୁଁ ମୋ ସ୍ତ୍ରୀକୁ ଆଣି ପାଖରେ ରଖିବା ଦରକାର-। ମୁଁ ଯେପରି ଦେଶସେବା କରୁଛି, ତାହାକୁ ମଧ୍ୟ ସେହି ଦେଶ ସେବାରେ ଖଟାଇବା ଉଚିତ ।

 

ଏହିଠାରେ ମୁଁ ମୋର କର୍ତ୍ତବ୍ୟ ସ୍ଥିର କରି ପାରେନାହିଁ । ପରାଧୀନ ଦେଶରେ ଦେଶକୁ ସ୍ୱାଧୀନ କରିବା ବ୍ୟତୀତ ଅନ୍ୟ କିଛି କର୍ତ୍ତବ୍ୟ ଯୁବକର ନାହିଁ ବୋଲି ମୋର ବିଶ୍ୱାସ । ସ୍ୱାଧୀନତା ସଂଗ୍ରାମରେ ଜୀବନର ଗତି କେତେବେଳେ କେଉଁ ଆକାର ଧାରଣ କରିବ ତାହା କଳ୍ପନା କରିବା ମଧ୍ୟ ସହଜ ନୁହେ । ଏପରି ଅବସ୍ଥାରେ ଦେଶର ପ୍ରତ୍ୟେକ ଯୁବକ ଜୀବନକୁ ହାତ ମୁଠାରେ ଧରି ଦେଶକାର୍ଯ୍ୟ ପାଇଁ ସବୁବେଳେ ଜାଗତିୟାର ରହିଲା ପରି ରହିବାକୁ ପଡ଼ିବ । ଏ ଜୀବନ ବନ୍ଦୀଶାଳାରେ କିମ୍ବା ଫାଶିକାଠରେ ଯାଇ ପାରେ, ନତୁବା ପୋଲିସର ଲାଠି ପ୍ରହାରରେ କିମ୍ବା ସଶସ୍ତ୍ର ପୋଲିସର ବନ୍ଧୁକ ମୁହଁରେ ଜୀବନ କେତେବେଳେ ଯିବ ତାହା ମଧ୍ୟ କହି ହେବ ନାହିଁ । ଏହିପରି ଭାବରେ ଦେଶର ସ୍ୱାଧୀନତା ସଂଗ୍ରାମରେ ଜୀବନକୁ ବଳିଦାନ ଦେବାପାଇଁ ସବୁବେଳେ ପ୍ରସ୍ତୁତ ନ ରହିଲେ ପରାଧୀନ ଦେଶ ସ୍ୱାଧୀନ ହେବା ସହଜ ନୁହେଁ । ଏଠାରେ ପିତା ମାତାକିମ୍ବା ସ୍ତ୍ରୀ ସନ୍ତାନ ପ୍ରତି କର୍ତ୍ତବ୍ୟର ସ୍ଥାନ ନାହିଁ । ଦେଶରେ ଲକ୍ଷ ଲକ୍ଷ ପ୍ରଜା ଅନାହାର ଓ ଅତ୍ୟାଚାରରେ ସଡ଼ି ଯାଉଛନ୍ତି । ଦେଶର ସ୍ୱାଧୀନତା ଲୋପ ପାଇଛି । ଜନସାଧାରଣ ମ୍ରିୟମାଣ । ଏଥିରେ ପରାଧୀନ ଦେଶର ଯୁବକ ବିବାହିତ ଜୀବନ ଯାପନ କରିବାକୁ କଳ୍ପନା କରିବାର ସ୍ଥାନ ନାହିଁ । ଏହିପରି ଭାବ ବହୁଦିନୁ ମୋର ଜୀବନକୁ ପ୍ରଭାବିତ କରିଛି । ସୁତରାଂ ସସ୍ତ୍ରୀକ ଜୀବନ ଯାପନ କରିବାକୁ କେହି ମୋତେ ପରାମର୍ଶ ଦେଲେ, ସେ କଥା ମୋ ଦେହରେ କଣ୍ଟା ବିନ୍ଧିଲା ପରି ଲାଗେ ।

 

ପୁଣି ୧୯୦୬ ମସିହାରେ ମୋର ବିବାହ କ୍ରୀୟା ଶେଷ ପାଇଛି । ଦଶପଲ୍ଲା ମେଳି ସମୟରେ ମୁଁ ମେଳି କରାଇଥିବା ଅପରାଧରେ ଧରା ହୋଇ ପଳାଇ ଆସିଲାଦିନୁ ମୋର କୌଣସି ସମ୍ବାଦ ନ ପାଇ ମୋର ସ୍ତ୍ରୀର ମତି ବିଗିଡ଼ି ଯାଇଛି । ସେ ପାଗଳ ହୋଇଯାଇଛି । ଏ ସମ୍ବାଦ ମୁଁ ପାଇଛି । ତାହାର ପାଗଳ ସ୍ୱଭାବ ଦୂର କରିବାପାଇଁ କିଛି ପ୍ରତିକାର କରିବା, ଡାକ୍ତର କବିରାଜଙ୍କୁ ଦେଖାଇ ଚିକିତ୍ସା କରିବା ନିହାତି ଦରକାର କେବଳ ଏତିକି ମୋ ମନକୁ ପ୍ରବେଶ କରୁଛି । ଏଥିପାଇଁ ଗଡ଼ଜାତ ଭିତରୁ ତାହାକୁ ଥରେ ଆଣି ପାଖରେ ରଖିବାର ଆବଶ୍ୟକତା ଅନୁଭବ କରୁଛି-। ମୋର ବନ୍ଧୁମାନେ ମୋତେ ଏଥିପାଇଁ ପରାମର୍ଶ ଦେଉଛନ୍ତି । ବମ୍ବେଇରେ ମଧ୍ୟ ମୋର ବନ୍ଧୁମାନେ ମୋତେ ଏହି ପ୍ରଶ୍ନ ପଚାରି ଏହି ମର୍ମରେ ପରାମର୍ଶ ଦେଉଛନ୍ତି । ବମ୍ବେଇରେ ମୁଁଶେଠ ଶ୍ରୀକାନ୍ତଙ୍କ ଘରେ ରହେ । ତାହାଙ୍କୁ ମୁଁ ଧର୍ମଭାଇ ଭାବରେ ଗ୍ରହଣ କରିଛି । ସେ ଓ ତାଙ୍କର ସ୍ତ୍ରୀ ମଧ୍ୟ ମୋତେ ଏହି ପରାମର୍ଶ ଦେଇଛନ୍ତି । ଭାଇ ଶ୍ରୀକାନ୍ତ ମୋର ସମସ୍ତ ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ମୋର ବନ୍ଧୁ ବାବୁ ଭୁବନାନନ୍ଦ ଦାସ ବମ୍ବେଇଠାରେ ମଧ୍ୟ ମୋତେ ଏଥିପାଇଁ ବାଧ୍ୟ କରିଛନ୍ତି । ମୁଁ ଯଦି ମୋର ସ୍ତ୍ରୀକୁ କଟକ ଆଣି କୌଣସି ଚିକିତ୍ସା କରେ ତେବେ ଖର୍ଚ୍ଚ ପାଇଁ ଦୁଇଶହ ଟଙ୍କା ସାହାଯ୍ୟ କରିବେ ବୋଲି ମଧ୍ୟ କହିଛନ୍ତି । ଏହିସବୁ କଥା ଶୁଣି ମୁଁ ବମ୍ବେଇରୁ ଫେରିଛି । ଏଥିପାଇଁ କେଉଁଠାରେ ରହିବି ସେକଥା ଭାବୁଛି । କିନ୍ତୁ ନାଗପୁର ପତାକା ସତ୍ୟାଗ୍ରହ ଶେଷ ନ ହେବା ପର୍ଯ୍ୟନ୍ତ ଏ ପ୍ରଶ୍ନ ମୋତେ ପ୍ରଭାବିତ କରିପାରୁନାହିଁ । ପତାକା ସତ୍ୟାଗ୍ରହରେ ଯୋଗ ଦେବାପାଇଁ ମୁଁ ସ୍ଥିର କରିସାରିଛି ।

 

ନିଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଧାରଣ ବିରୁଦ୍ଧରେ ଅଧିକାଂଶ ପ୍ରଦେଶ ବିଦ୍ରୋହାଚରଣ କଲେ । ଦେଶରେ ରାଜନୈତିକ ପରିସ୍ଥିତି ବିକଟ ଆକାର ଧାରଣ କଲା । ନାଗପୁର ପତାକା ସତ୍ୟାଗ୍ରହ ମଧ୍ୟ ଦିନକୁ ଦିନ ଗୁରୁତର ହୋଇ ଉଠିଲା । ଶେଠ ଯମୁନାଲାଲ ବେଜାଜ ଏହି ସତ୍ୟାଗ୍ରହରେ ଯୋଗ ଦେଇ ଜେଲ ଗଲେ । ଏପରି ଅବସ୍ଥାରେ ପୁଣି ଥରେ ନିଖିଳ ଭାରତ କଂଗ୍ରେସ କମିଟିର ବୈଠକ ଡକରା ହେଲା । ଏଥର ନାଗପୁରରେ ଏହି ବୈଠକ ବସିଲା । ନାଗପୁର ବୈଠକରେ ଯୋଗ ଦେବାପାଇଁ ମୁଁ ବାହାରିଲି । ମୋର ଇଚ୍ଛା, ଏଥର ମୁଁ ପତାକା ସତ୍ୟାଗ୍ରହରେ ଯୋଗ ଦେବି । ନାଗପୁରଠାରେ ଅସହଯୋଗ ଆନ୍ଦୋଳନର ମୂଳ ନୀତିରେ ପରିବର୍ତ୍ତନବାଦୀ ଓ ଅପରିବର୍ତ୍ତନବାଦୀଙ୍କ ମଧ୍ୟରେ ବହୁତ ବାତ ବିତଣ୍ଡା ହୋଇ କଂଗ୍ରେସର ଗୋଟିଏ ବିଶେଷ ଅଧିବେଶନ ବସାଇବାର ସ୍ଥିର ହେଲା । କାଉନ୍‌ସିଲ୍ ପ୍ରବେଶ କରିବା ପଥ ସରଳ ଓ ସହଜ କରିବାପାଇଁ ସ୍ୱରାଜ୍ୟ ଦଳ ଗଠିତ ହୋଇଛି । କଂଗ୍ରେସବାଲା କେହି ଇଚ୍ଛା କଲେ କାଉନ୍‌ସିଲ୍ ପ୍ରବେଶ କରିପାରନ୍ତି । କାଉନ୍‌ସିଲରେ ପ୍ରବେଶ କରିବାଦ୍ୱାରା କଂଗ୍ରେସର ବିରୁଦ୍ଧାଚରଣ ହେବ ନାହିଁ କେବଳ ଏତିକି କଂଗ୍ରେସ ଘୋଷଣା କରୁ ବୋଲି ସ୍ୱରାଜ୍ୟ ଦଳ ଦାବୀ କରନ୍ତି । ପତାକା ସତ୍ୟାଗ୍ରହ ବିଷୟ ଆଲୋଚନା ପଡ଼ିଲାବେଳେ ଶ୍ରୀଯୁକ୍ତ ଦେଶବନ୍ଧୁ କହିଲେ, I want this much concession, allow me this little prevelege. I will then throw my heart and soul to the flag movement. କିନ୍ତୁ ନିଖିଳ ଭାରତ କଂଗ୍ରେସ କମିଟିର ଏହି ଅଧିକାର ନାହିଁ । କଂଗ୍ରେସର ବାର୍ଷିକ କିମ୍ବା ବିଶେଷ ଅଧିବେଶନରେ ଏହି କଥା ବିଚାର କରାଯାଇ ପାରେ । ତେଣୁ କଂଗ୍ରେସର ବିଶେଷ ଅଧିବେଶନ ବସିବାର ସ୍ଥିର ହେଉଛି ।

 

ଶ୍ରୀଯୁକ୍ତ ବଲ୍ଲଭ ଭାଇ ପଟେଲ ଓ ବିଠଲ ଭାଇ ପଟେଲ ଦୁଇ ଭାଇ । ଦୁହିଁଙ୍କ ଭିତରେ ରାଜନୈତିକ ମତବାଦ ରହିଛି । ବଲ୍ଲଭ ଭାଇ ପଟେଲ ଅପରିବର୍ତ୍ତନବାଦୀ ଏବଂ ବିଠଲ ଭାଇ ପଟେଲ ପରିବର୍ତ୍ତନବାଦୀ । କିନ୍ତୁ ନାଗପୁର ପତାକା ସତ୍ୟାଗ୍ରହରେ ଏହି ଦୁଇ ଭାଇ ମିଳିମିଶି କାର୍ଯ୍ୟ କରିଅଛନ୍ତି । ନାଗପୁରଠାରେ ନିଖିଳ ଭାରତ କଂଗ୍ରେସ କମିଟି ବୈଠକ ଶେଷ ହେଲା । ଏହି ଦୁଇଭାଇ ମିଶି ସରକାରଙ୍କ ସହିତ ଏକ ସମାଧାନ ପ୍ରସ୍ତାବ ଆଣିଲେ । ଯେଉଁ ରାସ୍ତାରେ ଜାତୀୟ ପତାକା ଉଡ଼ାଇ ଯିବାକୁ ସରକାର ନିଷେଧାଜ୍ଞା ଜାରୀ କରିବାରୁ ସତ୍ୟାଗ୍ରହ ଆରମ୍ଭ ହୋଇଛି, ହଜାର ହଜାର ସତ୍ୟାଗ୍ରହୀ ଜେଲ ଭୋଗୁଛନ୍ତି, ସେହି ରାସ୍ତାରେ ଜାତୀୟ ପତାକା ଉଡ଼ାଇ ଶୋଭାଯାତ୍ରା କରିବା ପାଇଁ ସରକାର ଅନୁମତି ଦେବେ । ଥରେ ମାତ୍ର କଂଗ୍ରେସର କର୍ମୀଗଣ ଜାତୀୟ ପତାକା ନେଇ ଶୋଭାଯାତ୍ରା କରିବେ । ଆଉ ସେହି ବାଟରେ ସରକାରଙ୍କ ବିନାନୁମତିରେ ଜାତୀୟ ପତାକା ଉଡ଼ାଇ ଶୋଭାଯାତ୍ରା କରିବେ ନାହିଁ । ସରକାର ଏତିକ ସ୍ୱୀକାର କରିନେଲେ ସତ୍ୟାଗ୍ରହ ଲଢ଼ାଇ କଂଗ୍ରେସ ଉଠାଇ ନେବ । ସରକାର ପତାକା ସତ୍ୟାଗ୍ରହରେ ବନ୍ଦୀ ହୋଇଥିବା ସମସ୍ତ କଏଦୀଙ୍କୁ ଛାଡ଼ିଦେବେ । ଏହିପରି ମର୍ମରେ ଚୁକ୍ତି ହେଲା । ସରକାର ତାହା ମଧ୍ୟ ସ୍ୱୀକାର କଲେ । ନାଗପୁର ପତାକା ସତ୍ୟାଗ୍ରହର ଏହିଠାରେ ପୂର୍ଣ୍ଣାହୁତି ହେଲା । ବନ୍ଦୀମାନେ ଜେଲରୁ ମୁକ୍ତି ପାଇଲେ । ଜାତୀୟ ପତାକାର ସମ୍ମାନ ଅକ୍ଷୁର୍ଣ୍ଣ ରହିଲା । ଯେଉଁ ଜାତୀୟ ପତାକା ସରକାରଙ୍କ ଦୃଷ୍ଟିରେ ବିଦ୍ରୋହର ଚିହ୍ନ ସ୍ୱରୂପ ଦେଖା ଯାଉଥିଲା, ତାହାକୁ ସରକାର ସ୍ଥୂଳତଃ ସ୍ୱୀକାର କଲେ । ସରକାର ଆମ ପତାକାକୁ ସ୍ୱୀକାର କଲେ କେବଳ ତାହା ନୁହେଁ, ତାହାଙ୍କ ବିରୁଦ୍ଧରେ କଂଗ୍ରେସ ଯେଉଁ ଶାନ୍ତିପୂର୍ଣ୍ଣ ବିଦ୍ରୋହ ସୃଷ୍ଟି କରୁଛି ତାହାକୁ ମଧ୍ୟ ସ୍ୱୀକାର କଲେ ବୋଲି ବୁଝିବାକୁ ହେବ । ପତାକା ହେଉଛି ଲଢ଼ାଇର ଚିହ୍ନ । ଶତ୍ରୁ ପତାକାକୁ ସ୍ୱୀକାର ନ କରିବା ପର୍ଯ୍ୟନ୍ତ ପତାକାର କୌଣସି ମହତ୍ତ୍ୱ ନାହିଁ । ପ୍ରତ୍ୟେକ ଦେଶ ତଥା ଜାତିର ପତାକା ଅଛି । ପତାକା ହେଉଛି ଜାତୀୟ ଜୀବନର ଆଧାର । ପତାକା ନ ରହିଲେ ଦେଶ ତଥା ଜାତି ଜୀବିତ ରହି ନ ପାରେ । କୌଣସି ଦେଶ ତଥା ଜାତିର ବିଶିଷ୍ଟତାକୁ ସ୍ୱୀକାର କରି ତାହାପ୍ରତି ଭକ୍ତି ସମ୍ମାନ ଦେଖାଇବାକୁ ହେଲେ ସେହି ଦେଶ ତଥା ଜାତିର ପତାକାକୁ ଅବମାନନା କଲେ ଲଢ଼ାଇ ଆରମ୍ଭ ହୋଇଯାଏ । ପତାକା ପ୍ରତି ଯଥୋପଯୁକ୍ତ ସମ୍ମାନ ଦେଖାଇ ତାହାକୁ ସ୍ୱୀକାର କଲେ ଲଢ଼ାଇ ନିବୃତ୍ତ ହୁଏ । ନାଗପୁରଠାରେ ଯାହା ହେଲା ତାହା ଏହି ସତ୍ୟର ଆଭାସ ମାତ୍ର । ମୁଁ ଅନ୍ତତଃ ଏହାକୁ ଏପରି ଭାବରେ ବୁଝିଲି । ଦେଶର ସ୍ୱାଧୀନତା ପାଇଁ ସରକାରଙ୍କ ବିରୁଦ୍ଧରେ ଲଢ଼ାଇ କରିବାକୁ ନୂତନ ଶକ୍ତି ଆମ୍ଭେମାନେ ଏହିଠାରେ ଲାଭ କଲୁଁ ବୋଲି ମୁଁ କହି ପାରେ ।

 

ସେ ଯାହା ହେଉ ନାଗପୁରରୁ ମୁଁ କଟକ ଫେରିଲି । ମୋର ସ୍ତ୍ରୀକୁ ଅଣାଇ ଚିକିତ୍ସା କରାଇବାକୁ ହେଲେ କଟକ ସବୁ ବିଷୟରେ ସୁବିଧାଜନକ ବୋଧ ହେଲା । କଟକ ଡଗରପଡ଼ାରେ ମାସକୁ ଚାରିଟଙ୍କାରେ ଖଣ୍ଡିଏ ଘର ଭଡ଼ାନେଲି । ଦଶପଲ୍ଲାରୁ ମୋର ସ୍ତ୍ରୀକୁ ଅଣାଇ ସେଠାରେ ରହିଲି । ପଣ୍ଡିତ ଗୋପବନ୍ଧୁ ଜେଲରୁ ବାହାରିଲେ ତାଙ୍କର ସହିତ ପରାମର୍ଶ କରି ଭବିଷ୍ୟତ୍ କର୍ମପନ୍ଥା ବାଛିବାର ସ୍ଥିର କଲି । ବମ୍ବେଇରୁ ଶେଠ ଶ୍ରୀକାନ୍ତ ମୋର ଖର୍ଚ୍ଚପାଇଁ ମାସକୁ ପଚାଶଟଙ୍କା କରି ସାହାଯ୍ୟ କଲେ । ବମ୍ବେଇର କେତେକ ବନ୍ଧୁ ମିଶି ମୋତେ ଏକହଜାର ଟଙ୍କା, ଗୋଟିଏ ଘଡ଼ି ଓ ଗୋଟିଏ ଫାଉଣ୍ଟେନପେନ୍ ଉପହାର ଦେଇଥାନ୍ତି । ଏହି ଟଙ୍କା ମୋର ବ୍ୟକ୍ତିଗତ ଖର୍ଚ୍ଚପାଇଁ ମୋତେ ଭେଟି ମିଳିଥାଏ । ସୁତରାଂ ଅର୍ଥପାଇଁ ମୋତେ ଚିନ୍ତା କରିବାକୁ ପଡ଼ି ନାହିଁ । ମୋର ସ୍ତ୍ରୀକୁ ଭଲ କରାଇ ଦେଶ କାର୍ଯ୍ୟରେ ଲଗାଇବା ମୋର ବର୍ତ୍ତମାନ ଏକମାତ୍ର ଚିନ୍ତା ।

 

ଦିଲ୍ଲୀରେ କଂଗ୍ରେସର ବିଶେଷ ଅଧିବେଶନର ବୈଠକ ବସିଲା । ଅଲିଭାଇ ଦୁହେଁ ଜେଲରୁ ଖଲାସ ହୋଇ ଏହି ଦିଲ୍ଲୀ ବୈଠକରେ ଯୋଗ ଦେଲେ । ମହାତ୍ମା ଗାନ୍ଧି ଏହି ଅଲିଭାଇ ଦୁହିଁଙ୍କୁ ସାଥିକରି ପ୍ରଥମରୁ ଅସହଯୋଗ କଳ୍ପନା କରିଥିଲେ । ବର୍ତ୍ତମାନ ଏହି ଦୁଇ ଭାଇ ଉପସ୍ଥିତ । ଦିଲ୍ଲୀ ବୈଠକରେ କାଉନ୍‌ସିଲ ପ୍ରବେଶର ପ୍ରଶ୍ନ ବିଚାର ପଡ଼ିଲା ବେଳେ ଏହାର ସମାଧାନ କିପରି ହେବ ତହିଁର ଦାୟିତ୍ୱ ଅଲିଭାଇ ଦୁହିଙ୍କ ଉପରେ ଛାଡ଼ିଦେଇ ଶ୍ରୀଯୁକ୍ତ ରାଜଗୋପାଳାଚାରୀ କରଛଡ଼ା ଦେଲେ । ଗୟା କଂଗ୍ରେସଠାରୁ ଏ ପର୍ଯ୍ୟନ୍ତ ଶ୍ରୀଯୁକ୍ତ ରାଜଗୋପାଳାଚାରୀ ଗାନ୍ଧିନୀତି ପରିଚାଳନାର ଦାୟିତ୍ୱ ମୁଣ୍ଡାଇ ଥିଲେ । ଶ୍ରୀଯୁକ୍ତ ଦାସ ଓ ପଣ୍ଡିତ ନେହେରୁଙ୍କ ସହିତ କାଉନ୍‌ସିଲ ପ୍ରବେଶ ବିରୁଦ୍ଧରେ ଏ ପର୍ଯ୍ୟନ୍ତ ଶ୍ରୀଯୁକ୍ତ ରାଜଗୋପାଳାଚାରୀ ପ୍ରତିବାଦ କରି ଆସିଛନ୍ତି । ଗୋଡ଼ା ଅସହଯୋଗବାଦୀମାନଙ୍କର ସେ ହୋଇଛନ୍ତି ଅଗ୍ରଗାମୀ ନେତା । ମହାତ୍ମା ଗାନ୍ଧିଙ୍କ ଅନୁପସ୍ଥିତିରେ ଅସହଯୋଗ ନୀତିକୁ ତାଙ୍କପରି ଅନ୍ୟ କେହି ବୁଝି ପରିଚାଳନା କରିବାକୁ ଅଧିକ ସମର୍ଥ ଥିଲାପରି ଦେଖା ଯାଉ ନ ଥିଲେ । ତାହାଙ୍କର କଥାବାର୍ତ୍ତା ଓ ରୂପରେଖ ଦେଖିଲେ ଅବିକଳ ଗାନ୍ଧିଙ୍କ ପରି ବୋଧ ହୁଏ । କଂଗ୍ରେସର ରାଜନୈତିକ ମତବାଦରେ ତାହାଙ୍କର ବୁଦ୍ଧି ସବୁବେଳେ ତୀକ୍ଷ୍‌ଣ । ବିରୁଦ୍ଧବାଦକୁ ଖଣ୍ଡନ କରିବାରେ ତାହାଙ୍କର ଭାଷା ସବୁବେଳେ ବଡ଼ ପ୍ରାଞ୍ଜଳ, ସହଜ ଓ ସରଳ; ଏବଂ ତାହାଙ୍କର ଯୁକ୍ତି ଅକାଟ୍ୟ । ଏହିସବୁ କାରଣରୁ ଶ୍ରୀଯୁକ୍ତ ଦେଶବନ୍ଧୁ ଦାସ ଓ ପଣ୍ତିତ ନେହେରୁଙ୍କ ସଦୃଶ ମହାନ୍ ବ୍ୟକ୍ତିମାନେ କଂଗ୍ରେସ ମୂଳ ନୀତିରେ ଅତି ସାମାନ୍ୟ ମାତ୍ର ପରିବର୍ତ୍ତନ ଆନୟନ କରିବାର ଚେଷ୍ଟାରେ ଯଶସ୍ୱୀ ହୋଇ ପାରି ନାହାନ୍ତି ବୋଲି କୁହାଯାଇ ପାରେ । ଶ୍ରୀଯୁକ୍ତ ରାଜଗୋପାଳାଚାରୀଙ୍କ କଥା ଓ ଯୁକ୍ତି ଆମ୍ଭମାନଙ୍କୁ ଯେପରି ପ୍ରଭାବିତ କରେ, ଅନ୍ୟ କାହାରି କଥା ସେତେ ପ୍ରଭାବିତ କରି ପାରେ ନାହିଁ । ସୁତରାଂ ରାଜଗୋପାଳାଚାରୀଙ୍କୁ ଗୋଡ଼ା ଅସହଯୋଗୀମାନେ ପରିଚାଳକ ରୂପେ ଦେଖୁଛନ୍ତି । କିନ୍ତୁ ଶ୍ରୀଯୁକ୍ତ ଦାସ ଓ ପଣ୍ଡିତ ନେହେରୁଙ୍କ ସଦୃଶ ବ୍ୟକ୍ତିମାନଙ୍କ ମତ ବିପକ୍ଷରେଅନ୍ତରାଳ ହୋଇ ଠିଆ ହେବା କଦାପି ପ୍ରୀତିକର ନୁହେଁ । ଶ୍ରୀଯୁକ୍ତ ରାଜଗୋପାଳାଚାରୀ ନିଜ ଇଚ୍ଛା ବିରୁଦ୍ଧରେ ଏହି ଅପ୍ରୀତିକର କାର୍ଯ୍ୟର ଦାୟିତ୍ୱ ମୁଣ୍ଡାଇବାକୁ ବାଧ୍ୟ ହୋଇଥିଲେ । ଘଟଣାଚକ୍ର ତାହାଙ୍କୁ ସେହି ଅବସ୍ଥାକୁ ଟାଣି ନେଇଥିଲା । କିନ୍ତୁ ଅଲିଭାଇ ଦୁହେଁ ଜେଲରୁ ଖଲାସ ହେବା ପରେ, ଏହି ଦାୟିତ୍ୱ ସେ ଆଉ ଗ୍ରହଣ କଲେ ନାହିଁ । ଦିଲ୍ଲୀର ବିଶେଷ ଅଧିବେଶନରେ ମୌଲାନା ମହମ୍ମଦ ଆଲି ଘୋଷଣା କଲେ ଯେ, ମହାତ୍ମା ଗାନ୍ଧି କାଉନ୍‌ସିଲ ପ୍ରବେଶ କରିବାକୁ ନିଶ୍ଚୟ ଅନୁମତି ଦେଇଥାନ୍ତେ । ମହାତ୍ମା ଗାନ୍ଧିଙ୍କ କଥା ସେ ଯେତେଦୂର ଜାଣନ୍ତି, ତହିଁରେ ସେ କହିପାରନ୍ତି ଯେ ଦେଶର ବର୍ତ୍ତମାନ ପରିସ୍ଥିତିରେ କାଉନ୍‌ସିଲ ପ୍ରବେଶ କରିବାକୁ ଇଚ୍ଛା କରୁଥିବା କଂଗ୍ରେସବାଲାଙ୍କୁ ସେ ନିଶ୍ଚୟ ଅନୁମତି ଦେଇଥାନ୍ତେ । ଏହି ମର୍ମରେ ସେ ଗୋଟିଏ ବାର୍ତ୍ତା ମହାତ୍ମାଜୀଙ୍କ ନିକଟରୁ ପାଇଛନ୍ତି । ଗୋଟିଏ ଉଡ଼ିଗଲା ଚଢ଼େଇ ତାହାଙ୍କୁ ଏହି ବାର୍ତ୍ତା ଦେଇଛି । ଏହିପରି ମର୍ମରେ ମୌଲାନା ମହମ୍ମଦ ଆଲି କଂଗ୍ରେସରେ ଏକ ଅଭିଭାଷଣ ଦେଲେ । ଦିଲ୍ଲୀରେ କାଉନ୍‌ସିଲ ପ୍ରବେଶ କରିବାକୁ କଂଗ୍ରେସ ଅନୁମତି ଦେଲେ । ଅସହଯୋଗ ନୀତି କଂଗ୍ରେସ ତ୍ୟାଗ ନ କଲେ ମଧ୍ୟ କାଉନ୍‌ସିଲ ପ୍ରବେଶ ବିରୁଦ୍ଧରେ ପ୍ରଚାର କାର୍ଯ୍ୟ ସ୍ଥଗିତ ରଖିବାକୁ ନିର୍ଦ୍ଧାରିତ ହେଲା । ଯେଉଁ କଂଗ୍ରେସବାଲାମାନେ କାଉନ୍‌ସିଲ ପ୍ରବେଶ କରିବାକୁ କୌଣସି ବିବେକ କିମ୍ୱା ଧର୍ମବିରୁଦ୍ଧ କାର୍ଯ୍ୟହେଲା ବୋଲି ଭାବନ୍ତି ନାହିଁ, ସେମାନେ ଇଚ୍ଛା କଲେ କାଉନ୍‌ସିଲ ପ୍ରବେଶ କରିପାରିବେ । କାଉନ୍‌ସିଲ ପ୍ରବେଶ ବିରୁଦ୍ଧରେ କଂଗ୍ରେସ ପ୍ରଚାର କାର୍ଯ୍ୟ ବନ୍ଦ କରିବ । ଏହି ମର୍ମରେ ଦିଲ୍ଲୀଠାରେ କଂଗ୍ରେସର ନିର୍ଦ୍ଧାରଣ ହେଲା । ଦିଲ୍ଲୀରୁ ମୁଁ ଓଡ଼ିଶାକୁ ଫେରିଲି-। କଂଗ୍ରେସର ନିର୍ଦ୍ଧାରଣ ମୋ ମନରେ ଶାନ୍ତି ଦେଲା ନାହିଁ କି ମୋ ହୃଦୟରେ କୌଣସି ପ୍ରକାର ପ୍ରେରଣା ଦେଲା ନାହିଁ ।

 

ଅସହଯୋଗର ମୂଳ ନୀତି ହେଉଛି ବିଦେଶୀ ସରକାରର ପ୍ରଭାବ ଓ ପ୍ରତିପତ୍ତି ଯେଉଁ କାର୍ଯ୍ୟଦ୍ୱାରା ଦେଶରେ ବୃଦ୍ଧି ପାଉଛି ସେହିସବୁକୁ ଅନିଷ୍ଟକାରୀ ମନେକରି ତହିଁର ଦୂରରେ ରହିବା । କାଉନ୍‌ସିଲ ହେଉଛି ଏହିପରି ଦେଶର ଗୋଟିଏ ଅନିଷ୍ଟକାରୀ ପ୍ରତିଷ୍ଠାନ । ସରକାର ଏହାକୁ ଗଢ଼ିଛନ୍ତି । ଦେଶର ଜନସାଧାରଣଙ୍କ ଇଚ୍ଛାନୁସାରେ ଏହା ଗଢ଼ାଯାଇ ନାହିଁ । କାଉନ୍‌ସିଲରେ ଯାହା କିଛି କ୍ଷମତା ଅବା ଅଧିକାର ଦିଆଯାଇଛି, ଏହି ଦାନରେ ଦେଶର ଦାବୀ ପ୍ରତି ଅବହେଳା ପ୍ରକଟିତ ହୋଇଛି । କାଉନ୍‌ସିଲ ସାହାଯ୍ୟରେ ଇଂରେଜ ସରକାର ଏ ଦେଶରେ ଏବଂ ଦୁନିଆ ସମ୍ମୁଖରେ ମଧ୍ୟ ନିଜର ସୁଶାସନର ପରିଚୟ ଦେବାକୁ ଅବଲମ୍ୱନ ପାଇଅଛନ୍ତି । ଏଣୁ ଅସହଯୋଗ ନୀତିର କଳ୍ପନାରେ କାଉନ୍‌ସିଲ ବର୍ଜନ ହୋଇଛି ମୁଖ୍ୟ ପ୍ରଶ୍ନ । କଂଗ୍ରେସରେ କେତେକ ମୃଷ୍ଟିମେୟ ବ୍ୟକ୍ତି କାଉନ୍‌ସିଲ ପ୍ରବେଶକୁ ମୁଖ୍ୟ ପ୍ରଶ୍ନ କରି ଧରିଛନ୍ତି । କାଉନ୍‌ସିଲ ସାହାଯ୍ୟରେ ସରକାର ଯେଉଁ ତାମସା ଲଗାଇଛନ୍ତି ତାହାକୁ ଭାଙ୍ଗିଦେଇ କାଉନ୍‌ସିଲର ଅସାରତା ପ୍ରମାଣ କରିବା ସେମାନଙ୍କର ଉଦ୍ଦେଶ୍ୟ । ସେମାନେ ସେମାନଙ୍କ ଉଦ୍ଦେଶ୍ୟ ଅନୁସାରେ କାର୍ଯ୍ୟ କରିବାପାଇଁ ସ୍ୱାଧୀନତା ପାଇଲେ, ଅଥଚ କଂଗ୍ରେସର ଅଧିକ ସଂଖ୍ୟାବିଶିଷ୍ଟ ମତବାଦୀମାନେ ସେମାନଙ୍କର ସ୍ୱାଧୀନ ମତ ପ୍ରଚାର କରିବାକୁ ସ୍ୱାଧୀନ ନୁହନ୍ତି । ଏହି କଥା ଦିଲ୍ଲୀ କଂଗ୍ରେସରେ ସ୍ଥିର ହେଲା । ମୁଁ ବୁଝିଲି, କଂଗ୍ରେସ ଆମ୍ଭମାନଙ୍କ ଉପରେ ଏକପ୍ରକାର ୧୪୪ ଜାରୀ କରି ମୁଖବନ୍ଦ ଆଦେଶ ଜାରୀ କଲେ । ଦିଲ୍ଲୀ ନିର୍ଦ୍ଧାରଣ ଏହା ଛଡ଼ା ଆଉ କ’ଣ ହୋଇ ପାରେ ?

 

ଦିଲ୍ଲୀର ବୈଠକ ପରେ କଂଗ୍ରେସର ଆନ୍ଦୋଳନ ଏକାବେଳକେ ଶିଥିଳ ହୋଇ ପଡ଼ିଲା-। ସ୍ୱରାଜ୍ୟ ଦଳ ବାଲାଙ୍କର ଟିକିଏ ପାଟି ତୁଣ୍ଡ ଶୁଣା ଯାଏ । ଭୋଟ ଓ କାଉନ୍‌ସିଲ କଥା ଛଡ଼ା ଆଉ କିଛି ଦେଶବାସୀ ଶୁଣିବାକୁ ପାଇଲେ ନାହିଁ । ଏହି ପରିସ୍ଥିତିରେ ଅସହଯୋଗ ନୀତିର ମୂଳ ପ୍ରସ୍ତାବରେ ବିଶ୍ୱାସ ରଖିଥିବା ବ୍ୟକ୍ତିମାନଙ୍କୁ ନେଇ ସାବରମତି ଆଶ୍ରମରେ ଏକ ବୈଠକ ବସିଲା । ଶ୍ରୀଯୁକ୍ତ ରାଜଗୋପାଳାଚାରୀ ପ୍ରଭୃତି ଏହି ବୈଠକ ଡକାଇଥିଲେ । ମୁଁ ଏହି ବୈଠକରେ ଯୋଗ ଦେବାକୁ ଗଲି, ମାତ୍ର ସେଠାରେ କ’ଣ ସ୍ଥିର ହେଲା ମୋର ମନେ ନାହିଁ । କକୋନଡ଼ା କଂଗ୍ରେସରେ ଏହି ପ୍ରଶ୍ନ ପୁଣି ଥରେ ବିଚାର କରିବାର କଥା ହେଲା । “ନାଗପୁରକୁ ଫେରି ଯାଅ” (Back to Nagpur) ନାମରେ ଦେଶରେ ଗୋଟାଏ ଚିତ୍କାର ଉଠିଲା । ଅର୍ଥାତ, ନାଗପୁର ଠାରେ କଂଗ୍ରେସ ଅସହଯୋଗ ନୀତି ଅବଲମ୍ୱନ କରିଛି । ଦିଲ୍ଲୀଠାରେ ଯାହା ହେଲା ତଦ୍ଦ୍ୱାରା ଅସହଯୋଗ ନୀତିରେ ବ୍ୟତିକ୍ରମ ଘଟିଛି । ସୁତରାଂ କକୋନଡ଼ାରେ ଏହି ବ୍ୟତିକ୍ରମକୁ ଓଲଟାଇ ଦିଆଯାଉ । ନାଗପୁର ଠାରେ କଂଗ୍ରେସ ଯେପରି ଯେମିତି ଅସହଯୋଗ ନୀତି ଗ୍ରହଣ କରିଥିଲା, ସେହିପରି କକୋନଡ଼ାରେ ଆଉଥରେ ଗ୍ରହଣ କରୁ । ଏହାର ଅର୍ଥ ନାଗପୁରକୁ ଫେରିଯାଅ । କିନ୍ତୁ ଏହି ଚିତ୍କାରର କୌଣସି ମୂଲ୍ୟ ରହିଲା ନାହିଁ । ଦିଲ୍ଲୀଠାରେ ଯାହା ସ୍ଥିର ହୋଇଥିଲା କକୋନଡ଼ା କଂଗ୍ରେସରେ ତାହା ଦୃଢ଼ୀଭୂତ ହେଲା । ଏଥିରେ ମୋ ମନରେ ଭାରି ଦୁଃଖ ହେଲା । ଅସହଯୋଗର ମୂଳନୀତିରେ ବିଶ୍ୱାସ ରଖୁଥିବା ପ୍ରତ୍ୟେକ କଂଗ୍ରେସ କର୍ମୀର ମନରେ ଦୁଃଖ ହୋଇଛି । ଅସହଯୋଗ ନୀତିର ପ୍ରଧାନ ବଳ ଆତ୍ମନିର୍ଭରଶୀଳତା । ଦେଶ ଆତ୍ମନିର୍ଭରଶୀଳ ହେବାକୁ ଶିକ୍ଷା କରୁ । ବିଦେଶୀ ସରକାରଙ୍କ ଆଶ୍ରିତ ହେବାର ମନୋବୃତ୍ତି ଏ ଦେଶରୁ ଦୂର ହେଉ । ସରକାରଙ୍କ କ୍ରିୟା କଳାପର ପ୍ରତିରୋଧ କରିବାକୁ ଦେଶର ଜନସାଧାରଣଙ୍କ ମନରେ ବିଦ୍ରୋହାତ୍ମକ ଭାବ ଜାଗି ଉଠୁ । ସରକାରଙ୍କର ଅନ୍ୟାୟ ଓ ଅଯଥା ଆଇନ୍ କାନୁନ୍ ସବୁକୁ ନୀରବରେ ମାନିନେବା କିମ୍ୱା ତାହାକୁ ଅସ୍ୱୀକାର କରି ସେହି ସବୁର ବିରୋଧରେ ବିଦ୍ରୋହ କରିବା ପାଇଁ ଦେଶବାସୀଙ୍କ ମନରେ ସ୍ୱତଃ ଭାବନା ଉଦ୍ରେକ ହୋଇ ଉଠିବା, ଏହାରି ଉପରେ ଦେଶର ସ୍ୱାଧୀନତା ଓ ପରାଧୀନତା ଲକ୍ଷଣ ନିର୍ଭର କରେ । ଦେଶରେ ଏହି ବିଦ୍ରୋହାତ୍ମକ ଶକ୍ତି କର୍ଷଣ କରିବା ପାଇଁ ଅସହଯୋଗ କଳ୍ପନା କରାଯାଇଛି । ସରକାରଙ୍କ ଆଶୀର୍ବାଦ କିମ୍ୱା ଅନୁଗ୍ରହଦ୍ୱାରା ସଂଗଠିତ ପରିଧି ଭିତରେ କ’ଣ ହେଉଛି ସେହି ଆଡ଼କୁ ଲୋକଦୃଷ୍ଟି ଆକର୍ଷିତ ନ ହୋଇ, ଜନ ସାଧାରଣଙ୍କ ଭିତରେ, ସ୍ୱାଧୀନତା ଲଢ଼ାଇ ପାଇଁ କିପରି ଶକ୍ତି କର୍ଷିତ ହୋଇଛି, ଲୋକଦୃଷ୍ଟି ସେହି ଦିଗରେ ଧାବିତ ହେଉ । ଆମ୍ଭର ସମସ୍ତ ପ୍ରକାର ଚିନ୍ତା ଓ ଭାବନା ସେହି ଦିଗରେ ବ୍ୟୟିତ ହେଉ । କିନ୍ତୁ ଦିଲ୍ଲୀ ଓ କକୋନଡ଼ାରେ ଯାହା ହେଲା ଦେଶର ଜନସାଧାରଣଙ୍କ ଭିତରେ ଏହି ଭାବ ତରଙ୍ଗ ଖେଳିବାରେ ବାଧା ଘଟିଲା । କାଉନ୍‌ସିଲ ଆଡ଼କୁ ସମସ୍ତଙ୍କର ଦୃଷ୍ଟି ଆକର୍ଷିତ ହେଲା । ଆନ୍ଦୋଳନ ଆସି କେତେକ ଶିକ୍ଷିତ ମୁଷ୍ଟିମେୟଙ୍କ ଭିତରେ ସୀମାବଦ୍ଧ ରହିଲା । ଏଥିପାଇଁ ଆମ୍ଭମାନଙ୍କ ମନରେ ଦୁଃଖ ।

 

ସେ ଯାହା ହେଉ ଏହିପରି ଭାବ ନେଇ ମୁଁ କକୋନଡ଼ା କଂଗ୍ରେସରୁ ଫେରିଲି । କଂଗ୍ରେସର କାର୍ଯ୍ୟକ୍ରମ ମୋ ମନକୁ ଟାଣି ପାରିଲା ନାହିଁ । ଏଣେ କଟକରେ ମୋର ସ୍ତ୍ରୀକୁ ରଖି ଚିକିତ୍ସା କରିବାରେ ବିଶେଷ କିଛି ପରିବର୍ତ୍ତନ ଦେଖି ପାରିଲି ନାହିଁ । ବର୍ତ୍ତମାନ ନିଜେ ଭାବିଚିନ୍ତି କିଛି ଗୋଟାଏ କାର୍ଯ୍ୟ ବାଛିନେବା ଦରକାର । କିନ୍ତୁ କଟକରେ ସ୍ତ୍ରୀର ସେବା ଶୁଶ୍ରୂଷା କରିବାର କାର୍ଯ୍ୟ ହାତରେ ଥିବା ପର୍ଯ୍ୟନ୍ତ ମୁଁ ଅନ୍ୟ କିଛି କରିବାକୁ ପୂର୍ଣ୍ଣ ମାତ୍ରାରେ ସ୍ୱାଧୀନ ହୋଇ ପାରୁ ନାହିଁ । ଏହିଠାରେ ଭାବିଲି, ସ୍ତ୍ରୀକୁ ପୁଣି ଗଡ଼ଜାତ ଭିତରକୁ ପଠାଇ ଦେବାକୁ ହେବ । ସେ ପାଗଳୀ ହୋଇଛି, ସେହିପରି ପାଗଳୀ ହୋଇ ରହିଥାଉ । ସେ ତା’ର ଭାଗ୍ୟ ଅନୁସରି ସୁଖ ଦୁଃଖ ଭୋଗ କରିବ । ଏଥିପାଇଁ ମୁଁ ମୋର ଅମୂଲ୍ୟ ସମୟ ନଷ୍ଟ କରିବା ଉଚିତ୍ ନୁହେଁ । ଦେଶସେବାରେ ଖଟାଇବା ପାଇଁ ଆଶା କରି ମୁଁ ତାହାକୁ ଆଣିଥିଲି । କିନ୍ତୁ ସେ ଆଶା ଆଉ ରହୁ ନାହିଁ । ମୁଁ ଭାବିଲି, ଦେଶସେବା ପାଇଁ ସବୁଦିଗରୁ ମୋର ପଥ ପରିଷ୍କାର ହେଲା । ବିବାହିତ ସ୍ତ୍ରୀ ପାଇଁ ଯଦି କିଛି କର୍ତ୍ତବ୍ୟ ଥିଲା ତାହା ମଧ୍ୟ ହୋଇଗଲା । ସେ ସୁସ୍ଥ ସବଳ ହୋଇଥିଲେ ମୋର ଦେଶଦେବା କାର୍ଯ୍ୟରେ ପୂର୍ଣ୍ଣ ସହାୟକ କିମ୍ବା ପ୍ରତିବନ୍ଧକ ହୋଇଥାନ୍ତା ତାହା କିଏ କହିବ । ସେ ପାଗଳୀ ଏହା ତ ଅଲକ୍ଷିତରେ ମୋର ଦେଶସେବା କାର୍ଯ୍ୟରେ ଶୁଭ ଲକ୍ଷଣ । ଏହିପରି ଭାବ ମୋ ମନରେ ଜାତ ହେଲା । ସୁତରାଂ ମୋର ସ୍ତ୍ରୀକୁ ଆରୋଗ୍ୟ କରିପାରିଲି ନାହିଁ ବୋଲି ଦୁଃଖ ହୋଇ ନାହିଁ । ତାହାକୁ ୧୯୨୪ ମସିହା ଜାନୁଆରୀ ମାସରେ ଖଣ୍ଡପଡ଼ା ଗଡ଼ଜାତ ମୋର ଭଉଣୀ ଘରଠାକୁ ପଠାଇ ଦେଲି । ମୁଁ କଟକ ସ୍ୱରାଜ୍ୟ ଆଶ୍ରମକୁ ଫେରି ଆସିଲି । ବମ୍ବେଇରେ ଭାଇ ଶ୍ରୀକାନ୍ତଙ୍କୁ ଜଣାଇ ଦେଲି ପରିବାର ଖର୍ଚ୍ଚ ପାଇଁ ମୋର ଆଉ ଟଙ୍କା ଆବଶ୍ୟକ ନାହିଁ ।

 

ମୁଁ କଟକ ସ୍ୱରାଜ୍ୟ ଆଶ୍ରମକୁ ଫେରି ଆସିଲି । ଏହି ଆଶ୍ରମକୁ କିଏ କିପରି ଦୃଷ୍ଟିରେ ଦେଖନ୍ତି ମୁଁ ତାହା କହି ନ ପାରେ । ଆଶ୍ରମଟି ଆମ୍ଭ କେତେଜଣଙ୍କ ନିକଟରେ ଅତି ପ୍ରିୟ ସ୍ଥାନ । ଏହିଠାରେ ବସି ଆମ୍ଭେମାନେ କେତେଜଣ ଓଡ଼ିଶାରେ କଂଗ୍ରେସ ଅନୁଷ୍ଠାନ ଗଢ଼ିବାର କଳ୍ପନା କରୁଛୁ-। ଉତ୍କଳ ଭୂମିରେ ଅସହଯୋଗ ମନ୍ତ୍ର ପ୍ରଚାର କରିବା ପାଇଁ ଉତ୍କଳର ମୁଖ୍ୟ କର୍ମୀମାନେ ଏହି ଆଶ୍ରମରେ ବସି କେତେ କଳ୍ପନା କରିଛନ୍ତି । ୧୯୨୧ ମସିହାରେ ମହାତ୍ମାଜୀ ଆସି ଏହିଠାରେ ଅବସ୍ଥାନ କରିଥିଲେ । ଏହିପରି ନାନା କାରଣରୁ କଟକ ସ୍ୱରାଜ୍ୟ ଆଶ୍ରମ ଉତ୍କଳର ସମସ୍ତ କଂଗ୍ରେସ କର୍ମୀମାନଙ୍କର ଅତି ପ୍ରିୟତମ ସ୍ଥାନ । ଆଶ୍ରମ ବୋଲି ନାମ ଥାଏ । ଅବଶ୍ୟ ଏହାର କୌଣସି ନୀତି ନିୟମ ନ ଥାଏ । ଅସହଯୋଗ ଆନ୍ଦୋଳନ ଦବି ଗଲାପରେକଟକ ସ୍ୱରାଜ୍ୟ ଆଶ୍ରମ ରଖିବା କଠିନ ବୋଧ ହେଉଛି । ତଥାପି ଉତ୍କଳରେ କଂଗ୍ରେସ ଅନୁଷ୍ଠାନର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିବା ପାଇଁ କଟକ ଆଶ୍ରମକୁ ରଖିବା ନିହାତି ଜରୁରୀ ବୋଲି ଅନେକ ବିଚାରୁଛନ୍ତି । କଟକ ଜିଲା କଂଗ୍ରେସ କମିଟି ଏହି ଆଶ୍ରମ ପରିଚାଳନା ଓ କଟକ ସହରରେ କଂଗ୍ରେସ କାର୍ଯ୍ୟର ପ୍ରସାର କରିବା ଭାର ମୋ ଉପରେ ଅର୍ପଣ କଲେ ।

 

ଏହି କାର୍ଯ୍ୟଭାର ମୁଁ ଯେ ବହନ କଲି ଜୀବନର ଏକ ମୁଖ୍ୟ କର୍ମ ରୂପେ, ତାହା ନୁହେଁ । ପଣ୍ଡିତ ଗୋପବନ୍ଧୁ ଦାସ ଜେଲରୁ ମୁକ୍ତ ହେବା ପର୍ଯ୍ୟନ୍ତ ମୁଁ ତାହାଙ୍କ ଅପେକ୍ଷାରେ ରହିଲି କାରଣ ଓଡ଼ିଶାରେ କୌଣସି ସ୍ଥାନରେ କିଛି କାର୍ଯ୍ୟ ସ୍ଥାୟୀ ରୂପେ କରିବାକୁ ହେଲେ ତାହାଙ୍କର ପରାମର୍ଶ ନ ନେଇ କିଛି କରିବା ଉଚିତ ହେବ ନାହିଁ । ଓଡ଼ିଶାରେ କଂଗ୍ରେସ ଆନ୍ଦୋଳନର ସେ ହେଉଛନ୍ତି ପ୍ରାଣପ୍ରତିଷ୍ଠାତା । ସେ ହେଉଛନ୍ତି ଏକମାତ୍ର ଜନନାୟକ । ତାହାଙ୍କୁ ନ ଜଣାଇ କିମ୍ବା ତାହାଙ୍କ ପରାର୍ମଶ ନ ନେଇ କିଛି ନିଜ ଇଚ୍ଛାନୁସାରେ କରିବା ଅର୍ଥ ସମଷ୍ଟିଗତ ଜୀବନରେ ବିଶୃଙ୍ଖଳା ଘଟାଇବା । ଏହିପରି କେତେକ କାରଣରୁ ମୁଁ ତାହାଙ୍କ ଅପେକ୍ଷାରେ ବସିଲି । କୌଣସି କାର୍ଯ୍ୟ ନ କରି ଖାଲି ବସି ହେବ ନାହିଁ । ଏଣୁ କଟକ ଆଶ୍ରମର ଭାର ଗ୍ରହଣ କଲି । ଏହି ଭାର ଗ୍ରହଣ କରି କଟକ ସହରରେ କଂଗ୍ରେସ ଭାବ ପ୍ରସାର କରିବାକୁ ଚେଷ୍ଟା କରିବାରେ ମୋର ଦୃଢ଼ ବିଶ୍ୱାସ ଜନ୍ମିଲା, କଟକ ଆଶ୍ରମ ପାଇଁ ଖଣ୍ଡିଏ ସ୍ଥାୟୀ ଘର ନିହାତି ଦରକାର । କଟକ ସହରରେ ଜାଗା କିଣି କଂଗ୍ରେସ ସ୍ୱରାଜ୍ୟ ଆଶ୍ରମ ପାଇଁ ନିଜର ଖଣ୍ଡିଏ ଘର କରିବା କଳ୍ପନା ମୋ ବ୍ୟତୀତ ଅନ୍ୟ କାହାରି ମନରେ ନାହିଁ । ଏ କଳ୍ପନା ଶୁଣି ବାବୁ ଯଦୁମଣି ମଙ୍ଗରାଜ ପ୍ରଭୃତି ମୋତେ ଉତ୍ସାହିତ କରିଛନ୍ତି । କିନ୍ତୁ ଏହିଠାରେ କଟକ ସ୍ୱରାଜ୍ୟ ଆଶ୍ରମ କଳ୍ପନାରେ ଅଳକାଶ୍ରମରେ ପ୍ରତିଦ୍ୱନ୍ଦ୍ୱିତା ମୁଁ ଉପଲବ୍‌ଧି କରିବାକୁ ପାଇଲି । ବାବୁ ଭାଗିରଥି ମହାପାତ୍ର ଓ ବାବୁ ଗୋପବନ୍ଧୁ ଚୌଧୁରୀ ଅଳକାଶ୍ରମକୁ ଓଡ଼ିଶାରେ ଗୋଟିଏ ବିରାଟ ଜାତୀୟ ଅନୁଷ୍ଠାନ ରୂପେ ଗଢ଼ିବାକୁ କଳ୍ପନା କରିଛନ୍ତି । ଅଳକାଶ୍ରମ ନାମରେ ଓଡ଼ିଶାରେ ସ୍ୱତନ୍ତ୍ର ପ୍ରଭାବ ଓ ପ୍ରତିଷ୍ଠା ସୃଷ୍ଟି କରିବା ପାଇଁ ବାୟୁମଣ୍ଡଳ ଗଢ଼ିବା ସେମାନଙ୍କର ଇଚ୍ଛା । କଟକ ସ୍ୱରାଜ୍ୟ ଆଶ୍ରମର ସ୍ଥାୟୀ ସ୍ୱରୂପ କଳ୍ପନା ଅଳକାଶ୍ରମର ଏକାଧିପତ୍ୟ ପ୍ରଭାବ ବିସ୍ତାରରେ ଅନ୍ତରାୟ ଘଟାଇବ । ସତ୍ୟବାଦୀ ଜାତୀୟ ବିଦ୍ୟାଳୟର ପ୍ରସାର ଓ ପ୍ରଭାବ କ୍ଷୁର୍ଣ୍ଣ କରିଦେବାକୁ ସେମାନେ ତିଳେମାତ୍ର ପଶ୍ଚାଦ୍‌ପଦ ନୁହନ୍ତି । ସତ୍ୟବାଦୀ ସ୍କୁଲକୁ ବମ୍ବେଇରୁ ଯେଉଁ ପାଞ୍ଚ ହଜାର ଟଙ୍କା ସାହାଯ୍ୟ ମିଳିଥିଲା, ସେହି ସାହାଯ୍ୟ ଦେବା ବୃଥା ହୋଇଛି ବୋଲି ଉଲ୍ଲେଖ କରି ଶ୍ରୀଯୁକ୍ତ ଗୋପବନ୍ଧୁ ଚୌଧୁରୀ ଶେଠ ଯମୁନାଲାଲ ବେଜାଜଙ୍କ ନିକଟକୁ ଅଳକାଶ୍ରମ କର୍ମୀଙ୍କ ନାମରେ କିଛି ସାହାଯ୍ୟ ପାଇଁ ପଠାଇଥିବା ପ୍ରାର୍ଥନାପତ୍ର ମୁଁ ଦେଖିଛି । ସାବରମତି ଆଶ୍ରମ ଠାରେ ସେହି ପତ୍ର ଖଣ୍ଡି ଅଚାନକ ଭାବରେ ପାଇବାରୁ ମୁଁ ପାଠ କରିଛି । ତେଣୁ କଟକ ସ୍ୱରାଜ୍ୟ ଆଶ୍ରମ ପାଇଁ କଳ୍ପିତ ସ୍ଥାୟୀ ଘର ବିଷୟରେ ମୁଁ ସେମାନଙ୍କ ସହିତ ଆଲୋଚନା କଲି ନାହିଁ । ଏହି କାର୍ଯ୍ୟଟି ମୁଁ ନିଜ ଚେଷ୍ଟାରେ କରିବାକୁ ସଂକଳ୍ପ କଲି ।

 

ଏହିବର୍ଷ କଟକରେ ପ୍ରାଦେଶିକ ସମ୍ମିଳନୀ ବସିବାର ସ୍ଥିର ହେଲା । ଏହି ସମ୍ମିଳନୀ କାର୍ଯ୍ୟ ଆରମ୍ଭ କରିବା ପାଇଁ ଗୋଟିଏ ପାଞ୍ଚ ଜଣିଆ ଅସ୍ଥାୟୀ କମିଟି ଗଢ଼ା ହେଲା । ସ୍ୱାମୀ ବିଚିତ୍ରାନନ୍ଦ ଦାସ, ବାବୁ ସତ୍ୟନାରାୟଣ ସେନଗୁପ୍ତ, ବାବୁ ଗୋପବନ୍ଧୁ ଚୌଧୁରୀ, ମୁଁ ଓ ଆଉ ଜଣେ (ତାଙ୍କ ନାମ ମୋର ମନେ ନାହିଁ) ଉକ୍ତ ଭାର ଗ୍ରହଣ କଲୁଁ । ନାନା ଅସୁବିଧା ହେତୁ ସମ୍ମିଳନୀ ତାରିଖ ବଦଳାଇବାକୁ ପଡ଼ିଲା । ଇତିମଧ୍ୟରେ ମହାତ୍ମାଜୀ ଜେରବାଡ଼ା ଜେଲରେ ପୀଡ଼ିତ ହେଲେ । ତାହାଙ୍କର ଆପେର୍ଣ୍ଣସାଇଟିସ୍‌ର ଅସ୍ତ୍ର ଚିକିତ୍ସା କରାହେଲା । ଏହି କାରଣରୁ ମହାତ୍ମାଜୀଙ୍କ ଜୀବନ ସଙ୍କଟାପନ୍ନ ହୋଇ ଉଠିଲା । ସାରା ଭାରତରେ ଏଥିପାଇଁ ଉଦ୍‌ବିଗ୍ନତା ଫୁଟିଉଠିଲା । ମହାତ୍ମାଜୀ କିପରି ଶୀଘ୍ର ଆରୋଗ୍ୟ ଲାଭ କରି ଦୀର୍ଘ ଜୀବନ ଲାଭ କରିବେ ଏହି ଚିନ୍ତା ବର୍ତ୍ତମାନ ମୋ ମନକୁ ବିଚଳିତ କଲା । ଆଉ କୌଣସି କାମରେ ମୋର ମନ ଲାଗିଲା ନାହିଁ । ମହାତ୍ମାଜୀ କ୍ରମଶଃ ଆରୋଗ୍ୟ ଲାଭ କଲେ । ଏ ସୂତ୍ରରେ ସରକାର ତାହାଙ୍କର ଅବଶିଷ୍ଟ ଚାରିବର୍ଷ କାରାଦଣ୍ଡ ଛାଡ଼ି ଦେଇ ତାହାଙ୍କୁ ମୁକ୍ତି ଦେଲେ । ସ୍ୱାସ୍ଥ୍ୟଲାଭ କରିବାପାଇଁ ମହାତ୍ମାଜୀ ବମ୍ବେଇ ନିକଟ ଜୁହୁ ଦ୍ୱୀପରେ ଅବସ୍ଥାନ କଲେ । ୧୯୨୧ ମସିହାରୁ ଓଡ଼ିଶାକୁ ମୁଁ ଫେରିଲାଦିନୁ ମହାତ୍ମାଜୀଙ୍କ ସହିତ ମୋର ଆଉ ଦେଖା ସାକ୍ଷାତ୍ ହୋଇ ନାହିଁ । ମୁଁ ଜେଲରୁ ବାହାରିଲା ବେଳକୁ ମହାତ୍ମାଜୀ ଜେଲରେ । ବର୍ତ୍ତମାନ ସେ ଜେଲମୁକ୍ତ । ସୁତରାଂ ତାହାଙ୍କ ନିକଟକୁ ନ ଯାଇ ଓଡ଼ିଶାରେ ରହି କୌଣସି କାର୍ଯ୍ୟ କରିବା ମୋତେ ଅସମ୍ଭବ ଜଣାଗଲା । ମହାତ୍ମାଜୀଙ୍କୁ ପତ୍ର ଦେବାରେ ସେ ମୋତେ ଡକାଇ ନେଲେ । ମୁଁ ଓଡ଼ିଶା ଛାଡ଼ି ଜୁହୁ ଦ୍ୱୀପରେ ଯାଇ ରହିଲି । ମହାତ୍ମାଜୀଙ୍କ ନିକଟରେ ତାହାଙ୍କ ପରିଚର୍ଯ୍ୟା କାର୍ଯ୍ୟଟି ମୋତେ ଭଲ ଲାଗେ । ତାହାଙ୍କ ସେବା କାର୍ଯ୍ୟ ମୁଁ ଗ୍ରହଣ କଲି ।

 

ଦୀନବନ୍ଧୁ ଆଣ୍ଡ୍ରୁଜ ଏହି ଜୁହୁ ଦ୍ୱୀପକୁ ମହାତ୍ମାଜୀଙ୍କୁ ଦେଖିବାକୁ ଆସି ସେଠାରେ କିଛିଦିନ ରହିଲେ । ଏହି ଅବସରରେ ଓଡ଼ିଶାରେ ବର୍ତ୍ତମାନ ପରିସ୍ଥିତି ନେଇ ତାହାଙ୍କ ସହିତ ବହୁତ ବିଷୟ କଥା ହେବାର ସୁଯୋଗ ମିଳିଲା । ଓଡ଼ିଶା କଥା କହିଲା ବେଳେ କନିକାଅତ୍ୟାଚାର ଘଟଣା ବିଷୟରେ ମୁଁ ଉଲ୍ଲେଖ କରିଛି । ମହାତ୍ମାଜୀ ଓ ଦୀନବନ୍ଧୁ ଆଣ୍ଡ୍ରୁଜ ଉଭୟଙ୍କ ଆଗରେ କନିକା ଘଟଣା କହି ଏହାର ପ୍ରତିକାର ପାଇଁ ଅନୁରୋଧ କରିଛି । କନିକା ପ୍ରଶ୍ନ ବ୍ୟତୀତ ଓଡ଼ିଶାରେ ଆଉ କିଛି ଗୁରୁତର ପ୍ରଶ୍ନ ଅଛି ବୋଲି ମୋର ବିଶ୍ୱାସ ନ ଥାଏ । ଏହିଠାରେ ମୋର ଭବିଷ୍ୟତ୍ କର୍ମପନ୍ଥା ନେଇ ମହାତ୍ମାଜୀଙ୍କ ସହିତ ଆଲୋଚନା କରିଥିଲି । ଅସହଯୋଗ ଆନ୍ଦୋଳନ ପ୍ରଚାର କରିବାପାଇଁ ସାବରମତି ଆଶ୍ରମରୁ ମୁଁ ଓଡ଼ିଶାକୁ ଆସିଛି । ଆନ୍ଦୋଳନ ଶିଥିଳ ହୋଇଗଲା ପରେ ଆଶ୍ରମକୁ ଫେରି ଆସିବାର କଥା । ମହାତ୍ମାଜୀ ମୋତେ ସେହି ପରାମର୍ଶ ଦେଲେ । ମୋର ସାବରମତି ଫେରିଆସିବା ମହାତ୍ମାଜୀଙ୍କର ଇଚ୍ଛା । ସାବରମତିକୁ ନ ଫେରି ମୁଁ ଯଦି ନିଜ ଇଚ୍ଛାଅନୁସାରେ ଓଡ଼ିଶାରେ କାର୍ଯ୍ୟ କରେ ତେବେ ଏଣିକି ମୁଁ ନିଜ ଦାୟିତ୍ୱରେ କାର୍ଯ୍ୟ କରିବି । ମୋ କାର୍ଯ୍ୟପାଇଁ ମହାତ୍ମାଜୀଙ୍କଠାରୁ କୌଣସି ସାହାଯ୍ୟ ଆଶା ରଖି ନ ପାରେ । କୌଣସି ପ୍ରକାର ଆର୍ଥିକ ସାହାଯ୍ୟ ମହାତ୍ମାଜୀ ମୋତେ ଦେବେ ନାହିଁ ବୋଲି ସ୍ପଷ୍ଟ ମନା କରିଦେଲେ । ଆଶ୍ରମକୁ ଫେରିବି କିମ୍ୱା ଓଡ଼ିଶାକୁ ଫେରି ନିଜ ଦାୟିତ୍ୱରେ କିଛି କାର୍ଯ୍ୟ କରିବି ଏହି ଚିନ୍ତା ଅତି ବିଷମ ଆକାର ଧାରଣ କଲା-। ପୂର୍ବରୁ ନିଶ୍ଚୟ କରିଛି ଓଡ଼ିଶାରେ ରହି କାର୍ଯ୍ୟ କରିବାକୁ । ବର୍ତ୍ତମାନ ମୋର ପୂର୍ବ ନିଶ୍ଚୟ ଅନୁସାରେ କାର୍ଯ୍ୟ କରିବି କିମ୍ୱା ମହାତ୍ମାଜୀଙ୍କ ଇଚ୍ଛାଅନୁସାରେ ଆଶ୍ରମକୁ ଫେରି ଆସିବି ଏହି ପ୍ରଶ୍ନର ସମାଧାନ କରିବା ମୋତେ କଠିନ ବୋଧ ହେଲା । ମଗନଲାଲ ଗାନ୍ଧି ମଧ୍ୟ ଶେଷରେ ଏହି ଜୁହୁ ଦ୍ୱୀପକୁ ଆସିଥାନ୍ତି । ତାହାଙ୍କର ମଧ୍ୟ ମତ ମୁଁ ସାବରମତି ଆଶ୍ରମକୁ ଫେରିବା ।

 

ମୁଁ ମନେ ମନେ ବିଚାରକଲି, ଓଡ଼ିଶା ମୋର ଜନ୍ମଭୂମି । ମୋର ଜନ୍ମଭୂମି ମୋର କର୍ମଭୂମି ହେବା ଉଚିତ । ଓଡ଼ିଶାକୁ କର୍ମ କରିବା ପାଇଁ ଦିନେ ମୋତେ ଫେରିବାକୁ ହେବ । ଏପରି ଅବସ୍ଥାରେ ଓଡ଼ିଶାର ବର୍ତ୍ତମାନ ପରିସ୍ଥିତିରେ ଓଡ଼ିଶା ଛାଡ଼ିଦେବା ମୋର ଉଚିତ୍ ନୁହେ । କଟକ ଆଶ୍ରମପାଇଁ ସ୍ଥାୟୀ ଗୃହ ନିର୍ମାଣ ଓ କନିକା ପ୍ରଶ୍ନର ସମାଧାନ ଏହି ଦୁଇଟି ପ୍ରଶ୍ନ ମୋ ମନରେ ଖେଳୁଛି । ଓଡ଼ିଶାରେ କାର୍ଯ୍ୟ କରିବା ପାଇଁ କେତେ କର୍ମୀଙ୍କ ସହିତ କେତେ ପ୍ରକାର କଳ୍ପନା ଜଳ୍ପନା କରିଛି । ଏପରି ଅବସ୍ଥାରେ ଓଡ଼ିଶା ଛାଡ଼ି ଆସିବା କଥା କଳ୍ପନା କରିବାକୁ ମଧ୍ୟ ମୋର ମନ ବଳୁ ନାହିଁ । ବହୁତ ଭାବି ଚିନ୍ତି ଶେଷରେ ଓଡ଼ିଶାକୁ ଫେରିବା ନିଶ୍ଚୟ କରି ମୁଁ ମହାତ୍ମାଜୀଙ୍କୁ ଜଣାଇଲି । ଚ୍ଚୁହୁ ଦ୍ୱୀପରେ ଦେଢ଼ମାସ ରହି ଓଡ଼ିଶାକୁ ଫେରିଲି । ମହାତ୍ମାଜୀ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରି ସାବରମତି ଆଶ୍ରମକୁ ଫେରିଲେ ।

 

କଟକରେ ଉପସ୍ଥିତ ହୋଇ ପ୍ରାଦେଶିକ ସମ୍ମିଳନୀ କାର୍ଯ୍ୟରେ ଯୋଗ ଦେବାକୁ ପଡ଼ିଲା-। ବଙ୍ଗଦେଶରୁ ବିଶ୍ୱବିଖ୍ୟାତ ବିଜ୍ଞାନାଚାର୍ଯ୍ୟ ଡାକ୍ତର ପ୍ରଫୁଲ୍ଲଚନ୍ଦ୍ର ରାୟ ସଭାପତି ପଦରେ ବରିତ ହୋଇଥାନ୍ତି । ପଣ୍ଡିତ ଗୋପବନ୍ଧୁ ଦାସ ଓ ବାବୁ ଭଗିରଥି ମହାପାତ୍ର ଜେଲରୁ ମୁକ୍ତ ହୋଇ ଯେଉଁଦିନ କଟକ ଷ୍ଟେସନରେ ଉପସ୍ଥିତ ସେହି ଦିନ ସେହି ଗାଡ଼ିରେ ଡାକ୍ତର ରାୟ ମଧ୍ୟ କଟକରେ ପଦାର୍ପଣ କରିଥିଲେ । ଡାକ୍ତର ପ୍ରଫୁଲଚନ୍ଦ୍ର ରାୟ ରେଲରୁ ଓହ୍ଲାଇ ପ୍ରଥମେ ଗୋପବନ୍ଧୁ ବାବୁଙ୍କୁ ଅଭ୍ୟର୍ଥନା କରିବାକୁ ଯାଇ ଆଲିଙ୍ଗନ କରିଥିଲେ । ପଣ୍ଡିତ ଗୋପବନ୍ଧୁ ଆମ୍ଭମାନଙ୍କୁ ଦେଖି କାନ୍ଦି ପକାଇଲେ । ସେତେବେଳର ସେହି ଦୃଶ୍ୟ ଜୀବନରେ ଭୁଲିବାର ନୁହେ । ପଣ୍ଡିତ ଗୋପବନ୍ଧୁ ଓଡ଼ିଶାରେ ଜାତୀୟ ଜୀବନର ପ୍ରାଣଦାତା । ସେ ଓଡ଼ିଶାକୁ ଗଢ଼ିଛନ୍ତି । ପଣ୍ଡିତ ଗୋପବନ୍ଧୁଙ୍କୁ ଓଡ଼ିଆ ଜାତିର ପ୍ରତିମୂର୍ତ୍ତି ବୋଲି କହିଲେ କଦାପି ଅତ୍ୟୁକ୍ତି ହେବ ନାହିଁ । ଅନ୍ୟାନ୍ୟ ପ୍ରଦେଶର ନେତୃସ୍ଥାନୀୟ ବ୍ୟକ୍ତିଙ୍କ ସହିତ ତୁଳନା କରିବାକୁ ଗଲେ ଗୋପବନ୍ଧୁ ବାବୁଙ୍କ ସରଳତା ଓ ନିରାଡ଼ମ୍ୱର ଜୀବନ କେତେ ଉଚ୍ଚରେ ସେ କଥା ଲେଖି ହେବ ନାହିଁ । ଦୀର୍ଘ ଦୁଇ ବର୍ଷ କାରାଦଣ୍ଡ ଭୋଗ କରି ଓଡ଼ିଶାରେ ପଦାପର୍ଣ କଲାବେଳକୁ ପ୍ରାଦେଶିକ ସମ୍ମିଳନୀର ସଭାପତିରୂପେ ତାହାଙ୍କୁ ବରଣ କରିବା ଉଚିତ ଥିଲା । ତାହା ନ କରିବାଦ୍ୱାରା ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରା ଯାଇଛି । ଏହା କାହିଁକି ଓ କିପରି ହୋଇଛି ସେ କଥା ଉଲ୍ଲେଖ କରିବା ଏଠାରେ ଅନାବଶ୍ୟକ । ପଣ୍ଡିତ ଗୋପବନ୍ଧୁ ଦାସ ଧରା ହୋଇ, ହାତକଡ଼ି ପଡ଼ି, ଦୌଡ଼ିରେ ବନ୍ଧା ହୋଇ ଦାଣ୍ଡରେ ତାହାଙ୍କୁ ଚଲେଇ ନିଆ ଯାଇଥିଲା । ଏହି ଦୃଶ୍ୟ ଓଡ଼ିଶାରେ କେବଳ ସମ୍ଭବପର ହୋଇଛି-। ଅନ୍ୟ କୌଣସି ପ୍ରଦେଶରେ ଏ ଦୃଶ୍ୟ ସମ୍ଭବପର ହୋଇ ନ ଥାନ୍ତା । ଏ ଦୃଶ୍ୟ ଦେଖିଲା ମାତ୍ରକେ ସହସ୍ର ସହସ୍ର ଲୋକ ଠୁଳ ହୋଇ ଯାଇଥାନ୍ତେ । ପୋଲିସକୁ ବାଟ ମିଳି ନ ଥାନ୍ତା । ବାବୁ ରାଜେନ୍ଦ୍ରପ୍ରସାଦ ଧରାହେଲା ଦିନ ବିହାରରେ ଏପରି ଲୋକାରଣ୍ୟ ହୋଇଥିଲା ଯେ ରାଜେନ୍ଦ୍ର ବାବୁଙ୍କୁ ଲୁଚାଇ ମଟର ଗାଡ଼ିରେ ଜେଲକୁ ପଠାଇ ଦିଆ ଯାଇଥିଲା । କିନ୍ତୁ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତି ଓଡ଼ିଶାରେ ପୋଲିସ ଯେପରି ବ୍ୟବହାର କଲେ ତଦ୍ଦ୍ୱାରା ଆମ୍ଭର ଜାତୀୟ ଜୀବନର ଅଭାବ କେବଳ ପ୍ରକାଶ ପାଇଲା । ଆଜି ପଣ୍ଡିତ ଗୋପବନ୍ଧୁ ଜେଲରୁ ମୁକ୍ତ ହୋଇ ଅବହେଳିତ ହୋଇଅଛନ୍ତି । ଡାକ୍ତର ପ୍ରଫୁଲ୍ଲଚନ୍ଦ୍ର ରାୟ ପଣ୍ଡିତ ଗୋପବନ୍ଧୁଙ୍କୁ ‘ଉତ୍କଳମଣି’ ଉପାଧି ଦେଇଗଲେ । ସେହିଦିନୁ ସେ ଉତ୍କଳମଣି ନାମରେ ପରିଚିତ । ମୋର ମନେହୁଏ, ଉତ୍କଳର ମଣି ଉପାଧି ତାହାଙ୍କ ପ୍ରତି ଯଥାର୍ଥ ଉପାଧି ହୋଇ ନାହିଁ । ପଣ୍ଡିତ ଗୋପବନ୍ଧୁ ଭାରତର ଏକ ମଣି ସ୍ୱରୂପ । ଭାରତରେ ଏହି ମଣି ବିକାଶ ପାଇ ପାରି ନାହିଁ, ସେଥିପାଇଁ ଆମ୍ଭେମାନେ ଦାୟୀ । ଆମ୍ଭେମାନେ ସବୁବେଳେ ତାହାଙ୍କର ସମାଲୋଚନା କରିଛୁ । ତାହାଙ୍କ ମହତ୍ ଜୀବନକୁ କ୍ଷୁଦ୍ର କରିବାକୁ ଚେଷ୍ଟା କରା ଯାଇଛି-। ଉତ୍କଳ କଂଗ୍ରେସ କର୍ମୀମାନଙ୍କଠାରୁ ପୂର୍ଣ୍ଣ ସାହାଯ୍ୟ ଓ ସହଯୋଗ ପାଇଥିଲେ ଗୋପବନ୍ଧୁ ବାବୁ ବହୁତ ବଡ଼ କାମ କରିପାରିଥାନ୍ତେ ଏବଂ ଭାରତରେ ତାହାଙ୍କୁ ମଧ୍ୟ ଲୋକେ ଆହୁରି ଉଚ୍ଚ ଦୃଷ୍ଟିରେ ଦେଖିଥାନ୍ତେ । ଜେଲରୁ ମୁକ୍ତ ହୋଇ ପଣ୍ଡିତ ଗୋପବନ୍ଧୁ ବାବୁ ଗୋପବନ୍ଧୁ ଚୌଧୁରୀଙ୍କ ଅତିଥି ହୋଇଥିଲେ । କଟକ ପ୍ରାଦେଶିକ କଂଗ୍ରେସ କମିଟିରେ ଯୋଗ ଦେବା ପାଇଁ ସେ କଟକ ଆସି ଚୌଧୁରୀଙ୍କ ବାସଭବନରେ ରହିଲେ । କଟକ ସ୍ୱରାଜ୍ୟ ଆଶ୍ରମରେ ପ୍ରାଦେଶିକ କଂଗ୍ରେସ କମିଟିର ବୈଠକ ବସିଥାଏ । ପଣ୍ଡିତ ଗୋପବନ୍ଧୁଙ୍କୁ ଜ୍ୱର ହୋଇଥିଲେ ମଧ୍ୟ ସେ କମିଟି ବୈଠକରେ ଉପସ୍ଥିତ ଥାନ୍ତି । ତାହାଙ୍କ ଜେଲମୁକ୍ତି ପରେ ଏଟି ହେଉଛି ପ୍ରାଦେଶିକ କମିଟିର ପ୍ରଥମ ବୈଠକ । ପଣ୍ଡିତ ଗୋପବନ୍ଧୁଙ୍କ ଉପସ୍ଥିତି ନିହାତ୍‌ ଆବଶ୍ୟକ । ଜ୍ୱର ହେଲେ ମଧ୍ୟ ପଣ୍ଡିତ ଗୋପବନ୍ଧୁ କମିଟି ବୈଠକରେ ଉପସ୍ଥିତ ଥିବା ସମୟରେ ବାବୁ ଗୋପବନ୍ଧୁ ଚୌଧୁରୀଙ୍କର ଗୋଟିଏ ଚାକର, ପଣ୍ଡିତ ଗୋପବନ୍ଧୁ ବାବୁଙ୍କର ବିଛଣାପତ୍ର ଆଦି ସମସ୍ତ ଜିନିଷ ଆଶ୍ରମରେ ଦେଇଗଲା । କମିଟି ବୈଠକ ବେଳେ ଗୋପବନ୍ଧୁ ବାବୁ କିଛି କହିଲା ବେଳକୁ କିଏ ଶୁଣିଛି । କିଏ କିଛି କାର୍ଯ୍ୟ ବାହାନାରେ ଉଠି ଆସୁଛି । ଏହି ଦୃଶ୍ୟରେ ପଣ୍ଡିତ ଗୋପବନ୍ଧୁ ବ୍ୟଥିତ ହୋଇଛନ୍ତି । ଏହିସବୁ ମୁଁ ଦେଖୁଛି, ଏବଂ ଭିତରି ରହସ୍ୟ ଯେ ବୁଝି ନ ପାରୁଛି ତାହା ନୁହେଁ । ଏପରି ଅବସ୍ଥାରେ ଓଡ଼ିଶାରେ କିପରି କାର୍ଯ୍ୟ କରିବାକୁ ହେବ ମୁଁ କିଛି ବୁଝିପାରୁ ନାହିଁ । ପଣ୍ଡିତ ଗୋପବନ୍ଧୁଙ୍କୁ ମୁଁ ଆଦର୍ଶ କରି ଧରିଛି । ତାହାଙ୍କୁ ବେଳେ ବେଳେ ବିଚଳିତ ହେବାର ଦେଖିଲେ ମନରେ ନିରାଶ ଭାବ ଉପସ୍ଥିତ ହେଉଛି । ଓଡ଼ିଶାରେ ମିଳିମିଶି କାର୍ଯ୍ୟ କରିବାର ସମସ୍ତ ଆଶା ମୋର ଲୋପ ପାଉଛି । ସେବା ଓ ତ୍ୟାଗ ବଳରେ ମନୁଷ୍ୟ ଦେଶରେ ବଡ଼ ହୁଏ । କିନ୍ତୁ ଓଡ଼ିଶା ଜଳବାୟୁରେ ବର୍ତ୍ତମାନ ଏହି ଉପାଦାନର ବଡ଼ ଅଭାବ । ବଡ଼କୁ ଛୋଟ କରି ଦେଖାଇବାର ପ୍ରବୃତ୍ତି ଅତି ପ୍ରବଳ । ଓଡ଼ିଶାରେ ବର୍ତ୍ତମାନ ଜଣାଶୁଣା ଯେ କେତେଜଣ କଂଗ୍ରେସ କର୍ମୀ ଅଛନ୍ତି ସେମାନଙ୍କ ମନୋବୃତ୍ତି ଏହିପରି ଏହା ମୁଁ ନିଃସନ୍ଦେହରେ କହି ପାରେ । ଏହି ମନୋବୃତ୍ତି ଏବଂ ଏହି ବ୍ୟାଧି ମୋତେ ଯେ ସ୍ପର୍ଶ ନ କରିଛି ସେ କଥା ମୁଁ କହି ନ ପାରେ । ଏହିପରି ନାନା କାରଣ ମୋର ଜୀବନକୁ ପ୍ରଭାବିତ କରୁଛି । ସଙ୍ଗଛଡ଼ା ହୋଇ କାର୍ଯ୍ୟ କରିବା ପ୍ରବୃତ୍ତି ଦିନକୁ ଦିନ ମୋ ଭିତରେ ପ୍ରବଳ ଆକାର ଧାରଣ କରୁଛି-। ସୁତରାଂ ମୋର ଚିନ୍ତା ଓ କାର୍ଯ୍ୟ ଯଦି କାହାର ସହିତ ଖାପ ଖାଉ ନାହିଁ ସେଥିପାଇଁ ମୁଁ ଦାୟୀ ନୁହେ । ମିଳିମିଶି କାର୍ଯ୍ୟ କରିବାର ଆଶା ଓ ବିଶ୍ୱାସ ମୋର କମି ଯାଉଛି । ମନୁଷ୍ୟ ନିଜର ଆଦର୍ଶ ଓ ବିଶ୍ୱାସ ଅନୁସାରେ ପ୍ରତ୍ୟେକ ଘଟଣାକୁ ପରୀକ୍ଷା କରି ଦେଖେ । ମୋର ଜୀବନର ଅନୁଭୂତି ଓ ବିଚାର ଧାରା ପ୍ରତି ଦୃଷ୍ଟି ରଖି ସବୁକଥା ଭାବିଲା ବେଳକୁ ମୋର ସ୍ଥାନ କେଉଁଠାରେ ମୁଁ ସ୍ଥିର କରି ପାରେ ନାହିଁ । ଭାବିଲେ ମୋତେ ବୋଧହୁଏ ଯେ ଓଡ଼ିଶାର ବର୍ତ୍ତମାନ ପରିସ୍ଥିତିରେ ମୋତେ ଏକାକୀ ଠିଆ ହେବାକୁ ପଡ଼ିବ-। କାହାରି ସହିତ ମୋର ମନୋବୃତ୍ତିର ମେଳ ଖାଇବ ନାହିଁ । ପଣ୍ଡିତ ଗୋପବନ୍ଧୁ ଦାସ କ’ଣ କରୁଛନ୍ତି କେବଳ ତାହା ଦେଖିବା ପାଇଁ ବାକି ରହିଲା ।

 

କଟକ ସମ୍ମିଳନୀ ଶେଷ ହେଲା । ସମ୍ମିଳନୀରେ କନିକା ସଂକ୍ରାନ୍ତରେ ଗୋଟିଏ ପ୍ରସ୍ତାବ ମୁଁ ଆଗତ କରିଥିଲି । ପ୍ରାଦେଶିକ କଂଗ୍ରେସ କମିଟି ଗୋଟିଏ କମିଟି ବସାଇ କନିକା ବିଷୟ ତଦନ୍ତ କରୁ ଏହାହିଁ ମୋର ପ୍ରସ୍ତାବର ଉଦ୍ଦେଶ୍ୟ । ଏହି ପ୍ରସ୍ତାବଆଗତ କରିବାକୁ ଯାଇ ଅନେକ କଥା ମୋତେ କହିବାକୁ ପଡ଼ିଥିଲା । ମୋର ପ୍ରସ୍ତାବକୁ ବାବାଜୀ ରାମଦାସ ସମର୍ଥନ କରିଥିଲେ । ଶେଷରେ ‘ଦୁଃଖିନୀ କନିକା’ ନାମକ ଗୋଟିଏ ଗୀତ ବୋଲା ହୋଇଥିଲା । ସମ୍ମିଳନୀ ସେତେବେଳେ କନିକା ଦୁଃଖରେ ଜର୍ଜ୍ଜରିତ ହୋଇ ଉଠିଲା ପରି ବୋଧ ହେଲା । ଏହାପରେ ବାବୁ ହରେକୃଷ୍ଣ ମହତାବ, ପଣ୍ଡିତ ଲିଙ୍ଗରାଜ ମିଶ୍ର ଓ ମୁଁ, ଆମ୍ଭେ ତିନିଜଣଙ୍କୁ ନେଇ କନିକା ତଦନ୍ତ ପାଇଁ ଗୋଟିଏ କମିଟି ଗଢ଼ା ହେଲା । ଯଥାସମୟରେ କନିକା ବିଷୟ ତଦନ୍ତ କରିବା ଇଚ୍ଛାରେ ମୁଁ ଭଦ୍ରଖଠାରେ ଉପସ୍ଥିତ ହେଲି । କନିକାର କେତେକ କର୍ମୀ ମଧ୍ୟ ସେଠାକୁ ଆସିଲେ । ତଦନ୍ତ ପାଇଁ କନିକା ଭିତରକୁ ପ୍ରବେଶ କରିବା କଥା । କିନ୍ତୁ ପଣ୍ଡିତ ଲିଙ୍ଗରାଜ ମିଶ୍ର କୌଣସି କାର୍ଯ୍ୟବିଶେଷ ହେତୁ ଆସି ପାରିଲେ ନାହିଁ । ବାବୁ ହରେକୃଷ୍ଣ ମହତାବ କନିକା କର୍ମୀମାନଙ୍କୁ କ’ଣ ଉପଦେଶ ଦେଲେ ମୁଁ ଜାଣେ ନାହିଁ । ତଦନ୍ତଦ୍ୱାରା କନିକା ପ୍ରଜାଙ୍କର ବିଶେଷ କିଛି ଲାଭ ହେବ ନାହିଁ ବୋଲି ମହତାବ ବାବୁ ମୋତେ ମଧ୍ୟ କହିଲେ । ଏହିପରି କେତେକ କାରଣରୁ କନିକା ତଦନ୍ତ ଏହିଠାରେ ଇତିଶ୍ରୀ ହେଲା । ଏହାର ଭିତର ରହସ୍ୟ ଆଉ କିଛି ଉଲ୍ଲେଖ କରିବା ଅନାବଶ୍ୟକ । କେବଳ ମୋର ଏତିକ ମନେ ହେଉଛି ଯେ ଆମ୍ଭେମାନେ ଏହିପରି ବହୁବାର କର୍ତ୍ତବ୍ୟରେ ତ୍ରୁଟି କରିଛୁ । ପ୍ରାଦେଶିକ କଂଗ୍ରେସ କମିଟି ଏହିପରି ନାନା ବିଷୟ ନେଇ ନାନାପ୍ରକାର କମିଟି ଗଠନ କରିଛି । ମାତ୍ର ଗୋଟିଏ ତହିଁରୁ କାର୍ଯ୍ୟକାରୀ ହୋଇ ନାହିଁ । ଏସବୁ ଘଟଣା ଦେଖି, ଆମ୍ଭମାନଙ୍କ ମଧ୍ୟରୁ ଅନେକ ଦେଶସେବାକୁ ଗୋଟାଏ ଖେଳ ବୋଲି ଭାବନ୍ତି ନା କ’ଣ ମୁଁ ବୁଝିପାରେ ନାହିଁ । ତାହା ନ ହେଲେ କୌଣସି କମିଟି ବସାଇ ତହିଁର କାର୍ଯ୍ୟ ଶେଷ ନ କରି ଆମ୍ଭେମାନେ ନୀରବ ରହନ୍ତୁ ନାହିଁ । ଦେଶସେବା କେଡ଼େ ଗୁରୁତର ଓ କେତେବଡ଼ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟ ତାହା ଆମ୍ଭ ଭିତରୁ ଅତ୍ୟଳ୍ପ ଲୋକ ହୃଦୟଙ୍ଗମ କରିଛନ୍ତି ବୋଲି ଯଦି ମୁଁ କହେଁ ତେବେ ସେଥିପାଇଁ କଦାପି ମୁଁ ଦୋଷୀ ହେବି ନାହିଁ । ଦେଶସେବା ପାଇଁ ଦାଣ୍ଡକୁ ବାହାରିଲେ ସବୁବେଳେ ଦେଶର ସ୍ୱାର୍ଥରେ ନିଜକୁ ବଳି ଦେବା ଉଚିତ । କୌଣସି କର୍ତ୍ତବ୍ୟର ଆହ୍ୱାନ ବେଳେ ଅନ୍ୟ କାର୍ଯ୍ୟ ଅଛି ବୋଲି ଉକ୍ତ କର୍ତ୍ତବ୍ୟ ପ୍ରତି ଉଦାସୀନ ରହିବା ଦେଶ ପ୍ରତି ବିଶ୍ୱାସଘାତକତା ଚିହ୍ନ ନୁହେଁ କି ? ଦାୟିତ୍ୱପୂର୍ଣ୍ଣ ଭାର ବହନ କରି ତତ୍ ସଂକ୍ରାନ୍ତରେ ଜଗି ରଖି କାର୍ଯ୍ୟ ନ କଲେ ଦେଶର ମର୍ଯ୍ୟାଦା କ୍ଷୁଣ୍ଣ ହୁଏ । କିନ୍ତୁ ଆମ୍ଭ ଉତ୍କଳ ପ୍ରାଦେଶିକ କଂଗ୍ରେସ କମିଟିର ସଭ୍ୟମାନଙ୍କ କାର୍ଯ୍ୟକଳାପ ପର୍ଯ୍ୟବେକ୍ଷଣ କଲେ, କର୍ତ୍ତବ୍ୟରେ ଅବହେଳା ଓ ତ୍ରୁଟିର ଉଦାହରଣ କଦାପି ବିରଳ ହେବ ନାହିଁ । ସେ ଯାହା ହେଉ କନିକା କଥା ମୋତେ ଭୁଲିଯିବାକୁ ପଡ଼ିଲା । ଭଦ୍ରଖରୁ ମୁଁ କଟକ ସ୍ୱରାଜ୍ୟ ଆଶ୍ରମକୁ ଫେରିଲି ।

Image

 

Unknown

ଅଷ୍ଟମ ଭାଗ

ପ୍ରଥମ ପରିଚ୍ଛେଦ

ଓଡ଼ିଶାରେ ବିଭିନ୍ନ କାର୍ଯ୍ୟ

 

ଯେଉଁ ବର୍ଷ କନିକା ତଦନ୍ତ କମିଟିର କାର୍ଯ୍ୟ ଇତିଶ୍ରୀ ହେଲା, ସେହି ବର୍ଷ ଗଞ୍ଜାମ ଓଡ଼ିଆ ଭାଇଙ୍କଠାରୁ ଦେଶମିଶ୍ରଣ ଦାବୀ ଶୁଣିବା ପାଇଁ ଡଫ ଫିଲିପ୍ କମିଶନ ବସିଲା । ଏହି କମିଶନ ନିକଟରେ ଗଞ୍ଜାମ ଓଡ଼ିଆ ଅଞ୍ଚଳର ଦାବୀ ଶୁଣାଇବା ପାଇଁ ଦେଶମିଶ୍ରଣ ଆନ୍ଦୋଳନ ସୃଷ୍ଟି କରାଗଲା । ସେହି ଜିଲ୍ଲା ଭିତରେ ଗ୍ରାମେ ଗ୍ରାମେ କର୍ମୀମାନେ ବୁଲି ସଭା କରାଇ ଓଡ଼ିଶା ସହିତ ମିଶିବା ସପକ୍ଷରେ ଜନମତ ଗଢ଼ିବାକୁ ପଡ଼ିଲା । ଡଫ ଫିଲିପ୍ କମିଶନଙ୍କ ନିକଟକୁ ଦରଖାସ୍ତ ପ୍ରତିଗ୍ରାମରୁ ପଠାଇବାକୁ ଚେଷ୍ଟା କରାଗଲା । ଏହି କାର୍ଯ୍ୟରେ ଓଡ଼ିଶାର ମୁଖ୍ୟ କର୍ମୀମାନଙ୍କୁ କାମ କରିବାକୁ ପଡ଼ିଥିଲା । ମୁଁ ମଧ୍ୟ ଏହି କାମରେ ଯୋଗ ଦେଲି । ଗ୍ରାମେ ଗ୍ରାମେ ବୁଲି ସଭା କରାଇ ଗ୍ରାମବାସୀମାନଙ୍କ ଦସ୍ତଖତ୍‌ରେ ଦରଖାସ୍ତ ପଠାଇବାକୁ ପଡ଼ିଲା । ଆନ୍ଧ୍ର ଦେଶର ତେଲୁଗୁଭାଷୀ ଲୋକଙ୍କ ସଂଶ୍ରବରେ ରହି ଓଡ଼ିଆ ଭାଇମାନେ କିପରି ନିଜର ନିଜତ୍ୱ ହରାଇ ଅଛନ୍ତି ଇତ୍ୟାଦି କଥା ଉକ୍ତ ଦରଖାସ୍ତମାନଙ୍କରେ ଉଲ୍ଲେଖ କରିବାକୁ ପଡ଼େ । ସର୍ବତ୍ର ସେହି କଥା ଶୁଣିବାକୁ ମିଳେ । ଏସବୁ ଶୁଣି ଓ ଲେଖିବାକୁ ଯାଇ ମୋ ମନରେ ଭାରି ଦୁଃଖ ହୁଏ । ମୁଁ ଭାବେ, ଓଡ଼ିଶାର ଲୋକେ ନିଜର ନିଜତ୍ୱ ଏତେ ସହଜରେ ଭୁଲିଯିବାର କାରଣ କ’ଣ ? ଗୁଜୁରାତି, ବଙ୍ଗାଳି ଓ ହିନ୍ଦୁସ୍ଥାନି ପୃଥିବୀର ଯେ କୌଣସି ଅଞ୍ଚଳରେ ରହିଲେ ମଧ୍ୟ ସେମାନେ ନିଜର ମାତୃଭାଷା କିମ୍ବା ନିଜର ବିଶେଷତ୍ୱ ଭୁଲିଯାଉ ନାହାନ୍ତି, ଅଥଚ ଆମ୍ଭେମାନେ ଅନ୍ୟ ପ୍ରାଦେଶିକ ପ୍ରଭାବରେ ଅତି ସହଜରେ ପ୍ରଭାବିତ ହୋଇ ଯାଉଛୁ । ଓଡ଼ିଆ ଯେବେ ଏପରି ଅନ୍ୟ ଭାଷାର ଅଥବା ଅନ୍ୟ ପ୍ରଦେଶର ପ୍ରଭାବରେ ନିଜକୁ ଭୁଲି ଯାଇପାରେ, ତେବେ ସେ ଓଡ଼ିଶାର ଲୋକ, ଏବଂ ସେ ଓଡ଼ିଆ ଏହା ଚିହ୍ନିବାର ଉପାୟ କ’ଣ । ଏହି ଭାବନା ମୋ ମନରେ ଖେଳେ । ଓଡ଼ିଆ ଜାତିର ଏପରି କ’ଣ ଚିହ୍ନ ଅଛି ଯାହାକୁ ଦେଖିଲେ ଅଥବା ଯାହାର ନିଦର୍ଶନରେ ଓଡ଼ିଶାର ଲୋକ ପୃଥିବୀର ଯେ କୌଣସି ଅଞ୍ଚଳରେ ରହିଲେ ମଧ୍ୟ ଓଡ଼ିଆ ବୋଲି ଚିହ୍ନେଇବାକୁ କଠିନ ହେବ ନାହିଁ ।

 

ଏହି ଚିହ୍ନ ଦେଖିପାରିଲେ ଏହା ଓଡ଼ିଆ ଜାତିର ହେବ ମୂଳଭିତ୍ତି । ଏହାକୁଇ ଖୋଜିବାରେ ମୋର ମନ ଦଉଡ଼ିଲା । ଗଞ୍ଜାମରେ ମୁଁ ଯେ କେତେଦିନ ରହି କାର୍ଯ୍ୟ କଲି ସବୁବେଳେ ଏବଂ ସବୁଠାରେ ଓଡ଼ିଆ ଜାତିର ମୂଳଭିତ୍ତି ସ୍ୱରୂପ ଏହି ଚିହ୍ନକୁ ଖୋଜିବାକୁ ଆରମ୍ଭ କଲି । ବହୁତ ଭାବିଲା ପରେ ମୁଁ ବୁଝିଲି, ପୁରୀ ରାଜାଙ୍କର ଅଙ୍କ ଅନୁସାରେ ନିଜର ଜନ୍ମ ତାରିଖ ନିରୂପଣ କରିବା ଏବଂ ଏହି ଅଙ୍କ ଦିବସକୁ ବର୍ଷର ନୂତନ ଦିବସ ରୂପେ ପାଳନ କରିବା ଓଡ଼ିଆର ଦେଶାତ୍ମବୋଧର ଯଥାର୍ଥ ସଙ୍କେତ । ଓଡ଼ିଶାର ଲୋକ ଯେ କୌଣସି ଦେଶରେ ବାସ କରି ନିଜର ଜାତୀୟ ସମ୍ୱଳ କେବଳ ଏହାରିଦ୍ୱାରା ଅକ୍ଷୁଣ୍ଣ ରଖିପାରେ । ଓଡ଼ିଆ ସବୁ ଭୁଲିଯାଉ, କିନ୍ତୁ ପୁରୀ ରାଜାଙ୍କ ଅଙ୍କ ଅନୁସାରେ ଜନ୍ମପତ୍ରିକା ଲେଖା ଥିଲେ ଓଡ଼ିଆ ବୋଲି ସେ ଜଣା ପଡ଼ିବ ।

 

ସେ ଯାହା ହେଉ, ଏହି ସତ୍ୟଟିକକ ଉପଲବ୍‌ଧି କଲାପରେ ମୋର ମନ ଟିକିଏ ଆଶ୍ୱସ୍ତ ହେଲା । ମୁଁ ଗଞ୍ଜାମ ଜିଲ୍ଲାରେ କାମ ଶେଷ କରି କଟକକୁ ଫେରିଲି । ଏହିବର୍ଷ ସୁଦୂର କର୍ଣ୍ଣାଟ ପ୍ରଦେଶର ବେଲଗ୍ରାମ୍ ଠାରେ କଂଗ୍ରେସର ବାର୍ଷିକ ଅଧିବେଶନ ହେଲା । ମହାତ୍ମା ଗାନ୍ଧି ଏହି କଂଗ୍ରେସର ସଭାପତି ହୋଇଥିଲେ । ପଣ୍ଡିତ ଗୋପବନ୍ଧୁ ପ୍ରଭୃତି ଆମ୍ଭେ କେତେଜଣ ଏହି କଂଗ୍ରେସକୁ ଯାଇଥିଲୁ । କଂଗ୍ରେସ ପରେ ସମସ୍ତେ ମହାତ୍ମାଜୀଙ୍କ ସହିତ ସାକ୍ଷାତ କରିଥିଲୁ । ମୁଁ ସାବରମତୀକୁ ଫେରି ନ ଯାଇ ଓଡ଼ିଶାରେ କାର୍ଯ୍ୟ କରିବାପାଇଁ ରହିଛି, ଅଥଚ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟ ନିର୍ଦ୍ଦିଷ୍ଟ ଭାବରେ କରି ନାହିଁ–ଏହାକୁ ଉଲ୍ଲେଖ କରି କଥା ପ୍ରସଙ୍ଗରେ ମହାତ୍ମାଜୀ ମୋ ପ୍ରତି ତାଙ୍କର ବିରକ୍ତି ଭାବ ପ୍ରକାଶ କରିଥିଲେ । ଓଡ଼ିଶାରେ କେଉଁଠାରେ କି କାର୍ଯ୍ୟ ମୁଁ କିପରି କରିବି ତାହା ଭାବି ସ୍ଥିର କରି ପାରେ ନାହିଁ । କିଛି କାର୍ଯ୍ୟ କରିବାକୁ ହେଲେ ଅର୍ଥ ଓ କର୍ମୀ ଲୋଡ଼ା । ଏହି ଦୁଇଟି ମୋ ନିକଟରେ ନାହିଁ । ମହାତ୍ମାଜୀ ବିରକ୍ତ ହେଲେ । ମୁଁ ମଧ୍ୟ ହଠାତ୍ କିଛି କରିବା ମୋତେ ସମ୍ଭବପର ବୋଧ ହେଲା ନାହିଁ । ମୋର ମନ ଚଞ୍ଚଳ ହୋଇ ଉଠିଲା । କିନ୍ତୁ ଉପାୟ ଖୋଜି କିଛି ପାଇଲି ନାହିଁ ।

 

ବେଲଗ୍ରାମ୍ କଂଗ୍ରେସରେ ମହାତ୍ମାଜୀ ଏକ ଘୋର ବିପ୍ଳବ ସୃଷ୍ଟି କରିଦେଲେ । ଚାରିଅଣା ପଇସା ଦେଲେ ଯେ କେହି କଂଗ୍ରେସର ମେମ୍ୱର ହେଉଥିଲେ, କିନ୍ତୁ ମାସକୁ ଦୁଇହଜାର ହାତକଟା ସୂତା ଦେଲେ କଂଗ୍ରେସର ମେମ୍ୱର ହେବ ଏହି ନିୟମ ଗାନ୍ଧିଜୀଙ୍କ ପ୍ରଭାବରେ ପରିବର୍ତ୍ତିତ ହୋଇଗଲା । କଂଗ୍ରେସରେ ସ୍ୱରାଜ୍ୟ ଦଳ ସୃଷ୍ଟି ହେଲାଦିନୁ ଯେଉଁ ମତାନ୍ତର ଓ ମନାନ୍ତର ସୃଷ୍ଟି ହୋଇଥିଲା ଏହିଠାରେ ସେ ସବୁ ଗାନ୍ଧିଜୀ ମେଣ୍ଟାଇ ଦେଲେ । ସ୍ୱରାଜ୍ୟ ଦଳ ହାତରେ କଂଗ୍ରେସକୁ ସମର୍ପଣ କରି ଗୋଡ଼ା ଅସହଯୋଗୀମାନଙ୍କୁ ଖଦୀ କାର୍ଯ୍ୟରେ ମନ ଦେବାକୁ ଗାନ୍ଧିଜୀ ପରାମର୍ଶ ଦେଲେ । ସ୍ୱରାଜ୍ୟ ଦଳ ଏପର୍ଯ୍ୟନ୍ତ କଂଗ୍ରେସ ଅଫିସ ଓ କଂଗ୍ରେସ ଅର୍ଥକୁ କାଉନ୍‌ସିଲ ସଂକ୍ରାନ୍ତ କାର୍ଯ୍ୟରେ ବ୍ୟବହାର କରିପାରୁ ନ ଥିଲେ । ବେଲଗ୍ରାମ୍ କଂଗ୍ରେସରେ ଏହି ଅଧିକାର ସ୍ୱରାଜ୍ୟ ଦଳବାଲା ପାଇଲେ । ଏହାର ପରିବର୍ତ୍ତେ ସୂତାକଟା ମେମ୍ୱର ହେବାକୁ (Yarn franchise) ସ୍ୱରାଜ୍ୟ ଦଳ ସ୍ୱୀକାର କଲେ । ଅସହଯୋଗ ନୀତିକୁ କଂଗ୍ରେସ ଗ୍ରହଣ କରିଥିଲେ ମଧ୍ୟ ଏହିଠାରେ ଅସହଯୋଗ କାର୍ଯ୍ୟକ୍ରମକୁ କଂଗ୍ରେସ ସ୍ଥଗିତ କଲା । କଂଗ୍ରେସର ମୂଳ ନିୟମ ଓ କାର୍ଯ୍ୟକ୍ରମରେ ଘୋର ପରିବର୍ତ୍ତନ କରାଗଲା । ଉଭୟ ଦଳ ଏହାକୁ ସ୍ୱୀକାର କଲେ ସତ୍ୟ କିନ୍ତୁ ସୂତା ଦେଇ ମେମ୍ବର ହେବାର ନିୟମରେ ସ୍ୱରାଜ୍ୟଦଳର ଆନ୍ତରିକତା ଥିଲା ପରି ବୋଧ ହେଉ ନ ଥାଏ । ଗୋଡ଼ା ଅସହଯୋଗୀ ଦଳ ଏହି ପରିବର୍ତ୍ତନରେ ଆନନ୍ଦ ଅନୁଭବ ନ କଲେ ମଧ୍ୟ ଗାନ୍ଧିଜୀ ଏହାର ମୂଳରେ ଥିବାରୁ ସେମାନଙ୍କଅନ୍ତରର ଅସନ୍ତୋଷ ଭାବ ଅନ୍ତର ମଧ୍ୟରେ ଅନ୍ତର୍ନିହିତ ହୋଇଗଲା । ଫଳରେ ଏଣିକି ଆମ୍ଭମାନଙ୍କର ଦୃଷ୍ଟି ଖଦୀ ଓ ସଂଗଠନ ଆଡ଼କୁ ପଡ଼ିଲା । ସ୍ୱରାଜ୍ୟ ଦଳ ସହିତ ସଂଘର୍ଷତା କରିବାର ପ୍ରବୃତ୍ତି ଲୋପ ପାଇଲା । ଏହି ଭାବ ନେଇ ମୁଁ ଓଡ଼ିଶାକୁ ଫେରିଲି ।

 

ପୁରୀଜିଲ୍ଲା ସତ୍ୟବାଦୀ ନିକଟ ସାରଙ୍ଗଯୋଡ଼ି ଗ୍ରାମରେ ପଣ୍ଡିତ କୃପାସିନ୍ଧୁ ହୋତା ଗୋଟିଏ ସେବାଘର ସଂଗଠନ କରିଛନ୍ତି । ତାଙ୍କ ସଙ୍ଗରେ ଶ୍ରୀମାନ୍ ଜଗନ୍ନାଥ ରଥ ଓ ଶ୍ରୀମାନ୍ ସତ୍ୟବାଦୀ ନନ୍ଦ ପ୍ରଭୃତି କେତୋଟି କର୍ମୀ ଅଛନ୍ତି । ମୁ୍ଁ ବିପ୍ଳବୀ ଦଳରୁ ଗୋଟିଫିଟା ହୋଇ କଲିକତାରୁ ଆସି ସାକ୍ଷୀଗୋପାଳରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ନିକଟରେ ଥିବାସମୟରେ ଏହି କର୍ମୀ କେତୋଟି ସତ୍ୟବାଦୀ ସ୍କୁଲର ଛାତ୍ର ଥିଲେ । ସେ ସମୟରୁ ଏମାନଙ୍କୁ ମୁଁ ନିଜର କରି ଦେଖିଛି । ୧୯୨୧ ରେ ଏମାନେ କଲେଜ ପାଠପଢ଼ା ଛାଡ଼ି ଅସହଯୋଗ ଆନ୍ଦୋଳନରେ ଯୋଗ ଦେବାରୁ ଏମାନଙ୍କ ସହିତ ମୋର ସମ୍ବନ୍ଧ ଟିକିଏ ଘନୀଭୂତ ହୋଇଅଛି । ରାଜନୈତିକ କର୍ମକ୍ଷେତ୍ରରେ ଦୃଷ୍ଟି ପକାଇଲାବେଳେ ଏହି କେତୋଟି କର୍ମୀଙ୍କୁ ମୁଁ ନିଜର ବୋଲି ଭାବେ । ଏହିପରି କେତେକ କାରଣରୁ ପଣ୍ଡିତ କୃପାସିନ୍ଧୁ ହୋତାଙ୍କ କର୍ମ ଆଡ଼କୁ ମୁଁ ଟିକିଏ ଟାଣି ହୋଇଅଛି-। ବେଳେ ବେଳେ ଭାବୁଛି, ଏହିମାନଙ୍କ ସହିତ ଯୋଗ ଦେଇ ପୁରୀଜିଲ୍ଲାରେ ମୁଁ ମୋର କର୍ମକ୍ଷେତ୍ର ପ୍ରସ୍ତୁତ କରିବି ।

 

ପଣ୍ଡିତ କୃପାସିନ୍ଧୁ ହୋତା ଏହି ସାରଙ୍ଗଯୋଡ଼ି ଗ୍ରାମରେ ପୁରୀଜିଲ୍ଲାର ରାଜନୈତିକ ସମ୍ମିଳନୀ ବସାଇଲେ । ଏହି ସମ୍ମିଳନୀରେ ମୁଁ ସଭାପତି ନିର୍ବାଚିତ ହୋଇଥିଲି । ସମ୍ମିଳନୀ ପରେ ଏଠାର କର୍ମୀମାନଙ୍କ ସହିତ ଅନେକ କଥାବାର୍ତ୍ତା ହେଲା । ସେମାନଙ୍କ ସହଯୋଗରେ ପୁରୀଜିଲ୍ଲାରେ କିଛି ସ୍ଥାୟୀ କାର୍ଯ୍ୟ ଆରମ୍ଭ କରିବାକୁ ମୁଁ ସ୍ଥିର କଲି । ପଣ୍ଡିତ କୃପାସିନ୍ଧୁ ଓ ମୁଁ ଦୁଇଜଣ ଭାବି ବିଚାରି ପୁରୀଜିଲ୍ଲାରେ ସେବାସଙ୍ଘ ନାମରେ ଗୋଟିଏ ଅନୁଷ୍ଠାନ ଗଢ଼ିବାକୁ ସ୍ଥିର କଲୁଁ । ପ୍ରଥମେ ଶହେ ଖଣ୍ଡେ ଗ୍ରାମ ନେଇ କାର୍ଯ୍ୟ ଆରମ୍ଭ କରିବାକୁ ହେବ । ପ୍ରତି ଗ୍ରାମରେ ଗୋଟିଏ ସେବାସମିତି ଗଢ଼ାଯିବ । ପ୍ରତି ସମିତିରେ ଦଶ ଜଣ କରି ସ୍ୱେଚ୍ଛାସେବକ ରହିବେ । ଏହିପରି ଏକହଜାର ସ୍ୱେଚ୍ଛାସେବକ ସଂଗ୍ରହ କରି ଗୋଟିଏ ସେବାସଙ୍ଘ ଗଢ଼ିବାର କଳ୍ପନା କରାଗଲା । ପ୍ରତି ଗ୍ରାମରେ ଶିକ୍ଷା ଓ ସ୍ୱାସ୍ଥ୍ୟ ନେଇ ସେବାସମିତି କାର୍ଯ୍ୟ କରିବ । ପ୍ରତି ତିନି ମାସରେ ସେଚ୍ଛାସେବକ ମାନଙ୍କର ସମ୍ମିଳନ ହେବ । ଏହି ସମ୍ମିଳନୀରେ ସେମାନଙ୍କୁ ଗ୍ରାମର ଶିକ୍ଷା ଓ ସ୍ୱାସ୍ଥ୍ୟ ବିଷୟ ନେଇ ନାନା କଥା ବୁଝାଇବାକୁ ହେବ । ପ୍ରତି ସମିତି କ’ଣ କାର୍ଯ୍ୟ କରୁଛି, ତାହାର ରିପୋର୍ଟ ପ୍ରତ୍ୟେକେ ଜଣାଇବେ । ଏହିପରି ଭାବରେ ଶହେ ଖଣ୍ଡି ଗ୍ରାମରେ ସେବାସମିତି ସ୍ଥାପନ କରି ସେଗୁଡ଼ିକୁ ଉତ୍ତମରୂପେ ସଂଗଠନ କଲାପରେ ଆଉ ଶହେ ଖଣ୍ଡି ଗ୍ରାମ ଧରିବାକୁ ହେବ । ଏହି ସମିତିଗୁଡ଼ିକ ଆମର ସମସ୍ତ ପ୍ରକାର ରାଜନୈତିକ ଆନ୍ଦୋଳନର କେନ୍ଦ୍ର ରୂପେ କାର୍ଯ୍ୟ କରିବ । ଏହିପରି ଭାବରେ ଗୋଟିଏ କାର୍ଯ୍ୟକ୍ରମ ସ୍ଥିର କରି ମୁଁ କାର୍ଯ୍ୟ କରିବାକୁ ବାହାରିଲି ।

 

କଟକରେ ନରହରି ମିଶ୍ର ନାମକ ଜଣେ କାଠ ମହାଜନ ଥିଲେ । ତାଙ୍କର ଘର ପୁରୀ ଜିଲ୍ଲା ଶ୍ରୀପୁରୁଷୋତ୍ତମପୁର ଶାସନରେ । ଶ୍ରୀଯୁକ୍ତ ନରହରି ମିଶ୍ର ସହିତ ମୋର କଟକରେ ପରିଚୟ ହୋଇଛି । ସେ ଜଣେ ଅତି ସରଳ ଓ ସାଧୁ ପ୍ରକୃତିର ଲୋକ । ମୋ ପ୍ରତି ତାଙ୍କର ସ୍ନେହ ଅସୀମ । ଏହିପରି କେତେକ କାରଣରୁ ମୁଁ ତାଙ୍କରି ଗ୍ରାମରୁ କାର୍ଯ୍ୟ ଆରମ୍ଭ କରିବାକୁ ସ୍ଥିର କଲି । ଶ୍ରୀଯୁକ୍ତ ନରହରି ମିଶ୍ରଙ୍କ ସହିତ ତାଙ୍କ ଗ୍ରାମରେ ଉପସ୍ଥିତ ହୋଇ ଗୋଟିଏ ସଭା କରାଇଲି । ସଭାରେ ଦେଶର ପରିସ୍ଥିତି ବିଷୟରେ ବୁଝାଇଲା ପରେ ଗୋଟିଏ ସେବାସମିତି ଗଢ଼ିବାର ପ୍ରସ୍ତାବ ହେଲା । ଦଶ ଜଣ ଯୁବକ ସେବାସମିତି ଗଠନ କରିବାକୁ ନାମ ଲେଖାଇଲେ । ତା’ର ପରଦିନ ସକାଳୁ ସେହି ଗ୍ରାମରେ କାର୍ଯ୍ୟ ଆରମ୍ଭ କରାଗଲା । ଗ୍ରାମର ଦୁଇ ପାର୍ଶ୍ୱରେ ନାଳ ପରି ଦୁଇଟି ଜଳାଶ୍ରୟ ଅଛି । ତାହା ବିଲାତି ଦଳରେ ପରିପୂର୍ଣ୍ଣ । ଏହି ଦଳ ହେତୁ ଗ୍ରାମରେ ମାଲେରିଆ ଅତି ପ୍ରବଳ । ଏହି ଦଳସଫାଇ କାର୍ଯ୍ୟ ମୁଁ ଆରମ୍ଭ କଲି । ନାମ ଲେଖାଇଥିବା ଦଶ ଜଣ ସ୍ୱେଚ୍ଛାସେବକଙ୍କ ମଧ୍ୟରୁ ଚାରି ପାଞ୍ଚ ଜଣ ମୋ ସହିତ ଯୋଗ ଦେଲେ । ଏହି ଚାରି ପାଞ୍ଚ ଜଣଙ୍କୁ ନେଇ ମୁଁ କାର୍ଯ୍ୟ ଆରମ୍ଭ କଲି । ସକାଳୁ ଦିନ ବାରଟା ପର୍ଯ୍ୟନ୍ତ ଆମ୍ଭେମାନେ ଦଳ ସଫା କରିଛୁ । ଯାହାଙ୍କ ଘର ପଛରୁ ଦଳ ସଫା ହେଉଛି ତାଙ୍କର ଖାତିରି ନାହିଁ । ଆମ୍ଭେମାନେ ତାଙ୍କ ଘର ବାଡ଼ିତଳୁ ଦଳ ସଫା କଲାବେଳେ ସେ ଦାଣ୍ଡପିଣ୍ଡାରେ ବସି ଗଳ୍ପ କରୁଛନ୍ତି । ଏ ଦୃଶ୍ୟ ଦେଖି ମୋ ମନରେ ଭାରି ଦୁଃଖ ହୁଏ । ସେଦିନ ଓପରବେଳା ମୁଁ ଘର ଘର ବୁଲି ତହିଁଆରଦିନ ସକାଳୁ ଦଳ ସଫା କରିବାକୁ ସମସ୍ତଙ୍କୁ ଅନୁରୋଧ କଲି । ଯେ ଦଳ ସଫା କରିବାକୁ ନ ଯିବେ ମୁଁ ତାଙ୍କ ଦାଣ୍ଡରେ ଉପବାସରେ ବସି ସତ୍ୟାଗ୍ରହ କରିବି ବୋଲି ଧମକ ମଧ୍ୟ ଦେଲି । ଏହା ସତ୍ତ୍ୱେ ତହିଁ ଆରଦିନ ଗ୍ରାମର ସମସ୍ତେ ଦଳ ସଫା କରିବାକୁ ବାହାରିଲେ ନାହିଁ । ସେଦିନ ମୁଁସେହି ଗ୍ରାମରେ ଉପବାସ ରହିଲି । ମୋର ଉପବାସ ରହିବାରେ ଗ୍ରାମରେ ଟିକିଏ ଚହଳ ପଡ଼ିଗଲା । ତା ପରେ ଗ୍ରାମର ଅଧିକାଂଶ ଲୋକ ଦଳ ସଫା କରିବାକୁ ବାହାରିଲେ । ଯେଉଁମାନେ ବାହାରିଲେ ନାହିଁ, ସେମାନେ କହିଲେ ଯେ, ଦଳ ସଫା କଲେ ମାଲେରିଆ ଜ୍ୱର ହେବ ନାହିଁ ବୋଲି ଯଦି ଗୋବିନ୍ଦ ମିଶ୍ରେ ଲେଖିଦେବେ, ତେବେ ଆମ୍ଭେମାନେ ଦଳ ସଫା କରିବୁ, ନଚେତ୍ ମିଛରେ ପଙ୍କ ପାଣିରେ ଘାଣ୍ଟି ହେବୁ କାହିଁକି ? ଏହିସବୁ ଯୁକ୍ତି ଶୁଣି ମୋର ଭାରି ଦୁଃଖ ହେଲା । ମୁଁ ଏପରି ଯୁକ୍ତି ଶୁଣିବାକୁ ପାଇବି ବୋଲି କଳ୍ପନା କରି ନ ଥିଲି । ଏଥିରେ ମୋର ଆଖି ଖୋଲିଗଲା । ମୁଁଭାବିଲି, ପଲ୍ଲୀ ଗ୍ରାମରେ କାମ କରିବାକୁ ହେଲେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ବସି ଜୀବନବ୍ୟାପୀ ସାଧନା କରିବାକୁ ହେବ । ଏହା କେତେକ ଦିନ ଅବା ମାସର କାର୍ଯ୍ୟ ନୁହେ । ଏଥିପାଇଁ କଠୋର ସାଧନା ଆବଶ୍ୟକ । ଏହି ବିଷୟ ନେଇ ପଣ୍ଡିତ କୃପାସିନ୍ଧୁ ହୋତାଙ୍କ ସହିତ ମୋର ଆଲୋଚନା ଚାଲିଲା । ମୋ ମତ ସହିତ ସେ ଏକମତ ହେଲେ ନାହିଁ । ଗ୍ରାମକୁ ଗ୍ରାମ ବୁଲି ଗ୍ରାମସମ୍ମିଳନୀ କରି ପ୍ରଚାର କରିବାରେ ପଲ୍ଲୀ ଜୀବନ ଜାଗ୍ରତ ହେବ ବୋଲି ସେ ମତାମତ ପ୍ରକାଶ କଲେ । ଗୋଟିଏ ସ୍ଥାନରେ ବସି ରହି ଖଦଡ଼ କାର୍ଯ୍ୟକୁ ମୂଳଭିତ୍ତି କରି କାର୍ଯ୍ୟ କରିବାକୁ ତାଙ୍କର ମନ ମାନିଲା ନାହିଁ । ଏହିପରି ଭାବରେ ତାଙ୍କ ସହିତ ମୋର ମତର ଅମେଳ ହେବାରୁ ମୁଁ ତାଙ୍କର ସାଥି ଛାଡ଼ିଲି । ଖଦଡ଼ ମୂଳ ମନ୍ତ୍ର ନ ହେଲେ ମୁଁ ଯାହା କରିବି ତାହା ଗାନ୍ଧିଜୀଙ୍କୁ ପ୍ରୀତିକର ବୋଧ ହେବ ନାହିଁ । ଗାନ୍ଧିଜୀ ମୋର କର୍ମ ଓ ଚିନ୍ତାକୁ ନିରୀକ୍ଷଣ କରୁଛନ୍ତି । ମୋର କର୍ମଦ୍ୱାରା ତାହାଙ୍କୁ ଟିକିଏ ସନ୍ତୁଷ୍ଟ କରାଇ ପାରିଲେ ତହିଁରେ ମୋର ପରମ ଆନନ୍ଦ । ଖଦଡ଼ ଛଡ଼ା ସେ ଆଉ କାହିଁରେ ସନ୍ତୁଷ୍ଟ ହେବେ ନାହିଁ ଏହା ମୁଁ ଭଲ କରି ଜାଣେ । ଏପରି ଅବସ୍ଥାରେ ବାଧ୍ୟ ହୋଇ ମତେ ପୁରୀ ଜିଲ୍ଲା ଛାଡ଼ିବାକୁ ପଡ଼ିଲା । ମୁଁ ପୁଣି ଆସି କଟକରେ ଉପସ୍ଥିତ ହେଲି ।

 

କଟକ ଆସି ଶ୍ରୀଯୁକ୍ତ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଘରେ ରହିଲି । କଟକ ସ୍ୱରାଜ୍ୟ ଆଶ୍ରମ ବର୍ଷ ଆରମ୍ଭରୁ ଛାଡ଼ି ଦେଇ ପ୍ରହରାଜ ମହାଶୟଙ୍କ ଘରେ ରହିଛି । କଟକ ଆଶ୍ରମ ଛାଡ଼ିବାର ଅନେକ କାରଣ ଅଛି । ସେ ସବୁ ଉଲ୍ଲେଖ କରିବା ଦରକାର ନାହିଁ । ସଂକ୍ଷେପରେ କିଛି ନ କହିଲେ ମଧ୍ୟ ଚଳୁ ନାହିଁ । କଟକ ଆଶ୍ରମ ହେଲା ଏକପ୍ରକାର ବାରଭାଇ ଆଖଡ଼ା । ଜିଲ୍ଲା କଂଗ୍ରେସ କମିଟିର ମେମ୍ୱରମାନେ ପ୍ରତ୍ୟେକ ହେଲେ ମାଲିକ । କମିଟି ବୈଠକରେ ବସି ହାତ ଟେକି ଦେଲେ ଏକ ମୁହୂର୍ତ୍ତରେ ସବୁ ନିୟମ ବଦଳିଯାଏ । ସ୍ଥାୟୀ ଭାବରେ ଗୋଟିଏ ଅନୁଷ୍ଠାନ ଗଢ଼ିବାର କଳ୍ପନା ମୋର କ୍ରମଶଃ ଦୃଢ଼ ହେଉଛି । କଟକ ସ୍ୱରାଜ୍ୟ ଆଶ୍ରମକୁ ଗୋଟିଏ ସ୍ଥାୟୀ ସ୍ୱରୂପ ଦେବାକୁ ମୁଁ ନିଶ୍ଚୟ କରିଥିଲେ ମଧ୍ୟ ଜିଲ୍ଲା କଂଗ୍ରେସ କମିଟି ମେମ୍ୱରମାନଙ୍କ ମତିଗତିରୁ ମୋତେ ସେ ବିଷୟ ଅନିଶ୍ଚିତ ବୋଧ ହେଲା । କଟକ ସ୍ୱରାଜ୍ୟ ଆଶ୍ରମକୁ କେନ୍ଦ୍ର କରି ଦେଶରେ ସଂଗଠନ କାର୍ଯ୍ୟ କରିବା ଅସମ୍ଭବ ଜଣା ଯିବାରୁ ମୁଁ ଆଶ୍ରମକୁ ଛାଡ଼ି ଶ୍ରୀଯୁକ୍ତ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଘରେ ରହିଲି । ପ୍ରହରାଜଙ୍କ ଘରକୁ ଆସିଲା ପରେ, ସେ କଂଗ୍ରେସରେ ଯୋଗ ଦେଲେ । ବିଲାତି ଲୁଗା ଛାଡ଼ି ଖଦଡ଼ ପରିଧାନ କଲେ । ସୂତାକଟା ଶିଖିଲେ । ହାତକଟା ସୂତା ଦୁଇହଜାର ଗଜ ଦେଇ ସେ ଜଣେ କଂଗ୍ରେସ ସଭ୍ୟ ହୋଇଛନ୍ତି । ସୂତାକଟା କଂଗ୍ରେସ ସଭ୍ୟ ସଂଗ୍ରହ କରିବା ବର୍ତ୍ତମାନ ଗୋଟିଏ ବଡ଼ କାର୍ଯ୍ୟ । ସମସ୍ତ ଉତ୍କଳରେ ଶହେ ଜଣ ସଭ୍ୟ ହୋଇଛନ୍ତି କି ନାହିଁ ସନ୍ଦେହ । ଓଡ଼ିଶାରେ କଂଗ୍ରେସ ଅନୁଷ୍ଠାନ କିପରି ସଜୀବ ରହିବ ବର୍ତ୍ତମାନ ଏହାହିଁ ବଡ଼ ସମସ୍ୟା । ଜିଲ୍ଲା, ପ୍ରାଦେଶିକ ଓ ନିଖିଳ ଭାରତ କଂଗ୍ରେସ କମିଟିମାନଙ୍କୁ ସଭ୍ୟମାନେ ନିର୍ବାଚିତ ହୁଅନ୍ତି । ମାତ୍ର ନିର୍ବାଚନର ଗନ୍ଧ ନ ଥାଏ । ଇଂରେଜ ଅମଳର ଆରମ୍ଭରେ ଏ ଦେଶରେ ଓକିଲ ମୁକ୍ତିୟାର ନ ଥିଲେ । କିନ୍ତୁ ଓକିଲ ମୁକ୍ତିୟାର ନ ରହିଲେ ଅଦାଲତରେ ନ୍ୟାୟ ବିଚାର ହୋଇ ନ ପାରେ । ଏଣୁ ଜିଲ୍ଲାର ଗୋରା ହାକିମମାନେ ଲୋକ ବାଛି ‘‘ତୁ ହେଲୁ ଓକିଲ’’ ବୋଲିଓକିଲ ବସାଇ ଦିଅନ୍ତି । ଆମ୍ଭର କଂଗ୍ରେସ କମିଟିମାନଙ୍କର ନିର୍ବାଚନ ବର୍ତ୍ତମାନ ଅବିକଳ ସେଇୟା ବୋଲି କହିଲେ କଦାପି ଅତ୍ୟୁକ୍ତି ହେବ ନାହିଁ । ଜିଲ୍ଲା ଓ ପ୍ରାଦେଶିକ ଏବଂ ନିଖିଳ ଭାରତ କଂଗ୍ରେସ କମିଟିର ସଭ୍ୟମାନେ, ସେହିପରି ‘ତୁ ହେଲୁ ମେମ୍ୱର’ କହି ମେମ୍ୱର ବଛା ହୁଅନ୍ତି । ଏପରି ପରିସ୍ଥିତିରେ ମାସକୁ ହାତକଟା ସୂତା ଦୁଇହଜାର ଗଜ ଦେଇ କଂଗ୍ରେସ ମେମ୍ୱର ହେଉଛି କିଏ ? କଟକ ଜିଲ୍ଲାରେ ଯେ କେତେ ଜଣ ମେମ୍ୱର ହୋଇଥାନ୍ତି, ପ୍ରତିମାସର ନିର୍ଦ୍ଦିଷ୍ଟ ତାରିଖରେ ସୂତାଆଦାୟ କରିବା ପାଇଁ ବାବୁ ଭାଗିରଥି ମହାପାତ୍ର ଅନୁନୟ ବିନୟ ମଧ୍ୟ କରିବାର ମୁଁ ଦେଖିଛି । ଶ୍ରୀଯୁକ୍ତ ପ୍ରହରାଜଙ୍କ ବସାରେ ରହି, ନିଜେ ତୂଳା ଭିଣି, ବଳଣା ଯୋଗାଇ, ସୂତା କାଟି ଓ କଟାଇ କଂଗ୍ରେସ ସଭ୍ୟ ସଂଗ୍ରହ କରିବା ଏବଂ ସଂଗୃହୀତ ସଭ୍ୟଙ୍କୁ ରେଜିଷ୍ଟରରେ ମେମ୍ୱର ରୂପେ ରଖିବା ମୋର ହୋଇଥାଏ ଗୋଟିଏ ବଡ଼ କାର୍ଯ୍ୟ । ଜଗତସିଂହପୁର ଅଳକାଶ୍ରମ ହେତୁ କଟକ ଜିଲ୍ଲାର ମେମ୍ୱର ସଂଖ୍ୟା କିଛି ବେଶୀ ହୋଇଥାନ୍ତି । ତଥାପି ସଂଖ୍ୟା ବୋଧହୁଏ ପଚାଶରୁ ଅଧିକ ନୁହେ ।

 

ବେଲଗ୍ରାମ୍ କଂଗ୍ରେସ ପରେ ସ୍ୱରାଜ୍ୟ ଦଳର ଶକ୍ତି ଦେଶରେ ବଢ଼ିଛି । କାଉନ୍‌ସିଲ କାର୍ଯ୍ୟ ହୋଇଛି କଂଗ୍ରେସର କାର୍ଯ୍ୟ । କାଉନ୍‌ସିଲରେ ପ୍ରବେଶ କରି ସ୍ୱରାଜ୍ୟ ଦଳର ଲୋକେ ସରକାରଙ୍କୁ ବିବ୍ରତ କରୁଛନ୍ତି । ବଙ୍ଗଳା ଦେଶରେ ଦେଶବନ୍ଧୁ ଦାସଙ୍କ ଅଧିନାୟକତ୍ୱରେ କାଉନ୍‌ସିଲ ଦଳ ଅତ୍ୟନ୍ତ ଶକ୍ତିଶାଳୀ ହୋଇ ଉଠିଛି । ଏହି ସମୟରେ ବଙ୍ଗଳା ଅଡିନାନ୍‌ସ ଜାରୀ କରାଇ ବଙ୍ଗଦେଶରେ ଧର ପଗଡ଼ ଆରମ୍ଭ ହେଲା । କେତେକ କାଉନ୍‌ସିଲବାଲା ଧରା ହେଲେ । ସ୍ୱରାଜ୍ୟ ଦଳକୁ ଦୁର୍ବଳ କରି ଶକ୍ତିହୀନ କରିଦେବା ପାଇଁ ସରକାରଙ୍କ ଦମନନୀତି ଚାଲିଲା ବୋଲି ଜନସାଧାରଣ ମନେକଲେ । ମହାତ୍ମା ଗାନ୍ଧିଙ୍କର ମଧ୍ୟ ଏହି ବିଶ୍ୱାସ ହେଲା । ସେ ହଠାତ୍ କଲିକତାରେ ଉପସ୍ଥିତ ହୋଇ ସ୍ୱରାଜ୍ୟ ଦଳକୁ ସବଳ କରିବା ପାଇଁ ହାତକଟା ସୂତା ଦେଇ କଂଗ୍ରେସ ମେମ୍ୱର ହେବା ନିୟମ ବଦଳାଇ ଦେବାକୁ ଗୋଟିଏ ଇସ୍ତାହାର ପ୍ରକାଶ କଲେ । ପରେ ପାଟଣାଠାରେ ନିଖିଳ ଭାରତ କଂଗ୍ରେସ କମିଟିର ବୈଠକରେ ମହାତ୍ମାଜୀଙ୍କ ଇଙ୍ଗିତରେ ଏହି ନିୟମ ବଦଳିଗଲା । ଏଣିକି ଦୁଇହଜାର ଗଜ ସୂତା ଅଥବା ଚାରିଅଣା ପଇସା ଦେଲେ ଯେ କେହି କଂଗ୍ରେସର ସଭ୍ୟ ହୋଇ ପାରିବେ, ମାତ୍ର ଖଦଡ଼ ବ୍ୟବହାର କରୁ ନ ଥିଲେ କଂଗ୍ରେସର କୌଣସି ନିର୍ବାଚନରେ ଭୋଟ ଦେଇ ପାରିବେ ନାହିଁ । ଏହି ପରିବର୍ତ୍ତିତ ନିୟମ ପରେ କଂଗ୍ରେସ ଅନୁଷ୍ଠାନକୁ ସଜୀବ ରଖିବା ପାଇଁ ଆମ୍ଭମାନଙ୍କର ଉଦ୍‌ବେଗ ଟିକିଏ କମିଲା । କଂଗ୍ରେସ ସଭ୍ୟ ସଂଗ୍ରହ କରିବା ପାଇଁ ଦିନ ରାତି ଆଉ ଚିନ୍ତିତ ହେବାକୁ ପଡ଼ିଲା ନାହିଁ । ବର୍ତ୍ତମାନ ପୁଣି ମୋର ମନ ଗୋଟିଏ ସ୍ଥାୟୀ ଅନୁଷ୍ଠାନ ଗଢ଼ିବା ପାଇଁ ବ୍ୟଗ୍ର ହୋଇ ଉଠିଲା ।

Image

 

ଦ୍ୱିତୀୟ ପରିଚ୍ଛେଦ

ଚମ୍ପାପୁର ଗାନ୍ଧିସେବାସଂଘର ପରିକଳ୍ପନା

 

ସତ୍ୟବାଦୀକୁ ତ୍ୟାଗ କରି ପଣ୍ଡିତ ଗୋପବନ୍ଧୁ ବର୍ତ୍ତମାନ ପୁରୀରେ । ଜେଲ ଭିତରେ ଥିବା ସମୟରେ ସେ ଯେଉଁ ସବୁ କଳ୍ପନା ବାନ୍ଧିଥିଲେ ତଦନୁସାରେ କାର୍ଯ୍ୟ କରିବାକୁ ଅନୁକୂଳ ପରିସ୍ଥିତି ସେ ପାଉ ନାହାନ୍ତି । ସତ୍ୟବାଦୀ ଶିକ୍ଷାକେନ୍ଦ୍ରକୁ ଗୋଟିଏ ସଜୀବ ଅନୁଷ୍ଠାନ ରୂପେ ଗଢ଼ିବାର କଳ୍ପନା ସେ ଏକାବେଳକେ ତ୍ୟାଗ କରିଛନ୍ତି । ତେଣୁ ସତ୍ୟବାଦୀରୁ ସତ୍ୟବାଦୀ ପ୍ରେସକୁ ସେ ପୁରୀକୁ ଉଠାଇ ନେଇ ଅଛନ୍ତି । ପଣ୍ଡିତ ନୀଳକଣ୍ଠ ଦାସ ଓ ଗୋଦାବରୀଶ ମିଶ୍ର ତାହାଙ୍କ ନିକଟରୁ କରଛଡ଼ା ଦେଲେଣି । ପଣ୍ଡିତ କୃପାସିନ୍ଧୁ ମିଶ୍ର ସତ୍ୟବାଦୀ ସ୍କୁଲକୁ ପୁଣି ଗୋଟିଏ ଉଚ୍ଚ ଇଂରେଜ ସ୍କୁଲରେ ପରିଣତ କରିବା ପାଇଁ ପାଟଣା ବିଶ୍ୱବିଦ୍ୟାଳୟ ନିକଟରେ କୃପାପ୍ରାର୍ଥୀ । ଏଣେ କଂଗ୍ରେସ କର୍ମୀମାନଙ୍କ ନିକଟରୁ ମଧ୍ୟ ସେ ସାହାଯ୍ୟ ସହଯୋଗ ପାଉ ନାହାନ୍ତି । କେହି କେହି ମଧ୍ୟ ତାହାଙ୍କୁ କଠୋର ସମାଲୋଚନା କରୁଛନ୍ତି । ଏହି ଦୃଶ୍ୟ ଦେଖି ପଣ୍ଡିତ ଗୋପବନ୍ଧୁ ଦାସ ବେଳେ ବେଳେ ବ୍ୟଥିତ ହୋଇ ଉଠୁଛନ୍ତି । ତାହାଙ୍କ ମୁଖମଣ୍ଡଳରେ ନିରାଶାର ଚିହ୍ନ ଦେଖା ଯାଉଛି । ଏଣିକି ସେ କ’ଣ ନିର୍ଦ୍ଦିଷ୍ଟ ଭାବରେ କରିବେ ସେ ବିଷୟରେ ସେ ଅନିଶ୍ଚିତ । କେବଳ ପୁରୀ ଦୁର୍ଭିକ୍ଷ ଅଞ୍ଚଳରେ ଚରଖାଦ୍ୱାରା କିଛି ସାହାଯ୍ୟ କରିବାକୁ ସେ ପ୍ରୟାସ କରୁଛନ୍ତି । ତାହାଙ୍କର ସେହି ପ୍ରୟାସର ଚିହ୍ନ ସ୍ୱରୂପ ପୁରୀ ରିଲିଫ ଖଦଡ଼ ଓ ସତ୍ୟବାଦୀ ସେବାସଦନ ବିଦ୍ୟମାନ ।

 

ଏହିପରି ସମୟରେ ତାହାଙ୍କ ପରାମର୍ଶ ଲୋଡ଼ିବା ପାଇଁ ମୁଁ ପୁରୀରେ ଉପସ୍ଥିତ ହେଲି । ମୁଁ ତାହାଙ୍କ ନିକଟରେ ଉପସ୍ଥିତ ହେବାର ଦୁଇଦିନ ଆଗରୁ ମହାତ୍ମା ଗାନ୍ଧିଙ୍କର ଖଣ୍ଡିଏ ପତ୍ର ତାହାଙ୍କ ନିକଟକୁ ଆସିଛି । ଉକ୍ତ ପତ୍ର ଖଣ୍ଡି ଗାନ୍ଧିଜୀ ବାବୁ ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ଲେଖିଥିଲେ । ନିରଞ୍ଜନ ବାବୁ ଉକ୍ତ ପତ୍ର ଖଣ୍ଡି ଗୋପବନ୍ଧୁ ବାବୁଙ୍କ ନିକଟକୁ ପଠାଇ ଦେଇଛନ୍ତି । ଉକ୍ତ ପତ୍ରରେ ମୋ ବିଷୟ ନେଇ ଗାନ୍ଧିଜୀ ଲେଖିଛନ୍ତି–

 

‘‘For example take the case of Govind Babu. I have looked upon him as my own son, I have wasted a fortune against him. I have hoped against hope, but he has disappointed me.’’ ଅର୍ଥାତ୍ ‘‘ଗୋବିନ୍ଦ ବାବୁ କଥା ଦେଖ । ମୁଁ ତାକୁ ନିଜର ପୁଅ ପରି ଦେଖେ, ତା ପଛରେ ମୁଁ ବହୁତ ଖର୍ଚ୍ଚ କରିଛି । ତାଠାରେ ଆଶା ନ ଥାଇ ମଧ୍ୟ ମୁଁ ଆଶା ପୋଷଣ କରିଛି, କିନ୍ତୁ ସେ ମୋତେ ନିରାଶ କରିଛି । ’’

 

ମହାତ୍ମାଜୀଙ୍କର ପତ୍ର ଖଣ୍ଡି ମୁଁ ପାଠ କଲି । ମହାତ୍ମାଜୀଙ୍କୁ ମୁଁ ଭଲ କରି ଜାଣେ ବୋଲି କହିଲେ କଦାପି ଅତ୍ୟୁକ୍ତି ହେବ ନାହିଁ । ସୁବିଧା ଅସୁବିଧା ବିଚାର କରିବାର ବ୍ୟକ୍ତି ସେ ନୁହନ୍ତି । ‘‘କର୍ମଣ୍ୟେବାଧିକାରସ୍ତେ ମା ଫଳେଷୁ କଦାଚନ’’ ଗୀତାର ଏହି ଶ୍ଳୋକ ଉପରେ ତାହାଙ୍କର ଅସୀମ ଶ୍ରଦ୍ଧା । କାର୍ଯ୍ୟ କରିବାକୁ ହେବ । କାର୍ଯ୍ୟର ପରିମାଣରେ କମ ବେଶିକୁ ସେ କର୍ମର ମାପକାଠି ରୂପେ ବିଚାର କରନ୍ତି ନାହିଁ । ଦେଶ ଓ ଭଗବାନଙ୍କ ସେବା ପାଇଁ ଯେ ଜୀବନ ଉତ୍ସର୍ଗ କରିଛି ସୁବିଧା ଅସୁବିଧାର କଥା ବିଚାର କରିବା ତାହା ପକ୍ଷରେ ଶୋଭନୀୟ ନୁହେ । ଏହି ଦୃଷ୍ଟିରେ ମହାତ୍ମାଜୀ ସମସ୍ତଙ୍କ କର୍ମକୁ ପରୀକ୍ଷା କରନ୍ତି । ଏଣୁ ମୁଁ ସାବରମତୀକୁ ଫେରି ନ ଯାଇ ଓଡ଼ିଶାରେ ଆସି ବସିଛି । ନିର୍ଦ୍ଦିଷ୍ଟ ଭାବରେ କୌଣସି କାର୍ଯ୍ୟରେ ହାତ ଦେଇ ନାହିଁ । ଏଥିପାଇଁ ତାହାଙ୍କ ମନରେ ମୋ ପ୍ରତି ବିରକ୍ତି ଭାବ ଜନ୍ମିଛି ଏବଂ ମୋଠାରେ ସେ ଆଶା ରଖି ପାରୁ ନାହାନ୍ତି । ମହାତ୍ମା ଗାନ୍ଧିଙ୍କ ପତ୍ର ପାଠ କରି ମୋ ମନରେ ଏହିପରି ବହୁତ ଯୁକ୍ତି ଖେଳିଲା । ମହାତ୍ମାଜୀ ଯେପରି ଭାବରେ କାର୍ଯ୍ୟ ଆରମ୍ଭ କରିବାକୁ ଆଶା କରନ୍ତି, ସେପରି ଭାବରେ କୌଣସି କର୍ମ କରିବାକୁ ଯେପ୍ରକାର ଦୃଢ଼ତା ଓ ଅଟଳ ବିଶ୍ୱାସ ଆବଶ୍ୟକ, ତାହା ମୋଠାରେ ନାହିଁ । ଓଡ଼ିଶାର ପରିସ୍ଥିତିକୁ ବିଚାର କଲେ, ମୋର ସେପରି ଦୃଢ଼ତା ହୃଦୟରେ ସ୍ଥାନ ପାଉ ନାହିଁ । ମୁଁ ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ସମ୍ମୁଖରେ ଦେଖିଛି । ତାହାଙ୍କ ପରି ଜଣେ ମହାନ୍ ବ୍ୟକ୍ତି ଓଡ଼ିଶାର ପରିସ୍ଥିତି ଦେଖି କିଂକର୍ତ୍ତବ୍ୟବିମୂଢ଼ ହୋଇ ଯାଉଅଛନ୍ତି । ମୁଁ କ’ଣ କରିବି କିଛି ବୁଝି ପାରୁ ନାହିଁ । କର୍ମ କରିବାକୁ ମୋର ଅର୍ଥ ନାହିଁ କିମ୍ୱା ସାଥି ନାହାନ୍ତି । ଗାନ୍ଧିଜୀଙ୍କ ପତ୍ର ପାଠ କରି ମୁଁ ଟିକିଏ ଅସ୍ଥିର ହୋଇ ପଡ଼ିଛି । ମୋତେ ଏପରି ଅସ୍ଥିର ଓ ବ୍ୟଥିତ ହେବାର ଦେଖି ଦାସେ ଆପଣେ ମୋତେ ସାନ୍ତ୍ୱନା ଦେଇ କହୁଛନ୍ତି, ‘‘ଗୋବିନ୍ଦ, ତୁମେ ଗାନ୍ଧିଜୀଙ୍କ କଥାରେ ଏପରି ବିଚଳିତ ହୁଅ ନାହିଁ । ତୁମେ ଯାଇ ଗୋଟିଏ ଗ୍ରାମରେ ବସି ରହ ଏବଂ ଯେତିକ ପାରିବ ସେତିକ କରିବାକୁ ଚେଷ୍ଟା କର । ପଲ୍ଲୀବାସୀଙ୍କ ସେବାରେ ଲଗାଇବାକୁ ବୋଲପୁର ଶାନ୍ତିନିକେତନର ଛାତ୍ରମାନେ ଚାନ୍ଦା କରି ମୋ ନିକଟକୁ ପଚାଶଟି ଟଙ୍କା ପଠାଇ ଦେଇଛନ୍ତି । ଶାନ୍ତିନିକେତନରେ ତୁମେ ଥିଲ । ତୁମେ ଏହି ଟଙ୍କା ନେଇ କୌଣସି ଗୋଟିଏ ଗ୍ରାମରେ ଯାଇ କିଛି କାର୍ଯ୍ୟ ଆରମ୍ଭ କର । ’’

 

ଦାସ ଆପଣଙ୍କ ନିକଟରୁ ଏତକ ଉତ୍ସାହବାଣୀ ପାଇଲି । ପଚାଶଟି ଟଙ୍କା ମଧ୍ୟ ପାଇଲି-। ମୋ ନିକଟରେ ମଧ୍ୟ କିଛି ଟଙ୍କା ଥାଏ । ୧୯୨୩ରେ ବମ୍ୱେଇରେ ମୋର ବନ୍ଧୁମାନେ ମୋତେ ଏକହଜାର ଟଙ୍କା ମୋର ନିଜ ଖର୍ଚ୍ଚପାଇଁ ଦେଇଥିଲେ । ସେଥିରୁ ମୁଁ କେତେକ ନିଜ ଖର୍ଚ୍ଚରେ ଲଗାଇଛି । କେତେକ ବହି ଛପାରେ ଖର୍ଚ୍ଚ କରିଛି । ବମ୍ୱେଇରୁ ଫେରି ‘ଗୀତା ଓ ସ୍ୱରାଜ୍ୟ’ ଏବଂ ‘କାରାଗାର କାହାଣୀ’ ନାମରେ ଦୁଇଖଣ୍ଡି ବହି ଛପାଇଛି । ୧୯୨୧ ମସିହାରେ ‘ଗାନ୍ଧିଜୀଙ୍କ ଜୀବନ-ଚରିତ’ ଓ ‘ସତ୍ୟବାଣୀ’ ନାମରେ ଦୁଇଖଣ୍ଡି ବହି ଛପାଇଥିଲି । ସେହି ବହି ଦୁଇଖଣ୍ଡି ସମସ୍ତଙ୍କଦ୍ୱାରା ଆଦୃତ ହୋଇଥିଲେ ମଧ୍ୟ ସନ୍ତୋଷଜନକ ବିକ୍ରି ହୋଇ ନାହିଁ । ଏପରି ଅପସ୍ଥାରେ ରାଜନୈତିକ ବହି ଛପାଇବା ଅର୍ଥ ପଇସା ପାଣିରେ ପକାଇବା ସଙ୍ଗେ ସମାନ । ରାଜନୈତିକ ବହି ଉତ୍କଳରେ ଆଦର ନ ପାଇଲେ ମଧ୍ୟ ଓଡ଼ିଆ ସାହିତ୍ୟରେ ସେପରି ବହି ରହିବା ନିହାତି ଦରକାର, ଏଥିରେ ସନ୍ଦେହ ନାହିଁ । ବ୍ୟବସାୟ ଦୃଷ୍ଟିରେ ଯେଉଁମାନେ ବହି ଲେଖନ୍ତି ଅବା ଛପାନ୍ତି ସେମାନେ ଏପରି ବହି କଦାପି ଲେଖିବେ ନାହିଁ କିମ୍ୱା ଛପାଇବେ ନାହିଁ । ଦେଶପାଇଁ ଯେଉଁମାନେ ଜୀବନ ଦାନ କରିଛନ୍ତି, ସେହିମାନଙ୍କୁ ବର୍ତ୍ତମାନ କ୍ଷେତ୍ରରେ ମଧ୍ୟ ଏପରି ବହି ଲେଖି ଛପାଇବାକୁ ହେବ । ଏହି ଭାବରେ ପ୍ରଭାବିତ ହୋଇ ମୁଁ ଉକ୍ତ ବହି ଦୁଇଖଣ୍ଡି ଛପାଇଛି । ମୋର ଆର୍ଥିକ ଅବସ୍ଥା ସଙ୍କଟାପନ୍ନ ଥିଲେ ମଧ୍ୟ ମୁଁ ତହିଁର ବିଚାର କରି ନାହିଁ । ବହି ଦୁଇଖଣ୍ଡି ପାଠ କରି ସମସ୍ତେ ପ୍ରଶଂସା କରିଛନ୍ତି, ମାତ୍ର ତହିଁର ପ୍ରସାର ସନ୍ତୋଷଜନକ ନୁହେଁ । ବମ୍ବେଇରୁ ନିଜ ଖର୍ଚ୍ଚପାଇଁ ପାଇଥିବା ପଇସାକୁ ଦେଶ କାର୍ଯ୍ୟରେ ଲଗାଇବାକୁ ସଂକଳ୍ପ କରିଥିବାରୁ ରାଜନୈତିକ ବହି ଛପାଇବାରେ କିଛି ଖର୍ଚ୍ଚ କରିଛି । ଅବଶିଷ୍ଟ ଦୁଇଶହ ଟଙ୍କା ମୋ ନିକଟରେ ଥାଏ । ପଣ୍ଡିତ ଗୋପବନ୍ଧୁ ଦାସ ପଚାଶ ଟଙ୍କା ଦେଲେ । ଏହି ଅଢ଼େଇଶ ଟଙ୍କା ଧରି କଟକ ଜିଲ୍ଲାରେ କାର୍ଯ୍ୟ ଆରମ୍ଭ କରିବାକୁ ମୁଁ ନିଶ୍ଚୟ କଲି । ବର୍ତ୍ତମାନ ଜଣାଶୁଣା ଚମ୍ପାପୁର ହାଟ ନିକଟ ସ୍ଥାନଟିକୁ ମୋର କର୍ମକ୍ଷେତ୍ର ରୂପେ ବାଛିଲି ।

 

ଏହି ସ୍ଥାନଟି କର୍ମକ୍ଷେତ୍ରରୂପେ ବାଛିବାର କାରଣ କ’ଣ ତାହା ଟିକିଏ ବୁଝାଇବା ଆବଶ୍ୟକ ମନେ କରୁଛି । ମୋର କୌଣସି ଜିଲ୍ଲାଗତ ଭାବ ନାହିଁ । ମୋର ଘର ଗଡ଼ଜାତ ହୋଇ ଥିବାରୁ କୌଣସି ବିଶିଷ୍ଟ ଜିଲ୍ଲା ଅଥବା ସ୍ଥାନପ୍ରତି ଅତ୍ୟଧିକ ଆଗ୍ରହ ଦେଖାଇବାର କିଛିମାତ୍ର କାରଣ ନାହିଁ । ଓଡ଼ିଶାର ପ୍ରତ୍ୟେକ ସ୍ଥାନ ମୋ ଦୃଷ୍ଟିରେ ସମାନ । ପଲ୍ଲୀର ପ୍ରକୃତ ଅବସ୍ଥା ମୋତେ ଜଣା ନାହିଁ । ଯେ କୌଣସିଠାରେ ବସି କାର୍ଯ୍ୟାରମ୍ଭ କରିବାର କଥା । ତେବେ ୧୯୨୧ ମସିହାର ଅସହଯୋଗ ଆନ୍ଦୋଳନ ବେଳେ କଟକଜିଲ୍ଲା ସଦର ସବ୍‌ଡିଭିଜନର କାର୍ଯ୍ୟକ୍ରମ ପରିଚାଳନା କରିବାର ଭାର ମୋ ଉପରେ ନ୍ୟସ୍ତ ଥିଲା । ସେହି ସମୟରେ ଚମ୍ପାପୁର ହାଟ ନିକଟ ବଉଳା ମଠରେ କେତୋଟି କର୍ମୀ ରହି କାର୍ଯ୍ୟ କରୁଥିଲେ । ସେମାନଙ୍କ କାର୍ଯ୍ୟ ଦେଖିବାକୁ ମୁଁ ଦୁଇ ତିନି ଥର ଏ ଅଞ୍ଚଳକୁ ଆସିଛି ଏବଂ ସଭା କରି ଅସହଯୋଗ ବାର୍ତ୍ତା ପ୍ରଚାର କରିଛି । ଏହି ସୂତ୍ରରେ ଏ ଅଞ୍ଚଳର ଲୋକେ ମୋତେ ଦେଖିଛନ୍ତି ଏବଂ ମୋ କଥା ଶୁଣିଛନ୍ତି । ଏହିଠାରେ ଗୋଟିଏ ସୂତାକଟା କେନ୍ଦ୍ର ୧୯୨୨ ରେ ସ୍ଥାପିତ ହୋଇଥିଲା । ତାହା ଛଡ଼ା ମଉଦା ଜମିଦାର ପଣ୍ଡିତ ଶ୍ରୀ ଆର୍ତ୍ତତ୍ରାଣ ମିଶ୍ରଙ୍କ ସହିତ ମୋର ଟିକିଏ ଘନିଷ୍ଠତା ଜନ୍ମିଛି । ତାହାଙ୍କର ଜ୍ୟେଷ୍ଠପୁତ୍ର ଶ୍ରୀମାନ୍ ଉପେନ୍ଦ୍ରଚନ୍ଦ୍ର ମିଶ୍ର ଓ ମୁଁ କଟକରେ ପାଠ ପଢ଼ିଲା ବେଳେ ଏକତ୍ର ମିଶନ ହିନ୍ଦୁ ହୋଷ୍ଟେଲରେ ରହିଥିଲୁ । କେବଳ ସେତିକି ନୁହେ, ଉପେନ୍ଦ୍ରଙ୍କୁ ମୁଁ ଅତିଶୟ ସ୍ନେହ ଚକ୍ଷୁରେ ଦେଖିଛି ଏବଂ ସବୁବେଳେ ତାହାଙ୍କ ପ୍ରତି ନିଜର ସାନଭାଇ ପରି ବ୍ୟବହାର କରିଛି । ପଢ଼ିଲା ବେଳେ ଥରେ ତାଙ୍କ ଗ୍ରାମକୁ ଆସିଥିଲି । ସେହିଦିନୁ ପଣ୍ଡିତ ଆର୍ତ୍ତତ୍ରାଣ ମିଶ୍ର ମୋତେ ପୁତ୍ତ୍ରବତ୍ ସ୍ନେହ କରନ୍ତି । ୧୯୨୧ରେ ତାହାଙ୍କ ଘର ଅସହଯୋଗ ଆନ୍ଦୋଳନର ଗୋଟିଏ କେନ୍ଦ୍ର ଥିଲା । ଆର୍ତ୍ତତ୍ରାଣ ବାବୁ ମୋ ସାଙ୍ଗରେ ବୁଲି କଂଗ୍ରେସ ମେମ୍ୱର କରିବାରେ ଏବଂ ତିଳକ ସ୍ୱରାଜ୍ୟ ପାଣ୍ଠିକୁ ଚାନ୍ଦା ସଂଗ୍ରହ କରିବାରେ ସାହାଯ୍ୟ କରିଛନ୍ତି । ଏହି କାରଣରୁ ସରକାରଙ୍କ କୋପଦୃଷ୍ଟିରୁ ସେ ତ୍ରାହି ପାଇ ନାହାନ୍ତି । ଚୌକିଦାରୀ ପ୍ରେସିଡେଣ୍ଟ ପଦ ତାହାଙ୍କ ଠାରୁ ଛଡ଼ାଇ ନିଆ ଯାଇଛି । ତାହାଙ୍କ କନିଷ୍ଠ ପୁତ୍ର ଶ୍ରୀମାନ୍ ମହେନ୍ଦ୍ରଚନ୍ଦ୍ର ମିଶ୍ର ଏହି ଦୋଷରୁ ଖଣ୍ଡିଏ ସରକାରୀ ଚାକିରୀ ମଧ୍ୟ ପାଇ ପାରି ନାହାନ୍ତି । ଏହିପରି ଭାବରେ ମଉଦା ଜମିଦାର ବଂଶଙ୍କ ସହିତ ମୋର ଘନିଷ୍ଠତା ଜନ୍ମିଛି । ମୁଁ ଓଡ଼ିଶାରେ କୌଣସି ସ୍ଥାନରେ ଗୋଟିଏ ସ୍ଥାୟୀ ଅନୁଷ୍ଠାନ ଗଢ଼ିବାର କଳ୍ପନା କରୁଥିବାର ସେ ଜାଣନ୍ତି । ଏହା ଜାଣି ତାହାଙ୍କ ଅଞ୍ଚଳରେ କାର୍ଯ୍ୟ କରିବା ପାଇଁ ସେ ମୋତେ ବାରମ୍ବାର ଅନୁରୋଧ କରିଛନ୍ତି । ଚମ୍ପାପୁର ହାଟ ନିକଟ କୈଥା ମଉଜା ତାଙ୍କର ଜମିଦାରୀ । ଏଠାରେ ଖଣ୍ଡିଏ ତାଙ୍କର କଚେରୀ ଘର ଅଛି । ଏହି ସ୍ଥାନଟି ବୈରୀ ରେଲ ଷ୍ଟେସନକୁ ଚାରି ମାଇଲ ଦୂର । ଗୋଟିଏ ପକା ସଡ଼କ ଅଛି । କଟକ ସହର ମଧ୍ୟ ନିକଟ । ଏହି ସବୁ କାରଣରୁ ମୁଁ ଏହି ସ୍ଥାନଟିକୁ ବାଚିଛି । ବାଚିଛି ବୋଲି କହିବା ମଧ୍ୟ ଠିକ୍ ନୁହେ । କାରଣ ଭାବି ବିଚାରି ମୁଁ ସ୍ଥାନ ବାଛି ନାହିଁ । ଗାନ୍ଧିଜୀଙ୍କ ପତ୍ର ମୋତେ ଅସ୍ଥିର କରିଥାଏ । ମୁଁ କିଛି ଭାବି ନାହିଁ କିମ୍ୱା ବିଚାର ମଧ୍ୟ କରି ନାହିଁ । ହଠାତ୍ ଏକ ମହଣ ତୂଳା, ଦୁଇ ଚାରି ଖଣ୍ଡି ଅରଟ ଓ ଦେଢ଼ଶତ ଟଙ୍କା ସହିତ ଏହିଠାରେ ଉପସ୍ଥିତ ହେଲି । ପଣ୍ଡିତ ଆର୍ତ୍ତତ୍ରାଣ ମିଶ୍ରଙ୍କ କଚେରୀ ଘର ହେଲା ମୋର ଆଶ୍ରୟସ୍ଥଳ ।

 

ଏହି ଘରେ ମୁଁ ରହିଲି । ଏ ଘରର ଅବସ୍ଥା ଟିକିଏ ନ ଲେଖିଲେ ଚଳୁ ନାହିଁ । ଜମିଦାରଙ୍କର ମାସକୁ ତିନିଟଙ୍କା ଦରମା ପାଉଥିବା ଜଣେ ତହସିଲଦାର ଏହି ଘରେ ବର୍ଷରେ ପାଞ୍ଚ ସାତ ଦିନ ରହନ୍ତି କି ନାହିଁ ସନ୍ଦେହ । ଘରଟି ସାତ ସତର ଭାଗ ମାପରେ ତିଆରି । ଘର ଚାରିପଟେ ଉଇହୁଙ୍କା ଓ ଜଙ୍ଗଲ । ଘରର ମାଟିକାନ୍ଥ ଫାଟି ଆଁ କରି ଠିଆ ହୋଇଛି । ଘରଟି ବେଠିରେ ଛପର ହୁଏ । ମୂଷା ଖାଇବାକୁ ରାତ୍ରିରେ ସାପ ଘରେ ବୁଲୁଥିବାର ମୁଁ ଦେଖିଛି । ରାତ୍ରିରେ ଚିତିସାପ ମୋ ମଶାରିରେ ପଡ଼ିଛନ୍ତି । ଏହିପରି ଘରେ ମୁଁ ରହିଲି । ହାତରେ ରୋଷେଇ କରି ଖାଏ-। ଦିନ ତମାମ ବସି ସୂତା କାଟେ । ଦିନେ ଦିନେ ନିକଟବର୍ତ୍ତୀ ଗ୍ରାମମାନ ବୁଲି ଅରଟ ଅନୁସନ୍ଧାନ କରେ । ଏହିପରି ଏକମାସ ରହିଲା ପରେ କୋଡ଼ିଏ ଖଣ୍ଡି ଅରଟ ଖୋଜି ବାହାର କଲି-। ସେଥିରେ ତୁଳା ଦେଇ ସୂତା କଟାଇଲି । ସେହି ସୂତାକୁ ଖଦଡ଼ ବୁଣାଇ କଟକ ଆସେ ବିକ୍ରି କରିବାକୁ । ଖଦଡ଼ ବିକ୍ରି ନ ହେଲେ କାମ ବନ୍ଦ । ଖଦଡ଼ ବିକ୍ରି ହେଲେ ପୁଣି ଏକ ମହଣ ତୁଳା ମଗାଏ । ସୂତା କଟାଇ, ଖଦଡ଼ ତିଆରି କରି ପୁଣି ବିକ୍ରି କରିବାକୁ ବାହାରେ । ଯେ କେତେଦିନ କଟକ ଆସେ ଜଣକୁ କିଛି ପଇସା ଦେଇ ରାତିରେ ଘର ଜଗିବାର ବ୍ୟବସ୍ଥା କରି ଦିଏ । ଏହି ହେଲା ମୋର କାର୍ଯ୍ୟାରମ୍ଭ ।

Image

 

ତୃତୀୟ ପରିଚ୍ଛେଦ

ଗ୍ରାମ ସଂଗଠନ ଆୟୋଜନ

 

ଗ୍ରାମ ସଂଗଠନ ଉଦ୍ଦେଶ୍ୟରେ ମୁଁ କାର୍ଯ୍ୟ ଆରମ୍ଭ କଲି । ଭବିଷ୍ୟତ କ’ଣ ହେବ କିଏ ଜାଣେ । ମୁଁ ମୋର ଆଦର୍ଶ ଅନୁସାରେ ଏହି ସ୍ଥାନଟିକୁ ଗୋଟିଏ ପ୍ରାଧାନ କର୍ମକେନ୍ଦ୍ର କରିବାକୁ କେତେଦୂର ସକ୍ଷମ ଏହାର କଳ୍ପନା ମଧ୍ୟ ମୁଁ କରି ପାରୁ ନାହିଁ । ଦୁଇ ବେଳା ଖାଇବାକୁ ମୋର ସମ୍ୱଳ ନାହିଁ । ଅନେକ ସମୟରେ ଉପବାସ ରହି ଯାଏ । ଯେଉଁ ପାଣ୍ଠି ହାତରେ ଅଛି ତହିଁରୁ ଖର୍ଚ୍ଚ କରିଦେଲେ କାମ କରିବି କିପରି–ଏହି ଚିନ୍ତା ସବୁବେଳେ ଅସ୍ଥିର କରେ । ବେଳେବେଳେ ଧ୍ୟୈର୍ଯ୍ୟ ଧରି ହୁଏ ନାହିଁ । ସୂତା କଟାଇ ମାସରେ ଚାଳିଶ ପଚାଶ ଟଙ୍କାର ଖଦଡ଼ ତିଆରି କରି ବିକ୍ରି କରିବାରେ ଦେଶସେବା କ’ଣ ହେଲା ? ଏଥିରେ ମୋର ତ୍ୟାଗ ଅବା ରହିଲା କ’ଣ ? ମୋର ତ୍ୟାଗ ଅବା ସେବାକୁ ବୁଝୁଛି କିଏ ? ମୋର କର୍ମ ଯଦି କାହାର ଦୃଷ୍ଟି ଆକର୍ଷଣ କରି ନ ପାରିଲା, କିମ୍ୱା ତାହା ଯଦି କାହାରିକୁ ପ୍ରଭାବିତ ନ କଲା ତେବେ ଶୁଷ୍କ ମରୁଭୂମିରେ ବସିଲା ପରି କେତେ ଦିନ ମୁଁ ବସି ପାରିବି ? ପଲ୍ଲୀବାସୀଙ୍କ ଭିତରେ ଜୀବନ ସଂଚାର ହେବାର ଉପାୟ ଅବଲମ୍ୱନ ନ କଲେ ଗ୍ରାମ ସଂଗଠନ କାର୍ଯ୍ୟରେ କୌଣସି ମୂଲ୍ୟ ନାହିଁ । ଏହା କରିବାକୁ ହେଲେ ପ୍ରଥମେ ଶିକ୍ଷା ଓ ସ୍ୱାସ୍ଥ୍ୟ ନେଇ କାର୍ଯ୍ୟ କରିବାକୁ ହେବ । କିନ୍ତୁ ଏହି କାର୍ଯ୍ୟ ପାଇଁ କର୍ମୀ ଓ ଅର୍ଥ ଲୋଡ଼ା । ଅର୍ଥ ହେଲେ କେତୋଟି କର୍ମୀ ନିଯୁକ୍ତ କରି କାମ କରା ଯାଇ ପାରେ । ଅର୍ଥ କେଉଁଠାରୁ ଆସିବ ? ଦେଶବାସୀ ମୋତେ ଅର୍ଥ ଦେବେ କେଉଁ ବିଶ୍ୱାସରେ ? ଏହିପରି ଅନେକ ପ୍ରକାର ଭାବନା ମନରେ ଖେଳିଯାଉଥାଏ । ଚାରିଆଡ଼ ମୋତେ ଅନ୍ଧକାର ଦେଖାଯାଏ । ବେଳେ ବେଳେ ସ୍ଥାନ ଛାଡ଼ି ଚାଲିଯିବାକୁ ଇଚ୍ଛା ହୁଏ ।

 

୧୯୨୫ ମସିହା ଜୁନ ମାସରେ ମୁଁ କାର୍ଯ୍ୟ ଆରମ୍ଭ କରିଛି । ବର୍ଷା ଯାଇ ଶୀତ ଆରମ୍ଭ ହେଉଛି । ଠିକ ଏହି ସମୟରେ ମ୍ୟାଲେରିଆର ପ୍ରକୋପ ଦେଖାଗଲା । ଏହିବର୍ଷ କଟକ ଜିଲ୍ଲାରେ ମ୍ୟାଲେରିଆ ଜ୍ୱର ସଂକ୍ରାମକ ରୂପେ ଦେଖାଦେଲା । ପ୍ରବଳ ଝଞ୍ଜା ପବନରେ ବୃକ୍ଷଲତା ଶୋଇଗଲା ପରି ଗ୍ରାମେ ଗ୍ରାମେ ଲୋକ ସବୁ ଜ୍ୱରରେ ପଡ଼ିଗଲେ । ଅନେକ ପରିବାରରେ ରୋଗୀକୁ ଟିକିଏ ପାଣି ଦେବାକୁ କେହି ରହିଲେ ନାହିଁ । ଏହି ଦୃଶ୍ୟ ଦେଖି ପଲ୍ଲୀ ଗ୍ରାମରେ ସ୍ଥିର ହୋଇ ବସିବା ଅସମ୍ଭବ । ମୁଁ ଖଦଡ଼ କାମ ଭୁଲିଗଲି । ସୂତାକଟା ଛାଡ଼ି ରୋଗୀସେବାରେ ମୋର ସମସ୍ତ ସମୟ ଓ ଶକ୍ତି ବ୍ୟୟ କଲି । ଏହାଦ୍ୱାରା ଲୋକଙ୍କର ଦୃଷ୍ଟି ଟିକିଏ ମୋ ଆଡ଼କୁ ପଡ଼ିଲା । ଏପର୍ଯ୍ୟନ୍ତ ଗ୍ରାମବାସୀ ମୋ ନିକଟକୁ ଆସୁ ନ ଥିଲେ । ରୋଗୀସେବା କାର୍ଯ୍ୟ ପ୍ରତିଦିନ ବହୁତ ଲୋକଙ୍କୁ ମୋ ନିକଟକୁ ଟାଣି ଆଣିଲା । ଟିକିଏ ଔଷଧ ପାଇବା ଆଶାରେ ବହୁତ ଲୋକ ମୋ ନିକଟରେ ଉପସ୍ଥିତ ହୁଅନ୍ତି । ମୁଁ ଆସିବା ବେଳକୁ ଏଠାରେ କୌଣସି ସ୍କୁଲ ନ ଥିଲା । ଗୋଟିଏ ସ୍କୁଲ ଆରମ୍ଭ କରିବାପାଇଁ ମୁଁ ପ୍ରସ୍ତାବ କଲି । ମୋର ପ୍ରସ୍ତାବରେ ଗୋଟିଏ ସ୍କୁଲ ବସିଲା । ଲୋକାଲବୋର୍ଡକୁ ଧରିବାରେ ମାସକୁ ସାତ ଟଙ୍କା କରି ଗୋଟିଏ ସାହାଯ୍ୟ ମଧ୍ୟ ମିଳିଲା । ଏହା ସହିତ ମୋର କାର୍ଯ୍ୟର ପରିସର ମଧ୍ୟ ଟିକିଏ ବଢ଼ିଗଲା । ମୁଁ ଦେଖିଲି, ଜଣେ କାହାକୁ ସାଥିରେ ନ ରଖିଲେ କାର୍ଯ୍ୟ ଚଳିବ ନାହିଁ । କିନ୍ତୁ କାହାରିକୁ ରଖିଲେ କିଛି ଦରମା ଦେବାକୁ ପଡ଼ିବ । ଏହି ଉଦ୍ଦେଶ୍ୟରେ କିଛି ଚାନ୍ଦା ସଂଗ୍ରହ କରିବାପାଇଁ କଟକ ଗଲି । କଟକରୁ ମାସିକ ଚାନ୍ଦା ବାରଟଙ୍କା ପର୍ଯ୍ୟନ୍ତ ସ୍ଥିର କରି କର୍ମକେନ୍ଦ୍ରକୁ ଫେରିଲି । ସେତେବେଳେ ମୋତେ ଯେଉଁମାନେ ସାହାଯ୍ୟ ଓ ସହାନୁଭୂତି ଦେଇଥିଲେ, ସେମାନଙ୍କ ମଧ୍ୟରେ ବାବୁ ଗୋପାଳଚନ୍ଦ୍ର ପ୍ରହରାଜ, ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତି, ଓ ବାବୁ ସତ୍ୟନାରାୟଣ ସେନଗୁପ୍ତଙ୍କର ନାମ ଉଲ୍ଲେଖଯୋଗ୍ୟ । ଏହି ସାହାଯ୍ୟରେ ମାସକୁ ବାର ଟଙ୍କା ବେତନ ଦେଇ ବୃନ୍ଦାବନ ଷଡ଼ଙ୍ଗୀ ନାମକ ଜନୈକ କର୍ମୀ ନିଯୁକ୍ତ କଲି । ବୃନ୍ଦାବନଙ୍କ ଘର ଚମ୍ପାପୁର ନିକଟରେ । ୧୯୨୧ ରୁ ସେ କଂଗ୍ରେସ କାର୍ଯ୍ୟ କରୁଛନ୍ତି । ଖଦୀକାର୍ଯ୍ୟ କିଛି ଜାଣନ୍ତି ବୋଲି ମୋର ବିଶ୍ୱାସ । ତାଙ୍କ ଉପରେ ସୂତା କଟାଇବା, ଖଦଡ଼ ବୁଣାଇବା ଓ ହିସାବ କିତାବ ରଖିବା ଭାର ଅର୍ପଣ କଲି । ଖଦୀ-ବିକ୍ରି, ଚାନ୍ଦା-ସଂଗ୍ରହ ଓ ରୋଗୀ-ସେବା ଆଦି କାର୍ଯ୍ୟ ମୋ ଉପରେ ରହିଲା । କାର୍ଯ୍ୟର ପ୍ରସାର ସହିତ ଖର୍ଚ୍ଚ ମଧ୍ୟ ବଢ଼ିଲା । ଅତିଥି କେହି କେହି ବେଳେ ବେଳେ ଉପସ୍ଥିତ ହୁଅନ୍ତି । କୌଣସି କୌଣସି ରୋଗୀ ପାଇଁ ପଥ୍ୟାଦିର ବ୍ୟବସ୍ଥା କରିବାକୁ ପଡ଼େ । ମୋର ନିଜ ଖର୍ଚ୍ଚରୁ ଏ ସବୁ ମୁଁ ବହନ କରେ । ନିଜର ଖର୍ଚ୍ଚ ବୋଲି ମାସକୁ ଚାରି ପାଞ୍ଚ ଟଙ୍କାରୁ ମୋର ଅଧିକ ଖର୍ଚ୍ଚ ନ ଥାଏ । ଅଧିକାଂଶ ସମୟରେ ଉପବାସ ରହି ମୁଁ ଏହି ଅଧିକା ଖର୍ଚ୍ଚ ବହନ କରେ ।

 

ଏହିପରି ଭାବରେ ଛମାସ ବିତିଗଲା । ଡିସେମ୍ବର ମାସରେ କଂଗ୍ରେସକୁ ଯିବାର କଥା । ଏହିବର୍ଷ କାନପୁରଠାରେ କଂଗ୍ରେସ ବସୁଛି । ଶ୍ରୀମତୀ ସରୋଜିନୀ ନାଇଡ଼ୁ କଂଗ୍ରେସର ସଭାନେତ୍ରୀ-। କଂଗ୍ରେସର କାର୍ଯ୍ୟକ୍ରମରେ ସେପରି କିଛି ନୂତନତ୍ୱ ନାହିଁ । ସେ ଯାହାହେଉ କାନପୁର କଂଗ୍ରେସରେ ମହାତ୍ମାଜୀଙ୍କ ସାକ୍ଷାତ କରି କିପରି କାର୍ଯ୍ୟ ଆରମ୍ଭ କରିଛି ସେ ସବୁ କହିଲି-। ମୁଁ ଆଶା କରିଥିଲି, ମୁଁ କାର୍ଯ୍ୟାରମ୍ଭ କରିବାର ଦେଖିଲେ ମହାତ୍ମାଜୀ ନିଶ୍ଚୟ ମୋତେ କିଛି ସାହାଯ୍ୟ କରିବେ । କିନ୍ତୁ ମୋର ସେ ଆଶା ବୃଥା । ମହାତ୍ମାଜୀ ମୋ କାର୍ଯ୍ୟ କଥା ଶୁଣି କହିଲେ, ‘‘ତୁମ୍‌ନେ ଯୋ କିୟା ଓତ୍ କୁଛ୍ ନହୀଁ ହେଁ, ତୁମ୍ ଅପନେ ପୟର୍ ସେ ଖାଡ଼ା ହୋ । ମଁ ଏ ତୁମ୍‌କୋ କୁଛଭୀ ମଦତ୍ ନହୀଁ କରସକ୍‌ତାହୁଁ ।’’ ମହାତ୍ମାଜୀ ଠାରୁ ଏପରି ନିଷ୍ଠୁର ବାଣୀ ଶୁଣିବାକୁ ପାଇବି ବୋଲି ମୁଁ ସ୍ୱପ୍ନରେ ମଧ୍ୟ ଭାବି ନ ଥିଲି । ମନେ ମନେ ବିଚାରିଲି, ମୁଁ ଅନେକ ଦିନ କିଛି କାର୍ଯ୍ୟ ନ କରି ବସି ରହିଥିବାରୁ ମହାତ୍ମାଜୀ ବୋଧହୁଏ ବିରକ୍ତ ଅଛନ୍ତି । ମହାତ୍ମାଜୀଙ୍କ ପ୍ରତି ମୋ ମନ ମଧ୍ୟ ଟିକିଏ ଚିଡ଼ିଗଲା । ମୁଁ ଭାବିଲି, ‘‘ବୁଢ଼ାଟା କିଛି ବୁଝୁ ନାହିଁ । ଖାଲି ବିରକ୍ତ ହେଉଛି । ’’ ମୁଁ ଆଉ କିଛି କହିଥାନ୍ତି କିନ୍ତୁ ଇତ୍ୟବସରରେ ପଣ୍ତିତ ମୋତିଲାଲ ପ୍ରଭୃତି କେତେକ ବିଶିଷ୍ଟ ନେତୃସ୍ଥାନୀୟ ବ୍ୟକ୍ତି ଉପସ୍ଥିତ ହେବାରୁ ମୁଁ ଉଠିଆସିଲି । ସେଠାରୁ ବମ୍ୱେଇ ଗଲି । ବମ୍ୱେଇରୁ ଅହମ୍ମଦାବାଦ ଯାଇ ପୁଣି ମହାତ୍ମାଜୀଙ୍କୁ ମୋତେ ସାହାଯ୍ୟ କରିବାକୁ ଅନୁରୋଧ କଲି । ଏଥର ମୋ କଥା ଶୁଣି ନ ଶୁଣିଲା ପରି ସେ ନୀରବ ରହିଲେ । ସେ ନୀରବ ରହିଲେ ବୋଲି ତାଙ୍କୁ ଛାଡ଼ିଦେବା ମୋର ପ୍ରକୃତି ନୁହେ । ମୁଁ ପୁଣି କହିଲି, ‘‘ଆପଣ ଯଦି ଟଙ୍କା ପଇସା ମୋତେ ସାହାଯ୍ୟ କରିବାକୁ କୁଣ୍ଠିତ ତେବେ ମୋତେ ଆର୍ଶୀବାଦ କରନ୍ତୁ ମୁଁ ଯେପରି ଏହି କାର୍ଯ୍ୟରେ କୃତକାର୍ଯ୍ୟ ହୁଏଁ । ଆଉ ମୋର ପରିଚୟ ଦେଇ ଖଣ୍ଡିଏସାର୍ଟିଫିକେଟ୍‌ ମୋତେ ଦିଅନ୍ତୁ, ଯାହାକୁ ବ୍ୟବହାର କରି ମୁଁ କିଛି ଅର୍ଥ ସଂଗ୍ରହ କରି ପାରିବି । ଏତିକି ଯଦି ନ କରନ୍ତି ତେବେ ମୋ ପକ୍ଷେ କାର୍ଯ୍ୟ କରିବା ଅସମ୍ଭବ ହେବ ।’’ ଏଥର ମହାତ୍ମାଜୀ ତାଙ୍କ ଲେଖା ଛାଡ଼ି ମୋ ଆଡ଼କୁ ଚାହିଁଲେ । ମୋତେ କହିଲେ, ‘‘ତୁ ଏତେଦିନ ମୋ ନିକଟରେ ରହି ପୁଣି ମୋଠାରୁ ପରିଚୟପତ୍ର ମାଗୁଛୁ ? ଦେବୀଦାସ (ମହାତ୍ମାଜୀଙ୍କ ସାନପୁଅ) ଯଦି କେଉଁଠାକୁ କାର୍ଯ୍ୟ କରିବାକୁ ଯାଏ ତେବେ ସେ କ’ଣ ମୋଠାରୁ ପରିଚୟପତ୍ର ମାଗିବ ? ତୋତେ ମୋର ପରିଚୟପତ୍ର ଦେବା କିଛି ଦରକାର ନାହିଁ ।’’ ଏତିକି କହି ପୁଣି ସେ ତାଙ୍କ କାର୍ଯ୍ୟରେ ମନ ଦେଲେ-। ମୁଁ ଦେଖିଲି, ଏବୁଢ଼ାକୁ କୌଣସିମତେ ବୁଝାଇ ପାରିବି ନାହିଁ । ମୁଁ ଆଉ କିଛି ନ କହି ସେଠାରୁ ଉଠି ଆସିଲି । ମହାତ୍ମାଜୀ ଯାହା କହିଲେ ସେଥିରେ ମୋର ପୂରାପୂରି ମନ ମାନିଲା ନାହିଁ-। ତାଙ୍କ ସଙ୍ଗରେ ଲାଗି ତାଙ୍କ କାର୍ଯ୍ୟରେ ବ୍ୟାଘ୍ୟାତ ଦେବା ମୋତେ ଭଲ ଲାଗିଲା ନାହିଁ । ଅହମ୍ମଦାବାଦରୁ ମୁଁ ନିରାଶ ହୋଇ ବମ୍ବେଇକୁ ଫେରିଲି । ମୋତେ ନିଜ ଗୋଡ଼ରେ ଠିଆ ହେବାକୁ ହେବ–ଏହା ବୁଝିବାକୁ ଆଉ କିଛି ବାକି ରହିଲା ନାହିଁ । ଏଥର ବମ୍ବେଇରେ କେତେକ ବନ୍ଧୁଙ୍କୁ ସମସ୍ତ କଥା କହି କିଛି ସାହାଯ୍ୟ ପ୍ରାର୍ଥନା କଲି । ସେମାନଙ୍କ ସାହାଯ୍ୟରେ ଦୁଇହଜାର ଟଙ୍କା ଧରି ଓଡ଼ିଶାକୁ ଫେରିଲି-। ଏଥର ଖଦଡ଼ କାର୍ଯ୍ୟରେ କିଛି ବେଶି ଟଙ୍କା ଖଟାଇ ଖଦୀ ଆମଦାନୀ ବଢ଼ାଇଦେଲି । ଔଷଧ ବିତରଣ କାର୍ଯ୍ୟ ପ୍ରତିଦିନ ନିୟମିତରୂପେ ଚାଲିଲା । ଦୁଇ ତିନି ଶହ ଟଙ୍କା ଖର୍ଚ୍ଚରେ ଆଉ ଖଣ୍ଡିଏ ଘର ତୋଳାହେଲା । ମାସକୁ ଆଠଟଙ୍କା ଦରମାରେ ଗ୍ରାମର ଗୋଟିଏ ଲୋକ ନିଯୁକ୍ତ କଲି । ତୁଳା, ସୂତା, ଖଦଡ଼ ନିଅ ଆଣ କରିବା ଆଦି ହେଲା ତାହାର କାର୍ଯ୍ୟ ।

 

ଏହିବର୍ଷ ଗ୍ରାମବାସୀଙ୍କ ସହିତ ଘନିଷ୍ଠ ଭାବରେ ମିଳାମିଶା କରିବାର ଯଥେଷ୍ଟ ସୁବିଧା ଓ ସୁଯୋଗ ମିଳିଲା । କାରଣ ସେମାନେ ମୋତେ ଚିହ୍ନି ପାରିବା ସଙ୍ଗେ ସେମାନଙ୍କ ଆପତ୍ତି ଅଭିଯୋଗ ନେଇ ମୋ ନିକଟରେ ଉପସ୍ଥିତ ହୁଅନ୍ତି । ଗ୍ରାମର ଅବସ୍ଥା ଜାଣିବାକୁ ମୋ ନିକଟରେ ଆଉ କିଛି ବାଧା ରହେ ନାହିଁ । ଗ୍ରାମର ସାଧାରଣ ଲୋକଙ୍କ ସହିତ ମିଳାମିଶା କରିବାରେ ପଲ୍ଲୀ ଗ୍ରାମର ପରିସ୍ଥିତ ବିଷୟରେ ମୁଁ ଯେପରି ଯାହାସବୁ ଜାଣିବାକୁ ପାଇଲି ତହିଁରେ ମୋତେ ଏକାବେଳକେ ଅନ୍ଧକାର ଦେଖାଗଲା । ମୁଁ ସ୍ପଷ୍ଟ ଦେଖି ପାରିଲି ଯେ, ବିଦେଶୀ ଶାସନର ପ୍ରଭାବରେ ଏ ଦେଶ ପ୍ରକୃତ ମୃତ ହୋଇଛି । ଲୋକଙ୍କର ଜୀବନ ନାହିଁ । ଆତ୍ମା କହିଲେ ଯାହା ବୁଝାଏ ତାହା ଏ ଦେଶରେ ନାହିଁ । ସତ୍ୟ, ନ୍ୟାୟ ଓ ଧର୍ମ ଏସବୁ ପ୍ରହେଳିକା । ଦାରିଦ୍ର୍ୟତା ସେମାନଙ୍କୁ ଶେଷ କରିଛି । ଧନୀ, ଜମିଦାର ଓ ମହାଜନମାନଙ୍କର ଦାଉରେ ସେମାନଙ୍କ ପିଣ୍ଡରେ ପ୍ରାଣ ନାହିଁ । ଧର୍ମ କହିଲେ ଠାକୁର ଠାକୁରାଣୀ ନିକଟରେ କିଛି ଭୋଗଦେବା, ନତୁବା ଗୋଟିଏ ମୁଣ୍ଡିଆ ମାରି ଟିକିଏ ତୁଳସୀପତ୍ର ଭୋଗ ପାଇବା ହୋଇଛି ଧର୍ମର ବଡ଼ ଚିହ୍ନ । ଆଖି ଆଗରେ କେହି ନ ଖାଇ ନ ପିଇ ମରି ଯାଉଥିଲେ ମଧ୍ୟ ସେ ଦୃଶ୍ୟ କାହାର ଆଖିକୁ ଦେଖାଯାଉ ନାହିଁ । ହୃଦୟରୁ ସ୍ନେହ, ମାୟା, ମମତା ଶୁଖି ଯାଇଛି । ଏପରି ଲୋକଙ୍କ ମଧ୍ୟରେ ଜୀବନ-ସଂଚାର ହେବ କିପରି ? ସହସ୍ର ବର୍ଷ ଧରି ଏପରି ଟିକିଏ ଔଷଧ ବାଣ୍ଟିଲେ କିମ୍ବା ସୂତା କଟାଇ ଖଦଡ଼ ତିଆରି କଲେ ଦେଶର କିଛି ହେବ ନାହିଁ । ଏହି ପଲ୍ଲୀ ଜୀବନରେ ପ୍ରାଣ-ସଂଚାର ହେବାର ବାଟ କେଉଁଠାରେ ? ଏହାର ଔଷଧ କ’ଣ ? ଏହିସବୁ ଚିନ୍ତା ମୋ ମନରେ ଖେଳିଲା । ମୃତ ଶରୀରରେ ପ୍ରାଣ-ସଂଜୀବନୀ-ମନ୍ତ୍ର ଦେବାପାଇଁ ମୋର ଶକ୍ତି କ’ଣ ଅଛି ମୁଁ ଭାବି ସ୍ଥିର କରି ପାରିଲି ନାହିଁ ।

 

ଗ୍ରାମ୍ୟ ଲୋକେ ଧନୀ, ମହାଜନର ଦାଉରେ, ଜମିଦାର ତହସିଲଦାରର ଜୁଲୁମରେ, ପୋଲିସର ଭୟରେ ଡରି ସଡ଼ି ଗଲେଣି । ମୋ କଥାରେ ସେମାନଙ୍କର ବିଶ୍ୱାସ ଜନ୍ମିବା ସହଜ ନୁହେ । ମୁଁ ପୁଣି ଗୋଟିଏ ଉଡ଼ି ଆସିଲା ଚଢ଼େଇ କହିଲେ ଚଳେ । ମୋର ଘର କେଉଁ ରାଜ୍ୟରେ, ମୁଁ କ’ଣ ଏବଂ କିଏ, ତାହା ସେମାନେ ଜାଣନ୍ତି ନାହିଁ । ଦେଶସେବା କରିବାକୁ ମୁଁ ବାହାରିଛି ଏ କଥାଟା ସେମାନେ ବୁଝି ପାରୁଥିଲେ ମଧ୍ୟ ହୃଦୟର ସହିତ ବୁଝି ନାହାନ୍ତି । ଅସହଯୋଗ ଦବିଗଲା ଦିନୁ, ଜିଲ୍ଲାବୋର୍ଡ ଓ କାଉନ୍‌ସିଲ ଆଦି ନିର୍ବାଚନରେ ଏହି ଧନୀ, ମହାଜନ ଓ ଜମିଦାର ଶ୍ରେଣୀର ଲୋକେ ମୋ ଭଳି କଂଗ୍ରେସ କର୍ମୀମାନଙ୍କୁ ନୀଚ ସ୍ୱାର୍ଥପର ଲୋକ ବୋଲି ଚିତ୍ରିତ କରି ଅଛନ୍ତି । ଜୀବିକା ନିର୍ବାହ କରିବାର ଅନ୍ୟ କିଛି ସୁବିଧା ନ ଥିବାରୁ ଦେଶସେବାର ବାହାନା କରି, ସାଧାରଣ ଲୋକଙ୍କଠାରୁ ଠକି ଖାଇବାକୁ ଆମ୍ଭେମାନେ ଗୋଟାଏ ବାନା ଧରି ବୁଲୁଛୁ ବୋଲି ସ୍ୱାର୍ଥପର ଲୋକେ ପ୍ରଚାର କରିବାରେ ତ୍ରୁଟି କରି ନାହାନ୍ତି । ଏହାଛଡ଼ା ଅତି ପ୍ରଚୀନ କାଳରୁ ସାଧାରଣ ଲୋକେ ଧନୀ, ଜମିଦାର ଶ୍ରେଣୀର ଲୋକଙ୍କୁ ସମାଜର ଆଦର୍ଶ ରୂପେ ଦେଖି ଆସିଛନ୍ତି । ଲୋକେ କହିବାର ମୁଁ ଜାଣେ, ‘‘ଅମୁକ ଲୋକ ଏଡ଼େ ବଡ଼ ଲୋକ ଯେତାଙ୍କ ଗୋଡ଼ ତଳେ ଲାଗେ ନାହିଁ, କିମ୍ୱା ଅମୁକ ଲୋକ ଏଡ଼େ ବଡ଼ ଲୋକ ଯେ ତା ଆଗରେ କେହି ସଳଖରେ ଠିଆ ହେବାକୁ ସାହସ କରିବ ନାହିଁ ।’’ ବଡ଼ ଲୋକ କହିଲେ ଲୋକ ସାଧାରଣଙ୍କର ଧାରଣା ଏହିପରି । ପରପାଇଁ ଅଥବା ଦେଶପାଇଁ ଯେ ଯେତିକି ତ୍ୟାଗ କରିପାରେ, ଯେ ଯେତିକି ଦୁଃଖ କଷ୍ଟ ସହିପାରେ ସେ ହେଉଛି ଯଥାର୍ଥରେ ବଡ଼ ଲୋକ, ଏପରି ଧାରଣା ଲୋକଙ୍କ ମନରେ ନାହିଁ । ଏପରି କଥା ସେମାନେ ଶୁଣିବାକୁ ପାଇ ନାହାନ୍ତି କିମ୍ବା ଏପରି ଆଦର୍ଶ ଦେଖି ନାହାନ୍ତି । ଏହା ସେମାନଙ୍କ କଳ୍ପନାର ଅତୀତ-

 

ଏପରି ଅବସ୍ଥାରେ ଲୋକସାଧାରଣଙ୍କର ମନରେ ବିଦ୍ରୋହଭାବ ଜାଗ୍ରତ କରାଇ ନ ପାରିଲେ ଗ୍ରାମ-ସଂଗଠନର କୌଣସି ମୂଲ୍ୟ ନାହିଁ । ସେମାନେ ଯେଉଁ ସବୁକୁ ଧର୍ମ ଓ ଆଦର୍ଶ ରୂପେ ଦେଖୁଛନ୍ତି ତାହାରି ବିରୁଦ୍ଧରେ ବିଦ୍ରୋହଭାବ ଜାଗ୍ରତ କରାଇବାକୁ ହେବ । ଦେଶସେବା ଓ ପରର ମଙ୍ଗଳ ଚିନ୍ତା ମନୁଷ୍ୟର ଏକମାତ୍ର ଆଦର୍ଶ ଏବଂ ତାହାହିଁ ଧର୍ମ୍ମ, ଏହି ଭାବ ପଲ୍ଲୀବାସୀର ହୃଦୟରେ ଜାଗ୍ରତ କରାଇ ନ ପାରିଲେ ଗ୍ରାମସଂଗଠନର କୌଣସି ମୂଲ୍ୟ ନାହିଁ । ଭାରତର ଅନ୍ୟାନ୍ୟ ପ୍ରଦେଶରେ ଦେଶସେବା କାର୍ଯ୍ୟ କେତେଦିନୁଁ ଆରମ୍ଭ ହେଲାଣି । ଦେଶପାଇଁ କାର୍ଯ୍ୟକରି ଦେଶ ଓ ସମାଜରେ ଜଣା ଶୁଣା କେତେ ଲୋକ ଜୀବନର ସର୍ବସ୍ୱ ତ୍ୟାଗ କରିଛନ୍ତି । ଦେଶପାଇଁ ଜେଲ ଖଟିଛନ୍ତି, ଫାଶି କାଠିରେ ଝୁଲିଛନ୍ତି ଓ ଦେଶତ୍ୟାଗୀ ହୋଇଛନ୍ତି । ମୋଟ ଉପରେ ଦେଶର ସାର୍ବଜନୀନ ଜୀବନରେ ଗୋଟିଏ ପରଂପରା ସ୍ରୋତ ବହି ଆସୁଛି । ଦେଶ ଜୀବନର ପରଂପରା ଅଛି । କିନ୍ତୁ ଓଡ଼ିଶାରେ ସେପରି ଧାରାବାହିକ ଜୀବନ କାହିଁ ? ଆମ୍ଭମାନଙ୍କଠାରୁ ଓଡ଼ିଶାର ରାଜନୈତିକ ଜୀବନ ଆରମ୍ଭ । ରାଜନୈତିକ ଜୀବନ ଓଡ଼ିଶାରେ ଆମ୍ଭେମାନେ ସୃଷ୍ଟି କରିଛୁ, ଏବଂ ଦେଶକାର୍ଯ୍ୟ କରି ଜେଲ ଖଟିଛୁ । ଓଡ଼ିଶାରେ ପରିବର୍ତ୍ତନ ଆଣିବା ପାଇଁ ସମୟ ଆବଶ୍ୟକ । ତାହା ପୁଣି ଜଣଙ୍କ ଜୀବନର କାର୍ଯ୍ୟ ନୁହେ । ପଛକୁ ପଛ ଲାଗି ନୀରବ ସାଧନା କରିବାକୁ ହେବ । ଦୁଃଖ କଷ୍ଟ ଅପମାନ ସହ ପଲ୍ଲୀ ଗ୍ରାମରେ ପଡ଼ି ରହି କାର୍ଯ୍ୟ କରିବାକୁ ହେବ । ପଲ୍ଲୀବାସୀର ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ପୁରୁଷାନୁକ୍ରମେ ସାଧନା ଆବଶ୍ୟକ । ଏହି କଥା ମୁଁ ଉପଲବ୍ଧି କଲି । ମୋ ମନରୁ ଅଧୈର୍ଯ୍ୟ ଭାବ ଓ ଅସ୍ଥିରତା ଦୂର ହେଲା । ମୁଁ ପଣ କଲି, ଏଠାରେ ମୁଁ ମରିବି ପଛକେ ଏ ସ୍ଥାନ କଦାପି ତ୍ୟାଗ କରିବି ନାହିଁ ।

 

ଏହିପରି ସଂକଳ୍ପ କରି ମୋର ଚିନ୍ତା ଓ କଳ୍ପନାକୁ ସ୍ଥୂଳ ସ୍ୱରୂପ ଦାନ କରିବାର ଆବଶ୍ୟକତା ଅନୁଭବ କଲି । ମୋର କର୍ମ ଓ ଚିନ୍ତାର ରୂପାନ୍ତର କି ନାମରେ ପ୍ରକାଶ ପାଇବ ଏଥିପାଇଁ ଚିନ୍ତିତ ହେବାକୁ ପଡ଼ିଲା । ମୋ ଜୀବନର କ୍ରମବିକାଶ ଓ ଆଦର୍ଶ, ମୋର କର୍ମ ଓ ଚିନ୍ତାର ମୂଳଭିତ୍ତି ହେବା ଦରକାର । ମହାତ୍ମା ଗାନ୍ଧିଙ୍କ କର୍ମ ଓ ଆଦର୍ଶ ମୋତେ ପ୍ରଭାବିତ କରିଛି ଏବଂ ମୋର ଜୀବନର କ୍ରମବିକାଶ ଓ ଆଦର୍ଶକୁ ପରିବର୍ତ୍ତନ କରିଛି । ମୁଁ ଯାହା କରୁଛି ଅବା ଯାହା କିଛି ଚିନ୍ତା କରୁଛି, ତହିଁରେ ମହାତ୍ମାଜୀ ପ୍ରତ୍ୟକ୍ଷ ରୂପେ ସଂଶ୍ଳିଷ୍ଟ ନ ଥିଲେ ମଧ୍ୟ ସେସବୁ ତାହାଙ୍କ ପ୍ରେରଣାର ଫଳମାତ୍ର ବୋଲି ମୁଁ ସବୁବେଳେ ଅନୁଭବ କରୁଛି । ମୋର କର୍ମପ୍ରଗତିକୁ ‘ଗାନ୍ଧିସେବାଶ୍ରମ’ ନାମରେ ପରିଚୟ ଦେବାକୁ ବହୁଦିନରୁ ମୋର ଗୋଟିଏ ଆକାଙ୍କ୍ଷା ଜନ୍ମିଛି । ଆଜି ସେହି ନାମ ଦେଇ ମୁଁ ଏହି ସ୍ଥାନରେ ଜୀବନ ଉତ୍ସର୍ଗ କରିବି ବୋଲି ସଂକଳ୍ପ କଲି । ମୋର କର୍ମକେନ୍ଦ୍ରର ନାମ ହେଲା ‘ଗାନ୍ଧିସେବାଶ୍ରମ’ ।

 

୧୯୨୬ ମସିହା ଶେଷ ହେବାକୁ ଲାଗିଲା । ଏଠାରେ କାର୍ଯ୍ୟାରମ୍ଭ କଲା ଦିନୁ ସଭା କରି ଲୋକଙ୍କୁ କିଛି କହି ନାହିଁ । ମୁଁ ଏଠାରେ କାହିଁକି ଅଛି, ଯାହାସବୁ କାର୍ଯ୍ୟ କରୁଛି ସେ ସବୁର ଉଦ୍ଦେଶ୍ୟ କ’ଣ, ଇତ୍ୟାଦି କଥା ଲୋକଙ୍କୁ ବୁଝାଇ ଦେବା ଆବଶ୍ୟକ । ଏଣୁ ଗୋଟିଏ ସଭା କରାଇଲି । ପଣ୍ଡିତ ଗୋପବନ୍ଧୁ ଦାସ ସେହି ସଭାର ସଭାପତି ହେଲେ । ଅନ୍ୟାନ୍ୟ କଂଗ୍ରେସ କର୍ମୀ ଓ ନେତାମାନଙ୍କୁ ନିମନ୍ତ୍ରଣ କରିଥିଲେ ମଧ୍ୟ ବାବୁ ରାଜକୃଷ୍ଣ ବୋଷଙ୍କ ଛଡ଼ା ଅନ୍ୟ କେହି ଆସି ପାରି ନ ଥିଲେ । ଶ୍ରୀଯୁକ୍ତ ଗୋପାଳଚନ୍ଦ୍ର ପ୍ରହରାଜ ଓ ବାବୁ ସତ୍ୟନାରାୟଣ ସେନଗୁପ୍ତ ମଧ୍ୟ ଯୋଗ ଦେଇଥିଲେ । ଲୋକସାଧାରଣ ମଧ୍ୟ ଉତ୍ସାହର ସହିତ ଯୋଗ ଦେଇଥିଲେ । ସଭାରେ ମୁଁ ମୋର ମନୋଗତ ଭାବ ନେଇ ସମସ୍ତ କଥା ବୁଝାଇଲି । ଗାନ୍ଧିସେବାଶ୍ରମର ନାମ ମଧ୍ୟ ଏହି ସଭାରେ ପ୍ରକାଶ କଲି । ଗତ ଦେଢ଼ବର୍ଷର ଗୋଟିଏ କାର୍ଯ୍ୟ ବିବରଣୀ ରିପୋର୍ଟ ଆକାରରେ ଛପା ହୋଇଥିଲା । ଆୟ ବ୍ୟୟର ଗୋଟିଏ ହିସାବ ମଧ୍ୟ ପ୍ରକାଶ କରିଥିଲି । ଏହିପରି ଭାବରେ ଆଶ୍ରମର ନାମକରଣ ଉତ୍ସବ ସଂପାଦିତ ହେଲା । ଏହି ଛପା ରିପୋର୍ଟ ନେଇ ମୁଁ ଗୌହାଟୀ କଂଗ୍ରେସରେ ମହାତ୍ମାଜୀଙ୍କୁ ଭେଟିଲି । ମୋର କାର୍ଯ୍ୟର ଖଣ୍ଡିଏ ଛପା ରିପୋର୍ଟ ପାଇ ମହାତ୍ମାଜୀ ପ୍ରଥମେ ଖୁସି ହୋଇଥିଲେ । ରିପୋର୍ଟ ଖଣ୍ଡିକ ଆମୂଳଚୁଳ ପାଠ କଲେ । ଗୌହାଟୀ କଂଗ୍ରେସରେ ମୁଁ ତାହାଙ୍କ ନିକଟରେ ରହିଥିଲେ ମଧ୍ୟ କୌଣସି ବିଷୟରେ କଥା ହେବାକୁ ସମୟ ପାଇ ନାହିଁ । ଏଣୁ କଂଗ୍ରେସ ପରେ ମୁଁ ତାହାଙ୍କ ସହିତ କଲିକତା ଫେରିଲି । ରେଳଗାଡ଼ିରେ ମୋର କାର୍ଯ୍ୟ ନେଇ କଥା ହେବାକୁ ସୁବିଧା ମିଳିଲା । ଓଡ଼ିଶାର ବର୍ତ୍ତମାନ ଅବସ୍ଥା ନେଇ କେତେକ କଥା ମୁଁ ରିପୋର୍ଟରେ ଲେଖିଥାଏ । ଏତକ ଲେଖିବା ଅନାବଶ୍ୟକ ଓ ଖଦଡ଼ କାର୍ଯ୍ୟ ସନ୍ତୋଷଜନକ ନୁହେ ବୋଲି ମହାତ୍ମାଜୀ ସମାଲୋଚନା କଲେ । ଓଡ଼ିଶାର ପରିସ୍ଥିତିରେ କିଛି କାର୍ଯ୍ୟ କରିବା କି କଠିନ କେବଳ ସେତକ ଜଣାଇଦେବା ପାଇଁ ରିପୋର୍ଟରେ ମୁଁ ସେତକ ଲେଖିଥାଏ । ମହାତ୍ମାଜୀଙ୍କ ସମାଲୋଚନା ଶୁଣି ମୁଁ କହିଲି, ‘‘ଆପଣ କିଛି ନ ବୁଝି ମୋତେ ଦୋଷ ଦେଉଥିଲେ ମୁଁ କିଛି କଲି ନାହିଁ ବୋଲି । କିନ୍ତୁ ଓଡ଼ିଶାର ପରିସ୍ଥିତିରେ କିଛି କରିବା କିପ୍ରକାର କଠିନ ତାହା ଆପଣଙ୍କୁ ଜଣାଇବା ପାଇଁ ମୁଁ ସେତକ ଲେଖିଛି ।’’ ମୋଠାରୁ ଏତକ ଶୁଣି ମହାତ୍ମାଜୀ କହଲେ, ‘‘ମୁଁ ଓଡ଼ିଶାକୁ ଦୁଇଥର ଯାଇ ଆସିଲିଣି, ଓଡ଼ିଶା କଥା ମୁଁ କିଛି ଜାଣେ ନାହିଁ ? ତୁ କ’ଣ ମୋତେ ଶିଖାଇବାକୁ ଚାହୁଁ ?’’ ଏହାର ଜବାବରେ ମୁଁ କହିଲି, ‘‘ଆପଣ ଓଡ଼ିଶା କଥା କିଛି ଜାଣନ୍ତି ନାହିଁ ସେ କଥା ତ ମୁଁ କହୁ ନାହିଁ । କିନ୍ତୁ ଓଡ଼ିଶାର ଅବସ୍ଥା ଜାଣିବାକୁ ଆପଣ କି ସୁବିଧା ପାଇଛନ୍ତି ? ଓଡ଼ିଶାରେ ଯାଇ ମାସେ ରହନ୍ତୁ ତେବେ ଆପଣ ଆମ୍ଭମାନଙ୍କ ସୁବିଧା ଅସୁବିଧା ବୁଝିପାରିବେ ।’’ ମୋର ଏପରି ଉକ୍ତି ଶୁଣି ମହାତ୍ମାଜୀ ଓଡ଼ିଶାରେ ଏକମାସ ରହିବା ପାଇଁ ଜବାବ ଦେଲେ । ପଣ୍ଡିତ ଗୋପବନ୍ଧୁ ଦାସ କଂଗ୍ରେସରୁ ଫେରି କଲିକତାରେ ଥାନ୍ତି । ସେ ହେଉଛନ୍ତି ଓଡ଼ିଶାର ଏକମାତ୍ର ନେତୃସ୍ଥାନୀୟ ବ୍ୟକ୍ତି । ତାହାଙ୍କ ସହିତ ପରାମର୍ଶ ନ କରି ମହାତ୍ମାଜୀ ଓଡ଼ିଶାକୁ ଏକମାସ ଯାଇ ରହିବା ସ୍ଥିର ହୋଇ ନ ପାରେ । ତେଣୁ ମୁଁ ଆସି ଗୋପବନ୍ଧୁ ବାବୁଙ୍କୁ ଡାକି ନେଲି । ତାହାଙ୍କ ସହିତ ଆଲୋଚିତ ହୋଇ ୧୯୨୭ ମସିହା ନଭେମ୍ବର ତା ୧୫ ରିଖରୁ ମହାତ୍ମାଜୀ ଓଡ଼ିଶାରେ ଏକମାସ ରହିବାର ସ୍ଥିର ହେଲା । ଏତେ କଥା ହେଲା, ତଥାପି କୌଣସି ପ୍ରକାର ଆର୍ଥିକ ସାହାଯ୍ୟ ଦେବାକୁ କିମ୍ବା ଦିଆଇ ଦେବାକୁ ମହାତ୍ମାଜୀ ସ୍ୱୀକୃତ ହେଲେ ନାହିଁ । ଏହିଠାରେ ମୁଁ କିଛି ବୁଝି ପାରିଲି ନାହିଁ । ମୋ ମନରେ ଏକ ପ୍ରକାର ନିରାଶ ଭାବ ଜାତ ହେଲା । ମନେ ମନେ ସ୍ଥିର କଲି, ଆଉ ଏଣିକି ମୁଁ ମହାତ୍ମାଜୀଙ୍କୁ ମୋର କାର୍ଯ୍ୟ ବିଷୟ ନେଇ କିଛି କହିବି ନାହିଁ, କିମ୍ବା ସାହାଯ୍ୟ ପାଇଁ ଅନୁରୋଧ କରିବି ନାହିଁ । ଯଦି ପାରେ ନିଜ ଚେଷ୍ଟାରେ ଠିଆ ହେବି, ନଚେତ ଯାହା ହେବାର ଥିବ ତାହା ହୋଇଯିବ ।

 

ଏପର୍ଯ୍ୟନ୍ତ ମୋର ବିଶ୍ୱାସ ଥିଲା ଯେ, ମୁଁ କିଛି କାର୍ଯ୍ୟାରମ୍ଭ କଲେ ମହାତ୍ମାଜୀ ନିଶ୍ଚୟ କିଛି ସାହାଯ୍ୟ କରିବେ କିମ୍ବା କରାଇ ଦେବେ । ସେ ଆଶା ଗଲା । ଓଡ଼ିଶାରେ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ପରସ୍ପର ପ୍ରତି ସ୍ନେହ ସହାନୁଭୂତି ବଡ଼ ଅଭାବ । ମୁଁ ଏକାକୀ କିପରି କ’ଣ କରିବି–ଏହିବିଷୟ ନେଇ ନାନା ପ୍ରକାର ଭାବନା ମନରେ ଖେଳିଲା । ତଥାପି ରିପୋର୍ଟ ଖଣ୍ଡିଏ ଧରି ବମ୍ବେଇ ବାହାରିଲି । ଅନେକ ବ୍ୟକ୍ତି ମହାତ୍ମାଜୀଙ୍କ ଠାରୁ କିଛି ଲେଖାଇ ଆଣିବାକୁ ମୋତେ ପରାମର୍ଶ ଦିଅନ୍ତି । କିନ୍ତୁ ବଡ଼ ସାବଧାନତାର ସହିତ ଏପ୍ରକାର ପ୍ରଶ୍ନର ମୁଁ ଉତ୍ତର ଦିଏ । କେହି କିଛି ନ ପଚାରିଲେ ମହାତ୍ମାଜୀଙ୍କ ନାମ ଧରେ ନାହିଁ । କାରଣ ତାହାଙ୍କ ନାମ ଧରି ପଇସା ଆଦାୟ କରିବା ଅର୍ଥ ଠକେଇବା । ଏହା ଜାଣିପାରିଲେ ହୁଏତ ମୋର ନିନ୍ଦା କରିପାରନ୍ତି । କାରଣ ମହାଦେବ ଭାଇ ଖଣ୍ଡିଏ ପତ୍ର ଡାକ୍ତର ରାଜଭ ଅଲ୍ଲିଙ୍କୁ ଲେଖି ମୋତେ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ । ମହାତ୍ମାଜୀ ତାହା ଜାଣିପାରି ମହାଦେବ ଭାଇଙ୍କୁ ଭର୍ତ୍ସନା କଲେ ଏବଂ ଡାକ୍ତର ରାଜଭ ଅଲ୍ଲିଙ୍କ ନିକଟକୁ ସାହାଯ୍ୟ ଆଣିବା ପାଇଁ ମୁଁ ନ ଯିବା ସକାଶେ ମୋତେ ମନା କରିବାକୁ ଶ୍ରୀଯୁକ୍ତ ମହାଦେବ ଦେଶାଇଙ୍କୁ ଆଦେଶ ଦେଲେ । ତଦନୁସାରେ ମହାଦେବ ଭାଇଙ୍କଠାରୁ ପତ୍ର ପାଇ ମୁଁ ଡାକ୍ତର ରାଜଭ ଅଲ୍ଲିଙ୍କ ନିକଟକୁ ଆଉ ଯାଇ ନାହିଁ । ଏଣୁ ସାହାଯ୍ୟ ସଂଗ୍ରହରେ ମହାତ୍ମାଜୀଙ୍କ ନାମ ମୁଁ ବ୍ୟବହାର କରି ନାହିଁ । ଏପରି ଅବସ୍ଥାରେ ବମ୍ବେଇରୁ ମୋ ପରି ଅଜଣା ଅଶୁଣା ଲୋକ ସାହାଯ୍ୟ ପାଇଲା କିପରି ? ମୋର ବନ୍ଧୁମାନଙ୍କ ନିକଟରୁ ବମ୍ବେଇର କେତେକ ଦାନଶୀଳ ଲୋକଙ୍କ ନାମ ସଂଗ୍ରହ କଲି । ସେମାନଙ୍କ ନିକଟକୁ ପତ୍ର ଦେଇ ଦେଖା କରିବାପାଇଁ ଗୋଟିଏ ସମୟ ନିରୂପଣ କରେ । ନିର୍ଦ୍ଦିଷ୍ଟ ସମୟରେ ଦେଖା କରି ମୁଁ ଏ ପର୍ଯ୍ୟନ୍ତ କିପରି କ’ଣ କରି ଆସିଛି ତହିଁରୁ କିଛି କହେ ଏବଂ ବର୍ତ୍ତମାନ କ’ଣ କରିବାକୁ ଇଚ୍ଛା କରିଛି ତାହା କହି ସେ ଯାହା ଯେତେଦୂର ପାରନ୍ତି ତଦନୁସାରେ ସାହାଯ୍ୟ କରିବାକୁ ଅନୁରୋଧ କରେ । ପ୍ରଥମତଃ ଏହିପରି ଭାବରେ କେତେଜଣଙ୍କଠାରୁ କିଛି ସାହାଯ୍ୟ ସଂଗ୍ରହ କଲି । ତାପରେ ସେମାନଙ୍କ ନାମ ଦେଖାଇ ଅନ୍ୟ ସାହାଯ୍ୟକାରୀ ସଂଗ୍ରହ କଲି । ଏହିପରି ଭାବରେ ବମ୍ବେଇରୁ ଦୁଇହଜାର ଟଙ୍କା ସଂଗ୍ରହ କରି ଏହି ବର୍ଷ ରେଙ୍ଗୁନ ଯାତ୍ରା କଲି । ବମ୍ବେଇରୁ ଖଣ୍ଡିଏ ଦୁଇଖଣ୍ଡି ସୁପାରିସ ପତ୍ର ରେଙ୍ଗୁନକୁ ଆଣିଥାଏ । ରେଙ୍ଗୁନରୁ ଏହିବର୍ଷ ପ୍ରାୟ ପନ୍ଦରଶହ ପର୍ଯ୍ୟନ୍ତ ଟଙ୍କା ସାହାଯ୍ୟ ପାଇଲି । ସର୍ବମୋଟରେ ଚାରିହଜାର ଟଙ୍କାର ଅର୍ଥ ସାହାଯ୍ୟ ଘେନି ଓଡ଼ିଶାକୁ ଫେରି ଆସିଲି ।

 

ବମ୍ବେଇ ଯିବା ପୂର୍ବରୁ ବୃନ୍ଦାବନ ଷଡ଼ଙ୍ଗୀଙ୍କୁ ବିଦାୟ ଦେଇଥିଲି । ତାହାଙ୍କ କାର୍ଯ୍ୟ ସନ୍ତୋଷଜନକ ନ ହେବାରୁ ତାଙ୍କୁ ବିଦାୟ ଦେଇ ପଣ୍ଡିତ କୃପାସିନ୍ଧୁ ହୋତାଙ୍କ ପରାମର୍ଶରେ ବିଶ୍ୱନାଥ ମିଶ୍ର ନାମକ ଜନୈକ କର୍ମୀଙ୍କୁ ନିଯୁକ୍ତ କରିଥାଏ । ଆଶ୍ରମରେ ଉପସ୍ଥିତ ହୋଇ ଖଦଡ଼ କାର୍ଯ୍ୟ ପ୍ରସାର କରିବାପାଇଁ ସ୍ଥିର କଲି । ଆଶ୍ରମଠାକୁ ୬ ମାଇଲ ଦୂର କଟରପା ଗ୍ରାମରେ ଗୋଟିଏ ସୂତାକଟା କେନ୍ଦ୍ର ସ୍ଥାପିତ ହେଲା । ସେଠାରେ କୃଷ୍ଣ ରାଉତ ନାମକ ଜନୈକ କଂଗ୍ରେସ କର୍ମୀ ନିଯୁକ୍ତ ହେଲେ । କୃଷ୍ଣ ରାଉତ ୧୯୨୧ରେ କଂଗ୍ରେସ କାର୍ଯ୍ୟ କରି ଜେଲ ଯାଇଥିଲେ । ବକ୍‌ସାର ଜେଲରେ ମଧ୍ୟ ସେ ମୋ ସାଥିରେ ଥିଲେ । ସେ ମାସିକ କୋଡ଼ିଏ ଟଙ୍କା ବେତନରେ ନିଯୁକ୍ତ ହେଲେ । ନିଜର ଅଭାବ ବହୁତ ଦର୍ଶାଇ ତାହା ଦୂର ନ ହେଲେ ମନପ୍ରାଣ ଦେଇ କାର୍ଯ୍ୟ କରିପାରିବେ ନାହିଁ ବୋଲି ମୋତେ କହିଲେ । ଗ୍ରାସ ସଂଗଠନ କାର୍ଯ୍ୟରେ ମାସକୁ କୋଡ଼ିଏ ଟଙ୍କା ବେତନ ବହୁତ ବେଶି । କିନ୍ତୁ ସେତେବେଳେ ଦେଶରେ କର୍ମୀ ନ ଥାନ୍ତି ବୋଲି କହିଲେ ଚଳେ । ୧୯୨୧ ରେ ଯେ କେତେଜଣ କଂଗ୍ରେସ କାମ କରିବାକୁ ବାହାରି ଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ନାମ ଶୁଣିବାକୁ ମିଳେ ନାହିଁ । ଅବଶିଷ୍ଟ କେତେଜଣ ଚରଖାସଂଘର ଖଦଡ଼ କାର୍ଯ୍ୟରେ ରହିଛନ୍ତି । ମୁଁ ବର୍ତ୍ତମାନ ଉପଯୁକ୍ତ କର୍ମୀର ଅଭାବ ତୀବ୍ର ଭାବରେ ଅନୁଭବ କରୁଛି । ଏଣୁ କଂଗ୍ରେସ କର୍ମୀ କାହାକୁ ପାଇଲେ ତାହାର ଅଭାବ ଦୂର କରି ଏହି କାର୍ଯ୍ୟରେ ନିଯୁକ୍ତ କରିବାକୁ ଚେଷ୍ଟା କରୁଛି । ଏହିସବୁ କାରଣରୁ କୃଷ୍ଣ ରାଉତଙ୍କୁ ଏତେ ଟଙ୍କା ଦେବାକୁ ବାଧ୍ୟ ହେଲି ।

 

ଏହିବର୍ଷ କପାଷ୍ଟିକିରି ନାମକ ଗ୍ରାମରେ ହଇଜା ଲାଗିଲା । ଏହି ଗ୍ରାମଟି ଆଶ୍ରମକୁ ଚାରି ମାଇଲ ଦୂର ହେବ । ଏହି ଗ୍ରାମଟି ଖଣ୍ଡିଏ ଛୋଟ ପଲ୍ଲୀଗ୍ରାମ । ଗ୍ରାମରୁ ପ୍ରତିଦିନ ଚାରି ପାଞ୍ଚ ଜଣ ହଇଜାରେ ମରିବାକୁ ଲାଗିଲେ । ଗ୍ରାମବାସୀ ଭୟରେ ତ୍ରସ୍ତ ହୋଇ ଉଠିଲେ । ନିକଟବର୍ତ୍ତୀ ଗ୍ରାମମାନଙ୍କରେ ମଧ୍ୟ ଭୟରେ ଥରି ଉଠିଲେ । ଏହି ଗ୍ରାମରେ ଉପସ୍ଥିତ ହୋଇ ସେବା କରିବା ମୋର ପରମ କର୍ତ୍ତବ୍ୟ ବୋଲି ବିଚାରିଲି । କିନ୍ତୁ ହଇଜା ମଳୁର ମୁଁ କେବେ ସେବା କରି ନାହିଁ । ହଇଜା ରୋଗ ପାଇଁ ଔଷଧ ମଧ୍ୟ ବ୍ୟବହାର କରିବାର ଜାଣେ ନାହିଁ । ଔଷଧ ଦେଇ ରୋଗୀ ଭଲ କରିବାର ଆଶା କିମ୍ୱା ସାହସ ମୋର ନାହିଁ । ତଥାପି ବିପଦ ବେଳେ ଲୋକଙ୍କ ଦୁଆରେ ହାଜର ହେବା କର୍ତ୍ତବ୍ୟ ମନେ କରି କପାଷ୍ଟିକିରି ଗ୍ରାମରେ ଉପସ୍ଥିତ ହେଲି । ସେହି ଗ୍ରାମରେ ମୁଁ ନିଜେ ରହିଲି । ମୁଁ ସେହି ଗ୍ରାମରେ ରହିବାର ପ୍ରସ୍ତାବ ଶୁଣି ଗ୍ରାମବାସୀମାନେ ପ୍ରଥମେ ବିଶ୍ୱାସ କରି ପାରିଲେ ନାହିଁ । ସେ ଯାହା ହେଉ, କପାଷ୍ଟିକିରି ଗ୍ରାମରେ ରହିବା ପରେ ମୁଁ ଦେଖିଲି, ଗ୍ରାମବାସୀମାନେ ହଇଜାକୁ ଗୋଟିଏ ମାରାତ୍ମକ ରୋଗ ବୋଲି ବିଚାରୁ ନାହାନ୍ତି । ହଇଜାକୁ ଗ୍ରାମଦେବୀ ମା ଠାକୁରାଣୀର କୋପ ବୋଲି ସେମାନେ ଭାବୁଛନ୍ତି । ପ୍ରତିଦିନ କାଳସୀଠାରେ ଦେବୀ ଅବତରି ନାନାକଥା କହୁଛନ୍ତି । ଏଥିରେ ଗ୍ରାମବାସୀମାନେ ଆହୁରି ଭୟକରି ଯାଉଛନ୍ତି । ହଇଜାର ମୂଳ କାରଣ ହେଲାଣି ଭୟ । ମୁଁ ଦେଖିଲି, ଏହି ଠାକୁରାଣୀ ଭୟ ନ ଛଡ଼ାଇଲେ ଏ ଗ୍ରାମରୁ ହଇଜା ଭଲ ହେବ ନାହିଁ । ଗ୍ରାମର କୂଅ ପୋଖରୀରେ ପଟାସ୍‍ ଆଦି ପକାଇଲି । ଘର ଘର ପଶି ମଇଳା ସଫା କରାଇଲି । ହଇଜା ରୋଗୀର ମଇଳା ପୋତାଇବାର ବ୍ୟବସ୍ଥା କଲି । ରାତିରେ କୀର୍ତ୍ତନ, ଭାଗବତ ପାଠର ବ୍ୟବସ୍ଥା ହେଲା । କାଳସୀର ଉପଦ୍ରବ କମିବ କିପରି ? ମୋ ସମ୍ମୁଖରେ ଦିନେ ରାତିରେ କାଳସୀଠାରେ ଦେବୀ ଉଭାହେଲେ । ଏ ଦେବୀ ଭଭାହେବା ମୋତେ ତାମସା ପ୍ରାୟ ବୋଧ ହେଲା । ମୁଁ ହଠାତ୍‍ କାଳସୀ ସହିତ ବାକବିତଣ୍ଡା ଲଗାଇବାରୁ ଦେବୀ ଛାଡ଼ିଗଲେ । ତା ପରେ ବହୁତ କଥା ବୁଝାଇ କାଳସୀକୁ ଏକ ଧମକ୍‍ ଦେଲି । ପୁଣି ଦେବୀ ଉଭାହେଲେ । ପ୍ରହାର ଦେଇ ପରେ ପୋଲିସ୍‍ ଥାନାରେ ତାକୁ ବନ୍ଧାଇ ଦେବି ବୋଲି କହିଲି । ଏହାଦ୍ୱାରା ଚାରି ପାଞ୍ଚ ଦିନ ଆଉ କାଳସୀ ଲାଗିଲା ନାହିଁ । ଲୋକେ ଟିକିଏ ମୋ କଥାକୁ ସତ ବୋଲି ମଣିଲେ । କାଳସୀ ବିଚାରା ଦେଖିଲା ଯେ ଏଣିକି ତା’ର ଆଉ ଖାତିରି ରହିବ ନାହିଁ । ଗାଁ ଲୋକେ ଆଉ କେହି ତାକୁ ଡରିବେ ନାହିଁ । ସୁତରାଂ ଦିନେ ରାତ୍ରି ଆଠଟାରେ ପୁଣି ଦେବୀ ଉଭାହେଲେ । ସେଦିନ ତା’ର ବିକଟାଳ ରୂପ ଓ ଚିତ୍କାର ଶୁଣି ଗ୍ରାମବାସୀମାନେ ତଟସ୍ଥ ହୋଇ ଉଠିଲେ । ମୁଁ ଯେତେ ବୁଝାଇଲି ମୋ କଥା ଶୁଣିଲେ ନାହିଁ । କାଳସୀ ମଧ୍ୟ ଧମକାଇ କହିଲା, ‘‘ତୁମେ ଗାନ୍ଧିଲୋକ ନିକଟରେ ମୋର ଅବମାନନା କରିଛ, ମୁଁ ଏ ଗ୍ରାମରୁ ଆଉ ପଚିଶ ମୁଣ୍ଡ ନେବି-।’’ ଏଥିରେ କି ଗାଁ ଲୋକେ ମୋ କଥା ଶୁଣିବେ । ମୁଁ ଦେଖିଲି, ମୋର ସମସ୍ତ ପରିଶ୍ରମ ପଣ୍ଡ ହେବା ଉପରେ । ମତେ ଏଠାରେ କିଛି କରିବାକୁ ହେବ । ମୁଁ ହଠାତ୍‍ କାଳସୀ ନିକଟ ଏକ ଠେଙ୍ଗା ଧରି ହାଜର ହେଲି । ତାକୁ କହିଲି, ତୋ ଦେବୀ କେଉଁଠାରେ ମୋତେ ଦେଖା, ନଚେତ୍‍ ଏହି ଠେଙ୍ଗାରେ ତୋ ମୁଣ୍ଡ ଚୂନା କରି ଦେବି । କାଳସୀ ବିଚାରା କହିଲା, ମୋର କ’ଣ ଦୋଷ । ମା ଅବତରିଲେ । ତାଙ୍କର ଯାହା କହିବାର ତାହା ସେ କହିଲେ, ମା ଏଟି ସେ ଘରେ ଅଛନ୍ତି । ତୁମେ କ’ଣ କରୁଛ କର । ତାଠାରୁ ଏତକ ଶୁଣି ଠାକୁରାଣୀ ଘର ନିକଟକୁ ଯାଇ ଠାକୁରାଣୀ ସମ୍ମୁଖରେ ତିନି ଗୋଇଠା ଭୂଇଁରେ ମାରି ସାରି କହିଲି, ‘‘ଏ ଦେଖ୍‍, ମା ଯଦି ସତ ହୋଇଥିବ, ସେ ଯଦି ସତେ ରାଗି ହଇଜା ରୂପେ ଗ୍ରାମବାସୀଙ୍କୁ ଖାଉଥିବ, ତେବେ ଏଠାରେ ଜୋତାରେ ଗୋଇଠା ମାରୁଛି । ତା’ର ପ୍ରତିଜ୍ଞା ଥିଲେ ଆଜି ରାତି ନ ପାଉଣୁ ମୋତେ ହଇଜା ହେବ, ମୁଁ ମରିବି । ନଚେତ୍‍ ତୋର ମା ମିଛ । ତୁ ମିଛୁଆ ଓ ଠକ ।’’ ଏହାପରେ ଦୁଇ ଘଣ୍ଟା ଧରି ଏକ ଦୀର୍ଘବକ୍ତୃତା ଦେଲି । ମୋର ଏ ବ୍ୟବହାରରେ ଗ୍ରାମରେ ଗୋଟାଏ ଚହଳ ପଡ଼ିଗଲା । ଠାକୁରାଣୀ ସତ କି ମିଛ ଏହା ଜାଣିବାକୁ ସମସ୍ତେ ଉଦବିଗ୍ନ ହୋଇ ଉଠିଲେ । ରାତି ପାଇଲା, ମୋର କିଛି ହୋଇ ନାହିଁ ଦେଖି ସମସ୍ତେ ଅବାକ୍‍ ହୋଇଗଲେ । ଆଲୋକରେ ଅନ୍ଧାର ଲୁଚିଗଲା ପ୍ରାୟ ସବୁପ୍ରକାର ଭୟ ହଠାତ୍‍ କୁଆଡ଼େ ଉଭେଇ ଗଲା । ଭୟ କମିବା ସଙ୍ଗେ ସଙ୍ଗେ ହଇଜା ମଧ୍ୟ କମିଲା । ଶେଷରେ ସେ ଗ୍ରାମରୁ ବିଦାୟ ନେଇ ମୁଁ ଆଶ୍ରମରେ ଉପସ୍ଥିତ ହେଲି ।

 

ଆଶ୍ରମ ନିକଟ ଚମ୍ପାପୁର ହାଟ । ମୁଁ ହଇଜା ସେବାରେ ଯାଇଥିବା ସମୟରେ ଏଠାରେ ଥିବା ଗୋଟିଏ ଦୋକାନରେ ଚୋରୀ ହେଲା । ସେ ବଡ଼ଚଣା ପୋଲିସରେ ଇତାଲା ଦେବାରୁ ବଡ଼ଚଣା ଥାନାର ସବଇନ୍ସପେକ୍‍ଟର ତଦନ୍ତ କରିବାକୁ ଆସିଲେ । ଚମ୍ପାପୁର ଗ୍ରାମରେ ଗୋଟିଏ ନାଟ ଆଖଡ଼ା ଦଳ ଥାଏ । ଏହି ନାଟ ଦଳରେ ଯୋଗ ଦେଇଥିବା ପ୍ରତ୍ୟେକ ପିଲାଙ୍କୁ ଧରି ମାଡ଼ ଦେଇ ରାତି ତମାମ ଅଟକାଇ ରଖି ସମସ୍ତଙ୍କ ନିକଟରୁ ପ୍ରାୟ ଦେଢ଼ଶତ ଟଙ୍କା ରିସପତ ଖାଇ ଚାଲିଗଲେ । ନାଟଦଳର ଓସ୍ତାତ କ୍ଷେତ୍ରବାସୀ ନାୟକ ଉପରେ ବେଶି ମାଡ଼ ହୋଇଥାଏ । ମୁଁ ଆଶ୍ରମରେ ଉପସ୍ଥିତ ହେବାର ଦିନକ ପୂର୍ବରୁ ଏସବୁ ଘଟି ଯାଇଥାଏ । ମୁଁ ଆସିବାର ଶୁଣି କ୍ଷେତ୍ରବାସୀ ନାୟକର ବାପ ମୋ ନିକଟକୁ ଔଷଧି ପାଇଁ ଆସିଲା । ତା ପୁଅର ଦେହ ଦରଜ, ସେ ବିଛଣାରୁ ଉଠି ପାରୁ ନାହିଁ, ଏଥିପାଇଁ ଔଷଧି ଦରକାର । ପୋଲିସ ମାଡ଼ରେ ସେ ମଲା ପ୍ରାୟ ହୋଇଛି, ଏତକ କହିବାକୁ ତାହାର ସାହସ ନାହିଁ । ଦରଜର କାରଣ କ’ଣ ପଚାରିଲେ କ୍ଷେତ୍ରବାସୀ ନାୟକ ବାପ କାନ୍ଦୁଛି, ଆଉ କିଛି କହୁନାହିଁ । ତା’ର କାନ୍ଦିବାରେ କିଛି ରହସ୍ୟ ଅଛି ଅନୁମାନ କରି ମୁଁ ଚମ୍ପାପୁର ଗ୍ରାମକୁ ଗଲି । ସେଠାରୁ ସମସ୍ତ ଘଟଣା ବୁଝିବାକୁ ପାଇଲି । ଏହି ସଂବାଦ ପାଇ ମୁଁ କ୍ରୋଧରେ ଅନ୍ଧ ହୋଇଗଲି । ମୋ ପରି ଜଣେ କଂଗ୍ରେସ କର୍ମୀ ଏଠାରେ ଥିବାସ୍ଥଳେ ପୋଲିସ୍‍ ଯଦି ଏପରି ଅତ୍ୟାଚାର କରିବାକୁ ସଶଂକିତ ନ ହୁଏ ତେବେ ମୁଁ ଏ ସ୍ଥାନରେ ରହିବା ଉଚିତ ନୁହେ-। ଏପରି ଅହଂଭାବ ମନରେ ଜାଗି ଉଠିଲା । ଦେଶର ଜନସାଧାରଣଙ୍କ ସେବା କରୁଥିବା ଯେ କେହି ବ୍ୟକ୍ତି ପ୍ରତି ସରକାରୀ ଅଫିସରଙ୍କ ଭୟ ରହିବା ଉଚିତ । ସେହିମାନେ ସରକାରୀ କର୍ମଚାରୀଙ୍କ ସମାଲୋଚକ । ସେହିମାନେ ଦେଶରେ ଲୋକମତ ଗଠନ କରନ୍ତି । ଏପରି ଅବସ୍ଥାରେ ବଡ଼ଚଣା ପୋଲିସ୍‍ ନିର୍ଭୀକ ଭାବରେ ଏଠାରେ ଜୁଲମ କରିଯିବ, ଏହା ନୀରବରେ ସହ୍ୟ କରିବା ମୋ ପକ୍ଷେ ଅସମ୍ଭବ । ପୋଲିସ, ଜମିଦାର ଓ ମହାଜନଙ୍କର ଏପରି ଜୁଲମ ଅତ୍ୟାଚାରରୁ ଯଦି ଲୋକଙ୍କୁ ରକ୍ଷା କରାଯାଇ ନ ପାରେ ଗ୍ରାମ ସଂଗଠନର କିଛି ମୂଲ୍ୟ ନାହିଁ । ମୁଁ ଏଠାରେ ଥିବାର ଜାଣି ଯଦି କୌଣସି ବ୍ୟକ୍ତି ଗ୍ରାମବାସୀମାନଙ୍କ ପ୍ରତି ଜୁଲମ କରିବାକୁ ଭୟଭୀତ ନ ହୁଏ ତେବେ ମୋର ଦେଶସେବା କାର୍ଯ୍ୟର ମୂଲ୍ୟ ଅବା କ’ଣ ଅଛି । ଏହିପରି ଅନେକ ଭାବନା ମୋ ମନରେ ଖେଳିଲା । ମୁଁ କ୍ଷେତ୍ରବାସୀ ନାୟକକୁ ସଙ୍ଗରେ ନେଇ ବଡ଼ଚଣା ପୋଲିସ୍‍ ବିରୁଦ୍ଧରେ ମକଦ୍ଦମା ଦାୟର କରାଇଲି । ମକଦ୍ଦମା ଆଠ ମାସ ପର୍ଯ୍ୟନ୍ତ ଚାଲିଲା । ମୋର ସେଥିରେ ତିନିଶହ ଟଙ୍କା ଖର୍ଚ୍ଚ । ଏହି ମକଦ୍ଦମା ବିଚାର ହୋଇ ଯେପରି ନିଷ୍ପତ୍ତି ହେଲା ସେ ବିଷୟରେ କିଛି ଲେଖିବା ଅନାବଶ୍ୟକ । ବ୍ରିଟିଶ କୋର୍ଟରେ କିପରି ନ୍ୟାୟ ବିଚାର ହୁଏ ତାହା ସମସ୍ତଙ୍କୁ ଜଣା ଅଛି । ସେ ଯାହା ହେଉ, ପୋଲିସ୍‍ ବିରୁଦ୍ଧ ମକଦ୍ଦମାରେ ଗ୍ରାମବାସୀମାନେ ଜୟ ପାଇ ପୋଲିସକୁ ଶାସ୍ତି ମିଳିଲା ନାହିଁଏହା ଅବଶ୍ୟ ସତ୍ୟ । କିନ୍ତୁ ପରିଣାମରେ ଏହାର ଫଳ ଖୁବ୍‍ ଭଲ ହୋଇଛି । ଏହି ଦିନୁ ଏଠାରେ ଲୋକଙ୍କର ସାହସ ବଢ଼ିଛି, ସେମାନଙ୍କ ଆଖି ଫିଟିଛି । ଲୋକଙ୍କୁ ଧମକାଇବାକୁ ଆଉ କେହି ସାହସ କରି ନାହିଁ । ଲୋକଙ୍କ ଭୟ ବିପଦରେ ମୁଁ ଯାଇ ସାହାଯ୍ୟ କରିପାରେ ଏହି ବିଶ୍ୱାସ ସେମାନଙ୍କର ଜନ୍ମିଲା । ମୋର କଳ୍ପିତ ଆଶ୍ରମର ମୂଳଭିତ୍ତି ସ୍ଥାପିତ ହେଲା ବୋଲି କହିଲେ ଚଳେ ।

Image

 

ଚତୁର୍ଥ ପରିଚ୍ଛେଦ

ଗାନ୍ଧିସେବାସଂଘର ଶୁଭ ପ୍ରଦାନ

 

ବଡ଼ଚଣା ପୋଲିସ ବିରୁଦ୍ଧରେ ମୋକଦ୍ଦମା ଯଥାତଥା ଭାବରେ ନିଷ୍ପତ୍ତି ପାଇଲା । ବିଚରା କ୍ଷେତ୍ରବାସୀ ନାୟକ ନାମରେ ପୋଲିସ ୨୧୧ ଦଫାରେ ମୋକଦ୍ଦମା ଦାଏର କରି ମଧ୍ୟ ଜୟ ଲାଭ କରି ନାହିଁ । କିନ୍ତୁ ଏହି ମୋକଦ୍ଦମା ଚାଲୁଥିବାବେଳେ ବହୁତ ଲୋକ ମୋର ଶତ୍ରୁ ହୋଇ ଠିଆ ହେଲେ । ଏ ଅଞ୍ଚଳରେ ମୁଁ ବହୁତ ଶତ୍ରୁ ଭିଆଇଲି । ପ୍ରକାଶ୍ୟ ଓ ଅପ୍ରକାଶ୍ୟ ଭାବରେ କେତେକ ଜମିଦାର ଓ ମହାଜନ ଶ୍ରେଣୀର ଲୋକେ ମୋ ବିରୁଦ୍ଧରେ ଲାଗିଲେ । ଏହି ମୋକଦ୍ଦମାରେ ମୁଦେଇ ଓ ସାକ୍ଷୀମାନଙ୍କୁ ମିଥ୍ୟା ମୋକଦ୍ଦମା କରିଥିବାର ପ୍ରମାଣ କରାଇ, ସେମାନଙ୍କୁ ଜେଲ ଦେଇ ପାରିଲେ ପୋଲିସ ପକ୍ଷ ମୋତେ ଯେପରି ହଇରାଣ କରିବେ, ଏହାର ଚେଷ୍ଟା ଚାଲିଲା । ମୋତେ ଏକାକୀ ଦେଖି ମାଡ଼ଦେବା, ଆଶ୍ରମର ଘର ପୋଡ଼ିଦେବା ଇତ୍ୟାଦିର ଚେଷ୍ଟା କରା ଯାଇଛି । ସେମାନେ ବୁଝିଲେ ଯେ ଏଥିରେ ଯଦି ପୋଲିସ ଦଣ୍ଡ ପାଇଯାଏ ତେବେ ସାଧାରଣ ଲୋକଙ୍କର ମୁହଁ ପାଇଯିବ । ସେମାନଙ୍କ ସାହସ ବଢ଼ିଯିବ । ତାହା ହେଲେ ଏହି ଧନୀ ମାନୀ ଲୋକେ ଆଉ ନିଜର ବଡ଼ାଇ ଦେଖାଇ ପାରିବେ ନାହିଁ । ଲୋକସାଧାରଣଙ୍କ ମୁହଁ ବଢ଼ାଉଛି ମୁଁ । ମୋତେ ସାଧ୍ୟ କରି ଗୋଟାଏ ଉପଯୁକ୍ତ ଶିକ୍ଷା ଦେଲେ ମୁଁ ଏ ସ୍ଥାନ ଛାଡ଼ି ପଳାଇବି । ଲୋକେ ଯେପରି ଡରି ସଡ଼ି ପଡ଼ିଛନ୍ତି ସେପରି ରହିବେ ।

 

ଏ ସବୁ ବ୍ୟାପାର ମୁଁ ଯେପରି ଏବଂ ଯେତିକି ଜାଣିଛି ଏଠାରେ ଦୃଢ଼ ହୋଇ ବସିବା ପାଇଁ ମୁଁ ସେତିକି ଟାଣ ହୋଇଛି, ନାନାପ୍ରକାର କାର୍ଯ୍ୟରେ ମୁଁ ନିଜକୁ ଭସାଇ ଦେଇଛି । ରୋଗୀ-ସେବାଠାରୁ ସ୍କୁଲକୁ ପିଲାଙ୍କୁ ଡାକି ଆଣିବା ପର୍ଯ୍ୟନ୍ତ ଯାବତୀୟ କାର୍ଯ୍ୟ କରିଛି । ମୁଁ ମୋର ମନ ପ୍ରାଣ ଦେଇ ଖଟିଛି । ମୋର ଶତ୍ରୁମାନେ ମନେ ମନେ ମୋ ପ୍ରତି ଶତ୍ରୁତାଚରଣ କଲେ ମଧ୍ୟ ମୋର ସମ୍ମୁଖରେ ସେମାନେ ମୋର ପରମ ମିତ୍ର । ସେମାନଙ୍କ ମୁଖରୁ ପଛରେ ଲୋକେ ମୋର ନିନ୍ଦା ଣୁଣନ୍ତି । ମୋର ସମ୍ମୁଖରେ ସେମାନେ ପୁଣି ମୋର ପ୍ରଶଂସା ଶୁଣନ୍ତି । ଏହାଦ୍ୱାରା ଲୋକେ ମନେ କଲେ ଯେ, ଏହି ଧନୀ ବଡ଼ଲୋକମାନେ ମୋତେ ଡରୁଛନ୍ତି; ଫଳରେ ଲୋକଙ୍କର ଭୟ ଓ ଭକ୍ତି ମୋ ପ୍ରତି ଟିକିଏ ବଢ଼ିଲା । ତଥାପି ମୁଁ ଦେଖେ ଯେ ଜଣେ ଧନୀ ମହାଜନ ଓ ଜମିଦାରର କଥାକୁ ପାଳିବାକୁ ସେମାନେ ଯେତେ ବ୍ୟଗ୍ରତା ଦେଖାନ୍ତି ମୋ କଥା ଶୁଣିବାକୁ ସେପରି ବ୍ୟଗ୍ରତା ନ ଥାଏ । ଏଥିରୁ ମୁଁ ଅନୁମାନ କଲି ଯେ ଲୋକେ ମୋ କଥା ଯେପରି ଭାବରେ ଶୁଣିବା ଉଚିତ ସେପରି ଭାବରେ ଶୁଣୁ ନାହାନ୍ତି । ମୋ କାର୍ଯ୍ୟର ମହତ୍ତ୍ୱ ହୁଏତ କିଛି ନାହିଁ । ନଚେତ୍‍ ମୋର ସେବା ଭାବ ସେମାନଙ୍କୁ ପ୍ରଭାବିତ କରିପାରୁ ନାହିଁ । ମୋର ସେବା କର୍ମରେ ତ୍ୟାଗ ଫୁଟି ଉଠୁ ନାହିଁ । ସେମାନଙ୍କ ପାଇଁ, ଦେଶ ପାଇଁ ମୁଁ ତ୍ୟାଗ କରିଛି ଅବା ଦୁଃଖ କଷ୍ଟ ସହି ଏଠାରେ ପଡ଼ିଛି, ଏ ଦୃଶ୍ୟ ସେମାନଙ୍କ ଆଖିରେ ପଡ଼ୁ ନାହିଁ । ମୁଁ ନିଜ ଭିତରକୁ ଦେଖୁଛି । ମୋର ଚିନ୍ତା ଓ କର୍ମକୁ ପରୀକ୍ଷା କରୁଛି । କିନ୍ତୁ କାହିଁରେ ମୋର କିଛି ସ୍ୱାର୍ଥ ଥିଲା ପରି ମୋତେ ଦେଖାଯାଉ ନାହିଁ ।

 

ଆମ ଦେଶରେ ଲୋକ ସାଧାରଣ ଧନୀ, ଜମିଦାର, ବଡ଼ ଲୋକମାନଙ୍କ କାର୍ଯ୍ୟକୁ ବେଶି ଦେଖନ୍ତି । ସାଧୁ, ବୈଷ୍ଣବମାନଙ୍କ କାର୍ଯ୍ୟକୁ ଭକ୍ତି ଓ ସମ୍ମାନ କରନ୍ତି । ଦେଶସେବାରେ ନିଃସ୍ୱାର୍ଥପରତା ଅଛି ବୋଲି ସେମାନେ କଳ୍ପନା କରି ପାରୁ ନାହାନ୍ତି । ବିଭବ ଥିଲେ ତ୍ୟାଗ ଫୁଟି ଉଠେ । ଅନ୍ଧାର ଥିଲେ ଆଲୋକର ମହତ୍ତ୍ୱ ବୁଝି ହୁଏ । ମୋ ପରି ଜଣେ ଅଜଣା ଅଶୁଣା ଲୋକର କାର୍ଯ୍ୟକୁ ସବୁବେଳେ ଲୋକେ ବୁଝିବା ସହଜ ନୁହେଁ । ମୋ କାର୍ଯ୍ୟରେ କିଛି ସ୍ୱାର୍ଥଭାବ ନାହିଁ ଏହା ନୀରକ୍ଷର ପଲ୍ଲୀବାସୀ ସହଜରେ ହୃଦୟଙ୍ଗମ କରିବା ସହଜ ନୁହେଁ । ଅତି ପ୍ରାଚୀନ କାଳରୁ ଆମ ଦେଶର ଲୋକେ ଧନୀ, ଜମିଦାରମାନଙ୍କୁ ଆଦର୍ଶ କରି ଦେଖିଛନ୍ତି । ସୁଖ ଦୁଃଖରେ ସେମାନଙ୍କର ସାହାଯ୍ୟ ସହାନୁଭୂତି ଲାଭ କରିବା ପାଇଁ ଲାଳାୟିତ ହୋଇଛନ୍ତି । ଆପଦ ବିପଦରେ ସେମାନଙ୍କ ପରାମର୍ଶ ଲୋଡ଼ିଛନ୍ତି । ଏବେ ମଧ୍ୟ ସେମାନଙ୍କର ସେହି ମନୋବୃତ୍ତି ଅଛି । ଏହି ମନୋବୃତ୍ତି ବଦଳିବ କିପରି ? ନୀରକ୍ଷର ପଲ୍ଲୀବାସୀ ଭଲମନ୍ଦ ଓ ସୁଖଦୁଃଖରେ ଧନୀ, ଜମିଦାର ଓ ମହାଜନମାନଙ୍କର ପରାମର୍ଶ ପାଇଁ ଲାଳାୟିତ ନ ହୋଇ ଦେଶସେବା କରୁଥିବା ବ୍ୟକ୍ତି କିମ୍ୱା ଅନୁଷ୍ଠାନ ନିକଟରେ ସେହି ପରାମର୍ଶ ପାଇଁ ଉପସ୍ଥିତ ହେବେ, ଏହି ଦିଗରେ ପଲ୍ଲୀବାସୀର ମନୋବୃତ୍ତି ପରିବର୍ତ୍ତନ କରି ନ ପାରିଲେ ଗ୍ରାମସଂଗଠନର କୌଣସି ମୂଲ୍ୟ ନାହିଁ । ପଲ୍ଲୀଜୀବନର ଦୃଷ୍ଟି ଓ ଚିନ୍ତାଧାରାରେ ବିପ୍ଳବ ସୃଷ୍ଟି କରିବାକୁ ହେବ । ଏହିପରି ଭାବନା ମୋ ମନରେ ଯେତେ ପ୍ରକାରରେ ଜାଗି ଉଠିଲା ମୁଁ ସେତେ ଭାବରେ ନିଜ ଭିତରକୁ ଦୃଷ୍ଟି ଦେଲି । କିଛି କାର୍ଯ୍ୟ କଲେ ତାହାର ଫଳାଫଳ ପ୍ରତି ଦୃଷ୍ଟି ନ ଦେଇ ଆଗ ସଂବାଦପତ୍ରରେ ପ୍ରକାଶ କରିବାକୁ ମନ ଦୌଡ଼େ । କିନ୍ତୁ ଏ ସବୁ ଭାବନା ପରେ ନୀରବରେ ବସି କାର୍ଯ୍ୟ କରିବାକୁ ମୁଁ ପସନ୍ଦ କରିଛି । କୌଣସି ସଂବାଦ ଖବରକାଗଜକୁ ପଠାଇ ନାହିଁ । ଉତ୍କଳର କୌଣସି ସଭା ସମିତିରେ ଯୋଗ ଦେଇ ନାହିଁ । ମୁଁ ଯେତେବେଳେ ଯାହା ଆବଶ୍ୟକ ମନେ କରିଛି ତଦନୁସାରେ କାର୍ଯ୍ୟ କରିଛି । ଏଠାରେ ସ୍ଥାୟୀ ଅନୁଷ୍ଠାନ ଗୋଟିଏ ଗଢ଼ିବାକୁ ସଂକଳ୍ପ କରିଛି । ସ୍ଥାୟୀ ଅନୁଷ୍ଠାନ ଗଢ଼ିବାକୁ ହେଲେ ଖଣ୍ଡିଏ ସ୍ଥାୟୀ ଘର ଦରକାର, ସୁତରାଂ ଖଣ୍ଡିଏ କୋଠାଘର କରିବାର ଆବଶ୍ୟକତା ଅନୁଭବ କଲି ।

 

ଏହିବର୍ଷ ମହାତ୍ମା ଗାନ୍ଧି ଓଡ଼ିଶାକୁ ଆସିବାର ଥାଏ । ତାହାଙ୍କ ଦ୍ୱାରା ଘର ତଥା ଆଶ୍ରମର ଶୁଭାନୁଷ୍ଠାନ କ୍ରିୟା ସମ୍ପାଦନ କରିବାପାଇଁ ସ୍ଥିର କଲି । ନଭେମ୍ୱର ତା ୧୫ ରିଖରୁ ମହାତ୍ମାଜୀ ଓଡ଼ିଶାରେ ଏକମାସ ରହିବାର ସ୍ଥିର ହୋଇଥିଲା ମାତ୍ର କାର୍ଯ୍ୟବଶତଃ ତାହା ହୋଇ ପାରିଲା ନାହିଁ । ସେ ଡିସେମ୍ୱର ମାସରେ ଆସି କେବଳ କୋଡ଼ିଏ ଦିନ ଓଡ଼ିଶାକୁ ଦେଇ ପାରିବେ ବୋଲି ଲେଖିଲେ । ନିଖିଳ ଭାରତ ଚରଖା ସଙ୍ଘର କାର୍ଯ୍ୟରେ ମହାତ୍ମାଜୀ ପରିଭ୍ରମଣ କରୁଥାନ୍ତି । ଏହି ଚରଖାସଂଘ ଉତ୍କଳ ଶାଖାର ଏଜେଣ୍ଟ ବାବୁ ନିରଞ୍ଜନ ପଟ୍ଟନାୟକ । ମହାତ୍ମାଜୀ ଉତ୍କଳକୁ ଖଦୀ ଓ ଚରଖା ପ୍ରଚାର ଉଦ୍ଦେଶ୍ୟରେ ଆସୁଛନ୍ତି । ତେଣୁ ସେ କେଉଁଠାକୁ ଯିବା ନ ଯିବାର କଥା ଚରଖା ସଙ୍ଘର ଏଜେଣ୍ଟ ବାବୁ ନିରଞ୍ଜନ ପଟ୍ଟନାୟକ ସ୍ଥିର କରୁଥାନ୍ତି । ମହାତ୍ମାଜୀ ଓଡ଼ିଶା ଆସିବାର ମୂଳ କାରଣ ମୁଁ । ତଥାପି ମୋତେ କିଛି ନ କହି ଅବା ନ ଜଣାଇ ନିରଞ୍ଜନ ବାବୁ ନିଜେ ନିଜେ ଗୋଟିଏ ଗସ୍ତ ପ୍ରୋଗ୍ରାମ ସ୍ଥିର କରୁଥାନ୍ତି । ମୋର କର୍ମକେନ୍ଦ୍ରକୁ ଆସିବା ମହାତ୍ମାଜୀଙ୍କ ଗସ୍ତ ପ୍ରୋଗ୍ରାମରେ ନ ଥାଏ । ଏ ସବୁ ଜାଣି ମୁଁ ମନେ ମନେ ବଡ଼ ବିରକ୍ତ ଓ ଦୁଃଖିତ ଥାଏ । ତଥାପି ଆଶ୍ରମ ପାଇଁ କଳ୍ପିତ କୋଠାଘର ଶୁଭ ପକାଇବା କାର୍ଯ୍ୟ ମହାତ୍ମା ଗାନ୍ଧି ଯେପରି ସମ୍ପାଦନ କରିବେ ସେଥିପାଇଁ ସବୁପ୍ରକାର ଆୟୋଜନ କରୁଥାଏ । ଘରର ଗୋଟିଏ ନକ୍‍ସା ଅଙ୍କନ କରାଇ ଥାଏ । ଅନ୍ୟାନ୍ୟ ଉପକରଣ ସଂଗ୍ରହ କରିଥାଏ । ମହାତ୍ମା ଗାନ୍ଧି ଆନ୍ଧ୍ରପ୍ରଦେଶରୁ ଓଡ଼ିଶାରେ ପ୍ରବେଶ କଲେ । ସେ ଓଡ଼ିଶାରେ ପଦାର୍ପଣ କରିବା ମାତ୍ରକେ ତାହାଙ୍କ ନିକଟରେ ହାଜର ହେବା ମୋର ଉଚିତ । କିନ୍ତୁ ଜାଣି ବୁଝି ମୁଁ ତାହା କଲି ନାହିଁ । ମହାତ୍ମାଜୀ ଓଡ଼ିଶାରେ ଉପସ୍ଥିତ ହୋଇ ପ୍ରଥମେ ମୋତେ ଖୋଜିଛନ୍ତି ଏବଂ ମୋ କଥା ପଚାରିଛନ୍ତି । ଏହା ମଧ୍ୟ ମୋତେ କେହି ଜଣାଇ ନାହାନ୍ତି । ବାଣପୁରରୁ ମହାତ୍ମାଜୀ ମଟରରେ ବୋଲଗଡ଼ ଯାତ୍ରା କଲେ । ଏହି ବୋଲଗଡ଼ ଯିବା ରାସ୍ତାରେ ଖୋରଧାଠାରେ ମୁଁ ମହାତ୍ମାଜୀଙ୍କୁ ଭେଟିଲି । ମୋତେ ଦେଖିଲା ମାତ୍ରକେ ମହାତ୍ମାଜୀ କହିଲେ, ‘‘ତୁମ୍ ଅବତକ୍‍ କିଧର୍ ଥା, ତୁମ୍‌କୋ ମଏଁ ଢୁଁଢ଼୍‍ ରହାହୁଁ ।’’

 

ମହାତ୍ମାଜୀଙ୍କ ଏଭଳି କଥାରେ ମୋର କିଛି ଉତ୍ତର ଦେବାର ନାହିଁ । ମୁଁ କିଛି ନ କହି ତାହାଙ୍କ ଗାଡ଼ିରେ ବସି ବୋଲଗଡ଼ ଗଲି । ବୋଲଗଡ଼ରେ ମହାତ୍ମାଜୀ ତିନିଦିନ ରହଣି କଲେ । ଏହିଠାରୁ ଶ୍ରୀଯୁକ୍ତ ମହାଦେବ ଦେଶାଇ, କାକା କ୍ୟାଲେଲକର ପ୍ରଭୃତି ଆମ୍ଭେମାନେ କେତେଜଣ ନୟାଗଡ଼ ବୁଲିବାକୁ ଗଲୁ । ନୟାଗଡ଼ ଇଟାମାଟି ଗ୍ରାମ ଦେଖି କାକା ସାହେବ ଓ ମହାଦେବ ଭାଇ ଉଭୟଙ୍କ ଆନନ୍ଦର ସୀମା ନ ଥିଲା । ଉତ୍କଳର ପଲ୍ଲୀଜୀବନ କିପରି ସରଳ ଓ ଉନ୍ନତ ଥିଲା ସେ ବିଷୟ ନେଇ ବହୁତ ଆଲୋଚନା ଚାଲିଲା । ଓଡ଼ିଆର ଜାତୀୟ ଜୀବନର ଚିହ୍ନ ଦେଖିବାପାଇଁ ଇଟାମାଟି ଗ୍ରାମରେ ଜଣେ ଦୁଇଜଣଙ୍କ ଘରେ ସେମାନେ ପ୍ରବେଶ କରି ସବୁ ତନ୍ନ ତନ୍ନ କରି ଦେଖିଥିଲେ । ସେମାନେ ଦେଖିଲେ ସକାଳୁ ଘରଦ୍ୱାର ଲିପାପୋଛା ହୋଇଛି । ଗୋରୁଗୁହାଳଟି ସଫାହୋଇ ପାଉଁଶ ଛିଞ୍ଚା ହୋଇଛି । କଂସାବାସନ ଗୁଡ଼ିକ ମଜାହୋଇ ଗୋଟିଏ ସ୍ଥାନରେ ସାଇତା ହୋଇଛି । ଅଗଣାରେ ତୁଳସୀଚଉରାଟି ସଫା ଓ ସତେଜ ଅଛି । ଏ ସବୁ ଦେଖି ମହାଦେବ ଭାଇ ଓ କାକା ସାହେବ ଭାବବିହ୍ୱଳ ହୋଇଗଲେ ବୋଲି କହିଲେ ଚଳେ । କାକା ସାହେବ ହଠାତ୍‍ କହି ପକାଇଲେ ‘‘How beautiful, how simple and innocent look these people and their dwellings.’’ ଅର୍ଥାତ୍‍ ଏହି ଲୋକେ ଏବଂ ସେମାନଙ୍କ ବସବାସ ଦେଖିବାକୁ କି ସୁନ୍ଦର, ସରଳ ଓ ନିରୀହ । କିନ୍ତୁ ଏ ସୌନ୍ଦର୍ଯ୍ୟ ଓ ସରଳତା ଭିତରେ ଜୀବନ ନାହିଁ । ସବୁ ମୃତ । ଶାସନର ସ୍ୱେଚ୍ଛାଚାରିତାରେ ପଲ୍ଲୀଜୀବନଧାରା ଶୁଖି ଯାଇଛି । ଭୟରେ ଏ ଲୋକଙ୍କ ପିଣ୍ଡରେ ପ୍ରାଣ ନାହିଁ । ଇଟାମାଟିରେ ଏହିପରି କେତେ କଥା ଦେଖିଲୁ ଓ କେତେ ମଧ୍ୟ ଆଲୋଚନା ଚାଲିଲା । ବିଶେଷତଃ ଗଡ଼ଜାତ ରାଜ୍ୟରେ ପ୍ରବେଶ କରିଥିବାରୁ ମୋତେ ସବୁ ସୁନ୍ଦର ଲାଗୁଥାଏ । ଏ ସମାଲୋଚନା ମଧ୍ୟ ମଧୁର ବୋଧ ହେଉଥାଏ । ଶେଷରେ ଇଟାମାଟିରୁ ଫେରି ଆସିଲୁ । ବୋଲଗଡ଼ରୁ ମହାତ୍ମାଜୀ ସତ୍ୟବାଦୀ, ପୁରୀ ହୋଇ ବାଲେଶ୍ୱର ଗଲେ । ମୁଁ ତାହାଙ୍କୁ ଶୁଭଦେବା କଥା ଜଣାଇଛି । ଏହି ଶୁଭ ଦେବା କାର୍ଯ୍ୟ ଆୟୋଜନ କରିବାପାଇଁ ମୁଁ ଆଶ୍ରମକୁ ଫେରିଲି ।

 

ମହାତ୍ମାଜୀ ବାଲେଶ୍ୱରରୁ କଟକ ଫେରିଲେ । ତାହାଙ୍କ ଦେହ ଭଲ ନ ଥାଏ । ତାହାଙ୍କ ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ନ ରଖି ତାହାଙ୍କୁ ଅନବରତ ଖଟାଇବାରେ ସେ କଟକରେ ଆସି ବେମାର ପଡ଼ିଲେ । କଟକରେ ଆସି ମହାତ୍ମାଜୀ ଶ୍ରୀଯୁକ୍ତ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଘରେ ରହିଲେ । ମହାତ୍ମାଜୀ ଶ୍ରୀଯୁକ୍ତ ପ୍ରହରାଜଙ୍କ ଘରେ ରହିବାରେ ମୋର ହାତ ଅଛି । ପ୍ରହରାଜେ ଖଦଡ଼ ପିନ୍ଧି କଂଗ୍ରେସବାଲା ପାଲଟି ଅଛନ୍ତି । ମୋର ଇଚ୍ଛା ସେ କିପରି ଜଣେ ଟାଣ କଂଗ୍ରେସବାଲା ହୁଅନ୍ତୁ । ଏହି ଇଚ୍ଛାରେ ମହାତ୍ମା ଗାନ୍ଧିଙ୍କୁ ତାହାଙ୍କ ଘରେ ରଖାଇବାର ଆୟୋଜନ କରାଯାଇଛି । ସେ ଯାହାହେଉ ଏହିଠାରେ ମୋ ଆଶ୍ରମକୁ ଯାଇ ଶୁଭଦେବା ପ୍ରଶ୍ନ ଉଠିଲା । ମହାତ୍ମାଜୀ ମୋର ପ୍ରାର୍ଥନା ରକ୍ଷା କଲେ । କିନ୍ତୁ ଡାକ୍ତରମାନଙ୍କ ପରାମର୍ଶ ଅନୁସାରେ କଟକରେ ବିଶ୍ରାମ ନେବାର ସ୍ଥିର ହେଲା । କଟକଜିଲ୍ଲା ପାଇଁ ଦେଇଥିବା ତିନି ଚାରିଦିନ ମହାତ୍ମାଜୀ କଟକରେ ରହି ବିଶ୍ରାମ ନେଲେ-। ମୋତେ କହିଲେ, ‘‘ମୁଁ ଯଦି ଆଗ୍ରହ କରେ ତେବେ ସେ ମୋ ଆଶ୍ରମକୁ ଯାଇ ଶୁଭଦେବା କ୍ରିୟା ସମ୍ପାଦନ କରିବାକୁ ପ୍ରସ୍ତୁତ ।’’ ମହାତ୍ମାଜୀ ମୋ ଉପରେ ଏହି ଦାୟିତ୍ୱ ଫିଙ୍ଗିଦେଲେ । ଏକ ବିଷମ ସମସ୍ୟା ମୋର ସମ୍ମୁଖୀନ ହେଲା । ମହାତ୍ମା ଗାନ୍ଧି ଆଶ୍ରମର ଶୁଭଦେବେ ବୋଲି ମୁଁ ଏକ ବିରାଟ ଆୟୋଜନ କରିଛି । ସେ ନ ଯିବା କଥା ମୁଁ କଳ୍ପନା କରିପାରୁ ନାହିଁ । ବର୍ତ୍ତମାନ ତାହାଙ୍କ ଯିବା ନ ଯିବା ଭାର ମୋ ଉପରେ । ତାହାଙ୍କୁ ନେଇ ଶାନ୍ତିପୂର୍ଣ୍ଣ ଭାବରେ କାର୍ଯ୍ୟ ସଂପାଦନ କରିବା ଅସମ୍ଭବ । ଲୋକ ଭିଡ଼ ଓ କୋଳାହଳରୁ ସେ ମୁକ୍ତ ପାଇବେ କିପରି ? ତାହାଙ୍କୁ ନେବା ଦ୍ୱାରା ଯଦି ଅଧିକ ମାତ୍ରାରେ ସେ ପୀଡ଼ିତ ହୋଇ ପଡ଼ନ୍ତି ଏଥିପାଇଁ ସାରା ଦେଶର କ୍ରୋଧ ଓ ବିରକ୍ତିଭାବ ମୋ ଉପରେ ଅଜାଡ଼ି ହୋଇ ପଡ଼ିବ । ଏ ସବୁ ବିଚାର କଲା ବେଳକୁ ମହାତ୍ମାଜୀଙ୍କୁ ଆଶ୍ରମକୁ ନେବା ପାଇଁ ମୋର ସାହାସ ପାଇଲା ନାହିଁ । ସେ ନ ଗଲେ ତହିଁରେ ମୋର କୌଣସି ଦୁଃଖ ନାହିଁ ବୋଲି ମୁଁ ଜଣାଇଲି । ମହାତ୍ମାଜୀ ସ୍ୱୟଂ ଗଲେ ନାହିଁ, କିନ୍ତୁ ଏହି ଶୁଭକ୍ରିୟା ସଂପାଦନ କରିବାକୁ ଶ୍ରୀମତୀ ମିରାବାଈ, କାକା କ୍ୟାଲେଲ୍‍କର ଓ ଶ୍ରୀଯୁକ୍ତ ମହାଦେବ ଦେଶାଇଙ୍କୁ ପଠାଇଲେ । ମହାତ୍ମାଜୀ ନିଜ ହାତରେ ଲେଖି ଗୋଟିଏ ସନ୍ଦେଶ ଦେଲେ । କଳ୍ପିତ କୋଠାଘର ନକ୍‍ସାରେ ଲେଖିଦେଲେ ଯେ ‘‘Mira Bahin will, lay the foundation of this proposed building on my behalf & it should be taken as if I have laid the foundation.’’ ଅର୍ଥାତ୍‍ ଭଉଣୀ ମିରା ମୋ ନାମରେ ଏହି କୋଠାର ଶୁଭ ଦେବେ, ଏହାକୁ ମୁଁ ଶୁଭ ଦେଲି ବୋଲି ବୁଝିବାକୁ ହେବ ।

 

କଟକରୁ ମହାତ୍ମାଜୀ ମାନ୍ଦ୍ରାଜ କଂଗ୍ରେସକୁ ଗଲେ । ମୁଁ ଏଥର କଂଗ୍ରେସକୁ ନ ଯାଇ ବମ୍ୱେଇ ଯାତ୍ରା କଲି । ବମ୍ୱେଇରେ ଭଟ୍ଟି ସେବାସମାଜ ନାମକ ଗୋଟିଏ ସମିତି ଅଛି । ଭାଟିଆ ଗୋଷ୍ଠୀର ଯୁବକମାନେ ଏହି ସମିତି ଗଢ଼ିଥାନ୍ତି । ପାର୍ଶିମାନଙ୍କୁ ଛାଡ଼ିଦେଲେ ବମ୍ୱେଇ ସହରରେ ଏହି ଭାଟିଆ ଗୋଷ୍ଠୀର ଲୋକେ ବଡ଼ ଧନୀ ଓ ବ୍ୟବସାୟୀ । ଏହି ଧନୀ ବ୍ୟବସାୟୀ ଯୁବକମାନଙ୍କ ମଧ୍ୟରେ ମୋର କେତେକ ପରିଚିତ ବନ୍ଧୁ ଅଛନ୍ତି । ଏମାନଙ୍କ ସାହାଯ୍ୟ ସହାନୁଭୂତିରେ ଗାନ୍ଧିସେବାଶ୍ରମକୁ ଗୋଟିଏ ସ୍ଥାୟୀ ଅନୁଷ୍ଠାନ ରୂପେ ଗଢ଼ିବାକୁ ମୁଁ ସାହାସ କରିଛି । ସେହି ବନ୍ଧୁମାନଙ୍କ ସାହାଯ୍ୟରେ ଭଟ୍ଟି ସେବାସମାଜର ଯୁବକମାନେ ମୋତେ ସାହାଯ୍ୟ କରିବା ପାଇଁ ଦୁଇଟି ନାଟକ ଅଭିନୟ କରିଥିଲେ । ତହିଁରୁ ମୋତେ ଚାରି ହଜାର ଟଙ୍କା ସାହାଯ୍ୟ ମିଳିଲା । ଆଶ୍ରମ କୋଠା ପାଇଁ ସେମାନେ ଏହି ସାହାଯ୍ୟ ଦେଲେ । ଆଶ୍ରମ କୋଠାର ନାମ ହେବ ‘ଭଟ୍ଟି ସେବାସମାଜ ବିଲିଡିଙ୍ଗ୍’ । ଏହା ଛଡ଼ା ଆଉ ହଜାରେ ଟଙ୍କା ମଧ୍ୟ କୋଠା ପାଇଁ ଅନ୍ୟାନ୍ୟ ବନ୍ଧୁମାନଙ୍କଠାରୁ ସାହାଯ୍ୟ ପାଇଲି । ବମ୍ୱେଇରୁ ଓଡ଼ିଶାକୁ ଫେରିଲି । ଏହି ବର୍ଷ ସର୍ବ ମୋଟରେ ଆଠହଜାର ଟଙ୍କା ଚାନ୍ଦା ସଂଗ୍ରହ କଲି । ଆଶ୍ରମରେ ଉପସ୍ଥିତ ହୋଇ ଆଶ୍ରମ କୋଠା ଖଣ୍ଡି କିପରି ଗଢ଼ା ହେବ ତହିଁର ଆୟୋଜନ କଲି । କିନ୍ତୁ ଖାଲି ଘର ତିଆରି କରିବାରେ ସମୟ ଦେଲେ ଚଳିବ ନାହିଁ । ଆଶ୍ରମର ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ଦେଖିବାକୁ ହେବ । ଏଣେ କୃଷ୍ଣ ରାଉତଙ୍କ କାର୍ଯ୍ୟ ସନ୍ତୋଷଜନକ ବୋଧ ହେଲା ନାହିଁ । ମୁଁ ଯେଉଁ ଆଦର୍ଶରେ କାର୍ଯ୍ୟାରମ୍ଭ କରିଛି ସେଥିପ୍ରତି ତାଙ୍କର ଦୃଷ୍ଟି ନାହିଁ । ସେ ସବୁବେଳେ ତାହାଙ୍କ ଘରର ଅବସ୍ଥା ନେଇ ଯେତେ ଚିନ୍ତିତ, କାର୍ଯ୍ୟ ପାଇଁ ତେତେ ଚିନ୍ତିତ ନୁହନ୍ତି । ତାଙ୍କ କାର୍ଯ୍ୟ ଓ ମନୋବୃତ୍ତି ମୋତେ ଉତ୍ସାହିତ କରି ନ ପାରିବାରୁ ତାହାଙ୍କୁ ବିଦାୟ ଦେବାକୁ ବାଧ୍ୟ ହେଲି । ଏହାପର ଆଶ୍ରମର କାର୍ଯ୍ୟ ଦୁଇଭାଗରେ ବିଭକ୍ତ କରି ଦେଲି । ଗୋଟିଏ ହେଉଛି ଖଦୀ ଆମଦାନୀ କାର୍ଯ୍ୟ ଅନ୍ୟଟି ଗ୍ରାମସଂଗଠନ । ଖଦି କାର୍ଯ୍ୟକୁ ବ୍ୟବସାୟ ଦୃଷ୍ଟିରେ ଚଳାଇବାକୁ ହେବ । ଖଦୀ କର୍ମିମାନେ ବେତନ ପାଇ କାର୍ଯ୍ୟ କରିବେ । ଖଦୀ ଆମଦାନୀ ଓ ବିକ୍ରିହେବା ସେମାନଙ୍କର ଏକମାତ୍ର କାର୍ଯ୍ୟ । ଖଦୀ କାର୍ଯ୍ୟ ପାଞ୍ଚ ହଜାର ଟଙ୍କାରେ ବର୍ତ୍ତମାନ ଚାଲୁଛି-। କଟରପାରୁ କେନ୍ଦୁପଟ୍ଟଣାକୁ କାର୍ଯ୍ୟର ସୀମା ବଢ଼ାଇବା ପାଇଁ ବିଚାର ଚାଲିଛି । କୃଷ୍ଣ ରାଉତଙ୍କୁ ବିଦାୟ ଦେଇ ଚିନ୍ତାମଣି ଭୂୟାଁ ନାମକ ଜନୈକ କଂଗ୍ରେସ କର୍ମୀଙ୍କୁ କଟରପା କେନ୍ଦ୍ରରେ ରଖିଲି । ଏଣେ ବିଶ୍ୱନାଥ ମିଶ୍ରଙ୍କ ହିସାବ ପତ୍ରରେ କେତେକ ସନ୍ଦେହ ହେବାରୁ ସେ ଆଶ୍ରମ ଛାଡ଼ି ପଳାଇଗଲେ । ତାହାଙ୍କ ସ୍ଥାନରେ ଶ୍ରୀମାନ୍‍ ରଘୁନାଥ ପଣ୍ଡା ନିଯୁକ୍ତ ହେଲେ । ରଘୁନାଥ ୧୯୨୧ରେ ମାଟ୍ରିକ୍‌ ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିଲେ । ଅସହଯୋଗ ଆନ୍ଦୋଳନରେ ସ୍କୁଲ ଛାଡ଼ି କଂଗ୍ରେସ କାର୍ଯ୍ୟ କରୁଥିଲେ । ସେତେବେଳୁ ମୁଁ ତାଙ୍କୁ ଜାଣେ । ଆଶ୍ରମ ନିକଟ ରୁଦ୍ରପୁର ଗ୍ରାମରେ ତାଙ୍କର ଘର । ତାଙ୍କୁ ଆଶ୍ରମରେ ରଖାଇବା ପାଇଁ ସତ୍ୟବାଦୀଠାରେ ପୁରୀ ରିଲିଫ୍‍ ଖଦୀକେନ୍ଦ୍ରରେ ଶିକ୍ଷା ଦେବାକୁ ପଠାଇଥିଲି । ବିଶ୍ୱନାଥ ମିଶ୍ରଙ୍କ ବିଦାୟ ନେବାପରେ ଏହି ରଘୁନାଥ ଆଶ୍ରମର ସମସ୍ତ ଭାର ଗ୍ରହଣ କଲେ ।

 

ବୃନ୍ଦାବନ ଷଡ଼ଙ୍ଗୀ, କୃଷ୍ଣ ରାଉତ ଓ ବିଶ୍ୱନାଥ ମିଶ୍ରଙ୍କୁ ବିଦାୟ ଦେବା ପରେ ମୋ ମନରେ ନାନାପ୍ରକାର ଭାବ ଜାତ ହେଲା । କେବଳ କଂଗ୍ରେସ କର୍ମୀ ବୋଲି ବାଛିଲେ ସବୁବେଳେ ସେମାନେ ମନ ପ୍ରାଣ ଦେଇ କାର୍ଯ୍ୟ କରିବେ ଏହି ବିଶ୍ୱାସ ଆଉ ମୋର ରହିଲା ନାହିଁ । ଆଶ୍ରମର କାର୍ଯ୍ୟ ଦିନକୁ ଦିନ ବଢ଼ିଯାଉଛି । ମୁଁ ପୁଣି ନାନା କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ କରିବାକୁ ବିଚାର କରୁଛି-। ଏପରି ଅବସ୍ଥାରେ ଗୋଟିକ ପରେ ଗୋଟିଏ କର୍ମୀ ଯଦି ଅବିଶ୍ୱାସର କାର୍ଯ୍ୟ କରି ବିଦାୟ ହୋଇ ଯାନ୍ତି ତେବେ ଶେଷ ଫଳ କଦାପି ଆଶାଜନକ ନୁହେଁ । ଏହିପରି ଭୟ ଜାତ ହେବା ସ୍ୱାଭାବିକ । ଏହି କର୍ମୀମାନେ ଚୋରିକରି ଟଙ୍କା ପଇସା ଖାଇଯିବା ଇଚ୍ଛାରେ କେହି କିଛି କରିନାହାନ୍ତି । ହିସାବ କିତାବରେ ଗୋଳମାଳ ଦେଖାଯାଉଛି । ତାହା ହିସାବ ରଖି ନ ଜାଣିବା ଦୋଷ ବୋଲି ମନେ ହୁଏ-। କେବଳ ସେମାନଙ୍କ ମନୋବୃତ୍ତି, ଗ୍ରାମ ସଂଗଠନର ଅନୁକୂଳ ବୋଲି ମୋର ବିଶ୍ୱାସ ହେଲା ନାହିଁ-। ତେଣୁ ସେମାନେ ବିଦାୟ ନେଲେ । ସେମାନଙ୍କୁ ବିଦାୟ ଦେଇ ନୂତନ ବ୍ୟବସ୍ଥାରେ ମଧ୍ୟ ମନ ମାନିଲା ନାହିଁ । ଆଉ ଜଣେ କେହି ଦାୟିତ୍ୱପୂର୍ଣ୍ଣ ସାଥି ନ ହେଲେ ମୁଁ ଏକାକୀ ସବୁ କାର୍ଯ୍ୟ ଦେଖି ଶୁଣି କରିବା ସହଜ ନୁହେଁ । ଏହା କିଛି ଗୋଟାଏ ବ୍ୟବସାୟ ନୁହେଁ । ଏହି କାର୍ଯ୍ୟରେ ପ୍ରତ୍ୟେକ କର୍ମୀର ମୌଳିକତା ନ ଥିଲେ କୌଣସି କାର୍ଯ୍ୟରେ ଅଗ୍ରସର ହେବା କଠିନ ହେବ । ଭାବ ଓ ଚିନ୍ତାରେ ମୌଳିକତା ଥିଲେ କର୍ମ ଆପେ ଆପେ ଦେଖାଦେବ । ଗୋଟିଏ ଆଦର୍ଶ ସମ୍ମୁଖରେ ନ ଥିଲେ ଭାବ ଓ ଚିନ୍ତା ରାଜ୍ୟରେ ପୁଣି ମୌଳିକତା ରହିବା ସହଜ ନୁହେଁ । ଏପରି ଆଦର୍ଶ ଥିବା କର୍ମୀ ଦେଶରେ କାହାନ୍ତି ? ଆଦର୍ଶ ପାଇଁ ଜୀବନର ସର୍ବସ୍ୱ ପଣ କରିଥିବା କର୍ମୀ ନ ହେଲେ ଗ୍ରାମ ସଂଗଠନ କାର୍ଯ୍ୟ ହୋଇ ନ ପାରେ । ଏହି ମାପ କାଠିରେ ମାପିଲା ବେଳକୁ କୌଣସି କର୍ମୀର କାର୍ଯ୍ୟ ମୋତେ ସନ୍ତୋଷ ଦେଇ ପାରୁ ନାହିଁ । କର୍ମ ଓ ଚିନ୍ତାରେ ମୌଳିକତା କାହା ନିକଟରେ ମୁଁ ଦେଖୁ ନାହିଁ । ତେଣୁ ଗୋଟିକ ପରେ ଗୋଟିଏ କର୍ମୀଙ୍କୁ ବିଦାୟ ଦେଇ ନୂତନ କର୍ମୀ ରଖି କାର୍ଯ୍ୟ କରିବାକୁ ଅଗ୍ରସର ହେଉଛି । ଜଣେ ସାଥି ଖୋଜୁଛି । ଜଗତସିଂହପୁର ଅଳକାଶ୍ରମ ଭାଙ୍ଗି ଯାଇଛି । ଏ ଅନୁଷ୍ଠାନଟି ଭାଙ୍ଗିବା ଉଚିତ ନ ଥିଲା । ଶ୍ରଯୁକ୍ତ ଗୋପବନ୍ଧୁ ଚୌଧୁରୀ, ବାବୁ ଭାଗିରଥି ମହାପାତ୍ର, ପଣ୍ଡିତ ପ୍ରାଣକୃଷ୍ଣ ପ୍ରତିହାରୀ ପ୍ରଭୃତି ବଡ଼ ବଡ଼ କର୍ମୀ ଅଳକାଶ୍ରମ ଗଢ଼ିବାକୁ ମନ ପ୍ରାଣ ଢାଳି ଦେଇଥିଲେ । ଏ ସମସ୍ତଙ୍କ ଘର ଜଗତସିଂହପୁର । ଏମାନଙ୍କ ସୁନାମ ଓ ପ୍ରତିପତ୍ତି ଦେଶରେ ଅଛି । ଏପରି ଅବସ୍ଥାରେ ଅଳକାଶ୍ରମ ଭାଙ୍ଗିଯିବା ଅତ୍ୟନ୍ତ ପରିତାପର ବିଷୟ । ଓଡ଼ିଶାରେ ଗୋଟିଏ ମାତ୍ର ଜାତୀୟ ଅନୁଷ୍ଠାନ ରହୁ ନାହିଁ । ଏହାର ଏକମାତ୍ର କାରଣ କର୍ମୀମାନଙ୍କ ମଧ୍ୟରେ ଚିନ୍ତା ଓ ଆଦର୍ଶରେ ଐକ୍ୟଭାବର ଅଭାବ । ଆଦର୍ଶକୁ ସମ୍ମୁଖରେ ରଖି ଅବିଚଳିତ ଭାବରେ ପଡ଼ି ରହି କାର୍ଯ୍ୟ କରିବାକୁ ହେଲେ ଯେ ପ୍ରକାର ଧୈର୍ଯ୍ୟ ଓ ସାଧନା ଆବଶ୍ୟକ ତାହା ଓଡ଼ିଶାର କର୍ମୀମାନଙ୍କ ନିକଟରେ ନାହିଁ । ଅଳକାଶ୍ରମ ଭାଙ୍ଗି ଯିବା ଦ୍ୱାରା ମୋ ମନରେ ଏକ ଆତଙ୍କ ଉପସ୍ଥିତ ହୋଇଛି । ଅଳକାଶ୍ରମର ସହଯୋଗରେ ମୁଁ ଆଉ ଗୋଟିଏ ଅନୁଷ୍ଠାନ ଗଢ଼ିବାକୁ ଉଦ୍ୟୋଗ କଲାବେଳକୁ ଅଳକାଶ୍ରମ ଭାଙ୍ଗି ଯାଉଛି । କର୍ମୀମାନେ ଇତସ୍ତତଃ ହେଲେଣି । ପଣ୍ଡିତ ପ୍ରାଣକୃଷ୍ଣ ପ୍ରତିହାରୀ କର୍ମଶୂନ୍ୟ ହୋଇ ବସିଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହାଙ୍କ ଉପରେ ମୋର ଦୃଷ୍ଟି ପଡ଼ିଲା । ମୋ ସହିତ ଯୋଗ ଦେବାକୁ ପଣ୍ଡିତ ପ୍ରାଣକୃଷ୍ଣଙ୍କୁ ମୁଁ ଅନୁରୋଧ କଲି ।

 

ପଣ୍ଡିତଜୀଙ୍କର ବହୁତ ଅଭାବ । ସେ କିଛି ଟଙ୍କା କରଜ କରିଛନ୍ତି । ଏ ସବୁ ଅଭାବ ଅସୁବିଧା ଦୂର ନ ହେଲେ ସେ କୌଣସି କାର୍ଯ୍ୟରେ ହାତ ଦେଇ ପାରିବେ ନାହିଁ । ଏସବୁ ଯଥାର୍ଥ କଥା । ପଣ୍ଡିତ ପ୍ରାଣକୃଷ୍ଣ ଯଦି ଆଜୀବନ ମୋ ସହିତ କାର୍ଯ୍ୟ କରିବାକୁ ପ୍ରସ୍ତୁତ ହୁଅନ୍ତି ତେବେ ଉକ୍ତ ଋଣ ପରିଶୋଧର ବ୍ୟବସ୍ଥା କରିବାକୁ ମୁଁ ସ୍ୱୀକୃତ ହେବି । ଋଣ ପରିଶୋଧ କରିବା ପର୍ଯ୍ୟନ୍ତ ସେ ମାସକୁ ଚାଳିଶ ଟଙ୍କା ନେବେ, ତା’ରପର ମାସକୁ ପନ୍ଦର ଟଙ୍କା ଖର୍ଚ୍ଚ ନେଇ ମୋ ସହିତ କାର୍ଯ୍ୟ କରିବେ ବୋଲି କଥା ସ୍ଥିର ହେଲା । ତଦନୁସାରେ ପଣ୍ଡିତ ପ୍ରାଣକୃଷ୍ଣ ପ୍ରତିହାରୀ ଚମ୍ପାପୁରରେ ଆସି ଉପସ୍ଥିତ ହେଲେ । ଆଶ୍ରମ ପରିଚାଳନାର ସମସ୍ତ ଭାର ତାହାଙ୍କ ଉପରେ ଦେଇ, ମୁଁ ଟିକିଏ ଆଶ୍ୱସ୍ତ ହେଲି ।

 

ଆଶ୍ରମର କିଛିଦୂରରେ ଯାଜପୁର ସବଡିଭିଜନ୍‍ର ଧୋଇଆ ମୂଲକ । କାଠଯୋଡ଼ି ନଦୀରେ ଅଠରଫୁଟ ପାଣି ହେଲେ ଏ ଅଞ୍ଚଳ ଧୋଇରେ ଯାଏ । ଏହି ଧୋଇ ସମସ୍ୟା ବିଚାର କରିବାକୁ ଭାକୁଡ଼ ଗ୍ରାମ ନିକଟରେ ଗୋଟିଏ ସଭା ହୋଇଥିଲା । ଉକ୍ତ ସଭାରେ ପଣ୍ଡିତ ଗୋପବନ୍ଧୁ ଦାସ ସଭାପତି ହୋଇଥିଲେ । ନଦୀ ମୁହାଣ ତିନୋଟି ଥିବାରୁ ଏ ଅଞ୍ଚଳ ଧୋଇ ହେଉଛି । ଏହି ମୁହାଣ ତିନୋଟିରେ କବାଟ ଲଗା ତିନୋଟି ବନ୍ଧ ବାନ୍ଧି ଦେଲେ ଧୋଇ ହେବାର ସମ୍ଭାବନା ରହିବ ନାହିଁ । ଏହି ମୁହାଣମାନଙ୍କ ବନ୍ଧ ବାନ୍ଧିବାର ସଭାରେ ସ୍ଥିର ହେଲା । ଏ ଅଞ୍ଚଳର ଲୋକେ ସାହାଯ୍ୟ ଦେଇ ବନ୍ଧ ବାନ୍ଧିବେ । ଏଥିପାଇଁ କର୍ମୀ ଲୋଡ଼ା । ପଣ୍ଡିତ ଗୋପବନ୍ଧୁ ଦାସ ଏହି କାର୍ଯ୍ୟ କରାଇବା ପାଇଁମୋତେ ଅନୁରୋଧ କରିଥାନ୍ତି । ଏ ଅଞ୍ଚଳର ଲୋକେ ମଧ୍ୟ ମୋର ସହଯୋଗ ମାଗିଛନ୍ତି । ଏପରି ଅବସ୍ଥାରେ ପଣ୍ଡିତ ପ୍ରତିହାରୀଙ୍କ ଉପରେ ଆଶ୍ରମଭାର ଅର୍ପଣ କରି ଏହି ଧୋଇୟା ଅଞ୍ଚଳରେ କାର୍ଯ୍ୟ କରିବାକୁ ମୁଁ ବାହାରିଲି । ଭାକୁଡ଼ ଗ୍ରାମର ପଣ୍ଡିତ ନରସିଂହ ମିଶ୍ର ମୋ ସହିତ ଯୋଗ ଦେଲେ । ହିସାବ କରି ଦେଖିବାରେ ଗୋଟିଏ ମୁହାଣରେ ବନ୍ଧ ବାନ୍ଧିବାକୁ ହେଲେ ଅତି କମ୍‌ରେ ପାଞ୍ଚଶତ ଟଙ୍କା ଆବଶ୍ୟକ । ଏଣୁ ଗୋଟିଏ ମୁହାଣ ବନ୍ଧାଇବା ପାଇଁ ଚେଷ୍ଟା କରାଗଲା । ସେ ଅଞ୍ଚଳର ଜମିଦାର ବାବୁ କାର୍ତ୍ତିକଚନ୍ଦ୍ର ପାଳ, ଗୌରଚନ୍ଦ୍ର ପାଳ ପ୍ରଭୃତି ଆମ୍ଭ ଦୁଇଜଣଙ୍କ ସହିତ ଚାନ୍ଦା ଆଦାୟ କରିବା ପାଇଁ ବାହାରିଲେ । ଗ୍ରାମ ଗ୍ରାମ ବୁଲି ସଭା ଡକାଇ ଲୋକଙ୍କୁ ବୁଝାଇବା ଦରକାର ପଡ଼ିଲା । ଜମି ଏକର ପିଛା ଚାରିଅଣା ଚାନ୍ଦା ଧାର୍ଯ୍ୟ ହେଲା । କିନ୍ତୁ ଏତକ ଲୋକେ ଦେବାକୁ କୁଣ୍ଠିତ । ଯେ କୌଣସି ପ୍ରକାରେ ଗୋଟିଏ ମୁହାଣ ବନ୍ଧାଇ ଲୋକଙ୍କୁ ଉପକାର ଦେଖାଇ ପାରିଲେ ଅନ୍ୟ ଦୁଇଟି ମୁହାଣ ବନ୍ଧାଇବା ପାଇଁ କଷ୍ଟ ହେବ ନାହିଁ । ଏହି ଉଦ୍ଦେଶ୍ୟରେ ମୁଁ ଓ ନରସିଂହ ମିଶ୍ରେ ଭୋକ ଉପବାସରେ ଗାଁକୁଗାଁ ବୁଲିଲୁ । କୌଣସି ଗ୍ରାମରେ କେହି ଅବୁଝା ହେଲେ ନ ଖାଇ, ନ ପିଇ, ଖରାରେ ବସି ରହି ମୁଁ ସତ୍ୟାଗ୍ରହ କରିଛି । ଲୋକଙ୍କ ଏପରି ଅବୁଝା ପଣିଆ ଓ ଅଯଥା ଯୁକ୍ତି ଦେଖି ଶୁଣି ମୁଁ ଅବାକ୍‍ ହୋଇ ଯାଇଛି । ସେମାନଙ୍କ ଜମି ବାଡ଼ି ଧୋଇରେ ଭାସି ଯାଉଛି । ତହିଁରୁ ସେମାନେ ରକ୍ଷା ପାଇବା ପାଇଁ ମୁଁ ଯାଇ ବୁଲୁଛି, ଏହା ସେମାନଙ୍କ ଆଖିକୁ ଦେଖା ଯାଉ ନାହିଁ । ସେମାନେ ନିଜେ ଯାହା କରନ୍ତେ, ତାହା ମୁଁ ଯାଇ କରୁଛି । ଏଥିରେ ସେମାନେ ମୋଠାରେ କୃତଜ୍ଞ ହେବା ଦୂରେ ଥାଉ, ଅନେକ ସମୟରେ ଅଯଥା ସମାଲୋଚନା ଶୁଣିବାକୁ ପାଇଛି । ଏଥିରୁ ଦେଶର ଅବସ୍ଥା କେତେ ତଳେ, ପଲ୍ଲୀବାସୀଙ୍କ ମନୋବୃତ୍ତି କ’ଣ ତାହା ବୁଝିବାକୁ ଆଉ ବାକି କ’ଣ ରହୁଛି । ମୁଁ ସେମାନଙ୍କୁ ଦୋଷ ଦେଉ ନାହିଁ । ସେମାନେ ମୋର ଏପରି ଖରା ତରାରେ ବୁଲି କାର୍ଯ୍ୟ କରିବାରେ ନିଃସ୍ୱାର୍ଥଭାବ ଅଛି ବୋଲି ବିଶ୍ୱାସ କରି ନ ପାରୁଥିବାର ମୁଁ ସ୍ପଷ୍ଟ ହୃଦୟଙ୍ଗମ କରୁଛି । କିଛି ସ୍ୱାର୍ଥ ନ ଥାଇ ଲୋକ ମିଛରେ ବୈଶାଖମାସ ଖରାରେ ଆସି ଦ୍ୱାର ଦ୍ୱାର ବୁଲିବ, ଏହା ସେମାନଙ୍କ କଳ୍ପନାତୀତ । ଏଥିପାଇଁ ସେମାନେ ଦାୟୀ ନୁହନ୍ତି । ଦେଶର ଧନୀ ଓ ଶିକ୍ଷିତ ଲୋକେ ଏଥିପାଇଁ ଦାୟୀ । ଲୋକ ପର ପାଇଁ ଦୁଃଖ କଷ୍ଟ ସହି କାର୍ଯ୍ୟ କରିବାର ଉଦାହରଣ ସେମାନେ ଦେଖିବାକୁ ପାଇ ନାହାନ୍ତି । ପଲ୍ଲୀବାସୀ ନିର୍ଜୀବ ହୋଇ ପଡ଼ିଛି । ପ୍ରତିଦିନର ଆହାର ମୁଠାକ ଭିଆଇବାର ଚିନ୍ତା ଛଡ଼ା ଅନ୍ୟ କିଛି ସେ ଜାଣେ ନାହିଁ । ଏହିପରି ମୁଁ ଭାବୁଛି । ଲୋକଙ୍କର ଶିଥିଳତା ଓ ଅନାଦର ଭାବକୁ ଭୁଲିବାକୁ ଚେଷ୍ଟା କରୁଛି । ଗୋଟିଏ ମୁହାଣ କିପରି ବନ୍ଧାଇବି ଏହି ଚିନ୍ତା କେବଳ ମୋ ମନରେ ଖେଳୁଛି । ଏହିପରି ବୁଲି ବୁଲି କିଛି ଅର୍ଥ ସଂଗ୍ରହ ହେଲା । ଶେଷରେ ଧାର ସ୍ୱରୂପ ପଣ୍ଡିତ ନରସିଂହ ମିଶ୍ରଙ୍କୁ ଆଶ୍ରମରୁ ଚାଳିଶ ଟଙ୍କା ଦେଇ ଗୋଟିଏ ମୁହାଣ ଯଥାତଥା ଭାବରେ ବନ୍ଧାଇଲୁ । ଦୁଇ ମାସ ଅକ୍ଳାନ୍ତ ପରିଶ୍ରମ କରି ମୁଁ ଆଶ୍ରମକୁ ଫେରିଲି । ଆଶ୍ରମରେ ଉପସ୍ଥିତ ହେବା ପରେ ମୋତେ ମ୍ୟାଲେରିୟା ଜ୍ୱର ହେଲା ।

 

ମୋତେ ଜ୍ୱର ହେଲା ସେ ଚିନ୍ତା ମୋର ନାହିଁ । ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଆଉ ଥରେ ସେହି ଧୋଇୟା ଅଞ୍ଚଳକୁ ନେବାକୁ ମୋର ଇଚ୍ଛା । ସେ ଯାଇ ପୋଲଟିର ଉଦ୍‍ଘାଟନ କାର୍ଯ୍ୟ ସଂପାଦନ କରିବେ । ଏହି ସୂତ୍ରରେ ପୋଲଟିର ଅବଶିଷ୍ଟ କାର୍ଯ୍ୟ ମଧ୍ୟ ସଂପୂର୍ଣ୍ଣ ହୋଇ ଯିବ । କିନ୍ତୁ ଏହି ଇଚ୍ଛା ମୋର ପୂରଣ ହୋଇ ପାରିଲା ନାହିଁ । ହଠାତ୍‍ ବଜ୍ରପାତ ହୋଇ ମୋର ସମସ୍ତ ବଳ ଓ ସାହାସ ଚୂର୍ଣ୍ଣୀଭୂତ ହୋଇଯିବ ବୋଲି କିଏ ଜାଣିଥିଲା ? ପଣ୍ଡିତ ଗୋପବନ୍ଧୁ କିଛି ଦିନ ପୂର୍ବରୁ ପୀଡ଼ିତ ଥିଲେ । ତାହାଙ୍କର ଦେହ ଅତିଶୟ ଖରାପ ହୋଇ ପଡ଼ିବାର ସଂବାଦ ପାଇଲି । ମୁଁ ଜ୍ୱର ରୋଗରେ ଶାୟିତ । ଦାସ ଆପଣେ ଏପରି ବେମାର ପଡ଼ିବାର କେତେ ବାର ଶୁଣା ଯାଇଛି । କିନ୍ତୁ ତାହାଙ୍କ ଜୀବନ ସଂକଟାପନ୍ନ ହେବାର ସଂବାଦ ଶୁଣିବାକୁ ମିଳେ ନାହିଁ । ଏହି ସଂବାଦରେ ମୁଁ ଅସ୍ଥିର ହୋଇ ପଡ଼ିଲି । ଜ୍ୱରରେ ସତ୍ୟବାଦୀ ଯିବାକୁ ସାହସ ପାଇଲା ନାହିଁ । ଏହାର ଦୁଇଦିନ ପରେ ପଣ୍ଡିତ ପ୍ରତିହାରୀ ବୈରୀ ଷ୍ଟେସନରୁ ସଂବାଦ ଦେଲେ, ‘‘ଦାସ ଆପଣେ ଆଉ ନାହାନ୍ତି । ’’ କି ଦାରୁଣ ସଂବାଦ, କି ବଜ୍ରପାତ ! ଏ ସଂବାଦ ପାଇ ମୋର ବାକ୍‍ରୁଦ୍ଧ ହୋଇ ଗଲା, ମୋତେ ଚାରିଆଡ଼ ଅନ୍ଧାର ଦେଖାଗଲା । ମୋର ସମସ୍ତ ବଳ, ସାହସ କୁଆଡ଼େ ଉଭେଇ ଗଲା । ଓଡ଼ିଶା ଛାଡ଼ି ପଳାଇବାକୁ ଇଚ୍ଛା ହେଲା । ଦାସ ଆପଣଙ୍କ ନାମ ଆଜିଠାରୁ ଲୁଚିଲା, ଏହା ତ ଭାବି ହେଉ ନାହିଁ । ଆଉ କାହାକୁ ଚାହିଁ କାର୍ଯ୍ୟ କରିବାକୁ ହେବ । ଆଉ କିଏ ଆସି ଆମ୍ଭମାନଙ୍କ ପଛରେ ଠିଆ ହୋଇ, ଆମ୍ଭମାନଙ୍କୁ କର୍ମ-ପ୍ରେରଣା ଦେବ । ଉତ୍କଳର କଂଗ୍ରେସ କର୍ମୀଙ୍କ କଥା ଆଉ କିଏ ଦିନ ରାତି ବସି ଚିନ୍ତା କରିବ । କୌଣସି ଗୋଟିଏ କର୍ମୀର ଦୁଃଖ ସଂବାଦରେ ଅଧୀର ହୋଇ ଆଖିରୁ ଲୁହ ଦି’ ଟୋପା ବୁହାଇବ କିଏ । ଦାସ ଆପଣଙ୍କୁ ଭୁଲି ଦେଶସେବା କରିବା କଠିନ । ନିଜର ଦୁଃଖ କଷ୍ଟ ଦାସ ଆପଣଙ୍କୁ କହିଦେଲେ, ମନ ଉଶ୍ୱାସ ହୋଇ ଯାଏ । କିଛି କାର୍ଯ୍ୟ ଦେଖାଇ ପାରିଲେ ମନରେ ଆନନ୍ଦ ଜାତ ହୁଏ । କାହାକୁ କଠୋର ପରିଶ୍ରମ କରିବାର ଦେଖିଲେ ସେ ମଧ୍ୟ ଅପୂର୍ବ ଆନନ୍ଦ ଅନୁଭବ କରନ୍ତି । ଦାସ ଆପଣେ ଥିଲେ କିଛି ଚିନ୍ତା ନ ଥିଲା । କିଏ କ’ଣ କହୁଛି ସେଥିପ୍ରତି ଭ୍ରୂକ୍ଷେପ ନ ଥିଲା । ଓଡ଼ିଶା ଭିତରେ ଓ ବାହାରକୁ ସେ ଥିଲେ ଆମ୍ଭର ପ୍ରଧାନ ସହାୟକ । କେଉଁ କର୍ମୀ କିପରି କର୍ମ କରୁଛି ଏହାର ଭଲମନ୍ଦ ତାଙ୍କରି ମୁଖରେ ପ୍ରଚାରିତ ହେଉଥିଲା । ସେ ଥିଲେ ଓଡ଼ିଶା କଂଗ୍ରେସର ଏକମାତ୍ର କର୍ଣ୍ଣଧାର । ନାବିକ ନ ଥିଲେ ନାବର ଯେ ଦଶା ଦାସ ଆପଣଙ୍କ ବିହୁନେ, ଓଡ଼ିଶା କଂଗ୍ରେସ କର୍ମୀଙ୍କର ସେହି ଦଶା କହିଲେ କଦାପି ଅତ୍ୟୁକ୍ତି ହେବ ନାହିଁ । ଏ ଭାବ କ୍ଷଣିକ ନୁହେ । ଦାସ ଆପଣେ ମନେ ପଡ଼ିଲେ ହୃଦୟରୁ କୋହ ଜାଗି ଉଠୁଛି । ଆଖି ଛଳ ଛଳ ହୋଇ ଯାଉଛି । ତାହାଙ୍କ ଅଭାବ ପ୍ରତି ମୁହୂର୍ତ୍ତରେ ଏବଂ ପ୍ରତି କର୍ମରେ ଅନୁଭବ କରିବାକୁ ପଡ଼ୁଛି । ଦାସ ଆପଣଙ୍କ ମୃତ୍ୟୁ ଓଡ଼ିଶାର ରାଜନୈତିକ ଜୀବନରେ ଏକ ଭୀଷଣ ବଜ୍ରପାତ ।

 

ଗୋପବନ୍ଧୁ ଦାସଙ୍କ ମୃତ୍ୟୁରେ ସମଗ୍ର ଓଡ଼ିଶା କାତର ହୋଇ ଉଠିଲା । କେତେ ଶୋକସଭା ହୋଇ ଗଲା । ଗୋପବନ୍ଧୁ ବାବୁଙ୍କ ସ୍ମୃତି କିପରି ରହିବ ଏହି କଥା ସମସ୍ତଙ୍କ ମୁଖରେ ଶୁଣାଗଲା । ଏହି କଥା ବିଚାର କରିବା ପାଇଁ ପ୍ରାଦେଶିକ କଂଗ୍ରେସ କମିଟିର ବୈଠକ ବସିଲା । ‘ଗୋପବନ୍ଧୁ ହାସପାତାଳ’ ନାମରେ ଗୋଟିଏ ଚିକିତ୍ସା ଗୃହ ପୁରୀରେ ସ୍ଥାପନ କରିବା ପାଇଁ ମୁଁ ପ୍ରସ୍ତାବ କଲି । ମାତ୍ର ମୋର ପ୍ରସ୍ତାବ ଗୃହୀତ ହେଲା ନାହିଁ । ମୋର ମନେହୁଏ, ମୋର ପ୍ରସ୍ତାବଟି ଗୃହୀତ ହୋଇଥିଲେ ଗୋପବନ୍ଧୁ ଦାସଙ୍କର ସ୍ମୃତି ନିଶ୍ଚୟ ରହି ପାରିଥାନ୍ତା । ଏଥିପାଇଁ ପୁରୀରେ ଯାତ୍ରୀମାନଙ୍କଠାରୁ ଅର୍ଥ ସାହାଯ୍ୟ ମଧ୍ୟ ମିଳିଥାନ୍ତା । ‘ଗୋପବନ୍ଧୁ କଳାଶାଳା’ ନାମରେ ଗୋଟିଏ (Industrial Institute) ବୈଷୟିକ ଶିକ୍ଷା ମନ୍ଦିର କଟକରେ ସ୍ଥାପନ କରିବାର ପ୍ରସ୍ତାବ ହେଲା । ସ୍ମୃତି ପାଣ୍ଠି ସଂଗ୍ରହ କରିବା ପାଇଁ ଗୋଟିଏ କମିଟି ଗଢ଼ା ହେଲା । ଶ୍ରୀଯୁକ୍ତ ଗୋପବନ୍ଧୁ ଚୌଧୁରୀ ଏହାର ପ୍ରଧାନ ଉଦ୍ୟୋକ୍ତା ହେଲେ । ପ୍ରାଦେଶିକ କଂଗ୍ରେସ କମିଟି ମଧ୍ୟ ଚୌଧୁରୀଙ୍କ ଉପରେ ଏହି ଭାର ମୁଖ୍ୟତଃ ଅର୍ପଣ କଲା । କିନ୍ତୁ ଫଳରେ ଯାହା ହୋଇଛି ତାହା ସମସ୍ତଙ୍କୁ ଜଣା । ଗୋପବନ୍ଧୁଙ୍କ ସ୍ମୃତି ରଖିବା ପାଇଁ କୌଣସି ଚେଷ୍ଟା ହେଲା ନାହିଁ । ମନ ପ୍ରାଣ ଦେଇ ଏଥିପାଇଁ କେହି କାର୍ଯ୍ୟ କରି ନାହାନ୍ତି । ଗୋପବନ୍ଧୁଙ୍କ ସ୍ମୃତି ରଖିବା ଦେଶର ଗୋଟିଏ ମହତ୍‍ କାର୍ଯ୍ୟ ଏହି ଭାବନା କାହାରି ମନକୁ ସ୍ପର୍ଶ କଲା ନାହିଁ । ଏହା ଭିତରେ ଆଉ ଯାହା ରହସ୍ୟ ରହିଲା ସେସବୁ ଉଲ୍ଲେଖ ନ କରିବା ଉଚିତ । କିନ୍ତୁ ଏଥିରୁ ମୁଁ ଏକ ମହତ୍‍ ଶିକ୍ଷା ପାଇଲି । ଓଡ଼ିଶାରେ ସମ୍ମିଳିତ ଚେଷ୍ଟା ଅସମ୍ଭବ ଏହା ବୁଝିବାକୁ ଆଉ କିଛି ବାକି ରହିଲା ନାହିଁ । ମୋର ମନରେ ଏକ ପ୍ରକାର ଭୟ ଜାତ ହେଲା । ଗାନ୍ଧିସେବାଶ୍ରମକୁ ଓଡ଼ିଶାରେ ଗୋଟିଏ ସ୍ଥାୟୀ ଅନୁଷ୍ଠାନ ରୂପେ ଗଢ଼ିବାକୁ ସଂକଳ୍ପ କରିଛି । ଏଥିରେ କୃତକାର୍ଯ୍ୟ ହୋଇ ପାରିବି ବୋଲି ମୋର ବିଶ୍ୱାସ ରହିଲା ନାହିଁ । ମୁଁ ସ୍ପଷ୍ଟ ଦେଖି ପାରିଲି ଗାନ୍ଧିସେବାଶ୍ରମ ଯେତିକ ଉନ୍ନତି କରିବ, ସେତିକି ମାତ୍ରାରେ ମୁଁ ସମସ୍ତଙ୍କ ସ୍ନେହ ସହାନୁଭୂତି ହରାଇବି । ସମ୍ମିଳିତ ଚେଷ୍ଟା ନ ହେଲେ କୌଣସି ସ୍ଥାୟୀ ଅନୁଷ୍ଠାନ ଗଢ଼ା ଯାଇ ନ ପାରେ । ଏଥିପାଇଁ କେତୋଟି କର୍ମୀ ଦଳବଦ୍ଧ ହୋଇ ସମ୍ମିଳିତ ଚେଷ୍ଟା କରିବା ଆବଶ୍ୟକ ।

 

ଏହି ଉଦ୍ଦେଶ୍ୟରେ ମୁଁ ପଣ୍ଡିତ ପଢ଼ିହାରୀଙ୍କ ସହଯୋଗ ଲୋଡ଼ିଛି । ତାହାଙ୍କୁ ଋଣମୁକ୍ତ କରିବା ପାଇଁ ମାସକୁ ଚାଳିଶ ଟଙ୍କା ଦରମା ଦେବାର ବ୍ୟବସ୍ଥା କରାଯାଇଛି । ପଣ୍ଡିତଜୀ ମୋ ନିକଟରେ ଚାରି ମାସ ରହି ବିଦାୟ ନେବାକୁ ବସିଲେ । ତାହାଙ୍କୁ ବିଦାୟ ଦେବାକୁ ମୋତେ ମଧ୍ୟ ବାଧ୍ୟ ହେବାକୁ ପଡ଼ିଲା । ପଣ୍ଡିତେ ଚମ୍ପାପୁର ଗାନ୍ଧିସେବାଶ୍ରମରେ ରହିଲେ ସତ୍ୟ, ମାତ୍ର ଜଗତସିଂହପୁରକୁ ସେ ଭୁଲି ପାରିଲେ ନାହିଁ । ଜଗତସିଂହପୁରରେ ତାଙ୍କର କର୍ମଜୀବନ ଆରମ୍ଭ । ସେଠାରେ ନାନା କାର୍ଯ୍ୟରେ ସଂପୃକ୍ତ ଅଛନ୍ତି । ଏପରି ଅବସ୍ଥାରେ ସେଠାରେ ପ୍ରତ୍ୟେକ ସ୍ଥାନ ଓ ପ୍ରତ୍ୟେକ କର୍ମ ତାଙ୍କର ମନକୁ ଆକର୍ଷଣ କରୁଛି । ତାହାସବୁ ଏକାବେଳକେ ଭୁଲିଯାଇ ଆଉ ଗୋଟିଏ ସ୍ଥାନକୁ ଆଦରିନେବା ସମସ୍ତଙ୍କ ପକ୍ଷେ ସହଜ ହୋଇ ଉଠେ ନାହିଁ । ତାଙ୍କର ମନୋବୃତ୍ତି ଗ୍ରାମ-ସଂଗଠନ କାର୍ଯ୍ୟର ଅନୁକୂଳ ହେବ ବୋଲି ମୋତେ ବୋଧ ହେଲା ନାହିଁ । ଏହାଛଡ଼ା ମୋର ବେଶି କିଛି ଲେଖିବା ଉଚିତ ମନେ କରୁ ନାହିଁ ।

 

ପଣ୍ଡିତ ପ୍ରାଣକୃଷ୍ଣ ପଢ଼ିହାରୀ ଏଠାରୁ ବିଦାୟ ହୋଇଗଲେ । ସେ ଦେଖିଗଲେ ଏଠାରେ ମୋର ଚେଷ୍ଟା ଅସୀମ ଓ ଅଦମ୍ୟ । ଏଠାରେ ଗୋଟିଏ ବୃହତ୍‍ ଅନୁଷ୍ଠାନ ଗଢ଼ିବାର କଳ୍ପନା କରି ମୂଳଭିତ୍ତି ଗଢ଼ା ହେଉଛି । ଅଳକାଶ୍ରମ ଭାଙ୍ଗି ଯାଇଛି । ଏଥିରେ ତାହାଙ୍କ ମନରେ ଈର୍ଷାଭାବ ଜାତ ହେବା ସ୍ୱାଭାବିକ । ସେ ଆଶ୍ରମରୁ ବିଦାୟ ନେବା ପରେ କଟକରେ ମୁଁ ବହୁତ କଥା ଶୁଣିବାକୁ ପାଇଲି । ମୁଁ ଏଠାରେ ଆଶ୍ରମ ଗଢ଼ିବା ବାହାନା କରି ଟଙ୍କା ପଇସା ସଂଗ୍ରହ କରି ନାନାପ୍ରକାର ବ୍ୟବସାୟ କରୁଛି । ଧାନ, ଝୋଟ, ମଟରଗାଡ଼ି ଇତ୍ୟାଦି ବ୍ୟବସାୟରେ ଟଙ୍କା ଖଟାଇଛି । ଏସବୁ ସଂବାଦର ମୂଳ କାରଣ କିଏ ମୁଁ ଜାଣେ ନାହିଁ । ଗୋପବନ୍ଧୁ ଚୌଧୁରୀ ମଧ୍ୟ ଏହିସବୁ କଥା ଉଲ୍ଲେଖ କରି ମୋତେ ଖଣ୍ଡିଏ ପତ୍ର ଲେଖିଲେ । ସେ ଏସବୁ କଥା କାହା ନିକଟରୁ ଶୁଣିଛନ୍ତି ଏ ପ୍ରଶ୍ନ ପଚାରିବାରୁ ସେ ମୋତେ ତହିଁର ଉତ୍ତର ଦେଇ ନାହାନ୍ତି । ଗୋପବାବୁଙ୍କ ପତ୍ର ପାଇ ମୁଁ ବିଶେଷଭାବରେ ଦୁଃଖିତ ହୋଇଛି । ସେ ଜଣେ ବିଶିଷ୍ଟ କର୍ମୀ । ତାଙ୍କର ଉଚିତ ଥିଲା ମୋ ବିରୁଦ୍ଧରେ ଯାହା ଶୁଣିଲେ, ସେସବୁର ଅନୁସନ୍ଧାନ କରି ସନ୍ଦେହ ଦୂର କରିବା । ତାହା ସେ କରି ନାହାନ୍ତି । ମୋ ବିରୁଦ୍ଧ କଥାଗୁଡ଼ିକ ଶୁଣି ସେ ନୀରବ ରହିଛନ୍ତି । ଦେଶର କୌଣସି ବିଶିଷ୍ଟ କର୍ମୀଙ୍କ ପକ୍ଷରେ ଏପରି ନୀରବ ରହିବା କଦାପି ଶୋଭନୀୟ ନୁହେ । ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ ଭାବରେ ଦେଶର ପ୍ରତ୍ୟେକ କର୍ମରେ ପ୍ରତ୍ୟେକ ବିଶିଷ୍ଟ କର୍ମୀଙ୍କର ହାତ ରହିଛି । ଦେଶରେ ଯାହା କିଛି କାର୍ଯ୍ୟ ହୁଏ ତାହା ସମସ୍ତଙ୍କ ସମ୍ମିଳିତ କର୍ମ ଓ ଚିନ୍ତାର ରୂପାନ୍ତର ମାତ୍ର । ଦେଶରେ ଯେତେବେଳେ ଯେଉଁ ଭାବ ଖେଳିଯାଏ, ତାହା ଦେଶସେବା କରୁଥିବା ପ୍ରତ୍ୟେକ କର୍ମୀଙ୍କର ସାଧନାର ଫଳ । ଦେଶର କୌଣସି କାର୍ଯ୍ୟରେ କେହି ଜଣେ କର୍ମୀ । ଏକାକୀ କର୍ମ କରିଛି ବୋଲି ବାହାଦୂରି କରି ନ ପାରେ । ଦେଶରେ ବାୟୁମଣ୍ଡଳ ସୃଷ୍ଟି ନ ହେଲେ ଜନସାଧାରଣଙ୍କ ମନରେ କୌଣସି ଭାବର ସଂଚାର ହୁଏ ନାହିଁ । ଦେଶର କର୍ମୀମାନେ ଦେଶର ବାୟୁମଣ୍ଡଳ ସୃଷ୍ଟି କରନ୍ତି ଓ ନୂତନ ଭାବ ଉଦ୍ରେକ କରାନ୍ତି । ଦେଶ ଏହିପରି ଜାଗ୍ରତ ହେଲେ ପ୍ରତ୍ୟେକଙ୍କୁ କର୍ମକରିବା ପାଇଁ ବାଟ ଦେଖାଯାଏ ଏବଂ ସେହି ବାଟ ପୁଣି ସରଳ ଓ ସୁଗମ ହୁଏ । ସୁତରାଂ ଦେଶସେବା କାର୍ଯ୍ୟରେ କେହି ବିଶିଷ୍ଟ କର୍ମୀ କୌଣସି କର୍ମ ସହିତ ପ୍ରତ୍ୟକ୍ଷ ଭାବରେ ସଂପୃକ୍ତ ନ ଥିଲେ ମଧ୍ୟ ତହିଁର ଭଲ ମନ୍ଦ ପାଇଁ ସେ ଦାୟୀ । ଏହି ଦୃଷ୍ଟିରେ ଦେଶ କାର୍ଯ୍ୟକୁ ମୁଁ ଦେଖେ । ଅଳକାଶ୍ରମ ଭାଙ୍ଗିଯିବାରେ ଏହି କାରଣରୁ ମୁଁ ଦୁଃଖିତ ହୋଇଛି । ମୁଁ ଗୋଟିଏ ଅନୁଷ୍ଠାନ ଗଢ଼ିବାକୁ ଚେଷ୍ଟା କରୁଛି । ସେଥିରେ ପ୍ରତ୍ୟକ୍ଷ ଭାବରେ କାହାରିଠାରୁ ସାହାଯ୍ୟ ସହାନୁଭୂତି ନ ପାଇଲେ ମଧ୍ୟ ପରୋକ୍ଷରେ ମୋ ବିରୁଦ୍ଧରେ ପ୍ରତିକୂଳ ବାୟୁମଣ୍ଡଳ ସୃଷ୍ଟି ହେଉଛି । ମୋର ଦୋଷ ଘଟିଥିଲେ ସଂଶୋଧନ କରିବା କିମ୍ୱା ଅଯଥା ପ୍ରତିକୂଳ ବାୟୁମଣ୍ଡଳ ସୃଷ୍ଟି ହେଉଥିଲେ ତାହାକୁ ପରିଷ୍କାର କରିବା ପ୍ରତ୍ୟେକ ଜଣାଶୁଣା କର୍ମୀଙ୍କ କର୍ତ୍ତବ୍ୟ ନୁହେ କି ? କିନ୍ତୁ ଏହି ଭାବ ଆମ ଏ ଉତ୍କଳ ଭୂମିରେ ନାହିଁ ବୋଲି ମୁଁ ପଦେ ପଦେ ଅନୁଭବ କରୁଛି । ଆମ୍ଭେମାନେ ପ୍ରତ୍ୟେକେ ପ୍ରତ୍ୟେକକୁ କ୍ଷୁଣ୍ଣ କରିବାରେ ସବୁବେଳେ ଆନନ୍ଦ ଅନୁଭବ କରୁ । ଓଡ଼ିଶାରେ ଏରୂପ ବିକୃତ ମନୋବୃତ୍ତି ଦେଖିଲେ ଅଧୀର ହେବାକୁ ପଡ଼େ । କର୍ମ କରିବାକୁ ସାହାସ ରହେ ନାହିଁ ।

 

ଚମ୍ପାପୁର ନିକଟରେ ମୁଁ ଯାହା କରୁଛି ସେଥିରେ ମୁଁ ବ୍ୟକ୍ତିଗତ ଭାବରେ ଅହଂକାର କରିବାର କିଛିମାତ୍ର କାରଣ ନାହିଁ । ଅବଶ୍ୟ ମୁଁ ମୋର ନିଜର ମନୋଗତ ଭାବନା ଓ କଳ୍ପନାନୁସାରେ କାର୍ଯ୍ୟ କରୁଛି । ମୁଁ ମୋର ନିଜ ଚେଷ୍ଟାରେ ଗୋଟିଏ ଅନୁଷ୍ଠାନର ଅବୟବ ଗଠନ କରୁଛି । ତଥାପି ମୁଁ ମନେକରେ, ମୋର କର୍ମରେ ଛୋଟ ବଡ଼ ପ୍ରତ୍ୟେକ କର୍ମୀଙ୍କର କର୍ମର ପରିମାଣ ରହିଛି । ଦେଶର ରାଜନୈତିକ ଅବସ୍ଥା ଦେଶ ପାଇଁ କର୍ମ କରୁଥିବା ପ୍ରତ୍ୟେକ କର୍ମୀଙ୍କର ସମୂହ ଚେଷ୍ଟାର ସୋପାନ ମାତ୍ର । ଦେଶର ରାଜନୈତିକ ପରିସ୍ଥିତି ଯେପରି ଆକାର ଧାରଣ କରେ, କର୍ମର ପ୍ରକୃତି ମଧ୍ୟ ତଦ୍ରୂପ ହୁଏ । ମୁଁ ଗ୍ରାମ-ସଂଗଠନ କରିବାକୁ ଭାବୁଛି, କିମ୍ୱା ଗୋଟିଏ ସ୍ଥାୟୀ ଅନୁଷ୍ଠାନ ଗଢ଼ୁଛି, ଏହି ଭାବନା ଦେଶର ରାଜନୈତିକ ପରିସ୍ଥିତିର ପରିଚୟ ଦେଉଛି । ଏହିପରି ରାଜନୈତିକ ପରିସ୍ଥିତି ଦେଶରେ ସୃଷ୍ଟି ହୋଇଛି କାହାଲାଗି । ମୁଁ ଏକାକୀ ଏପରି ଅବସ୍ଥା ସୃଷ୍ଟି କରିପାରିଛି ବୋଲି ଯଦି କହେ, ତେବେ ମୋର ମାନସିକ ବିକୃତି ଘଟିଲା ବୋଲି ବୁଝିବାକୁ ହେବ । ବାସ୍ତବିକ ମୋର କର୍ମ ମୋର ନିଜ ଚେଷ୍ଟାର ରୂପାନ୍ତର ନୁହେ । ମୋର କର୍ମ ଦେଶର ରାଜନୈତିକ ଜୀବନକୁ ସୂଚିତ କରାଉଛି । ଏଥିରେ ପ୍ରତ୍ୟେକ କର୍ମୀର କର୍ମଫଳ ନିହିତ ଅଛି । ଦେଶରେ ଯେ କୌଣସି କର୍ମୀ ଯେଉଁଠାରେ ଯାହା କରୁ ତହିଁରେ ପ୍ରତ୍ୟେକ କର୍ମୀ ଆନନ୍ଦ ଅନୁଭବ କରିବା ଉଚିତ । କୌଣସି କ୍ଷେତ୍ରରେ କୌଣସି କର୍ମ ଦେଶର ସମୂହ କଲ୍ୟାଣ ଉଦ୍ଦେଶ୍ୟରେ ସାଧିତ ହୋଇ ସଫଳ ହେଲେ ସେଥିରେ ପ୍ରତ୍ୟେକ କର୍ମୀଙ୍କର ଗୌରବ ଅନୁଭବ କରିବାର କଥା । କିନ୍ତୁ ଏହି ମୌଳିକ ସୁଖ ଆମ ଓଡ଼ିଶା ଦେଶର କର୍ମୀମାନେ ବୁଝି ନାହାନ୍ତି । ଏହି କାରଣରୁ କୌଣସିଠାରେ କୌଣସି କର୍ମୀ କିଛି କରି ପାରୁ ନାହିଁ । ଏହି କାରଣରୁ ଗୋପବନ୍ଧୁ ଦାସଙ୍କ ସ୍ମୃତିରକ୍ଷା କରି ହେଲା ନାହିଁ, ଅଳକାଶ୍ରମ ଭାଙ୍ଗିଗଲା, ସତ୍ୟବାଦୀ ଜାତୀୟ ଅନୁଷ୍ଠାନ ଲୋପ ପାଇଲା । ଏ ଅବସ୍ଥା କେବେ ବଦଳିବ କିଏ ଜାଣେ । ଏହିସବୁ ମୁଁ ଅନୁଭବ କରୁଛି । ତଥାପି ଦୃଢ଼ ହୋଇ ଗାନ୍ଧିସେବାଶ୍ରମକୁ ଗଢ଼ିବାକୁ ଚେଷ୍ଟା କରୁଛି । ଆଶା ନ ଥିଲେ ମଧ୍ୟ ଆଶା ପୋଷଣ କରୁଛି-

 

୧୯୨୮ରେ କେତେଗୁଡ଼ିଏ ନୂଆ କାର୍ଯ୍ୟ ସୃଷ୍ଟି କରିଛି । ପଲ୍ଲୀବାସୀଙ୍କୁ ମହାଜନଙ୍କ କବଳରୁ ରକ୍ଷା କରିବା ପାଇଁ ପ୍ରୟାସ କରିଛି । ଗୋଟିଏ ‘ପଲ୍ଲୀ-ସହଯୋଗ-ବ୍ୟାଙ୍କ’ର କଳ୍ପନା କରି କିଛି ଟଙ୍କା ଅତ୍ୟଳ୍ପ ସୁଧରେ ଲୋକଙ୍କୁ ଦିଆ ହୋଇଛି । ‘ଗୋପବନ୍ଧୁ ଦାସ ଦାତବ୍ୟ ଚିକିତ୍ସାଳୟ’ ନାମରେ ଗୋଟିଏ ଚିକିତ୍ସାଳୟ ଉଦ୍‍ଘାଟନ କରି ଜଣେ ଡାକ୍ତର ନିଯୁକ୍ତ କରିଛି । ପଲ୍ଲୀବାସୀଙ୍କ ମଧ୍ୟରେ ଶିକ୍ଷା ପ୍ରଚାର ପାଇଁ ଗୋଟିଏ ପୁସ୍ତକାଳୟ ସ୍ଥାପନ କରା ଯାଇଛି । ଆଶ୍ରମ ପାଇଁ ଭବିଷ୍ୟତ୍‍ କର୍ମୀ ଗଢ଼ିବା ଉଦ୍ଦେଶ୍ୟରେ କେତୋଟି ଛାତ୍ରଙ୍କୁ ଆଶ୍ରମରେ ରଖିଅଛି । ଏହିପରି ଭାବରେ ମୁଁ କର୍ମର ପ୍ରସାର କରି ସବୁଠାରେ ଉପଯୁକ୍ତ କର୍ମୀର ଅଭାବ ଅନୁଭବ କରୁଛି । ସେ ଯାହାହେଉ ଏହିପରି କେତୋଟି କାର୍ଯ୍ୟରେ ହାତ ଦେବା ନିହାତି ଆବଶ୍ୟକ ପଡ଼ିଲା । ଦିନକୁ ଦିନ କାର୍ଯ୍ୟ ବଢ଼ିବା ସଙ୍ଗେ ସଙ୍ଗେ ଖର୍ଚ୍ଚ ମଧ୍ୟ ବଢ଼ୁଛି । ରୋଗୀ-ସେବା, ଖଦଡ଼-ବିକ୍ରି, ଚାନ୍ଦା-ସଂଗ୍ରହ ଆଦି ସବୁ କାର୍ଯ୍ୟ ମୁଁ ନ ଦେଖିଲେ ଚଳୁ ନାହିଁ । ହିସାବ କିତାବ ସଠିକ ଭାବରେ କିପରି ରହିବ-ଏହି ଚିନ୍ତା ମୋତେ ସବୁବେଳେ ଅସ୍ଥିର କରୁଛି । ହିସାବ ରଖିବା ବିଷୟରେ ଆମ୍ଭେମାନେ କେହି ନିପୁଣ ନୋହୁଁ । ଟଙ୍କା ପଇସାର ହିସାବ ଦିନକୁ ଦିନ ଜଟିଳ ଆକାର ଧାରଣ କରୁଛି । ଯେତେପ୍ରକାର କାର୍ଯ୍ୟ ଗଢ଼ାଯାଉଛି ହିସାବର ସେତେ ପ୍ରକାର ଶାଖା ମେଲୁଛି । ଭିନ୍ନ ଭିନ୍ନ ଶାଖାର ହିସାବ ନିର୍ମଳ ରଖି ପୁଣି ସେ ସବୁକୁ ଗୋଟାଏ ସୂତ୍ରରେ ପକାଇବାକୁ ହେଲେ ଟିକିଏ ବ୍ୟବସାୟ-କୌଶଳର ଜ୍ଞାନ ଥିବା ଦରକାର । ଏପରି ଜ୍ଞାନ କିମ୍ୱା ଅଭିଜ୍ଞତା କାହାରି ନାହିଁ । ମୋର ଆଦୌ ନାହିଁ ଏକଥା ମୋତେ ସ୍ୱୀକାର ନ କରି ଗତି ନାହିଁ । ଏପରି ଅବସ୍ଥାରେ କଟକ ଟ୍ରେଡିଂ କମ୍ପାନୀର ମାଲିକ ପଣ୍ଡିତ ଆକୁଳ ମିଶ୍ର ସାହାଯ୍ୟ ନ କରିଥିଲେ ମୋର ଅବସ୍ଥା କ’ଣ ହୋଇଥାନ୍ତା ମୁଁ ଜାଣେ ନାହିଁ । ସେ ମହାଶୟଙ୍କ ସାହାଯ୍ୟ ପାଇବାରୁ ଆଶ୍ରମର ହିସାବ ଶୃଙ୍ଖଳାବଦ୍ଧ ହୋଇଛି । ତାହାଙ୍କ ସାହାଯ୍ୟ ସହାନୁଭୂତି ପାଇଲା ଦିନୁ ଆଶ୍ରମର ହିସାବ କିତାବ ଓ ଟଙ୍କା ପଇସା ସହିତ ମୋର ସଂବନ୍ଧ ନ ଥାଏ ବୋଲି ମୁଁ କହିପାରେ । ମୁଁ ଚାନ୍ଦା ସଂଗ୍ରହ କରି ବ୍ୟାଙ୍କରେ ଜମା ଦିଏ । ପଣ୍ଡିତ ଆକୁଳ ମିଶ୍ରଙ୍କ ଅନୁମତି ନ ହେଲେ ବ୍ୟାଙ୍କରୁ ଟଙ୍କା ଆସେ ନାହିଁ । ପ୍ରତି ମାସରେ ହିସାବ ସେ ନିରୀକ୍ଷଣ କରନ୍ତି । ପ୍ରତିବର୍ଷ ଆଶ୍ରମର ଗୋଟିଏ ରିପୋର୍ଟ ଛାପା ହୁଏ । ସେହି ରିପୋର୍ଟରେ ଚାନ୍ଦାଦାତାଙ୍କ ନାମ ଓ ଚାନ୍ଦାର ପରିମାଣ ଉଲ୍ଲେଖ ଥାଏ । ବର୍ଷ ଭିତରେ କି କାର୍ଯ୍ୟ ହେଲା ତହିଁର ଗୋଟିଏ ବିବରଣୀ ରହେ । ହିସାବ ଅଡିଟ କରାଯାଇ ଆୟବ୍ୟୟର ଫର୍ଦ ପ୍ରକାଶିତ ହୁଏ । ଏହିପରି ନିୟମିତ ଓ ଶୃଙ୍ଖଳାବଦ୍ଧ ଭାବରେ ଗାନ୍ଧିସେବାଶ୍ରମ ଯେପରି ଆୟବ୍ୟୟ ଓ କର୍ମର ବିବରଣୀ ବର୍ଷକୁ ବର୍ଷ ପ୍ରକାଶ କରିଛି, ଓଡ଼ିଶାରେ ଆଉ କୌଣସି ଅନୁଷ୍ଠାନର ସେପରି ବିବରଣୀ ପ୍ରକାଶ ପାଇଥିବାର ମୁଁ ଜାଣେ ନାହିଁ । ମୁଁ ସବୁବେଳେ ଡ଼ରି ଡ଼ରି ଚଳୁଥାଏ । କର୍ତ୍ତବ୍ୟରେ ଟିକିଏ ଅବହେଳା କରିବାର କାହାକୁ ଦେଖିଲେ ମୁଁ ସହ୍ୟ କରି ପାରେ ନାହିଁ । ମୁଁ ରାଗିଯାଏ । ମୁଁ ସ୍ୱୀକାର କରୁଛି ବେଳେ ବେଳେ ମୋର ଏପରି ରାଗର ମାତ୍ରା ସୀମା ଲଙ୍ଘିଯାଏ । ଏ କଥା ମୁଁ ପରକ୍ଷଣରେ ବୁଝି ପାରେ । କିନ୍ତୁ ପୁଣି ସମୟ ପଡ଼ିଲେ ନିଜକୁ ଭୁଲିଯାଏ । ଏହା ମୋର ଗୋଟିଏ ବଡ଼ ଦୋଷ । ଦୋଷ ବୁଝି ତାହାକୁ ଦୂର କରି ନ ପାରିବା ଦୁର୍ବଳତା । ଏପରି ଟିକିକ କଥାରେ ବେଶି ରାଗିଯିବା ଦୁର୍ବଳତା ମୋର ଅଛି, ଏହା ସ୍ୱୀକାର ନ କରିବାକୁ ଉପାୟ ନାହିଁ । ମୋର ମନେହୁଏ, ମୁଁ ମୋର ଆଦର୍ଶର ଅନୁରୂପ ଜଣେ ଦୁଇ ଜଣ କର୍ମୀ ପାଇଥିଲେ ଏ ଚିଡ଼ା ପ୍ରକୃତି ରହି ନ ଥାନ୍ତା । ମୋ ଅବସ୍ଥାରେ ପଡ଼ିଲେ ଲୋକର ପ୍ରକୃତି କିପରି ହେବ, ତାହା ବିଚାର କରି ମୋତେ କ୍ଷମା ଦେବାକୁ ମୁଁ କାହାକୁ ପାଇ ନାହିଁ । ବରଂ ମୋର ଏହି ଚିଡ଼ା ପ୍ରକୃତିକୁ ଚିତ୍ରଣ କରି ସମସ୍ତେ ମୋତେ ସମାଲୋଚନା କରିଛନ୍ତି ।

 

୧୯୨୮ ମସିହା ଅକ୍ଟୋବର ମାସରେ ମୋତେ ଭୟଙ୍କର ମ୍ୟାଲେରିଆ ଜ୍ୱର ହେଲା । ତିନି ମାସ କାଳ ମୁଁ ରୋଗଶଯ୍ୟାରେ ପଡ଼ି ରହିଲି । ଆଶ୍ରମ ଛାଡ଼ି କଟକରେ ଦଶପଲ୍ଲା ମେସରେ ଅଛି । ଆଜକୁ ଚାରି ପାଞ୍ଚ ବର୍ଷ ହେବ କଟକରେ ଦଶପଲ୍ଲା ମେସ ସ୍ଥାପିତ ହୋଇଛି । ଏହି ମେସ ଗଠନରେ ମୋର ହାତ ଅଛି ଏହା କହିବା ଅନାବଶ୍ୟକ । ଏହି ମେସଟି ମୋର କର୍ମ-ଜୀବନର ଆଉ ଗୋଟିଏ ଚିହ୍ନ । ଦଶପଲ୍ଲାରୁ ଛାତ୍ର ଆସି କଟକରେ ପାଠ ପଢ଼ିବେ । ଏହି ଉଦ୍ଦେଶ୍ୟରେ ମେସଟି ସ୍ଥାପିତ ହୋଇଛି । ଦଶପଲ୍ଲାରେ ମାଇନର ପାସ କଲା ମାତ୍ରକେ ଯେ କେହି ବୁଦ୍ଧିଥିବା ଛାତ୍ର ଘରେ ନ ବସି ପାଠ ପଢ଼ିବ-ଏହି କଥା ସବୁବେଳେ ଆମ୍ଭମାନଙ୍କ ମନରେ ଥାଏ । ଦଶପଲ୍ଲାରେ ଭାବଗ୍ରାହୀ ବିଶ୍ୱାଳଙ୍କ ଶାସନର କଟକଣା ସମସ୍ତଙ୍କୁ ଏକାଠି ବାନ୍ଧି ରଖିଥାଏ । ଦଶପଲ୍ଲା ମେସଟି କଟକରେ ପ୍ରତ୍ୟେକ ଦଶପଲ୍ଲା ପ୍ରଜାର ଗୋଟିଏ ଘର । ଦଶପଲ୍ଲା ଷ୍ଟେଟର ରାଜନୀତି, ବାଣିଜ୍ୟ, ବ୍ୟବସାୟ, ରୋଗ, ଚିକିତ୍ସା ଆଦି ପ୍ରତ୍ୟେକ ବିଷୟର ଆଲୋଚନା କେନ୍ଦ୍ର ଦଶପଲ୍ଲା ମେସ । କଟକ ସହରରେ ଦଶପଲ୍ଲା ମେସ ପରି ମେସ ହୋଇ ନାହିଁ କିମ୍ୱା ଆଉ କେବେ ହେବ ତାହାର କଳ୍ପନା କରି ହେଉ ନାହିଁ । ପଣ୍ଡିତ ଦୀନବନ୍ଧୁ ପଣ୍ଡା ମେସର ସୁପରିଂଟେଣ୍ଡେଣ୍ଟ । ଶ୍ୟାମସୁନ୍ଦର ହୋତା ଜନୈକ ଛାତ୍ର ହେଲେ ମଧ୍ୟ ମେସ ପରିଚାଳକ ଓ ଶିକ୍ଷକର କର୍ତ୍ତବ୍ୟ କରନ୍ତି । ଏହି ମେସ ବିଷୟରେ ଲେଖିବାକୁ ଗଲେ ଗୋଟିଏ ସ୍ୱତନ୍ତ୍ର ଇତିହାସ ଗ୍ରନ୍ଥ ଲେଖିବାକୁ ପଡ଼ିବ । ସେ ସବୁ ମୋର ଆତ୍ମକାହାଣୀରେ ଉଲ୍ଲେଖ କରିବା ଆବଶ୍ୟକ ନାହିଁ । ଏହି ମେସଟି ମୋତେ ପ୍ରଭାବିତ କରିଛି ଏବଂ ଉତ୍ସାହ ଓ ଆନନ୍ଦ ମଧ୍ୟ ଦେଇଛି । ରାଜନୈତିକ କଳ୍ପନା ଓ କାର୍ଯ୍ୟରେ ଯେତିକି ଆନନ୍ଦ ଅଛି, ତାଠାରୁ ବଳି ଅଧିକ ଦୁଃଖ ସେଥିରେ ଅଛି । ଏହି କାର୍ଯ୍ୟରେ ଅସୀମ ଧୈର୍ଯ୍ୟ ଓ ସାହାସ ଆବଶ୍ୟକ । ରାଜନୈତିକ ବାୟୁମଣ୍ଡଳ ଓ ପରିସ୍ଥିତି, ନିଜ କଳ୍ପନା ଓ ଆଦର୍ଶର ଅନୁକୂଳ ନ ହେଲେ ମାନସିକ ଅବସାଦ ଜାତ ହୁଏ । ଅଧୈର୍ଯ୍ୟ ଓ ଅସହିଷ୍ଣୁତା ଭାବ ମନକୁ ଦୋହଲାଇ ଦିଏ । ମନୁଷ୍ୟର ମନ ଓ ଶରୀର ତାତି ଉଠେ । ଏପରି ଅବସ୍ଥାରେ ମନୁଷ୍ୟ ପ୍ରିୟ ବନ୍ଧୁ ଖୋଜେ; ଯାହାଙ୍କ କଥା ଓ ବ୍ୟବହାର ରାଜନୈତିକ କ୍ଷେତ୍ରର ବିରକ୍ତିଜନକ ଭାବନାର ପ୍ରଭାବକୁ ଦୂର କରି ମନୁଷ୍ୟର ମନକୁ ଟିକିଏ ଶୀତଳ କରିବ । ଦଶପଲ୍ଲା ମେସରେ ମୁଁ ଏହି ଆନନ୍ଦ ଟିକକ ପାଏ । ଦଶପଲ୍ଲାର ଛାତ୍ରମାନଙ୍କୁ ମୁଁ ପୁତ୍ରବତ୍‍ ସ୍ନେହ କରେ । ସେମାନଙ୍କ ନିକଟରେ ବସି ଦଶପଲ୍ଲାର ସୁଖ ଦୁଃଖ କଥା ହେବାରେ ମୁଁ ପରମ ଆନନ୍ଦ ଅନୁଭବ କରେ । ସେ ଯାହା ହେଉ ମୁଁ ପୀଡ଼ିତ ହୋଇ ଏହି ଦଶପଲ୍ଲା ମେସରେ ଆସି ରହିଲି । ଦଶପଲ୍ଲା ଛାତ୍ରମାନଙ୍କ ସେବା ଶୁଶ୍ରୂଷା ପାଇ ନ ଥିଲେ ମୋର ଜୀବନ ଏହି ଜ୍ୱରରେ ସଙ୍କଟାପନ୍ନ ହୋଇଥାନ୍ତା ଏଥିରେ ସନ୍ଦେହ ନାହିଁ । ମୁଁ ଏପରି ରୋଗଶଯ୍ୟାରେ ପଡ଼ିଛି, ଏହି ସମୟରେ କଟକରେ ପ୍ରାଦେଶିକ କଂଗ୍ରେସ କମିଟିର ବୈଠକ ବସିଲା । ଉତ୍କଳର ପ୍ରତ୍ୟେକ ଜିଲ୍ଲାରୁ କର୍ମୀମାନେ ଏଥିରେ ଯୋଗ ଦେବାକୁ ଆସିଲେ । କମିଟିରେ ଯୋଗ ଦେବାକୁ ମୋର ଶକ୍ତି ନ ଥାଏ । ରୋଗଶଯ୍ୟାରେ ପଡ଼ି ସବୁ ମୁଁ ଜାଣୁଥାଏ । ଅସହଯୋଗ ଆନ୍ଦୋଳନ ଦବିଗଲା ପରେ ଦେଶରେ ମତାନ୍ତର ମନାନ୍ତର ଆକାର ଧାରଣ କରିଛି । ନା ନା କାରଣରୁ କର୍ମୀମାନଙ୍କ ମଧ୍ୟରେ ହୃଦୟର ମିଳନ ନ ଥାଏ । ସୁତରାଂ କମିଟି ବୈଠକରେ ଏକାଠି ବସିଲେ ଦେଶର ପ୍ରତ୍ୟେକ ପ୍ରଶ୍ନକୁ ଆଲୋଚନା କରିବାର ପ୍ରବୃତ୍ତି ନ ଥାଏ, କିମ୍ୱା କୌଣସି କାର୍ଯ୍ୟରେ କାହାରି ଆନ୍ତରିକତା ଥିଲା ପରି ବୋଧ ହୁଏ ନାହିଁ । ଏ ସବୁ ରୋଗଶଯ୍ୟାରେ ପଡ଼ି ମୁଁ ହୃଦୟଙ୍ଗମ କରୁଛି । ଗାନ୍ଧିସେବାଶ୍ରମକୁ ପ୍ରତିଷ୍ଠିତ କରି ତହିଁର ଭବିଷ୍ୟତ୍‍ କେବଳ ମୋର ବ୍ୟକ୍ତିଗତ ଚେଷ୍ଟା ଉପରେ ନିର୍ଭର କରୁଛି ଏ କଥା ବୁଝିବାକୁ କିଛି ବାକି ନ ଥାଏ । ଉତ୍କଳ କର୍ମୀମାନଙ୍କର ଯେପରି ମନୋଭାବ ତହିଁରେ କେହି କାହାକୁ ସାହାଯ୍ୟ ସହାନୁଭୂତି କରିବାର ଲକ୍ଷଣ ଦେଖା ଯାଉ ନାହିଁ । ତଥାପି ସମସ୍ତଙ୍କ ସହାନୁଭୂତି ଲାଭ କରିବାକୁ ମୁଁ ସବୁବେଳେ ଲାଳାୟିତ । ଏହାକୁ ମନେରଖି କିଛି କରିବା ଦରକାର । ଏହି ଉଦ୍ଦେଶ୍ୟରେ ୧୯୨୮ ମସିହାର ଆଶ୍ରମ ରିପୋର୍ଟରେ ଆଶ୍ରମର ଲକ୍ଷ୍ୟ ଓ ଆଦର୍ଶ ବିଷୟରେ ଉଲ୍ଲେଖ କରିବାକୁ ପଡ଼ିଲା ।

 

ଏଣେ ଦେଶର ରାଜନୈତିକ ପରିସ୍ଥିତିରେ ପୁଣି ସଙ୍ଘର୍ଷଣ ଉପସ୍ଥିତ ହେବାର ସୂଚନା ମିଳୁଛି । ଦେଶର ଶାସନ ପ୍ରଣାଳୀରେ କି ପ୍ରକାର ପରିବର୍ତ୍ତନ ଲୋଡ଼ା ତାହା ଇଂରେଜ ସରକାରଙ୍କୁ ଜଣାଇବା ପାଇଁ ରାଜନୈତିକ ମତାବଲମ୍ୱୀ ସବୁ ଦଳର ଲୋକେ ଏକାଠି ବସି ଗୋଟାଏ କମିଟି ଗଢ଼ିଛନ୍ତି । ପଣ୍ଡିତ ମୋତିଲାଲ ନେହେରୁ ଉକ୍ତ କମିଟିର ସଭାପତି ଥିବାରୁ ତାହାର ନାମ ହୋଇଛି ‘ନେହେରୁ କମିଟି’ । ଏହି ନେହେରୁ କମିଟିରେ ଭାରତର ପ୍ରତ୍ୟେକ ଜଟିଳ ପ୍ରଶ୍ନର ସମାଧାନ କରି ସ୍ୱାୟତ୍ତ ଶାସନର ଦାବୀ କରାଯାଇଛି । ଏହି ନେହେରୁ ରିପୋର୍ଟରେ ଯାହା ଦାବୀ କରାଯାଇଛି ସେ ବିଷୟ ନେଇ କଂଗ୍ରେସ ମହଲରେ ଘୋର ବାଦ ପ୍ରତିବାଦ ସୃଷ୍ଟି ହୋଇଛି । ମାନ୍ଦ୍ରାଜ କଂଗ୍ରେସରେ ଭାରତ ପୂର୍ଣ୍ଣ ସ୍ୱାଧୀନତା ଦାବୀ କରି ଗୋଟିଏ ପ୍ରସ୍ତାବ ଗୃହୀତ ହୋଇଛି । ଏହି ପ୍ରସ୍ତାବ ଅନୁସାରେ କଂଗ୍ରେସର ଲକ୍ଷ୍ୟ ପୂର୍ଣ୍ଣ ସ୍ୱାଧୀନତା ହେବା ଦରକାର । ତାହା ନ ହୋଇ ନେହେରୁ ରିପୋର୍ଟରେ ଔପନିବେଶିକ ସ୍ୱାୟତ୍ତ ଶାସନ ଦାବୀ କରାଯାଇ ଥିବାରୁ ଏହି ବାଦ ପ୍ରତିବାଦ ସୃଷ୍ଟି ହୋଇଛି । ପଣ୍ଡିତ ମୋତିଲାଲ ଓ ଜବାହାରଲାଲଙ୍କ ଭିତରେ ମଧ୍ୟ ମତାନ୍ତର । ପଣ୍ଡିତ ମୋତିଲାଲଙ୍କ ଇଚ୍ଛା, କଂଗ୍ରେସ ବର୍ତ୍ତମାନ ପୂର୍ଣ୍ଣ ସ୍ୱାଧୀନତା ଦାବୀ ନ କରି ନେହେରୁ ରିପୋର୍ଟ ଦାବୀକୁ ସମର୍ଥନ କରୁ । ଏଥିପାଇଁ ସେ ମହାତ୍ମା ଗାନ୍ଧିଙ୍କୁ ଆହ୍ୱାନ କରିଛନ୍ତି । ବୋଲ୍‍ଗ୍ରାମ କଂଗ୍ରେସ ପରଠାରୁ କଂଗ୍ରେସ ପରିଚାଳନା ସ୍ୱରାଜ୍ୟ ଦଳଙ୍କ ହାତରେ । ଗାନ୍ଧିଜୀ କେବଳ ଦେଖଣାହାରୀ କହିଲେ ଚଳେ । କଂଗ୍ରେସରେ ପୂର୍ଣ୍ଣ ସ୍ୱାଧୀନତା ଦାବୀ କରୁଥିବା ସଂଖ୍ୟା କମ ନୁହନ୍ତି । ଗାନ୍ଧିଜୀ ନ ଆସିଲେ ସହି ସମ୍ଭାଳି କାର୍ଯ୍ୟ କରାଇନେବା ସହଜ ହେବ ନାହିଁ । ଏଣୁ ଗାନ୍ଧିଜୀ କଲିକତା କଂଗ୍ରେସରେ ଯୋଗ ଦେଇଛନ୍ତି । ପୂର୍ଣ୍ଣ ସ୍ୱାଧୀନତାବାଦୀମାନଙ୍କ ସହିତ ଗାନ୍ଧିଜୀ ମିଳାମିଶା କରି ଗୋଟିଏ ସାଲିସ ପ୍ରସ୍ତାବ ଆଗତ କରାଇଲେ । କଲିକତା କଂଗ୍ରେସ ନେହେରୁ ରିର୍ପୋଟ ଗ୍ରହଣ କରି ସେହି ଅନୁସାରେ ଦାବୀ କରିବ । ଇଂରେଜ ସରକାରଙ୍କୁ ସମୟ ଦେବ । ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଇଂରେଜ ସରକାର ନେହେରୁ ରିପୋର୍ଟରେ ଦାବୀ କରାଯାଇଥିବା ଶାସନ କ୍ଷମତା ଦେବାକୁ ପ୍ରସ୍ତୁତ ନ ହେଲେ କଂଗ୍ରେସ ପୂର୍ଣ୍ଣ ସ୍ୱାଧୀନତା ଦାବୀ କରିବ । ଏହି ମର୍ମରେ କଲିକତା କଂଗ୍ରେସରେ ଗୋଟିଏ ସାଲିସ ପ୍ରସ୍ତାବ ଗୃହୀତ ହେଲା । ଜବାହାରଲାଲ ପ୍ରଭୃତି ସ୍ୱାଧୀନତାବାଦୀମାନେ, ହୃଦୟ ସହିତ ସ୍ୱୀକାର ନ କଲେ ମଧ୍ୟ ଗାନ୍ଧିଜୀଙ୍କ ସାଲିସ ପ୍ରସ୍ତାବକୁ ଅଙ୍ଗୀକାର କଲେ । ଇଂରେଜ ସରକାରଙ୍କୁ ଏକ ବର୍ଷ ସମୟ ଦିଆଯାଇ ଆହ୍ୱାନ କରାଗଲା । କଲିକତା କଂଗ୍ରେସରେ ଗାନ୍ଧିଜୀ ଘୋଷଣା କଲେ, ୧୯୨୯ ମସିହା ଡିସେମ୍ୱର ମାସ ତା ୩୧ ରିଖ ରାତ୍ରି ବାରଟା ପର୍ଯ୍ୟନ୍ତ କଂଗ୍ରେସ ଇଂଲଣ୍ଡର ସୂଚନାକୁ ଅପେକ୍ଷା କରି ରହିବ । ଏହି ସମୟ ମଧ୍ୟରେ ବ୍ରିଟିସ ସରକାର ଭାରତ ଦାବୀକୁ ସ୍ୱୀକାର ନ କଲେ କଂଗ୍ରେସ ପୂର୍ଣ୍ଣ ସ୍ୱାଧୀନତା ଘୋଷଣା କରିବ ଏବଂ ସେଥିପାଇଁ ଉପାୟ ମଧ୍ୟ ଅବଲମ୍ୱନ କରିବ ।

 

ଦେଶର ରାଜନୈତିକ ପରିସ୍ଥିତିରେ ଏପରି ଚାଞ୍ଚଲ୍ୟ ଉପସ୍ଥିତ ହୋଇଛି । ଲଢ଼ାଇ କରିବାକୁ ଆହ୍ୱାନ କଲାଭଳି ସରକାରଙ୍କୁ ଆହ୍ୱାନ କରା ଯାଇଛି । ସରକାର ସହିତ କଂଗ୍ରେସର ପୁଣି ସଂଘର୍ଷଣ ଜାତ ହେବାର ସମ୍ଭାବନା । ଏପରି ସଂଘର୍ଷଣ ବେଳେ ନୀରବରେ ବସି ଆଶ୍ରମ କାର୍ଯ୍ୟରେ ମନୋନିବେଶ କରିବା ମୋ ପକ୍ଷରେ ଅସମ୍ଭବ । ଏହିକଥା ମୁଁ ଉପଲବ୍ଧି କରିବାକୁ ଲାଗିଲି । ସୁତରାଂ ୧୯୨୯ ରେ ଯେଉଁସବୁ କାର୍ଯ୍ୟ କରିବାକୁ କଳ୍ପନା କରିଥିଲି, ସେ ସବୁରୁ କାହିଁରେ ହାତ ଦେଲି ନାହିଁ । ବର୍ଷକ ପରେ ଭାରତର ରାଜନୈତିକ ପରିସ୍ଥିତି କି ଆକାର ଧାରଣ କରିବ, ତାହା ନ ଦେଖି ହଠାତ୍‍ ଆଶ୍ରମର କାର୍ଯ୍ୟକ୍ରମକୁ ପ୍ରସାର କରି ଦେବାକୁ ସାହସ ହେଲା ନାହିଁ-। ପ୍ରଥମରୁ ଗୋଟିଏ କର୍ମୀଦଳ ଗଠନ କରିବାର ଆବଶ୍ୟକତା ତୀବ୍ର ଭାବରେ ଅନୁଭବ କଲି-। ମନେ ମନେ ବିଚାରିଲି, କର୍ମ କରିବାର ଉପକରଣ ସଂଗୃହୀତ ହେଲେ କର୍ମୀ ଆପେ ଆପେ ଆସି ଉପସ୍ଥିତ ହେବେ । ଆଦର୍ଶ ଅନୁରୂପ କର୍ମୀ ଟାଣିବାକୁ ହେଲେ କ’ଣ କରିବାକୁ ହେବ, ଏହି ଚିନ୍ତା ମନରେ ଖେଳିଲା । ୧୯୨୯ରେ ଆଶ୍ରମର କୋଠା ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ସ୍ଥିର କରିଛି-। କାରଣ ଘରକାମ ସାରି ଦେଲେ ଲୋକ ଦୃଷ୍ଟି ମଧ୍ୟ ଆକର୍ଷିତ ହେବ ଏବଂ ଗୋଟାଏ ଚିନ୍ତା କମିଯିବ । ଆଶ୍ରମ କୋଠା କାମରେ ଏ ବର୍ଷ ମନ ଦେଲି । ଖଦଡ଼ କାର୍ଯ୍ୟକୁ ପ୍ରସାର କରିବା ପାଇଁ କେନ୍ଦୁପାଟଣାରେ ଗୋଟିଏ କେନ୍ଦ୍ର ସ୍ଥାପନ କରାଗଲା । କେନ୍ଦୁପାଟଣା କାର୍ଯ୍ୟ ପାଇଁ ନିରଞ୍ଜନ ନନ୍ଦ ନାମରେ ଜନୈକ କର୍ମୀ ଆଶ୍ରମରେ ତିନି ମାସ ଶିକ୍ଷା ପାଇ ମାସିକ ବାରଟଙ୍କା ବେତନରେ ନିଯୁକ୍ତ ହେଲେ ।

 

ସବୁବେଳେ ମୁଁ ନାନାପ୍ରକାର କର୍ମ ଯୋଜନା ଚିନ୍ତା କରୁଥାଏ । ତନ୍ମଧ୍ୟରୁ କୌଣସି ଗୋଟିଏ କର୍ମ କରିବାକୁ ନିଶ୍ଚୟ କଲା ପରେ ସେହି କର୍ମକୁ ସଂପୂର୍ଣ୍ଣ ନ କରିବା ପର୍ଯ୍ୟନ୍ତ ମୁଁ ବଡ଼ ଅସ୍ଥିରତା ଅନୁଭବ କରେ । କାର୍ଯ୍ୟ ଆରମ୍ଭ କଲେ ତାହା ଶେଷ କରିବା ପାଇଁ ମୋର ମନ ସବୁବେଳେ ବ୍ୟଗ୍ର । କୌଣସି କାର୍ଯ୍ୟ ହାତକୁ ନେଲେ ମୁଁ ନିଜକୁ ଭୁଲିଯାଏ । ବର୍ଷକ କାର୍ଯ୍ୟକୁ ଦିନକରେ କରିବା ଭଳି ମୋର ମନ ଦୌଡ଼େ । ଦିନ ରାତି ଓ ଭୋକ ଉପବାସ ସବୁ ମୁଁ ଭୁଲିଯାଏ । ମୋ ସାଙ୍ଗରେ କାର୍ଯ୍ୟ କରିବା କର୍ମୀକୁ ମୋ ପରି ଦୌଡ଼ିବାର ନ ଦେଖିଲେ ମୁଁ ବଡ଼ ଅସ୍ଥିର ହୋଇପଡ଼େ । ବେଳେବେଳେ ଭାରୀ ରାଗିଯାଏ । କିନ୍ତୁ ମୋର ସେହି ରାଗ ମୁଁ ଭୁଲିଯାଏ । ବାଳକ ପରି ମୋର ହୃଦୟ ଅତି ସରଳ ଓ କୋମଳ । ମୁଁ ମୋର ରାଗକୁ ଭୁଲିଗଲେ ମଧ୍ୟ ମୁଁ ଦେଖିଛି ମୋର କେହି କେହି କର୍ମୀ ମୋର ରାଗିଯିବା ଦୋଷକୁ ଭୁଲି ପାରେ ନାହିଁ । ସେ ତାହା ମନେ ରଖେ, ଏବଂ ମୋତେ ଅତି ସରଳ ବିଶ୍ୱାସୀ ଦେଖି ପ୍ରତିହିଂସା ନେବାପାଇଁ ମୋତେ ଠକାଇବାକୁ ଉପାୟ ବାନ୍ଧେ । ମୋର ଏହି ଉଗ୍ର କର୍ମ ପ୍ରବୃତ୍ତି ଓ ସରଳ ବିଶ୍ୱାସ ମୋର ଦୋଷ କି ଗୁଣ ମୁଁ କିଛି ବୁଝି ପାରୁ ନାହିଁ । କର୍ମକ୍ଷେତ୍ରର ଅଭିଜ୍ଞତା ସଙ୍ଗେ ସଙ୍ଗେ ମୁଁ ମୋର ଏହି ସରଳ ପ୍ରବୃତ୍ତିକୁ ହରାଉଛି-। ଜଗି ରଖି କଥା କହିବାକୁ ବାଧ୍ୟ ହେଉଛି । କାହାରିକୁ ସହଜରେ ଶୀଘ୍ର ବିଶ୍ୱାସ କରି ପାରୁ ନାହିଁ । ରାଜନୈତିକ କର୍ମକ୍ଷେତ୍ରରେ ସରଳତା ନାହିଁ ବୋଲି ମୋତେ ବୋଧ ହେଉଛି । ଏହିପରି ଭାବରେ ମୋର ଜୀବନ କ୍ରମବିକାଶ ଲାଭ କରୁଛି । ଏଥିପାଇଁ ଏହାର ନାମ ଦେଇଛି ଜାତୀୟ ଜୀବନର ଆତ୍ମ ବିକାଶ ।

Image

 

ପଞ୍ଚମ ପରିଚ୍ଛେଦ

ଆଶ୍ରମର ପରିସମାପ୍ତି

 

୧୯୨୯ ମସିହା ଶେଷ ହେଲା । ଏହି ବର୍ଷ କୋଠାକାମ ଶେଷ ପାଇଲା । ଖଦଡ଼ କାର୍ଯ୍ୟରେ ଆଠ ହଜାର ଟଙ୍କା ଖଟାଇ ଖଦି ଆମଦାନୀ ବଢ଼ାଇଲି । ଖଦଡ଼ କାର୍ଯ୍ୟ ପାଇଁ ଆଉ ଜଣେ କର୍ମୀ ଆବଶ୍ୟକ । ବର୍ତ୍ତମାନ ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ଉପଯୁକ୍ତ କର୍ମୀର ଅଭାବ ମୁଁ ଅନୁଭବ କରୁଛି । ଆଶ୍ରମକୁ ଗୋଟିଏ ସ୍ଥାୟୀ ଅନୁଷ୍ଠାନ ରୂପେ ଗଢ଼ିବାର କଳ୍ପନା କରିଛି । ଏହି ଉଦ୍ଦେଶ୍ୟରେ ଆଶ୍ରମର ଆଦର୍ଶ, ଉଦ୍ଦେଶ୍ୟ ଓ କର୍ମପନ୍ଥା ନିରୂପଣ କରିଛି । ଉତ୍କଳ ପଲ୍ଲୀ ଗ୍ରାମରେ କିପରି କି କାର୍ଯ୍ୟ କରିବା ଦରକାର, ମୋର ଅଭିଜ୍ଞତାନୁସାରେ ସେ ସମସ୍ତ ଲିପିବଦ୍ଧ କରି ମୋର ବନ୍ଧୁମାନଙ୍କୁ ଜଣାଇଛି । ଏ ପର୍ଯ୍ୟନ୍ତ ଯେଉଁ ବନ୍ଧୁମାନେ ମୋତେ ସାହାଯ୍ୟ କରିଛନ୍ତି ଏବଂ ଆଶ୍ରମକୁ ସ୍ଥାୟୀ କରିବାକୁ ସାହାଯ୍ୟ କରିବାପାଇଁ ପ୍ରତିଶ୍ରୁତି ହୋଇଛନ୍ତି, ସେମାନଙ୍କୁ ମୋର କଳ୍ପନା ଓ କାର୍ଯ୍ୟକର୍ମ ଜଣାଇବା ଦରକାର । ମୁଁ କିପରି କ’ଣ କରୁଛି, ତାହା ମହାତ୍ମା ଗାନ୍ଧି ମଧ୍ୟ ନିରୀକ୍ଷଣ କରୁଛନ୍ତି । ଏହି ସବୁ କାରଣରୁ ଆଶ୍ରମର ପୁଷ୍ଟି ସାଧନ ପାଇଁ ମୁଁ ଯାହା କିଛି କଳ୍ପନା କରୁଛି ସେ ସବୁ ଲିପିବଦ୍ଧ କରି ମୋର ହିତାକାଙ୍କ୍ଷୀ ମିତ୍ରମାନଙ୍କ ସମ୍ମୁଖରେ ସ୍ଥାପନ କରିବା ଏକ ପ୍ରକାର କର୍ତ୍ତବ୍ୟର ଆହ୍ୱାନ ବୋଲି ମୁଁ ମନେ କଲି । ଗତ କେତେବର୍ଷ ହେଲା ପଲ୍ଲୀବାସୀଙ୍କର ଘନିଷ୍ଠ ସଂପର୍କରେ କାର୍ଯ୍ୟ କରି ମୁଁ ଯେଉଁ ଅଭିଜ୍ଞତା ଲାଭ କରିଛି ଏବଂ ମୋର ଯେ ପ୍ରକାର ରାଜନୈତିକ ଅନୁଭୂତି ଅଛି, ଏହି ଉଭୟ ପ୍ରତି ଦୃଷ୍ଟି ଦେଇ ଆଶ୍ରମ ପାଇଁ ଗୋଟିଏ ନିୟମାବଳୀ ମୁଁ ପ୍ରକାଶ କଲି-। ଦେଶ ସେବାରେ ମନୁଷ୍ୟର ମୁକ୍ତି, ଏହାହିଁ ଆଶ୍ରମର ଆଦର୍ଶ ବୋଲି ମୁଁ କଳ୍ପନା କରିଛି । ଆଶ୍ରମର ଉଦ୍ଦେଶ୍ୟ ହେଲା ଦେଶବାସୀଙ୍କ ମନରେ ଦେଶପ୍ରୀତି ଭାବ ଜାଗରଣ କରାଇବା । ଦେଶକୁ ସ୍ୱାଧୀନ କରିବା ପାଇଁ ମୋର ଜୀବନ ଆରମ୍ଭ । ମୋର ସମସ୍ତ ଚିନ୍ତା ଓ କର୍ମ ମୋର ସ୍ୱାଧୀନତା-ପିପାସକୁ ଦୂର କରିବାର ପ୍ରୟାସ ମାତ୍ର । ଖଦଡ଼ କାର୍ଯ୍ୟ, ରୋଗୀସେବା କିମ୍ୱା ଆଶ୍ରମ ପାଇଁ ଗୋଟିଏ କୋଠାଘର ବାନ୍ଧିବାରେ ଆଶ୍ରମର ଉଦ୍ଦେଶ୍ୟ ସାଧିତ ହେଲା ନାହିଁ । ଏହି ସବୁ ହେଉଛି ଆଦର୍ଶକୁ କାର୍ଯ୍ୟରେ ପରିଣତ କରିବାର ଉପାଦାନ ମାତ୍ର । ଏହି ଉପାଦାନ ମୁଁ ସଂଗ୍ରହ କରିଛି ଏବଂ ପୁଣି କରିବି । କିନ୍ତୁ ଆଦର୍ଶ ଅନୁରୂପ କର୍ମୀ ନ ମିଳିଲେ ଉଦ୍ଦେଶ୍ୟ ସାଧନ ହୋଇ ପାରିବ ନାହିଁ । ବର୍ତ୍ତମାନ ଏହି ଅଭାବ ହେଉଛି ବଡ଼ ଅଭାବ । ଅର୍ଥ ଅବା ଅନ୍ୟ ଉପାଦାନର ଅଭାବ ମୋତେ ବଡ଼ ଦେଖା ଯାଉ ନାହିଁ । ମୋର କଳ୍ପନାନୁସାରେ ମୁଁ ଆଶ୍ରମର ମୂଳଭିତ୍ତି ସ୍ଥାପନ କଲି । ଏଣିକି ଏହାକୁ ଦୃଢ଼ କରିବାର କଥା । ଯେଉଁ ସବୁ ଉପାଦାନ ସଂଗ୍ରହ କରିଛି ଏବଂ ଯେତେ ଗୁଡ଼ିଏ କର୍ମର ଶାଖା ପ୍ରସାର କରିଛି ତହିଁର ସୁବ୍ୟବସ୍ଥା ନ ହେଲେ, ସବୁ ନଷ୍ଟ ହୋଇ ଯିବାର ସମ୍ଭାବନା ।

 

ଏହି ପ୍ରକାର ଚିନ୍ତା ମୋ ମନରେ ଖେଳୁଛି । ଆଶ୍ରମକୁ ସ୍ଥାୟୀ ଓ ଦୃଢ଼ କରିବା ପାଇଁ ଦିନ ରାତି ଭାବୁଛି ଏବଂ ନାନା ଉପାୟ ଅବଲମ୍ୱନ କରିବାକୁ କଳ୍ପନା କରୁଛି । ଏପରି ସମୟରେ ଲାହୋର କଂଗ୍ରେସ ବସିଲା । ପଣ୍ଡିତ ଜବାହାରଲାଲ ସଭାପତି । ଲାହୋର କଂଗ୍ରେସରେ ପୂର୍ଣ୍ଣ ସ୍ୱାଧୀନତା ହାସଲ କରିବା କଂଗ୍ରେସର ହେଲା ଲକ୍ଷ । ଦେଶକୁ ପୂର୍ଣ୍ଣରୂପେ ସ୍ୱାଧୀନ କରିବା ପାଇଁ କଂଗ୍ରେସର ନୀତି ବଦଳିଲା । କଂଗ୍ରେସବାଲାଙ୍କୁ କାଉନ୍‍ସିଲ, ମ୍ୟୁନିସିପାଲିଟି, ଜିଲ୍ଲାବୋର୍ଡ ଆଦି ତ୍ୟାଗ କରି ଆସିବା ପାଇଁ କଂଗ୍ରେସ ଆହ୍ୱାନ କଲା । ଜାନୁଆରୀ ତା ୨୬ ରିଖ ସ୍ୱାଧୀନତା ଦିବସ ରୂପେ ପ୍ରତିପାଳିତ ହେଲା । ମୁଁ ଲାହୋର ଯାଇଛି ଏବଂ ସେଠାରୁ ବମ୍ୱେଇ ଆସିଛି । ବମ୍ୱେଇରେ ଏହି ସ୍ୱାଧୀନତା ଦିବସରେ ଦେଶକୁ ସ୍ୱାଧୀନ କରିବା ପାଇଁ ପ୍ରତିଜ୍ଞାପତ୍ର ପାଠ କରିଛି । ସାରା ଦେଶରେ ପୁଣି ଏକ ପ୍ରକାର ଅପୂର୍ବ ନୂତନ ଜୀବନ ଖେଳି ଯାଇଛି । ସାବରମତୀ ଆଶ୍ରମରେ କଂଗ୍ରେସର କାର୍ଯ୍ୟକାରୀ କମିଟି ବସି ଯୁଦ୍ଧ ପରିଚାଳନା କରିବାର ପୂର୍ଣ୍ଣ କ୍ଷମତା ମହାତ୍ମା ଗାନ୍ଧିଙ୍କ ଉପରେ ଅର୍ପଣ କରା ହୋଇଛି । ମହାତ୍ମାଜୀ ବଡ଼ଲାଟ ଲର୍ଡ ଇରଉଇନ୍‍ଙ୍କୁ ଶେଷ ଜବାବ (ultimatum) ପଠାଇ ସାରି ଲବଣ ସତ୍ୟାଗ୍ରହ ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି । ପ୍ରତ୍ୟେକ ପ୍ରଦେଶ ସ୍ୱାଧୀନତା ଲଢ଼ାଇ ପାଇଁ ପ୍ରସ୍ତୁତ ହୋଇଛି । ମୁଁ ବର୍ତ୍ତମାନ ବିଚଳିତ । ସତ୍ୟାଗ୍ରହ ଲଢ଼ାଇରେ ଯୋଗ ନ ଦେଇ ଆଶ୍ରମକୁ ଜଗି ବସିବି ଏପରି କଳ୍ପନା ମନକୁ ସ୍ପର୍ଶ କରୁ ନାହିଁ । ବମ୍ୱେଇରୁ ଓଡ଼ିଶାକୁ ଫେରିଲି । ମାର୍ଚ୍ଚ ମାସ ତା ୧୨ ରଖି ଦିନ ମହାତ୍ମା ଗାନ୍ଧି ସାବରମତୀ ଆଶ୍ରମରୁ ସମରଯାତ୍ରା ଆରମ୍ଭ କଲେ । ଦାଣ୍ଡି ନାମକ ସ୍ଥାନରେ ସେ ପ୍ରଥମେ ଲବଣ ସତ୍ୟାଗ୍ରହ ଆରମ୍ଭ କରିବେ । ସାବରମତୀ ଆଶ୍ରମ ଛାଡ଼ି ଗଲାବେଳେ ମହାତ୍ମାଜୀ କହିଲେ, ଦେଶ ସ୍ୱାଧୀନ ନ ହେଲେ ସେ ଆଉ ଆଶ୍ରମକୁ ଫେରିବେ ନାହିଁ । ଦେଶ ସ୍ୱାଧୀନ ହେବ, ନଚେତ ତାହାଙ୍କ ମୃତ ଶରୀର ସମୁଦ୍ରରେ ଭାସମାନ ହେବ । ଏହାହିଁ ତାହାଙ୍କର ଅଟଳ ପ୍ରତିଜ୍ଞା ।

 

ମହାତ୍ମା ଗାନ୍ଧିଙ୍କର ଏହି ଉକ୍ତ ଓ ତାହାଙ୍କର ଦାଣ୍ଡିଯାତ୍ରା ଭାରତର ପୁର ପଲ୍ଲୀରେ ବିଦ୍ୟୁତ୍‍ ଖେଳାଇ ଦେଲା । ପ୍ରବଳ ବନ୍ୟାରେ ଗ୍ରାମ ସହର ସବୁ ଭାସିଗଲା ପ୍ରାୟ ଭାରତର ଏକ ପ୍ରାନ୍ତରୁ ଅପର ପ୍ରାନ୍ତ ପର୍ଯ୍ୟନ୍ତ ସମସ୍ତେ ଏଥିରେ ଭାସିଗଲେ । ଦେଶରେ ଯୁଦ୍ଧ-ଜ୍ୱର ବ୍ୟାପିଗଲା । ଆମ୍ଭର ଉତ୍କଳ ପ୍ରାଦେଶିକ କଂଗ୍ରେସ କମିଟିର ବୈଠକ ବସିଲା । ଓଡ଼ିଶାରେ ଲବଣ ସତ୍ୟାଗ୍ରହ ଆରମ୍ଭ କରାଯିବ କି ନାହିଁ ଏହି ପ୍ରଶ୍ନର ବିଚାର ଚାଲିଲା । ବର୍ତ୍ତମାନ ରାଜନୈତିକ ପରିସ୍ଥିତିରେ ଲଢ଼ାଇରେ ଯୋଗ ଦେବା ଭିନ୍ନ ଅନ୍ୟଥା ବିଚାର କରିବାର ସମୟ ନୁହେ । କିନ୍ତୁ ଓଡ଼ିଶାର ପରିସ୍ଥିତିକୁ ବିଚାର କଲା ବେଳକୁ ଲଢ଼ାଇରେ ଯୋଗ ଦେବା ନ ଦେବା ପ୍ରଶ୍ନ ସ୍ୱତଃ ମନରେ ଜାଗି ଉଠୁଛି । ଭାରତର ଅନ୍ୟାନ୍ୟ ପ୍ରଦେଶରେ ଉନ୍ମାଦନା ଖେଳି ଯାଉଥିଲା ବେଳେ, ଓଡ଼ିଶାର ପ୍ରାଣରେ ସ୍ପନ୍ଦନ ଥିଲା ପ୍ରାୟ ବୋଧ ହେଉ ନ ଥାଏ । ଉତ୍କଳ କଂଗ୍ରେସ କମିଟିର ବୈଠକରେ କେହି କେହି ମଧ୍ୟ ଲବଣ ସତ୍ୟାଗ୍ରହରେ ଯୋଗ ନ ଦେଇ, ଅଧିକ ମାତ୍ରାରେ ଗ୍ରାମ ସଂଗଠନ କାର୍ଯ୍ୟ କରିବାକୁ ପରାମର୍ଶ ଦେଲେ । ଏହି ଯୁକ୍ତି ମଧ୍ୟ ନିହାତ୍‌ ଖାମଖିଆଲ ଭାବରେ ଉଡ଼ାଇ ଦେବାରେ ନୁହେ । ତଥାପି ଆମ୍ଭେମାନେ ବିଚାର କଲୁ, ଓଡ଼ିଶା ନିସ୍ପନ୍ଦିତ । ଓଡ଼ିଶାର ଲୋକେ ନିଦ୍ରିତ, ଓ ଆଜି ଜଡ଼ ଓ ମୂର୍ଖ ପ୍ରାୟ ପଡ଼ିଛନ୍ତି । ଏହି ନିଦ୍ରା ଭାଙ୍ଗିବାକୁ ହେଲେ, ଏହି ଜଡ଼ତା ଦୂର କରିବାକୁ ହେଲେ ଭୀଷଣ ଭୂମିକମ୍ପ ପରି ଏମାନଙ୍କୁ ଦୋହଲାଇ ଦେବା ଦରକାର । ବର୍ତ୍ତମାନ ଏହି ଭୂମିକମ୍ପ ସୃଷ୍ଟି କରିବାର ବେଳ । ଏହା ଗ୍ରାମ ସଂଗଠନର ବେଳ ନୁହେ । ଗ୍ରାମ ସଂଗଠନ ଭାଙ୍ଗି, ସବୁ ଆହୁତି ଦେବାର ବେଳ ବର୍ତ୍ତମାନ । ଏହିପରି ମର୍ମରେ ମୁଁ ମୋର ମନର ଭାବ ପ୍ରକାଶ କଲି । ବାଲେଶ୍ୱର ବୈଠକରେ ଓଡ଼ିଶାରେ ସତ୍ୟାଗ୍ରହ ସମର ଆରମ୍ଭ କରିବାର ସ୍ଥିର ହେଲା ।

 

ମୁଁ ଆଶ୍ରମକୁ ଫେରିଲି । ସତ୍ୟାଗ୍ରହରେ ଯୋଗ ଦେବା ପାଇଁ ବେଳେ ବେଳେ ମନ ମାନୁ ନାହିଁ । ଆଶ୍ରମର ମୂଳଭିତ୍ତି ପଡ଼ିଛି । ତାହା ଦୃଢ଼ ହୋଇ ନାହିଁ । ଉପଯୁକ୍ତ କର୍ମୀ କେହି ନାହିଁ, ଯାହା ଉପରେ ସବୁ ଅର୍ପଣ କରି ମୁଁ ନିଶ୍ଚିନ୍ତରେ ଆବଶ୍ୟକ ପଡ଼ିଲେ ପ୍ରାଣବଳି ଦେଇ ପାରେ । ପ୍ରାଣବଳି ଦେବାକୁ ମୁଁ କୁଣ୍ଠିତ ନୁହେ । ଦେଶର ସ୍ୱାଧୀନତା ପାଇଁ ଲଢ଼ି ମରି ପାରିଲେ ତହିଁରେ ମନୁଷ୍ୟର ମୁକ୍ତି, ଏହାହିଁ ମୋର ବିଶ୍ୱାସ । ମୁକ୍ତି ସଂଗ୍ରାମର ଆଧାର ସ୍ୱରୂପ ଆଶ୍ରମକୁ ଗଢ଼ିଛି । ତାହାକୁ ଅଧା ଅଧି କରି ଛାଡ଼ିଦେଇ ଯିବାରେ କର୍ତ୍ତବ୍ୟରେ ତ୍ରୁଟି ହେବ ବୋଲି ଭାବୁଛି । ମୁଁ ଚାଲିଗଲେ ସବୁ ବିଶୃଙ୍ଖଳା ହୋଇଯିବ, ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ । ଆଶ୍ରମର କଳ୍ପନା ଫଳୀଭୂତ ହେବା ଉପରେ । ଜୀବନର ସମସ୍ତ ଚିନ୍ତା ଓ ସାଧନାକୁ ପ୍ରତ୍ୟକ୍ଷ ଫଳୀଭୂତ ହେବାର ମୁଁ ଆଶ୍ରମ କାର୍ଯ୍ୟରେ ଦେଖିପାରୁଛି । ତଥାପି ଲଢ଼ାଇରେ ଯୋଗ ନ ଦେଇ ଆଶ୍ରମ କାର୍ଯ୍ୟକୁ ଧରିବସିବା ମୋତେ ଗୋଟାଏ ମୋହ ଓ ମମତା ପ୍ରାୟ ବୋଧ ହେଲା । ଆହୁରି ମଧ୍ୟ ବୁଝିଛି, ଆଶ୍ରମର ବର୍ତ୍ତମାନ ଅବସ୍ଥାରେ ପରିଚାଳନା ଭାର ଛାଡ଼ି ଦେଇ ମୁଁ ଚାଲିଗଲେ ଆଶ୍ରମରେ ବହୁତ କ୍ଷତି ହେବ । ହୁଏତ ଏହାଦ୍ୱାରା ଆଶ୍ରମ ଭାଙ୍ଗି ଯାଇ ପାରେ । ତଥାପି ଏହାକୁ ଧରି ବସିବାକୁ ମନରେ ଉତ୍ସାହ ଆସିଲା ନାହିଁ । ଶେଷରେ ଆଶ୍ରମ ଛାଡ଼ିବାର ନିଶ୍ଚୟ କଲି । ଲଢ଼ାଇରେ ଯୋଗ ଦେବି–ଏଥିରେ ଯଦି ଆଶ୍ରମ ଭାଙ୍ଗି ଯିବ, ତେବେ ତାହା ଭାଙ୍ଗିଯାଉ । ଏହାହିଁ ମୋର ଜୀବନର ଆଉ ଗୋଟିଏ ମହତ୍‍ ପରୀକ୍ଷା ଓ ତ୍ୟାଗର ପରାକାଷ୍ଠା ହେବ ।

Image